Unknown

 

 

 

 

 

 

 

 

 

 

ପାଷାଣୀ କନ୍ୟା

ଗୋରାଚାନ୍ଦ ମିଶ୍ର

 

‘‘ପାଷାଣୀ କନ୍ୟା’’ ପ୍ରାୟ ପଚିଶ ବର୍ଷ ତଳର ଲେଖା । କ’ଣ ଦେଖିଥିଲେ, କ’ଣ ସବୁ ଲେଖିଥିଲି ଏବେ ଭାବି ସୁଦ୍ଧା ପାରୁନି । ଏହା ପଡ଼ି ରହିଥିଲା ବହୁବର୍ଷ ଧରି । କୃଷ୍ଣ ଓ ନବ (ବୁକ୍‌ସ ଆଣ୍ଡ ବୁକ୍‌ସର ଦୁଇଭାଇ) ମତେ ଅଜା ଅଜା ଡାକନ୍ତି । ବେଶ ପରିହାସ ହୁଏ । ତାଙ୍କ ଆଗରେ ଥିବା ବହି ଦୋକାନୀ ପୂର୍ଣ୍ଣ ମୋର ଭଗ୍ନୀପତି । ତିନିହେଁ ମିଶି ମୋର ଯୌବନ କାଳିନ ଅନୁଭୂତି ଶୁଣିବା ପାଇଁ ମୋ ସାଙ୍ଗରେ ବହୁତ ଲାଗନ୍ତି ।

 

ଆରେ ଆଉ କେତେ କହିବି, ଏଇଟିକି ନିଅ ଛାପିସାରି ପଢ଼ୁଥିବ, ‘‘ଅଖା ଧୋଉଥିବ ଗୁଣ ଗାଉଥିବ’’ କହି ଧରେଇ ଦେଲି ‘ପାଷାଣୀ କନ୍ୟା’ କୁ । କୃଷ୍ଣ ଆଉ ନବର ଉଦ୍ୟମରେ ମୋ ଅତୀତର କେତୋଟି ଧୂଳି ଧୂସରିତ ପାଖୁଡ଼ା ମୁକୁଳିତ ହୋଇପାରିଥିବାରୁ ସେମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ ।

 

ବହିଟି ଛାପିବା ଦିଗରେ ମେଘମାଳା ପ୍ରେସ୍‍ର ସତ୍ତ୍ୱାଧିକାରୀ ମହେନ୍ଦ୍ରବାବୁଙ୍କ ଅବଦାନ ମଧ୍ୟ ଉଲ୍ଲେଖଯୋଗ୍ୟ । ମୁଁ ତ ଲେଖୁ ଲେଖୁ ବହୁତ ଲେଖି ଯାଇଥିଲି । ପଚିଶବର୍ଷ ତଳର ଭାବ ଓ ଭାଷାର ଓଲଟ ପାଲଟ, କାଟଛାଣ୍ଟର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ସମର୍ପି ଦେଇ ମୁଁ ନିଶ୍ଚିନ୍ତ । ଯାହାହେଉ ପାଣ୍ଡୁଲିପିଟିକୁ ଦେଖି ସେ କେତେକ ବିଷୟ ବାଦ୍‍ଦେଇ ନଥିଲେ ବହିଟି ବଡ଼ ହୋଇଯାଇ ଥାଆନ୍ତା । ବର୍ତ୍ତମାନର ମହରଗ ଯୁଗରେ ବହିର ବଡ଼ ଆକାରକୁ ଏବଂ ତଦନୁଯାୟୀ ମୂଲ୍ୟକୁ ଦେଖିଲେ ଲୋକଙ୍କୁ ଥରେ ଦିଥର ଭାବିବାକୁ ପଡ଼ୁଛି । ମହେନ୍ଦ୍ରବାବୁ ଲୋକଙ୍କୁ ସେହି ଭାବନାରୁ ମକ୍ତ ରଖିବା ଦିଗରେ ଯଥେଷ୍ଟ ସାହାର୍ଯ୍ୟ କରିଛନ୍ତି ।

 

ପାଷାଣୀ କନ୍ୟା–ମୋଟାମୋଟି ଏକ ଭ୍ରମଣ କାହାଣୀ କିନ୍ତୁ ଏହା ଭିତରେ ଅଛି ସରସତା । ପାଠକ ଏହାକୁ କିଭଳି ଭାବେ ଗ୍ରହଣ କରିବେ ଜାଣେନା ।

 

ଗୋରାଚାନ୍ଦ ମିଶ୍ର

ପି-୩, ଲେବର କଲୋନୀ

କଟକ ୭୫୩୦୦୯

Image

 

ମୁଁ ସେଦିନ ସାତହଜାର ଫୁଟ ଉଚ୍ଚରେ । ତଳେ ଧୂମଳ ମେଘମାଳା । ଦିନ ବାରଟା । ତଥାପି ସୂର୍ଯ୍ୟର ଦେଖାନାହିଁ । ମୁଁ ଖାଲି ଚାହିଁଚି ଆକାଶକୁ.... ।

 

ମଲ୍‌ ଦାର୍ଜିଲିଂର ମନୋରମ ଓ ଅନୁପମ ଦୃଶ୍ୟ ପ୍ଳାବିତ ସମ୍ଭୋଗ ମଣ୍ଡପ । ମୁଁ ଏହି ମଣ୍ଡପରେ ଏକ ପାଖରେ ଗୋଟିଏ ସିମେଣ୍ଟ ବେଞ୍ଚ ଉପରେ ବସି ସଂକ୍ଷେପରେ ଏହି ସ୍ୱର୍ଗପୁରୀର ଦୃଶ୍ୟ ବର୍ଣ୍ଣନା କରି ଚିଠି ଲେଖୁଥାଏ । ଗୁଡ଼ାଏ ଚିଠି । ସବୁଥିରେ ବର୍ଣ୍ଣନାର ବିଷୟବସ୍ତୁ ଭିନ୍ନ ଭିନ୍ନ କାରଣ ଗୋଟିଏ ପୋଷ୍ଟକାର୍ଡ଼ ଲେଖିବା ଭିତରେ ସେଠାକାର ଦୃଶ୍ୟ ବିଭିନ୍ନ ଭାବରେ ଦେଖିବାକୁ ପାଉଥାଏ । କେତେବେଳେ ତୁଷାରମୟ କୁହୁଡ଼ି ମାଡ଼ି ଆସେ ଘନୀଭୂତ ଭାବରେ, ଦ୍ରୁତଗତିରେ । ପାଖରେ ବସିଥିବା ଲୋକକୁ ଦେଖିବା କଠିନ ହୁଏ । କିନ୍ତୁ ପରମୁହୂର୍ତ୍ତରେ କୁହୁଡ଼ି କୁଆଡ଼େ ଉଭେଇଯାଏ–ସୂର୍ଯ୍ୟର କ୍ଷଣିକ ରଶ୍ମି ଦୂର ଶୈଳର ସବୁଜ କିଶଳୟ ଦେହରେ ପଡ଼ି ଏକ ଅପୂର୍ବ ଲୋଭନୀୟ ଦୃଶ୍ୟ ସୃଷ୍ଟି କରେ । ଖାଲି ରଶ୍ମି, କିନ୍ତୁ ସୂର୍ଯ୍ୟ କାହିଁ ?

 

କୁହୁଡ଼ି ଉଭେଇଗଲା, ମୁଁ ପୁଣି ମୁଣ୍ଡ ତଳକୁ କରି ଚିଠିଲେଖା ଆରମ୍ଭ କଲି ।

 

‘‘ବାବୁଜୀ–ଓ ବାବୁଜୀ ।’’

 

ମୁଣ୍ଡ ଉଠେଇ ଦେଖେ ତ ଆଗରେ ତେନ୍‌ଜିଂର ବଂଶଧର ଜଣେ ବଳିଷ୍ଠ ସେର୍ପା ଯୁବକ, ପାଖରେ ମସ୍ତ, ଏକ ଘୋଡ଼ା–ଉପରେ ଜିନ୍‌ ।

 

ଜଣେ କିଶୋରୀ ସହିତ ତା’ର କଳିକଜିଆ । ପାହାଡ଼ୀଭାଷାରେ କଥାବାର୍ତ୍ତା । ମୋ ପକ୍ଷରେ ଦୁର୍ବୋଧ୍ୟ । ଚିଠି ଲେଖା ବନ୍ଦ କରି ତାଙ୍କ କଳିକଜିଆ ଦେଖିବାକୁ ମଜା ଲାଗିଲା । କିନ୍ତୁ କଳିକଜିଆ ତୀବ୍ର ହୋଇ ଉଠିଲା । ଶେଷରେ ସମାଧନ ହେଲା । ବୁଝିଲା ଯେ କିଶୋରୀଟି ତାର ଜଣେ ଆତ୍ମୀୟର ଘୋଡ଼ାରେ ବସିବା ପାଇଁ ଆଗରୁ ଆସି ମୋ ଚିଠି ଲେଖା ସରିଲେ ମତେ ପଚାରିବ ବୋଲି ଅପେକ୍ଷା କରିଚ । କିନ୍ତୁ ଇତି ମଧ୍ୟରେ ଏ ଯୁବକଟି ମଉଜା ଉଣ୍ଡି ତାକୁ ବାଧା ଦେଲା ।

 

ଶେଷରେ ମୁଁ କହିଲି ଯେ ମୁଁ ତୁମ ଦୁଇଜଣଙ୍କ ଘୋଡ଼ାରେ ବସିବି ବସିଲି ମଧ୍ୟ ।

 

ମଲ୍‌ବା ଏହି ଅଞ୍ଚଳଟି ହେଉଛି ଦାର୍ଜିଲିଂର ଏକ ସମତଳ କ୍ଷେତ୍ର । ପାହାଡ଼ର ଏକ ବଡ଼ ଥାଳୀ । ତଳେ, ବହୁତ ତଳେ ଏକ ବିସ୍ତୃତ ଉପତ୍ୟକା–ଏକ ଓସାରିଆ ଗଭୀର କୂଅ ଭଳି । ଉପରେ ବଢ଼ିଆ ସଡ଼କ । ଫର୍ଲଙ୍ଗ ଖଣ୍ଡେ ଏମିତି ସମତଳ । ଘୋଡ଼ାରେ ବସି ଏ ଅଞ୍ଚଳଟି ବୁଲିବା ବଡ଼ ସୁଖପ୍ରଦ ।

 

ଘୋଡ଼ା ଉପରେ ସାଇଶ ପରି ଏମାନେ ଲଗାମ ଧରି ଚାଲନ୍ତି । ଇଚ୍ଛା କଲେ ବା ତମକୁ ଡର ଲାଗିଲେ, ଏମାନେ ତୁମ ପାଖରେ ଘୋଡ଼ା ପିଠିରେ ବସନ୍ତି । ବହୁତ ଗପସପ । ନାନାଦି କଥା-। ସିନେମା ଗୀତ, ଜଙ୍ଗଲ ଗୀତ, ସତେକି ସମସ୍ତେ ଗୀତ ବୋଲିବାରେ ଅଭ୍ୟସ୍ତ ।

 

ମୁଁ ଘୋଡ଼ା ଉପରେ ବସି ଖାଲି ଦୃଶ୍ୟ ଦେଖୁଥାଏ । ମଝିରେ ଘୋଡ଼ାକୁ ଠିଆ କରି କିଶୋରୀଟି କହିଲା ବଙ୍ଗଳାରେ ।

 

‘‘ଦେଖିବେ ?’’

 

‘‘କଣ ?’’

 

‘‘ଏଇ ଯେ ଜଲା ପାହାଡ଼ । ଅଳ୍ପ ରାସ୍ତା । ସେଇଠି ତେନ୍‌ଜିଂର ଘର । ଯିବେ ?’’

 

‘‘ଯିବୁ, କିନ୍ତୁ ବର୍ତ୍ତମାନ ନୁହେଁ ?’’

 

ଘୋଡ଼ା ଉପରେ ବସି ବହୁ କଳ୍ପନା କରୁଥାଏ ।

 

ମୁଁ ଆସି କେଉଁଠି ପହଞ୍ଚିଲି ? ପିଲାଦିନେ ବୋଉକୁ ପଚାରୁଥିଲି, ‘‘ବୋଉ ସ୍ୱର୍ଗ କେଉଁଟା-?’’ ବୋଉ ଆକାଶକୁ ଦେଖେଇ ଦେଉଥିଲା । ପୁଣି ପଚାରୁଥିଲି, ‘‘ଭଗବାନ କେଉଁଠି ରହନ୍ତି-?’’

 

ବୋଉ କହୁଥିଲା–ହିମାଳୟରେ ।

 

ତେବେ ମୁଁ କ’ଣ ସ୍ୱର୍ଗରେ–ଭଗବାନଙ୍କ ଘରେ ?

 

ଦୁଶ୍ଚିନ୍ତା ମଧ୍ୟ ଥିଲା । ବାହା ହୋଇଥିଲେ ସାଙ୍ଗରେ ଥାଆନ୍ତା ସେ । ଯଦି ବା ସେ ନ ଆସି ଥାଆନ୍ତା, ଅନ୍ତତଃ ଘରକୁ ଗଲେ ତାକୁ ତ ସବୁ ଖୋଲି କହନ୍ତି । ଭାରି ଖୁସି ହୁଅନ୍ତା ।

 

ପୁଣି ଦବି ଆସେ । ମୋ ନାଁରେ ବହୁତ ନିଆଖୁଣ୍ଟ ଗେଞ୍ଜା ହେଉଛି । ପୁଅଟା ଏମିତି ବୁଲି ବୁଲି ଫକୀର ହୋଇଯିବ ବୋଲି ଆମ ଗାଁ ଟିଭ ଗଉଡ଼ୁଣୀ । ମୋ ବୋଉକୁ ବହୁତଥର କହିଛି-। ବୋଉ ମୋ ଲାଗି ବହୁତ କାନ୍ଦିଚି । ବାପ, ଏ ଭଙ୍ଗାଘରଟି ସଜାଡ଼ି ଦେ, ବୁଲି ବୁଲି ଏମିତି ଖର୍ଚ୍ଚ କରନା । ମୋ ଧନପରା ମୋ ମୁଣ୍ଡ ଖାଇଲା ପରି । ମୋ ବୋଲ କର ଇତ୍ୟାଦି ନାନା ରାଣ–ବହୁ ଆତୁର ନିବେଦନ ତା’ଠୁ ଶୁଣିଚି ।

 

ତେବେ ଏତେ ଟଙ୍କା ଖର୍ଚ୍ଚ କରି ଏଠିକି ଆସିବାଦ୍ୱାରା ମୁଁ କାହାପ୍ରତି ଅନ୍ୟାୟ କରୁନି ତ-? ଏ ସବୁ ବୃଥା ନୁହେଁ ତ ? ଏ ସବୁ ପ୍ରଶ୍ନ ମୋ ମନ ଭିତରେ ଉଠେ । ଦୁଶ୍ଚିନ୍ତା ଭିତରେ ଏତିକି-। ପୁଣି ଘୋଡ଼ାରେ ବସେ । ଖଣ୍ଡେ ବାଟଯାଏ–ସବୁ ଭୁଲିଯାଏ । କୀର୍ତ୍ତନରେ ଭକ୍ତ ଭୋଳ ହେଲା ମୁଁ ଦୃଶ୍ୟ ଦେଖି ଦେଖି ବିଭୋଳ । ନିଜକୁ ମଧ୍ୟ ଭୁଲିଯାଏ ।

 

ପିଲାଦିନେ ଶୁଣିଥିଲି, ମୁନି ୠଷିମାନେ ଏହି ହିମାଳୟ ଗହ୍ୱରରେ ଲୁଚି ତପସ୍ୟା କରନ୍ତି-। ମୋର ଜଣେ ମଉସା । ଧନ ସମ୍ପଦ, ଘର ଦ୍ୱାର, ପୁଅ ଝିଅ ଓ ସ୍ତ୍ରୀ ପ୍ରଭୃତି ସବୁ ଛାଡ଼ି ଏଇଠିକି ଆସି ରହିଛନ୍ତି । ମଉସା ଫେରିବେ ବୋଲି ମାଉସୀ ଏ ଯାଏଁ ହାତରେ କାଚ ରଖିଚି । ଦୀର୍ଘ କୋଡ଼ିଏ ବର୍ଷ ହୋଇଗଲା । ମଉସା ଆଉ ଫେରୁନାହାନ୍ତି । ମାଉସୀ ପୁଅ, ବୋହୂ, ନାତି ନାତୁଣୀ ଦେଖି ସାରିଲାଣି । ମୁଁ ହିମାଳୟକୁ ଯାଉଚି ବୋଲି ଆଗରୁ ମାଉସୀକି କହିଥିଲେ, ସେ ନିଶ୍ଚୟ ମୋ ସାଙ୍ଗେ ସାଙ୍ଗେ ଦୌଡ଼ି ଆସି ଥାଆନ୍ତା । ତାର ଧାରଣା ହିମାଳୟ ତାଙ୍କ ଗାଁ ପରି ଏକ ଛୋଟ ଅଞ୍ଚଳ-। ଅତି ବଡ଼ରେ ପାଏ ବା କୋଶେ ବାଟ ଲମ୍ବା ହୋଇଥିବ । ତାର ଇଚ୍ଛା–ମଉସାକୁ ସେ ଏଇଠି ଖୋଜି ବାହାର କରନ୍ତା । ଦେଖିଲେ ବୁଝେଇ ସୁଝେଇ କହନ୍ତା–ସେ ଘରକୁ ଫେରି ଆସନ୍ତେ-

 

ଘୋଡ଼ାରେ ବସି ମୁଁ ଖାଲି ଏତିକି ଭାବୁ ନଥିଲି, ପୁରାଣ କଥା ମଧ୍ୟ ଭାବୁଥିଲି । ଶୁଣିଚି ଦ୍ରୋଣପୁତ୍ର ଅଶ୍ୱତ୍‌ଥାମା ଅମର । ସେ ମହାଭାରତ ଯୁଦ୍ଧ ସମୟରୁ ଏଇ ହିମାଳୟରେ ବୁଲୁଚନ୍ତି । ପୁଣି କାଳିଦାସଙ୍କ ମେଘଦୂତର କୁବେରକଥା । ସେଇ ବର୍ଣ୍ଣିତ ମେଘମାଳା ବର୍ତ୍ତମାନ ସୁଦ୍ଧା ବିରହୀ ପକ୍ଷର ବିରହ ସନ୍ଦେଶ ଧରି ଭାତୃଜାୟା ପକ୍ଷପତ୍ନୀ ପାଖକୁ ଚାଲିଚି । ମେଘ ଦେହରେ ମଣିଷ ପରି ଦରଦ, କରୁଣା । ମୋର ଅନୁଭୂତି ରସାଣି ଦେଇ ଭାବିଲି, କାଳିଦାସଙ୍କ ବର୍ଣ୍ଣନା ସବୁ ଠିକ୍‍ । କାଳିଦାସ ନିଶ୍ଚୟ ଦିନେ ଏହି ଦାର୍ଜିଲିଂକି ଆସିଥିବେ । ନିଜେ ବୋଧହୁଏ ଯକ୍ଷ ଥିଲେ ।

 

ପୁଣି ଧ୍ୟାନ ଭଙ୍ଗ ହେଲା ।

 

‘‘ଏଖନ ଫିରତେ ହବେ ।’’

 

‘‘ଆଚ୍ଛା । ଚଲ୍‌ ।’’

 

ପିଲାଦିନୁ ମୋର ଇଚ୍ଛାଥିଲା–ଚାରିଆଡ଼େ ବୁଲିବି । ପ୍ରକୃତ ସହିତ ଜୀବନର ସଂଯୋଗ ସ୍ଥାପନ କରିବି । ସେଇଥିପାଇଁ ମାଟ୍ରିକୁଲେସନ୍‌ ପାସ୍‌ ପରେ ମୁଁ ଖାଲି ଚାଲି ଚାଲି ବହୁ ଗଡ଼ଜାତ ବୁଲିଥିଲି ଉତପ୍ତ ଗ୍ରୀଷ୍ମ ୠତୁରେ । ପାଦରେ ଚଟି ନଥିଲା । ଖାଲି ଦୁଃସାହସ, ପାଗଳାମି ଛଡ଼ା କିଛି ନୁହେଁ । ଓଡ଼ିଶାର ବହୁ ବଣ ଜଙ୍ଗଲ ଅତିକ୍ରମ କରିଚି, ଆଦିବାସୀ ପରିବାର ସହିତ ମିଶି ନାଚିଚି, ବୁଲିଚି । ମାସ ମାସ ଧରି ସେମାନଙ୍କ ଘରେ ଜଣେ ଆତ୍ମୀୟ ଭାବରେ କାଳ କଟେଇଚି ।

 

ଏ ଦୁଃସାହସ କିଛିଦିନ ପାଇଁ ବନ୍ଦ ରହିଲା–ଆରମ୍ଭ ହେଲା କଲେଜ୍‌ ପଢ଼ା । ତା’ପରେ ରାଜନୀତି । ମଣିଷ ସବୁଠାରୁ ମୁକୁଳିପାରେ କିନ୍ତୁ ରାଜନୀତିକ ବନ୍ଧନରୁ ମୁକୁଳିବା ସହଜ ନୁହେଁ । କିଏ କାହାର ସ୍ୱାଧୀନତାକୁ ରୁଦ୍ଧ କରେନା–କିନ୍ତୁ ମମତା, ଦାୟିତ୍ୱବୋଧ, ସେବା ଓ କର୍ତ୍ତବ୍ୟବୋଧ ହିଁ ନିଜ ମନକୁ ଆପେ ଆପେ ଶୃଙ୍ଖଳିତ କରି ରଖିଥାଏ । ଛୁଟି ମିଳେନା, ପ୍ରଶ୍ନ ଉଠେ କିଏ କାହାକୁ ଛୁଟିଦେବ ?

 

ବହୁତ ବହି–ବିଶେଷ କରି ବଙ୍ଗଳାର ସୁଲେଖକ ପ୍ରବୋଧ ସାନ୍ୟାଲଙ୍କ ଭ୍ରମଣ କାହାଣୀ ପଢ଼ି ଥରେ ମୋର ଇଚ୍ଛା ହୁଏ; ସବୁ ବନ୍ଧନ କାଟି ହିମାଳୟ ଚାଲିଯିବ । ମୋର ଆତ୍ମବିଶ୍ୱାସ ଥିଲା ଅତି ପ୍ରବଳ । ମୁଁ ଯେଉଁଠିକି ଗଲେ ମଧ୍ୟ ଖାଇବାକୁ ନପାଇ ଯେ ମରିଯିବି ଏ ଧାରଣା ମୋ ମନରେ ତିଳେ ହେଲେ ନଥିଲା । ତେଣୁ ଅଭାବ ମତେ କେବେହେଲେ ବାଧା ଦେଉ ନଥିଲା ।

 

ଶେଷରେ ହିମାଳୟ ଯାତ୍ରା ଆରମ୍ଭ ହେଲା ଡିସେମ୍ବର ମାସ କୋଡ଼ିଏ ତାରିଖ ଦିନ । ଶୀତ କାଳ । କଲିକତାରୁ ଶତ୍ରି କାଲିଘାଟ, ତା’ପରେ ଗଙ୍ଗାରେ ଜାହାଜ ଦେଇ ମଣିହାର ଘାଟ–ସେଇଠୁ ପୁଣି ଟ୍ରେନ୍‌ରେ ଚଢ଼ି କାଥିଆର ଦେଇ ସିଲଗୁଡ଼ି ପର୍ଯ୍ୟନ୍ତ । କଟକଠୁ ସିଲଗୁଡ଼ି ପ୍ରାୟ କୋଡ଼ିଏ ଟଙ୍କାର ବାଟ । ସିଲଗୁଡ଼ିଠୁ ଦାର୍ଜିଲିଂ ଅଣଚାଶ ମାଇଲ–କିନ୍ତୁ ରେଳଭଡ଼ା ଚାରିଟଙ୍କାରୁ ଅଧିକ ।

 

ମତେ ସିଧା ସିଲଗୁଡ଼ିଠୁ ଜଳପାଇଗୁଡ଼ି ପର୍ଯ୍ୟନ୍ତ ଯିବାକୁ ପଡ଼ିଲା । ମୋର ମାମୁଁ ଏଇଠି ମେକାନ୍ନିକାଲ ଇଞ୍ଜିନିୟର୍‌ । ଯୁଦ୍ଧବେଳରୁ ସେ ବଙ୍ଗଳା ସରକାରଙ୍କ ଅଧୀନରେ କାମ କରି ଆସିଛନ୍ତି । ଏକ ଛୋଟ ପରିବାର । ଗତ ୧୦ ବର୍ଷ ଭିତରେ ସମସ୍ତେ ବଙ୍ଗାଳୀ ପାଲଟି ଯାଇଛନ୍ତି । ପିଲାମାନେ ବଙ୍ଗଳା ମାଧ୍ୟମରେ ପାଠ ପଢ଼ନ୍ତି ।

 

ବହୁଦିନୁ ମାମୁଁ ମାଇଁଙ୍କଠୁ ନିମନ୍ତ୍ରଣ ପାଇଥିଲି । ଗଲାମାତ୍ରେ ସେମାନେ ମତେ ଦେଖି ଉଲ୍ଲସିତ ହୋଇ ଉଠିଲେ । ଜଳପାଇଗୁଡ଼ି ପଶ୍ଚିମବଙ୍ଗଳାର ଏକ ବଡ଼ ଜିଲ୍ଲା । ବର୍ଷାଦିନେ ଏ ଅଞ୍ଚଳଟି ବୁଡ଼ିଯାଏ ବୋଲି ବୋଧହୁଏ ଇମିତି ନାମକରଣ । ଦୁଇତିନି ମାସ କାଳ ଲୋକେ ବଡ଼ ହଇରାଣ ହୁଅନ୍ତି । ତିସ୍ତାନଦୀ ଜଳ ଭାରରେ ଫୁଲି ଉଠେ, ଘରଦ୍ୱାର ଭସେଇ ନିଏ । ଅବଶ୍ୟ ଲୋକେ ଓ ସରକାର ଆଗରୁ ପ୍ରସ୍ତୁତ ହୋଇଥାଆନ୍ତି । ତିସ୍ତା ସବୁ ପ୍ରସ୍ତୁତିକୁ ଟପି ଏକ ଭୟାନକ ରୂପ ଧରେ ।

 

ଶୀତଦିନେ ତିସ୍ତା ଅତି ସୁଶୀଳ ସରଳା ବାଳିକା ପରି ଧୀର ମନ୍ଥର ଗତିରେ ବହିଯାଏ । ଚିରସ୍ରୋତ ସେ । ବ୍ରହ୍ମପୁତ୍ରର ବୁକୁ ଫୁଲିଲେ ଏହାର ବୁକୁ ମଧ୍ୟ ଫୁଲିଉଠେ । କିନ୍ତୁ ଶୀତ ଦିନେ ନଦୀର ସ୍ୱଚ୍ଛ ସଲିଳ ଧାରା, ଅଚଞ୍ଚଳ ଗତି ଓ ତାର ଚତୁର୍ଦ୍ଦିଗର ଦୃଶ୍ୟ ଦେଖିଲେ, ୟା ବକ୍ଷରେ ଏପରି ପ୍ଳାବନ ସୃଷ୍ଟି ହୁଏ ବୋଲି ମନେହୁଏନା । ଜ୍ୟେତ୍ସ୍ନାସ୍ନାତ ମୁଗଧ ଚକିତ ଆକାଶ ତଳେ ତିସ୍ତା ବକ୍ଷରେ ସେଦିନର ନାବକେଳି ମନରୁ ପାସୋରି ଯିବନି ।

 

କୋଡ଼ିଏ ତାରିଖଠାରୁ ଚାରିଦିନ କାଳ ଏହି ତିସ୍ତା କୂଳରେ ହିଁ ବିତିଗଲା । କୁଚବିହାର, ମଇନାଗୁଡ଼ି ଆଡ଼ୁ ପ୍ରତିଦିନ ମଫସଲଲୋକଙ୍କ ଅବିଶ୍ରାନ୍ତ ଯାତାୟତ ଏହି ତିସ୍ତା ଦେଇ ହୁଏ । ଦଳ ଦଳ ହୋଇ ବାଉଲ୍‌ ଗାଁ ଗହଳରୁ ଆସନ୍ତି । କାନ୍ଧରେ ଝୁଲି, ହାତରେ ଏକତାରା, ସାଙ୍ଗରେ ସଖୀ । ବାଉଲ୍‍ର ସୁଲଳିତ କଣ୍ଠରୁ ସ୍ୱଚ୍ଛନ୍ଦ ସ୍ୱର, ରାଧାକୃଷ୍ଣ ଭଜନାମୃତ ମୁଖରିତ ହୋଇ ଉଠିଲା ମାତ୍ରେ ମୋ ସାରା ଦେହରେ ସ୍ପନ୍ଦନ ଖେଳିଯାଏ ।

 

ରାଧାକୃଷ୍ଣଙ୍କ ପ୍ରେମର କାହାଣୀ, ଭକ୍ତିଗାଥା ଧର୍ମ ଓ ପ୍ରେମ ଦୁଇଟିଯାକର ମିଳିତାମୃତ କାହାକୁ ବା ଖରାପ ଲାଗେ । ନଦିୟା କୀର୍ତ୍ତନ ଦଳ ମଧ୍ୟ ଝୁଲି ଝୁଲି ଢଳି ଢଳି ଆସନ୍ତି । ମୁଣ୍ଡରେ ଲମ୍ବା ଲମ୍ବା ବାଳ–ଦେହରେ ଧଳା ଗେରୁଆ ପରିଧାନ, ହାତରେ ଗିନି ଓ ମୁର୍ଦ୍ଦଙ୍ଗ । ମୁଁ ଅନେକ ସମୟ ସକାଳେ ଓ ସନ୍ଧ୍ୟାରେ ଏହି ତିସ୍ତା କୂଳରେ ବସି ଏହି ବାଉଲ୍‌ ଓ କୀର୍ତ୍ତନ ଦଳକୁ ଅପେକ୍ଷା କରିଥାଏ । ଆଗେ ପଇସା, ପରେ ଗାଇବି ଏ ଦାବୀ କୌଣସି ବାଉଲ୍‌ ଠୁ ଶୁଣିନି । ନିଷ୍କାମ ଜୀବନ ଓ ମନ । ଜୀବନର ସମସ୍ତ ଆନନ୍ଦ ଏହି ଏକତାରାର ଗୋଟିଏ କ୍ଷୀଣ ତାର ଦେହରେ ଭାସି ଆସେ-। ଗାଇ ଚାଲିଚି–

 

‘‘ଲତାୟେ ମଧୁ, କୁସୁମେ ମଧୁ

ମଧୁ ତୋମାର ନାମ

ଓଗୋ ମଧୁ ତୋମାର ନାମ ।’’

 

ଗୀତ ଓ ଭାବ ଉଭୟରେ ମୁଁ ବିଭୋର ହୋଇପଡ଼େ । ମନହୁଏ ଏଇମାନଙ୍କ ଦଳରେ ମିଶିଯାଆନ୍ତି କି ! ମୁଣ୍ଡରେ ବାଳ ବଢ଼େଇ ପାରିବି–ଏମିତି ପୋଷାକ ପିନ୍ଧ ପାରିବି–କିନ୍ତୁ କ’ଣ ଛନ୍ଦରେ ନାଚି ପାରିବି ? ଏମିତି ଲଳିତ ସୁମଧୁର ଗୀତ ଗାଇ ଅନ୍ୟକୁ ଆପ୍ୟାୟିତ କରି ପାରିବ ?

 

ଜଳପାଇଗୁଡ଼ିଠାରୁ ନାଆରେ ତିସ୍ତା ପାର ହେବାକୁ ପଡ଼େ । ଆରପଟେ କୁଚବାହାର, ମଇନାଗୁଡ଼ି ପ୍ରଭୃତି ପଶ୍ଚିମବଙ୍ଗର ଏକ ବିସ୍ତୃତ ଅଞ୍ଚଳ–ଜଳପାଇଗୁଡ଼ି ଜିଲା ଅନ୍ତର୍ଗତ ।

 

ତିସ୍ତା ମଝିରେ ଏକ ଘନ ଘାସର ଜଙ୍ଗଲ । ମୋଟା ମୋଟା ଘାସ । ବିରାଟ ବିରାଟ ପଠା । ଏ ଘାସର ବଣ ମାଇଲ ମାଇଲ ଧରି ବ୍ୟାପିଥାଏ । ଶୁଣିଚି, ଏହି ପଠା ଦହିରେ ଅନେକ ହିଂସ୍ର ଜନ୍ତୁ, ସାପ ଆଦି ବିଚରଣ କରି-ଥାଆନ୍ତି । ଏହି ପଠା ଉପରେ କୁଚବିହାର ଆଡ଼ୁ ତିସ୍ତାର ଏ କୂଳଯାଏଁ ମଟର ଯାତାୟାତ କରେ ଦିନରାତି । ବହୁ ଯାତ୍ରୀ ।

 

କୌତୁହଳ ମେଣ୍ଟାଇବାପାଇଁ ମୁଁ ତିସ୍ତା ପାର ହେଲି । ପଠା ଉପରେ ଅନ୍ୟ କୂଳଯାଏ ପ୍ରାୟ ତିନି ମାଇଲ ବାଟ । ଦିନ ବାରଟାରେ ମଧ୍ୟ ସୂର୍ଯ୍ୟର ରଶ୍ମି ପ୍ରଖର ନୁହେଁ । ବେଶ ସୁଶୀତଳ ବାୟୁ ତାକୁଇ ସେବନ କରି କରି ମୁଁ ଚାଲିଯାଏ ।

 

ଯେଉଁଠି ପହଞ୍ଚିଚି–କମଳା ଲେମ୍ବୁ ପ୍ରଚୁର ପରିମାଣରେ ପାଇଚି । ଖୁବ୍‌ ଶସ୍ତା । ଆମ ଦେଶରେ କମଳା ଗୋଟାକୁ ଦୁଇଅଣା । ଗରିବ ଗରୁବା କମଳା ଲେମ୍ବୁ କେଉଁଠୁ ପାଇବେ ?

 

‘ଏଠାକାର ମଫସଲ ଅଞ୍ଚଳରେ ‘ବୋହେ’’ ବୋଲି ଗୋଟିଏ ଆଦିମ ଜାତି ବାସ କରନ୍ତି-। ସମସ୍ତେ ଖଟିଟିଆ, ଦରିଦ୍ର ଓ ଜମିହୀନ । ପୋଷାକପତ୍ର ଖୁବ୍‌ କମ୍‌ କିନ୍ତୁ ଲଙ୍ଗଳା ନୁହନ୍ତି-। ବେଷଭୂଷା ଆମ, ପୁରୀପଣ୍ଡାଙ୍କ ପରି । ମୁଣ୍ଡରେ ଲମ୍ବାଲମ୍ବା ଗୋଟାଏ ଗୋଟାଏ ଚୁଟି । ଜଟା ବାନ୍ଧି ଯାଇଥାଏ; କିନ୍ତୁ ସମସ୍ତଙ୍କ ମୁଣ୍ଡରେ ନୁହେଁ । ରକ୍ଷଣଶୀଳ ବୁଢ଼ା, ବୁଢ଼ା ଲୋକଙ୍କଠି ଦେଖାଯାଏ-। ଏମାନେ ବିହାରୀଙ୍କ ପରି ଖଇନି । (ଚୁନ ଓ ଦୋକ୍ତା) ଖାଆନ୍ତି । ନାଶ ବି ଶୁଙ୍ଘନ୍ତି । ପ୍ରଥମ ଅଭ୍ୟାସଟା ବିହାରୀଙ୍କର–ଦ୍ୱିତୀୟଟା ବଙ୍ଗଳୀଙ୍କ ନିଜସ୍ୱ । ନସ୍ୟସେବନ ବଙ୍ଗାଳୀ ଭଦ୍ର ସମାଜରେ ମଧ୍ୟ ଦେଖାଯାଏ । ବାହେମାନଙ୍କର ଭାଷା ବଙ୍ଗାଳୀ ନୁହେଁ କି ହିନ୍ଦୀ ନୁହଁ–ଏ ଦୁଇଟିର ମିଶାମିଶି-। ବଡ଼) ବିଶ୍ୱସ୍ତ ଓ କର୍ମଠ ଜାତି–ଆମ ରାଜ୍ୟର କନ୍ଧ କୋହ୍ଲଙ୍କ ପରି । ଗାଁ ଗହଳରେ କାମ ନଥିଲେ ଏମାନେ ସିଲଗୁଡ଼ି ଓ ଦାର୍ଜିଲିଂ ପ୍ରଭୃତି ଅଞ୍ଚଳକୁ ଯାଇ ଚାହା ଖୁଣ୍ଟନ୍ତି ।

 

ଜଳପାଇଗୁଡ଼ି ସହର ନିକଟରେ ଗୋଟିଏ ବ୍ରାହ୍ମଣ ଶାସନ । ଗାଁ ଟି ନାଁ ପୁରୁଣାପଣ୍ଡା । ଆଗରୁ ଶୁଣିଥିଲି ଏମାନଙ୍କ ପୂର୍ବ ପୁରୁଷ ଓଡ଼ିଆ । ଏମାନଙ୍କ ପୂର୍ବନିବାସ ପୁରୀ ଜିଲ୍ଲାରେ । ବହୁ ବର୍ଷ ହେଲା ଏଇଠିକି ଆସି ଗଲେଣି । ସମସ୍ତେ ଜାତିରେ ପଣ୍ଡା ବ୍ରାହ୍ମଣ । ଆଗେ ବ୍ରାହ୍ମଣ କର୍ମକର୍ମାଣୀ କରିବାକୁ ଆସୁଥିଲେ । ଆସ୍ତେ ଆସ୍ତେ ବସତି ସ୍ଥାପନ କରିଗଲେ । ଭାଷା, ଚାଲିଚଳନ, ଆଚାର ପଦ୍ଧତି ସବୁ ବଦଳି ଗଲା–ଓଡ଼ିଆରୁ ବଙ୍ଗଳୀ ପାଲଟି ଗଲେ । ମେଦିନୀପୁରରେ ମହାନ୍ତିରୁ ମାଇତି ହେଲାପରି ଏଇଠି ସେମିତି କିଏ କ’ଣ ହୋଇ ଯାଇଛନ୍ତି । କିନ୍ତୁ ଏମାନଙ୍କୁ କେହି କେହି କେରା ଓଡ଼ିଆ କହିଥାଆନ୍ତି । ଘରେ ଓଡ଼ିଆଙ୍କ ପରି ପୂଜା ପାର୍ବଣ ଏ ପର୍ଯ୍ୟନ୍ତ କିଛି କିଛି ରହିଛି । ଓଡ଼ିଶାରେ ବନ୍ଧୁବାନ୍ଧବ କରିବାକୁ ଇଚ୍ଛା କିନ୍ତୁ ଏତେ ବାଟ !

 

ମୋ ମାମୁଁ ଜଣେ ଦୋକାନୀ ଓ ଆଉ ଜଣେ ଚାକରିଆ, ମୋଟରେ ଜଳପାଇଗୁଡ଼ିରେ ଏହି ତିନୋଟି ଓଡ଼ିଆ ପରିବାର । ଆଗେ ଓଡ଼ିଆମାନେ ଜାଭା, ସିଂହଳ, ବର୍ମା ପ୍ରଭୃତି ଜୟଯାତ୍ରା କରି ଯାଉଥିଲେ । ଧନରତ୍ନ ବୋହି ଆଣୁଥିଲେ । ବର୍ତ୍ତମାନ ମଧ୍ୟ ଓଡ଼ିଆମାନେ ସେମିତି ବହୁଦୂରକୁ ଯାଉଛନ୍ତି କିନ୍ତୁ ସେତେବେଳେ ଥିଲେ ପ୍ରଭୁ, ବର୍ତ୍ତମାନ ଚାକର, କୁଲି ।

 

ସିଲଗୁଡ଼ି, ଦାର୍ଜିଲିଂ ପ୍ରଭୃତି ଅଞ୍ଚଳର ଚାହାବଗିଚାମାନଙ୍କରେ ବହୁ ଓଡ଼ିଆ କୁଲି କାମ କରନ୍ତି । କୁଲି ସର୍ଦ୍ଦାରମାନେ ବହୁତ ଓଡ଼ିଆ ଏଇଠିକି ଆଣିଥାଆନ୍ତି । ଗତବର୍ଷ ତିସ୍ତାର ବଢ଼ିପରି ସରକାର ଏକ ବଡ଼ ବନ୍ଧ ବାନ୍ଧିଲେ । ସେ କାମ ପାଇଁ ବହୁତ ଓଡ଼ିଆ କୁଲି ଲାଗିଥିଲେ । ବଙ୍ଗାଳୀ କଣ୍ଟ୍ରାକ୍ଟରମାନଙ୍କ ଅତ୍ୟାଚାର ଓଡ଼ିଆମାନଙ୍କ ଉପରେ ଅଧିକ । କାମ କରାନ୍ତି ଦିନରାତି କିନ୍ତୁ ମଜୁରୀ ଦେଲାବେଳକୁ ଭାରି ଟଣାଟଣି ।

 

ଓଡ଼ିଆ କୁଲିମାନେ ଏଇଠୁ ଫେରି କାଠମାଣ୍ଡୁ ଗଲେ । ଏମାନେ କାମ କରି କରି ବର୍ଷକ ପରେ ଫେରିବେ । ଓଡ଼ିଆ କୁଲିଙ୍କୁ ଦେଖି ଏ ଜାତିଟା ଯାଯାବର ଜାତି ବୋଲି କେତେକ କହି ଥାଆନ୍ତି । ଦିନଯାକ ଖଟି ଖଟି ରାତିରେ ଗଛତଳେ ପଡ଼ିଥାଆନ୍ତି । ଘର ନାହିଁ, ଦ୍ୱାର ନାହିଁ, କିଛି ଆଶ୍ରୟ ନାହିଁ, ପଡ଼ିରହନ୍ତି ସେମିତି ଖରା ବର୍ଷା, ଠିଆ କାକରରେ । ଶୀତଦିନେ କାମ କରି କରି ଦେହ ଗରମ ହୋଇଯାଏ । ଏହି ଗରମ ହିଁ ଦେହରେ ପୋଷାକର କାମ ଦିଏ । ଚାରି ଦିନରେ ଥରେ ରନ୍ଧା ଯାଏ । ଓଳିଏ ଗରମ ଭାତ–ଆଳୁସିଝା ଆଉ ତିନିଦିନ ଖାଲି ପଖାଳ–ଲୁଣ ପିଆଜ-। ଗଛରେ ହାଣ୍ଡି ଟଙ୍ଗା ଯାଇଥାଏ । ଟଙ୍କା ପଇସା ଯାହା ଅର୍ଜନ୍ତି–ଜମା ରଖି ଥାଆନ୍ତି କଣ୍ଟ୍ରାକ୍ଟର ପାଖରେ । ପ୍ରତି ଦିନର ଖର୍ଚ୍ଚ ପାଇଁ ଚାରିପାଞ୍ଚ ଅଣା କରି ଆଣନ୍ତି । ବାକି ସବୁ ଆସିଲାବେଳେ ଧରି ଫେରନ୍ତି । ଘରୁ ଅଦ୍ଭୁତ ରକମର ଚିଠି ଆସେ । ମୁଁ ରତନା ପ୍ରଧାନ ଝିଅର ଚିଠି ପଢ଼ି ତାକୁ ଶୁଣେଇଚି–ଚିଠିରେ ଲେଖାଥାଏ–

 

‘‘ବାପାଗୋ–ଆସିଲାବେଳେ ମୋ ପାଇଁ ପାଟସୂତା ବଣ୍ଡିଲିଟେ ଆଣିଥିବ–ଛିଟକନାର ଶାଢ଼ିଟାଏ, ମା କହିଚି ଟଙ୍କା ହେଲେ ସୁନାର କଣ୍ଠି କେତୁଟା ଆଣିଥିବ ।’’

 

ବୋପା ଯେ ଏଇଠି କିମିତି ହାଡ ଭାଙ୍ଗି ଖଟୁଚି–ଝିଅ କାହିଁକି ଜାଣିବ ? ମା କହିଯାଏ–ଝିଅ ଶରଧାରେ ଚିଠି ଲେଖେ ।

 

ରତନାର ଇଚ୍ଛା, ଗଲେ ବଳଦ ହଳେ କିଣିବ । ନୋହେଲେ ଶକସିଆ ପୋଢୁଅ ହଳେ କିଣିବ । ବଣରୁ କାଠ ଝିଙ୍କିଲେ ଦୁଇ ଦିନରେ ଚଉଦ ପନ୍ଦର ଟଙ୍କା । ତାଙ୍କ ଗାଁର ଶାମ ଗଉଡ଼ ପ୍ରତି ତାର ବଡ଼ ଇର୍ଷା । ରତନା କହେ, ଇମିତି ରାଙ୍ଗା ପାହାଡ଼କୁ ଆସି ଆସି ଶାମିଆ ପୋଢୁଅ ହଳେ କିଣିଲା । ଆଗେ ଭିକ ମାଗୁଥିଲା–ବର୍ଷକ ଭିତରେ ତା ଘରେ ଆଳୁ ବାଇଗଣ ମାଛ ତରକାରୀ । ଦାଣ୍ଡକୁ ସିମେଣ୍ଟ ପିଣ୍ଡା–ଚାରି ଭରଣ ଭୂମି । ମାଇପର ନାକ କାନରେ ଛଅ ସାତତୋଳା ସୁନା ! ରତନା ସେଇଥିଲାଗି ପେଟକୁ ନ ଖାଇ, ଦେହକୁ ନ ପିନ୍ଧି ଖଟୁଚି । ଝିଅ ଯାହା ସବୁ ଲେଖିଚି ନିଶ୍ଚୟ ନେବ ।

 

ମୁଁ ପଚାରିଲି, ‘‘ରତନା ! କେତେ ମାସ ହେଲା ଆସିଲୁଣି ?’’

 

‘‘କାହିଁକି, ଦୁଇମାସ ଦେଲା ।’’

 

‘‘ଘର ମନେ ପଡ଼ୁନି ?’’

 

ରତନା ତୁନି ହୋଇଯାଏ–ତା ଆଖିରେ ଲୁହ ।

 

ସବୁଦିନ ମାମୁଁଙ୍କ ପାଖରେ ଅଳି ଲଗାଏ କାଲି ଦାର୍ଜିଲିଂ ଯିବା । ଏକ ଉଚ୍ଚ ଜାଗାରେ ଚଢ଼ି ହିମାଳୟ ଆଡ଼କୁ ମାମୁଁ ଆଙ୍ଗୁଠି ଦେଖାନ୍ତି–ଦେଖ ଗୋରା କାଞ୍ଚନଜଙ୍ଘା ଦେଖ । ଯେଉଁଦିନ କାଞ୍ଚନଜଙ୍ଘା ଦେଖାଯିବ ନାହିଁ ସେ ଦିନ ଦାର୍ଜିଲିଂ ପାଗ ଖରାପ । କେହି ବିଦେଶୀ ବିଶେଷତଃ ଆମ ଭଳି ଲୋକ ସେଠାକୁ ଏମିତି ସମୟରେ ଯିବା ଅନୁଚିତ ।

 

ମୁଁ ଭାବେ ବୋଧହୁଏ ମାମୁଁ ମତେ ଭଣ୍ଡେଇ ଦେଉଛନ୍ତି । ଯିବାକୁ ଇଚ୍ଛା ନାହିଁ । ଜିଦ୍‌ କଲି, ସେ ନ ଗଲେ ମଧ୍ୟ ମୁଁ ଯିବି । ଯିବାକୁ ଯେତେବେଳେ ଆସିଛ ତେବେ କଣ ଏଇଠୁ ଫେରିଯିବି ?

 

ରାତିରେ ମାମୁଁ ଆସି କହିଲେ–ସଜ ହୁଅ, କାଲି ଦାର୍ଜିଲିଂ ବାହାରିବା । ଥଣ୍ଡା ଏତେ ବେଶୀ ହେଉଥାଏ ଯେ ଜଳପାଇଗୁଡ଼ିରେ ଥାଇ ସୁଦ୍ଧା ମୁଁ ଘରୁ ବାହାରି ପାରୁନଥାଏ । ହାତେ ବହଳର ଲେପ (ରେଜେଇ) ଘୋଡ଼େଇ ହୋଇ ଘର ଭିତରେ ପଡ଼ି ରହିଥାଏ । ଏହି ଚାରିଦିନ ଭିତରେ ମୁଁ ବହୁ ଲୋକଙ୍କ ସହିତ ପରିଚିତ ହୋଇଗଲିଣି । ଶୀତ ଏ ଅଞ୍ଚଳର ଲୋକଙ୍କୁ ବେଶୀ ବାଧୁ ନ ଥାଏ । ରାତିରେ ମୋ ପାଖକୁ ବହୁତ ବନ୍ଧୁ ଆସନ୍ତି । ଓଡ଼ିଆ ଭାଷାରେ ମୁଁ କାବ୍ୟ କବିତା ବୋଲେ । ସମସ୍ତେ ମନଦେଇ ଶୁଣନ୍ତି । ଓଡ଼ିଆ ଚମ୍ପୁ ବୋଲି ଅର୍ଥ କଲାବେଳେ ଏ ଶୀତଦିନେ ବନ୍ଧୁମାନଙ୍କର ପ୍ରାଣ ପୁଲକିତ ହୋଇଉଠେ । ଆହୁରି ବୋଲ ବୋଲି ବନ୍ଧୁମାନେ ଅନୁରୋଧ କରନ୍ତି-। ସ୍ୱର ଶୁଣିବା ଅପେକ୍ଷା ଅର୍ଥ ବୁଝିବା ପାଇଁ ସମସ୍ତେ ଉତ୍କଣ୍ଠିତ । ସେଦିନ ରାତିରେ ମୁଁ ଆସନ୍ତା କାଲି ଦାର୍ଜିଲିଂ ଯିବି ବୋଲି ବନ୍ଧୁମାନଙ୍କ କହିଲି । ବନ୍ଧୁମାନେ ଅବାକ୍‌ । ସମସ୍ତେ ମନେ ମନେ ଭାବନ୍ତି, ବିଚରା ଥଣ୍ଡାରେ ମରିଯିବ । ଅନେକେ କହିଲେ–Luck ! Luck ! –ଅର୍ଥାତ୍‌ ଭାଗ୍ୟ ଭଲ ଥିଲେ ଫେରିବେ । ଦାର୍ଜିଲିଂର ଉତ୍ତାପ ସେତିକିବେଳକୁ ମୋଟେ ଚାଳିଶ ଡିଗ୍ରୀ ! ‘‘ତୁମେ ଦାର୍ଜିଲିଂ ଦେଖିଚ’’–ଏ ପ୍ରଶ୍ନ ମୁଁ ବନ୍ଧୁଙ୍କୁ ପଚାରିଚି । କିନ୍ତୁ ସମସ୍ତେ ନାହିଁ ନାହିଁ କରନ୍ତି । ଦାର୍ଜିଲିଂ ଜଳପାଇଗୁଡ଼ିଠୁ ମୋଟେ ଅଣସ୍ତରି ମାଇଲି, କଟକରୁ ଭଦ୍ରଖ ଯେତିକି । ଆମ ଓଡ଼ିଶାର ଲୋକ ଶତକରା ଅଶି ଯେପରି କୋଣାର୍କ ଦେଖି ନାହାନ୍ତି –ସେହିପରି ଏଠାକାର ଲୋକେ ଦାର୍ଜିଲିଂ ଦେଖି ନାହାନ୍ତି । ସୁନ୍ଦର ସ୍ୱାସ୍ଥ୍ୟକର ଜାଗା । ତଥାପି ଉଦାସୀନତା କାହିଁକି କେଜାଣି ବୁଝି ପାରେନା-। ଏହାର କାରଣ ହୁଏତ ଅଭାବ କିମ୍ବା ଦାରିଦ୍ର୍ୟ ହୋଇପାରେ । ଅନେକଙ୍କ ଧାରଣା ଯେ ଦାର୍ଜିଲିଂ କେବଳ ଧନପତି କୁବେରଙ୍କ ପାଇଁ କିମ୍ବା ବିଦେଶୀ ରୋଗୀଙ୍କ ପାଇଁ । ମୁଁ ତ ଧନପତି କୁବେର ନୁହେଁ–ଦ୍ୱିତୀୟଟି ଅର୍ଥାତ୍‌ ରୋଗୀ ହୋଇପାରେ ।

 

ଚମ୍ପୁର ଜଲସା ଭାଙ୍ଗିଲା ରାତି ଦଶରେ ।

 

ମତେ ଶୀତ ଲୁଗା ଠିକ୍‌ କରିବାକୁ ପଡ଼ିବ । ଯାହା ନେଇଥିଲି ପର୍ଯ୍ୟାପ୍ତ ନୁହେଁ । ଗୋଡ଼ରୁ ମୁଣ୍ଡ ଯାଏଁ ପୂର୍ଣ୍ଣ ଆବରଣ ଦରକାର । ସେ ପୁଣି ଖାଲି ଲୁଗା ନୁହେଁ–ସ୍ୱତନ୍ତ୍ର ଗରମ ପୋଷାକ, କୋଟ, କମିକ, ସ୍ୱେଟର, ଚାଦର ସବୁ । ମଝିରେ ମଝିରେ ଗରମ ଚାହା ମଧ୍ୟ ଦରକାର-

 

ସେଦିନ ରାତିରେ ସ୍ୱପ୍ନ ଦେଖଚି ଅନେକ । ପିଲାଦିନେ ପୁରାଣ ଶୁଣି ରାତିରେ ଏମିତି ସ୍ୱପ୍ନ ଦେଖେ । ଇନ୍ଦ୍ରପୁରୀ–ପାରିଜାତ ଫୁଲ–ମଣିମାଣିକ୍ୟ ଖଚିତ ସଚୀପୁର । ହିମାଳୟ ଗୋଟାକଯାକ ମୋ ମନ ଭିତରେ । ସ୍ୱପ୍ନରେ ତାହା ଭାସିଉଠୁଚି ଅଦେଖା ଇନ୍ଦ୍ରପୁରୀର ଆଭା ଶୋଭା ନେଇ । କେତେ ରଙ୍ଗର ପକ୍ଷୀ ଉଡ଼ି ଯାଉଛନ୍ତି–ଲଳିତ କୋମଳ ସ୍ୱର । ବିଚିତ୍ର ପରୀଗୁଡ଼ିକର ଲୋଭନୀୟ ଭ୍ରୁଲତା ଛଟା । ମେଘମାଳାର ତରଙ୍ଗାୟିତ ଲୀଳା । ତନ୍ଦ୍ରାଳୁ ଆଖିରେ ସେ ସବୁ କ୍ଷିପ୍ରଗତିରେ ଭାସିଯାଆନ୍ତି । ରାତି ତିନିଟା ବେଳକୁ ଆଲରାମ ବାଜି ଉଠିଲା–।

 

ଏତେ ଦିନରେ ଭଣଜା ଆସିଚି । କଥାରେ କହନ୍ତି ଭଣଜା ଖଟୁଳିର ଦିଅଁ । ମାଇଁ ମୋର ରାତିଟାଯାକ ବ୍ୟସ୍ତ । ବହୁଦିନୁ ଚାହା ଛାଡ଼ି ଧରିଚି ଓଭାଲାଟିନ୍‌ । ଦ୍ୱାର ଖୋଲିଲା ମାତ୍ରେ ଦେଖିଲି ଷ୍ଟୋଭ ଜଳିଉଠିଚି ଦାଉ ଦାଉ ହୋଇ । ଦୁଧ ଗରମ ହେଉଛି, ଭଣଜା ଓଭାଲଟିକ୍‌ ଖାଇ ବିଜେ କରିବେ ହିମାଳୟ ଯାତ୍ରାପଥରେ । ମନରେ ବଡ଼ ଭୟ ତାଙ୍କର । ପଡ଼ିଶା ଘର ମାଇପିଏ ମାଇଁ ଆଗରେ ଗୁଣୁଗୁଣୁ ହେବାର ଶୁଣିଚି–ସରସ୍ୱତୀ ! ଭଣଜାକୁ ପଠାଅନା, ଆମେ ଗତବର୍ଷ ଥଣ୍ଡାରେ ଯାଇ ବଡ଼ ହଇରାଣ । ଗୋରାଚାନ୍ଦର ଶରୀର ଭଲ ନୁହେଁ–ଅସୁସ୍ଥ ହେବ ।

 

ସେଦିନ ରାତିରେ ଲୋପ ଭିତରେ ସେଠାକାର ଓକିଲବାବୁ ଗୋଡ଼ ଭର୍ତ୍ତି କରି ମତେ ବହୁତ କଣ ବୁଝେଇଛନ୍ତି–ମାଇଁ ଆମର ଓକିଲ ବାବୁଙ୍କ ଧର୍ମଭଉଣୀ । ମାଇଁ ମତେ ସିଧା ନ କହି ଏଇ ଏଜେଣ୍ଟ ଜରିଆରେ ସବୁ କଥା କହିବାର ଜାଣିପାରିଲି ।

 

କିନ୍ତୁ ମୋର ଯେ ଏକା ଜିଦ୍‌ !

 

ଆଲାରାମ ସୂଚେଇ ଦେଲା ରାତି ତିନି–ଗାଡ଼ି ଆସିବ ଆଉ ଅଧଘଣ୍ଟାକ ପରେ । ସଙ୍ଗେ ସଙ୍ଗେ ପ୍ରସ୍ତୁତ ହେଲୁ ମାମୁଁ ଭଣଜା ଦୁହେଁ । ଦେହରେ ତିନି ତିନିଟା ଗରମ ପୋଷାକ । ମୁଣ୍ଡରେ ମଫଲର–ପାଦରେ ଷ୍ଟକିଂ ଓ ଯୋତା । ମୋ ଛାତିର ଚଉଡ଼ା ସାଧାରଣତଃ ତିରିଶ ଇଞ୍ଚ ଭିତରେ–କିନ୍ତୁ ସେ ଦିନ ମନେହେଲା ମୁଁ ଅସ୍ୱାଭାବିକ ଭାବରେ ଖୁବ୍‌ ମୋଟା ହୋଇଯାଇଚି–ଛାତିରେ ଚଉଡ଼ା ମାପିଲେ ନିଶ୍ଚୟ ପାଞ୍ଚ ଇଞ୍ଚ ଅଧିକ ହୋଇଯିବ । ଓଜନ ମଧ୍ୟ ଅନୁପାତରେ ଆଉ ସାତ ଆଠ ପାଉଣ୍ଡ ଅଧିକ !

 

ସିଲଗୁଡ଼ି ସହରରେ ଗାଡ଼ି ପହଞ୍ଚିଲା ବେଳକୁ ପ୍ରାୟ ରାତି ପାହି ଆସିଥାଏ । ଥଣ୍ଡା କିନ୍ତୁ ଅସହ୍ୟ । ସେ ଦିନ ରାତିରେ ସିଲଗୁଡ଼ି ସହର ଦେଇ ଜଙ୍କସନ୍‌ ପର୍ଯ୍ୟନ୍ତ ଚାଲିଥିବା ବେଳେ ଯେପରି ଥଣ୍ଡା ବୋଧ ହେଲେ–ଆଉ ଏଣିକି ପାଦେ ଆଗେଇବା ଅର୍ଥ ଦେହଟାକୁ ଖଣ୍ଡେ ଜଡ଼ ବରଫ କରିଦେବା ଛଡ଼ା ଆଉ କିଛି ହେବ ନାହିଁ ବୋଲି ମନରେ ଦୃଢ଼ ଧାରଣା ହେଲା । ମାମୁଁଙ୍କର ଅଭ୍ୟାସ । ଥଣ୍ଡାଟା ଦେହଘଷା ହୋଇଗଲାଣି; ତେଣୁ ସେ ଟିକିଏ ସୁଦ୍ଧା କଷ୍ଟବୋଧ ନ କରି ଆଗେଇ ଚାଲିଥାଆନ୍ତି । ମୁଁ ବା କିପରି ଫେରିଯିବାପାଇଁ କହିବି ? ତାଙ୍କର ପିଛା ଧରିଥାଏ ଅଦମ୍ୟ ସାହସରେ । ପାଟି ପାକୁ ପାକୁ, ମୁଣ୍ଡଟା ଭାରି ଭାରି ଲାଗୁଥାଏ । ସିଲଗୁଡ଼ି ହିମାଳୟ ପଦଦେଶରେ ଏକ ବ୍ୟବସାୟ କେନ୍ଦ୍ର । ହିମାଳୟ ଉପରୁ ଚାହା, କମଳାଲେମ୍ବୁ ବୁହା ହୋଇ ଏଇଠିକି ଆସେ । ଚାହା ପତ୍ର ଗୁଣ୍ଡ ହୁଏ । ଭାରତର ବିଭିନ୍ନ ଜାଗାକୁ ଗାଡ଼ି, ଟ୍ରକ୍‌ ଆଦିରେ ଯାଏ । ବ୍ୟବସାୟରେ କି ଯୋଗ ବିଯୋଗ ଅଛି କେଜାଣି ମୁଁ ଦେଖିଛି ଦାର୍ଜିଲିଂର ଯେଉଁ ବଗିଚାରୁ କମଳାଲେମ୍ବୁ ତୋଳା ହୋଇ ଆସେ, ସେଠି କମଳା ଗୋଟିଏ ଅଣାଏ କରି ବିକ୍ରି ହେଲେ ସିଲଗୁଡ଼ିରେ ତାର ଦାମ ହୁଏ ଦୁଇ ପଇସା ।

 

ସିଲ୍‌ଗୁଡ଼ିଠି ସକାଳୁ ଯାନବାହନ ଛାଡ଼େ ଦାର୍ଜିଲିଂ ଆଡ଼େ । ମଟର ବସ, ଟାକ୍‌ସି, ରେଳଗାଡ଼ି ସବୁପ୍ରକାର ବ୍ୟବସ୍ଥା ରହିଛି । ପ୍ରତିଦିନ ଦଳ ଦଳ ଲୋକ । କିନ୍ତୁ ଏଦିନେ ଯାତ୍ରୀ ସଂଖ୍ୟା ସବୁଠୁ କମ୍‌ । ଯେଉଁମାନେ ଏଇଠି ବସବାସ କରିଥାଆନ୍ତି ସେଇମାନେ ହିଁ ଯାଆନ୍ତି । ଗାଡ଼ି ଭଡା ପ୍ରାୟ ୪ଟଙ୍କା । ବସ୍‌ ଭଡ଼ା କିନ୍ତୁ କମ୍‌ । ମଟର ଶୀଘ୍ର ପହଞ୍ଚେ–ଆରାମଦାୟକ ମଧ୍ୟ । ତଥାପି ମଟର ଛାଡ଼ି ଲୋକେ ଗାଡ଼ିରେ ଯାଆନ୍ତି–କାରଣ ବୁଝିଲି, ମଟରରେ ଗଲେ ବାନ୍ତି ହୁଏ, ମୁଣ୍ଡ ଘୁରାଏ । କିନ୍ତୁ ପ୍ରାୟ ଏକ ରାସ୍ତା । ରେଳ ଲାଇନ୍‌ ସଡ଼କ ପ୍ରାୟ ଲଗାଲଗି ହୋଇଯାଇଛି । ରେଳ ଲାଇନ୍‌ ଓ ଗାଡ଼ିଗୁଡ଼ିକୁ ଦେଖିଲେ ପିଲାଙ୍କ ଖେଳଣାପରି ମନେହୁଏ । ଛୋଟ ଛୋଟ ଡବା । ଇଞ୍ଚିନଟି ନିହାତି ଛୋଟ କତୋଟି କଳକବ୍‌ଜାରେ ଖଞ୍ଜା । ଗତି ବଡ଼ ମନ୍ଥର । ରୁପ୍‌ସା ବା ଗୁଣପୁର ଲାଇନ ଗାଡ଼ିରେ ଗତିଠାରୁ ମନ୍ଥର । ଲାଇନ୍‌ର ପରିସର ପ୍ରାୟ ହାତେ ହେବ । ଇଞ୍ଜିନ୍‌ ଆଗରେ ଦୁଇଜଣ ଲୋକ ବସିଥାନ୍ତି, ଭିତରେ ଦୁଇ ଜଣ । ଆଗରେ ବସିଥିବା ଲୋକେ ଲାଇନରେ ବାଲି ପକାଇ ଯାଆନ୍ତି, କାରଣ ତୁଷାରପାତ ହେଉଥିବା ହେତୁ ହୁଏତ ଗାଡ଼ିର ଚକ ସ୍ଲିପ୍‌ କରିପାରେ । କମ୍ କମ୍‌ ଦୂରରେ ଛୋଟ ଛୋଟ ଷ୍ଟେସନ୍‌ । ଆମ ଏଠାଭଳି ସିଗ୍‌ନାଲ ପ୍ରଭୃତିର କଡ଼ା ବ୍ୟବସ୍ଥା ନାହିଁ କାରଣ ଅଳ୍ପ ଗାଡ଼ି ଯିବା ଆସିବା କରେ । ମାଲଗାଡ଼ି ବି ଚାଲେ ।

 

ସିଲଗୁଡ଼ିରେ ପ୍ରଥମେ ଦାର୍ଜିଲିଂର ଅଧିବାସୀଙ୍କୁ ଦେଖିବାକୁ ପାଇଲି । ବାନ୍ତି ହେବା ଖବର ଶୁଣି ରେଳଗାଡ଼ିରେ ଯିବାକୁ ଇଚ୍ଛା ଥିଲେ ମଧ୍ୟ ଟାକ୍‌ସିବାଲାଙ୍କର ହାବୁଡ଼ରୁ ଖସିବା ମୁସ୍କିଲ ହେଲା । ପ୍ରାୟ ଦୁଇ ତିନିଟି ଟାକ୍‌ସିରେ ବସି ଆମେ ଉଠିଥିବୁ । ସମସ୍ତେ ନେଇ ବସେଇ ଦିଅନ୍ତି, ରୂପୟା କା ବାତ୍‌ ପିଛେ–ଯେଉଁ ଟାକ୍‌ସି ପ୍ରଥମେ ଛାଡ଼ିବି ସେଇଥିରେ ବସିବୁ ବୋଲି ଆମେ ଉଠିଆସୁ ।

 

ହରିସିଂର ଟାକ୍‌ସି ଧରିଲୁ । ହରସିଂ ଦେଖିବାକୁ ବେଶ୍‌ ସ୍ୱାସ୍ଥ୍ୟବାନ୍‌ ଯୁବକ । ଜାତିରେ ପାହାଡ଼ୀ । ଫୁଲ୍‌କା ଫୁଲକା ଗାଲ ଦିଇଟା ଶୀତରେ ଫାଟ ଯାଇଥାଏ; ଠିକ୍‌ ଆମଆଡ଼େ ଲୋକଙ୍କ ଗୋଡ଼ ଫାଟିଲା ପରି । ଦେହର ରଙ୍ଗ ସାବନ, ଟିକିଏ କଳା । କିନ୍ତୁ ଶୀତରେ କଳା ଦେହରେ ଲାଲରଙ୍ଗ ଫୁଟି ଉଠିଥାଏ । ପାତିମାଙ୍କଡ଼ଙ୍କ ପରି ଗାଲ ଦୁଇଟି ଲାଲ ଲାଲ । ମୁହଁର କଥାରେ ବାଟୁଳି ବାଜିବନି । ଯାତ୍ରୀକୁ ନାନା କଥା କହି ମଜ୍ଜେଇ ଦେଇ ଟାକ୍‌ସିରେ ବସେଇବା ଏମାନଙ୍କର ପେଶା । କିନ୍ତୁ ଅନ୍ୟ ଟାକିସିବାଲାଙ୍କ ଅପେକ୍ଷା ହରିସିଂହ ବ୍ୟବହାର ଖୁବ୍‌ ଦିନକୁ ସାତ ଆଠଥର ଜଳଖିଆ–ମାଂସ ଭାତ ଦୁଇଥର ଫୁଲ୍‍ମିଲ୍‌ ପକାଇଥାଏ । ଚାହା ଦେଶର ଲୋକ, ତେଣୁ କଡ଼ା ଚାହା ନ ହେଲେ ଚଳେନା । ସିଗାରେଟ୍‍ର ଧାଡ଼ି ଲମ୍ବିଚି । ଓଠ ପୋଡ଼ି କଳା ପଡ଼ିଗଲାଣି । ମୁଣ୍ଡର ବାଳରେ ବହୁଦିନ ହେଲା ପାନିଆ ବାଜିନି । ଦିନ ରାତି ଟାକ୍‌ସି ଉପରେ ତାର ଜୀବନ ଅତିବାହିତ-। ବିବାହିତ ସେ । ଘରେ ଗୋଟିଏ ବୋଲି ଝିଅ–ଟିମ୍‌ ଟିମ୍‌ ଘୁମର୍‌ ରାସ୍ତାକଡ଼ରେ ତା’ ଘର-

 

ଭଡ଼ା ଛିଣ୍ଡିଲା ତିନି ଟଙ୍କା କରି ଛଅ ଟଙ୍କା । ଫ୍ରଣ୍ଟ ସିଟ୍‌ । ବସ୍‌ ଛାଡ଼ିଲା ବେଳକୁ ଅଧଘଣ୍ଟାଏ ଡେରି । ସକାଳ ସାତଟାରେ ଛାଡ଼ିବ । ହରିସିଂ ମତେ ପଚାରେ–ମୋ ଘର କେଉଁଠି, କେଉଁ କାମରେ ଯାଉଛି । ଅନେକ ଭାଷା ସେ ଜଣେ ଇଂରାଜୀ, ହିନ୍ଦୀ, ବଙ୍ଗଳା, ଗୁଜରାତି, ନେପାଳୀ, ସେର୍ପା–ଖାଲି ଜାଣେନା, ଅନର୍ଗଳ କେ ମଧ୍ୟ । ପ୍ରଥମେ ମୋ ସହିତ ସେ ଇଂରେଜୀ କଥାବାର୍ତ୍ତା ଆରମ୍ଭ କଲା । ବିଶୁଦ୍ଧ ଇଂରେଜୀ ନୁହେଁ ସତ; କିନ୍ତୁ ଦୁର୍ବୋଧ୍ୟ ନୁହେଁ । ଇଚ୍ଛାଥିଲା ପଚାରିବ ତାର ଶିକ୍ଷା କେତେ ଯାଏ, କିନ୍ତୁ ପଚାରିବା ପୂର୍ବରୁ ସେ ନିଜେ ତାର ଜୀବନର ମୁଖବନ୍ଧ ଆରମ୍ଭ କରିଦେଲା–ଅତି ବିଷର୍ଣ୍ଣ ଚିତ୍ତ କିନ୍ତୁ ସାହାସ୍ୟ ମୁହଁରେ । କାଞ୍ଚନଜଙ୍ଘା ଦେଖାଯାଉଥାଏ ଏକ ବିଶାଳ ରୌପ୍ୟ କିରାଟୀ ପରି । ପାଗ ଆଜି ନିଶ୍ଚୟ ଭଲ ଥିବ–ହରିସିଂ କହେ । ଅଳ୍ପ ସମୟ ଭିତରେ ହରିସିଂ ମୋର ପରମ ବନ୍ଧୁ ପାଲଟି ଯାଇଛି । ଥଟ୍ଟା ମଜା ସବୁ ଚାଲିଥାଏ । ଯେତେବେଳେ ହରିସିଂ ଅବାକ୍‌ । ମତେ ବୋକା ମନେ କରି ଏକ ଥଟ୍ଟାଳିଆ ହସି ହସି କହିଲା–ଏ ଥଣ୍ଡା ପାଗରେ ଦାର୍ଜିଲିଂରୁ ଲୋକ ତଳକୁ ଖସି ଆସନ୍ତି । ସ୍କୁଲ କଲେଜ୍‌ ସବୁ ଛୁଟି–ଠିକ୍‌ ଆପଣଙ୍କ ଦେଶରେ ଖରାଦିନ ପରି । ଏପରି ସମୟରେ ଭ୍ରମଣ କରିବା ବୋକାମୀ ଛଡ଼ା ଆଉ କ’ଣ ହୋଇପାରେ ? କିନ୍ତୁ ମୋଠୁ ଯେଉଁ ଜବାବ ପାଇଲା ସେତିକିରେ ସେ ଚୁପ୍‌ । ମୁଁ କହିଲି–ଅନୁଭୂତି ଖାଲି ସୁଖ ଭିତରେ ଆବଦ୍ଧ ନୁହେଁ–ଦୁଃଖ କଷ୍ଟର ଅନୁଭୂତି ହିଁ ଭବିଷ୍ୟତ ଜୀବନକୁ ଅଧିକ ସୁଖପ୍ରଦ କରିଥାଏ । ତେଣୁ ଦୁଃଖ କଷ୍ଟକୁ ବରଣ କରିବା ଲାଗି ଶୀତ ଦିନେ ଦାର୍ଜିଲିଂ କି ରୂପ ଧରେ ଦେଖିବା ପାଇଁ ମୁଁ ଆସିଚି ।

 

ଷ୍ଟେରିଂ ଧରିଲା ହିରି ସିଂ । ଅବିକଳ ତେନସିଂ ପରି ତାର ବେଶଭୂଷା–ହାତରେ ଦୁଇଟା ରୁମରୁମିଆ ଗ୍ଲୋଭ–ମୁଣ୍ଡରେ ସେହି ରୁମର ହ୍ୟାଟ୍‌ । ବଡ଼ ଭୟଙ୍କର ରୂପ, ସୁନ୍ଦର କଣ୍ଠଟିଏ କିନ୍ତୁ । ଗାଡ଼ି ଚାଲିଥାଏ–ପାଖରେ ମୁଁ । ସିନେମା ଗୀତର ଲହରୀ ଛୁଟିଥାଏ ତା କଣ୍ଠରୁ–ଦରଦଭରା ସଙ୍ଗୀତ । ନାଗିନ୍‌, ୪୨୦ର ଗୀତଗୁଡ଼ିକ ତା ଦେହରେ ଉତ୍ତାପ ଯୋଗାଉଥାଏ-

 

ହିମାଳୟର ପାଦଦେଶରେ ହଠାତ୍‌ ହରିସିଂ ମଟର ବନ୍ଦକଲା । ଭ୍ରମଣକାରୀ ପ୍ରତି ତାର ଢେର ସହାନୁଭୂତି । ତେଣୁ ସବୁ ଦେଖାଇ ଓ ବୁଝେଇ ଦେବା ନିଜର କର୍ତ୍ତବ୍ୟ ବୋଲି ସେ ମନେକରେ । ଲମ୍ବା ଲମ୍ବା ଶାଳଗଛ ପରି ଧାଡ଼ି ଧାଡ଼ି ଗଛ । ପାଇନ ଜଙ୍ଗଲ । ସେତେ ଘନ ନୁହେଁ–କିନ୍ତୁ ବେଶ ସୁନ୍ଦର ସରଳ ଗଛଗୁଡ଼ିକ । ସତେ କି କେହି ମାଳୀ ପ୍ରତିଦିନ ତାର ଯତ୍ନ ନେଉଛି-। ମନ ମୋର ପୁଲକିତ ହୋଇ ଉଠୁଥାଏ । ପବିତ୍ର ହୋଇ ଉଠିଲା ଜୀବନ ! ମନରେ କବିତାର ପ୍ରେରଣା, ଉଚ୍ଛ୍ୱାସ–ବାଲ୍ମୀକିଙ୍କଠାରୁ ବଳି । ଝଂକୃତ ହୋଇ ଉଠିଲା ପ୍ରାଣତନ୍ତ୍ରୀ । ପିଲାଦିନର ବହିପଢ଼ା ଏଇ ସେଇ ହିମାଳୟ । ପ୍ରତି ପତ୍ରରେ ଯେପରି ମହାକାଶ ମୁଦ୍ରିତ ହୋଇରହିଛି; ହିମାଳୟର ଅନ୍ତଃଇତିହାସ, ଭୂଗୋଳ, ଦର୍ଶନ ସବୁଥିଲା ଖାଲି ପୋଥି ଭିତରେ, ବର୍ତ୍ତମାନ ଆଖି ଆଗରେ ଉନ୍ମୁକ୍ତ ବ୍ୟାପ୍ତ ।

 

ହରି ସିଂ କହି ଚାଲଥାଏ ବହୁତ କଥା–ତା ବାପା ଅଜା କେତେ ବଡ଼ ଥିଲେ–ସେମାନେ କିମିତି ଘୋଡ଼ା ସାହାର୍ଯ୍ୟରେ ଗିରି ଗୁମ୍ଫା ପାର ହୋଇ ତିଦ୍ଦତକୁ ବଣିଜ ବେପାର କରିବାକୁ ଯାଉଥିଲେ । ଧନରତ୍ନରେ ତାଙ୍କ ଘର ଭରପୁର ଥିଲା–ସବୁ ଭାଗ୍ୟର ତୁଷାରତାରେ ଭାସିଯାଇଛି । ହଜିଲା ଧନକୁ ଆଶା କରିବା ବୃଥା । ଏସବୁ ହରିସିଂହର ପ୍ରାଣଖୋଲା ଦୁଃଖ-କାହାଣୀ । ଶକୁନ୍ତଳାର ଦୃଷ୍ଟି ସିନା ଥିଲା ଦୁର୍ବାସା ଉପରେ କିନ୍ତୁ ମନ ଥିଲା ଦୁଷ୍ମନ୍ତ ଆଡ଼େ । ତେଣୁ ସେ ଦୁର୍ବାସାଙ୍କୁ ଦେଖିବାକୁ ପାଇନି । ଦୃଷ୍ଟି ସଙ୍ଗେ ମନ ଯଦି ସଂଯୁକ୍ତ ନ ରହେ କିଛି ଦେଖାଯାଏନା-। ଭୂସ୍ୱର୍ଗ ହିମାଳୟର ପାଦଦେଶ ପ୍ରତି ମୋର ମନଥାଏ ତେଣୁ ହରିସିଂହ ସବୁ କଥା ମୋ କାନରେ ପଶୁ ନ ଥାଏ । ଖାଲି ହୁଁ ମାରେ । ସେତିକିରେ ସେ ଅନ୍ତୁଷ୍ଟ । ସେ ମନେ କରେ ମୁଁ ସବୁ ଶୁଣୁଚି, ବୁଝୁଚି ।

 

ରାସ୍ତା ପ୍ରଶସ୍ତ ନୁହେଁ–ଦୁଇଟି ଟାକ୍‌ସି ଯିବାଭଳି ଓସାରିଆ । ଏତେ ଉଚ୍ଚ ପାହାଡ଼–ପର୍ବତକୁ କାଟି ଏତେ ସୁନ୍ଦର ରାସ୍ତା ଯେ ତିଆରି କରିଚି ତାକୁ ଧନ୍ୟବାଦ ଦେବା କଥା । ଟାକ୍‌ସି ଏଥର ପର୍ବତ ଶିଖରକୁ ଚଢ଼ିବା ଆରମ୍ଭ କରିବ । ତା ପୂର୍ବରୁ ଗାଡ଼ିର ଓଜନ କେତେ ଜାଣିବାପାଇଁ ତଳେ ଓଜନ ହୋଇଥାଏ । ଏଥିଲାଗି ସ୍ୱତନ୍ତ୍ର ଅଫିସ୍‌ ଅଛି–ଲୋକ ନିଯୁକ୍ତ ରହିଛନ୍ତି । ଓଜନ ବେଶୀ ହେଲେ ଗାଡ଼ି ଉପରକୁ ଉଠି ପାରିବ ନାହିଁ । ଅନୁମତି ମିଳିବ ନାହିଁ । ହରିସିଂ ଗାଡ଼ିରେ ଆମେ କେତେଜଣ ମାତ୍ର । ଓଜନ ଖୁବ୍‌ କମ୍‌ । ଏଇଠି କତୋଟି ହୋଟେଲ, ଘରବାଡ଼ି ଅଛି । ସ୍ଥାନଟି ନା ଭୂଲିଯାଇଛି । ହରି ସିଂ ମତେ ଡାକିନେଲା ହୋଟେଲକୁ ଚାହା ଖାଇବା ପାଇଁ । ହାଟେଲରେ ଦୁଇଟି ଯୁବତୀ ଝିଅ ହରିସିଂର ଭଉଣୀ ଲେଖା । ରାତିରେ ହରିସିଂ ସମୟେ ସମୟେ ଏଇଠି ରହେ । ଚାହା ସଙ୍ଗେ ଆମଲେଟ ଖାଇ ଦେହକୁ ତାଜା କରିନେଲୁ ହିମାଳୟ ଆରୋହଣ ପୂର୍ବରୁ ।

 

ଆଗରେ ଲମ୍ବା ଲମ୍ବା ପର୍ବତ । ଖୁବ୍‌ ଦୀର୍ଘ–ଭାଲେରୀ ସୋଲରୀ ବା ଆମ ଗାଁ ପାଖ କଳାଧାର ମୋ ଆଖି ଆଗରେ ଥିଲା ସବୁଠୁ ଉଚ୍ଚ ପର୍ବତ । ଲୁଗା ପ୍ରସ୍ତ ପ୍ରସ୍ତ ପରି ଏଠାରେ ଖାଲି ପର୍ବତର ପ୍ରସ୍ତ । ଗୋଟିକ ଉପରେ ଗୋଟିଏ ଲଦି ହୋଇ କେଉଁ ଆଦିମ ଯୁଗରୁ ପଡ଼ି ରହିଛନ୍ତି ଭାରତର ପ୍ରହରୀ ପରି ଅଟଳ, ନିଶ୍ଚଳ, ନିଷ୍ଠାପର ।

 

ଗାଡ଼ି ଚାଲିଥାଏ ସର୍ପିଳ ଗତିରେ । ତଳକୁ ଗଭୀର ଉପତ୍ୟକା । ପଡ଼ିଗଲେ ଚିହ୍ନବର୍ଣ୍ଣ ରହିବ ନାହିଁ । ଚାହିଁଲେ ଭୟ ଆସେ । ମୁଣ୍ଡ ଘୂରେଇ ଯାଏ । ରାସ୍ତା କଡ଼େ କଡ଼େ ଛୋଟ ଛୋଟ କାଠର ବାଡ଼–ଶକ୍ତ ନୁହେଁ । ମୁଁ ଖାଲି ଉପରକୁ ଚାହେଁ । ଶ୍ୟାମ ସବୁଜ ନୀଳାଭ–ସବୁ ବର୍ଣ୍ଣର ସମ୍ମିଳନୀ । ନାନା ରଙ୍ଗୀନ ପତ୍ରର ସ୍ନିଗ୍‌ଧ ଆସ୍ତରଣ । ଶୀତ ଋତୁରେ ଫୁଲ କମ୍‌ ଫୁଟେ । କିନ୍ତୁ ବିଭିନ୍ନ ରଙ୍ଗର ପତ୍ରଗୁଚ୍ଛ ଦୂରରୁ ଫୁଲଭଳି ପ୍ରତୀତ ହୁଏ । ମନ ଧାଇଁଯାଏ, ଇଚ୍ଛାହୁଏ । ସମସ୍ତଙ୍କ ଦେହରେ ଥରେ ଥରେ ବାଡ଼େଇ ହୋଇ ଆସିବାକୁ ।

 

ହଠାତ୍‌ ଦେଖାଗଲା ସୂର୍ଯ୍ୟାଲୋକରେ ଏକ ପ୍ରଶସ୍ତ ଉପତ୍ୟକା–ସମତଳ । ହିମାଳୟର ସେଇ ମହାଗମ୍ଭୀର ଅରଣ୍ୟଲୋକର ଉଦାର କାନ୍ତ । ଉନ୍ମୁକ୍ତ ଭୂଖଣ୍ଡ । ଜଟାଭସ୍ମ ବିଭୂଷିତ ନଗ୍ନଦେହ, ସନ୍ୟାସୀମାନଙ୍କର ଇତିହାସ ପ୍ରସିଦ୍ଧ ବେଦମନ୍ତ୍ର ମୁଖରିତ ଏହି ସେହି ପାର୍ବତ୍ୟ ଗୁହା ଗହ୍ୱର । ସହସ୍ର ଭୋଗ ବିଳାସ, ଆଳସ୍ୟରେ ବିବଶ ଏହି ରସରଙ୍ଗୀନ୍ ଉପତ୍ୟତା । ଏଠାରେ ଅର୍ଥ ବ୍ୟର୍ଥ ହୁଏ–ଆମୋଦ ସାର୍ଥକ ହୁଏ । ବନାନ୍ତରାଳରେ ମଧ୍ୟ ରାତ୍ରିରେ ଛାୟା ନିବିଡ଼ ଜ୍ୟେସ୍ନା ଚନ୍ଦ୍ରିକାରେ କେଉଁ କେଉଁଠି ଉଚ୍ଛ୍ୱସିତ ଅନୁରାଗ ଓ ଅସହନୀୟ ଯନ୍ତ୍ରଣାରେ ମାତାଲ ହୋଇ ଉଠେ । ଏ ଉପତ୍ୟକା ନୁହେଁ–ଅଳକା ।

 

ଝରଣା ! ଏକ ଦୁଇ କରି ହାତରେ ଗଣି ହେବନି; ମନରେ ସମ୍ପୂର୍ଣ୍ଣ ଉପଲବ୍‌ଧି କରି ହେବନି । ପାଖରେ ଠିଆ ହୋଇ ଉପରକୁ ଚାହିଁଚି–ଏହାର ମୂଳ କେଉଁଠି ଦେଖିବା ପାଇଁ । ତରଳ ସୁନା ନୁହେଁ–ରୂପା ନୁହେଁ, ତାଠୁ ଆହୁରି ଅଧିକ ମୂଳ୍ୟବାନ୍‌ । ଅଧିକ ମଧୁର, ଅଧିକ ସୁନ୍ଦର ଏହାର ଜଳବେଶୀ । ଅବିରାମ ଅଶ୍ରାନ୍ତ ଧାରା । ଲତାମଙ୍ଗସେକରଠୁ ବଳି ସୁଲଳିତ ଛନ୍ଦମୟ ଧ୍ୱନି-। ଉଦ୍‌ବେଳ ଆକୁଳ ସଙ୍ଗୀତ–ଭାଷା ନାହିଁ, ଅର୍ଥ ନାହିଁ, କିନ୍ତୁ ନିରର୍ଥକ ନୁହେଁ; କାରଣ ଏ ଧ୍ୱନି ଦେହର ସବୁ ତନ୍ତ୍ରୀକୁ ସ୍ପର୍ଶକରେ, ସ୍ପନ୍ଦନ ତୋଳେ, ଆମୋଦ ଆଣିଦିଏ–ଅନନ୍ତ ଅସୀମ । ଶିଳ୍ପୀର ଆଧାର ଇଏ, କବିର ମହାକାବ୍ୟ–ସନ୍ନ୍ୟାସୀର ଯୋଗ ସାଧନାର ପବିତ୍ର ପୀଠ । ଏହାର ଧାର ଧାର ତ୍ରିପିଟକର ଅହିଂସା-ସତ୍ୟ ସନ୍ଦେଶ କଲ୍ଲୀବିଥିକା ପରି ଲତାୟିତ ହୋଇ ରହିଛି ବହୁ ଶତାବ୍ଦୀ ଧରି ।

 

ଦେଖିଥିଲି ଚଳଚିତ୍ରରେ ଆଜି ଦେଖୁଚି ଜୀବନ୍ତ ଛବି–ହିମାଳୟର ପୂତ ପବିତ୍ର ଉପବୀତଗୁଡ଼ିକୁ ।

 

ପର୍ବତ ପରେ ପର୍ବତ । ସଡ଼କ ପରେ ସଡ଼କ । ଗୋଟିଏ ପର୍ବତକୁ ଗୋଲାକାରରେ କଟା ହୋଇଛି ନାନାଭଙ୍ଗୀରେ ।

 

ପର୍ବତ ବାଙ୍କ ଦେଇ ହଠାତ୍‌ ହରିସିଂର ଗାଡ଼ି ହାଜର ହେଲା ଅନ୍ୟ ଏକ ପର୍ବତର ସମତଳ ପ୍ରଦେଶରେ। ନିର୍ଲିପ୍ତ ଚକ୍ଷୁ ଦୁଇଟି ମୋର ଚଳଚିତ୍ର ପରି ପ୍ରଖରଗତିରେ ଦେଖି ଚାଲିଥାଏ ରୂପ ସମ୍ଭାର । କେଉଁଟିକି ଛାଡ଼ିବନି–ସବୁ ଦେଖିଯିବି, କିନ୍ତୁ ସମୟ ଯେ କମ୍‌ । ଇଚ୍ଛା ହେଉଥାଏ ଯେତେ ଦିନ ହେଉପଛେ ଓହ୍ଲେଇ ପଡ଼ିବି–ଚାଲି ଚାଲି ଯିବି–ଏ ଗହ୍ୱର ଭିତରେ ପଶି ସବୁ ତନ୍ନ ତନ୍ନ କରି ଦେଖିଛି । କିନ୍ତୁ ତୁଷାରଝଡ଼ କୁହୁଡ଼ି ଅଭିଯାନକୁ ସମ୍ମୁଖୀନ ହୋଇ ମୁଁ ଚାଲି ପାରିବି ତ ?

 

ଏ କ’ଣ ? ଫୁଲ ? ଏତେ ସୁନ୍ଦର !

 

ଫୁଲ ନୁହେଁ–ଘର ।

 

ଦାର୍ଜିଲିଂ ରାସ୍ତାରେ ତିନିଧାରିଆ ପ୍ରଥମ ସହର । ଆଗରୁ ଶୈଳନିବାସ ଦେଖି ନ ଥିଲି । ଏମିତି ମନୋହର ରମଣୀୟ ଦେଖାଯାଏ ବୋଲି କଳ୍ପନା ସୁଦ୍ଧା କରି ନଥିଲି । ଦୂରରୁ ଦେଖିଲେ ମନେହୁଏ ପାହାଡ଼ ଉପରେ ଗୁଡ଼ିଏ ଫୁଲଗଛ । ଏଠି ସେଠି ଫୁଟିଚି ଅଯତ୍ନ ଭାବରେ । ଏହି ପ୍ରଥମ ସହରକୁ ଦେଖ ମନ ଉଲ୍ଲସିତ ହୋଇ ଉଠିଲା । ଏସବୁ ଦେଖି ପ୍ରକୃତରେ ମୋ ଜୀବନ ସାର୍ଥକ ହେଲା । ଘରେ ଯେଉଁମାନେ ପଇସା ସାଇତି କୂପମଣ୍ଡୁକ ହୋଇ ପଡ଼ି ରହନ୍ତି, ସେମାନେ ପ୍ରକୃତରେ ଅଭିଶପ୍ତ । ସହରଟି କ୍ରମେ କ୍ରମେ ପାଖେଇ ଆସିଲା କିନ୍ତୁ ଦୂରରୁ ଯେତେ ସୁନ୍ଦର, ଏହାର ପାଖକୁ ଆସିଲେ ସେ ସୌନ୍ଦର୍ଯ୍ୟ ଉପଭୋଗ କରି ହୁଏନା । ଏଠାରେ ଅନ୍ୟାନ୍ୟ ସହର ପରି ଜନଗହଳି ନାହିଁ । ରାସ୍ତାରେ ଖୁବ୍‌ ବେଶୀ ହେଲେ ୧୫।୨୦ ଜଣ ଲୋକଙ୍କର ଯାତାୟାତ । ନିଜ ନିଜ ଘରହିଁ ସବୁ କର୍ମର ପୀଠ । ତଳକୁ ଓହ୍ଲାଇ ଆସିବା ଯିବା କମ୍‌ କଷ୍ଟ ନୁହେଁ । ଅବଶ୍ୟ ଏମାନଙ୍କର ଅଭ୍ୟାସରେ ପଡ଼ିଗଲାଣି; ତଥାପି ଯିବା ଆସିବାରେ ସମୟ କମ୍‌ ଲାଗେନା ।

 

ପାଖରେ ଦୁଇଟି ମଟର ଆମକୁ ପାରି ହୋଇଗଲେ । ଗୋଟିଏ ମଟରରେ ନାନା ଫୁଲ ତୋରଣ । ପଛରେ ଲାଉଡସ୍ପିକର୍‌ । ବସିଛନ୍ତି ଗୁଡ଼ିଏ ତରୁଣୀବାଳିକା । ଗୀତ ଲହରୀ ଛୁଟିଛି । ହରିସିଂକୁ ପଚାରି ବୁଝିଲି–ଏମାନେ ସମସ୍ତେ ବରଯାତ୍ରୀ । ନବବଧୁ ଓ ବରକୁ ନେଇ ଘରକୁ ଫେରୁଛନ୍ତି । ଆଜି ଦାର୍ଜିଲିଂର ଏଡେନ୍‌ ପାର୍କରେ ସେମାନଙ୍କର ଭୋଜି ହେବ । ନବବଧୂକୁ ଘେରି ବସିଛନ୍ତି ତାର ସାଙ୍ଗ ସାଥୀମାନେ ଛୁଟିଚି ହସରୋଳ । ନବବଧୁ ଗାଉଚି ଗୀତ । ଆମ ଆଡ ପରି ସଙ୍କୋଚ ନାହିଁ ନୂତନ ଜୀବନ ଯାତ୍ରା ଆରମ୍ଭ କରିଛି । ମନରେ ଆନନ୍ଦ ଉଲ୍ଲସ ଓ ଉତ୍କଣ୍ଠା । ସେମାନଙ୍କର ବିବାହ ପ୍ରଥା ସହିତ ଆମର ଢେର ସାମଞ୍ଜସ୍ୟ ଅଛି । ସବୁଠି ତ ଶଳା ନଣନ୍ଦଙ୍କର ପରିହାସ ।

 

ଅନ୍ୟ ଗାଡ଼ିଟିରେ ଗୋଟିଏ ପିକ୍‌ନିକ୍‌ ଦଳ । ତୁଷାରପାତ ଯେତିକି ଅଧିକ ଏମାନଙ୍କର ସେତିକି ଆନନ୍ଦ ! ଗରମ କ’ଣ ଜାଣନ୍ତି ନାହିଁ । କେବେ କିମିତି ସିଲଗୁଡ଼ି ଆସିଲେ ସେମାନେ ଗରମର ସ୍ୱାଦୁ ଚାଖି ଯାଆନ୍ତି । ବଣ ଜଙ୍ଗଲର କେଉଁ ଝରଣା ତଳେ ଏମାନେ ବନ୍ୟଭୋଜୀର ପସରା ମେଲି ବସିବେ । (ଚାଙ୍ଗ) ମଦ ଖାଇ ମାତାଲ ହେବେ । ଜୀବନଟାକୁ ଏମାନେ ଏହିଭଳି ସରସ କରି ଉପଭୋଗ କରିଥାଆନ୍ତି । କର୍ମଠ ଜାତି । କାମ କରିବେ, ଖାଇବେ–ବୁଲିବେ, ଖେଳିବେ, ନାଚିବେ–ଏହାହିଁ ଜୀବନ । ସଞ୍ଚୟ ପ୍ରବଣତା କ୍ୱଚିତ୍‌ । ଏମାନଙ୍କୁ ଶୋଷଣ କରିଥାନ୍ତି ଚାହା ବଗିଚାର ମାଲିକମାନେ–ସରକାରୀର ଅମଲାଗଣ । ଏଠାକାର ଅଧିବାସୀଙ୍କ ଭିତରୁ ଧନୀକ ସଂଖ୍ୟା କମ୍‌ । ତିନିଧାରିଆ ଓ ସୋନାପୁରର ବଜାର ତଳେ ଦେଖିଲି ସେଇ ମାରୁଆଡିମାନେ ବଡ଼ ଦୋକାନ ମେଲି ବସିଛନ୍ତି । ଟ୍ରକ ଟ୍ରକ ଜିନିଷ, ଫଳ-ମୂଳ, ଚାହା ପତି ରପ୍ତାନି କରନ୍ତି । ତଳ ଦେଶକୁ । ପାହାଡ଼ର ସ୍ତରେ ସ୍ତରେ ଘାସ ବୁଦା ପରି ଚାହା ଗଛ କେଉଁଠି ଟିକିଏ ଜାଗା ଖାଲି ପଡ଼ିନାହିଁ । ମସୃଣ ଶେଜ ପରି ଏହା ବିସ୍ତାର ଲାଭ କରିଚି ବହୁ ଦୂରକୁ । ଆଖି ପାଇବନି ! ସବୁଠି ଖ୍ରୀଷ୍ଟାନ ପାଦ୍ରୀ । ଚର୍ଚ୍ଚ ରହିଚି କେତେ ଶତାବ୍ଦି ଧରି ବିଗତ ପ୍ରଭୃତ୍ୱ ଓ ଧର୍ମ ପ୍ରଚାରକ ବଡ଼ିମା ନେଇ-

 

ତିନି ଧାରିଆ ପରେ ସୋନାପୁର । ସୋନାପୁରଠୁ କିଛି ଦୂରରେ ହଠାତ୍‌ ହରିସିଂ ଗାଡ଼ିରେ ବ୍ରେକ୍‌ ଦେଇ ଡାକ ଛାଡ଼ିଛି ବଡ଼ ପାଟିରେ–କାହାକୁ କେଜାଣି । ଚାରିଆଡ଼େ ଆଖି ବୁଲାଇ ଦେଖିଲି ଜନବସତି କେଉଁଠି ହେଲେ ନାହିଁ । ଚାରିଆଡ଼େ ଅରଣ୍ୟାନୀ ଆଉ ଚାହା ଗୁଳ୍ମ । ହଠାତ୍‌ ବହୁ ଉଚ୍ଚ ପାହାଡ଼ର ଲତାନ୍ତରାଳରୁ ଦେଖାଗଲା ଜଣେ ମହିଳାଙ୍କର ଚରଣପାତ, ଅବରୋହଣର ଛନ୍ଦପତନ । ପ୍ରତିଦିନ ହରିସିଂର ଟାକ୍‌ସିରେ ସେ ଦାର୍ଜିଲିଂ ଯାଆନ୍ତି–ସନ୍ଧ୍ୟାରେ କାମ ସାରି ଫେରନ୍ତି-। ଅଫିସର କିରାନୀ ସେ । ଶିକ୍ଷା ପ୍ରାୟ ମାଟ୍ରିକ ଯାଏଁ । ଦେଖିବାକୁ ଅସୁନ୍ଦରୀ ନୁହନ୍ତି । ସଫେଦ୍‌ ଚେହେରା । ଘରେ ଗୋଟିଏ ପୁଅ ଛଡ଼ା ଆଉ କେହି ନାହିଁ । ବାପ ବୌଦ୍ଧ ଭିକ୍ଷୁ ।

 

ମହିଳା ଜଣକ କ୍ରମେ ତଳକୁ ଖସି ଆସିଲେ । ପାହାଡ଼ ଉପରେ ଘର । ଉପରୁ ଖସିବାକୁ ତାଙ୍କୁ ପ୍ରାୟ ପନ୍ଦର ମିନିଟ ଲାଗିଥିବ । ମୁଁ ହୋଇଥିଲେ ନିଶ୍ଚୟ ଅଧଘଣ୍ଟାକରୁ କମ୍‌ ନିଅନ୍ତି ନାହିଁ । ପାଖରେ ବସିବା ପରେ ନାନା କଥାବାର୍ତ୍ତା ଚାଲିଲା । ଦାର୍ଜିଲିଂ ଜିଲ୍ଲାର ଭୂଗୋଳ, ଇତିହାସର ସମସ୍ତ ତଥ୍ୟ ସେ କହିଗଲେ । ଛାତ୍ରକୁ ଶିକ୍ଷକ ବୁଝାଇଲେ ପରି ସବୁ ବଡ଼ ଚମତ୍କାର ଭାବରେ ବୁଝେଇ ଦେଇଗଲେ । ତାଙ୍କର ସାନ୍ନିଧ୍ୟ ମତେ ପ୍ରଥମେ ପ୍ରଥମେ ଅଡ଼ୁଆ ଲାଗୁଥିଲା; କିନ୍ତୁ ପରେ ମନେ ମନେ ଭାବୁଥାଏ ତାଙ୍କ ଘରେ ଅତିଥି ହେବା ପାଇଁ ନିମନ୍ତ୍ରଣ କରନ୍ତେ କି ! ସତରେ ନିମନ୍ତ୍ରଣ ପାଇଲି ଟିକକ ପରେ ।

 

ମହିଳା ଜଣକଙ୍କର ନାମ ଲାହା-ମୁଁ-କିପା । ଡାକ ନାମ ଶାମ୍ମି । ପୂର୍ବ ନାଁ ଲିଭିଚି ଯେଉଁଦିନଠୁ ସେ ସ୍ୱାମୀକୁ ହରେଇଚି । ବଡ଼ କରୁଣ କାହାଣୀ ସେ । ଦାର୍ଜିଲିଂରୁ ଫେରିଲାବେଳେ ମୁଁ ତାଙ୍କର ଘରେ ଅତିଥି ହୋଇଥିଲି ଦିନକୁ ପାଇଁ । ସେଦିନ ରବିବାର–ଅଫିସ ବନ୍ଦ ଥିଲା । ମୁଁ ଆସିବି ବୋଲି ଶାଢ଼ି ସେଦିନ ବଡ଼ ସକାଳୁ ଗାଧୋଇ ଷ୍ଟୋଭ୍‌ ଧରେଇଚି । ଶ୍ୱେତାଙ୍ଗରେ ଶ୍ୱେତବର୍ଣ୍ଣ ଶାଢ଼ି–ମାତା ବୈଷ୍ଣବୀ ସନ୍ୟାସିନୀ ଭଳି ପବିତ୍ର ବେଶଭୂଷା । ସ୍ନଗ୍‌ଧ କୁନ୍ତଳ ଗୁଚ୍ଛ ଲୋଟି ପଡ଼ିଛି–ବିଞ୍ଚି ହୋଇ ପଡ଼ୁଛି ତଳେ । ପାଖରେ ପୁଅ ନିମ୍ମୁ । ବୟସ ୮।୯ ଯାଏ । ଲାଲ ଗୁଲ ଗୁଲ ଚେହେରା । ଦେଖିଲେ କୁଣ୍ଢାଇ ପକାଇବାକୁ ଲୋଭ ହେବ । ମୁହଁରେ ସ୍ପଷ୍ଟ କଥା । ଅବଶ୍ୟ ମୋ ପକ୍ଷରେ ଦୁର୍ବୋଧ୍ୟ । ଶାମ୍ମିର ଦେହଟି ଯେମିତି ଘରଟି ମଧ୍ୟ ସେମିତି ନର୍ମଳ । ଛୋଟ ନୁହେଁ କି ଅତି ବଡ଼ ନୁହେଁ । ଗୋଟିଏ ପରିବାର ଚଳିବା ଭଳି ୨।୪ ଟି ଛୋଟ ଛୋଟ ବଖରା । ତଳ ସିମେଣ୍ଟ କିନ୍ତୁ କାନ୍ଥ ବାଡ଼ ସବୁ କାଠରେ ତିଆରି । କାନ୍ଥ ଦେହରେ ମୋଟା ମୋଟା କାଗଜ ମଡ଼ା ଯାଇଚି ଥଣ୍ଡା ବାୟୁର ବେଗକୁ ରୋକିବା ପାଇଁ । ଦୁଇ ଚାରୋଟି ମୁରଗି ବାରଣ୍ଡାରେ ବୁଲୁଚନ୍ତି । ଦୁଆର ଆଗରେ ଏକ ଛୋଟ ଆଲସେସିଆନ କୁକୁର । ମତେ ଦେଖି ଆଗରୁ ତାର ଚିତ୍କାର କହିଲେ ନ ସରେ । କିନ୍ତୁ ନିମ୍ମୁର ଆଘାତ ପାଇ ସେ ଜାଣିପାରିଲା ମୁଁ ନିମନ୍ତ୍ରିତ ଅତିଥି !

 

ଦୁଆର ପାଖରେ ହାଜର ହେବା ମାତ୍ରେ, ନିମ୍ମୁ ସାଲ୍ୟୁଟକଲା ଠିକ୍‍ ମିଲାଟାରୀ କାଇଦାରେ । ମୁଁ ତାର ମୁଣ୍ଡରେ ହାତ ଦେଇ ଆଶୀର୍ବାଦ ଜଣାଇଲି ଆଗରୁ ସୁସଜ୍ଜିତ କୋଠରୀଟିକି ହାତଠାରି ଦେଇ ନିମ୍ମୁ ମା’କୁ ଡାକିବାପାଇଁ ଧାଇଁଲା ରୋଷେଇଶାଳକୁ । କିନ୍ତୁ ମୁଁ ତାରି ପଛେ ପଛେ ଚାଲିଚି ତା ମାଆ ପାଖକୁ । ଅପେକ୍ଷା କରିବାଭଳି ଭଦ୍ରତା କିମ୍ବା ଧୈର୍ଯ୍ୟ ମୋର ନଥିଲା । ଦେଖିଲି ଶାମ୍ମିମ ଲାଗି ବଡ଼ ବ୍ୟସ୍ତ । ଓଭାଲ ଟିନ୍‌, ନ୍ୟାଷ୍ଟମଲଟର ନୂଆ ନୂଆ ଡିବା । ପାଖର ପାଉରୁଟି, ଲେଫ୍‌ । କେତେ ରକମର ପନିପରିବା । ସେ ଦିନ ସେ ମୋ କଥାବର୍ତ୍ତାରୁ କି ଆକର୍ଷଣ କିମ୍ବା ସ୍ନେହ ପାଇଲା କେଜାଣି ସେ ମତେ ନିଜର ଭାଇ କରେଇ ନେଲା । ସେ ମୋଠୁ ନିଶ୍ଚୟ ବୟସରୋ ବଡ଼–ବେଶୀ ନ ହେଲେ ମଧ୍ୟ ଦୁଇ ତିନି ବର୍ଷ ଅଧିକ । ମୁଁ ତାକୁ ଦିଦି ବୋଲି ଡାକେ । ସେ ବଙ୍ଗଳା କହେ, କାରଣ ବଙ୍ଗଳା ଏଠାକାର ସରକାରୀ ଭାଷା ।

 

ଶାମ୍ମି ଦିଦିର ଦରମା ଟ୧୨୦-୦୦ । ଏତିକିରେ ଏ ଶୈଳନିବାସରେ ଦୁଃଖେ ସୁଖେ ଚଳେ । ଜୀବନରେ ଧାର ଉଧାର କରିନି । କାହା ଆଗରେ ହାତ ପତେଇନି । ଇମିତି ନୀରବରେ ଏକାକୀ ଜୀବନ ଧରି ସେ ଚଳିଲାଣି ଦୀର୍ଘ ଆଠ ବର୍ଷ; –୯୬ ମାସ । ଦିନ ସଂଖ୍ୟା ଖୁବ୍‌ ବେଶୀ ! ପୁଅ ନିମ୍ମୁ ନ ଥିଲେ କେଉଁ ଦିନଠୁ ସେ ଆତ୍ମହତ୍ୟା କରନ୍ତାଣି ।

 

ସେ ଦିନର ବ୍ରେକ୍‌ଫ୍ରାଷ୍ଟ ଓ ଲଞ୍ଚ ସରିଲା ବେଳକୁ ପ୍ରାୟ ଗୋଟାଏ ସମୟ । ହୃଦୟ ଭିତରେ ବହୁତ ଅକୁହା କଥା ଶାମ୍ମିର ଉଇହୁଙ୍କା ପରି ସ୍ତୂପୀକୃତ ହୋଇ ରହିଚି । ଭାଇ ଆଗରେ ସେ ସବୁ ଖୋଲି କହିବ । ସେ ଜାଣେ ମୁଁ ଓଡ଼ିଆ ପୁରୀ ଜଗନ୍ନାଥଧାମର ଲୋକ । ହୁଏତ ଭ୍ରାତୃତ୍ୱର ବଂଧନ କେବଳ ଦିନକ ସ୍ତୁତି ଭିତରେ ନିବନ୍ଧ ରହିବ । ଗଲେ ଆଉ କେବେ ଯେ ଏଠିକି ଆସିବି ଏ ବିଶ୍ୱାସ ତାର ନାହିଁ ! ତଥାପି ସେ କାହିଁକି କେଜାଣି ମତେ ଭଲପାଇ ଚାଲିଚି ସ୍ନେହ ଢାଳି ଦେଇଚି ଗିରି ପଥର ଝରଣା ପରି । ତାର ଇଚ୍ଛା ଆଉରି ବେଶୀଦିନ ରହନ୍ତି–ଡବଲ ଖର୍ଚ୍ଚ ହେଉ ପଛକେ ସେଥିଲାଗି ତାର ଖାତିର ନାହିଁ ।

 

ଦୁଇଟି ବଣ ଠେକୁଆ ପରି ଆମେ ଡେଇଁ ଡେଇଁ ଚାଲିଲୁ ବଣ ଗୁହା ଭିତରକୁ ଶାମ୍ମି ମତେ ନୂଆ ଦୃଶ୍ୟ ଦେଖାଇବ । ନୂଆ ଗଛ, ଫଳମୂଳ, ଉପତ୍ୟକା, ପଶୁ ପକ୍ଷୀ, ଝରଣା ଗହ୍ୱର ସବୁ ଗୋଟି ଗୋଟି ଦେଖାଇ ନେବ । ତାର ମନ ଖରାପ ହେଲେ ସେ କେଉଁଠି ଆସି ମନକୁ ପ୍ରବୋଧନା ଦିଏ–କେଉଁଠି ବସି ଲୁହ ଝରାଏ, କେଉଁଠି ପୁଅ ନିମ୍ମୁ ସାଥିରେ ଦୋଳି ଖେଳେ–ସବୁ ଜାଗା ଗୋଟି ଗୋଟି କରି ଦେଖାଇବ ।

 

ଆଗେ ଆଗେ ଶାମ୍ମି–ମୁଁ ପଛେ ପଛେ । ଭୟ ହେଉଥାଏ । ଖସି ପଡ଼ିବି ପରା ! ହଠାତ୍‌ ଶାମ୍ମି ଠିଆ ହେଲା ଏକ ସମତଳ ଜାଗାରେ–ଲାଗି ଆସିଲି ତା ପାଖକୁ । ଅବର୍ଣ୍ଣନୀୟ ଏ ସ୍ଥାନର ଦୃଶ୍ୟ । ଖୁବ୍‌ ଥଣ୍ଡା ! ପ୍ରଶସ୍ତ ଦିଗ୍‌ବଳୟ ଚୂଡ଼ାରେ ସୂର୍ଯ୍ୟର କ୍ଷୀଣରଶ୍ମୀ । ରକ୍ତାଭ ସୂର୍ଯ୍ୟର ହିରଣ୍ମୟ ଅବତାର । ଶାମ୍ମି ଗୋଟି ଗୋଟି କରି ଫୁଲ ଫଳ ଚିହ୍ନେଇ ଦିଏ । ଏ ଫୁଲ ଫଳର ନାମ-ଗନ୍ଧ ସହିତ ମୁଁ ସମ୍ପୂର୍ଣ୍ଣ ଅପରିଚିତ ।

 

ପ୍ରଶାସ୍ତ ସମତଳ ଜାଗା । ମଝି ମଝିରେ ବୁଦାବୁଦିକା ଗଛ । ଶାମ୍ମି ବସିଲା ଝରଣା ତଳକୁ ଗୋଡ଼ ଲମ୍ବେଇ । ମୁଁ କିନ୍ତୁ ବସି ପାରୁନି । କୌତୁହଳ ଅଧିକ । ଶାମ୍ମିକୁ ଭୂଲିଗଲି । କ୍ଷଣିକ ଲାଗି ମୁଁ ତା ପ୍ରତି ଅକୃତଜ୍ଞ ହୋଇ ପଡ଼ିଥିଲି । ଶାମ୍ମି ଜଙ୍ଗଲି ଗୀତ ବୋଲୁଥାଏ । ସ୍ୱର୍ଗରୁ ବୁଝୁଥାଏ ତା ଅନ୍ତରଟା କାନ୍ଦୁଚି–ଥର ଯାଉଚି ତାର ବୁକୁତଳ । ବହୁଥର ଭାବିଚି ତାକୁ ପଚାରିବି ତାର ଅତୀତ ଜୀବନ ଗାଥା । କିନ୍ତୁ ହୁଏତ ଭୂଲ ହେବ, ଅଭଦ୍ରାମି ହୋଇଯିବ, ଏଇ ଭୟରେ ପଚାରି ପାରି ନାହିଁ-। କିନ୍ତୁ ଶାମ୍ମିର ଇଚ୍ଛା–ମୁଁ ତାକୁ ପଚାରନ୍ତିକି; ସେ ଲଜ୍ଜା ସରମ ସବୁ ତ୍ୟାଗ କରି କହିଯାଆନ୍ତା ଗୋଟି ଗୋଟି କରି ସବୁକଥା । ତାର ହୃଦୟ ଖୋଲି ହୋଇଯାଆନ୍ତା କଣ୍ଟକିତ ବେଦନାରୁ ଓ ମର୍ମନ୍ତୁଦ ବ୍ୟଥାରୁ । ଯାଆନ୍ତି ମୁକୁଳି ତା’ ଜୀବନ ।

 

ଆଜି ଚାରିମାସ ପରେ ଦୁଇ ଶହ ମାଇଲ ଦୂରରେ କଲମ ଧରି ତାର ଜୀବନୀ ଲେଖିବା ବେଳକ ସହାନୁଭୂତିରେ ଭରି ଉଠୁଛି ହୃଦୟ । ଆଖି ଅଶ୍ରୁପୂର୍ଣ୍ଣ ହୋଇ ଉଠୁଛି । ଶାମ୍ମି ଓଡ଼ିଆ ଜାଣେନା । ଯଦି ଜାଣିଥାଆନ୍ତା ସେ ଏତକ ପଢ଼ି ନିଜକୁ ଭାରି ଉଶ୍ୱାସ ବୋଧ କରନ୍ତା–କେତେ ଖୁସି ହୁଅନ୍ତା ତାର କଳ୍ପନା ନାହିଁ । ସେ ଲେଖକ ବୋଇଲେ ତାରି ପରି ମଣିଷ ବୋଲି ଧାରଣା କରି ପାରେନା । କିପରି ଯେ କଳ୍ପନା କରି ଏତେ ଟିକିଏ କଥାକୁ ଫେଣେଇ ଫାଣେଇ ଏତେ ସୁନ୍ଦର ସରସ କରି ଲେଖିଯାଆନ୍ତି–ସେ ସବୁ ତାକୁ ବଡ଼ ଅଦ୍ଭୁତ ବୋଧହୁଏ ! ଲେଖକର ମିଥ୍ୟାକୁ ସେ ସତ୍ୟ ଭାବେ, କଳ୍ପନାକୁ ବାସ୍ତବ ବୋଲି ଧରିନିଏ । ତା ଘରେ ବହୁ ବଙ୍ଗଳା ଇଂରେଜୀ ବହି–ରାତି-ଦିନର ସାଙ୍ଗ-ସାଥୀ ସେଇ କେତୋଟି ବହି ।

 

ଲେଖକର ଦୃଷ୍ଟି ଭଙ୍ଗୀ ନେଇ କବିତା ଲାଗି ଉପାଦେୟ ସଂଗ୍ରହରେ ମୁଁ ବ୍ୟସ୍ତ । ଶାମ୍ମି କେତେବେଳୁ ମୋ ପଛେ ପଛେ ଚାଲିଚି ଜାଣେନା !

 

ଶାମ୍ମି କହିଲା–ଓରେ ! ବାପ୍‌ରେ ସାପ୍‌ ।

 

ଚମକି ପଡିଲି ! ଏ ଜଙ୍ଗଲରେ ହଠାତ୍‌ ସାପର ଆବିର୍ଭାବ ବିଚିତ୍ର ନୁହେଁ ! ଡରଭୟରେ ମୋ ଦୃଶ୍ୟ-ଲବ୍‌ଧଚକ୍ଷୁ ଦୁଇଟି ଡେଇଁ ଉଠିଲା ସାପର ଫଣା ପରି ଥରକୁ ଥର । କ୍ଷଣିକରେ ସବୁ ଧ୍ୟାନ ଯୋଗ, ଆକର୍ଷଣ ପଥଭ୍ରଷ୍ଟ ହୋଇ ଆସିଲା ଶାମ୍ମି ଆଡ଼କୁ । ଶାମ୍ମି ଦୃଶ୍ୟ ଦେଖିବାକୁ ଆସିନି–ଦେଖାଇବାକୁ ଆସିଥିଲା ତା ଜୀବନରେ କେତୋଟି ଚିହ୍ନ–ସାଙ୍ଗ ସାଥିଙ୍କୁ । ସେ ତ ଶେଷ ହୋଇଗଲାଣି । ବର୍ତ୍ତମାନ ସେ ନିଜକୁ ଦେଖାଇବାକୁ ଚାହେଁ ।

 

ଘରକୁ ଫେରିଲୁ ଦୁହେଁ । ନିମ୍ମୁ ଏକାକୀ କୁତ୍ତା ବିଗୁଲ୍‌ ସାଥିୀରେ ଖେଳୁଚି । ମାଆ ଏମିତି ତାକୁ ଛାଡ଼ି ଚାଲିଯାଏ–କେବେ କୁକୁର ସାଥିରେ ତ କେବେ । ଅଦୂରର ଏକ ମାରୁଆଡ଼ୀ ଘରେ ଛୁଆଙ୍କ ସାଥିରେ ସେ କାଳ କଟାଏ । କେବେ କେବେ ମାଆ ସାଥିରେ ଦାର୍ଜିଲିଂ ଯାଏ । ଘରକୁ ଫେରି ଚାହା ଖାଇବା ପରେ ଷ୍ଟୋଭକୁ ଧରେଇ ଦେଇ ଶାମ୍ମି କହି ଚାଲିଲା ତାର ଜୀବନର ରୋମାଣ୍ଟିକ୍‌ କାହାଣୀ ।

 

ପାଖରେ ମୁଁ ଗୋଡ଼ ଲମ୍ବେଇ ବସିଥାଏ । କାହାଣୀ ଶୁଣୁଥିଲି ଅତି ଉତ୍ସୁକ ମନରେ ।

 

ଶାମ୍ମି କହିଲା, ‘‘ସେତେବେଳେ ସେ ପଡ଼ୁଥାଆନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମୋ ଭାଇ ଆଙ୍ଗତା ସେପ୍‌ପାଙ୍କ ସହିତ । ଖୁବ୍‌ ଭଲ ପଢ଼ୁଥିବା । ହେତୁ ବେଶ୍‌ ଖ୍ୟାତି ଲାଭ କରିଥିଲେ–ୟୁନିଭରସିଟିର ଭଲ ଛାତ୍ର ।

 

ଆମର ପ୍ରକୃତ ବାସସ୍ଥାନ ଥିଲା ଥୟାଁବୁକ୍‌ ରେ । ଆମ ବାପା କିନ୍ତୁ ଆଲାହାବାଦରେ ବେପାର ବଣିଜ କରନ୍ତି । ସେଥିପାଇଁ ଆମେ ପିଲାଦିନୁ ଆଲାହାବାଦରେ ରହି ଆସିଥିଲୁ । ମୁଁ ଏକ ଉଚ୍ଚ କନ୍‌ଭେଣ୍ଟ ସ୍କୁଲରେ ପଢ଼ୁଥାଏ ମାସକୁ ବାଇଶି ଟଙ୍କା ଦରମା ଗଣିବା ପାଇଁ ବାପା ତିଳେ ହେଲେ କୁଣ୍ଠିତ ନ ଥିଲେ; କାରଣ ଚାରି ପୁଅରେ ମୁଁ ଥିଲି ଏକମାତ୍ର ଝିଅ । ଖୁବ୍‌ ଅଲିଅଳ ସ୍କୁଲକୁ ମଟରରେ ଯିବାଆସିବା କରେ । ସନ୍ଧ୍ୟାବେଳେ ଚାକରାଣୀ ମତେ ନେଇଯାଏ ପାର୍କକୁ । ଖେଳେ, ବୁଲେ; ରାଜଦୁଳାଲୀଠୁ ବଳି ସୁଖରେ ଥିଲି ।

 

ମନେ ଅଛି, ମୋର ସ୍ୱାମୀ ପାସାଙ୍ଗ-କିକୁଲି ଯେଉଁଦିନ ପ୍ରଥମ କରି ଆମ ଘରେ ପହଞ୍ଚିଲେ ସେ ଦିନ କାହିଁକି କେଜାଣି ମୋ ମନରେ ପ୍ରଥମେ କରି ପ୍ରେମର ଭାବ ସଞ୍ଚାରିତ ହୋଇ ଉଠିଲା । କିକୁଲି ଦେଖିବାକୁ ଖୁବ୍‌ ସୁନ୍ଦର । ରାଜକୁମାର ପରି ଚେହେରା । ଦେହ ଗୋଟିକ ଯାକରେ ଝୁଟକି ଉଠୁଚି ଯୌବନର ଉଦ୍ଦାମ ଆଭା । ପୋଷାକ ପରିଧାନ ମଧ୍ୟ ତହୁଁ ବଳି ଚମତ୍କାର-। ମୁଣ୍ଡରେ କଳା ମିଚ୍‌ ମିଚ୍‌ ଗୁଡ଼ାଏ ବାଳ । ଆଖିରେ ଦୁଇଟି କଳା ଚଷମା ।

 

ସେତେବଳେକୁ ମୋର ବୟସ ପନ୍ଦର କି ଷୋହଳ । ନୂତନ କରି ଯୌବନ ଲାଭ କରିଥାଏ–ଆଗରୁ କୌଣସି ଯୁବକ ସହିତ ସେମିତି ପରିଚୟ ନ ଥିଲା ।

 

କିକୁଲି ଆସିବେ ବୋଲି ଭାଇ ଆଗରୁ ଚିଠି ଦେଇଥାଆନ୍ତା; ସେଥିଲାଗି ଆମର ମା ଘରଦ୍ୱାର ସଫାସୁତୁରା କରି ସଜେଇ ଦେଇଥିଲେ । ପୁଅର ସାଙ୍ଗ ଆସିବେ–ନୂଆ ଅତିଥି । ଉପଯୁକ୍ତ ପରିଚର୍ଯ୍ୟା ହେବା ଦରକାର । ମୁଁ ମଧ୍ୟ ସେଥିଲାଗି ତତ୍ପର ଥିଲି ସତେ କି କିକୁଲି ମୋ ନିଜର ଲୋକ ! ତାଙ୍କ ସେବା ଶୁଶ୍ରୁଷା କରିବା ମୋର କର୍ତ୍ତବ୍ୟ !

 

ମୁଁ ସେଦିନ ମୋର ସବୁଠୁ ଭଲ ପୋଷାକ ପିନ୍ଧିଲି । ମୁଣ୍ଡର ବାଳକୁ ଚମତ୍କାର ଭାବରେ ସଜେଇଲି ନାନା ରକମର ସୁବାସିତ ଫୁଲ ଦେଇ । ସେଦିନ ମୋର ଶରୀର ପ୍ରସାଧନ ଲାଗି ସକାଳୁ ପ୍ରାୟ ଆଠ ପର୍ଯ୍ୟନ୍ତ ଦୁଇ ଘଣ୍ଟ ଲାଗିଥିବ । ଗାଡ଼ି ନଅଟାରେ । ଠିକ୍‌ ସାଢ଼େ ନଅଟା ବେଳେ ଦ୍ୱାରା ମୁହଁରେ ଭାଇଙ୍କ ଡ଼ାକ ଶୁଭିଲା–କିପା… ।

 

ଦ୍ୱାର ଖୋଲିଦିଏ ତ ସାଙ୍ଗରେ କିକୁଲି–ଆମର ଅତିଥି ।

 

ଅତି ବିନମ୍ର ଭାବରେ ନମସ୍କାର ଜଣାଇଲି ।

 

ଭାଇ କହିଲେ–କିପା ମୋର ଭଉଣୀ । କନ୍‌ଭେଣ୍ଟରେ ପଢ଼େ । ଭଲ ପଢ଼ୁଚି । ଖେଳରେ ପ୍ରଥମ ପୁରସ୍କାର ପାଇଚି ।

 

ମୋର ମନ ଖୁସିରେ ଭରି ଉଠିଲା । ଭାଇଙ୍କ ମୁହଁରେ ବିଶେଷତଃ ଅତିଥିଙ୍କ ଆଗରେ ମୋ ପ୍ରଶଂସା । ଖୁସି ହେବିନି ?

 

କିକୁଲି ଆମ ଘରେ ପ୍ରାୟ ସାତ ଦିନ ରହିଲେ । କେତେବେଳେ ଏକା ଏକା ମୋ ସହିତ ଆଲାହାବାଦରେ ବୁଲନ୍ତି । ତ୍ରିବେଣୀ ପ୍ରୟାଗ କୂଳରେ ବୁଲିବାବେଳେ ସେ ମୋ ନା ଦେଲେ ଶାମ୍ମି । ସେଇଦିନଠୁଁ ଏ ନାଁଟି ରହିଯାଇଛି ।

 

ପ୍ରୟାଗରେ ଦୁହେଁ ମିଶି ବୁଡ଼ ପକେଇଲୁ । ସେଇଠି ଆମେ ଦୁହଁ ଶପଥ କଲୁ ଯେ ଜୀବନଯାକ ଏକାଠି ରହିବୁ । କିଏ କାହାକୁ ଛାଡ଼ିବୁନି । ଅର୍ଥାତ୍‌ ସେ ମତେ ବିବାହ କରିବେ ।

 

ଏ ସବୁ କହିଲାବେଳେ ମୁଁ ଲକ୍ଷ୍ୟ କରିଚି ଶାମ୍ମିର କାମ ବନ୍ଦ ହୋଇଯାଏ । ତିଳେହେଲେ ସଂକୋଚ ନାହିଁ । ନିଜେ ନାୟିକା ଅଭିନୟ କରି ଚାଲିଚି ଏକ ରଙ୍ଗମଞ୍ଚରେ–ସ୍ୱଚ୍ଛନ୍ଦ ନିର୍ବିକଳ୍ପ ଭାବରେ । ମୁଁ ଅଭିନୟର ଏକମାତ୍ର ଦର୍ଶକ ।

 

କିନ୍ତୁ ଏ ସ୍ୱଚ୍ଛନ୍ଦ ବିଚରଣ ମୋ ବାପା ମାଆଙ୍କର ଆଶଙ୍କା ପ୍ରବଳ ହୋଇଉଠିଲା । କିକୁଲି ଜାତିରେ ସେର୍ପା, କିନ୍ତୁ ଜରିବ ଖ୍ରୀଷ୍ଟାନ୍‌ ସେ । ତାଙ୍କ ନା ସେର୍ପା କିନ୍ତୁ ବାପା ଇଉରୋପୀଆନ୍‌ । ସୋନାପୁରରେ ଏହି ଖଣ୍ଡିକ ମାତ୍ର ଘର । କିକୁଲିଙ୍କ ଜନ୍ମ ହେବାର ପାଞ୍ଚବର୍ଷ ପରେ ବାପା ବ୍ରନ୍ଥେଲ୍‌ ତାଙ୍କୁ ଛାଡ଼ପତ୍ର ଦେଇ ଚାଲିଗଲେ । ସେଇଦିନଠୁଁ ଖ୍ରୀଷ୍ଟାନ ମିସନରେ ରହି ସେ ପାଠ ପଢ଼ିଥିଲେ ।

 

ମୋ ବାପା କିନ୍ତୁ ନୈଷ୍ଠିକ ବୌଦ୍ଧ । ସେ ଚାହୁଁଥିଲେ ମୁଁ ଏକ ବଡ଼ ଘରେ ବାହା ହେବି । ମଟର ତିନି ଚାରିଟା ଥିବ । ଚାକର ଚାକରାଣୀ ଥିବେ ଅନେକ । ସେ ଚାହୁଁଥିଲେ ଧନ, ଜାତି । ଶିକ୍ଷା ପ୍ରତି ତାଙ୍କର ବିଶେଷ ଦୃଷ୍ଟି ନ ଥିଲା । କିନ୍ତୁ ଭାଇଙ୍କର ଉଦ୍ଦେଶ୍ୟ ଥିଲା ମତେ କିକୁଲିଙ୍କ ସହିତ ଯୋଡ଼ିଦେବାକୁ । ତାଙ୍କର ଇଚ୍ଛା ଶେଷରେ ପୂର୍ଣ୍ଣ ହେଲା । ସେ ଦିନ କିକୁଲି ଚାଲିଗଲେ କାଠମାଣ୍ଡୁ–ଅତି ବେଦନାଦାୟକ ତାଙ୍କର ବିଦାୟ । ଗଲାବେଳେ ମତେ କହିଯାଇଥିଲେ ଶାମ୍ମି ନିଶ୍ଚୟ ଚିଠି ଦେବୁ । ପ୍ରୟୋଗର ଶପଥ ଭୁଲିଯିବୁ ନାହିଁ ।

 

ଏ ଭୁଲିଯିବାଟା ପୁଅମାନଙ୍କର ଗୋଟିଏ ବଡ଼ ଦୋଷ କିନ୍ତୁ ଝିଅମାନେ ଯାହାକୁ ଥରେ ଭଲ ପାଇଥାଆନ୍ତି ତାକୁ ସହଜରେ ଛାଡ଼ିପାରନ୍ତି ନାହିଁ । ମୁଁ କେବେ ଭୁଲିଯାଇପାରେ ଅସମ୍ଭବ ।

 

କିକୁଲିଙ୍କ ପଢ଼ା ଶେଷ ହେଲା । ଏଣିକି ଚାକିରୀ କରିବେ ।

 

ସେ ଚାକିରୀ କଲା ପରେ ମତେ ନେଇଯିବେ ବୋଲି ଚିଠି ଲେଖି ଆଶ୍ୱାସନା ଦେଇଥିଲେ । ମୁଁ ଚାହିଁ ରହିଥିଲି କେବେ ସେ ଚାକିରୀ କରିବେ ଆଉ ମୁଁ ଯିବି ।

 

କିନ୍ତୁ ଇତିମଧ୍ୟରେ ଖବର ପାଇଲି କିକୁଲି ମିଲଟାରୀକ ଯିବେ । ସେଇଠି ସେ ଡାକ୍ତରୀ କରିବେ । ତା ପୂର୍ବରୁ ଟ୍ରେନିଂ ଲାଗି ଡେରାଡ଼ୁନରେ ଛଅ ମାସ କଟେଇବାକୁ ପଡ଼ିବ ।

 

କିକୁଲିଙ୍କ ସହିତ ମୋର ବୈବାହିକ ସଂପର୍କ ସମ୍ୱନ୍ଧରେ ବାପା ମା କିଛି ଜାଣି ନ ଥାଆନ୍ତି । ତାଙ୍କର ଧାରଣା ଯେ କିକୁଲି ବିଦାୟ ନେବା ଦିନୁ ତାଙ୍କ ସହିତ ମୋର ସମ୍ପର୍କ ଶେଷ ହୋଇଯାଇଛି । ଯାହା ବା ଚିଠିପତ୍ର ଆସେ ମୁଁ ଲୁଚାଇ ରଖେ । ସହିତ ମୋର ସମ୍ପର୍କ ଶେଷ ହୋଇଯାଇଛି । ଯାହା ବା ଚିଠିପତ୍ର ଆସେ ମୁଁ ଲୁଚାଇ ରଖେ । କିନ୍ତୁ ଭାଇଙ୍କୁ ସବୁ କଥା ଜଣା । ସେ ଏ ବିବାହର ପକ୍ଷପାତି ଥିବା ହେତୁ ସେ ସବକୁ କଥା ଘୋଡ଼େଇ ରଖି ଥାଆନ୍ତି । ମତେ ବାଧା ଦିଅନ୍ତି ନାହିଁ କମି ବାପାଙ୍କୁ କିଛି କୁହନ୍ତି ନାହିଁ ।

 

କିନ୍ତୁ ଇତି ମଧ୍ୟରେ ବାପା ମତେ ବିବାହ ଦେବାପାଇଁ ପାତ୍ର ଠିକ୍‍ କରି ଫେରିଛନ୍ତି । ଦିନେ ମୋର ଜଣେ ସାଥି ଜଣେ ଯୁବକଙ୍କ ସହିତ ଘରକୁ ଆସି ମତେ ସିନେମା ଯିବାପାଇଁ ନିମନ୍ତ୍ରଣ କଲେ । ବାପା ଅନ୍ୟ କାହାରି ସାଥିରେ ସିନେମା ଯିବାକୁ ଯିବାପାଇଁ ନିମନ୍ତ୍ରଣ କଲେ । ବାପା ଅନ୍ୟ କାହାରି ସାଥିରେ ସିନେମା ଯିବାକୁ ମନା କରନ୍ତି । କିନ୍ତୁ କାହିଁକି କେଜାଣି ଏଥର ମନା କଲେ ନାହିଁ, ବରଂ ଖୁସିରେ ଛାଡ଼ିଦେଲେ । ବାପାଙ୍କ ପୂର୍ବ ପରିକଳ୍ପନା ଅନୁଯାୟୀ ଏସବୁ ହେଉଥିବା କଥା ମୁଁ ଜାଣି ନ ଥିଲି । ପରେ ଜାଣିପାରିଲି ଯେ, ମୋ ସହିତ ଯେଉଁ ଯୁବକ ଜଣକ ସିନେମା ଯାଇଥିଲେ ସେ ପ୍ରସ୍ତାବିତ ପାତ୍ର । ଲକ୍ଷ୍ନୌର ଜଣେ ଧନୀ ପୁଞ୍ଜିପତିଙ୍କର ପୁଅ । ଉଚ୍ଚ ଜାତିର । ମତେ ସେ ବିବାହ କରିବେ ଆଉ ଦୁଇ ମାସ ପରେ ।

 

ମୋ ମନ ବିବ୍ରତ, ଚଞ୍ଚଳ ହୋଇ ଉଠିଲା । କିକୁଲିଙ୍କ ଟ୍ରେନିଂ ଶେଷ ହେଲା ବେଳକୁ ଆହୁରି ଛ’ମାସ । ଇତି ମଧ୍ୟରେ ବାପା ଯଦି ମତେ ଜୋର ଜବରଦସ୍ତି ବିବାହ କରାଇ ଦିଅନ୍ତି ତାହାବେଲେ ଜୀବନ ଦୁଃଖମୟ ହୋଇ ଉଠିବ ।

 

ଏକ ଲମ୍ୱା ଚିଠି ଲେଖିଲି କିକୁଲିଙ୍କ ପାଖକୁ–

 

କିନ୍ତୁ ଟ୍ରେନିଂ ପିରିଅଡ଼ ଛୁଟି ପାଇବା କଠିନ ହୋଇ ପଡ଼ିଲା କିକୁଲିଙ୍କ ପକ୍ଷରେ । ସେ ବ୍ୟତିବ୍ୟସ୍ତ ହୋଇ ଭାଇଙ୍କ ପାଖକୁ ଚିଠି ଲେଖିଲେମତେ ମତେ ଆଣି ତାଙ୍କ ମା’ଙ୍କ ପାଖରେ ଛାଡ଼ି ଦେବାପାଇଁ ।

 

ଭାଇଙ୍କ ଉପରେ ଏ ଏକ ବଡ଼ ଦାୟିତ୍ୱ ।

 

ଦିନେ ମତେ ଭାଇ ନିକାଞ୍ଚନରେ ପଚାରିଲେ, ‘‘କିପା, ତୁ ସତେ କିକୁଲିକୁ ଏତେ ଭଲପାଉ ।

 

ଲଜ୍ଜାରେ ମୋ ମୁଣ୍ଡ ତଳକୁ ନଇଁଗଲା । କାନ୍ଦି ପକାଇଲି ଛୋଟ ପିଲାଙ୍କ ପରି । ଭାଇ ମୋ ମୁଣ୍ଡ ଟେକି ଲୁହ ପୋଛି ଦେଲେ । ଆଜି ରାତିରେ ସେ କଲିକତା ଯିବା କଥା । ମତେ ସାଙ୍ଗରେ ନେଇ ସୋନାପୁରରେ ଛାଡ଼ିଦେବେ ବୋଲି କହିଲେ । କିନ୍ତୁ ଶେଷରେ ଦୀର୍ଘ ନିଃଶ୍ୱାସଟା ପକାଇ କହିଲେ–ଜାଣୁ କିପା, ତୁ କିକୁଲିକୁ ଯେତେ ଭଲପାଉ ମୁଁ ତାଠୁ ଅଧିକ ଭଲପାଏ ତାକୁ । ସେ ମୋର ଅତି ଅନ୍ତରଙ୍ଗ ବନ୍ଧୁ । ଗରିବ ସିନା । ତାର ହୃଦୟ ଅତି ମହତ୍‌ । ମୁଁ ଜାଣେ ତୋ ଭବିଷ୍ୟତ ଜୀବନ ଆମ ଘରଠୁ ବଳି ସୁଖମୟ ହେବ ନି–ବରଂ ଅଧିକ ମର୍ମନ୍ତୁଦ, ବେଦନାଦାୟକ ହୋଇଉଠିବ । କିକୁଲି ଡାକ୍ତର–ମିଲଟାରୀ ଜୀବନ–ତୋଠାରୁ ସବୁବେଳେ ବିଚ୍ଛିନ୍ନ ହୋଇ ରହିବ । ସେବାକୁ ହିଁ ସେ ଉଚ୍ଚସ୍ଥାନ ଦେଇଥାଏ । ତାର ପ୍ରତି ଶିରାରେ ଦେଶାତ୍ମବୋଧ ।

 

ସ୍ଥିର ଚକ୍ଷୁରେ ଚାହିଁ ରହିଲି ଭାଇଙ୍କ ମୁହଁକୁ ।

 

ପ୍ରସ୍ତୁତ ହେଲି ଯିବାପାଇଁ–ସ୍ୱାମୀଙ୍କ ପାଖକୁ ଯାଉନି, ପ୍ରଥମେ ଯିବି ଶାଶୁଙ୍କ ପାଖକୁ । ହୁଏତ ପରେ ଦେଖା ହେବ ସ୍ୱାମୀଙ୍କ ସହ ଆଉ ପାଞ୍ଚ ମାସ ପରେ ।

 

ସେଦିନ ରାତିରେ ମୋ ଆଖିରେ ନିଦ ନାହିଁ । ଚିନ୍ତା–ଖାଲ ଚିନ୍ତା । ମୁଣ୍ଡ ଭାରି ଭାରି ଲାଗୁଥାଏ । ବାପମାଆଙ୍କୁ ନ ପଚାରି ବିଦାୟ ନେବି–ସ୍ନେହ, ଶ୍ରଦ୍ଧା, ମାୟା ସବୁକୁ ଜଳାଞ୍ଜଳି ଦେଇ-

 

ଖଣ୍ଡିଏ ଚମଡ଼ା ସୁଟକେଶ୍‌, କେତେ ଖଣ୍ଡି ସିଲିକନ୍‌ ଶାଢ଼ି, ତିନି ଚାରିଟି ବହି ଓ ଅଳଙ୍କାର । ରାତି ଦୁଇଟା ଅଢ଼େଇଟା ବେଳକୁ ଭାଇ ଡାକିଲେ–କିପା....ଆ ।

 

ଅତି ଧୀର ସଂତର୍ପଣରେ ଚାଲିଲ ଭାଇଙ୍କ ପଛେ ପଛେ । ମୁଁ ଆସିବି ବୋଲି ଶାଶୁ ଆଗରୁ ଜାଣି ଥାଆନ୍ତି । ପୁରା ଆଧୁନିକା ମଳିଳା । ବୟସ ପଚାଶ ବାଉନ ହେବ । ଭାଇ କେତେଥର ଏଠି ଅତିଥି ହୋଇଛନ୍ତି । ଶାଶୁଙ୍କ ପାଖରେ ସେ ଦ୍ୱିତୀୟ ପୁଅ ।

 

ମତେ ଦେଖି କୁଣ୍ଢାଇ ପକାଇଲେ–ଦେହ ହାତ ମୁଣ୍ଡ ଚାରିଆଡ଼େ ଚୁମ୍ୱନ । ବୋହ ହୋଇ ରହିଲି ଏଇଠି–ସ୍ୱାମୀଙ୍କୁ ଅପେକ୍ଷା କରି । ଘରେ ଏମିତି ଅପେକ୍ଷା କରି କରି ଶରୀର ଶୀର୍ଣ୍ଣ ହୋଇ ଉଠିଥିଲା । ଏ ଅପେକ୍ଷା ସେ ଅପେକ୍ଷାଠୁ ବଳିଗଲା । ଭାଷା ପାଉନି ତାକୁ ବର୍ଣ୍ଣନା କରିବା ପାଇଁ। ଦେହର ପ୍ରତି ଲୋମ–ଶିରା ପ୍ରଶିରାରେ ସେ ଅନୁଭୂତି ରହିଚି । ଶାଶୁଙ୍କ ସ୍ନେହ ଶ୍ରଦ୍ଧାରେ ବୁଡ଼ି ରହିଥାଏ–କିନ୍ତୁ ବାପାମାଆଙ୍କୁ ସହଜେ ଭୁଲି ପାରେନା ।

 

ମୁଁ ଘରୁ ଆସିବା ପରେ ବାପାମାଆଙ୍କ ଅବସ୍ଥା କଥା ଏଠି ବର୍ଣ୍ଣନା କରି କିଛି ଲାଭ ହେବ ନାହିଁ । ତାହା ଅତି ବ୍ୟଥାଦାୟକ, ସକରୁଣ । ମୁଁ ଆସିବାର ଦୁଇ ବର୍ଷ ଶୁଣିଲି ମୋ ମାଆ ମରି ଯାଇଛନ୍ତି–ବାପା ବୌଦ୍ଧ ସନ୍ନ୍ୟାସୀ ହୋଇ ଘାଙ୍ଗାଲାଠାରେ ଅଛନ୍ତି । (ଘାଘଂଲା ଶୋଲା ଖମ୍ୱ ପାଖରେ ଏକ ତୀର୍ଥସ୍ଥାନ–ବୌଦ୍ଧ ପୀଠ ।)

 

ଟ୍ରେନିଂ ସରିଲା । କିକୁଲି ଆସିଲେ ସିଧା ଏଇଠିକି–ମତେ ଦେଖିବା ପାଇଁ ତାଙ୍କର ବ୍ୟଗ୍ରତା କହିଲେ ନ ସରେ । ଆସିଲାବେଳେ ମୋ ପାଇଁ କେତେ ରକମର ଅଳଙ୍କାର, ଶାଢ଼ି ଟ୍ରଙ୍କ ଭର୍ତ୍ତିକରି ଆଣିଥାନ୍ତି ।

 

ଦାମ୍ପତ୍ୟ ଜୀବନ ଆରମ୍ଭ ହେଲା । ଆନନ୍ଦମୟ ଜୀବନ ! ଆଜି ଯେଉଁଠିକି ବୁଲି ଯାଇଥିଲେ–ଦୁହେଁ ସେଇଠିକି ଯାଉ । ମୁକ୍ତ ଆକାଶ ତଳେ, ଲତା-କୁଞ୍ଜ ଆଢ଼ୁଆଳରେ ଖେଳୁ । ଦୁଇମାସ ପରେ ପୁଣି ଚାକିରୀ–କର୍ଣ୍ଣଲ କିକୁଲି ଉପାଧି ମିଳିଥାଏ । ବହୁ ଟଙ୍କା ଦରମା । ମାସକୁ ମାସ ପାଞ୍ଚ ଛଅ ଶହ କରି ପଠାନ୍ତି ମୋ ନାଁରେ । ଟଙ୍କା ଏତେ ଦରକାର ନ ଥାଏ–ସବୁ ନେଇ ଜମା କରେ ପୋଷ୍ଟଅଫିସରେ ।

 

ମଝି ମଝିରେ ଛୁଟି ନେଇ ଆସନ୍ତି । ସୁନ୍ଦର ଜୀବନ କଟାଉ । କଲିକତା ବୁଲିଯାଏ । ପୁଣି ଫେରିଆସେ ।

 

ପ୍ରାୟ ଦେଢ଼ବର୍ଷ କଟିଗଲା–

 

ଦ୍ୱିତୀୟ ମହାଯୁଦ୍ଧ ଆରମ୍ଭ ହେଲା । ହଠାତ୍‌ ଚିଠି ପାଇଲି–ତାଙ୍କୁ ବର୍ମା ଯିବାକୁ ପଡ଼ିବ-। ବହୁତ ପ୍ରବୋଧନା ଦେଇ ଚିଠି ଲେଖିଥିଲେ । କିନ୍ତୁ ମନ ବୁଝିଲା ନାହିଁ । ଏକାକୀ ଶାଶୁଙ୍କୁ ଧରି କଲିକତା ଦୌଡ଼ିଲି ତାଙ୍କୁ କହିବାକୁ–ଯାଅନି, ଚାକିରୀ ପଛେ ଯାଉ–ପ୍ରାଇଭେଟ ଚିକିତ୍ସା କଲେ ଚଳିବ ଆଦି କହି ବହୁତ କାକୁତି ମିନତି କଲି; ସେ ମୋର ଅନୁରୋଧ ରଖିଲେ ନାହିଁ । ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ବର୍ମା ।

 

କଣ୍ଠରୋଧ ହୋଇ ଆସିଲା । ଆଉ କିଛି କହି ପରିଲା ନାହିଁ ଶାମ୍ମି । ଖାଳି କାନ୍ଦ । ପ୍ରାୟ ଅଧଘଣ୍ଟାଏ କାଳ ମୁଁ ଗମ୍ଭୀର ହୋଇ ବସି ରହିଥାଏ ।

 

ସେ ଦିନଠୁ ଆଉ କିଛି ଖବର ପାଇ ନାହିଁ । ଶୁଣିଲି, ସେ କୁଆଡ଼େ ନେତାଜୀଙ୍କ ଆଇ.ଏନ.ଏ. ରେ ଯୋଗ ଦେଇଥିଲେ । ବ୍ରିଟିଶ ଗୁଳିରେ ଟଳି ପଡ଼ିଲେ । ନିଶ୍ଚହ୍ନ ହୋଇଗଲେ । ଅଜ୍ଞାତ ଭାବରେ ।

 

ସେ ଯିବାର ୩ ମାସ ପରେ ଶାଶୁଙ୍କର ମୃତ୍ୟୁ–ସଙ୍ଗେ ସଙ୍ଗେ ନିମ୍ମୁର ଜନ୍ମ । ପିତୃହରା ନିମ୍ମୁ । ବାପା କି ଜିନିଷ ଜାଣେନା । ଏ ପର୍ଯ୍ୟନ୍ତ ବାପା କାହିଁ ପଚାରି ନାହିଁ । ଯେଉଁଦିନ ପଚାରିବ, ସେଦିନ କ’ଣ କହିବି ? –କ୍ଷୀଣ ହୋଇ ଆସିଲା ଶାମ୍ମିର ସ୍ୱର !

 

ଏଇ ହେଲା ଶାମ୍ମିର ସଂକ୍ଷିପ୍ତ ଜୀବନୀ ! ନିଦାଘ ଗ୍ରୀଷ୍ମ ପରି ଉତ୍ତପ୍ତ, ବରଫଠୁ ବଳି ଶୀତଳ । ମଣିଷ ପରି ସେ ସେ ଜୀଇଁଚି–ସେ ପଶୁଙ୍କ ପରି ଜୀବନ ଅତିବାହିତ କରୁଚି । ଖାଲି ନିମ୍ମୁର ଦରୋଟି ହସ ଭିତରେ ଲୁଚି ରହିଚି ତାର କିକୁଲ । ସୁନାର ସଂସାର ଚୂନା ହୋଇଚି । ପ୍ରେମିକା, ପ୍ରଣୟିନୀ, ମଦଳସା. ପ୍ରିୟା ଏ ଶବ୍ଦର ଯୋଗ୍ୟ ନୁହେଁ–ଶାମ୍ମି ଆଜି ମାଆ, ଜନନୀ ! ବେଶ୍‌ ସେତିକି !

 

ଦି’ପ୍ରହର । ପ୍ରାୟ ଦିନ ବାରଟା ।

 

ଖ୍ରୀଷ୍ଟ ମାସର ଉତ୍ସବ କୋଳାହଳ । ଥଣ୍ଡା ବତାଶ ବହି ଚାଲିଛି ଏ ପାଖେ ସେପାଖେ । ମଟର ଆସି ଠିଆ ହେଲା କାର୍ସିଙ୍ଗ୍‌ ସହରରେ । ସମୁଦ୍ର ପତନରୁ ଚାରି ହଜାର ଆଠ ଶହ ଫୁଟ ଉଚ୍ଚରେ ଏ ସ୍ଥାନଟି । ଦାର୍ଜିଲଂ ଜିଲାର ଏକ ରମଣୀୟ ସ୍ୱାସ୍ଥ୍ୟକର ସ୍ଥାନ । ବଜାରଟି ବେଶ ସୁସଜ୍ଜିତ-। ସହର ଆରମ୍ଭରୁ ରେଲ ଷ୍ଟେସନ । ତଳେ ବଜାର । ଯେତେ ଉପରକୁ ଚାହିଁବ ଖାଲି ଘର-। ପରସ୍ପରଠୁ ବହୁତ ଛଡ଼ାଛଡ଼ି । ହୋଟେଲ, ରେଷ୍ଟୁରାଣ୍ଟ, ବୋର୍ଡ଼ିଂ, ଭମ୍ରଣକାରୀଙ୍କ ପାଇଁ ସବୁ ରକମର ସୁବନ୍ଦୋବସ୍ତ । ଅକାତର ଭାବରେ ପଇସା ଖର୍ଚ୍ଚ କଲେ ହେଲା ।

 

ଏଠି ସବୁଠୁ ବଡ଼ ଉତ୍ସ ଖ୍ରୀଷ୍ଟମାସ । ଖ୍ରୀଷ୍ଟାନଙ୍କ ସଂଖ୍ୟା ଅଧିକ । ଆମମାନଙ୍କ ବଣ ଜଙ୍ଗଲରେ ଜଙ୍ଗଲରେ ପରି ଖ୍ରୀଷ୍ଟାନ ମିସନାରୀମାନେ ଯେପରି କନ୍ଧ, କୋହ୍ଲଙ୍କୁ ଖ୍ରୀଷ୍ଟାନରେ ପରିଣତ କରି ଦେଇଛନ୍ତି–ସେହିପରି ଏଠାରେ ଘଟିଛି । ଆଗରୁ ଏମାନେ ବୌଦ୍ଧ ଥିଲେ । ବୌଦ୍ଧ ଧର୍ମର କଠୋରତା ଏମାନଙ୍କ ପକ୍ଷରେ ସହ୍ୟ ହେଲାନି । ଥଣ୍ଡାରେ ରହି ମାଂସ ଖାଇବ ନାହିଁ–ମଦ ପିଇବ ନାହିଁ ଏମିତି ଗୋଟାଏ ଧର୍ମରେ ବାନ୍ଧି ହୋଇ ରହିବାକୁ ହୁଏତ ଲୋକେ ପସନ୍ଦ କଲେନାହିଁ-। ତା’ ଛଡ଼ା ଖ୍ରୀଷ୍ଟାନମାନଙ୍କର ଅର୍ଥ, ଶିକ୍ଷା, ସଭ୍ୟତାର ପ୍ରଲୋଭନ; ସହଜେ ମେମ ହେବାର ପ୍ରେରଣା ଏମାନଙ୍କ ପୂର୍ବ ବଂଶଧରଙ୍କୁ ଅନୁପ୍ରାଣିତ କଲା । ଧର୍ମାନ୍ତରର ଦୀକ୍ଷିତ ହେଲେ । ବୁଦ୍ଧଙ୍କୁ ଛାଡ଼ି ଖ୍ରୀଷ୍ଟଙ୍କୁ ଆରାଧନା କଲେ । ମାଂସ, ମନ୍ଦ, କୌଣସିଥିରେ ବାଧା ନାହିଁ । ଯେଉଁ କେତେଜଣ ନୈଷ୍ଠିକ ବୌଦ୍ଧ ହୋଇପଡ଼ି ରହିଥିଲେ, ସେମାନଙ୍କ ବଂଶଧରମାନେ ଗରିବ ହୋଇ ବର୍ତ୍ତମାନ ଏହି ସୁସଭ୍ୟ ଜାତିଟିର ସେବାକରି ଆସୁଛିନ୍ତି । ଏମାନେ ପାହାଡ଼ ହାଣୁଛନ୍ତି–ଚାହାପତ୍ର ଖୁଣ୍ଟୁଛନ୍ତି-। ହାଡ଼ଭଙ୍ଗା ଶୀତରେ ଚାଷ କରୁଛନ୍ତି ଆଳୁ, ଯଅ, ବାର୍ଲି ଇତ୍ୟାଦି ଓ ବିଭିନ୍ନ ରକମର ପନିପରିବା–କମଳା, ଲେମ୍ୱୁ ।

 

 

ଆଗରୁ କାର୍ସିଙ୍ଗର ନାଁ ଶୁଣିଥିଲି–ଏକ ଭଦ୍ର ସୁସଭ୍ୟ ସହର । ବଡ଼ସ୍କୁଲ–ଭଲ ଡାକ୍ତରଖାନା, ସାନାଟୋରିୟମ୍‌ ସବୁ ଭଲ । ଦାର୍ଜିଲଂ ଜିଲାରେ ଏହା ଏକ ଅନୁପମ ସ୍ଥାନ ।

 

କାର୍ସିଙ୍ଗ ପର ଷ୍ଟେସନ ଘୁମ୍‌ । ଦାର୍ଜିଲିଂ ବାଟରେ ଏହା ହିଁ ସର୍ବୋଚ୍ଚ ସ୍ଥାନ । ଉଚ୍ଚତା ଆଠ ହଜାର ପାଞ୍ଚ ଶହ ଫୁଟ । ତେଣୁ ଅଧିକ ଶୀତ ଏଇଠି । କୋଟ କାମିଜ ଭେଦି ଦେହର ଶିରା ପ୍ରଶିରାରେ ଥଣ୍ଡା ପଶିଗଲା ପରି ବୋଧ ହେଉଥାଏ । ଏଇଠୁ କାଲିଂପଙ୍ଗ୍‌ ବାଟ ଭାଙ୍ଗି ଯିବାକୁ ହୁଏ-। କାଲିଂପଙ୍ଗ୍‌ ଖବର ପ୍ରାୟ ମାସକେ ୨୦ ଥର ସମ୍ୱାଦ ପତ୍ରରେ ବାହାରିଥାଏ । କାଲିଂପଙ୍ଗ୍‍ ସମୟେ ସମୟେ ଚିର ଯୌବନା ରୂପସୀ ପରି ଉଚ୍ଛଳ ଉଦ୍‌ବେଳ; କିନ୍ତୁ ପରକ୍ଷଣରେ ରାଇକମଳ ପରି ପୁଷ୍ପାବଗୁଣ୍ଠିତା ବୈଷ୍ଣବୀ ପରି ଶାନ୍ତି । ଏଇଠି ପାରିଜାତର ମହକ ଛୁଟିଥାଏ ବାୟୁର କଲ୍ଲୋଳ ଦେହରେ ।

 

ଘୁମ୍‌–ସବୁବେଳେ ଘୁମନ୍ତ ସନ୍ଧ୍ୟା ଓ ଶର୍ବରୀ ପରି ବିଷର୍ଣ୍ଣ ! କୁଆଶାର ଆଭରଣରେ ସବୁବେଳେ ଆଚ୍ଛନ୍ନ । ବାଟକୁ ବାଟ ଦିଶେନା । ବଜାରରେ ଠିଆ ହୋଇ ଫଳ କିଣିଲାବେଳେ ଏ ଅନୁଭୂତ ପାଇଚି । ପାଟିରୁ କଥା ଶୁଣୁଚି କିନ୍ତୁ ଲୋକର ମୁହଁକୁ ଦେଖି ପାରୁନି ।

 

କମଳା ଧରି ପଇସା ଦେଲି । କିନ୍ତୁ କାହାକୁ ଦେଲି, କିଏ କହୁଚି, କିଛି ଜାଣି ପାରିଲି ନାହିଁ । ଘନ କୁହୁଡ଼ିର ବର୍ଷା ଛୁଟିଛି ଅବିଶ୍ରାମ ଭାବରେ ।

 

ଘୁମ୍‌ର ହଜାରେ ଫୁଟ ତଳେ ଦାର୍ଜିଲିଂ । ପଶ୍ଚିମ ବଙ୍ଗଳାର ରାଜଜେମା, ଗ୍ରୀଷ୍ମନିବାସ ।

 

ଦିନ ଗୋଟାଏ ବେଳେ ଦାର୍ଜିଲିଂରେ ପହଞ୍ଚିଲୁ ।

 

ବାଟଯାକ ଖାଲି ଫଳ ଖିଆ ଚାଲିଥିଲା । ଫଳ ବୋଇଲେ ଖାଲି କମଳା ଲେମ୍ୱୁ । ସେତେବେଳେକାର ବଡ଼ ଫସଲ ଏହି ଫଳ । କମଳା ରସରେ କଣ ଭୋକ ମରିଯାଏ ? ଦିନ ଗୋଟାକ ବେଳକୁ କ୍ଷୁଧାଜର୍ଜର କଣ୍ଠରୁ କଥା ବାହାରୁ ନ ଥାଏ । ପ୍ରଥମେ ଖାଅ–ତା’ପରେ ରହିବା ବ୍ୟବସ୍ଥା ।

 

ପାଖେ ପାଖେ ହରିସିଂ । ପୁଣି ତିନିଟା ବେଳେ ସେ ମଟର ଛାଡ଼ିବ ସିଲଗୁଡ଼ିକୁ । ରାତି ହଲଟିଂ ସେଇଠି । ଯିବା ପୂର୍ବରୁ ହରିସିଂ ଆମର ସବୁ ସୁବିଧା କରି ଦେଇଗଲା । ମଟରରୁ ଓହ୍ଲେଇବା ମାତ୍ରେ ମଟର ଷ୍ଟାଣ୍ଡ ପାଖରେ ହୋଟେଲ ଦେଖାଇ ଦେଇ ହରିସିଂ କହିଲା–ଏଇଟା ଭଲ ହୋଟେଲ, କିଛି ଖାଇ ପକାନ୍ତୁ ?

 

ହୋଟେଲରେ ପ୍ରଥମେ ପଶୁ ପଶୁ ଜଣେ ବାଳିବା ପାଛୋଟି ନେଲେ । ଭିତରେ ଯାଇ ଦେଖିଲୁ ଏଠି ସମସ୍ତେ ବାଳିକା । ରୋଷେଇ, ପରଷା, ପଇସା ରଖିବା ସବୁ ଦୁଇ ଚାରିଜଣ ବାଳିକା ଦ୍ୱାରା । ଛୋଟ ହୋଟେଲଟିଏ । ତଥାପି ଅବ୍ୟବସ୍ଥା ନୁହେଁ। ବ୍ୟବହାର ଖୁବ୍‌ ଭଦ୍ର । ସଙ୍କୋଚ ଶଙ୍କା କିଛି ନାହିଁ ।

 

ଗରମ ଗରମ ଭାତ–ମାସଂ ଝୋଳ, ସୁପ୍‌, ଡ଼ାଲି ଏହାହିଁ ଖାଦ୍ୟ ସାମଗ୍ରୀ । ମୋର ଧାରଣା ଥିଲା ଏମାନେ ସମସ୍ତେ ବୌଦ୍ଧ; ତେଣୁ ମାଡ୍ରାସୀ ହୋଟେଲ ଭଳି ଏଟି ମାଛ, ମାଂସ ନିଷେଧ । କିନ୍ତୁ ହୋଟେଲ ପାଖରେ କଂସେଇ ଖାନାର ଶବ୍ଦ ଶୁଭୁଥାଏ ଅନବରତ । ବୁଝିଲି, ଏହି ହୋଟେଲ ପରିଚାଳିକା ସମସ୍ତେ ଖ୍ରୀଷ୍ଟାନ । ଚାରିଟି ଭଉଣୀ ପାଠ ପଢ଼ନ୍ତି, ହୋଟେଲ କାମ କରନ୍ତି, କେହି କେହି ଦରକାର ପଡ଼ିଲେ କମଳା ଟୋକେଇ ଧରି ବଜାରରେ ବୁଲି ବିକନ୍ତି । ବେପାର ତ ବେପାର । ଏଥିରେ ସାନ ବଡ଼ର ଶ୍ରେଣୀ ବିଭାଗ ନାହିଁ ।

 

ବୌଦ୍ଧମାନେ ମଧ୍ୟ ବର୍ତ୍ତମାନ ମାଛ ମାଂସ ଖାଇବା ଆରମ୍ଭ କଲେଣି । କୌଣସି ନିଷେଧ ନାହିଁ । ଖାଇଲେ ଧର୍ମରୁ ବାସନ୍ଦ କରାଯାଉ ନାହିଁ । ମାଂସ ଚିନା ଦେହ ତାଜା ହେବ କିପରି-? ହ୍ୱିସ୍କି, ରମ୍‌ ଲିକରର ବ୍ୟବହାର ମଧ୍ୟ ପ୍ରଚୁର । ହୋଟେଲର ରନ୍ଧା ସେତେ ଭଲ ଲାଗିଲାନି-। ପ୍ରଥମେ ଦିନ ଏ ହୋଟେଲରେ ଖାଇ ଖାଇ ପାଞ୍ଚ ଛ ଦିନ କପିରି ରହିବି ଚିନ୍ତା କରି ବସିଲି । ମିଲ ଗର୍ଜ କମ୍‌ ନୁହେଁ । ପ୍ଳେଟେ ମାଂସ, ଭାତ ଗଣ୍ଡିଏ, ଟିକିଏ ଡାଲି, ସୁପ୍‌କୁ ପ୍ରାୟ ଏକଟଙ୍କା ଦୁଇଅଣା-

 

ଧର୍ମଶାଳାରେ ରହିବାକୁ ପଡ଼ିଲା । ହରିସିଂ କୁଲି କରି ଆମ ଖାଇବେ ଭିତରେ ଆମ ବେଡ଼ିଂପତ୍ର ନେଇ ସେଇଠି ରଖିଦେଇ ଆସିଥାଏ ।

 

ପୁରୀ, ଗୟା, ପ୍ରୟୋଗ ଓ ବନାରସରେ ଦେଖିଚି ତୀର୍ଥଯାତ୍ରୀମାନେ ଧର୍ମଶାଳାରେ ରୁହନ୍ତି । ଅନ୍ୟଠି ଆଶ୍ରୟ ଯେ ମିଳେନା ତାହା ନୁହେଁ । ଆଶ୍ରୟ ପାଇଁ ହୋଟେଏ, ବୋର୍ଡଂ ଏ ସବୁ ଜାଗାରେ ଅଛି । କିନ୍ତୁ ଧର୍ମଶାଳାରେ ରହିବା ସହଜ, ସୁବିଧା, ଶସ୍ତ । ଟଙ୍କା ପଇସା ପଡ଼େନା । ଅନ୍ୟ ସୁବିଧା ହେଉଛି–ଏଠି ମାଛ ମାଂସରେ କାରବାର ବେଶୀ ନାହିଁ । ପ୍ରାୟ ସବୁଜାଗାରେ ଧର୍ମଶାଳାଗୁଡ଼ିକ ନିରାମିଷ ମାରୁଆଡ଼ି ଧର୍ମପରାୟଣ ଧନୀଲୋକଙ୍କ ଦ୍ୱାରା ସ୍ଥାପିତ । ଆମିଷ ନିଷେଧ, ସେଥିଲାଗି କଡ଼ା ବ୍ୟବସ୍ଥା । ତା ଛଡ଼ା ତୀର୍ଥଯାତ୍ରୀମାନଙ୍କ ବଡ଼ ଉଦ୍ଦେଶ୍ୟ ହେଲା କମ ଖର୍ଚ୍ଚରେ ପୁଣ୍ୟ ଅର୍ଜନ କରିବା । ସତେ ଯେପରି ପୁଣ୍ୟଟା ଏକ ପଣ୍ୟଦ୍ରବ୍ୟ ! ସେଥିଲାଗି ଭୀଷଣ କଷ୍ଟ ସହିବାକୁ ପଡ଼େ । ଦାନ, ଦକ୍ଷିଣା, ମହାପ୍ରସାଦ ସେବନରେ ଏମାନେ ବିଶେଷ ଖର୍ଚ୍ଚ କରିଥାଆନ୍ତି । କିନ୍ତୁ ଗାଡ଼ି ମଟର, ରିକ୍‌ସାକରି ଚାରିଆଡ଼େ ବୁଲି ପ୍ରକୃତ ଦର୍ଶନ କରିବାର ଇଚ୍ଛା ଏମାନଙ୍କର ନ ଥାଏ । ତୀର୍ଥସ୍ଥାନ ବୁଲି ଘରକୁ ଗଲେ ସେମାନେ ସେଠି ପୁଣ୍ୟବନ୍ତ ବୋଲି ବାହାବା ପାଆନ୍ତି । ବହୁବର୍ଷର ସମସ୍ତ ପାପ, ମିଥ୍ୟାସବୁ ଧୋଇ ହୋଇଯାଏ । ଯୁଗ ଯୁଗ ଧରି ସବୁ ଧର୍ମରେ ଏ ଅନ୍ଧବିଶ୍ୱାସ ରହି ଆସିଚି ।

 

କିନ୍ତୁ ଦାର୍ଜିଲଂ ତ ତୀର୍ଥସ୍ଥାନ ନୁହେଁ–ଏହା ଏକ ସାର୍ଥକ ସ୍ୱାସ୍ଥ୍ୟନିବାସ । ଏଠାରେ ଅଣ୍ଟାକୁ ଜାକି ପଇସା ଗଣି ଚଳିବା ମୂର୍ଖତା !

 

ଧର୍ମଶାଳାର ଗୋଟିଏ କୋଣରେ ଶୋଇ ମୁଁ ଏହି ତୀର୍ଥ କଥା ଭାବୁଥାଏ । ସବୁ ଧର୍ମଶାଳା ପରି ଏଠି ମଧ୍ୟ ସେତିକି ହାଉଯାଉ । ସକାଳୁ ସନ୍ଧ୍ୟାଯାଏଁ ମାରୁଆଡ଼ି ମାଇପିଙ୍କ ତୁଳସୀ ରାମାୟଣର ଦୁହା । ଏଡ଼େ ବେସୁରା ଓ ବିକୃତ କରି ବୋଲନ୍ତି ଯେ, ଯେକୌଣସି ଲୋକ ବିରକ୍ତ ହେବା ସ୍ୱାଭାବିକ । ତୁଳସୀ ରାମାୟଣ ମୁଁ କଟକରେ ଗୋପୀନାଥଙ୍କ ମନ୍ଦିରରେ ଶୁଣିଚି । ପ୍ରତିବର୍ଷ ମାରୁଆଡ଼ିମାନେ ଭଲ ଗାୟକଙ୍କୁ ଡାକନ୍ତି । କି ସୁନ୍ଦର ଭାବ । ସ୍ୱର ମଧ୍ୟ ତା ସାଙ୍ଗକୁ ଅତି ସୁନ୍ଦର । ଶୁଣିଲେ ଆଖି ବୁଜି ହୋଇ ଆସେ-ମନ ଓ ପ୍ରାଣରେ ପ୍ରଶାନ୍ତି ଜାଗେ । ମଣିଷ ବିଭୋର ହୋଇଉଠେ । ମନରେ ଜାଗିଉଠେ ସେହି ଫୁଙ୍ଗୁଳା–ଚୁଟିଆ–ଶୀର୍ଣ୍ଣାଙ୍ଗ ଚେହେରାଟି–ତୁଳସୀଦାସଙ୍କର । ହାତରେ ଦୁଇଯୋଡ଼ା କାଠି ! ଗୀତ ସାଙ୍ଗକୁ ତାଳମାନ ! କି ଆନନ୍ଦ, କି ପୁଲକ-! ଭକ୍ତ ତନ୍ମୟ ହୋଇ ଉଠିବା ସ୍ୱାଭାବିକ ! କିନ୍ତୁ ଏଇ ମାଇପିଗୁଡ଼ାଙ୍କର କି ବିକଟ ଚିତ୍‌କାର-। ରାତି ବାର ବାଜିଲା, ତଥାପି ବନ୍ଦ ନାହିଁ । ମୁଣ୍ଡକୁ ହଲାଇ, ମୁଣ୍ଡରେ ଓଢ଼ଣା ଲମ୍ୱେଇ ଗୋଡ଼କୁ ଲମ୍ୱେଇ ବସି ଯାଇଛନ୍ତି ଦଶ କି ବାର ହେବ ! ପଦକୁ ପଦ ଚାଲିଛି ! ରାତିରେ ଯଦି ବାଟଯାକ କିଛି ନ ଦେଖି କୌଣସି ଲୋକ ସିଧା ଏଇଠି ଆସି ପହଞ୍ଚେ, ଦାର୍ଜିଲିଂ କାହିଁକି ଆସିଲି ବୋଲି ତେବେ ବ୍ୟସ୍ତ ହୋଇପଡ଼ିବ !

 

ରାତି ପାହିଲା । ଏଠି କୁଆ ନାହିଁ ସେ କାଆ କାଆ ରାବ କରି ସକାଳ ହେଲା ବୋଲି ସୂଚେଇବ । କୁକୁଡ଼ା ଅବଶ୍ୟ ଅଛନ୍ତି, କିନ୍ତୁ ନିରାମିଷାଶୀ ସ୍ଥାନର ବହୁ ଦୂରରେ । ଏଇଠି ମାଂସର ଗନ୍ଧ ବାଜିବ ନାହିଁ କି ଶିକାର ପ୍ରାଣୀର ସ୍ୱର ଶବ୍ଦ ଶୁଭିବ ନାହିଁ–ସବୁ ନିଷେଧ ! ପ୍ରଭାତର ସୂଚନା ଆଉ କିଏ ଦେବ ? ସୂର୍ଯ୍ୟରଶ୍ମି ଉପରେ ଭୌଗୋଳିକ ନିଷେଧାଜ୍ଞା ଜାରି ହୋଇଛି । ସୃଷ୍ଟିର ଆରମ୍ଭକୁ ହିମାଳୟ ଯେତେଦିନ ହେଲା ଠିଆ ହେଲଣି, ସେଇ ଦିନଠୁଁ ! ତେଣୁ ସକାଳ ବୋଲି ମୁଁ ଯେତେବେଳେ ଉଠିଲି ସେତେବେଳକୁ ଘଣ୍ଟାରେ ବାଜିଲାଣି ଦିନ ନଅ । ଆଜିର ସକାଳ ପାଞ୍ଚ ଘଣ୍ଟା ହେଲା ଅତୀତ ହୋଇଗଲାଣି । ଯେଉଁମାନେ ସକାଳରୁ ସକାଳ ବୋଲି ଚିହ୍ନି ଥାମନ୍ତି ସେମାନେ ଉଠିସାରି ଯିଏ ଯାହା କାମକୁ ଗଲେଣି । ଘୋଡ଼ସବାର କରି ତେନଜିଂର ବଂଶଧରମାନେ ଏତିକିବେଳେ ଚାରି ପାଞ୍ଚ ଟଙ୍କା ଆଦାୟ କରି ସାରିବେଣି । ହରିସିଂର ଗାଡ଼ି ସିଲଗୁଡ଼ିରୁ ବାହାରି ସୋନାପୁରରେ ଆସି ପହଞ୍ଚି ସାରିବେଣି ।

 

ଯେଉଁ ମହିଳା ତରୁଣୀମାନଙ୍କ ଲାଗି ମୋର ଏହି ଦଶା, ଅତି ଅନିଦ୍ରା ସେହି ମାରୁଆଡ଼ିବୋହୂ ଓ ଝିଅଗୁଡ଼ିଙ୍କୁ ଦେଖିଲି–ଭାରି କର୍ମ ତତ୍‌ପରା । ରାତି ଗୋଟାଏ ଦୁଇଟାବେଳେ ଶୋଇ ସକାଳ ଚାରିଟାବେଳେ ଉଠି ପଡ଼ିନ୍ତି । ରୁଟି, ପୁରି ଲାଗି ଅଟା ଚକଟା ଓ ବଳା ଲାଗିଚି । କାହାର ପେଟ ଓହଳି ପଡ଼ିଚି; ମୋଟା ମୋଟା ବାହୁ, ପେଲବ ପେଶୀବହୁଳ ଶରୀର । ଗୋଡ଼ରେ ମୋଟା ମୋଟା ବଳା । ଚାଲିଲାବେଳେ ଗୋଟାଏ ଅପ୍ରୀତିକର ଶବ୍ଦ । କିନ୍ତୁ କିଶୋରୀ ତରୁଣୀଗୁଡ଼ିକର ଓଡ଼ିଶା ଭିତରେ ଲୁଚି ରହିଛି ବେଶ୍‌ ସୁନ୍ଦର ଲାବଣ୍ୟମୟୀ ଚେହେରା । ଓଢ଼ଣା ଭିତରେ ହସର ଜୁଆର ଛୁଟୁଚି କଥା କଥାକେ । ଚଟୁଳ ଚପଳ ଚାହାଣୀ । କିନ୍ତୁ ସବୁ ସୌନ୍ଦର୍ଯ୍ୟ, କମନୀୟନରେ ଯେପରି କଳଙ୍କି ଲାଗି ରହିଛି ଏମାନଙ୍କ କୁତ୍ସିତ, କଦର୍ଯ୍ୟ ଚାଲିଚଳନରେ । ଧନ, ମାନ ସବୁ ଅଛି–କିନ୍ତୁ ତାର ସଦ୍‌ବ୍ୟବାହାର କରିବାର ଶିକ୍ଷା ଓ ସଂସ୍କାର ଏମାନଙ୍କର ନାହିଁ ।

 

ସକାଳର ଚାହା ଖଶଇ ସାରିବାପରେ ମାମୁଁଙ୍କୁ କହିଲି–ନା, ଆଉ ଏଠି ରହିବା ଅସମ୍ଭବ-। ହୋଟେଲକୁ ଚାଲିଯିବା । ଆଖ ପାଖରେ ବହୁତ ହୋଟେଲ । ବହୁତ ଯାତ୍ରୀ । ବେଡ଼ିଂପତ୍ର ବନ୍ଧା ହେଲା–ହରିସିଂ ତାର ଭଣଜା ଭାଣିଜୀ ଦୁଇଜଣଯାକଙ୍କୁ ଆମ କାମ ପାଇଁ ନିଯୁକ୍ତ କରି ଦେଇ ଯାଇଥାଏ । ସେମାନେ ଦୁଆରେ ଅପେକ୍ଷା କରି ବସି ରହନ୍ତି । ଚା ଖିଆ ସରିଲେ ବାବୁ ଭ୍ରମଣ ଉଦ୍ଦେଶ୍ୟରେ ଯିବେ ବୋଲି ସେମାନଙ୍କର ଧାରଣା ।

 

କିନ୍ତୁ ମୋର ଆଦେଶ ହେଲା–ହୋଟେଲକୁ ଚାଲ । ହୋଟେଲରେ ଦିନକୁ ତିନି ଚାରି ଟଙ୍କା ପଡ଼େ । ଏଇଠି ମୋର ଭ୍ରମଣକାଳୀନ ପନ୍ଦର ଦିନର ସ୍ଥାୟୀ ବ୍ୟବସ୍ଥା ହୋଇଗଲା । ନିଶ୍ଚିନ୍ତ ହେଲି ଯେ, ରାତି ଦିନ ସେ ମୁଖରା ମାରୁଆଡ଼ି ଲଳନାମାନଙ୍କର ତାଡ଼ନରୁ ଅନ୍ତତଃ ରକ୍ଷା ପାଇଗଲି-

 

ଅଳ୍ପବାଟ ଯାଇ ଧଁ ସଁ ବସି ପଡ଼ିଲି । ଦେହର ସମସ୍ତ ଶକ୍ତି ଶେଷ ହୋଇଗଲା ଭଳି ମନେ ହେଲା । ମାମୁଁ କହିଲେ, ତୁ ତ ଏତିକିବେଳୁ ଏମିତି ହେଲୁଣି; ଆହୁରି ବହୁତ ସ୍ଥାନ ରହିଛି । ଖାଲି ତ ଏଇ ଇଡ଼େନ୍‌ ପାର୍କରେ ବୁଲୁବୁଲୁ ତତେ ତିନିଦିନ ଲାଗିଯିବ ।

 

ଯେତେଦିନ ଲାଗୁପଛେ ସବୁ ଦେଖିବି, ମୁଁ କହିଥିଲି । ଇଡ଼େନ୍‌ ପାର୍କ ଦାର୍ଜିଲିଂର ସବୁଠୁ ବଡ଼ ଉଦ୍ୟାନ । ଆମ ପକ୍ଷରେ ନନ୍ଦନ କାନନ । ସବୁ ଦେଶରୁ ସବୁପ୍ରକାର ଗଛଲତା ଏଠି ଆଣି ଲଗାଯାଇଛି । ମଝିରେ ଗୋଟିଏ କାଚର ଘର । ସ୍ଥାନେ ସ୍ଥାନେ ପିକ୍‌ନିକ୍‌ ପାଇଁ ସ୍ଥାନ ରହିଛି । ଦଳ ଦଳ ନେପାଳୀ, ସେର୍ପା, ଖ୍ରୀଷ୍ଟାନ ଝିଅଙ୍କ ଉନ୍ମତ୍ତ କ୍ରୀଡ଼ା ଏଇଠି । ସେ ଗୀତ, ସେ ଅଭିନୟକୁ ଦେଖିଲେ, ଶୁଣିଲେ ଲଜ୍ଜାବୋଧ ହୁଏ । କିନ୍ତୁ ସ୍ଫୁର୍ତ୍ତି ସମସ୍ତଙ୍କଠି । ଶୁଆ ଶାରୀଙ୍କ ପରି ଏଇଠି ଗଛ ଆଢ଼ୁଆଳରେ ଏମାନେ ଲୁଚକାଳି ଖେଳି ବୁଲୁଛନ୍ତି । ଛୋଟ ଛୋଟ ଛୁଆଙ୍କର ମଧ୍ୟ ଏଇଠି କ୍ରୀଡ଼ାସ୍ଥଳୀ । ସମତଳ ଜାଗାରେ ଧାଇଁଲା ପରି, ଏମାନେ ବହୁ ଫୁଟ ଉଚ୍ଚ ଜାଗାକୁ ମଧ୍ୟ ଚାଲି ଯାଉଛନ୍ତି । ଟିକିଏ କ୍ଳାନ୍ତି ନାହିଁ । ଦେହର କସରାତ ହେଉଚି, ଆନନ୍ଦ ମଧ୍ୟ ମିଳୁଚି । ଉଦ୍ୟାନରେ ଭର୍ତ୍ତି ହୋଇଚି କମଳା ଲେମ୍ୱା । ଶଗଡ଼ରୁ ଗୋଡ଼ି ପଥର ଗୋଟେଇଲା ଭଳି ଏହି ହଳଦିଆ କମଳା ଲେମ୍ୱୁ ବୋଝ ବୋଝ ହୋଇ ବୁହା ଚାଲିଚି ଉପରୁ ତଳକୁ । ଭାରି ଶସ୍ତା । ସମସ୍ତଙ୍କ ହାତରେ ଏହିଥିରୁ ଗୋଟିଏ ଗୋଟିଏ ଫଳ ।

 

ଆଜି ସକାଳୁ ଏଠିକି ଆସିବାର କାର୍ଯ୍ୟକ୍ରମ ନ ଥିଲା । ହରିସିଂର ଭଣଜାଭାଣିଜୀଙ୍କୁ କହିଥିଲି–ତୁମେମାନେ ଆଜି ଆସିବନି । ମୁଁ ସହର ବୁଲିଯିବି । ରବିବାର ଲୋକଗହଳି ନ ଥିବ । ପାର୍କରେ ଆସି ଦେଖିଲେ-ଏଇଠି ସହର ଗୋଟିକଯାକର ଲୋକ ! ଠାଏ ଠାଏ ପିକ୍‍ନିକ୍‌ର ଆୟୋଜନ । ଗୀତ ବାଜଣା–ନିଜ ଭାଷାର ଗୀତ ଅପେକ୍ଷା ଏହି ଅର୍ଦ୍ଧଶିକ୍ଷିତା ଝିଅପୁଅଗୁଡ଼ିକ ସିନେମା ଗୀତ ବୋଲିବାକୁ ଭଲ ପାଆନ୍ତି । ସିନେମାରେ ଯେପରି ଏମାନେ ପାଗଳ । ଦିନଯାକ ସିନେସାରେ ସୋ’ ଚାଲେ ବିଶେଷତଃ ଏହି ଶୀତ ଦିନେ ।

 

ପ୍ରେମ ଉତ୍‌ଥାଳ, ରସ-ସ୍ୱଚ୍ଛଳ ଜୀବନ । ଘରେ ଆନନ୍ଦ ମିଳେ ନା–ଆନନ୍ଦ ମିଳେ ବାହାରେ, ବୁଲିବାରେ, ଖେଳିବାରେ । ପାହାଡ଼ି ଲୋକଙ୍କ ବସ୍ତି ଅଞ୍ଚଳ ସେପରି ଭଲ ନୁହେ: । ସେର୍ପାମାନଙ୍କ ଜୀବନ-ଯାତ୍ରୀ ଦେଖିଲେ ଅବାକ୍‌ ହେବାକୁ ପଡ଼େ । ଗୋଟିଏ ଘରେ ବହୁ ପରିବାର ବାସ କରନ୍ତି । ଗୋଟିଏ ପାଇଖାନା-ଗୋଟିଏ ଗାଧୁଆ ଘର । ଏମାନଙ୍କ ଘରଦ୍ୱାର, ଦରମା, ମଜୁରୀକୁ ଦେଖିଲେ ମନରେ ସ୍ୱତଃ ଦୟା ଆସା । ଦାରିଦ୍ର୍ୟ ଭିତରେ ଏମାନେ କିପରି ଯେ ଆନନ୍ଦାରେ ଜୀବନ କଟାନ୍ତି ଭାବିବାର କଥା । ସୁଶ୍ରୀ ବାଳକ-ବାଳିକାଦଳର ଆନନ୍ଦୋଚ୍ଛ୍ୱଳ ମୁଖ ଓ କୋଳାହଳକୁ ଦେଖିଲେ ଈର୍ଷାକାତର ଚକ୍ଷୁ ବାଷ୍ପାଚ୍ଛନ୍ନ ହୋଇଆସେ । ଏଇମାନେ ଆମର ସନ୍ତାନ । ଆମ ଭାରତବର୍ଷର ଭବିଷ୍ୟତ, ଏ ସାନ୍ତ୍ୱନା ମନ ସ୍ୱୀକାର କରିବାକୁ ଚାହେଁନା ।

 

ଜଳେସ୍ଥଳେ ପାହାଡ଼ର କୋଳେ କୋଳେ ଆଜି ଦାର୍ଜିଲିଂର ହସ ଉଚ୍ଛ୍ୱସିତ । ନୀଳ ଆକାଶ ମଝିରେ ମେଘ ଆକାରରେ ଆସି ଠିଆ ହୋଇଛି ଶ୍ୱେତ ଐରାବତ-ଦୁଇଗୋଡ଼ ବିସ୍ତାରୀ । ହେମନ୍ତର ନୀଳିମା ତଳେ ବିରାଟର ସ୍ୱରୂପ ପ୍ରକାଶ ପାଉଛି ପର୍ବତର ପ୍ରତି ପୃଷ୍ଠାରେ । ଚାଞ୍ଚଲ୍ୟର ବେଗ ଆସୁଚି କ୍ଷଣ କ୍ଷଣକରେ । ଏଠିକି ଆସିଲେ ଘର ଅପେକ୍ଷା ବାହାର ହେଉଛି ପ୍ରଧାନ । ବାହାରକୁ ଆସିବାକୁ ପଡ଼ିବ ସମସ୍ତଙ୍କୁ । ଧରା ଦେବାକୁ ପଡ଼ିବ ସମସ୍ତଙ୍କର ମଝିରେ । ସେଇ ହେମନତର ସ୍ନିଗ୍‌ଧ-ସମୀରଣ ଏବଂ ମଧୁର ରୌଦ୍ର ଭିତରେ ଯେଉଁ ସର୍ବବ୍ୟାପୀ ଆନନ୍ଦର ପସରା ମେଲା ହୋଇ ପଡ଼ିଛି, ସେଇଠି ଆସି ପହଞ୍ଚୁଛନ୍ତି ସବୁ ଦେଶର ଲୋକେ–ଓଡ଼ିଆ ପଞ୍ଜବୀ, ବଙ୍ଗାଳୀ ସମସ୍ତେ ।

 

ଭଦ୍ରସମାଜକୁ ଛାଡ଼ିଦେଲେ ପାହାଡ଼ ତଳେ ରହନ୍ତି ସ୍ଥାନୀୟ ଅଧିବାସୀ । ବଙ୍ଗାଳୀମାନେ–ଏମାନଙ୍କୁ କହନ୍ତି ପାହାଡ଼ି ଜାତି । ଏମାନେ କୁଲିଗିରି କରନ୍ତି, ଦୋକାନରେ କାମ କରନ୍ତି, ଘୋଡ଼ା ରଖନ୍ତି, କେହି କେହି ଡ୍ରାଇଭର କାମ କରନ୍ତି, ଘୋଡ଼ା କିମ୍ୱା ଭ୍ରମଣକାରୀମାନଙ୍କର ସାହାଯ୍ୟକାରୀ ହୋଇଥାଆନ୍ତି । ମାଇପିମାନେ କମଳ ବୁଣନ୍ତି, ଦର୍ଜିକାମ କରନ୍ତି, ହୋଟେଲରେ ପରିଷୁଣି ହୁଅନ୍ତି । କିଏ ଫଳ ତୋଳେ, ଚାହାପତ୍ର ଖୁଣ୍ଟେ, ପନିପରିବା ବିକେ–ଏପରି କିଏ କେତେ କାମ କରନ୍ତି । ଶୀତକାଳେ ଏମାନେ ରେଜେଇ ଭିତରେ ଗୁଡ଼େଇ ହୋଇ ରହିଥାଆନ୍ତି । ଏହି ଚାରି ମାସ ଏମାନଙ୍କ ଜୀବନରେ କଷ୍ଟ ଆସେ । ଖାଦ୍ୟ ଓ ପନିପରିବା ମହଜୁଦ କରି ରଖନ୍ତି । କ୍ଷେତବାଡ଼ିରେ କାମ ନ ଥାଏ–ରୋଗପାଇଁ ଔଷଧ ଜୁଟେନା । ଘରମାଲିକ ଜୁଲମ କରେ ଘରଭଡ଼ା ଲାଗି । ଚୈତ୍ର ମାସ ଆସିଲେ ଏମାନଙ୍କ ଦେହରେ ପାଣ ସଞ୍ଚାର ହୁଏ । ଯୁବତୀମାନେ ନାନା ବେଶଭୂଷା ପିନ୍ଧନ୍ତ–କିଏ କାନରେ ଦୁଲ ଖଞ୍ଜେ, ଆଖିରେ କଜଳ, ଓଠରେ ନାଲିବଧୂଲି ରଙ୍ଗ । ବିରହିଣୀମାନେ ଚାହିଁ ରହନ୍ତି ବିରହୀ ପ୍ରିୟର ଆଗମନକୁ । ଭାରତର ବିଭିନ୍ନ ସ୍ଥାନରେ ଏମାନଙ୍କର ସ୍ୱାମୀମାନେ ଚାକିରୀ କରି ବୁଲୁଥାଆନ୍ତି–କିଏବା ଦରୁଆନ୍‌, କିଏବା ପୁଲିସ । ଦାର୍ଲିଲିଂରେ ଅଧିକାଂଶ ଅଧିବାସର ନେପାଳୀ ।

 

ଇଡ଼େନ ପାର୍କରେ ଗୋଟିଏ ବେଞ୍ଚ ଉପରେ ବସି ମୁଁ ଚାହିଁଥିଲି ତଳ ଉପତ୍ୟକା ଆଡ଼କୁ-। ଆଗରୁ ଭାବୁଥିଲି ଏତେଗୁଡ଼ାଏ ଲୋକ କ’ଣ ଖାଇ ବଞ୍ଚନ୍ତି ? କ’ଣ ଖାଲି କମଳା ରସରେ ଏମାନଙ୍କ ଚେହେରା ଏମିତି ଫାଟି ପଡ଼ୁଚି ?

 

ଦୂର ଦିଗ୍‌ବଳୟର ଉହାଡ଼ରୁ ଖେଳି ଖେଳି ଆସିଲା କ୍ଷୀଣ ସୂର୍ଯ୍ୟରଶ୍ମୀ । ଉପତ୍ୟକାଟି ହସି ଉଠିଲା କ୍ଷଣକରେ; ଉପତ୍ୟକାର ତଳେ ଦେଖିଲି ମଣିଷ ଚାଲିଛନ୍ତି ଧାଡ଼ିକି ଧାଡ଼ି । ପିମ୍ପୁଡ଼ି ଜନ୍ଦାଠାରୁ ମଧ୍ୟ ଛୋଟ ଦେଖଯାଉଛନ୍ତି । ଉପତ୍ୟକାରେ ଏମାନେ ଶସ୍ୟ ଫଳାନ୍ତି । ବହୁ ଫସଲ ଆମଦାନୀ ହୁଏ–ଗହମ, ଯଅ, ମୂଳା, ଆଳୁ ପ୍ରଭୃତି ଅନେକ ପ୍ରକାରର ଶାକ୍‌ସବ୍‌ଜି । ଲୁହା ଦଉଡ଼ି ସାହାଯ୍ୟରେ ଅଧିକାଂଶ ପାହାଡ଼ ଉପରକୁ ବୁହାହୋଇ ଆସେ । ଅନେକ ଜିନିଷ ପିଠିରେ ବୋଝେଇ ହୋଇ ଆସେ । ଘରର ଆବାଳବୃଦ୍ଧବନିତା ଲାଗି ପଡ଼ନ୍ତି ଏଇ ଫସଲ ଆମଦାନୀରେ ।

 

‘‘ଏଇ ତ ଲେମ୍ୱୁ ବାସନ’’ ହରିସିଂର ଭଣଜା ଆଙ୍ଗୁଠି ନିର୍ଦ୍ଦେଶ କରି କହି ଉଠିଲା । ଗୁଡ଼ାଏ ଲୋଭନୀୟ ଫଳ–ଛୋଟ ଛୋଟ କସି କମଳା ସାଙ୍ଗକୁ ପାଚିଲା କମଳା । ଏଠାକାର ଭୁଟିଆ ଝିଅଙ୍କର ଦୁଇଗାଲ ପରି ରକ୍ତର ଛାପ ପଡ଼ିଚି ଏହି କମଳା ଦେହରେ । ଶୁଖିଲେ କଣ୍ଠରେ କିଛିଟା ଫଳରସ ନ ପଡ଼ିଲେ ଏଠି ଜୀବନ ବ୍ୟର୍ଥ । କିନ୍ତୁ ଆଶା କରି କୌଣସି ଲାଭ ନାହିଁ । ଏହିସବୁ ରଙ୍ଗର ଫଳ ପଛରେ ରହିଛନ୍ତି ମହାଜନ ବଣିକ ଦଳର ଶୋଷଣ । ଫଳ ପଛକେ ପଚିସଢ଼ି ଯାଉ କିନ୍ତୁ ଅଳ୍ପ ଦାମରେ ବିକି ଏମାନେ ବଜାରକୁ ମାନ୍ଦା କରି ଦିଅନ୍ତିନି ।

 

ପାର୍କର ବିଭିନ୍ନ ଜାଗାରେ ପରୀକ୍ଷା ଚାଲିଚି । ଇଡ଼େନ ପାର୍କର ଅନ୍ୟ ନାମ ବୋଟାନିକାଲ ଗାର୍ଡ଼ନ । କଲିକତାରେ ବୋଟାକାଲ ଗାର୍ଡ଼ନ ଦେଖିଚି । ଖୁବ୍‌ ବଡ଼ କିନ୍ତୁ ସେଠି ଏତେ ଶାନ୍ତି ମିଳେନା । ବହୁ ଲୋକ ରୁଣ୍ଡ ହୁଅନ୍ତି । ସହରରେ ଯେପରି କୋଳାହଳ–ଏଇଠି ମଧ୍ୟ ସେହିପରି । ଗଛ ପତ୍ରର ଶୀରାପ୍ରଶିରା ଚେରମୂଳ ସହିତ ପରିଚିତ ହେବା ପାଇଁ ବୁଲୁଛନ୍ତୀ ଛାତ୍ରଦଳ । ସାଙ୍ଗରେ ପ୍ରଫେସର; ଶିକ୍ଷାଦାନ ଚାଲିଛି ସ୍ଥାନେ ସ୍ଥାନେ । ଖାତାରେ ଟିପା ଚାଲିଚି । ଏମାନେ ଶିକ୍ଷା ପାଇଁ ନୂଆ ନୂଆ ତଥ୍ୟ ଜାଣିବାକୁ ବ୍ୟାକୁଳ । ମୁଁ ନୂଆ ନୂଆ ଦୃଶ୍ୟ ଦେଖିବା ଲାଗି ବ୍ୟାକୁଳ ।

 

ସେମିତି ଧଇଁସଇଁ ହୋଇ ଉଠୁଚି ମୁଁ ଧୀରେ ଧୀରେ । ଆଗରେ ପଥ ନିର୍ଦ୍ଦେଶକ ମୋର ମାମୁଁ । ପାହାଡ଼ଚଢାର କାଇଦା ତାଙ୍କୁ ଜଣା । ଧୀରେ ଧୀରେ ଚଢ଼ିବାକୁ ପଡ଼ିବ । ପଛରେ ଦେଖିଲି କମଳା ବାଗନକୁ ଦେଖେଇଦେଇ ହରିସିଂର ଭଣଜା ଭାଣିଜୀ ଉଭୟେ ଛୁ କଲେଣି । ତାଙ୍କୁ ତ କାମର ବରାଦ ନ ଥିଲା, ସେମାନେ ଆସିଥିଲେ ଖେଳି ବୁଲି, ପିକ୍‌ନିକ କରିବାପାଇଁ ।

 

ଇଡ଼େନ ପାର୍କର ଏକ ସ୍ଥାନରେ ମୁଁ ଠିଆ ହୋଇ ଚାରିଆଡ଼େ ଆଖି ବୁଲାଇଲି; ଏହି ଜାଗାଟି ପାର୍କର ସର୍ବୋଚ୍ଚ ସ୍ଥାନ । ଯେତିକି ଉପରକୁ ଉଠିବ ତା ଉପରକୁ ଆହୁରି ପାହାଡ଼–ପାହାଡ଼ର ସୀମା କେଉଁଠି କେଜାଣି । ଏଇଠି ମନ ଧୀର, ପ୍ରଶାନ୍ତି ହୋଇ ଉଠେ । ଜୀବନର ସବୁ ମାୟାବନ୍ଧନ ଛାଡ଼ି ମଣିଷ କାହିଁକି ଏଠିକି ତପସ୍ୟ କରିବାକୁ ଆସନ୍ତି ତାହା ସହଜେ ଉପଲବ୍‌ଧି କରିହେବ ।

 

ପୁରାଣର ସାକ୍ଷୀ ତାପସ ଦୁଇଜଣ ବ୍ୟାସଦେବ ଓ ବିଶିଷ୍ଠ । ଏହି ହିମାଳୟ ଗହ୍ୱର ଭିତରେ ଏମାନେ ଆଶ୍ରମ ତୋଳି ଯାଇଥିଲେ–ପରମ ଆନନ୍ଦମୟ ଜୀବନଯାପନ କରି ଏମାନେ ବିରାଟ ଓ ମହତ୍‌ ହୋଇ ଉଠିଲେ । ଏପର୍ଯ୍ୟନ୍ତ ଏମାନଙ୍କର ଆଶ୍ରମର ଚିହ୍ନ ହିମାଳୟ ରାତ୍ରରେ ରହିଚି । ସେ ସବୁ ପୂଜାର ପୀଠ ।

 

ମୁଗ୍‌ଧ ଚକିତ ଚିତ୍ତରେ ମୋର ମନେ ହେଲା ମୁଁ ଏଠି ତପସ୍ୟା କରୁଚି । କଲେଜରେ ପଢ଼ିଲାବେଳେ ଗୋଟିଏ କବିତା ଲେଖିଥିଲି–ମୁଁ ବିରାଟ, ମୁଁ ବିଶାଳ । କିନ୍ତୁ ରୁଦ୍ରକାୟ-ମହିମାମୟ ଶୈଳରାଜି ପାଖରେ ମୁଁ ଯେ ଧୂଳିଠୁ ଛୋଟ ! ଗୋଟିଏ ବିନ୍ଦୁ ହୋଇ ମୁଁ ଠିଆ ହୋଇଛି ଏହି ବିଶାଳକାୟ ବୃତ୍ତ ପାଖରେ । ସିରିସିରି ପବନ ବହୁଚି, ଶୀତଳ ପବନ, ଦେହ କମ୍ପିଯାଉଛି–ତଥାପି ପର୍ବତାରୋହଣ କ୍ଲାନ୍ତିର ଉଷ୍ଣତା ଯୋଗୁଁ ବିଶେଷ ଥଣ୍ଡା ବୋଧ ହେଉ ନାହିଁ ।

 

ଏଇଠି ବି ନିର୍ଝରଣୀ ପଥର ଦେଇ ବହି ଚାଲିଚି । ଗିରିନଦୀର ପ୍ରାଣଧାରା ଶୁଖିଆସିଚି-। ପଥରରୁ ଝରିପଡ଼ିଚି ଶୈବାଳ । ନିଃଶ୍ୱାସ ନେଉଛି ସର୍ବଗ୍ରାସୀ ମହାପ୍ରାଚୀର । ଏ ପାଖେ ସେପାଖେ ଦୃଷ୍ଟି ନିକ୍ଷେପ କରି ମୁଁ ଚାଲିଚି । ମୋର ସମସ୍ତ ସତ୍ତା, ଏକାଗ୍ର ହୋଇ ଗ୍ରହଣ କରି ନେଉଛି ପ୍ରତି ଗ୍ରାନାଇଟ ପଥର, ପ୍ରତି ଆର୍କିଡ଼ର ଚାରା, ପ୍ରତି ପୁଷ୍ପର ସ୍ତବକ, ପ୍ରତି ନିକୁଞ୍ଜର କୁସୁମଲତା । ଏସବୁ ତ ଆମର ଘର ପାଖରେ ଦେଖିଚି । ସମସ୍ତେ ମୋର ସୁପରିଚିତ । କିନ୍ତୁ ସମସ୍ତ ପରିଚୟ ବାହାରେ ମନେ ହେଉଛି ଏମାନେ ଚିରକାଳର ଅଚିହ୍ନା । ସ୍ନେହର ବନ୍ଧୁଙ୍କୁ ମୁଁ ନିବିଡ଼ ଭାବରେ ଆଜି ଟାଣି ଟାଣି ନେବାକୁ ଚାହୁଁଚି ଯେପରିକି ସମସ୍ତ ଅନାବିଷ୍କୃତ ପରିଚୟ ସହ ସେ ମୋ ପାଖରେ ଧରା ଦେବେ । କିନ୍ତୁ ଆଲିଙ୍ଗନ ମଧ୍ୟରେ ଯାହା କିଛି ପାଉଛି ତାଠୁ ବେଶୀ ରହିଯାଉଛି ବାହାରେ । ସେଥିପାଇଁ ପ୍ରେମ ହେଉଛି ବଡ଼ ତପସ୍ୟା । ହାତ ବଢ଼େଇଲେ ଯାହା ପାଏନା–ହୃଦୟର ଏ କୂଳ ଯାହାକୁ ଧରି ପାରେନା । ସେହି ଅନାସ୍ୱ ଦିତ ଅଲଭ୍ୟ ଅମୃତ ଲାଭର ଆଶାରେ ପ୍ରେମପୂର୍ଣ୍ଣ ଚକ୍ଷୁରୁ ଲୁହ ଗଡ଼ିଆସେ । ଏସବୁକୁ ବୁକୁ ଉପରକୁ ଦିନେ ଟାଣି ନେଇଛି, କୋଳକୁ ଟାଣି ଆଣି କାନ୍ଦିଚି ବହୁଦିନ । ଏଠୁ ସେଠୁ ଫୁଲ ଫଳ କେତେ ଆଣି ବାଡ଼ିଟିଯାକ ପୂର୍ଣ୍ଣ କରିଚି । ମଣିଷ ଜନ୍ମଜନ୍ମାନ୍ତର ହଜାର ବର୍ଷ ଧରି ଏମିତି ଏମାନଙ୍କୁ ଦେଖି ଆସୁଛି । ଅଗଣ୍ୟ ବଂଶ ପରମ୍ପରା ଓ ମହାକାଳର କଳ୍ପ କଳ୍ପ ଧରି ମଣିଷ ଏହାକୁ ଦେଖି ଆସିଛି ବିବର୍ତ୍ତନବାଦର ମଧ୍ୟ ଦେଇ-। ଆମର ଶିରା ଉପଶିରାରେ ରକ୍ତ ପ୍ରବାହରେ ବହି ଚାଲିଚି ଶତ ସହସ୍ର ଗିରି ନିର୍ଝରଣୀ । ଆମର ଅସ୍ଥି ପିଞ୍ଜରାର ପ୍ରତି ସ୍ତରରେ ସଂଖ୍ୟାତୀତ ଶୀଳାସନରେ ପ୍ରାଚୀନ ମୁନି ଋଷିମାନଙ୍କ ଯୋଗାସନ ପଡ଼ି ରହିଛି ହୃଦୟର ଏକମ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ । ଏପର୍ଯ୍ୟନ୍ତ ଧରି ରଖିଛୁ ଦେବ ସିଂହାସନ ହିମାଳୟର ଶତ ଶତ ଗିରିଶୃଙ୍ଗମାଳା । ଜନ୍ମ ଏବଂ ମୃତ୍ୟୁର ଅଖଣ୍ଡ ଚୈତନ୍ୟ ଏହି ଗିରିଗୁମ୍ପାର ଇତିହାସ ଦେଇ ପୃଥିବୀରେ ପରିବ୍ୟାପ୍ତ ହୋଇ ଉଠିଛି–ଏଇମାନେ ଆମ ମୁହଁରେ ଭାଷା ଦେଉଚନ୍ତି, ଦେହରେ ପ୍ରାଣ ଦେଉଛନ୍ତି । ନିଶିଥ ରାତ୍ରୀର ତାରାରେ ପଠାଇଛନ୍ତି ଆମନ୍ତ୍ରଣ; ହେମନ୍ତର ମଳୟ ଦେହରେ ସୁରଭିଶ୍ୱାସ ବହିଯାଉଛି ସୁଦୂର ବାତାୟନ ପାଖକୁ ।

 

ଆନନ୍ଦ-ପାଗଳ ମୁଁ । ଆଜି ଦାର୍ଶନିକ । ଚତୁର୍ବେଦର ପ୍ରତି ଶ୍ଳୋକର ଧାରାକୁ ମୁଁ ଦେଖୁଛି ଅନାଦି, ଅନନ୍ତ, ପ୍ରଶାନ୍ତି ଗିରିଶୃଙ୍ଗରେ । ପ୍ରକୃତରେ ଏହାହିଁ ଦେବତାତ୍ମା ହିମାଳୟ ।

 

ସକାଳା ସନ୍ଧ୍ୟା ଦୁଇବେଳା ମଲକୁ ଯାଏ । ମଲ୍‌ କଥା ବହି ଆରମ୍ଭରୁ କହିଛି । ଧାଡ଼ି ଧାଡ଼ି ସିମେଣ୍ଟ ସିଟ । ସମ୍ମୁଖରେ ଏକ ସ୍ମୃତି ମନ୍ଦିର ଭଳି କ’ଣ ଗୋଟାଏ ଘର । ଏକ ପାଖରେ କେତୋଟି ମନୋହରୀ ଦୋକାନ ।

 

ସ୍ମୃତି ମନ୍ଦିର ଦ୍ୱାରଦେଶ ଆଗରେ ଏକ ପ୍ରତିମୂର୍ତ୍ତି ଭାନୁଭକ୍ତ ଆଚାର୍ଯ୍ୟଙ୍କର । ଏ ଅଞ୍ଚଳର ଶ୍ରେଷ୍ଠ କବି ସେ । ନେପାଳ ଭାଷାରେ ମହାପଣ୍ଡିତ । ତାଙ୍କରି କାବ୍ୟ କବିତା ନେପାଳୀ ପରିବାରର ପ୍ରତି ମୁଖରେ ମୁଖରିତ । ବଙ୍ଗଳାର ରବିଠାକୁର, ଓଡ଼ିଶାରେ କବିସୂର୍ଯ୍ୟଙ୍କ ପରି ସେ ଏହି ପ୍ରକୃତି ଦେହରୁ ରସ ଚିପୁଡ଼ି କବିତାର ଚାରିଆଡ଼େ ରସାଣିତ କରିଛନ୍ତି । ଆସ୍ତିକ ସେ । ତାଙ୍କର ପ୍ରତି କବିତାରେ ଫୁଟି ଉଠିଛି ଭଗବତ ପ୍ରୀତି ଓ ଭକ୍ତି ।

 

ଖଣ୍ଡିଏ ମାର୍ବଲ ପ୍ରସ୍ତର ଦେହରେ କେତୋଟି ଧାଡ଼ି–

 

‘‘ତେସ ଘାଁସିଲେ ଆଜି ଦିୟେଛ ଆର୍ତ୍ତୀ

ଧକ୍‌କା ହୋ ମକନ କସ୍କୁ ନାରାଖି କୀର୍ତ୍ତି ।’’

 

ନେପାଳୀ ଭାଷାର କବିତା । ହିନ୍ଦୀର ମିଶ୍ରଣ । ମନ୍ଦିର ଭିତରକୁ ଆଉ ଯାଇ ପାରିନି । ପ୍ରାଣରେ ଆସ୍ତିକତା କିନ୍ତୁ କାର୍ଯ୍ୟରେ ମୋର ନାସ୍ତିକତା । ପିଲାଦିନେ ମୁଁ ଥିଲି ନୈଷ୍ଠିକ ବ୍ରାହ୍ମଣ । ଧର୍ମ ପ୍ରତି ମୋର ପ୍ରଗାଢ଼ ନିଷ୍ଠା ଥିଲା । ମୁଣ୍ତରେ ଚୁଟି ଥିଲା । ସନ୍ଧ୍ୟା ଚଳୁ ରୀତିମତ କରୁଥିଲି । ମୋର ବଡ଼ମାମୁଁଙ୍କ ଛାଞ୍ଚରେ ପୂରା ଗଢ଼ି ହୋଇଥିଲି । ପିଲାଦିନେ ମନେଅଛି ବ୍ରତ ହେବ ପାଇଁ ମନରେ ଥିଲା ପ୍ରବଳ ଉଦ୍‌ବିଗ୍ନତା । ନନା ପଇସା ଅଭାବରେ ବଡ଼ୁ କରି ପାରୁ ନଥିଲେ, ସେଥିଲାଗି ସେ ସବୁବେଳେ ଚିନ୍ତିତ ଥିଲେ। ଗରିବ ବ୍ରାହ୍ମଣ ଜୀବନରେ ଏ ଏକ ବଡ଼ ସମସ୍ୟା । ବହୁ କଷ୍ଟରେ ବହୁ ଅର୍ଥ ଖର୍ଚ୍ଚ କରି ବ୍ରତ କଲେ । ବ୍ରାହ୍ମଣର ପବିତ୍ରତାକୁ ରକ୍ଷା କରିବି ବୋଲି ଶପଥ ନେଲି ମନ୍ତ୍ର ପଢ଼ି ।

 

ମନେ ଅଛି, ଥରେ ଗାଧୋଇ ଆସିଲାବେଳେ ଜଣେ ଇତର ଲୋକ ମତେ ଛୁଇଁ ଦେବା ଫଳରେ ମୁଁ ମୋର ପବିତ୍ରତା ନଷ୍ଟ ହୋଇଗଲା ବୋଲି ତାକୁ ଭୀଷଣ ଭର୍ତ୍ସନା କରିଥିଲି । ହାତରୁ ରାଗରେ ପାଣିଢାଳ ଫୋପାଡ଼ି ଦେଇଥିଲି । ପୁଣି ମତେ ଗାଧୋଇବାକୁ ପଡ଼ିଥିଲା ।

 

କିନ୍ତୁ ଆଠ ବର୍ଷ ପରେ ପୁଣି ପୁରୀ ତୀର୍ଥରେ ମୋର ମନର ପରିବର୍ତ୍ତନ ଘଟିଲା । ଜଗନ୍ନାଥ ମନ୍ଦିରର କୋଇଲି ବୈକୁଣ୍ଠ । ଏଇଠି ଚାରି ଜଣ ଯୁବକ ଶପଥ ନେଇ ପଇତା ଛିଣ୍ଢେଇ ପକାଇଲୁ । ଭିତରର ଅନ୍ଧବିଶ୍ୱାସର ଜଡ଼ତା କ୍ରମଶଃ ଲୋପ ହୋଇ ଆସିଥିଲା । ତୀବ୍ର ନାସ୍ତିକତା ନେଇ ଆମେ ଜୀବନ ସଂଗ୍ରାମରେ ଠିଆ ହେଲୁ । ଦିଅଁ ଖଟୁଳି ଆଗରେ ଫୁଲ ଚନ୍ଦନ ଧରି ଆଉ ସେଦିନଠୁ ଦିନେ ଦେବପୂଜା କରି ବସିନି । ତାଳିମାରି ଦେବତାର ମହିମା ଗାନ କରିନି । ମୁଣ୍ଡରୁ ଚୁଟି କଟିଯାଇଛି–କପାଳରେ ଚନ୍ଦନ ଟୋପା ଆଉ ଲାଗିନି ।

 

ମାମୁଁ ଦେଖିଲେ ଭଣଜା ଦେହରେ ପଇତା ନାହିଁ । ବ୍ରହ୍ମଚଣ୍ଡାଳ ରୂପ ଧରିଚି । ବହୁତ ବୁଝାଇଲେ, ବହୁତ ଯୁକ୍ତି କଲେ । ପ୍ରତିଯୁକ୍ତି କଲି । ସେହିଦିନଠୁ ଅମାନିଆ ଭଣଜା ନାସ୍ତିକ ହୋଇ ବୁଲୁଚି । କାହାକୁ ଖାତିରି ନାହିଁ । କୌଣସି ନିର୍ଦ୍ଦଷ୍ଟ ଧର୍ମ ଉପରେ ନିଷ୍ଠା ନାହିଁ; ବିଶ୍ୱାସ ନାହିଁ । ମୁଁ ସୃଷ୍ଟିକୁ ଭଲପାଏ ମୃତ୍ୟୁକୁ ଆଦର କରେ–ପ୍ରକୃତି ଦେହରେ ଆସନ ପାତେ । ମଣିଷ ଦେହରେ ଦେବତାର ମହତ୍ୱକୁ ଖୋଜେ । ଯେଉଁଠି ଏହି ମହତ୍ୱ ପାଏ ତାକୁଇ ନମସ୍କାର କରେ । ତାରି ପାଦତଳେ ବସି ବନ୍ଦନା କରେ । ନେତା ବୋଲି ମାନେ । ମୋର ଆଚାର-ପଦ୍ଧତିକୁ ଦେଖି ମତେ ଆମ ଘରେ କହିଥାନ୍ତି ନାସ୍ତିକ । କିନ୍ତୁ ମୁଁ କ’ଣ ସତେ ନାସ୍ତିକ ? ନାସ୍ତିକ ହୋଇପାରେ କିନ୍ତୁ ମୁଁ ଯେ ଧାର୍ମିକ । ଆଚାର ଅନୁଷ୍ଠାନରେ ମୋର ଆସ୍ଥା ନାହିଁ–ବିଶ୍ୱାସ ନାହିଁ କୁସଂସ୍କାରରେ । ଅନେକ ହିନ୍ଦୁଙ୍କର ଧାରଣା ନିଜ ଧର୍ମଟିହିଁ ସର୍ବୋତ୍କୃଷ୍ଟ । ଅନ୍ୟମାନେ ଭ୍ରାନ୍ତ । କିନ୍ତୁ ମୁଁ ଅନୁଭବ କରିଚି ଏ ପୃଥିବୀଟା ଏତେ ବଡ଼ ଯେ, ଏହା ମଧ୍ୟରେ ଅନେକ ମତ, ଅନେକ ଜାତି ଅତି ସହଜରେ ଏକା ସାଙ୍ଗରେ ବସବାସ କରିପାରନ୍ତି ଅନାୟାସରେ । ଏମାନେ ସମସ୍ତେ ଈଶ୍ୱରଙ୍କ ପ୍ରକାଶ । ପାଖକୁ ଆଗେଇ ଯାଅ–ଭୟ ନାହିଁ, ଭ୍ରାନ୍ତି ନାହିଁ, ଖାଲି ସ୍ନେହ ଦରକାର ।

 

ଅନ୍ତତଃ ମୁଁ ଏହାହିଁ ବୁଝେ ।

 

ସେଇଥିପାଇଁ ମନ୍ଦିର ଭିତରକୁ ଗଲିନି । ଭାନୁଭକ୍ତ ହିଁ ମୋ ଦୃଷ୍ଟିରେ ଦେବତା ବୁଦ୍ଧ, ଯିଶୁ, ରାମ, ବିଷ୍ଣୁ, ମହମ୍ମଦ ସବୁ । ସ୍ୱତଃ ଚକ୍ଷୁ ବୁଜିହୋଇ ଆସିଲା । କବିତାଟି ଟିପି ଆଣିଲି । ହୃଦୟ ଭିତରେ ଅଙ୍କନ କଲି ପ୍ରତିମୂର୍ତ୍ତିର ପ୍ରତିଛବି । ଯେଉଁ ନେପାଳୀ ସମାଜ ଏହି ପ୍ରତିମୂର୍ତ୍ତିଟି ନିର୍ମାଣ କରି କବିର ସ୍ମୃତିକୁ ଜାଗ୍ରତ ରଖିଛନ୍ତି ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଲି ।

 

ଆଖି ବୁଲାଇ ଦେଖେ ତ ଗୋଟିଏ ଦୋକାନରେ ଏକ ବିଜ୍ଞାପନ । ତେନଜିଂଙ୍କ ଜୀବନୀ ସମ୍ୱନ୍ଧରେ ବହି ଏଇଠି ମିଳେ ।

 

ପ୍ରଥମ ଦିନ ଘୋଡ଼ାରେ ଚଢ଼ି ବୁଲୁଥିଲା ବେଳେ ଭୁଟିଆ କିଶୋରୀ ଆଙ୍ଗୁଳି ଦେଖାଇ ତେନଜିଂଙ୍କ ଘରକୁ ଯିବାକୁ କହିଥିଲା । ଯିବି ବୋଲି ତାକୁ ପ୍ରତିଶ୍ରୁତି ଦେଇଥିଲି । ପ୍ରଥମ ଦିନରୁ ଆସି ଖବର ନେଇଥିଲି–ତେନଜିଂ ଅଛନ୍ତି କି ନାହିଁ । ଶୁଣିଥିଲି ତେନଜିଂ ସୁଜଇରଲାଣ୍ଡରୁ ତିନି ଚାରି ଦିନ ପରେ ଫରିବେ । ତାହାହେଲେ ବର୍ତ୍ତମରା ବର୍ତ୍ତମାନ ଆସି ସାରିବେଣି । ଠିକ୍‌ କଲି କାଲି ଯିବି-

 

ମାମୁଁ ଚାଲିଗଲେଣି ଜଳପାଇଗୁଡ଼ି । କିଛି ଦିନ ପରେ ଫେରି ମତେ ସାଙ୍ଗରେ ନେଇଯିବେ ବୋଲି କହି ଯାଇଛନ୍ତି ।

 

ପରଦିନ । ମୁଁ ଚାଲିଚି ଏକା ଏକା ଜଲାପାହାଡ଼ର ଅଭିମୁଖେ । ଦାର୍ଜିଲିଂର ଏହା ଗୋଟିଏ ଅଂଶ । ତଳକୁ ଖସି ପୁଣି ଉପରକୁ ଉଠିବାକୁ ପଡ଼େ । ତଳେ ସେର୍ପାମାନଙ୍କ ତୁଙ୍ଗସୁଙ୍ଗ ବସ୍ତି ।

 

ଇଡ଼େନ ପାର୍କର ଗୋଟିଏ ଉଚ୍ଚ ଜାଗାରେ, ମଲ ଉପରୁ ଓ ହୋଟେଲ ଛାତ ମୁଁ ବସ୍ତିଟିକୁ ଲକ୍ଷ୍ୟ କରିଥିଲି । ଆଜି ଆସି ପହଞ୍ଚିଛି । ପ୍ରାଣଭରି ଏମାନଙ୍କୁ ଭଲପାଇଛି ପ୍ରଥମ ଦିନରୁ । ବଜାର ଘାଟରେ ଏମାନଙ୍କ ଜୀବନଯାତ୍ରା ଦେଖିଚି । ହୋଟେଲରେ ଏମାନଙ୍କ ଜୀବିକାକୁ ଦେଖିଚି । ପାହାଡ଼ କୋଳରେ ଏମାନଙ୍କ ଜୀବନ ଗଢ଼ା । ପାହାଡ଼ ଚଢ଼ାରେ ଆନନ୍ଦ । ଅନେକ ସେର୍ପା ଏହି ତୁଙ୍ଗସୁଙ୍ଗ ବସ୍ତିରେ ରହିଛନ୍ତି । ଅନ୍ୟ ସେର୍ପାମାନେ ରୁହନ୍ତି ଭୁଟିଆ ବସ୍ତିରେ । ଏକରକମ ଗୋଷ୍ଠୀବଦ୍ଧ ହୋଇ ବାସ କରିଥାନ୍ତି । ଘରଗୁଡ଼ିକ କାଠରେ ତିଆରି । ଦୁଇ ତିନୋଟି ପରିବାର ମିଶି ଏକାଠି ରୁହନ୍ତି । ରୋଷେଇ ଘର, ପାଇଖାନା ସାଧାରଣ ଭାବରେ ବ୍ୟବହୃତ ହୋଇଥାଏ । ପ୍ରାୟ ସମସ୍ତେ ଗରିବ । ସବୁବେଳେ ଅଭାବ । କିନ୍ତୁ ସ୍ୱଭାବତଃ ସରଳ । ସଞ୍ଚୟ କରିବାର ଇଚ୍ଛା କାହାରି ନାହିଁ । ଯାହା ମିଳିଲା ବେପରୁଆ ଭାବରେ ଖାଅ, ପିନ୍ଧ । କିନ୍ତୁ ଏକାଠି ମିଳିମିଶି ଚଳୁଥିବା ହେତୁ ପରସ୍ପର ସାହାଯ୍ୟରେ ସମସ୍ତେ ଚଳିଯାଆନ୍ତି । ଟଙ୍କା ଧାରି ଦେଲେ କେହି ସୁଧ ଦାବୀ କରେନା ।

 

ଆଚାର ପଦ୍ଧତି ପ୍ରତି ଖାତିରି ନ ଥାଏ । କେତେ ଜଣ ନୈଷ୍ଠିକ ବୌଦ୍ଧଙ୍କଠି ଏହା ଥାଏ । ଅଧିକାଂଶ ନୂତନ ସଭ୍ୟତା, ନୂତନ ଭାବ, ନୂତନ ଆଚାର, ବ୍ୟବହାର ଗ୍ରହଣ କରି ନେଇଛନ୍ତି । କେତୋଟି କଥାରେ ପ୍ରାଚୀନତା ସେମିତି ରହିଛି । ଏମାନଙ୍କର ଉତ୍ତରାଧୀକାର ପ୍ରଥା ଆମ ହିନ୍ଦୁଙ୍କଠାରୁ ଭିନ୍ନ । ବାପର କନିଷ୍ଠ ସନ୍ତାନ ଜ୍ୟେଷ୍ଠ ସନ୍ତାନମାନଙ୍କ ଅପେକ୍ଷା ସମ୍ପତ୍ତି ଭାଗରୁ ଅଧିକ ପାଇଥାଏ । ଏହି ନିୟମ ଝିଅମାନଙ୍କ ପକ୍ଷରେ ମଧ୍ୟ ପ୍ରଯୁଜ୍ୟ । ଘରେ ପିଲା ଜନ୍ମ ହେଲେ ନାମକରଣ ତିନିଦିନ ପରେ ହୁଏ । ପରେ ହୁଏତ ଦରକାର ପଡ଼ିଲେ ନା ବଦଳାଇ ଦିଆଯାଇପାରେ । ସବୁ ଭାଷାରେ, ସବୁ ନାମରେ କିଛି ନା କିଛି ଅର୍ଥ ଥିଲାପରି ସେମାନଙ୍କ ନାଁ ଗୁଡ଼ିକ ମଧ୍ୟ ଅର୍ଥବୋଧକ । ପରିବାରର କୌଣସି ଐତିହାସିକ ଘଟଣା, ବାର, ସୂର୍ଯ୍ୟ ଚନ୍ଦ୍ର ଏ ସବୁଥିରୁ ନାମକରଣ ହୋଇଥାଏ । ଆଙ୍ଗ୍‌, ଲାଇମୁଆଦି ଗୋଟିଏ ନାଆଁ । ଲାଇମୁମାନେ ଦେବୀ–ଆଙ୍ଗ ଅର୍ଥ ପ୍ରିୟତମ, ନିମା–ସୂର୍ଯ୍ୟ, ନର୍‌ବୋ–ମୁକ୍ତା, ନାମଗିୟାଲ–ବିଜୟୀ, ଦାଓୟା–ସୋମବାର, ପାସାଙ୍ଗ–ଶୁକ୍ରବାର, ପେମ୍‌ବା–ଶନିବାର; ମର୍‌ମୁ, ଶେରାୟ, ମେନ୍‌ଦଭା, ଥାନ୍‌ତୁକପା ଆଦି ଗୁଡ଼ିଏ ପଦବୀ ।

 

ଏମାନେ ମଙ୍ଗୋଲିଆନ୍‌ ଜାତିର ଏମକ ଉପଜାତି । ମଙ୍ଗୋଲିଆନ୍‌ଙ୍କ ପରି ଏମାନଙ୍କର ଛୋଟ ଛୋଟ ଦାଢ଼ୀ । କିଏ କିଏ ମାସ ମାସ କାଳ ଦାଢ଼ୀ କ୍ଷିଅର ନ ହୋଇ ସେମିତି ରହିଥାଆନ୍ତି । କଳା କଳା ବାଳ । କଳା କଳା ଆଖି । ଦେହର ଚମଡ଼ା ହଳଦିଆ ଓ ବାଦାମୀ ରଙ୍ଗର ମିଶାମିଶି । ସବୁଥିରେ ମଙ୍ଗୋଲିଆନ୍‌ ବୈଶିଷ୍ଟ୍ୟ, କିନ୍ତୁ ତିବ୍‌ବତୀୟ ଓ ଚୀନାମାନଙ୍କ ପରି ସମସ୍ତଙ୍କର ଚେହେରା ଏକରକମର ନୁହେଁ । ମୁଁ ଦେଖଚି ଅନେକ ଝିଅ କାଶ୍ମିରୀ ଝିଅଙ୍କଠାରୁ ବଳି ବେଶ ସୁନ୍ଦରୀ-ଦେହ ଗଠନ ବେଶ ସୁନ୍ଦର, ସୁଠାମ, ସୁଢ଼ଳ । ବେଶଭୂଷା ସବୁଥିରେ ଆଭିଜାତ୍ୟ । ନାକର ଗଢ଼ଣ, ଆଖିର ଆକାର ବିଭିନ୍ନ ପ୍ରକାରର । ଦେହ ଖୁବ୍‌ ଶକ୍ତି ସମର୍ଥ । ପିଠିରେ ଅଦମ୍ୟ ଶକ୍ତି । ବୋଝ ବୋହିବା ଏମାନଙ୍କର ଏକରକମ ମୁଖ୍ୟକାମ ।

 

ଝିଅ ପୁଅ ମିଳିମିଶି ପ୍ରାୟ ଅଧିକାଂଶ କାମ କରି ଥାଆନ୍ତି। ଝିଅମାନେ ସ୍ୱାଧୀନ । ନିଜ ପେଟ ପୋଷିବା ଲାଗି ନିଜେ କାମ କରିଥାଆନ୍ତି । ଘରେ ଏମାନେ ସର୍ବେସର୍ବା, ବିବାହ ବିଚ୍ଛେଦ ତଥା ଛାଡ଼ପତ୍ର ଚଳନ ଏଠି ମଧ୍ୟ ଅଛି । ତିବ୍ଦତରେ ଯେପରି ପୁରୁଷମାନେ ଏକାଧିକ ସ୍ତ୍ରୀ ରଖିପାରନ୍ତି, ସେର୍‌ପାମାନେ ମଧ୍ୟ ବହୁ ସ୍ତ୍ରୀ ରଖିଥାଆନ୍ତି । ସେଇଭଳି ଗୋଟିଏ ଝିଅ ଅନେକ ସ୍ୱାମୀ ମଧ୍ୟ କରିପାରେ । ଗୋଟିଏ ଝିଅକୁ ଦୁଇ ତିନି ଭାଇ ଏକାଠି ମିଶି ବିବାହ କରି ଘରକୁ ଆଣିପାରନ୍ତି । ଏକଥା ଶୁଣିଲାମାତ୍ରେ ମହାଭାରତର ପଞ୍ଚପାଣ୍ତବ ଓ ଦ୍ରୌପଦୀଙ୍କ କଥା ମନେ ପଡ଼ିଗଲା । ଏହି ଗୋଟିଏ କଥାରେ ମୁଁ ମହାଭାରତ କାହାଣୀର ବାସ୍ତବତାକୁ ଉପନ୍ୟାସର ଏକ ଉଦ୍ଭାଟ କଳ୍ପନା ବୋଲି ଉଡ଼େଇ ଦେଉଥିଲି କିନ୍ତୁ ଏଠି ତ ତାହା ବାସ୍ତବ ଦେଖିଲି । ଘରର ସମ୍ପତ୍ତି ଯେପରି ଭାଗ ଭାଗ ନ ହୋଇଯାଏ, ସମସ୍ତ ଭାଇ ମିଳିମିଶି ଚଳି ପାରିବେ, ସେଥିଲାଗି ବୋଧହୁଏ ଏପରି ଏକ ପ୍ରଥା ରଖାଯାଇଛି ।

 

ସେରପା ଝିଅ ନେପାଳୀ ଝିଅଙ୍କ ଅପେକ୍ଷା ଅଧିକ ସୁନ୍ଦରୀ । ବଙ୍ଗାଳୀମାନେ ଏମାନଙ୍କୁ କହନ୍ତି ଭୁଟିଆ । ଦେହରେ ଗାଢ଼ ରଙ୍ଗର ଶାଢ଼ି ପଶମୀ ‘ଏପ୍ରନ’ । ସ୍ନିଗ୍‌ଧ କୋମଳ ଚମଡ଼ା ଲାଲ ଟକ ଟକ । ଗୁଡ଼ିଏ ସ୍ୱର୍ଣ୍ଣପୁଷ୍ପ କିମ୍ୱା ଜ୍ୟୋତିର୍ଲତା ଯାହା କିଛି ଦିଆଯାଇପାରେ । କିନ୍ତୁ ଅଭିନବ ଚେହେରା । ମନେ ହେଲା କିନ୍ମରୀ ଦେଶରେ ପହଞ୍ଚିଛି । ଆକାଶରୁ ରଙ୍ଗ ପାଇଛନ୍ତି ନୀଳାଭ ରକ୍ତଗୋଲାପରୁ ଧାର କରି ଆଣିଛନ୍ତି ଲାଲବର୍ଣ୍ଣ, ଶୈଳ ଉପତ୍ୟକାରୁ ମିଳିଚି ସବୁଜ ଶରୀରର ବେଶଭୂଷା, କାନ୍ତି ସବୁଥିରେ ଏହି ବର୍ଣ୍ଣର ପସରା । ଆଖି ଦୁଇଟିରେ କୃଷ୍ଣାଭା । ଏହି ବନ କିଶାଳୟ, ଲତାକୁଞ୍ଜ ପାଖେ ପାଖେ କିନ୍ନରୀଗୁଡ଼ିକୁ ଦେଖିଲେ ମନ ସ୍ୱତଃ ପ୍ରଫୁଲ୍ଲ ହୋଇଉଠେ । ଏକ ପାଖରେ ମାୟା କାନନ ଅଙ୍କା ହୋଇ ରହିଛି–ଚିତ୍ର ବୈଚିତ୍ର୍ୟ । ଉତ୍‌କ୍ଷିପ୍ତ ଶିକରକଣାର ଧୂମ୍ରଜାଲ ଭିତରେ ଛୁଟିଛି ହେମନ୍ତର ସୁରଭିଶ୍ୱାସ–ଉଚ୍ଛ୍ୱସିତ ହୋଇ ପଡ଼ିଚି ବନ କାନ୍ତାରର କୋଣେ କୋଣେ । ପ୍ରତି ବୃକ୍ଷ ଛାୟାରେ ତପୋବନର ଶାନ୍ତିଶ୍ରୀ: ପ୍ରତି ପ୍ରସ୍ତରର ଗୁଳ୍ମଜଡ଼ିତ ଦେହରେ ଅଲକ୍ଷ୍ୟ ମୁନିର ଅବୟବ; ପ୍ରତି ପାର୍ବତ୍ୟ ନିର୍ଝରଣୀର ଝନକ ଝନକ ନାଦରେ ବେଦମନ୍ତ୍ର ଧ୍ୱନି; ପ୍ରତି ରଙ୍ଗୀନ ପକ୍ଷୀର କଳସ୍ୱନରେ ଋଷିକନ୍ୟାର କାକଳୀ । ଏହାରି ଭିତରେ ଏଇ ସେରପା ଝିଅମାନଙ୍କର ଯାତାୟତ, କଥାବାର୍ତ୍ତା ଆନନ୍ଦ ମଉଚ୍ଛବ । ମନ କ’ଣ ସ୍ଥିର ହୋଇ ରୁହେ ? ମସ୍ତିଷ୍କ ଦୋହଲି ଯାଏବର ଓହଲ ଧରି ଏପଟକୁ ସେପଟକୁ ଦୋହଲିଲା ପରି ମୋର ମନଟା ଯେପରି ବିକ୍ଷିପ୍ତ ଚଞ୍ଚଳ ରାତିରେ ଚାଲିଚି । ଲୋଲୁପ ଆଖି ଦୁଇଟି ଦେଖି ଚାଲିଛି ଅନିନ୍ଦ୍ୟ ପସରାର ପ୍ରତି ସାମଗ୍ରୀକୁ । ଏମାନେ କିମିତି ଖାଆନ୍ତି–କିମିତି ରୁହନ୍ତି, କିମିତି ଗାଧାନ୍ତି, ଖେଳନ୍ତି, ବୁଲନ୍ତି ପ୍ରତି କଥା ଦେଖିବାକୁ ଚାହେଁ ।

 

ତୁଙ୍ଗସୁଙ୍ଗ ବସ୍ତିରେ ମେନଦଭାର ଘର । ମେନଦଭା ଆଜି ମୋର ନିର୍ଦ୍ଦେଶକ; ହୋଟେଲରେ ସେ ଚାକିରୀ କରେ । ତା’ରି ସାଙ୍ଗରେ ଜଲାପାହାଡ଼କୁ ଯାଉ ଯାଉ ଏଇଠି ଆସି ଅଟକି ଗଲି । ମେନଦଭାର ବାପା ୬୦ ବର୍ଷର ବୁଢ଼ା । ନୈଷ୍ଠିକ ବୌଦ୍ଧ । ଘର ଆଗରେ ଏକ ଦଉଡ଼ିଆ ଖଟ । ମୁଁ ବସିଛି ତାର ଉପରେ–ବୁଢ଼ା କହି ଚାଲିଛି ଗପ । ଲାସାର କଥା । ଖ୍ରୀଷ୍ଟନମାନଙ୍କ ଜେରୁଜେଲମ, ମୁସଲମାନ ମାନଙ୍କର ମକ୍‌କା ପରି ବୌଦ୍ଧମାନଙ୍କର ପ୍ରଧାନ ତୀର୍ଥ ହେଲା ଲାସାରେ–ତିବ୍ଦତର ରାଜଧାନୀ । ବୌଦ୍ଧମାନଙ୍କର ବିଶ୍ୱାସ–ତାଙ୍କର ଆତ୍ମାଟା ଲାସାରେ–ଦେହଟା ଏଠି ଜୀବିକା ଲାଗି ପଡ଼ି ରହିଛି । ଦାର୍ଜିଲିଂରେ ସୋରପାମାନଙ୍କର ନିଜର ମଠ ବା ବୌଦ୍ଧ ମନ୍ଦିର ନାହିଁ–ଯାହା ଅଛି ସିକିମ ଓ ନେପାଳୀମାନଙ୍କର । ଏମାନଙ୍କର ନିଜ ମୂଳ ବାସସ୍ଥାନ ଦାର୍ଜିଲିଂ ନୁହେଁ–ମାରୁଆଡ଼ି, ଗୁଜୁରାଟୀମାନେ ଯେପରି ରାଜସ୍ଥାନ, ଗୁଜରାଟ ଛାଡ଼ି ଧନ ଅର୍ଜିବାପାଇଁ ଭାରତର ବିଭିନ୍ନ ସ୍ଥାନରେ ଆସି ଆସ୍ଥାନ କମାଇ ବସିଛନ୍ତି ସେହିପରି ଏମାନେ ଘରଦ୍ୱାର ଭାଇ ବନ୍ଧୁ କୁଟୁମ୍ୱ ଛାଡ଼ି ଚାଲି ଆସିଚନ୍ତି ଦାର୍ଜିଲିଂ–ଅବଶ୍ୟ ବହୁ ବର୍ଷ ଧରି ଆସିଲେଣି-। ଏଠି ଅନ୍ନ ସଂସ୍ଥାନ ସଙ୍ଗେ ସଙ୍ଗେ ବସତି କରି ଗଲେଣି । ଶୋଲାଖମ୍ୱୁର ଏମାନଙ୍କର କିଛି କିଛି ଜମିବାଡ଼ି ଅଛି-। ସେଠି ଯେଉଁମାନେ ରୁହନ୍ତି ଆଳୁ ଜଅ ଆଦି ଫସଲ ଫଳାନ୍ତି । କିନ୍ତୁ ବିଶେଷ କରି ଗାଈର ବ୍ୟବସାୟ ହେଉଛି ପ୍ରଧାନ । ଚମରି ଗାଈ ଏମାନଙ୍କର ନୟନର ମଣି । ଚୌଦ ହଜାର ଫୁଟ ପର୍ଯ୍ୟନ୍ତଏମାନେ ଚମରି ଗାଈ ନେଇ ଚରାନ୍ତି । ଫସଲ ଏହି ଉଚ୍ଚଜାଗାରେ ମଧ୍ୟ କରିଥାନ୍ତି-। ଜଳବାୟୁ ବଡ଼ ନିଷ୍ଠୁର ତଥାପି ସମସ୍ତ ନିଷ୍ଠୁରତା ବିରୁଦ୍ଧରେ ଏମାନଙ୍କୁ ସଂଗ୍ରାମ କରିବାକୁ ପଡ଼େ-

 

ଅନେକଙ୍କ ଧାରଣା ଯେ ସେର୍‌ପା ବୋଇଲେ ପାହାଡ଼ ଚଢ଼ାଳୀ । ହଁ ପାହାଡ଼ଚଢ଼ା ଏମାନଙ୍କର ଜୀବନର ଏକ ବଡ଼ ପେଶା । ପେଶା ନୁହେଁ ଖେଳ । ଈଶ୍ୱର ବୋଇଲେ ଏମାନେ ଏକ ମହିମାମୟ ହିମମୟ ପର୍ବତ ବୋଲି ବୁଝନ୍ତି। ସେର୍ପା ଯୁବକ ଉପରକୁ ଚାହିଁଲେ, ଦେଖେ ଖାଲି ପାହାଡ଼–ଖାଲି ପାହାଡ଼ । ଆଉ ତଳକୁ ଚାହିଁଲେ ଦେଖେ–ଗୋଟାଏ ବୋଝ । ବୋଝକୁ ସେ ପିଠାରେ ଉଠେଇ ନିଏ–ତାପରେ ପାହାଡ଼ ଉପରକୁ ଯାତ୍ରା କରେ । ତା ପକ୍ଷରେ ଏହାହିଁ ସ୍ୱାଭାବିକ, ସହଜ । ବୋଝବା ତା ପକ୍ଷରେ କିଛି ନୁହେଁ–ସେ ବିବ୍ରତ ହୋଇ ପଡ଼େନା । ମନେକରେ ତାର ହାତ, ଗୋଡ଼, ମୁଣ୍ଡ ପରି ବୋଝଟା ମଧ୍ୟ ତାର ଅବୟବର ଗୋଟାଏ ଅଂଶ । ଜୀବିକା ଲାଗି ପିଠରେ ଚୌକି ବାନ୍ଧି ମଣିଷକୁ ବସାନ୍ତି, ମଣିଷ ତୀର୍ଥ କରିବାକୁ ଯାଏ–ଦୃଶ୍ୟ ଦେଖେ । ସେ ଖାଲି ଚାଲେ ଉପରକୁ ।

 

ତେନଜିଂଙ୍କ ଭାଷାରେ ସେର୍ପାମାନଙ୍କର ତିନୋଟି ଜୀବନ । ଗୋଟିଏ ଘରକରଣା, ଅନ୍ୟଟି ଧର୍ମ, ତୃତୀୟଟି କର୍ମ–ପାହାଡ଼ ଚଢ଼ା । ଏମାନଙ୍କ ପାହାଡ଼ ଚଢ଼ାକୁ ଦେଖିଲେ, ମନେହୁଏ ଏମାନଙ୍କର ଫୁସ୍‌ଫୁସ୍‌ ଗୋଟିଏ ନୁହେଁ, ବୋଧହୁଏ ତିନୋଟି । ଟିକିଏ କ୍ଳାନ୍ତି ନାହିଁ–ହାତୀଙ୍କ ପରି ଡଳି ଢଳି ଚାଲନ୍ତି ହଜାର ହଜାର ଫୁଟ ଉପରକୁ ।

 

ଆଗରୁ କହିଚି ସେର୍ପା ବୋଇଲେ କେତେକ ଲୋକଙ୍କ ଧାରଣା ପାହାଡ଼ ଚଢ଼ାଳୀ । ଆଉ କେତେକଙ୍କ ଧାରଣା କୁଲି ବା ଗାଇଡ଼ । କିନ୍ତୁ ପ୍ରକୃତ ତାହା ନୁହେଁ । ସେର୍ପା ଗୋଟିଏ ଜାତି । ସେର୍ପା ଅର୍ଥ ପୂର୍ବ ଦେଶର ଲୋକ । ବହୁ ବର୍ଷ ପୂର୍ବରୁ ଏମାନଙ୍କ ପୂର୍ବପୁରୁଷ ତିବ୍ଦତରୁ ଆସିଥିଲେ । ତିବ୍ଦତୀୟମାନଙ୍କ ସହତି ମେଳ ବେଶି–ବେଷଭୂଷା, ଖାଦ୍ୟପେୟ ପ୍ରାୟ ଅନେକାଂଶରେ । ଯେଉଁମାନେ ଆଧୁନିକ ସଭ୍ୟତା ସହିତ ମିଶି ନାହାନ୍ତି, ସେମାନଙ୍କଠି ଏହି ତିବ୍ଦତୀୟ ଆଚାର ବ୍ୟବହାର ଏ ପର୍ଯ୍ୟନ୍ତ ରହିଛି । ସବୁଠାରୁ ଅଧିକ ସମ୍ପର୍କ ଧର୍ମ-ବନ୍ଧନ । ବର୍ତ୍ତମାନ ତିବ୍ଦତରେ ଯଦିଓ ସେର୍ପା ବସତି ନାହିଁ, ତଥାପି ସେର୍ପାମାନଙ୍କ ସହିତ ଏମାନଙ୍କର ସମ୍ପର୍କ ରହିଛି । ‘ରଙ୍ଗବୁକ୍‌’ ଗୁମ୍ପାର ଯୋଗାଯୋଗ ଅଛି । ଏମାନଙ୍କର ଭାରତୀୟ ବା ନେପାଳୀୟ ଗୁମ୍ପା ନାମ ଥାୟାଂବୁକ । ଥାୟାଂବୁକଠାରୁ ରଙ୍ଗବୁକ୍‌ ବହୁ ଦୂର; ତଥାପି ଉଭୟ ଗୁମ୍ପାକୁ ୟାତାୟତ ଏ ପର୍ଯ୍ୟନ୍ତ ଅଛି । ଅବଶ୍ୟ ନିକଟରେ ତିବ୍ଦତ କମ୍ୟୁନିଷ୍ଟମାନଙ୍କ ଅଧିକାରକୁ ଆସିବାରୁ ଏ ସମ୍ପର୍କ ବିଶେଷ ଭାବରେ ରହି ପାରୁନାହିଁ । କାରଣ ସେଥିଲାଗି ପାସପୋର୍ଟର କଟକଣା ରହିଛି ।

 

ସେର୍‌ପାମାନଙ୍କର କୌଣସି ଲିପି ନାହିଁ । ଆମ ଦେଶର କନ୍ଧ କୋହ୍ଲଙ୍କ ଭାଷା ପରି ଏହା ଏକ କଥିତ ଭାଷା । ଧର୍ମର କାରବାର ହୁଏ ତିବ୍ଦତୀ ଭାଷାରେ । କିନ୍ତୁ ଦାର୍ଜିଲିଂରେ ଏମାନେ ବଙ୍ଗଳା, ନେପାଳୀ ଓ ହିନ୍ଦୀ ଭାଷାରେ କାରବାର କରନ୍ତି । ଘରେ କିନ୍ତୁ ସେର୍ପା ଭାଷା ଚଳେ । ଏ ଭାଷା ତିବ୍ଦତୀ ଭାଷାରୁ ଆସିଛି । ତିବ୍ଦତୀ ପଞ୍ଜିକା ଅନୁସାରେ ବର୍ଷ, ତାରିଖ, ତିଥି ଆଦି ଗଣାଯାଏ । ଲିଖିତ ଭାଷା ନାହିଁ–ନାମକରଣରେ ଖୁବ୍‌ ଗୋଳମାଳ ହୁଏ । ଗୋଟିଏ ନାଁ ଅନେକଠି ଦେଖାଯାଏ-। କୌଣସି ବିଶେଷ ପଦବୀ ନାହିଁ ଯାହାକୁ ନାଁ ଶେଷରେ ବସେଇଲେ, ଅମୁକ ପରିବାରର ଲୋକ ବୋଲି ବୁଝାଯିବ । ଗୋଟିଏ ଧ୍ୱନି, ଗୋଟିଏ ଉଚ୍ଚାରଣ । ଲିଖିତଭାଷା ନାହିଁ ବୋଲି ଏମାନଙ୍କ ମଧ୍ୟରେ ବହୁ ଲୋକ ଅଶିକ୍ଷିତ । ବେଶୀ ପଇସା ପତ୍ର ହେଲେ ହୁଏତ ବିଦେଶୀ ଭାଷା ପଢ଼ାଯାଏ । ହୁଏତ ବଙ୍ଗାଳୀ କିମ୍ୱା ନେପାଳୀ ।

 

ସିକିମ ବସ୍ତିର କିଛି ଦୂରରେ ବୌଦ୍ଧମଠ । ସକାଳୁ ଉଠି ଶୀଘ୍ର ଗାଧୋଇଲି ଏହି ବୌଦ୍ଧମଠକୁ ଯିବା ଅଭିପ୍ରାୟରେ । ମେନଦଭା ମନା କଲା । ସେ ମୋ ସାଙ୍ଗରେ ଯିବ ନି । ଏହି ମଠକୁ ଯିବାପାଇଁ ସେର୍ପାମାନଙ୍କୁ ମନା । ହୁଏକ ଗୋଟିଏ କିଛି ମତଦ୍ୱୈଧ ଘଟିଛି–ସେର୍ପା ଓ ସିକିମମାନଙ୍କ ମଧ୍ୟରେ । ମେନଦଭା କିଛି ଦୂରରେ ମୋ ସାଙ୍ଗରେ ଯାଇ ମଠଟିକୁ ଦେଖାଇ ଦେଲା-। ଦୂରରୁ କେତୋଟି ପତାକା ଦେଖା ଯାଉଥାଏ । ମଠ ଚାରି ପାଖରେ ଧୋବ ଫରଫର ହୋଇ ପତାକାଗୁଡ଼ିକ ଉଡ଼ୁଥାଏ । ମୁଁ ତାକୁ ଚାହିଁ ଚାହିଁ କେତେବେଳେ ଅବାଟରେ କେତେବେଳେ ବାଟରେ ଚାଲିଥାଏ ।

 

ଆମମାନଙ୍କ ମନ୍ଦିର ପରି ଏଇଠି ପୂଜକ ରହନ୍ତି, ଭକ୍ତ ବି ଅଧିଆ ପଡ଼ନ୍ତି । ଘଣ୍ଟି ବାଜେ-। ଧର୍ମଚକ୍ର ଘୂରେ....

 

‘‘ଓ ମଣି ପଦ୍ମ ହୁମ୍‌, ଓଁ ମଣିପଦ୍ମ ହୁମ୍‌ ।’’

 

ଭକ୍ତ ଧର୍ମଚକ୍ରକୁ ଘୂରେଇ ଏହି ମନ୍ତ୍ର ଉଚ୍ଚାରଣ କରେ । ବୌଦ୍ଧଧର୍ମର ଏ ହେଉଛି ଏକ ପବିତ୍ର ମନ୍ତ୍ର । ସାଧାରଣ ଅର୍ଥ ହେଉଛି ପଦ୍ମ ଭିତରେ ମଣି । କିନ୍ତୁ ଏହାର ଧାର୍ମିକ ଅର୍ଥ ଏମାନଙ୍କ ଧର୍ମର ପଣ୍ଡିତମାନଙ୍କୁ ଜଣା । ବୌଦ୍ଧମୂର୍ତ୍ତି ଆଗରେ ପ୍ରଦୀପ ଜଳେ । କଲ୍ୟାଣ ପ୍ରଦୀପ ।

 

ମଠର ଅଭ୍ୟନ୍ତରରେ ଗୋଟିଏ ଛୋଟ ପ୍ରାଙ୍ଗଣ, ଉପରେ ଛାତ । ତାରି ତଳେ ଧାଡ଼ି ହୋଇ ପନ୍ଦର କୋଡ଼ିଏ ଜଣ ଭକ୍ତଙ୍କର ମନ୍ତ୍ରପାଠ । ବୁଝି ପାରିଲି ନାହିଁ କାହିଁକି ଏମାନଙ୍କ ଦେହରେ ଗୈରିକବସନ । ମୂର୍ତ୍ତି ଓ ମନ୍ଦିର ଭିତରଟି ସୁନା-ରୂପା, କାଚପଥର ଓ ନାନା ବର୍ଣ୍ଣର ଜରି କାଗଜରେ ସୁସଜ୍ଜିତ । ଧୂପ, ଦୀପ, ନୈବେଦ୍ୟ ସବୁ ହୁଏ । ପୂଜକ ଆଳତି କରେ । ପୂଜାପାଠ କରେ । ଦିନକୁ ପାଞ୍ଚ ଛଅ ବାର ପୂଜା ହୁଏ । ମେଳା ମଉତ୍ସବ, ଯାନିଯାତ୍ରାରେ ଏମାନେ ହିନ୍ଦୁ, ମୁସଲମାନଙ୍କ ପରି ମେଢ଼ ବାହାର କରନ୍ତି । ଶୋଭାଯାତ୍ରାରେ ଯାଆନ୍ତି ।

 

ଭକ୍ତମାନଙ୍କ ଦେହରେ ଯେପରି ଗୋଟାଏ ଅପ୍ରୀତିକର ଗନ୍ଧ ! ବହୁଦିନ ଧରି ଗାଧାନ୍ତି ନାହିଁ । ଲୁଗାପଟାରେ ତେଲର ମଇଳା ଚିକିଟା । ନିହାତି ଅପରିଷ୍କାର । ଲଣ୍ଡିତ ମସ୍ତକ । କଥା କହିଲାବେଳେ ଏପରି ଦୁର୍ଗନ୍ଧ ବାହାରେ ଯେ ମନେହୁଏ ଏମାନେ ବୋଧହୁଏ ଆମ କୋରାପୁଟର ଆଦିବାସୀଙ୍କ ପରି କେବେ ଦାନ୍ତ ଘଷନ୍ତି ନାହିଁ । ମୁନି ଋଷିଙ୍କ ପରି ଆଖି ବୁଜି ବସି ଥାଆନ୍ତି ତପସ୍ୟାରେ । ମଠରୁ ଅଭ୍ୟାଗତ ମିଳେ । ଦି’ଓଳି ପେଟପୂରା ଦୁଇମୁଠା ମିଳିଲେ ଗଲା ! ପୁରୀ ମଠ ମହନ୍ତଙ୍କ ଭଳି ପେଟୁ ନୁହନ୍ତି କିନ୍ତୁ ମଠର ବାବାଜୀମାନଦଙ୍କ ପରି ଏମାନେ ଏକ ରକମ ସୌଖିନ ଗୋଷ୍ଠୀ । ଏମାନଙ୍କ ମଧ୍ୟରେ ଗୃହୀ ମଧ୍ୟ ଅଛନ୍ତି । ବିବାହ କରିବାକୁ ଧର୍ମରେ ବାରଣ ନାହିଁ । ଦୁଇ ତିନିଟି କରି ମାତା ରଖିଥାନ୍ତି । କିନ୍ତୁ ମଠରେ କୌଣସି ମାତାର ସାକ୍ଷାତରେ ମୁଁ ଆସିନି-। ହୁଏତ ସେମାନେ ଭିତରର ନିଭୃତ କକ୍ଷରେ ବସି ମାଳା ଗୁନ୍ଥୁଥିବେ ନଚେତ୍‌ ବଳିତା ବଳୁଥିବେ-

 

ବୌଦ୍ଧ ଲାମାମାନଙ୍କ ମଧ୍ୟରେ ବହୁ ସୁପଣ୍ଡିତ ଅଛନ୍ତି । କିନ୍ତୁ ଲାମାମାନଙ୍କ ମଧ୍ୟରେ ଅନେକ ଭଣ୍ଡ । ଖାଲି ଆସ୍ଫାଳନ ମାତ୍ର । ଏମାନଙ୍କ ମଧ୍ୟରେ ଗୋଟିଏ ଗଳ୍ପ ପ୍ରଚଳିତ । ଶୁଣିବାକୁ ଭାରି ମଜା ଲାଗେ । ଗଳ୍ପଟି ଦୁଇଜଣ ଲାମା ସମ୍ପର୍କରେ । ଥରେ ଏ ଦୁଇଜଣ ବୁଲି ବୁଲି ଏକ ଗାଁରେ ଆସି ପହଞ୍ଚିଲେ । ଗୋଟିଏ ଘରେ ପଶି ଦେଖିଲେ–ଘରର ଗୃହିଣୀ ମାଂସ ରାନ୍ଧଚି । ମାଂସ ଗନ୍ଧରେ ଦୁହେଁ ବିଭୋଳ ହୋଇ ଉଠିଲେ । ଦୁହେଁ ହାତରେ ପ୍ରାର୍ଥନା ଚକ୍ର ଘୂରେଇ ଘୂରେଇ ମନ୍ତ୍ର ଉଚ୍ଚାରଣ କରି ଚାଲିଛନ୍ତି । ଗୃହିଣୀଟି କୌଣସି ମସଲମସଲି ଆଣିବା ପାଇଁ ଅନ୍ୟ ଘରକୁ ଯିବାର ଦେଖି ଲାମା ଦୁହିଁଙ୍କ ମଧ୍ୟରୁ ଜଣେ ହଠାତ୍‌ ଧାଇଁଗଲେ ହାଣ୍ଡିଶାଳକୁ । ହାଣ୍ଡି ଭିତରକୁ ଖଣ୍ଡିଏ ଭଲ ମାଂସ ଉଠାଇ ଆରି ମୁହଁରେ ଦେଉ ଦେଉ ଗୃହିଣୀଟି ଆସି ହାଣ୍ଡିଶାଳରେ ହାଜର ! ନିରୂପାୟ ହୋଇ ଲାମା ଜଣକ ମାଂସ ଖଣ୍ତକ ଟୋପି ତଳେ ରଖିଦେଇ ସ୍ଥାନ ତ୍ୟାଗ କଲେ । କିନ୍ତୁ ଗୃହିଣୀଟି ଚୁଲୀପାଖକୁ ଯିବା ପୂର୍ବରୁ ଲମା ଦୁହିଁଙ୍କୁ ତା ସ୍ୱାମୀର ମଙ୍ଗଳ କାମନା କରି କିଛିକ୍ଷଣ ପ୍ରାର୍ଥନା କରିବାକୁ ନିବେଦନ କଲା । ଲାମା ଦୁହେଁ ବସି ପଡ଼ିଲେ ପ୍ରାର୍ଥନାରେ । ପ୍ରାର୍ଥନା ଚାଲିଛି । ଜଣେ ଲାମା ଦେଖିଲେ ତାଙ୍କ ବନ୍ଧୁଙ୍କ ଟୋପିରୁ ମାଂସ ଖଣ୍ଡକ ଖସି ତଳେ ପଡ଼ିବାର ଉମକ୍ରମ ହେଉଛି । ଆଗରେ ବସିଚି ଗୃହିଣୀଟି । ବନ୍ଧୁଙ୍କୁ ସାବଧାନ କରିଦେବାକୁ ପଡ଼ିବ । ଲାମା ଜଣକ ଆରମ୍ଭ କଲେ ପ୍ରାର୍ଥନା ‘‘ଓ: ମଣିପଦ୍ମ ହୁମ୍‌–ମାଂସଟି ବାହାରି ପଡ଼ୁଛି ହୁମ୍‌–ମଣିପଦ୍ମୁ ହୁମ୍‌–ଆରେ ବାହାରି ପଡ଼ୁଛି ହୁମ୍‌ ।’’

 

ଭଣ୍ଡ ଲାମାଙ୍କ ସମ୍ପର୍କରେ ଏମିତି ବହୁଚ ଗଳ୍ପ ଶୁଣିବାକୁ ମିଳେ । ସବୁ ଧର୍ମ, ସବୁ ଦେଶର ଏମିତି ବହୁତ ସତ ମିଛ ଗଳ୍ପ ପ୍ରଚଳିତ ।

 

ସିକିମ୍‌ ଓ ନେପାଳୀମାନଙ୍କ ଅପେକ୍ଷା ସେର୍ପମାନେ ଅଧିକ ଧର୍ମଭୀରୁ । ଘରେ ଘରେ ଏମାନଙ୍କ ପ୍ରାର୍ଥନା ପୀଠ ଥାଏ । ବୁଦ୍ଧ ମୂର୍ତ୍ତିର ଖଟୁଳି । ଏଇଠି ଘର ଝିଅ ମାଇପେ ସଂଜଦୀପ ଜାଳନ୍ତି, ପ୍ରାର୍ଥନା କରନ୍ତି । ଝିଅ ଶାଶୁଘରକୁ ଯିବାବେଳେ ପ୍ରଥମେ ଏଇଠି ମୁଣ୍ଡିଆ ମାରେ ।

 

ଜନ୍ମ, ବିବାହ ଓ ମୃତ୍ୟୁ ଏଇ ତିନୋଟି ଘଟଣା ନେଇ ସେର୍ପାମାନଙ୍କର ପ୍ରଧାନ କ୍ରିୟାନୁଷ୍ଠାନ, ଉତ୍ସବ-ପର୍ବ । ଏମାନେ ଶବକୁ ଦାହ କରନ୍ତି । ଛୋଟ ଶିଶୁର ମୃତ୍ୟୁ ହେଲେ ପୋତି ଦିଆଯାଏ । କବର ଦିଆଯାଏ । ଯେଉଁମାନେ ଉଚ୍ଚ ପାହାଡ଼ରେ ମରିଯାଆନ୍ତି–ତଳକୁ ଆଣିବା ସମ୍ଭବ ହୁଏନା, ସେମାନଙ୍କୁ ସେଇଠି କବର ଦିଆଯାଏ । ସେଇଟା ମଣିଷ କରେ ନଚେତ୍‌ ପ୍ରକୃତି । କାରଣ ବରଫ ଭିତରେ କାଠ ମିଳିବ କୁଆଡ଼ୁ ? ଖ୍ରୀଷ୍ଟାନ୍‌ ଚର୍ଚ୍ଚରେ କାହାର ମୃତ୍ୟୁ ହେଲେ ଘଣ୍ଟି ବାଜିଲା ପରି ଏମାନଙ୍କ ଜନ୍ମ-ମୃତ୍ୟୁ ଉଭୟ ବେଳେ ମନ୍ଦିରରେ ଘଣ୍ଟି ବାଜେ । ଧର୍ମଚକ୍ର ଘୂରେ । ଧର୍ମଚକ୍ରର ଅନ୍ୟନାମ ଜୀବନ ଚକ୍ର । ଜୀବନଟା ଚକ୍ରଭଳି ଘୂରି ଚାଲିଛି କେତେବେଳେ ତଳେ, କେତେବେଳେ ଉପରେ ।

 

ସିକିମ୍‌ମାନଙ୍କ ମନ୍ଦିରରେ କିଛିକ୍ଷଣ କଟେଇ ଫେରିଲି । ମାନଦଭା ତୁଙ୍ଗସୁଙ୍ଗରୁ ଫେରୁଚି-। ମଦୁଆଙ୍କ ଭଳି ଆଖି ଲାଲ ଲାଲ । କିନ୍ତୁ ମାତାଲ ନୁହେଁ ।

 

‘‘କ୍ୟା ହୁଆ ତୁମ୍‌ହାରା ?’’

 

‘‘କୁଛୁ ଚାଙ୍ଗ୍‌ ଚଷ ଲିୟା ।’’

 

ଚାଙ୍ଗ୍‌ ସେର୍ପାମାନଙ୍କର ବିୟର୍‌ । ପାନୀୟ ତାମରସ । ପ୍ରତ୍ୟେକ ଘରେ ଚାଙ୍ଗ ତିଆରି ହୁଏ । ଚାଉଳ ବା ଯଅ ଜାତୀୟ ଶସ୍ୟରୁ ଏମାନେ ଏଇ ଜିନିଷ ତିଆରି କରି ଥାଆନ୍ତି । କଡ଼ା ନ ହେଲେ ଚାଙ୍ଗ୍‍ର ମଜା ଆସେନା । ବୋତଲରୁ ଗ୍ଳାସକୁ ଢାଳି ପିଇବା ପଦ୍ଧତି ଏଠି ଚଳେନା । ଚାଙ୍ଗ୍‌ ଯେତେବେଳେ ପ୍ରସ୍ତତ ହୋଇଯାଏ, ଗୋଟିଏ ପାତ୍ରରେ ଢଳାଯାଏ । ତା ଉପରେ ଗରମ ଜଳ । ତାପରେ ବେଶ୍‌ ଚୁ ଚୁ କରି ଶୋଷନ୍ତି । ବାଉଁଶର ନଳୀ ଦେଇ ମଧ୍ୟ ଶୋଷାଯାଏ । ଗୋଟିଏ ପାତ୍ରରେ ଚାରି ପାଞ୍ଚଟି ନଳୀ । ବେଶ୍‌ ଗୋଲାକାରରେ ପରିବାରର ଚାରି ପାଞ୍ଚ ଜଣ ଏକାଠି ବସି ଯାଆନ୍ତି। ଉପରର ପତଳା ଜଳ ତ୍ରମେ ଶେଷ ହୋଇଯାଏ । ପୁଣି ଗରମ ଜଳ ଢଳା ହୁଏ । ପୂର୍ଣ୍ଣ ହୁଏ ଶୂନ୍ୟ ହୁଏ । ଅତିଥି ଆସିଲେ ଏଇଥିରୁ ମନ୍ଦେ ମନ୍ଦେ ପିଅନ୍ତି । ବେଶ ତୃପ୍ତି ଲାଗେ ।

 

ମାନଦଭା ସେଇଥିରୁ ଢୋକେ ପକାଇ ଦେଇ ଆସିଚି ।

 

ପଚାରିଲେ–‘‘ମାନଦଭା, କୈସା ଲାଗ୍‌ତା ହୈ ।’’

 

‘‘ଆଚ୍ଛା–କୁଚ୍‌ ଚୁଷୋଗେ ? ଲେ ଆଏଗା ।’’

 

‘‘ଲାଓ-ଜରୁର ପିଏଗା, ଲେକିନ ହୋଟଲମେ ।’’

 

‘‘କୁଛୁ ପରବାୟ ନେହିଁ-ଓହଁ । ଲେ ଆଏଗା ।’’

 

ଚାଙ୍ଗର ମୃଦୁ ନିଶାରେ ବେଶ ରାତିଟିଯାକ ନିଘୋଡ଼ ନିଦ । ଆଖି ମଳି ମଳି ଉଠି ଦେଖେ ତ ହୋଟେଲ ବାରଣ୍ଡାରେ ଏକ ବୁଢ଼ୀ ସାଇବାଣୀ । ଠିକ୍‌ ମୋ ବସାର ସାମନାରେ । ପାଟିରେ ଦାନ୍ତ ନାହିଁ । ଏକ କପରେ ଦାନ୍ତଗୁଡ଼ିକ ଧୂଆ ହେଉଛି । ଦେଖି ଅବାକ୍‌ ହେଲି । ବିଶ୍ୱାସ ହେଲାନି । ଏଇ ତ ସେଇ ମେମସାହେବ । ଜଣେ ଯୁବକ ସାଥିରେ ଇଡ଼େନ ପାର୍କଠି ଦେଖିଥିଲି । ତେବେ ବିଂଶ ବର୍ଷିୟା ବୁବତୀ ଭଳି ସେତେବେଳେ ଦେଖାଯାଉଥିଲେ । ସ୍ନିଗ୍‌ଧ-କମନୀୟ-ରକ୍ତଗୋଲାପୀ ଚେହେରା ଦେଖି ମୁଁ ଆକୃଷ୍ଟ ହୋଇ ପଡ଼ିଥିଲି । ବାଳ ତ ଏମିତି ଧଳା ନଥିଲା । ଆଉ ପାଟି ! ଦେଖିଥିଲି ଗୁଡ଼ିଏ ଡ଼ାଳିମ୍ୱ ଭଳି ଦୁଇପାଟି ଦାନ୍ତଯେମିତି ଜକ୍‌ ଜକ୍‌ କରୁଚି ।

 

ବିସ୍ମୟକର ବୋଧ ହେଲା । ମୁଁ ବୋଧହୁଏ ଭୁଲ ଦେଖିଚି । ଭଲକରି ପୁଣି ଦେଖିଲି । ଗୋଡ଼ରୁ ମୁଣ୍ଡଯାଏଁ ଗୋଟିଏ ରକମର ଗଠନ । କିନ୍ତୁ ଯେ ଦଦରା ବୁଢ଼ୀଟିଏ–ପଚାଶ ବର୍ଷର ବୁଢ଼ୀ-। ଦାନ୍ତ ଧୂଆ ସରିଲା । କିଛିକ୍ଷଣ ପରେ ଦେଖିଲି, ବୁଢ଼ୀ ଜଣକ କ୍ରିମ ପାଉଡ଼ର ବୋଳାରେ ବ୍ୟସ୍ତ-। ଅଧଘଣ୍ଟାକ ପରେ ଡ଼୍ରେସିଂରୁମ ଭିତରୁ ବାହାରି ପଡ଼ିଛନ୍ତି । ତ ମୋ ଆଖି ଝଲସି ଉଠିଲା । ବୁଢ଼ୀ ସାଇବାଣୀ ବେଶ୍‌ ମେମେ କିଶୋରୀ ଭଳି ପୂର୍ବ ଯୌବନା-ରୂପବତୀ । ଗୋଡ଼ରେ ହାଇହିଲ ଜୋତା । ମୁଣ୍ଡରେ କଳା କଳା ବାଳ । ଦେହର ଚମଡ଼ାରେ ବାର୍ଦ୍ଧକ୍ୟର କୌଣସି ସୂଚନା ସୁଦ୍ଧା ନାହିଁ-। ସ୍ନିଗ୍‌ଧ ମସୃଣ ଚମଡ଼ା । ମେକ୍‌ଅପ୍‌ର କାରସାଦି କି ଦେଖ !

 

ଗୋଟାଏ ଜବରଦସ୍ତି ପରିଚୟ ପ୍ରାୟ ସଙ୍ଗେ ସଙ୍ଗେ ହୋଇଗଲା । ଇଂରେଜୀରେ ପଚାରିଲି–

 

‘‘ଆପଣଙ୍କ ସ୍ୱାମୀ କାହାନ୍ତି ?’’

 

‘‘ସ୍ୱାମୀ ! ସେ ତ ମୋର ଜଣେ ଛାତ୍ର ।’’

 

କ୍ଷମା କରିବେ–ଭୁଲ ହୋଇଗଲା ।’’

 

କୁଆଡ଼େ ଯିବାପାଇଁ ପ୍ରସ୍ତତ ହେଉଛନ୍ତି ବୋଲି ପଚାରିଲି ।

 

ତେନଜିଂଙ୍କୁ ସାକ୍ଷାତ କରିବା ପାଇଁ ଯିବେ ବୋଲି କହିଲେ ।

 

ତେନଜିଂଙ୍କ ପାଖକୁ ଯିବି ଯିବି ବୋଲି ଦୁଇ ଚାରି ଥର ବାହାରିଲିଣି । ଯାଉ ଯାଉ ବାଟରେ କେତେବେଳେ ତୁଙ୍ଗସୁଙ୍ଗ ବସ୍ତିରେ ତ କେତେବେଳେ କେଉଁ ଝରଣା ପାଖରେ ଅଟକି ଯାଉଛି । ଆଜି ଯାଇ ପାରିବି । ବେଶ୍‌, ଏହି ସାଇବାଣୀ ସାଥିରେ ଚାଲିଗଲେ ସୁବିଧା। ସଙ୍ଗେ ସଙ୍ଗେ ପ୍ରସ୍ତତ ହେଲି । ଦୁହେଁ ଚାଲିଲୁ, କିଛିବାଟ ଘୋଡ଼ାରେ, ତାପରେ ଚାଲି ଚାଲି ।

 

ଜଳାପାହାଡ଼ ।

 

ଏଇଠି ତେନଜିଂଙ୍କ ନୂତନ ବାସସ୍ଥାନ ଘାଁ-ଲା–ଘର ନାଁ । ଘାଁ-ଲାର ପ୍ରକୃତ ଅର୍ଥ ‘ତୁଷାର ପୂର୍ଣ୍ଣ ଗିରିପଥ’ । ଘାଁ-ଲା ସେର୍ପାମାନଙ୍କର ଏକ ତୀର୍ଥ ସ୍ଥାନ । ତଦନୁଯାୟୀ ଏହି ଘରର ନାମକରଣ ହୋଇଛି । ପଶ୍ଚିମ ବଙ୍ଗଳା ସରକାର ହିମାଳୟ ବିଜୟୀ ବୀର ତେନଜିଂଙ୍କୁ ଏହି ଘରଟି ଉପହାର ଦେଇଛନ୍ତି । ତୁଙ୍ଗସୁଙ୍ଗ ବସ୍ତିରୁ ଏଇ ବର୍ଷେ ହେଲା ତେନଜିଂ ସପରିବାର ଏଇଠିକି ଉଠି ଆସିଛନ୍ତି ।

 

ଜଳାପାହାଡ଼ର ଏ ଏକ ସୁନ୍ଦର ପୀଠ । ତଳେ ମୌନ ଉପତ୍ୟକା । ପାର୍ବତ୍ୟ କ୍ରୋଡ଼ ଭୂମିରେ ଜଳାପାହାଡ଼ ଯେପରି ଗୋଟିଏ ଅଲିଅଳ ପାର୍ବତ୍ୟ ଶିଶୁ । ମୋ ଦୃଷ୍ଟିରେ ବୁଢ଼ୀଟିଏ । ମୁଣ୍ଡରେ ଏକ ଫେଲ୍‌ଟ ଟୋପି । ଟିକିଏ ହେଲେ ଶଙ୍କା, ଲଜ୍ଜା, ଭୟ ନାହିଁ । ଯାଉଛୁ ଏକ ପୃଥିବୀ ବିଖ୍ୟାତ ବୀରଙ୍କ ସାକ୍ଷାତରେ ମନରେ । ଉତ୍‌ଫୁଲ୍ଲତା ।

 

ତେନଜିଂ ଏଇ ଦୁଇ ଚାରି ଦିନ ହେଲା ସୁଇଜରଲାଣ୍ଡରୁ ଫେରିଛନ୍ତି । ସାକ୍ଷାତ ନିଶ୍ଚୟ ମିଳିବ । ଘର ଆଗରେ କେତୋଟି ଚୌକି । ଦୁହେଁ ଚୌକି ଉପରେ ବସି ଅପେକ୍ଷା କରିଥାଉଁ । ଶୁଣିଲୁ ତେନଜିଂ ପ୍ରାର୍ଥନା କରୁଛନ୍ତି । ସେ ପ୍ରତିଦିନ ସକାଳେ ପ୍ରାର୍ଥନା କରନ୍ତି ଅନ୍ୟ ଧାର୍ମିକ ବୌଦ୍ଧଙ୍କ ଭଳି । ତାଙ୍କ ଭଳି ନାନା ଦେଶ ବିଦେଶ ବୋଧହୁଏ କୌଣସି ସେର୍ପା ଘୂରି ନ ଥିବେ ! ତଥାପି ନୂତନ ସଭ୍ୟତା ତାଙ୍କୁ ନାସ୍ତିକ, ବିଧର୍ମୀ କରି ଦେଇନି । ପୂର୍ବ ଆଚାର, ପଦ୍ଧତି, ଧର୍ମନୀତିକୁ ସେ ଅକ୍ଷୂର୍ଣ୍ଣ ରଖି ନିଷ୍ଠାପର ଭାବରେ ପାଳନ କରି ଆସିଛନ୍ତି ।

 

ମୁଁ ମୋର ପରିଚୟ ପତ୍ରରେ ଲେଖିଥିଲି–ମୁଁ ଜଣେ ସାମ୍ୱାଦିକ । ବୁଢ଼ୀ ଲେଖିଲେ–ମିସେନ୍‌ ଷ୍ଟିଭେନ୍‌ସନ୍‌ । ଆମ ଦୁଇଜଣଙ୍କୁ ଡ଼ାକରା ହେଲା । ଘର ଭିତରେ ତେନଜିଂ । ବିଚିତ୍ର ଏକ ଘଟଣା ଘଟିଲା ।

 

ତେନଜିଂ ମିସେସ୍‌ ଷ୍ଟିଭେନ୍‌ସନ୍‌ଙ୍କୁ ଦେଖୁ ଦେଖୁ ଧାଇଁ ଆସିଲେ । କୁଣ୍ଢେଇ ପକାଇଲେ ମିସେସ୍‌ ଷ୍ଟିଭେନ୍‌ସନ୍‌ଙ୍କୁ; ସତେ କି ପରସ୍ପର ମଧ୍ୟରେ ମା’ ପୁଅର ସମ୍ୱନ୍ଧ । ଆନନ୍ଦରେ ତେନଜିଂ ଆଖି ଓଦା ହୋଇ ଆସିଲା । ସଙ୍ଗେ ସଙ୍ଗେ ଘରକୁ ଧାଇଁ ଝିଅ ପ୍ରେମ ଓ ନିମୋକୁ ଡ଼ାକି ଆଣିଲେ । ପଛେ ପଛେ ସ୍ତ୍ରୀ ଆଙ୍ଗଲାମୁ । ବୁଢ଼ୀ ସମସ୍ତଙ୍କୁ କୁଣ୍ଢେଇ ପକାଇଲେ । ମନେ ହେଲା ବୁଢ଼ୀ ସହିତ ପରିବାରର ସମସ୍ତଙ୍କର ବହୁ ପୂର୍ବରୁ ଘନିଷ୍ଠତା ରହିଛି ।

 

ପରେ ବୁଝିଲି ଯେ ଏପରି ଘନିଷ୍ଠତା ହୁଏତ କମ ଲୋକଙ୍କ ଭିତରେ ଥିବ । ଷ୍ଟିଭେନ୍‌ସନ୍‌ ଗଲା ତିନି ବର୍ଷ ହେଲା ଇହଧାମ ତ୍ୟାଗ କଲେଣି । ସେ ଜର୍ମାନ । ପାହାଡ଼ ଗଢ଼ିବା ପାଇଁ ସେ ପ୍ରଥମେ ତେନଜିଂଙ୍କୁ ସାହସ ଦେଇଥିଲେ । ଦାର୍ଜିଲିଂ ହୋଟେଲରେ ସ୍ୱାମୀ ସ୍ତ୍ରୀ ଉଭୟେ ରହୁଥିଲେ । ପାହାଡ଼ ଉପରକୁ ଚଢ଼ିବା ପାଇଁ ଅପୂର୍ବ ଉତ୍ସାହ ଥିଲା ଦୁହିଁଙ୍କର । ବୟସରେ ତେନଜିଂଙ୍କଠୁ ଖୁବ୍‌ ବଡ଼ । ତେନଜିଂକୁ ସେ ପୁଅ ଭଳି ଦେଖୁଥିଲେ । ତାଙ୍କର ପୋଷାକପତ୍ର, ଖାଦ୍ୟପେୟ ସବୁ ବିଷୟ ବୁଝୁଥିଲେ ।

 

ତୁଙ୍ଗସୁଙ୍ଗ ବସ୍ତିକି ସେମାନେ କେତେ ଥର ଆସିଛନ୍ତି । ତେନଜିଂଙ୍କ ସେଇ ଛୋଟ ମଇଳା ଅସନା ଘର ବାରଣ୍ଡାରେ ବସି ଚାହା ଖାଇଚନ୍ତି । ଏକାଠି ବସି ଚାଙ୍ଗ ପିଇଚନ୍ତି । ଦୁଇ ଥର ପାଇଁ ପାହାଡ଼ ଉପରକୁ ଉଠିଥିଲେ କିନ୍ତୁ ପ୍ରବଳ ତୁଷାର ଝଡ଼ ହେତୁ ସେମାନେ ଅଗ୍ରସର ହୋଇ ପାରିଲେ ନାହିଁ । ତା ପରେ ସେ ଜର୍ମାନୀ ଫେରିଯିବା କଥା; ସେ ଦିନର ବିଦାୟ ବେଳେ ତେନଜିଂଙ୍କ ଆଖି ଛଳ ଛଳ ହୋଇ ଉଠିଥିଲା ।

 

ବହୁ ବର୍ଷ ହୋଇଗଲାଣି । ଅନ୍ୟ ଜର୍ମାନ ଅଭିଯାତ୍ରୀମାନଙ୍କଠାରୁ ଷ୍ଟିଭେନ୍‌ସନ୍‌ଙ୍କ ମୃତ୍ୟୁ ସମ୍ୱାଦ ପାଇବା ଦିନଠୁ ମିସେସ୍‌ ଷ୍ଟିଭେନ୍‌ସନ୍‌ଙ୍କ ସହିତ ସାକ୍ଷାତ କରିବା ପାଇଁ ସେ ଉଦ୍‌ବିଗ୍ନ ହୋଇ ଉଠିଥିଲେ । ତାଙ୍କୁ ଆଉ ଜର୍ମାନୀ ଯିବାକୁ ପଡ଼ିନି । ମିସେସ୍‌ ଷ୍ଟିଭେନ୍‌ସନ୍‌ ନିଜେ ବୀର ପୁତ୍ରକୁ ସଂଭାଷଣ ଜଣାଇବାକୁ ଆସିଛନ୍ତି ।

 

ଖାଲି ଆନନ୍ଦ ଖୁସିରେ ଗପ ଚାଲିଲା । ଚାହା କପ ପରେ କପ । ସିଗାରେଟ୍‍ । ମିସେସ୍‌ ଷ୍ଟିଭେନ୍‌ସନ୍‌ ନିମୋକୁ ଧରି ଘର ଭିତରକୁ ଗଲେ । ମୁଁ ରହିଲି ତେନଜିଂଙ୍କ ପାଖରେ ଏକାକୀ !

 

ମୋର ଧାରଣା ଥିଲା ତେନଜିଂ ନିପଟ ମୂର୍ଖ । କିଛି ଜାଣନ୍ତି ନାହିଁ । ଅବଶ୍ୟ ନିରକ୍ଷର କିନ୍ତୁ ଅଶିକ୍ଷିତ, ମୂର୍ଖ ବୋଲି କହିବା ବିରାଟ ଭୁଲ ହେବ । ସେ ବହୁ ଭେଷା ଜାଣନ୍ତି । ଏପରିକି ଫରାସୀ, ଜର୍ମାନ, ଇଂରେଜ ବହୁ ବିଦେଶୀ ଭାଷା । ତା’ଛଡ଼ା ଭାରତୀୟ ଭାଷା ପାଞ୍ଚ ଛଅଟି କହି ପାରନ୍ତି । ସାମ୍ୱାଦିକ ମାତ୍ରେ ସ୍ୱଭାବତଃ ବହୁ ପ୍ରଶ୍ନ ପଚାରନ୍ତି । ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଚି । ଉତ୍ତର ସଙ୍ଗେ ସଙ୍ଗେ ପାଏ । କେତେବେଳେ ହିନ୍ଦ, କେତେବେଳେ ଇଂରେଜୀ ଓ କେତେବେଳେ ବଙ୍ଗଳାରେ ।

 

ତେନଜିଂ ! ଫଟୋରେ ଦେଖିଚି, ସିନେମାରେ ଦେଖିଚି । ସେଇ ହସ ହସ ମୁହଁ । ବୟସ ଚାଳିଶରୁ ଅଧିକ । କିନ୍ତୁ ବଳିଷ୍ଠ ଯୁବକ ଭଳି ଚେହେରା । ଅନ୍ୟ ସେର୍ପାଙ୍କ ଭଳି ଚମଡ଼ା ଅଧିକ ଗୋରା ନୁହେଁ । ଭାରତୀୟଙ୍କ ଭଳି ସାଧାରଣ ଗୌରବର୍ଣ୍ଣ । ଦେହରେ ଲମ୍ୱା ହାଓ୍ୱାଇ ସାର୍ଟ-। ଫୁଲପ୍ୟାଣ୍ଟ । ସବୁ ଗରମ ପୋଷାକ । ଖଉବ୍‌ ଦାମିକା । ହାତରେ ବହୁ ମୂଲ୍ୟବାନ ଘଡ଼ି-। ଘଡ଼ିଟିରେ କିଛି ବିଶେଷତ୍ୱ ଥିଲାପରି ମନେ ହେଲା । ହୁଏତ ପାହାଡ଼ ଚଢ଼ାଳୀମାନଙ୍କ ପକ୍ଷରେ ଏହା ନିତାନ୍ତ ଆବଶ୍ୟକ ।

 

କିଏ ଜାଣିଥିଲା ମୋଚିର ପୁଅ ହିଟଲର ଏପରି ପ୍ରତାପଶାଳୀ ପରାକ୍ରମୀ ହୋଇ ଉଠିବ-? ସେହିପରି ତେନଜିଂ !

 

ତେନଜିଂ ହୁଏତ ଆଜି ଗୈରିକବସନ ପରିହିତ ଲାମା ହୋଇ ବୌଦ୍ଧ ମନ୍ଦିରରେ ଧର୍ମଚକ୍ର ଘୂର୍ଣ୍ଣନରେ ବ୍ୟସ୍ତ ଥାଆନ୍ତେ ନଚେତ୍‌ ଚମରୀ ଗାଈ ଚରେଇ ତାଙ୍କ ଜୀବନଟି ଶେଷ ହୋଇ ଯାଇଥାଆନ୍ତା ।

 

୧୯୫୩ ସାଲର ମେ ମାସର ଗୋଟିଏ ଦିନ । ଏକ ମନୋରମ ସକାଳେ ଯେତେବେଳେ ତେନଜିଂ ଓ ହିଲାରୀ ପୃଥିବୀର ସର୍ବୋଚ୍ଚ ଚୂଡ଼ାକୁ ଉଠିଲେ, ବିଜୟ ପତାକା ଉଡ଼ାଇ ଆସିଲେ, ସେଦିନ ପୃଥିବୀ ଏହି ଅଜ୍ଞାତ ଅଶିକ୍ଷିତ ଦରିଦ୍ର କୁଲି ସେର୍‌ପା ଯୁବକଟିର ପରିଚୟ ପାଇଲା । ଚଙ୍ଗୋଲଙ୍ଗମା (ସେର୍ପା ଭାଷାରେ ଏଭରେଷ୍ଟ ଶୃଙ୍ଗ) ଗଣ୍ଡରେ ଚୁମ୍ୱନ ଦେଇ ଫେରିଲେ ତେନଜିଂ ବିଜୟ ଦର୍ପରେ । କିଏ କେତେ ନାଁ ଧରି ଡ଼ାକିଲେ; କିଏ କହିଲା ତେନସିଂ କିଏ କହିଲା ତେନ୍‌ଜିନ୍‌ । ନାଁଟି ନେଇ ନାନା ଗୋଳମାଳ । ନାନା ବିଭ୍ରାନ୍ତି । ଏଇ ସେଇ ସେତଜିଂ ।

 

ଜୀବନର କିଛିଟା ଅଂଶ ଜାଣିବା ପାଇଁ ମୁଁ ବ୍ୟଗ୍ର । ମୋରି ଭଳି ବହୁ ସାମ୍ୱାଦିକ ତାଙ୍କୁ ତାଙ୍କ ଜୀବନୀ ପଚାରି ଯାଇଚନ୍ତି । ଟିକିଏ ବିରକ୍ତ ନାହିଁ । ସେ ସମସ୍ତଙ୍କ କହି ଯାଇଛନ୍ତି, ଟିପି ନେଇଛନ୍ତି ସମସ୍ତେ ।

 

ମୁଁ କାଗଜ କଲମ ଧରି ଚାହିଁ ରହିଚି ତାଙ୍କ ମୁହଁକୁ । ତେନଜିଂଙ୍କ ମନେପଡେ ପିଲାଦିନ କଥା ।

 

ମକାଲୁ ପାହାଡ଼ ତଳେ ତସା-ଚୁ ତାଙ୍କର ଜନ୍ମସ୍ଥାନ । ନେପାଳର ଶୋଲାଖମ୍ବୁ ଅନ୍ତର୍ଗତ ଏକ ଛୋଟ ଗାଁ । ଗୌରୀଶଙ୍କର ଏଇଠୁ ଦିନକର ବାଟ । ତସା–ଚୁ ଅର୍ଥ–ଉଷ୍ଣ ପ୍ରସ୍ରବଣ । ଏଇଠି ଗୋଟି ଗୁମ୍ପା ନାଁ ଘାଂ-ଲା । ବୌଦ୍ଧ ମାନଙ୍କର ପବିତ୍ର ସ୍ଥାନ । ଏହି ସ୍ଥାନଟି ନାଁ ଅନୁଯାୟୀ ତେନଜିଂଙ୍କର ବଂଶ ଉପାଧି । ଏହା ପାଖରେ ଗୋଟିଏ ବିରାଟ ପଥର–ଠିକ୍‌ ବୁଦ୍ଧ ମୂର୍ତ୍ତି ଭଳି । ଶୁଣାଯାଏ, କୌଣସି ପୁଣ୍ୟାତ୍ମ ଏହାକୁ ଛୁଇଁ ପ୍ରାର୍ଥନା କଲାମାତ୍ରେ ଏହି ପଥର ଦେହରୁ ପାଣି ଝରିଆସେ ।

 

ତାଙ୍କ ଜନ୍ମ ତାରିଖ ଜାଣିବା ମୁସ୍କିଲ । ଶୋଲାଖମ୍ୱୁରେ ତିବ୍ଦତୀ ପଞ୍ଜିକା ଅନୁଯାୟୀ ତିଥି ଗଣନା ହୁଏ । ଏହି ପାଞ୍ଜିରେ ବର୍ଷ ମେସ ଠିକ୍‌ କରାଯାଏ । ପାଶୁ ପକ୍ଷୀର ନାମ ଅନୁଯାୟୀ ବର୍ଷ ବାର ଗୁଡ଼ିକ ସ୍ଥିର ହୁଏ । ବାରଟି ମାସପ୍ରାୟ ସବୁ ପଶୁ ପକ୍ଷୀଙ୍କ ନାମାନୁଯାୟୀ । ଛଅଟି ବର୍ଷକୁ ପୁରୁଷ ମାସ–ଆଉ ଛଅଟି ସ୍ତ୍ରୀ ମାସ । ତେନଜିଯଂ ବହୁତ ବର୍ଷ ଧରି ଜାଣି ନ ଥିଲେ–ତାଙ୍କର ବୟସ କେତେ । କେବଳ ଜାଣନ୍ତି–ସେ ‘‘ଇୟୋୟା’’ (ଗୋଟାଏ ପଶୁର ନାମ) ବର୍ଷରେ ଜନ୍ମଗ୍ରହଣ କରିଛନ୍ତି । ଖୁବ୍‌ କଷ୍ଟରେ ବାହାର କରି କହିଲେ ବୋଧହୁଏ ତାଙ୍କର ଜନ୍ମ ୧୯୧୪ ସାଲରେ । ତିବ୍ଦତୀ ପଞ୍ଜିକା ଅନୁଯାୟୀ ଧରିଲେ ହୁଏତ ତାଙ୍କର ଜନ୍ମ ୧୯୦୨ କିମ୍ୱା ୧୯୨୬ ହୋଇପାରେ । କିନ୍ତୁ ଦେଖିଲେ ମନେହୁଏ–ସେ ଏତେ ବୁଢ଼ା ନୁହନ୍ତି କିମ୍ୱା ଏତେ ଯୁବକ ନୁହଁନ୍ତି । ବର୍ଷର କେଉଁ ସମୟରେ ତାଙ୍କର ଜନ୍ମ ସେଇଟା କହିବା ସହଜ । ଜଳବାୟୁ, ଫସଲ ଆଦି ଦେଖି ତା ସ୍ଥିର କରାଯାଇପାରେ । ସେଇ ଅନୁସାରେ ତାଙ୍କର ଜନ୍ମ ମେ ମାସରେ । ଏହି ମାସଟି ତାଙ୍କର ଶୁଭ ମାସ । କାରଣ ସେଇ ମାସରେ ହିଁ ଗୌରୀଶଙ୍କର ଚୂଡ଼ାକୁ ସ୍ପର୍ଶ କରି ପାରିଛନ୍ତି ।

 

ତାଙ୍କର ମା’ଙ୍କ ନା କିନ୍‌ ଜୋମ୍‌ । ବାପାଙ୍କ ନା ଘାଙ୍ଗଲା ମିଙ୍ଗମା । କିନ୍ତୁ ତାଙ୍କର ସନ୍ତାନମାନେ ଏ ଉପାଧି ନେଇ ନ ଥାଆନ୍ତି । ସେ ଥିଲେ ସାତ ଭାଇ, ଆଉ ଛଅ ଭଉଣୀ । ଏକ ବିରାଟ ପରିବାର । କିନ୍ତୁ ଶୋଲାଖମ୍ୱୁରେ ଜୀବନ ଖୁବ୍‌ କଠୋର । ମୃତ୍ୟୁ ଖୁବ୍‌ ନିକଟର । ବର୍ତ୍ତମାନ କେବଳ ଭାଇଙ୍କ ମଧ୍ୟରୁ ସେ ଆଉ ତିନୋଟି ଭଉଣୀ ମାତ୍ର ବଞ୍ଚିଛନ୍ତି । ଛଅ ଭଉଣୀଙ୍କ ମଧ୍ୟରୁ ଦୁଇ ଜଣ ଦାର୍ଜିଲିଂରେ ନିଜ ସ୍ୱାମୀଙ୍କ ସହିତ ରୁହନ୍ତି–ଛୋଟ ଭଉଣୀ ଶୋଲାଖମ୍ୱୁରେ । ୧୯୪୦ରେ ବାପାଙ୍କର ମୃତ୍ୟୁ ହୋଇଗଲା । କିନ୍ତୁ ମା’୧୯୫୫ ପର୍ଯ୍ୟନ୍ତ ବଞ୍ଚିଥିଲେ ।

 

ଜନ୍ମବେଳୁ ତାଙ୍କ ନାମ ତେନଜିଂ ନ ଥିଲା–ନାମ ଥିଲା ନାଙ୍ଗଗ୍ୟାଲ ଓୟଙ୍ଗଦି । ଥରେ ଜଣେ ଲାମା ରଙ୍ଗବୁକ୍‌ଠାରୁ ଆସି କହିଲେ–ନିକଟରେ ଶୋଲାଖମ୍ୱୁଠି ଯେଉଁ ଧନୀ ଲୋକ ଜଣକ ମରିଗଲେ, ଏ ପିଲାଟି ତାରି କଳେବର ନେଇ ଜନ୍ମିଚି। ସେ ନାଁ ଦେଲେ ତେନଜିଂ ନୋରଗେ ବା ନୋରକି । ନୋରଗେ ଅର୍ଥ ଧନୀ । ତେନଜିଂ ଅର୍ଥ ଧର୍ମପ୍ରାଣ । ଏଇ ନାଁଟି ଅନେକ ଲୋକଙ୍କଠି ଦେଖାଯାଏ । ଯେଉଁ ଲାମା ଏ ନାମା ଏ ନାମକରଣ କରିଗଲେ ତାଙ୍କ ନାଁ ମଧ୍ୟ ଏହି ତେନିଜିଂ ।

 

ଟିକିଏ ବଡ଼ ହେଲାପରେ ପରିବାର ଲୋକେ ସ୍ଥିର କଲେ ତେନଜିଂ ହେବ ଲାମା । ଗୋଟିଏ ଗୁମ୍ପାକୁ ଯିବାକୁ ପଡ଼ିଲା। ଲଣ୍ଡାମୁଣ୍ଡ । ଏକ ବାଳବୈଷ୍ଣବର ପୋଷକ ପରିଧାନ କରିବାକୁ ପଡ଼ିଲା । କେତେକ ଲାମାଙ୍କ ଚେଲା ହୋଇ ରହିଲେ । ଦିନେ ଜଣେ ଲାମା ତାଙ୍କ ଲଣ୍ଡାମୁଣ୍ଡରେ କାହିଁକି କେଜାଣି ରାଗରେ ଗୋଟାଏ ପାହାର ପକାଇଲେ । ମନରେ ବଡ଼ କଷ୍ଟ ହେଲା । ସେଇଦିନଠାରୁ ସେ ସେଠାରୁ ବିଦାୟ ନେଲେ । ଆଉ ଫେରି ନାହାନ୍ତି ସେ କଠୋର ଅନ୍ଧକାରପୂର୍ଣ୍ଣ ଗୁମ୍ପାକୁ । କିନ୍ତୁ ଗୋଟିଏ କଥା ଭାବି ସେ ଦୁଃଖିତ ହୁଅନ୍ତି । ହୁଏତ ଏହି ମଠରେ ଆଉ କିଛିଦିନ ରହିଥିଲେ ସେ ବେଶ କିଛିଟା ପଢ଼ାପଢ଼ି କରି ପାରି ଥାଆନ୍ତେ, ଏପରି ନିପଟ ନିରକ୍ଷର ହୋଇ ନ ଥାଆନ୍ତେ ।

 

ଶୋଲାଖମ୍ୱୁରେ ତାଙ୍କ ବାପା ଥିଲେ ଗରିବ । ବଡ଼ କଷ୍ଟରେ ଚଳନ୍ତି । ଚମରୀ ଗାଈର ଦୁଧ ବିକ୍ରୀ କରି ସେଥିରୁ ଯାହା ମିଳେ ଖାଆନ୍ତି । ଚମରୀ ଗାଈ ତାଙ୍କର ନୟନର ମଣି । ଖାଲି ସେର୍ପା ନୁହଁନ୍ତି ହିମାଳୟରେ ଯେ କୌଣସି ଅଞ୍ଚଳର ଅଧିବାସୀ ପକ୍ଷରେ ଚମରୀ ଗାଈ ପ୍ରାଣତୁଲ୍ୟ-। ବାପା ଓ ମାମୁଁ ଧର୍ମପ୍ରାଣ ଲୋକ । ହିନ୍ଦୁଙ୍କ ପରି ୟା’ ତା’ ଘରେ ପୂଜା ଅର୍ଚ୍ଚନା କରି କିଛି ସଂଗ୍ରହ କରି ଥାଆନ୍ତି । କିଛି ନ ମିଳିଲେ ଚମରୀଗାଈ ଦୁଧ ତ ପ୍ରଚୁର । ଗରମ ଗରମ ଦୁଧ ପିଇ ଦିନ ଦିନ ଧରି ରହିଯାଇପାରନ୍ତି । ବାପା ତାଙ୍କୁ ଭାରି ଭଲ ପାଆନ୍ତି–ତାଙ୍କ ଦିଦିଙ୍କୁ ମଧ୍ୟ । ଦିଦି ଓ ସେ ଉଭୟେ ଦୁଧ ଦୁହିଁ ଘର ଘର ଦେଇ ଆସନ୍ତି ।

 

ଅନେକ ଦିନ ପୂର୍ବରୁ ସେର୍ପା ଲୋକେ ଶୋଲାଖମ୍ୱୁ ଛାଡ଼ି ବିଭିନ୍ନ ଅଞ୍ଚଳକୁ ଚାଲି ଆସିଛନ୍ତି । ପ୍ରାୟ ପଚାଶ ବର୍ଷ ଆଗେ କେତେ ଜଣ ବ୍ରିଟିଶ ଆବିଷ୍କାରକ ହିମାଳୟ ଅଭିଯାନ କରିବାକୁ ଆସିଥିଲେ । ସେମାନେ ସେର୍ପାମାନଙ୍କୁ ଧରି ପାହାଡ଼ ଉଠିଲେ । ସେହିଦିନଠୁ ସେମାନେ ପୃଥିବୀସାରା ପ୍ରଚାର କରିଦେଲେ ଯେ ପାହାଡ଼ ଚଢ଼ିବା ଲାଗି ସବୁଠାରୁ ଉପଯୁକ୍ତ ଜାତି ସେର୍ପାମାନେ । କ୍ରମେ କ୍ରମେ ଦଳ ଦଳ ଅଭିଯାନକାରୀ ନେପାଳକୁ ଆସିବାକୁ ଲାଗିଲେ । ସେର୍ପାମାନେ ହେଲେ ସେମାନଙ୍କ ଲାଗି ଭାରବାହୀ ପଶୁ ଭଳି । ନେପାଳରୁ ଭାରତ ବିଶେଷତଃ ଏଇ ଦାର୍ଜିଲିଂ ପର୍ଯ୍ୟନ୍ତ ସେର୍ପାଙ୍କର ଯିବା ଆସିବା ହୁଏ । ତେନଜିଂ ପିଲାଟି ଦିନୁ ଏହି ପାହାଡ଼ ଚଢ଼ାଳୀମାନଙ୍କୁ ଦେଖନ୍ତି । ଚମରୀ ଗାଈ ଧରି ସେ ବହୁତ ଉପରକୁ ଉଠନ୍ତି । ତାଙ୍କର ଇଚ୍ଛା ହୁଏ ବଡ଼ ହେଲେ ସାହେବମାନଙ୍କ ସାଥିରେ ଅନ୍ୟ ସେର୍ପାଙ୍କ ଭଳି ସେ ମଧ୍ୟ ବହୁତ ଉପରକୁ ଉଠି ପାରିବେ ।

 

ଜୀବନରେ ବହୁ ସଂଗ୍ରାମ କରିବାକୁ ପଡ଼ିଚି । ଚା ବଗିଚାରେ ଚାହା ପତ୍ର ତୋଳିଛନ୍ତି, ପିଅନ ଓ ଦରଓ୍ୱାନ କାମ କରିଛନ୍ତି । ପଛରେ ଚଉକି ଓହଳେଇ ଯାତ୍ରୀମାନଙ୍କୁ ଧରି ବହୁ ଉଚ୍ଚକୁ ଉଠିଛନ୍ତି । ଯାତ୍ରୀ ନ ମିଳିଲେ ବୋଝ ଦେହରେ ପଥର ଭର୍ତ୍ତି କରି ସେ ପାହାଡ଼ ଚଢ଼ା ଅଭ୍ୟାସ କରିଛନ୍ତି । ଏମିତି ଦିନରାତି ପ୍ରାୟ କୋଡ଼ିଏ ପଚିଶି ବର୍ଷ କଟି ଯାଇଛି । ଇତିମଧ୍ୟରେ ତାଙ୍କୁ ବହୁତ ସୁବିଧା ସୁଯୋଗ ଜୁଟିଛି । ସବୁଠୁ ଅଧିକ ଆନନ୍ଦ ମିଳେ ପାହାଡ଼ ଚଢ଼ାରେ-ଯେତେ କଷ୍ଟ ହେଉନା କାହିଁକି ? ଜୀବନରେ ଖାଲି ସେ ବନ୍ଧୁର ପଥ, ତୁଷାର ନଦୀ, ଝରଣା ଡେଇଁ ଉପରକୁ ଉଠିବାକୁ ହିଁ ଭଲ ପାଇ ଆସିଛନ୍ତି ।

 

ଏଭରେଷ୍ଯକୁ ଉଠିବା ପୂର୍ବରୁ ସେ ବହୁ ଦୂରଦୂରାନ୍ତ ଘୂରିଛନ୍ତି । ସାରା ଭାରତବର୍ଷ ଓ ଇଂଲଣ୍ଡ ଯାଇଛନ୍ତି, ଦୁଇଥର ସୁଇଜରଲାଣ୍ଡ, ରୋମ ମଧ୍ୟ । ଘୂରିବା, ବୁଲିବା ଦେଖିବା ଏହି ତ ଜୀବନ; ବଞ୍ଚିବାରେ ବଡ଼ ଆନନ୍ଦ । ଏ ପୃଥିବୀଟା କେତେ ବଡ଼ । ଏପରିକି ପୃଥିବୀର ସର୍ବୋଚ୍ଚ ସ୍ଥାନକୁ ଉଠି ମଧ୍ୟ ସମଗ୍ର ପୃଥିବୀଟାକୁ ଦେଖିବା ସମ୍ଭବ ହୋଇପାରିଲାନି ।

 

ପ୍ରଥମ ସ୍ତ୍ରୀ ଦାଓୟା ଫୁଟିଙ୍କ ମୃତ୍ୟୁ ପରେ ପୁଣି ତାଙ୍କୁ ବିବାହ କରିବାକୁ ପଡ଼ିଲା । କାରଣ ପ୍ରଥମ ସ୍ତ୍ରୀର ମୃତ୍ୟୁ ବେଳକୁ ଝିଅ ନିମ୍ମୋ ଖୁବ୍‌ ଛୋଟ ।

 

ପିଲାଟିର ଲାଳନ ପାଳନ ଭାର ପଡ଼ିଲା ଦ୍ୱିତୀୟ ବିବାହିତା ସ୍ତ୍ରୀ ଆଙ୍ଗଲାମୁ ଉପରେ । ବଡ଼ ଗୁଣବତୀ ସ୍ତ୍ରୀ । ମିସେସ ଷ୍ଟିଭେନ୍‌ସନ୍‌ଙ୍କ ସହ ତାଙ୍କର ଆଳାପରୁ ମୁଁ ବୁଝି ପାରିଲି ପ୍ରକୃତରେ ସେ ବଡ଼ ପତିପରାୟଣା । ପ୍ରେମ ତେନଜିଂଙ୍କର ଛୋଟ ଝିଅ । ବଙ୍ଗାଳୀ ଝିଅ ଭଳି ସୁନ୍ଦର ଚେହେରା । ବୟସ ଦଶ କି ବାର ହେବ । ଦୁଇ ଉଭଣୀ ଦାର୍ଜିଲିଂର କାଥଲିକ୍‌ ଲରେଟ କନ୍‌ଭେର୍ଟରେ ପଢ଼ନ୍ତି । ଏମାନେ ଆଗେ ଅର୍ଥାଭାବ ହେତୁ ଗୋଟିଏ ନେପାଳୀ ସ୍କୁଲରେ ପଢ଼ୁଥିଲେ-। ଏମାନେ ଆଗେ ଅର୍ଥାଭାବ ହେତୁ ଗୋଟିଏ ନେପାଳୀ ସ୍କୁଲରେ ପଢ଼ୁଥିଲେ । କନ୍‌ ଭେଣ୍ଟ ସ୍କୁଲଟି ଆଇରିସ ମିସନାରୀମାନଙ୍କ ଦ୍ୱାରା ପରିଚାଳିତ ।

 

ତେନଜିଂ କହି ଉଠିଲେ, ‘‘ମୁଁ ଲେଖାପଢ଼ାର ସୁଯୋଗ କେବେ ପାଇନି । ମୁଁ ଯେତେବେଳେ ଦେଖେ ଆମର ପିଲାପିଲି ଶିକ୍ଷା ପାଉଛନ୍ତି ସେତେବେଳେ ଆନନ୍ଦରେ ମୋ ବୁକୁ ଭରିଉଠେ ।’’

 

‘‘ଝିଅ ଦୁଇଟି କାଥଲିକ ହୋଇ ଯିବେନି ତ ?’’ –ମୁଁ ଟିକିଏ ଥଟ୍ଟା କରି ପ୍ରଶ୍ନ କଲି ।

 

‘‘ସେମାନେ ସ୍ୱାଧୀନ ! କିନ୍ତୁ ମୋର ବିଶ୍ୱାସ ଏମାନେ ତା’ ହେବେ ନି । ମୁଁ ଏଇଥିଲାଗି ଭର୍ତ୍ତି କରିଛି କନ୍‌ଭେଣ୍ଟରେ ଯେ ଏମାନେ ଗଡ଼ଗଡ଼ ଇଂରେଜୀ କହି ପାରିବେ, ଅନେକ ରକମ ଲୋକ ସଙ୍ଗେ ମିଶି ପାରିବେ ।’’

 

ତେନଜିଂ ରାଜନୀତିକ ଲୋକ ନୁହଁନ୍ତି, କୌଣସି ଦଳର ନୁହଁନ୍ତି । ସେ ସର୍ବଦଳୀୟ, ସମସ୍ତଙ୍କ ସ୍ନେହର ପାତ୍ର । ରାଜନୀତି, ଜାତି ନେଇ ଅନେକ ବଳ କଷାକଷି ତାଙ୍କ ସମ୍ପର୍କରେ ଚାଲିଚି-। କିନ୍ତୁ ତାଙ୍କ ଉପରେ କୌଣସି ଆଞ୍ଚ ଲାଗିନି । ଏଠି ଖାଲି ପାହାଡ଼–ପାହାଡ଼ । ଏଠି ଜୀବନ ଅତି ବାସ୍ତବ । ମୃତ୍ୟୁ ଅତି ନିବିଡ଼ । ଏଇଠି ମଣିଷ ଖାଲି ମଣିଷ । ବେଶ, ଏହା ହିଁ ଏଠାକାର ପରମ ସତ୍ୟ ।

 

ଶେଷରେ ସେ କହିଲେ–ଏଭରେଷ୍ଟରୁ ଯେଉଁ ମୁହୂର୍ତ୍ତରୁ ମୁଁ ତଳକୁ ନଇଁ । ଆସିଲି ସେଇ ମୁହୂର୍ତ୍ତରୁ ମତେ ନେଇ ନାନା ରାଜନୀତି ଚାଲିଲା । ଜୀବନର ଆଠତ୍ରିଶ ବର୍ଷ ବିତିଗଲା । କେହି ମତେ ଖୋଜିନି । ମୁଁ କିଏ, ମୁଁ କି ଜାତିର, ଭାରତୀୟ ନା ନେପାଳୀ କି ତିବ୍ଦତୀ ଏ ସମ୍ପର୍କରେ ନାନା ଯୁକ୍ତିତର୍କ ଚାଲିଲା । ଆପଣଙ୍କ ପରି ଗୁଡ଼ିଏସାମ୍ୱାଦିକ ନାନା କଥା ଲେଖିଲେ । ସୁଖର କଥା, ମୁଁ ଏସବୁ କିଛି ପଢିପାରୁ ନ ଥିବାରୁ ମୋ ମନ ବିଚଳିତ ହେଉ ନ ଥାଏ । କିନ୍ତୁ ଶୁଣୁଥାଏ, ଭାବୁଥାଏ, ମୁଁ ଜଣେ ସେର୍‌ପା–ଏକ ସାଧାରଣ ପାହାଡ଼ୀ–ହିମାଳୟର ସନ୍ତାନ । ମୁଁ ତ ଆଉ ମଣିଷ ହୋଇ ରହିନି-ଗୋଟିଏ କଣ୍ଢେଇ । ହୁଏତ ମୁଁ କିଛିଟା ଉପରକୁ ଗୌରୀଶଙ୍କର ଚୂଡ଼ାକୁ ଉଠିଛି, ହୁଏତ ଏକ ଗଜ କି ଏକ ଫୁଟ କିମ୍ୱା ଏକ ଇଞ୍ଚ-ହିଲାରୀଙ୍କଠୁ ଟିକିଏ ବେଶୀ । ଏଥିଲାଗି ଯୁକ୍ତିତର୍କ ! ରାଜନୀତିକ ଚାଲବାଜୀ ! କାହିଁକି ?

 

ସେ କହି ଉଠିଲେ, ‘‘କେହି କେହି କୁହନ୍ତି ମୁଁ ନେପାଳୀ । କିଏ ବା ଦାବୀ କରୁଛି ମୁଁ ଭାରତୀୟ । ହଁ, ମୁଁ ଜନ୍ମଗ୍ରହଣ କରିଚି ନେପାଳରେ କିନ୍ତୁ ବର୍ତ୍ତମାନ ବାସ କରୁଚି ଭାରତରେ । ଭାରତର ନାଗରିକ ମୁଁ । ଏଇଠି ମୋ ସ୍ତ୍ରୀ, ପିଲାପିଲି ସମସ୍ତେ ଅଛନ୍ତି । ମୋ ପକ୍ଷରେ ଭାରତୀୟ ଯାହା ନେପାଳୀ ମଧ୍ୟ ସେଇୟା । ମୁଁ ସେର୍‌ପା, ନେପାଳୀ, ଭାରତୀୟ ସବୁ ।’’

 

କଥାବର୍ତ୍ତା ପ୍ରାୟ ଦୁଇଘଣ୍ଟା ଧରି ହେଲା । ମିସେସ୍ ଷ୍ଟିଭେନସନ ଆଜି ତାଙ୍କର ଅତିଥି । ସେ ସେଇଠି ରହିବେ, ହୁଏତ ଲଞ୍ଚ ପରେ ଫେରିବେ । ଦିନ ଦଶଟା ବାଜି ଯାଇଥାଏ । ବିଦାୟ ନେଲି ନେତଜିଂଙ୍କ ପାଖରୁ ।

 

କିନ୍ତୁ ବିଦାୟ ନେଲାବେଳେ ବହୁଥର ପଛକୁ ଚାହିଁଚି । ଛାଡ଼ି ଆସିବାକୁ ଇଚ୍ଛା ହେଉ ନ ଥାଏ । ମନେ ହେଉଥାଏ ଯେପରି ମୁଁ ଜଣେ ସୁପରିଚିତ ବନ୍ଧୁଙ୍କ ଠାରୁ ବୋଧହୁଏ ଚିରଦିନ ପାଇଁ ବିଦାୟ ନେଇଛି ।

 

ତେନଜିଂଙ୍କଠୁ ଶୁଣିଚି, ସେ ଜୀବନର ପ୍ରାୟ ଶହେଥରରୁ ଅଧିକ ଛୋଟ ବଡ଼ ପାହାଡ଼ ଚଢ଼ିଛନ୍ତି ଦଳବଦ୍ଧ ହୋଇ, ବିଶେଷତଃ ବିଦେଶୀମାନଙ୍କ ସହିତ । ବହୁ ଡ଼ାକ୍ତର, ବହୁ ଇଞ୍ଜିନିଅର ଏପରିକି ମୋ ଭଳି ପତ୍ରପତ୍ରିକାର ସାମ୍ବାଦିକମାନେ ମଧ୍ୟ ପର୍ବତାରୋହଣରେ ଭାଗ ନେଇଛନ୍ତି । କେତେ ସରଳା, ତରୁଣୀ ବାଳିକା ଦେହକୁ କଠୋର କରି ନୂତନ ଆବିଷ୍କାର, ନୂତନ ବେଦନା ଓ କଠିନତାର ଆସ୍ୱାଦନ ଜୀବନ ପାଇଁ ଆତ୍ମବିଭୋର ହୋଇ ଉପରକୁ ପାଦ ଉଠେଇଛନ୍ତି । କାହା କାହାର ଜୀବନ ଦୀପ ଲିଭିଯାଇଛି ତୁଷାର ଝଡ଼ରେ । କିଏ କିଏ ଫେରି ଆସିଛନ୍ତି ଅଳ୍ପ ବାଟରୁ–ବିଫଳ ମନୋରଖରେ । ମିସେସ୍ ଷ୍ଟିଭେନ୍‌ସନ୍ ସେଇମାନଙ୍କ ମଧ୍ୟରୁ ଜଣେ ।

 

ରହସ୍ୟମୟୀ କାଞ୍ଚନଜଂଘା । ୬୯ ମାଇଲ ଦୂରରୁ ଜଳପାଇଗୁଡ଼ିର ତିସ୍ତାକୂଳରେ ଠିଆ ହୋଇ ତାକୁ କେତେବାର ଦେଖିଛି । ନିରାଲମ୍ବ ଲଗ୍ନ ଋଷୀ ତାପସ ଭଳି ଠିଆ ହୋଇଛି ଦାର୍ଜିଲିଂର ଅତି ନିକଟରେ । ପୃଥିବୀର ଉଚ୍ଚ ପାହାଡ଼ମାନଙ୍କ ମଧ୍ୟରେ ଏଇଟି ତୃତୀୟ । ଏହାକୁ ଜୟ କରିବା ଲାଗି ବହୁ ଚେଷ୍ଟା ହୋଇଛି । ୧୯୦୫ ଖ୍ରୀଷ୍ଟାବ୍ଦରେ ଗୋଟିଏ ଛୋଟ ସୁଇସ୍ ଦଳ ଏହା ଉପରେ ଚଢ଼ିବା ଲାଗି ଗୋଟିଏ ବାଟ ଆବିଷ୍କାର କରିଥିଲେ । କିଛି ବାଟ ଯାଇଥିଲେ ମଧ୍ୟ । ବରଫଖଣ୍ଡ ଭିତରେ କିଏ କେଉଁଠି ଲୋକ ପାଇଗଲେ, ଆଉ ଫେରି ନାହାନ୍ତି । ୧୯୩୯ରେ ଜଣେ ଆମେରିକାନ ଯୁବକ ‘ଫାରମାନ୍’ ଆସିଲେ । ଉଇଲସନ୍ ସାହେବ ଏକା ଏକା ଗୌରୀଶଙ୍କର ଜୟ କରିବାଲାଗି ଯେମିତି ଚେଷ୍ଟା କରିଥିଲେ, ଫାରମାନ୍‌ ମଧ୍ୟ ସେମିତି ପ୍ରବଳ ଉତ୍ସାହରେ କାଞ୍ଚନଜଂଘା ଉପରେ ଚଢ଼ିବାକୁ ବାହାରିଲେ । ସେ ବି କୁଆଡ଼େ ନିଶ୍ଚିହ୍ନ ହୋଇ ପଡ଼ିଲେ । ପରେ ପରେ ବହୁ ଚେଷ୍ଟା ହୋଇଛି ଇଂରେଜ, ଜର୍ମାନ୍, ସୁଇସ୍ ଓ ଅଷ୍ଟ୍ରେଲିଆରୁ ଦଳ ଦଳ ହୋଇ ଅଭିଯାତ୍ରୀ ଆସିଛନ୍ତି କିନ୍ତୁ ସମସ୍ତେ ପରାସ୍ତ । କିଏ ଆସି ନେପାଳ ପଥଦେଇ ଏହା ଉପରକୁ ଚଢ଼ିବା ପାଇଁ ଚେଷ୍ଟା କରିଛନ୍ତି, କିଏ ବା ସିକିମ୍ ଠାରୁ । ସବୁବେଳେ ତୁଷାରପାତ ଭୀଷଣ ଭାବରେ ହେଉଛି; କେତେ ଜଣ ମରିଛନ୍ତି, କେତେ ଜଣ ଜୀବନ ଧରି ଫେରିଛନ୍ତି । ୧୯୨୩ ଓ ୧୯୩ରେ ଦୁଇଟି ଦଳ ଦୁଇଟି ଦିଗରୁ ଅଭିଯାନ ଆରମ୍ଭ କଲେ । ଏମାନେ ଜର୍ମାନ । ମାସ ମାସ ଧରି ବରଫ କାଟି କାଟି ଏମାନେ ଛବିଶ ହଜାର ଫୁଟ ଉଚ୍ଚକୁ ଉଠିପାରିଲେ କିନ୍ତୁ କାଞ୍ଚନଜଂଘା ସେମିତି ଅପରାଜେୟ ହୋଇ ରହିଲା; କେହି ହେଲେ ଏହାର ଉପରକୁ ଉଠିବାଲାଗି ସମର୍ଥ ହୋଇ ପାରିନାହାନ୍ତି ।

 

ସେ ଦିନଠାରୁ କାଞ୍ଚନଜଂଘାକୁ ଜୟ କରିବାର ଉଦ୍ୟମ ହୋଇନାହିଁ । ଦାର୍ଜିଲିଂର ଅତି ପାଖରେ କିନ୍ତୁ ଆରୋହଣ ଲାଗି କାଞ୍ଚନଜଂଘା କଷ୍ଟସାଧ୍ୟ । ଭାରତ ମହାସାଗର ଏହା ନିକଟବର୍ତ୍ତୀ ହୋଇଥିବାରୁ ଏହାର ଜଳବାୟୁ କ୍ଷଣ କ୍ଷଣକେ ବଦଳିଥାଏ । ସବୁବେଳେ ଜଳବାୟୁ ଅସ୍ଥିର । ବର୍ଷା ଏଠି ପ୍ରବଳତର–ଘନ ମେଘ ଛାଇ ହୋଇ ରହିଥାଏ ବହୁ ମାସ ଧରି କିନ୍ତୁ ଦୀର୍ଘକାଳ ଧରି ଗରମ ବାୟୁ ମଧ୍ୟ ବହେ । ଉଷ୍ଣ ବାୟୁ ବରଫ ଦେହରେ ବାଜିବାମାତ୍ରେ ତୁଷାର ଝଡ଼ ଭୀଷଣ ରୂପ ଧରେ । ତୁଷାରମୌଳି କାଞ୍ଚନଜଂଘା ପାଖେ ପାଖେ ଛୋଟ ଛୋଟ ବରଫ ପାହାଡ଼ । ମନେହୁଏ ଯେପରି ଏମାନେ ଏହି ବିରାଟ ଦୀର୍ଘକାୟ ପାହାଡ଼ଟିର ପ୍ରହରୀ । କାବ୍ରୁ, ଜଳୁ, ଶିମ୍ଭୁ, ଜନସଙ୍ଗ୍, କାଙ୍ଗ୍, କୋକଟାଙ୍ଗ ଓ ପାନଦିମ୍ ଗୋଟିଏ ଗୋଟିଏ ପ୍ରହରୀରୂପକ ବରଫର ଛୋଟ ପାହାଡ଼ ।

 

କିନ୍ତୁ ଶେଷରେ କାଞ୍ଚନଜଂଘାର ଅପରାଜେୟ ଗର୍ବ ଖର୍ବ ହେଲା । ଇଭାନ୍‌ସଙ୍କ ନେତୃତ୍ୱରେ ଏହି କେତେଦିନ ତଳେ ଗୋଟିଏ ବ୍ରିଟିଶ ଅଭିଯାତ୍ରୀ ଦଳ ଏହାକୁ ପରାଜିତ କଲେ । କାଞ୍ଚନଜଙ୍ଘାର ଶିଖର ଦେଶରେ ଏମାନେ ପହଞ୍ଚି ବିଜୟ ପତାକା ଉଡ଼ାଇଲେ ।

 

ହୋଟେଲର ଛାତ ଉପରେ ଚଢ଼ି ମୁଁ ପ୍ରତ୍ୟେକ ଦିନ ସକାଳେ ଏହାକୁ ଦେଖେ । ସୂର୍ଯ୍ୟାଲୋକରେ ଏହାର ରୌପ୍ୟ ଉଜ୍ଜ୍ୱଳ କିରୀଟି ଜକ ଜକ ଦେଖାଯାଏ । ଭଲ ଓ ଖରାପ ପାଗର ସୂଚନା ଏହାରିଠୁ ମିଳେ ।

 

‘‘ଭଲ ଦେଖାଯାଉଛି ନା ?’’

 

‘‘ହଁ ଖୁବ୍‌ ଭଲ, ତେବେ ଏଇ ସେ ପାହାଡ଼ଟା ତୋ ଭଳି ବଡ଼ ଦୁଷ୍ଟ । କେହି ପାରିଲେ ନାହିଁ ବୋଲି ଏତେ ବର୍ଷ ଲାଗିଗଲା ।’’

 

‘‘କ’ଣ ସବୁ କହୁଚ ? ପାହାଡ଼ ସାଙ୍ଗେ କଥାବାର୍ତ୍ତା କରୁଚ ନା କ’ଣ ?’’

 

‘‘ନାଇଁଲୋ, ତତେ କହୁଚି ।’’

 

ମୋ କୋଡ଼ରେ ବିଜନ ସରକାରଙ୍କ ଝିଅ ରତ୍ନା, ହୋଟେଲରେ ମୋର ବଡ଼ ସାଙ୍ଗ । ବୟସ ଛଅ କି ସାତ । ବାପା ବେମାର, ଟି.ବି ରୋଗୀ–ସାନାଟୋରିଅମରେ ରହନ୍ତି । ସେଇଥିପାଇଁ ରତ୍ନା ତା ମା’ ସହିତ ଆସି ଏଇ ହୋଟେଲରେ ଅଛନ୍ତି ପ୍ରାୟ ଛଅ ମାସ ହୋଇଗଲାଣି । ବାପା ଭଲ ହେଲେ ଫେରିବେ–ଆଉ ସାତ ଆଠ ଦିନ ପରେ ସାନାଟୋରିଅମରୁ ଛୁଟି ପାଇବେ । ମାଆ ସବୁବେଳେ ଚିନ୍ତିତା । ରତ୍ନା ଖାଲି ଜାଣେ ବାପାଙ୍କର ଦେହ ଖରାପ । ସେ ଜାଣେନା ଟି.ବି. କିଭଳି ସାଙ୍ଘାତିକ ।

 

ରାତି ଦିନ ମୋ ସାଥିରେ ରତ୍ନା ସମୟ କଟାଏ, ସିନେମା ମାଗାଜିନରୁ ଛବି ଦେଖେ । ଜନିଓ୍ୱାକର୍‌ଠୁ ଆରମ୍ଭ କରି ଗୀତାବାଲୀ ପର୍ଯ୍ୟନ୍ତ ସମସ୍ତଙ୍କ ନାମ, ରୂପ ସହିତ ସେ ସୁପରିଚିତ । କଲିକତାରେ ଥିବାବେଳେ ଭଉଣୀ ସ୍ୱପ୍ନା ସହିତ ସେ ନିୟମିତ ଭାବରେ ସିନେମା ଯାଏ । ଏଇ କେତୋଟି ଦିନ ମତେ ପାଇ ତା ମନ ଖୁସ୍ । ଦୁଇ ଜଣଯାକର ବଙ୍ଗଳା ଅସ୍ପଷ୍ଟ । ପରସ୍ପରକୁ ଖାପ ଖୁଆଇ ନେଉ ।

 

ଡିସେମ୍ବର ମାସର ଗୋଟିଏ ସୁନ୍ଦର ପ୍ରଭାତ । ଆଜି ଦାର୍ଜିଲିଂ ନୂତନ ବେଶର ବିଭୂଷିତା-। ବର୍ଷା ନାହିଁ, ଝଡ଼ ନାହିଁ, ପ୍ରଖର ସୂର୍ଯ୍ୟ ରଶ୍ମି ମଧ୍ୟ ନାହିଁ ।

 

ରତ୍ନା କହିଲା–‘‘ଦେଖେଇବେ ?’’

 

‘‘କ’ଣ ?’’

 

‘‘କହିଥିଲେ ପରା ଏଭରେଷ୍ଟ ଦେଖେଇବେ ।’’

 

ରତ୍ନା ଠିକ୍‌ ମନେ ପକାଇଦେଇଛି । ଏମିତି ପାଗରେ ହିଁ ଏଭରେଷ୍ଟ ଦେଖିବାର କଥା । ଆଜି ନିଶ୍ଚୟ ଦେଖାଯିବ । କିଛି ଟାଇଗର ହିଲ୍ । ଏଇଠୁ ଏଭରେଷ୍ଟ ଦର୍ଶନୀୟ ।

 

‘‘ଆଜ୍ ଜାନା ହୋଗୋ ।’’

 

‘‘କାହାଁ ବାବୁଜୀ ?’’ ହରିସିଂର ଭଣଜା ଜାଣିବା ପାଇଁ ଉଦ୍‌ବିଗ୍ନ ।

 

‘‘ଏଭରେଷ୍ଟ–ତୁମ୍‌ହାରା ଚୋମାଲୋଙ୍ଗମା (ସେର୍ପା ଭାଷାରେ ଏଭେରେଷ୍ଟର ନାମ ଚୋମୋଲାଙ୍ଗମା) ଦେଖେନକେ ଲିୟେ ।’’

 

‘‘ଟାଇଗର୍ ହିଲ୍ ?’’

 

‘‘ହାଁ ’’ ।

 

ରତ୍ନା ପୋଷାକ ପିନ୍ଧି ତିଆର ।

 

‘‘ଦାଦା, ଚଲୁନ–’’

 

କ୍ଷୀଣ ସୂର୍ଯ୍ୟାଲୋକର ତାପ ସାଙ୍ଗରେ ହେମନ୍ତର ଶୀତ । ଦେହରେ ପୋଷାକ । ଗୋଟିଏ ଘୋଡ଼ାରେ ଆମେ ଦୁଇଜଣ, ମୁଁ ଓ ରତ୍ନା । ଘୋଡ଼ା ଚାଲିଚି–ଖୁରାର ଟପ୍ ଟପ୍ ଶବ୍ଦ । ଚାରିଆଡ଼ର କାନ୍ତ କୋମଳ ଦୃଶ୍ୟରେ ଦୁହିଁଙ୍କ ମନ ଫୁଲ ଉଠୁଚି । ମନେ ହେଉଚି ପୃଥିବୀ ଗୋଟାକ ଆମର ବହୁତ ତଳେ । ପୃଥିବୀ ଶୋଇ ରହିଚି ଅନନ୍ତ ନିଦ୍ରାରେ । ବିଜନ ଭୀଷଣ ଅରଣ୍ୟାନିର ଶୋଭା ଦେଖି ଚାଲିଚୁ । ଦୁଇଧାରରେ ଯେପରି ଅପ୍ରାକୃତ ଅନୈସର୍ଗିକ ଇନ୍ଦ୍ରଜାଲ ବିସ୍ତାରିତ । ତଳେ ତଳେ ରହସ୍ୟମୟ ବହୁ ଜଟିଳ ପଥ ବିପଥ ସଂଶୟାଚ୍ଛନ୍ନ ପ୍ରଶ୍ନ ପରି ଇତସ୍ତତଃ ପଡ଼ିରହିଛି ।

 

ଛାୟାଚ୍ଛନ୍ନ ପଥ ଭିତରୁ କେଉଁ କେଉଁଠି ଦେଖାଯାଉଛନ୍ତି । ଶ୍ୱେତାକାୟ ମାଟିର ସନ୍ତାନ । କେଉଁଠି ନେପାଳୀ ସେର୍ପା ଭୁଟିଆଙ୍କ ବସ୍ତି । ଛୋଟ ବଡ଼ କେତୋଟି ଘର–ପୁଷ୍ପମଞ୍ଚରୀ ପରି ମନୋରମ ଦୃଶ୍ୟ ।

Unknown

 

ସେର୍ପାମାନଙ୍କର ପଇସା ରୋଜଗାର ହୁଏ ଏହି ଜାଗାଗୁଡ଼ିକରୁ । ବିଦେଶୀ ଯାତ୍ରୀ ଆସିଲେ, ପ୍ରଥମେ ଏଇଠିକି ଛୁଟି ଆସିନ୍ତି । ପଥ ନିର୍ଦ୍ଦେଶ ପାଇ ଅନ୍ତତଃ ପକ୍ଷେ ଦୁଇ ଟଙ୍କା–ଘୋଡ଼ାରେ ଚଢ଼ିବା ପାଇଁ ଆଉ ଦେଢ଼ ଟଙ୍କା ।

 

ଭସା ଭସା ମେଘମାଳା ତୁଷାରପୂର୍ଣ୍ଣ ଏଭରେଷ୍ଟର ବହୁତ ଦୂରରେ । କିନ୍ତୁ ଟାଇଗର୍ ହିଲଠୁ ତାକୁ ବେଶ ଭଲ ଭାବରେ ଦେଖି ହୁଏ ।

 

ରତ୍ନା ବାଟଯାକ ପଚାରି ଲାଗିଚି–ଦାଦା ଓଟା କି, ଏଟା କି, କିନ୍ତୁ ସେ ଜାଣେନା ଯେ ମୁଁ ବୟସରେ ବଡ଼ ହେଲେ କ’ଣ ହେଲା ମୁଁ ତ ଏଠି ସମ୍ପର୍ଣ୍ଣ ନୂତନ–ସେ ବରଂ ମୋଠୁ ଟିକିଏ ପୁରୁଣା-। ରତ୍ନାର ସବୁ ପ୍ରଶ୍ନର ଉତ୍ତର ଦିଏ ହରିସିଂର ଭଣଜା ।

 

ଏଇ ହେଉଛି ଟାଇଗର୍ ହିଲ୍ । ଆମ ମଗରୁ ଏଇଠି ବହୁ ଯାତ୍ରୀ ଆସି ବୁଲୁଛନ୍ତି ଦଳ ଦଳ ହୋଇ । ଅଧିକାଂଶ ବିଦେଶୀ ଜର୍ମାନ୍, ବ୍ରିଟିଶ୍, ସୁଇସର ଲୋକ ଏମାନେ । ସାଙ୍ଗରେ ଛୋଟ ଛୋଟ ଛୁଆ, ସନ୍ତାନ ସନ୍ତିତ, ଭାଇ ଭଉଣୀ ସମସ୍ତେ । ହାତରେ କାମରା ।

 

ଦୂରରେ ବହୁତ ପାହାଡ଼ ସବୁ ଏକରକମର–ଧଳା ଧଳା । ଏଥିଭିତରୁ କେଉଁଟା ଏଭରେଷ୍ଟ ? ରତ୍ନାର ଇଚ୍ଛା ବିଦେଶୀ ପିଲାଙ୍କ ପରି ହାତରେ ସେମିତି ଗୋଟାଏ ଗୋଟାଏ ଦୂରବୀକ୍ଷଣ ଯନ୍ତ୍ର ଥାଆନ୍ତା, କାମାରା ଥାଆନ୍ତା । ସେ ବହୁଦୂରକୁ ଦେଖନ୍ତା–ଫଟୋ ତୋଳନ୍ତା । ଛବି ସବୁ ସ୍ୱପ୍ନାକୁ ନେଇ ଭେଟି ଦିଅନ୍ତା । ଭାରି ଖୁସି ହୁଅନ୍ତା ସ୍ୱପ୍ନା ।

 

ପ୍ରାୟ ଶହେ ମାଇଲ ଦୂରରେ ନେପାଳର ପିଠି ଉପରେ ଆଙ୍ଗୁଠି ଦେଖାଇ ବଚନ ସିଂ (ହରିସିଂର ଭଣଜା) କହି ଚାଲିଛି ବହୁତ କଥା–ଚୋମାଲାଙ୍ଗମାର ମହିମା ଗାନରେ ସେ ବିଭୋର-

 

‘‘ଏଇ ଦେଖନ୍ତୁ ଏଭରେଷ୍ଟ–’’

 

‘‘କୁଉଠି ଥିଲା ?’’

 

‘‘ମେଘ ଭିତରେ–’’ କହିଲା ବଚନ ସିଂ ।

 

ଏଭେରେଷ୍ଟ ଆମ ରତ୍ନାଠୁ ଗୋଟିଏ ଛୋଟ ପାହାଡ଼ ଭୁଟିଆ ବାଳିକା ପରି ବସି ରହିଛି ବହୁ ଦୂରରେ । ଅନନ୍ତ ବାସୁଦେବ ମୂର୍ତ୍ତି ଭଳି ସ୍ଥିର, ଅଚଞ୍ଚଳ । ଗୋଟିଏ ନୁହେଁ, ଗୁଡ଼ି, ପାହାଡ଼କୁ ନେଇ ଏଭରେଷ୍ଟ ବକ୍ଷ ବିସ୍ଫାରିତ । ଆକାଶସ୍ପର୍ଶୀ ସବୁ ମିନାର–ପଥର ଓ ବରଫର ମିନାର । କେଉଁଠି ଆକାଶକୁ ଛୁଇଁଲା ଭଳି ଦିଶୁଚି, କେଉଁଠି ଆକାଶକୁ ଫୋଡ଼ିଦେଇ ଆହୁରି ଉପରକୁ ଉଠି ଯାଇଛି, କିଛି ଚିହ୍ନି ହେଉ ନାହିଁ, ଏଇଟା ସତେ ପାହଡ଼ କି ଆଉ କ’ଣ କେଜାଣି ? ଅବିଶ୍ୱାସ ଜାତ ହେବା ସ୍ୱାଭାବିକ । କିନ୍ତୁ ଯେଉଁଦିନ ଏହି ମାଟିର ସନ୍ତାନ ତେନତିଂ ଏହି ଚୋମୋଲାଙ୍ଗମାକୁ ଉଠି ଭାରତର ଜାତୀୟ ପତାକା ଉଡ଼ାଇ ମସିଲେ–ସେହିଦିନ ବିଶ୍ୱାସ ହେଲା ଯେ ଏଇଟା ଗୋଟାଏ ବିରାଟ ପର୍ବତ ଶୃଙ୍ଗ । ଏହା ଉପରେ ମଣିଷର ଚିହ୍ନ ନାହିଁ–ଗଛ ଲତାର ସବୁଜତା ନାହିଁ–ସୃଷ୍ଟିର ରହସ୍ୟ ନାହିଁ, ଖାଲି ମୃତ୍ୟୁ ପରି ଏହା ସୁଶୀତଳ ସଶଙ୍କିତ ତୁଷାର ମରୁଭୂମି ।

 

ଏଇଠି ମିଷ୍ଟର ସ୍ପ୍ରାଟ୍‌ଙ୍କ ସହ ଦେଖା–ପ୍ରଥମ ସାକ୍ଷାତ । ଲମ୍ବା ଚେହେରା, ମିଷ୍ଟଭାଷୀ । ବୁଲୁ ବୁଲୁ ପରିଚୟ ହେଲା । ସାଙ୍ଗରେ ଜଣେ ଯୁବତୀ । ମନେହେଲା ସତର ଅଠର ବର୍ଷ ଗୋଟିଏ ଅପରିଣୀତା ଝିଅ । ବୋଧହୁଏ ମିଷ୍ଟର ସ୍ପ୍ରାଟ୍ ଯୁବତୀଟିର ପରିଚୟ ଦେବାପାଇଁ ଭୁଲି ଯାଇଥିଲେ । ମୁଁ ମଧ୍ୟ ପରିଚୟ ଇଚ୍ଛା କରିନି । ରତ୍ନା ସହିତ ମହିଳାଟିର ପରିଚୟ ହୋଇ ଯାଇଥାଏ । ଦୁହେ ମିଶି ବୁଲୁଛନ୍ତି ।

 

ମିଷ୍ଟର ସ୍ପ୍ରାଟ୍ କହି ଚାଲିଚନ୍ତି ଆଲପସ୍‌ ଦୃଶ୍ୟ । କିନ୍ତୁ ଟାଇଗର୍ ହିଲ୍‌ଠୁ ବଳି ଆଲପସ୍‌ ନୁହେଁ । ପାହାଡ଼ ବୁଲିବା ସ୍ପ୍ରାଟ୍‌ଙ୍କର ଗୋଟାଏ ବଡ଼ ସଉକ । ପେଶା ବିଜ୍ଞାନ । ଲାବର୍ଟୋରୀ ଭିତରେ ଛଅଟି ମାସ ଆବଦ୍ଧ ଥାଆନ୍ତି–ଆଉ ଛଅଟି ମାସ ଏମିତି ଏ ଦେଶ ସେ ଦେଶ ବୁଲନ୍ତି । ବୋଟାନିରେ ତାଙ୍କର ଗବେଷଣା । ତେଣୁ ଗଛପତ୍ର ଦେଖିଲେ ସେ ଡାଳ, ପତର, ଚେର ସବୁ ଟିକିନିଖି ଦେଖି ଥାଆନ୍ତି ।

 

ପରିଚୟଟା ଏହି ଚେର ଖୋଳାରୁ ଆରମ୍ଭ ହେଲା । ମିଷ୍ଟର ସ୍ପ୍ରାଟ୍‍ ପ୍ରାକୃତିକ ଦୃଶ୍ୟକୁ ଭୁଲି ଗୋଟିଏ ଜଙ୍ଗଲଗଛର ମୂଳ ଖୋଳିବାରେ ବ୍ୟସ୍ତ । ରତ୍ନା ମତେ ଡ଼ାକିଦେଲା, ‘‘ଦାଦା, ସାହେବ କ’ଣ କରୁଛି ଆସ ଦେଖିବ ।’’

 

ଦେଖିଲି, ସାହେବ ଚେର ଖୋଳି ତାର ଶିରାପ୍ରଶିରା ଚିରି ଗବେଷଣା ଆରମ୍ଭ କରି ଦେଲେଣି । ଜଗତରେ କେତେ ପ୍ରକାର ମଣିଷ–ମସ୍ତିଷ୍କ ମଧ୍ୟ ବିଭିନ୍ନ ପ୍ରକାରର । ।

 

ହଠାତ୍ ମେଘ ଛାଇଗଲା ଆକାଶରେ–ସୂର୍ଯ୍ୟ ଅବଗୁଣ୍ଠିତ ।

 

କ୍ଷଣିକରେ ପାଗର ପରିବର୍ତ୍ତନ । ଶୀଘ୍ର ଘରକୁ ନ ଫେରିଲେ ରକ୍ଷା ନାହିଁ ।

 

ବିଦାୟ ଏଭରେଷ୍ଟ । ଜୀବନରେ ଆଉ ତତେ କେବେ ଦେଖିବା ସମ୍ଭବ ହେବ କି ନା ଜାଣେନା । ମହାଭାରତ ଯଦି ସତ୍ୟ ହୁଏ, ଯଦି ଜୀବନରେ କିଛି ପାପ କରି ନ ଥାଏ ତାହା ହେଲେ ମତେ ହୁଏତ ଯୁଧିଷ୍ଠିରଙ୍କ ପରି ଏଇବାଟେ ସ୍ୱର୍ଗାରୋହଣ କରିବାକୁ ପଡ଼ିବ । ଯୁଧିଷ୍ଠିରଙ୍କ ସାଙ୍ଗରେ କୁକୁର ଥିଲା । ମୋ ସଙ୍ଗରେ ଏପରି ନିଷ୍ପାପ ଜନ୍ତୁଟିଏ ହୁଏତ ଆସିପାରେ ।

 

ଏଭେରେଷ୍ଟକୁ ଅନ୍ତିମ ନମସ୍କାର ଜଣେଇ ଫେରିଲୁ ଦୁହେଁ ରତ୍ନା ଓ ମୁଁ । ଆସିଲାବେଳର କଷ୍ଟ ଅକଥନୀୟ । ମୁହଁ ଆଗରେ କୁହୁଡ଼ି । ରତ୍ନା ଶୀତରେ ଥରୁଥାଏ–ଆଉ ଦାଦା ଓଟା କି ଏଟା କି କହିବାର ଶକ୍ତି ତାର ନାହିଁ । ବିରାଡ଼ି ଛୁଆଟି ପରି ଘୋଡ଼ା ପିଟିରେ ମୋ କୋଡ଼ରେ ସେ ଲେଶି ହୋଇ ରହି ଯାଇଥାଏ ।

 

ଘରକୁ ଫେରିଲା ବେଳକୁ ଦିନ ଏଗାର ।

 

ଦେଖିଲି ରତ୍ନାର ମାଆଙ୍କ ମୁହଁରେ ବିଷର୍ଣ୍ଣତା, ବେଦନା ଓ ନୈରାଶ୍ୟର ଚିହ୍ନ । ରତ୍ନାକୁ କହିଲି, ‘‘ମା ପାଖକୁ ଯାଆନା କି ମାଆକୁ କିଛି କହନା–ମୋ ଘରକୁ ଚାଲିଆ ।’’

 

ଶୁଣିଲି, ଆଜି ରତ୍ନାର ବାପାଙ୍କ ଦେହ ଭାରି ଖରାପ । ଆଠ ଦଶ ଦିନ ପରେ ଛୁଟି ପାଇବାର କଥା । କିନ୍ତୁ ଦେହ ହଠାତ୍ ଖରାପ ହୋଇ ପଡ଼ିଚି । ବହୁତ ରକ୍ତବାନ୍ତି କରିଛନ୍ତି ଆଉ କଥା କହି ପାରୁ ନାହିଁନ୍ତି ।

 

ଟେବୁଲ ଉପରେ ଖଣ୍ଡିଏ ଚିଠି । ସ୍ୱପ୍ନା ଲେଖିଛି, ମୁଁ ଦାର୍ଜିଲିଂ ଯିବ–ବାବୁଙ୍କୁ ଦେଖି ଆସିବ । ବାପା ଆଠ ଦଶ ଦିନ ପରେ ସାନାଟୋରିୟମ୍‌ରୁ ଛିୁଟି ନେବେ ବୋଲି ଲେଖିଛନ୍ତି । ମୁଁ ଗଲେ ଟିକିଏ ବୁଲି ସମସ୍ତେ ମିଶି ଆସିବା ।’’

 

ସାନାଟୋରିୟମ୍‌ରୁ ଦୁଃସମ୍ବାଦ–ଇଆଡ଼େ ସ୍ୱପ୍ନାର ଚିଠି ପଢି ରତ୍ନାର ମାଆ ମର୍ମାହତା ।

ହୋଟେଲ ତଳେ ଭୁଟିଆ, ନେପାଳୀ ମାଇପିଙ୍କ ଆନନ୍ଦ କୋଳାହଳ । ଆଜି ସେମାନଙ୍କର ଗୋଟାଏ କିଛି ପର୍ବ । ସମସ୍ତେ ବଜାର କରିବାରେ ବ୍ୟସ୍ତ । ବହୁ ରକମର ଶାଢ଼ି କିଣା ଚାଲିଚି । ବିଭିନ୍ନ ଦୋକାନରୁ ମାଇକ୍‌ରୁ ଛୁଟିଛି–ରେଡ଼ିଓ, ରେକର୍ଡ଼ ସଙ୍ଗୀତ ।

 

ମୁଁ ବସା ଭିତରକୁ ଯାଇ ଦେଖେ ତ ରତ୍ନା କାନ୍ଦୁଚି । କିଛି ବୁଝିନି–କିଛି ସମ୍ବାଦ ପାଇନି କିନ୍ତୁ ମାଆର ମୁହଁକୁ ଦେଖିଲାମାତ୍ରେ ସେ ବୁଝି ପାରିଚି ଯେ କିଛି ନା କିଛି ଦୁଃସମ୍ବାଦ ଆସିଚି ।

 

ମୁଁ ବା କ’ଣ ପ୍ରବୋଧନା ଦେବି ? କୋଳେଇ ପକାଇଲି ରତ୍ନାକୁ । ରତ୍ନା ଯଦି ମୁହଁ ଟେକି ମତେ ଚାହିଁ ଥାଆନ୍ତା–ଦେଖି ଥାଆନ୍ତା ତା ଗୋରାଦ ମଧ୍ୟ ତା’ରି ଲୁହ ଗଡ଼ଉଚି । ନିଜକୁ ନିଜେ ପ୍ରବୋଧ କରି ପାରୁନି ଗୋରାଦ ତାକୁ ବା କ’ଣ ବୁଝେଇବ ?

 

ଟେବୁଲ ଉପରେ ହୋଟେଲବାଲା ଥୋଇ ଦେଇଗଲା ଳଞ୍ଚର ଖାଦ୍ୟ ସାମଗ୍ରୀ । ସୁକୁମାର ଖାଦ୍ୟ ।

 

ମୋ ଡ଼ାକ ଶୁଣି ଦୁଆରମୁହଁରୁ ଫେରି ଆସିଲା ଖାନସମା । ‘‘କହିଲି ଆଜି ଖାନା ନେହିଁ ହୋଗା ।’’

 

‘‘ଦିଦିମନି ?’’

 

‘‘ଓ ଅଭି ନେହି ଖାଏଗି ।’’

 

ସଙ୍ଗେ ସଙ୍ଗେ ସାନାଟୋରିୟମକୁ ଗଲି । ବୁଝିଲି, ବିଜନ ବାବୁ ଶୋଇଛନ୍ତି । ସ୍ୱାସ୍ଥ୍ୟ ଭଲ ଅଛି । ଡାକ୍ତରବାବୁ କହିଲେ–ବିଜନବାବୁଙ୍କୁ ହୁଏତ କାଲି କିମ୍ବା ପଅରଦିନ ବିଦାୟ ଦେବୁ । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେଣି ।

 

‘ତାହାହେଲେ ପୁଣି ରକ୍ତବାନ୍ତି ହେବାର ସମ୍ବାଦ ହୋଟେଲରେ ସ୍ୱପ୍ନାର ମାଆକୁ କିଏ ଦେଲା ?’’

 

‘‘ମୁଁ ଜାଣେନା, କିନ୍ତୁ ମୁଁ ଜାଣେ ଅନ୍ୟ ଏକ ରୋଗୀର ରକ୍ତବାନ୍ତି ହୋଇଥିଲା । ସେ ବିଜନବାବୁଙ୍କ ପାଖ ସିଟରେ ଥାଏ । କିନ୍ତୁ ସେମିତି କିଛି ସିରିୟସ୍ ରକମର କେଶ ବି ନୁହେଁ ।’’–ଡାକ୍ତରବାବୁ କହିଲେ ।

 

ଆଶ୍ୱସ୍ତି ଲାଭ କଲି ।

 

ଫେରି ଦେଖିଲି–ସ୍ୱପ୍ୱାର ମା’ଙ୍କ ଦେହରେ ପ୍ରାଣ ନାହିଁ । ମନେ ହେଉଛି ଯକ୍ଷ୍ମା ଜୀବାଣୁଗୁଡ଼ାଏ ତାଙ୍କ ରକ୍ତ ଭିତରେ ପଶି ଏଇ ଦୁଇ ଚାରି ଘଣ୍ଟା ଭିତରେ ଯେପରି ଦେହଟାକୁ ଟିକିନିଖି କରି ଖାଇ ଗଲେଣି ।

 

ମୋ ଶେଯ ଉପରେ ରତ୍ନା ଶୋଇଚି । ନିଘୋଡ଼ ନିଦ । ଭୋକରେ ପେଟ ଲୁତୁ ଲୁତୁ ହେଉଚି ।

 

କିଛି ନ କହି ରତ୍ନାର ମାଆ ଆଗରେ ଘଡ଼ିଏକାଳ ଠିଆହେଲି । ଦେଖିଲି ଆଉ ସେ ମୁଣ୍ଡ ଉଠାଇ ନାହାନ୍ତି । ସେମିତି ନତମସ୍ତକା । ଦୁଃଶ୍ଚିନ୍ତାରେ ଦେହଟାଯାକ ଲୋଚାକୋଚା ହୋଇଯାଇଚି ।

 

ଖୁବ୍ ସଞ୍ଜତ ଏବଂ ଗମ୍ଭୀର ଭାବରେ କହିଲି, ‘‘ମାଆ ! ମୁଁ ଏହିକ୍ଷଣି ଯାଇ ଫେରିଛି । ବୁଝିଲି ସେପରି କିଛି ହୋଇନି । ବିଜନବାବୁ ସୁସ୍ଥ ଅଛନ୍ତି ।’’

 

‘‘ଆପଣ ଯାଇଥିଲେ ?’’

 

‘‘ହଁ, କିନ୍ତୁ ଆପଣଙ୍କୁ ଏ ଦୁଃସମ୍ବାଦ କିଏ ଦେଲା ଶୁଣେ ?’’

 

‘‘କେହି ଦେଇ ନାହାନ୍ତି, ଏଇ ହୋଟେଲରେ ଶୁଣିଲି ।’’

 

‘‘ଭୁଲ ଖବର ।’’

 

ରତ୍ନାକୁ ଉଠେଇଲି । ଆଖି ମଳି ମଳି ଉଠିଲା । ରତ୍ନା ମା’ର ମୁହଁରେ ଯେଉଁ ମଳିନତା–ବିଷର୍ଣ୍ଣତା ଦେଖିଚି, ତାର ପ୍ରଭାବ ତା’ ମନରୁ ଏପର୍ଯ୍ୟନ୍ତ ଯାଇନି । ହୁଏତ ସେ ନାନା ସ୍ୱପ୍ନ ଦେଖିଚି-

 

ଉଠିଲା ମାତ୍ରେ ଦେଖିଲା–ଆଗରେ ମା । ଖୁକିକୁ କାନ୍ଧରେ ପକେଇ ନେଇଗଲେ ଘରକୁ । ଆଉ ମୋ ପେଟରେ ଭୋକ ନାହିଁ । ବସିଲି ଯାଇ ଖୁକି ପାଖରେ । କହିଲି–ବାପା ଭଲ ହୋଇଗଲେଣି । ବାପା ଆସିଲେ ସମସ୍ତେ ମିଶି ପୁଣି ଟାଇଗର ହିଲ୍, ଇଡ଼େନ୍ ପାର୍କକୁ ବୁଲିଯିବା । ଦିଦିକି କାହିଁକି ଡକେଇବା ? ଏକା ଏକା ଦେଖିବା । ଏତେ ଲୋକ ହେଲେ ଭାଗ କମ ହୋଇଯିବ-

 

‘‘ନାଁ ଦାଦା, ଦିଦି ନିଶ୍ଚୟ ଆସିବେ ।’’

 

‘‘ଆସୁ ତେବେ ।’’

 

କାଲିପଙ୍ଗରୁ କାଲି ଫେରିଲି । ଦାର୍ଜିଲିଂରୁ ଲାହୁମୁକିପା ମୋ ଲାଗି ଦୁଇ ଦିନ ଛୁଟି ନେଇ ସାଥିରେ ଯାଇଥିଲା । ଦାର୍ଜିଲିଂଠୁ ସେଖିଲି କାଲିପଙ୍ଗ ଆହୁରି ସୁନ୍ଦର । କିନ୍ତୁ ଅଳ୍ପ ସମୟ ପାଇଁ ଯାଇଥିବାରୁ ବିଶେଷ କିଛି ଉପଭୋଗ କରି ହେଲାନି । କେବଳ ସହର ଓ ଗଳି ଦେଖି ଦେଖି ଫେରିଲି । ବାଟରେ କିନ୍ତୁ ନୂଆ ନୂଆ ଗଛ, ନୁତନ ଉପତ୍ୟକା, ବହୁ ଝରଣା ଦେଖିବାକୁ ମିଳିଲା । ଦାର୍ଜିଲିଂଠୁ କାଲିପଙ୍ଗ ତିରିଶ ମାଇଲ ବାଟ । ଘୁମ୍‌ଠୁ ବାଟ ଭାଙ୍ଗିଯିବାରୁ ହୁଏ ।

 

ଦିଦି ଲାହୁମୁକିପା ଘୁମ୍‌ଠ ସୋନାପୁର ଗଲା । ଗଲାବେଳେ କେତେ ଖଣ୍ଡି ଖ୍ରୀଷ୍ଟମାସ କାର୍ଡ଼ ଦେଇଥିଲା । ସବୁଥିରେ ମୋର ଶୁଭକାମନା । ମୋ ନାମାଙ୍କିତ ଗୋଟିଏ ରୁମାଲରେ ତାର କେତେଟୋପା ଅଶ୍ରୁବିନ୍ଦୁ ହିଁ ତା’ର ବିଦାୟକାଳୀନ ଉପହାର ।

 

ତାର ପ୍ରତ୍ୟୁପହାର ମୁଁ କ’ଣ ଦେବି ସଙ୍ଗେ ସଙ୍ଗେ ଭାବିପାରି ନ ଥିଲି । ଖାଲି ତା ମୁହଁକୁ ଚାହିଁ ରହିଥିଲି ମୂକ ଭଳି । ଗଲାବେଳେ ନିମ୍ମୁ ପାଇଁ କିଛି ଦେଇ ପାରିଲିନି–ଏପରିକି ମୋର ସ୍ନେହ ସୁଦ୍ଧା ପଠାଇ ପାରିନି ।

 

ଖାଲି ଚାହିଁଚି–ମଟର ଛାଡ଼ିଦେଲା ।

 

ମୁଁ ଦାର୍ଜିଲିଂ ଅଭିମୁଖେ–ସେ ସୋନାପୁର ।

 

ସ୍ୱପ୍ନା ଆଜି ଆସିବାର କଥା ।

 

ହୁଏତ ଏକା ଏକା ଆସିବ, ନଚେତ ସମ୍ପର୍କୀୟ ଭାଇ ଶମ୍ଭୂଦା ସାଥିରେ ।

 

ଆଜି ଟିକିଏ ଶୀତ କମ୍ ।

 

ଗପ କହୁଚି ରତ୍ନାକୁ–‘‘ଇୟାତି’’ ର ଗପ, ଯାହାକୁ ଆମେ କହୁ ତୁଷାର ମାନବ । ସେର୍ପା ଭାଷାରେ ‘‘ଇୟାତି’’ । ସେର୍ପା ବସ୍ତିର ଏ ସମ୍ବନ୍ଧରେ ବହୁତ ଗପ ଶୁଣିଛି । ଶୁଣିଲାବେଳେ ଭୂତ ଗପ ଶୁଣିଲା ଭଳି ଲାଗେ । ଡର ଲାଗେ କିନ୍ତୁ ଶୁଣିବାକୁ ମଜା ।

 

‘‘ଦେଖିବାକୁ କିମିତି ?’’ ପ୍ରଶ୍ନ କରୁଚି ରତ୍ନା ।

 

ଇୟାତି ଦେଖିବାକୁ ବଡ଼ ମାଙ୍କଡ଼ ଭଳି । ମାଙ୍କଡ଼ ଚାରି ପାଦରେ ଚାଲେ କିନ୍ତୁ ଇୟାତି ଚାଲେ ଦୁଇ ପାଦରେ–ଠିକ୍ ମଣିଷଙ୍କ ଭଳି । ଦେହରେ ଗୁଡ଼ାଏ ବାଳ । ବଡ଼ ଅଦ୍ଭୁତ ରକମର ଜାନୁଆର । ଆଖି ଦୁଇଟା ଭିତରକୁ ପଶି ଯାଇଥାଏ, ମୁଣ୍ଡଟା ବାହାରକୁ ବାହାରି ଆସିଥାଏ । ଦେହର ବାଳ ଦୁଇ ଭାଗରେ ବିଭକ୍ତ । ଅଣ୍ଟାଠୁ ମୁଣ୍ଡଯାଏଁ ବାଳଗୁଡ଼ାକ ସିଧା ସିଧା ଉପରକୁ ଉଠିଥାଏ । ଅଣ୍ଟାଠୁ ତଳକୁ ବାଳ ଝୁଲି ରହେ । ଚାରି ପାଞ୍ଚ ଫୁଟ୍ ଉଚ୍ଚ । ଦୁଇ ପାଦରେ ଦୌଡ଼େ । ଦୌଡ଼ିଲା ବେଳେ ଜଙ୍ଘ ଦିଓଟିକୁ ଦୁଇ ହାତରେ ଚାପି ଧରିଥାଏ । ବାଘ ଭାଲୁଙ୍କ ଭଳି ଗର୍ଜି ଉଠେନା, ହ୍ୟୁସିଲ୍ ଭଳି ଶୁଶୁରି ମାରେ । ଏମାନେ ରାତିରେ ଆସି ଫସଲ ଉଜାଡ଼ି ପକାନ୍ତି କିନ୍ତୁ ଯେଉଁ କ୍ଷେତ ଉଜାଡ଼ି ପକାନ୍ତି ତାକୁ ପୁଣି ସଜାଡ଼ିବାକୁ ଚେଷ୍ଟା କରିଥାଆନ୍ତି ।

 

ଇୟାତି ଦୁଇ ଜାତିର । ଗୋଟିଏ ଜାତିର ଇୟାତି ମଣିଷକୁ କାମୁଡ଼ି ଗୋଡ଼ାନ୍ତି । ବାଘ ଭଳି ରକ୍ତ ପିପାସୁ–ମୀଂମାସୀ ଏମାନେ । ଅନ୍ୟଜାତିଟି ଖାଲି ଜୀବଜନ୍ତୁକୁ ଖାଇ ଥାଆନ୍ତି । ପ୍ରଥମ ଜାତିଟିକୁ ‘‘ନେତ୍‌ରେ’’ ଅନ୍ୟଟି ‘‘ଚୁତ୍‌ରେ’’ କୁହନ୍ତି । ନେପାଳୀ, ସେର୍ପା, ସିକିମ୍ ସବୁ ଭାଷାରେ ଏହାର ନାମ ଇୟାତି । ବିଶ୍ୱବିଖ୍ୟାତ ଜୁଲିଆନା ହକ୍‌ସଲେଙ୍କ ମତରେ ଏହା ଏକ ରକମର ଭାଲୁ ।

 

ସେର୍ପାମାନଙ୍କର ବିଶ୍ୱାସ ଏ ଜନ୍ତୁକୁ ଦେଖିଲେ ଅମଙ୍ଗଳ ହୁଏ । ଯେ ଦେଖେ ସେ ବେଶୀଦିନ ବଞ୍ଚେନା । ଦୁଇ ଚାରି ଦିନରେ ମୃତ୍ୟୁ ହୋଇଯାଏ । କିନ୍ତୁ ଯେଉଁମାନେ ଏ ଗପ କହୁଥିଲେ, ସମସ୍ତେ ପ୍ରାୟ ଏ ଜନ୍ତୁଟିକୁ ଦେଖିଛନ୍ତି । କିନ୍ତୁ କେହି ଏ ଯାଏଁ ମରିନାହାନ୍ତି । ଦେଖିବା ପରେ ତିନି ଚାରି ବର୍ଷ ଧରି ବଞ୍ଚିଲେଣି ।

 

ଏଇ ‘‘ଇୟାତି’’ ଗପ ଶୁଣିବାକୁ ରତ୍ନା ଅତି ବ୍ୟଗ୍ର । ମା ଡ଼ାକ ଛାଡ଼ିଚନ୍ତି ଜଳଖିଆ ଖାଇବାକୁ । ତଥାପି ରତ୍ନା ପାଖ ଛାଡ଼ୁନାହିଁ । କିଛିଟା କହି ବନ୍ଦ କରିଦିଏ । ରତ୍ନା ପଚାରେ–ତା’ର ପର....-?’’

 

କିଛିଟା କହେ–ପୁଣି କଥା ବୁଲାଇ ଦିଏ ।

 

ଉପର ବେଳା । ଠିକ୍ ଗୋଟାଏବେଳେ ମାମୁଁ ଜଳପାଇଗୁଡ଼ିରୁ ଆସି ପହଞ୍ଚଛନ୍ତି । ଆଜି ଦାର୍ଜିଲିଂ ଛାଡ଼ି ଯିବାକୁ ପଡ଼ିବ । ଯିବି ଗୌହାଟୀ । ଆସାମ । ସେଇଠୁ ଫେରିବାକୁ ହେବ । ମାମୁଁ ଖୁବ୍‌ ତରତର କଲେଣି । ବେଡ଼ିଂ ବାନ୍ଧିବାରେ ବ୍ୟସ୍ତ ସେ ।

 

ମୋର କିନ୍ତୁ ଯିବାକୁ ଆଦୌ ଇଚ୍ଛା ନାହିଁ । ଆଜି ସ୍ୱପ୍ନା ଆସିବ । ଅନ୍ତତଃ ସାକ୍ଷାତ ହେବା ଉଚିତ ଥିଲା । ରତ୍ନାର ମାଆ ଆସି ମାମୁଁଙ୍କୁ କହିଲେ–‘‘ଗୋଟିଏ ଦିନ ରହିଗଲେ କ’ଣ ଅସୁବିଧା ହୋଇଯିବ ?

 

ମାମୁଁ ମତେ ଚାହିଁଲେ । କିଛି ଜବାବ ନ ଦେଇ ତୁନି ରହିଲି । ସିଲଗୁଡ଼ିକୁ ଜୀପ୍ ଆସିଥିବ । ମାଈଁ ମଧ୍ୟ ଆସିଥିବେ । ଫେରିଯିବେ । ଅସୁବିଧା ଭିତରେ ଏତକ । ବିଜନବାବୁଙ୍କ ସହିତ ସାକ୍ଷାତ ହୋଇ ପାରିନି । ହୁଏତ କାଲି କି ପଅର ଦିନ ବିଜନବାବୁ ସାନାଟୋରିୟମରୁ ଫେରିବେ । ରତ୍ନାର ଇଚ୍ଛା–ବାପା, ମା, ସ୍ୱପ୍ନାଦିଦି, ମୁଁ ଏକାଠି ହୋଇ ଟାଇଗର୍ ହିଲ୍‌କୁ ବୁଲିବାକୁ ଯାଆନ୍ତୁ ।

 

ରତ୍ନାର ମାଆ ଆଗରେ ମାମୁଁ କିଛି କହି ପାରିଲେନି ।

 

ଦିନ ତିନିଟାରେ ସ୍ୱପ୍ନା ଆସିବ । ଆମକୁ ବି ସେଇ ତିନିଟାବେଳେ ଯିବାକୁ ପଡ଼ିବ । ରତ୍ନାର ମାଆ, ରତ୍ନା, ମାମୁଁ ସମସ୍ତେ ମିଶି ବାହାରିଲୁ ମଟରଷ୍ଟାଣ୍ଡକୁ । ହରିସିଂ ଗାଡ଼ି ଛାଡ଼ିନି । ଟିକକ ପରେ ଛାଡ଼ିବ । ଆସିଲାବେଳେ ଆସିଥିଲି ତାରି ଗାଡ଼ିରେ, ଯିବି ମଧ୍ୟ ସେଇ ଗାଡ଼ିରେ ।

 

ଦାର୍ଜିଲିଂର ଦୁଧିଆଗୁଆ ଚୋବାଇ ଚୋବାଇ ମୁଁ ଅପେକ୍ଷା କରିଚି ଗାଡ଼ିକୁ ନୁହେଁ–ସ୍ୱପ୍ନାକୁ । ଆମ ଗାଡ଼ି ଯିବା ପୂର୍ବରୁ ସ୍ୱପ୍ନାର ଗାଡ଼ି ପହଞ୍ଚନ୍ତା କି ।

 

ଅନ୍ତତଃ ଦେଖନ୍ତି, ସ୍ୱପ୍ନା ମୋ ଆଖିରେ ସ୍ୱପ୍ନ ଭଳି ଭାସି ଆସିଚି ଗତ ସାତ ଗୋଟିଏ ପଲକରେ । କଥାବାର୍ତ୍ତା ହୁଅନ୍ତି ଅନ୍ତତଃ ଗୋଟିଏ ପଦ ।

 

କିନ୍ତୁ ହେଲାନି । ହରିସିଂର ମଟର ଷ୍ଟାର୍ଟ ଦେଲା ।

 

ରତ୍ନା କାନ୍ଦି ଉଠିଲା–ଖାଲି ଗୋରାଦା, ଗୋରାଦା । ରତ୍ନାକୁ ମୁଁ କ’ଣ ବୋଲି ବୁଝେଇବି-। ସେ ଜାଣେନା ମୋ ଅନ୍ତରଟା ।

 

ସ୍ୱପ୍ନା ଭଳି ଶହଶହ ବୁଟିଆବାଳିକା ରକ୍ତ-ଗୋଲାପପରି ତା’ ଆଖି ଆଗରେ ଏଇତ ମଟର ଷ୍ଟାଣ୍ଡରେ ଢଳିଢଳି ଚାଲିଚନ୍ତି । ଏମାନଙ୍କଠୁ ବଳି କ’ଣ ସ୍ୱପ୍ନା ଅତି ସୁନ୍ଦର ?

 

ବିଦାୟ ନେଲି ଦାର୍ଜିଲିଂଠୁ, ରତ୍ନାଠୁ, ରତ୍ନାମାଆଠୁ, ସମସ୍ତଙ୍କଠୁ । ମଟର ଷ୍ଟାଟ ଶବ୍ଦର ପ୍ରତିଧ୍ୱନି ପରି ମନେହେଲା, ଚାରିଆଡ଼େ ଖାଲି ଶୁଭୁଚି ବିଦାୟ, ବିଦାୟ–

 

ବାଟରେ ବହୁତ ଯାତ୍ରୀବାହୀ ଗାଡ଼ି ଅତିକ୍ରମ କରି ଚାଲିଚନ୍ତି । ସବୁ ଗାଡ଼ିକୁ ନିରୀକ୍ଷଣ କରି ମୁଁ ଖୋଜୁଚି ଜଣେ ଅପରିଚିତାର ମୁହଁ–ସ୍ୱପ୍ନା ।

 

କେତେ ଯାତ୍ରୀ, କେତେ କିଶୋରୀ–କେତେ ଯୁବତୀ । ବଙ୍ଗାଳୀ, ମାରୁଆଡ଼ି, ବିହାରୀ-। ନବ କୁସମିତ ଚେହେରା ।

 

ମୋ ମନରେ ଗୋଟିଏ ପ୍ରଶ୍ନ, ଏମାନଙ୍କ ଭିତରେ ସ୍ୱପ୍ନା କିଏ ?

 

ଦେଖିଲେ ଅନ୍ତତଃ ହାତଠାରି କହନ୍ତି, ମା ଚିଠିରେ ଯେଉଁ ଗୋରାଦାର ପ୍ରଶଂସା କରି ତମ ପାଖକୁ ଚିଠି ଲେଖିଥିଲେ–ମୁଁ ସେହି ହତଭାଗା ଗୋରାଦା ।

 

ପନ୍ଦର ଦିନ ପରେ ବସାକୁ ଫେରି ଦେଖିଲି ଗୋଟିଏ ରଙ୍ଗୀନ ଲଫାଫା । ଭିତରେ ଖଣ୍ଡିଏ ଚିଠି । ବଙ୍ଗଳା ଅକ୍ଷର । ତାରିଖ, ଠିକ୍‍ଣା, ନା, ପରିଚୟ କିଛି ନାହିଁ । ବାହାରକୁ ଦେଖିବାକୁ ବେଶ୍ ଗୁଡ଼ିଏ ସୁନ୍ଦର ଅକ୍ଷର । ପୃଷ୍ଠା ପରେ ପୃଷ୍ଠା, ଏକ–ଦୁଇ–ତିନି । ତଳେ ଛୋଟ ବଙ୍କା ଅସସ୍ପଷ୍ଟ ଅକ୍ଷର ।

 

‘‘ତୋମାର.....’’

 

‘‘ମୋର, ଏ ପୁଣି କିଏ ?’’

 

‘‘ରତ୍ନା ? ଲାହାମୁକିପା ?’’

 

ଉତ୍କଣ୍ଠିତ ମନରେ ପଢ଼ା ଆରମ୍ଭ କଲି । ବଙ୍ଗଳା ଭାଷାର ଜଟିଳତା ଭିତରେ ମୁଁ ଅନୁଭବ କରୁଥାଏ ଏକ ମଧୁର ସମ୍ବେଦନା । ସରସ ସକରୁଣ ଭାଷା । ଚିଠିରେ ଲେଖାଥିଲା–

 

ଗୋରାଦା !

 

ମାଆର ଚିଠିରୁ ତୁମର ପ୍ରଶଂସା ଶୁଣିଥିଲି ବହୁଥର । ଅଧୀର ହୋଇ କଲିକତାର ଉଷ୍ଣତା ଛାଡ଼ି ଯାଇଥିଲି ତୁମକୁ ଦେଖିବା ପାଇଁ ଶମ୍ଭଦାକୁ କହିଲି–ଟିକିଏ ଛାଡ଼ି ଦେଇ ଆସନା । ଶମ୍ଭୁଦା କହିଲା–ପାଗଳି; ଶୀତଦିନେ କ’ଣ କିଏ ଦାର୍ଜିଲିଂ ଯାଏ ?

 

‘‘ହଁ ଯିବାକୁ ହିଁ ପଡ଼ିବ ।’’

 

‘‘ତେବେ ମୁଁ ଯାଇ ପାରିବିନି’’–ଶମ୍ଭୁଦା ନାହିଁ କଲା ।

 

ଏକା ଏକା ଆସିଲି ଦାର୍ଜିଲିଂ ।

 

ମଟର ଷ୍ଟାଣ୍ଡରେ ମାଆକୁ ଦେଖିବା ମାତ୍ରେ ପଚାରିଲି–ଗୋରାଦା ?

 

ମାଆ କହିଲେ–‘‘ଚାଲିଗଲା ଦଶମିନିଟ ହେବ ।’’

 

ମନ କ’ଣ ହୋଇଥିବ ତୁମେ ପୁରୁଷଗୁଡ଼ାକ କୁଆଡ଼ୁ ବୁଝିବ ? ଯଦି ବୁଝିପାରନ୍ତ ଆମ ମନକଥା......’’

 

ଚିଠିରେ ଥିଲା–ଆହୁରି ଅନେକ କଥା... ।

 

ଡାକମୋହରରୁ ଦେଖିଲି ଚିଠି ଆସିଚି ଦାର୍ଜିଲିଂରୁ ଠିକ୍ ସେହି ତାରିଖରେ ମୁଁ ଯେଉଁଦିନ ଦାର୍ଜିଲିଂ ଛାଡ଼ିଥିଲି ।

 

ଏକ ବର୍ଷ ପରେ......

 

ବାବୁଭାଇ । ମନେଥିବ ତୁମର ଭୁବନେଶ୍ୱର କେଦାରଗୌରୀ କୁଣ୍ଡ ପାଖରେ ତୁମେ ବିଶ୍ରାମ ନେଇଥିଲ କେତେଦିନ ପାଇଁ । ପାଖରେ ବହେନ୍‌ଜୀ ଆଉ ମୁଁ । ପଡ଼ିଶା ଘରେ ଥାଆନ୍ତି ଏକ ବଙ୍ଗାଳୀ ପରିବାର–ଦିବ୍ରୁଗଡ଼ର ଏକ ଚାହା ବଗିଚାର ମାଲିକ । ତୁମେ ଚାହା ପିଅ ନାହିଁ, କିନ୍ତୁ ପିଇଥିଲ ସେଦିନ ବଙ୍ଗାଳୀ ଭଦ୍ରଲୋକଙ୍କ ଅନୁରୋଧରେ । ଭଲ ଚାହା, ତଟକା । ଚାହା ବଗିଚାର ମାଲିକଙ୍କ ପାଖରୁ ଚାହା ପିଇବା ତୁମକୁ ଭାରି ଭଲ ଲାଗିଥିଲା । ଭଦ୍ରଲୋକଙ୍କ ସାଙ୍ଗରେ ଥିଲେ ତାଙ୍କର ବିବାହିତା କନ୍ୟା, ଜାମାତା ଆଉ ନାତୁଣୀ ବାବ୍‌ଲି ।

 

ଆଜି ତାଙ୍କରି ଘରେ ବସି ଚିଠି ଲେଖିଲାବେଳେ ମନେ ପଡ଼ୁଚି ସେଦିନର କଥା । ବାବ୍‌ଲି ଧାଇଁ ଆସୁଛି, ଅଝଟ ତାର ତୁମ ପାଖକୁ ସିଏ ବି ଚିଠି ଲେଖିବ । ମନେ ପଡ଼ୁଚି ତୁମ କୋଳରେ ସେ ଘୁମାଏ, ମା’ ଯେତେ ଡାକିଲେ ଘରକୁ ଯାଏନା । ତୁମ ପାଖ ଛାଡ଼ିବାକୁ ଇଚ୍ଛା ହୁଏନି ତାର । ତାର ଇଚ୍ଛା ହେଉଥିଲା, ତୁମ ପାଖରେ ରହି ନାଚ ଗୀତ ଶିଖନ୍ତା କଳାବିକାଶ କେନ୍ଦ୍ରରେ । ବହେନ୍‌ଜୀ ରୁଟି ସେକି ଦିଅନ୍ତେ ସେ ଖାଆନ୍ତା । ଗୁଜୁରାଟୀ ଖାଦ୍ୟ ଗାଣ୍ଠିଆ, ସେଉ ତାକୁ ଭାରି ଭଲଲାଗେ । ଏ ଦିବ୍ରୁଗଡ଼ଟା ତାକୁ ଖରାପ ଲାଗୁଚି । ଚିଟା ହୋଇଗଲାଣି ତା ମନ ଏ ଶୈଳ-ସବୁଜିମା ଦେଖି ଦେଖି । ସବୁବେଳେ ବର୍ଷା ଆଉ ଶୀତ । ସେ ଗରମ ଚାହେଁ । ସେ ଚାହେଁ ଉଷ୍ଣତା ଭିତରେ ବୁଲିବା ପାଇଁ ଖୋଲା ଦେହରେ ।

 

ଜାଣି ନ ଥିଲି ଏତେଦିନ ପରେ ବାବ୍‌ଲିର ପରିବାର ସହିତ ମୋର ସମ୍ବନ୍ଧ ଏତେ ଘନିଷ୍ଠ ହୋଇଉଠିବ ବୋଲି । ଦୁଇଦିନ ପାଇଁ ଆସିଥିଲି, ବର୍ତ୍ତମାନ ହେଲାଣି ଆଠଦିନ । ବାବ୍‌ଲି ମାଆ ଟୁଟୁଦି କହନ୍ତି–ଭାଇ, ଆଉ କେତୋଟି ଦିନ ରହିଯାଅ, ବହୁତ ଦେଖିବ, ଚାରିଆଡ଼ କ’ଣ ବୁଲା ସରିଲାଣି ? ଦିନେ ଦୁଇ ଦିନ ପାଇଁ ନୁହେଁ, ଦୁଇ ମାସ ଲାଗିବ ।

 

ମନେ ହେଉଚି କଟକରେ ବସି କୌଣସି ଏକ ରାତିରେ ସ୍ୱପ୍ନ ଦେଖୁ ଦେଖୁ ଚାଲିଆସିଛି ଏଇଠିକି । କିମିତି ଆସିଛି, କେତେ ଟଙ୍କା ଧରି ଆସିଛି ଜାଣେନା । ଯେମିତି ଚାଲିଆସିଛି ଆସୁ ଆସୁ । ସ୍ୱପ୍ନ ତ ଦେଖିଆସିଛି ଜୀବନ ସାରା । ପିଲାଦିନୁ ମୋର ବରାବର ବିଶ୍ୱାସ, ପ୍ରତ୍ୟେକ ଦେଶରେ ମୋର ଘର; ଘରେ ମୋର ଆତ୍ମୀୟସ୍ୱଜନ । ଥରେ ଗୋଡ଼ କାଢ଼ିଲେ ହେଲା । ଜାତି, ବର୍ଣ୍ଣ, ଭାଷା ବା ଧର୍ମ ମତେ କେହି ବାଧା ଦେଇ ନ ପାରନ୍ତି । ମୁଁ ଯେ କେବଳ ଭାରତ ମାଟିରେ ଜନ୍ମ ହୋଇଛି ତା ନୁହେ, ଭୂମିଷ୍ଠ ହୋଇଛି ଧରିତ୍ରୀ କୋଳରେ । ଜନ୍ମ ସ୍ୱତ୍ୱରେ ଗୋଟାକଯାକ ବିଶ୍ୱ ମୋ ନିଜର । ତାକୁ ବୁଝିବି ବା କିମିତି ଯଦି ଦେଶାନ୍ତର ନ ଯାଏ ।

 

ଚିଠି ପାଇଥିଲି କଲିକତାରୁ । ହାବଡ଼ା ଷ୍ଟେସନରେ ଟାକ୍‌ସିରେ ବସିବାବେଳୁ ଭାବିଥିଲି, ଦିନକ ପରେ ଫେରିଯିବ । ସ୍ୱପ୍ନାକୁ ଦେଖିବା ପିପାସା ମେଣ୍ଟିଯିବା ପରେ ଆଉ ଦରକାର ନାହିଁ କିଛି-। ସ୍ୱପ୍ନା ଚିଠିର ଉତ୍ତରରେ ମଧ୍ୟ ମୋର ଏଇ ସର୍ତ୍ତ ଥିଲା । ଟାକ୍‌ସିରୁ ଓହ୍ଲେଇ ବାଗ୍‌ବଜାର ଷ୍ଟ୍ରିଟ୍‌ର ଚଉଦ ବାଇ ପାଞ୍ଚ ନମ୍ବର ଘର ଦୁଆରେ ପୂଜାରୀ ବୋଲି ଡ଼ାକିବା ମାତ୍ରେ ଗୋଟାଏ ଯିମିତି ଆବାଜ ଶୁଭିଲା–ଏଇ ତ ଗୋରାଦା । ଗୋଟିଏ କୁମାରୀ କଣ୍ଠ, ଫ୍ଲାଟ ଉପରୁ ଜଣଙ୍କର ଆବାଜ, ଅନ୍ୟାଦିଗରେ ବୁହାଚାଲିଚି ବେଡ଼ିଂ ତିନି ଚାରିଟା । ଘର ଆଗରେ ଆଉ ଗୋଟାଏ ଟାକ୍‌ସି-

 

ଖୁସି ହୋଇପାରୁ ନ ଥିଲି ମୁଁ । ଯେମିତି ସବୁ ଅଦ୍ଭୁତ, ଆଶ୍ଚର୍ଯ୍ୟବୋଧ ହେଉଥିଲା । ଜଣେ କିଏ ଯେମିତି ଓହ୍ଲେଇ ଆସୁଛି କୋଠା ଉପରୁ, ଆଉ ଜଣେ ଚାହିଁଛି ଉପରୁ ତଳକୁ । ରତ୍ନାକୁ ଚିହ୍ନେ, ତା ମାଆକୁ ଚିହ୍ନେ, ଆଉ ତ କାହାର ସହିତ ପରିଚୟ ନାହିଁ ମୋର ।

 

ଦ୍ୱାରଟା ଯେମିତି ଖୋଲୁଛି ତା ମନକୁ, ଭାରି ସନ୍ତର୍ପଣରେ ଧୀରେ ଧୀରେ ।

 

‘‘ଆପଣ ?’’

 

‘‘ହଁ ।’’

ଆଉ କଥା ନାହିଁ, ବାର୍ତ୍ତା ନାହିଁ । ଗୋଟାଏ ଛାୟାମୂର୍ତ୍ତି ଯେମିତି ଆସିଲା, ପଦେ କହିଲା, ଚାଲିଗଲା । ଖାଲି ଶୁଭିଲା–‘‘ହଁ ଲୋ ମା, ଗୋରାଦା ।’’

ଡାକହାକ ନାହିଁ, ଅତିଥି ଅଭ୍ୟର୍ଥନା କିଛି ନାହିଁ । ମୁଁ ସେମିତି ଠିଆହୋଇଛି ଦ୍ୱାର ମୁହଁଟାରେ । ତଳେ ବେଡ଼ିଂ ଓ ଚମଡ଼ା ସୁଟ୍‌କେଶ । ଇଏ କି ଖୁସି, ଇଏ କି ଆନନ୍ଦ ବୁଝିପାରିଲିନି ।

ସ୍ୱପ୍ନା କ’ଣ ଏଇ ଝିଅଟା ? ମୋ ଆଖିରେ ନିତାନ୍ତ ଛୋଟ, ବୟସ ଷୋଳ କି ସତର ।

ପୁଣି ଆସି ହାଜର । ଗୋଟାଏ ପ୍ରହସନ । ରଙ୍ଗମଞ୍ଚର ଏ ଅଭିନୟ କିନ୍ତୁ ଉପଭୋଗ୍ୟ ନୁହେଁ, ବିରକ୍ତିକର ।

ପ୍ରାୟ କୋଡ଼ିଏ ମିନିଟ ଅପେକ୍ଷା ପରେ ଡାକରା ପାଇଲି ଘର ଭିତରକୁ ଯିବା ପାଇଁ । ଏଥର ଡାକିବାକୁ ଆସିଲା ରତ୍ନା । ରତ୍ନାକୁ ଦେଖୁଚି ଦୁଇ ବର୍ଷ ପରେ । ମୁଣ୍ଡରେ ସେଇ ବାବୁରି ବାଳ ନାହିଁ । ଦୁଇଟା ବେଣୀ । ଦେହଟା ବେଶ୍ ବଳିଲା ବଳିଲା । କିନ୍ତୁ ଭୁଲିନି । ଠିକ୍ ମନେ ଅଛି ତାର ଗୋରାଦାଦାର କଥା । ରୀତିମତ ଚିଠି ଦିଆନିଆ, ଆଉ କ’ଣ ଭୁଲି ହୁଏ ?

‘‘ଗୋରାଦା, ତୁମ ଉପରେ ଦିଦିର ବଡ଼ ରାଗ ।’’

‘‘କାହିଁକି ?’’

‘‘ରାଗ ବୋଲି ତ ତୁମକୁ ଠିଆକରେଇ ଦେଇଥିଲା ବାହାରେ କୋଡ଼ିଏ ମିନିଟ କାଳ ।’’

‘‘ସତେ ?’’

‘‘ମୁଁ କ’ଣ ମିଛ କହୁଚି ? ହେଇ ଦେଖୁନା, ଡ଼ାକିଲେ ଆଦୌ ଆସୁନି ।’’

ରତ୍ନାକୁ ଦେଖି ମନେ ପଡ଼ୁଥାଏ ବର୍ଷକ ତଳର କଥା । ମନେ, ହେଲା, ଆଉ ଦୁଇଇଞ୍ଚ ବଢ଼ିଯାଇଚି ଉପରକୁ । ଯିମିତି ବର୍ଷେ ଦୁଇ ବର୍ଷ ଭିତରେ ତା ସମଗ୍ର ଦେହଟାରେ ଗୋଟାଏ ବଡ଼ ପରିବର୍ତ୍ତନ ।

ମୁଁ ତାକୁ ଚାହିଁଥାଏ, ସେ ମତେ ଚାହିଁଥାଏ–ଇମିତି ପ୍ରାୟ କଟିଗଲା ଦଶ ମିନିଟ । ଚୁହାଁଚୁହିଁ ସରିଲା; ଖେଁ କରି ହସି ପକାଇଲା ରତ୍ନା । ମୁଁ ଇମିତି ଅଛୁଆଁଙ୍କ ଭଳି ଘର ଦୁଆରଟାରେ ଠିଆହୋଇ ରହିଥିବି, ଭଲ ଲାଗି ନଥିଲା ତାକୁ । ଉପରକୁ ଚାହିଁ ଦେଖିଲି, ଦୁଇଟା ଆଖି ନଇଁଆସିଚି ମୋ ଉପରକୁ । ଯେମିତି ଦୁଇ ଟୋପା ଆନନ୍ଦାଶ୍ରୁ ଗଡ଼ିପଡ଼ିଲା ମୋ ଉପରେ ।

ହାତକୁ ଧରି ଟାଣି ନେଇଥିଲା ରତ୍ନା ।

ପୁଅ ଆସିଛି ବହୁ ଦିନପରେ–ମା’ର ବୁକୁ ତଳ ଗୋଟାକଯାକ ଯେମିତି ପଡ଼ୁଛି ଉଠୁଛି ଆନନ୍ଦ ଲହରୀର ତାଳେ ତାଳେ ।

‘‘ଯାହା ହେଉ ବାବା, ଠିକ୍ ସମୟରେ ଆସିଚୁ ।’’

ଦେଖିଲି, ପରେ ପରେ ଟାକ୍‌ସସିରୁ ଜିନିଷପତ୍ର ବୁହାହୋଇ ଆସିଲା । ଯାତ୍ରା ବନ୍ଦ ହେଲା ମୋ ଆଗମନରେ ।

ତା ଆରଦିନ ପ୍ରସ୍ତୁତ ନ ଥିଲି ଯିବା ପାଇଁ, କିନ୍ତୁ ଯିବାକୁ ପଡ଼ିଲା ଗୌହାଟୀ ଅଭିମୁଖେ ।

ସେଦିନ ସ୍ୱପ୍ନାକୁ ଦେଖିବା ପାଇଁ ମନ ଯାହା ବ୍ୟାକୁଳ ହୋଇଉଠିଥିଲା, ସେ ବ୍ୟାକୁଳତାର ପୂର୍ଣ୍ଣଚ୍ଛେଦ ହେଲା ଦୀର୍ଘ ବର୍ଷକ ପରେ ।

ସେଦିନ ରାତିରେ ମୁଁ ଶୋଇଥାଏ, ମୋ ସୁଟ୍‌କେଶ ଦରାଣ୍ଡି ଦେଖୁଥାଏ ସ୍ୱପ୍ନା । କେତେ ଚିଠି । ତାର ନିଜ ହସ୍ତାକ୍ଷର । ଶୁଦ୍ଧ ବଙ୍ଗଳା, କିନ୍ତୁ ଅଶୁଦ୍ଧ ଇଂରେଜ ଲେଖା ଚିଠି । କେତେ ଆଶା, କେତେ ପିରାଶା ବୈଶାଖୀ ହୃଦୟର ମରୁକ୍ରନ୍ଦନ, ଆଷାଢ଼ୀ ଯକ୍ଷ ପତ୍ନୀର ବିରହ...ଚିଠିର ବିବରଣୀ, ସାରାଂଶ ।

ମଝିରେ ମଝିରେ ସେ ପଚାରେ–ପେଟ କିମିତି ଅଛି ?

ସେମିତି, ଭଲ ନୁହେଁ, କି ଖରାପ ନୁହେଁ ।

ଭାତ ଖାଇଲଣି ?

ନା ।

କେତେ ବର୍ଷ ହେଲା ।

ବାପରେ, ଭାତ ନ ଖାଇ, ମାଛ ମାଂସ ନ ଖାଇ ବଞ୍ଚିତ କିମିତି ?

କାହିଁକି ରୁଟି ?

ରୁଟି କ’ଣ ମଣିଷ ଖାଏ ?

ପାଗଳି, ଧାରଣା ଭୁଲ ।

ଆଚ୍ଛା ଗୋରାଦା, ତୁମ ପାଣ୍ଡୁଲିପିରେ ମୋ ନାଁଟା ନ ଦେଇଥିଲେ କ’ଣ ଚଳି ନ ଥାନ୍ତା-?

ତାହାହେଲେ ବହୁଟିର ନାଁ କନ୍ୟା ବଦଳରେ ବନ୍ୟା ରହିଥାଆନ୍ତା । ଆଚ୍ଛା, ବହିଟି କିମିତି ଲାଗିଲା ? ତୁ ତ ଓଡ଼ିଆ ଜାଣୁନା, ପଢ଼ିଲୁ କିମିତି ?

ପଡ଼ିଶାଘର ପୂଜାରୀ ଗୋବର୍ଦ୍ଧନ ପଢ଼େ, ମୁଁ ଶୁଣେ । କିନ୍ତୁ ଭଲ ଲାଗିଲାନି ।

ଆଚ୍ଛା, କ’ଣ ହୋଇଥିଲେ ଭଲ ଲାଗିଥାଆନ୍ତା ?

ନିରୁତ୍ତର ରହିଲା ସ୍ୱପ୍ନା ।

ମୋର ସେଇ ପ୍ରଥମ ଚିଠି ଫେରାଇ ଦେଇପାରିବ ?

ନା, ତାକୁ ତ ମୁଁ ବନ୍ଧେଇ କରି ରଖିଚି କାଚ ଦେଇ ।

ମୁଁ ସ୍ୱପ୍ନାକୁ ଯେତିକି ଭଲ ପାଏ, ତାଠୁ ବେଶୀ ଭଲପାଏ ତାର ଚିଠି ଗୁଡ଼ାକୁ । ମୁଁ ଭାବେ, ସ୍ୱପ୍ନା ଗୋଟାଏ ମୃତ୍ୟୁଶୀଳ ମଣିଷ; କିନ୍ତୁ ଚିଠି ଗୁଡ଼ାକ ତାର ଇତିହାସ । ସେ ଇତିହାସର ମୃତ୍ୟୁ ନାହିଁ ।

 

ତୁମେ କଲେଜରେ କି ସବ୍‌ଜେକ୍‌ଟ ନେଇଥିଲେ ?

 

କାହିଁକି ? ଦର୍ଶନ ।

 

ସେଇଥିଲାଗି ଏ ପାଗଳାମି ।

 

ପ୍ରଥମ ମିଳନରେ ଏ କେତୋଟି କଥା । ତା ଆରଦିନ ଗାଡ଼ି ପାଖକୁ ଚାଲିଲୁ । ସ୍ୱପ୍ନା ହାତରେ ଟିକଟ ଦେଖି ବୁଝିପାରିଲି ଗୋଟାଏ ଲମ୍ବା ସଫର । ଗୌହାଟୀ ଯିବାପାଇଁ ପ୍ରସ୍ତୁତ ନ ଥିଲି; ତଥାପି ଯିବାକୁ ହିଁ ପଡ଼ିଲା । ସିଆଲ୍‍ଦା ଷ୍ଟେସନରୁ ଶତ୍ରୀକଲି ଘାଟ, ତା’ ପରେ ମଣିହାର ଘାଟ, କାଥିଆର ପାର ହୋଇ ସିଲଗୁଡ଼ି । ସେତେବେଳେ ମାମୁଁ ଥିଲେ ସାଙ୍ଗରେ । ବର୍ତ୍ତମାନ ସମ୍ପୂର୍ଣ୍ଣ ନୂତନ ଏକ ପରିବାର । ସ୍ୱପ୍ନା, ମୁଁ, ରତ୍ନା, ଗୋଟାଏ ଚାକର–ବେଶ୍ ଏତିକି ।

 

ଗାଡ଼ିରେ ଚଢ଼ିଲାବେଳେ ଭାବିଥିଲି, ଏ ଦଳ ଭିତରେ ମୁଁ ଏକା ପୁରୁଷ ନୁହେଁ, ଆଉ ଚାରି ଜଣ ମଧ୍ୟ ଅଛନ୍ତି । କିନ୍ତୁ ସେମାନେ ଯେ ଆମକୁ ଷ୍ଟେସନରେ ବିଦାୟ ଦେବା ପାଇଁ ଆସିଥିଲେ, ଜାଣି ନ ଥିଲି ।

 

ଗାଡ଼ି ଛାଡ଼ିବାମାତ୍ରେ ପାଟି କରି ଡାକ ଛାଡ଼ିଥିଲି–କାହିଁ, ବାପା ଗାଡ଼ିରେ ଚଢ଼ିଲେ ନାହିଁ ଯେ ।

 

–ନା ବାବା, ତାଙ୍କର ତ ବହୁତ କାମ । ତୁ ଆସିଲୁ ନାହିଁ ବୋଲି ସେ ମାଧ୍ୟ ହୋଇ ଆସୁଥିଲେ ଆମକୁ ଛାଡ଼ିଦେଇ ଆସିବା ପାଇଁ । ତୁ ତ ଆସିଯାଇଚୁ; ସେ ଆସିବା ଦରକାର କ’ଣ ?

 

କିନ୍ତୁ ମୁଁ ତ ଏ ପଥରେ ସମ୍ପୂର୍ଣ୍ଣ ନୂତନ । ଭାରି ଅଡ଼ୁଆ ବୋଧ କରିଥିଲି ସେଦିନ । ମୋ ମୁଣ୍ଡ ଉପରେ ଯେପରି ଗେଟାଏ ମସ୍ତ ଦାୟିତ୍ୱ । ମୋର ବ୍ୟସ୍ତତା ଦେଖି ସ୍ୱପ୍ନା କହିଲା, ‘‘କି ଗୋରାଦା । ଭାରି ବ୍ୟସ୍ତ ଜଣାପଡ଼ୁଚି ଯେ । ଆମେ କିନ୍ତୁ ତୁମର ଆଦୌ ବୋଝ ହେବୁନି । ତୁମେ ସିନା ଏ ରାସ୍ତାରେ ନୂତନ, ଆମେ କିନ୍ତୁ ବହୁ ପୁରାତନ । ଦିବ୍ରୁଗଡ଼ ପରା ଆମ ମାଉସୀମାର ଘର । କେତେଥର ଆସିଲୁଣି ଗଲୁଣି । ଭୟ କାହିଁକି ? ସାଙ୍ଗରେ ଜଣେ ପୁରୁଷ ଲୋକ ଥିଲେ ହେଲା ।’’

 

ଗାଡ଼ି ଭିତରେ ମୁଁ ଆଉ ସ୍ୱପ୍ନା–ଦୁଇଟି ତରୁଣ । ରତ୍ନା ଶୋଇପଡ଼ିଚି । ମା’ଙ୍କ ଆଖିରେ ମଧ୍ୟ ନିଦ । ରାତି ଏଗାର । ଚୁପ୍‌ଚୁପ୍‌ କହିଲା ସ୍ୱପ୍ନା ଦେଖିଲ ଏ ଲେଖାଟି ।

 

କି ଲେଖା ?

 

ଯାହା କେବେ ଦେଖିନା, ଦିନଲିପି । ଡାଏରୀ ।

 

କାହାର ?

 

ମୋ କଲମର ନୁହେଁ, ମୋ ପ୍ରାଣର, ମୋ ମନର, ମୋ ହୃଦୟର ।

 

ଡାଏରୀଟି ପଢ଼ିଲି । ଲେଖାଥିଲା–

 

‘‘ଭଲପାଇବା ମଝିରେ ଯଦି ଦାମ୍ପତ୍ୟ-ଜୀବନରେ ବ୍ୟବସ୍ଥା ନ ରହେ, ତାହାହେଲେ ସବୁ ଅବ୍ୟବସ୍ଥା । ସ୍ନେହ ବା ପ୍ରେମକୁ କେବଳ ପବନରେ ଭସେଇଦେଲେ କେବେ ରକ୍ତ ମାଂସର ଦାନା ବାନ୍ଧେନା । ଭଲ ପାଇବା ବେଲୁନ୍ ନୁହେଁ, ଏହାର ଅସ୍ତିତ୍ୱ ଅଲଗା । ଫାଙ୍କା ପୃଥିବୀର ଛାତି ଉପର ଦେଇ ସମୟରେ ସ୍ରୋତ ବହିଚାଲେ, କ୍ଷୟର ପରିଣାମ ଗଛଲତା ପରି ଭାଜିପଡ଼େ ଏହାର ଉପରେ । ମନର ସମସ୍ୟା ମେଣ୍ଟିଲା ନାହିଁ ବୋଲି ସମୟ କେବେ ଅପେକ୍ଷା କରି ରହେନା ସହାନୁଭୂତି ଜଣାଇବା ଲାଗି । ବୟସର କ୍ଷୟ ବନ୍ଦ କରିବା ଭଳି କୌଣସି ଅସ୍ତ୍ର ମଣିଷ ହାତରେ ନାହିଁ । ଯାହା ଯାଏ, ସେ ଆଉ ଫେରିଆସେନା । ସ୍ୱାଭାବିକ ଜୀବନ ଭିତରକୁ ଫେରିଆସିବା ପାଇଁ ବହୁଦିନ ଧରି ଚେଷ୍ଟା କରିଚି ଗୋରାଦା, ପାରିନି । ମନରେ କିଭଳି କେଜାଣି ଗୁଡ଼ାଏ ବ୍ୟାକୁଳତା, ଉତ୍କଣ୍ଠା ଓ ଉତ୍‌ଲିପ୍‌ସା । ଅନ୍ୟ ଭାଷାରେ ଏହାର ନାମ ଉନ୍ମାଦ, ପ୍ରକୃତରେ ଉନ୍ମାଦ ।’’

ଡାଏରୀ ଲମ୍ବିଚି ବହୁତ ଦୂର । ପଢ଼ିବା ପାଇଁ ଧୈର୍ଯ୍ୟ ନ ଥିଲା । ମନସ୍ତତ୍ତ୍ୱ ପଢ଼ିଚି । ସ୍ୱପ୍ନାକୁ ଦେଖି ନ ଥିଲି ସିନା, ଚିଠିରୁ ଜାଣିପାରିଥିଲି ସେ କ’ଣ ଚାହେଁ । ଏକ ଚଉତା ଶାଢ଼ି ପରି ସ୍ତର ପଡ଼ିରହିଚି ତାର ଅବଲୁଣ୍ଠିତ ମନରେ । କେତେବେଳେ କାତି ଛାଡ଼େ, ନୂତନ ହୁଏ । ଏହି ନୂତନତା ହୁଏତ ସାମୟିକ, କାୟିକ, ବାହ୍ୟିକ ।

ଦୁଇଟି ସିଟରେ ଦୁଇଜଣ । ଦୁହିଁଙ୍କ ଆଖିରେ ନିଦ ଆସେନା । ଦୁଇଟା ଲମ୍ବା ବେଣୀ ଆସି ଦେହରେ ବାଜେ । ଦୁଇଟା ଦେହରେ ଶୀତଳ କମ୍ପନ୍ ଲାଗେ । ଯୌବନ ଖୋଜେ ମୁହୂର୍ତ୍ତ, ଯେଉଁ ମୁହୂର୍ତ୍ତର ଇତିହାସ ଅତି ପ୍ରାଚୀନ, ଆଦିର ଆରମ୍ଭରୁ ଦୁହିଁଙ୍କ ପଥରେ ଗୋଟିଏ ବାଡ଼ । ଭାଙ୍ଗିଦେବା ସହଜ । କିନ୍ତୁ ଏ ଭଗ୍ନାଂଶର କର୍ତ୍ତା ଭାବରେ ସାହସ କରି ଠିଆହେବା ଦୂରୁହ । ମଣିଷ ଭଲପାଏ ମଣିଷକୁ, ତାଠୁ ବଳି ତରୁଣ ଭଲ ପାଏ ତରୁଣୀକୁ । ଏ ଭଲପାଇବା ଅନ୍ତର୍ନିହତ, ବଡ଼ ଜମାଟବନ୍ଧା । ଉତ୍ତାପ ବୋଲି କେବଳ କ୍ଷଣିକ ପାଇଁ । ଖଣ୍ଡେ ଦିଆସିଲି କାଠି ମାରିଲେ ଏ ଜମାଟ ତରଳେ ନା । ଏହାକୁ ତରଳେଇବା ଲାଗି ପ୍ରେମର ଇନ୍ଧନ ଦରକାର ଗୋଛା ଗୋଛା ।

ହିଷ୍ଟ୍ରିୟା ରୋଗିଣୀ ପରି ସ୍ୱପ୍ନା କ’ଣ ଯେ ଲେଖିଯାଇଚି, ସେ ଯେ ମୋଠୁ କ’ଣ ଚାହେଁ ବୁଝିପାରିଲିନି । ତା ଆଖିକୁ ଦେଖେ, ଖାଲି ସଜଳତା ।

ଗାଡ଼ିଚାଲେ ।

ସ୍ୱପ୍ନାର ଆଖିରେ ନିଦ ଆସିଯାଏ ।

ସିଲିଗୁଡ଼ି ଜଙ୍କ୍‌ସନ ।

ଏଇଠୁ ଯିବାକୁ ହୁଏ ଦାର୍ଜିଲିଂ, କାଲିପଙ୍ଗ୍ ଓ ସିକିମ୍ । ଅନ୍ୟ ଦିଗରେ ଆସାମ ।

ବିସ୍ତୃତ ଦିଗନ୍ତ । ହେମନ୍ତର ସ୍ନିଗ୍‌ଧ ହାଓ୍ୱାର ମୁଗ୍‌ଧ ସନ୍ତରଣ ଗିରିଦେଶରେ ଶିଖରେ ଶିଖରେ । ମନେପଡ଼େ କେତେ ଦିନ ତଳର କଥା । ପୁରୁଣା ବନ୍ଧୁ ଯେଭଳି ହାତ ବଢ଼େଇ କୁଣ୍ଢେଇ ପକାଉଚି । ପ୍ରାଚୀନ, ପ୍ରସନ୍ନ ସ୍ନେହଦ୍ୱାରା ଯେଭଳି ମଧୁର ଅଭ୍ୟର୍ଥନା ଜଣାଉଚି ସିଲଗୁଡ଼ି । ମନେ ହେଉଛି, ସେ ମତେ ପଚାରୁଚି, ଭଲ ଅଛି ତ ?

ହଁ ଭଲ ଅଛି । କେବେ ତ ଭଲ ନ ଥିଲି । ପାଦରେ କଣ୍ଟା ଫୁଟିଚି ମହୁତ । ମୁଣ୍ଡ ବାଡ଼େଇ ହୋଇଛି ତାଠୁ ବେଶୀ । ଦୁଇ ଆଖି ଦେଇ ଲୁହ ଝରିଚି, ରକ୍ତ ବି ଝରିଚି । ବୁକୁରେ ବେଦନା, ହଁ ବୟସରେ ଯୌବନ, କିନ୍ତୁ...... ।

ସିଲିଗୁଡ଼ି ପଚାରୁଚି । ମୁଁ ବି ଦିନେ ଏହି ପ୍ରଶ୍ନ ନିଜକୁ ନିଜେ ପଚାରିଥିଲି ସ୍ୱପ୍ନା ?

ଟ୍ରେନ ଛାଡ଼ିଦେଲା । କିଛି ଉତ୍ତର ଦେଇପାରିଲି ନାହିଁ ସିଲିଗୁଡ଼ିକୁ । ମନେ ମନେ କହିଲି, ଫେରିଲାବେଳେ ସବୁ କକଥା କହିବି ।

 

ଆସାମ ପଥେ । ପାର୍ବତ୍ୟମୟ ଆସାମ । ଆସାମର ରୋମାଞ୍ଚ କୌତୁକ ମୋ ମନରେ ରହି ଆସିଥିଲା ବହୁଦିନ ଧରି । ଶୁଣିଥିଲି, ଚିତ୍ରବାହନ ଆସାମ କଥା । ଏଠାରେ ଏକ ଦିଗରେ ଯେଭଳି ଅଛି ରହସ୍ୟାଲୋକର ମାୟାଜାଲ, ସେହିଭଳି ପଥେ ପଥେ ମୃତ୍ୟୁ । ଅରଣ୍ୟଜାତ ଦୁରାରୋଗ୍ୟ ବ୍ୟାଧି, ବିଷାକ୍ତ ଜଳ, କାଲିଜ୍ୱର, ନରଖାଦକ ବ୍ୟାଘ୍ର, ଉନ୍ମତ୍ତ ହସ୍ତୀ, ଅପରାଜେୟ ଗଣ୍ଡାର, ଅଜଗର ସାପ ଏବଂ ନରମୁଣ୍ଡଶିକାରୀ ପାର୍ବତ୍ୟ ଜାତି । ଏମାନେ ଚିରଦିନ ଆତଙ୍କର କ୍ଷେତ୍ର କରି ରଖିଛନ୍ତି ଆସାମକୁ । ପ୍ରକୃତରେ ହିମାଳୟର ଶାଖାପ୍ରଶାଖା ଭିତରେ ଆଫ୍ରିଦୀ ଅଞ୍ଚଳ ବ୍ୟତୀତ ମଣିଷ ଏଭଳି କେଉଁଠି ଭୟରେ ଆତଙ୍କିତ ହୋଇ ଉଠେନା । ସମତଳ ଭାରତର ବହୁ ଲୋକଙ୍କ ଧାରଣା, ଆସାମରେ ଦେଖିବାକୁ ମିଳେ ମାୟାବିନୀ ଦଳ । ଏମାନେ କେବଳ ମଣିଷକୁ ବଶୀଭୂତ କରି ରଖନ୍ତିନି, ମଣିଷକୁ ଧ୍ୱସଂ କରିପକାନ୍ତି । ଛଅ ଶହ ବର୍ଷ ତଳେ ମହମ୍ମଦ ସାହାଙ୍କ ଅମଳରେ ପଠାର ଯୋଦ୍ଧାମାନଙ୍କ ଏକ ପ୍ରକାଣ୍ଡ ଦଳ ଆସିଥିଲେ ଆସାମକୁ, କିନ୍ତୁ ପର୍ବତ ପ୍ରାଚୀନ ଅନ୍ତରାଳରେ ଏକ ଲକ୍ଷ ଅଶ୍ୱାରୋହୀ ସେନା କେଉଁ କାରଣରୁ କେଜାଣି ମୃତ୍ୟୁ ବରଣ କଲେ, ସେମାନଙ୍କ ଚିହ୍ନ ବର୍ଣ୍ଣ ବି ମିଳିଲା ନାହିଁ ।

 

ଆସାମର ପୌରାଣିକ ନାମ କାମରୂପ । ନରକାସୁର ଥିଲେ କାମରୂପର ମହାରାଜା, ଅଧିପତି । ଗୌହାଟୀ ପାଖରେ ଥିଲା ତାଙ୍କର ରାଜଧାନୀ । କଥା ଅଛି, ଦକ୍ଷଯଜ୍ଞ ପରେ ସତୀଙ୍କ ମୃତଶରୀର ସ୍କନ୍ଧରେ ବହନକରି ଉନ୍ମତ୍ତ ଶିବ ଯେତେବେଳେ ଭୂଭାରତରେ ଯାତ୍ରା କରନ୍ତି, ବିଷ୍ଣୁ ଦେଖିଲେ ସୃଷ୍ଟି ସ୍ଥିତି ଉପରେ ପ୍ରଳୟ କାଳର କଳ୍ପାନ୍ତ ଘନେଇ ଆସୁଚି । ସେ ତାଙ୍କ ସୁଦର୍ଶନ ଚକ୍ରର ପ୍ରୟୋଗରେ ବିରାଟ ମାନବସମାଜକୁ ରକ୍ଷାକରିବା ପାଇଁ ଅଗ୍ରସର ହୁଅନ୍ତି । ସେହି ସୁଦର୍ଶନ ଚକ୍ରର ଆଘାତରେ ଖଣ୍ଡିକ ସତୀଙ୍କ ମହାମୁଦ୍ରା ଏହି କାମରୂପ ଅନ୍ତର୍ଗତ ବ୍ରହ୍ମପୁତ୍ର ତଟପ୍ରାନ୍ତବର୍ତ୍ତୀ ନୀଳାଚଳ ପର୍ବତ ଉପରେ ପତିତ ହୁଏ ।

 

ତା ପରେ.....

 

ଏହି ପରମ ରମଣୀୟ ପାହାଡ଼ର ଶିଖରଲୋକ ଜ୍ୟୋସ୍ନାଲୋକରେ ଉଦ୍‌ଭାସିତ, ଚନ୍ଦ୍ରହାସିତ ବ୍ରହ୍ମପୁତ୍ର ନୀଳାଚଳର ଚରଣ ଧୌତ କରିବାରେ ବ୍ୟସ୍ତ । ଠିକ୍‌ ଏହି ସମୟରେ ହିମାଳୟର ମାୟା କାନନ ଭିତରୁ ଦେବୀଲୋକବାସିନୀ ଜଣେ ଯୁବତୀ ମୁଗ୍‌ଧଚକିତ ହୃଦୟ ନେଇ ଅବତରଣ କରନ୍ତି ଏହି ନୀଳାଚଳ ପର୍ବତ ଉପରେ । ସେଦିନ ମାୟାଚ୍ଛିନ୍ନ ଜ୍ୟୋସ୍ନାଲୋକ ଏତେ ନିବିଡ଼, ଏତେ ମଧୁର ହୋଇ ଉଠିଥଥିଲା ଯେ, ଯୁବତୀ ନିଜର ଲଜ୍ଜାଭରଣ ପିନ୍ଧି ଆସିବାକଥା ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥିଲେ । ଉଲଗ୍ନା ସେ । ସର୍ବାଙ୍ଗରେ ଯୌବନର ବିଲୁଣ୍ଠିତ ଦ୍ୟୁତି ।

 

ଏହି ସମୟରେ ରାଜା ନରକାସୁର ଏହି ନୀଳାଚଳ ଅରଣ୍ୟରେ ପାରିଧି କରିବାକୁ ଆସିଥାଆନ୍ତି । ସେ ଦେଖିବାକୁ ପାଆନ୍ତି ଏହି ଉଲଗ୍ନା ସୁନ୍ଦରୀଟିକୁ । ଘୋଡ଼ା ଛୁଟେଇ ପାଖକୁ ଲାଗିଆସିଲେ ସେ । ବଡ଼ ଲଜ୍ଜାବୋଧ କଲେ ପଚାରିବା ପାଇଁ; କିନ୍ତୁ ପ୍ରାଣର ଅଧୀରତାରେ ଅସମ୍ଭାଳ ହୋଇପଡ଼ିଲେ ସେ । ପଚାରିଲେ–ତୁମେ କିଏ ?

 

–ମୁଁ କାମଦେବୀ, ପ୍ରଣୟର ପ୍ରତୀକ । ନୀଳାଚଳର ପର୍ବତଶିଖରରେ ମୋ ନାମରେ ଗୋଟିଏ ମନ୍ଦିର ସ୍ଥାପିତ ହୋଇପାରିବ କି ନାହିଁ, ସେଇ ଉଦ୍ଦେଶ୍ୟରେ ଏଠିକି ଆସିଚି ଦେଖିବା ପାଇଁ ।

 

ନରକାସୁର କହିଲେ, ଯଦି ଅନୁମତି ମିଳେ, ମୁଁ ନିର୍ମାଣ କରିଦେବି ମନ୍ଦିର, ତୋରଣ, ପଥ, ଘାଟ ଯାହା କିଛି–ନିଜର ପ୍ରାଣ ଦେଇ, ଯଥାସର୍ବସ୍ୱ ଦେଇ ।

 

ବଙ୍କିମ ନୟନରେ କଟାକ୍ଷ ହାଣି କାମାକ୍ଷୀ କହିଲେ, ତୁମର ବା କି ସ୍ୱାର୍ଥ ?

 

ବିହ୍ୱଳ, ବିଦଗ୍ଧ କଣ୍ଠରେ ନରକାସୁର କହିଲେ, ତୁମର ଏହି ତନୁଲତା ସହିତ ମୋର ମରଣର ଫାଶ ବନ୍ଧା ହୋଇ ରହିଛି । ଦେବି ! ତୁମେ ମତେ ପତି ରୂପେ ବରଣ କର, ନଚେତ୍ ଏହି ରାଜମୁକୁଟ ନିକ୍ଷେପ କରିବି ଏହି ବ୍ରହ୍ମପୁତ୍ରର ଖରସ୍ରୋତରେ ।

 

କାମଦେବୀ ଏହି ପ୍ରସ୍ତାବରେ ରାଜି ହେଲେ ସତ, କିନ୍ତୁ ଦୁଇଟି ସର୍ତ୍ତରେ । ସର୍ତ୍ତ ହେଉଛି, ଏହି ରାତାରାତି ମନ୍ଦିର ନିର୍ମିତ ହେବ, ସମତଳ ପ୍ରଦେଶ ସହିତ ନୀଳାଚଳର ଯୋଗାଯୋଗ ପଥ ସଙ୍ଗେ ସଙ୍ଗେ ପଡ଼ିବ । ଯଦି ଏହି ଦୁଇଟି ଯୋଜନା ରାତି ନ ପାହୁଣୁ କାର୍ଯ୍ୟକାରୀ ହୁଏ, ତେବେ ମୁଁ ତୁମର ଅଙ୍କଶାୟିନୀ ହେବି ।

 

ନରକାସୁରଙ୍କ ମନରେ ଆନନ୍ଦ କହିଲେ ନ ସରେ । ସଙ୍ଗେ ସଙ୍ଗେ ଛୁଟିଲେ କାମ ଆରମ୍ଭ କରିବା ପାଇଁ । ମୂର୍ଚ୍ଛିତ ଜ୍ୟୋସ୍ନା ସ୍ଥିର ରହିଲା ମାୟାବିନୀ କାମଦେବଙ୍କ ତନୁଲାବଣ୍ୟରେ । କାମଦେବୀ ଲକ୍ଷ୍ୟ କଲେ, ନରକାସୁରଙ୍କ ଅତିମାନବ କ୍ରିୟାକଳାପ ।

 

ସକାଳ ପୂର୍ବରୁ ନରକାସୁର ତାଙ୍କର କାମ ପ୍ରାୟ ଶେଷ କରିବାର ଦେଖାଗଲା । ଆଉ ଗୋଟିଏ ମାତ୍ର କାମ ବାକୀ–ସମତଳ ପ୍ରଦେଶରେ ଏକ ପକ୍‌କା ରାସ୍ତାର କାମ । କିନ୍ତୁ ସର୍ବନାଶିନୀର ଅଭିପ୍ରାୟ ଭିନ୍ନ । କାମଦେବୀ ଆଣିଲେ ଗୋଟିଏ କୁକୁଡ଼ା । ରାତି ପାହି ନ ଥାଏ । କୁକୁଡ଼ାଟି ଯେତେବେଳେ ପ୍ରଭାତ କାଳର ସାଙ୍କେତିକ ଡାକ ଡାକିବା ଆରମ୍ଭ କଲା, କାମାକ୍ଷୀ ମୁହଁ ବଙ୍କେଇ ହସିଲେ । କହିଲେ, ନରକାସୁର । ଦେଖ ସକାଳ ହୋଇଗଲା । କାମ ସରିନି । ମୁଁ ଆଉ ତୁମକୁ ପତି ରୂପେ ବରଣ କରିପାରିବି ନାହିଁ ।

 

ଦେବୀ ଅନ୍ତର୍ହିତା ହେଲେ । ରାଗ ଓ ଦୁଃଖରେ ନରକାସୁର ନିଜ ଖଡ଼୍‌ଗରେ କୁକୁଡ଼ାଟିକୁ ଦ୍ୱିଖଣ୍ଡିତ କଲେ । ସେହି ଅସମାପ୍ତ ପଥର ଶେଷାଂଶ ସେମିତି ରହିଚି । ଏହି ନୀଳାଚଳ ପର୍ବତ କଥା ପରେ କହିବି । ଏହି ଘଟଣାରୁ ହିଁ ଆସାମର ପୂର୍ବ ନାମ ଥିଲା କାମରୂପ । ଏହା ହିଁ ଏହାର ସଂକ୍ଷିପ୍ତ ଇତିହାସ ।

 

ଗାଡ଼ି ଚାଲିଚି ଏହି କାମରୂପ ଅଭିମୁଖେ । ଟାଇମ୍‍ ଟେବୁଲରୁ କେତେବେଳେ ପହଞ୍ଚିବ ଜାଣିଚି । ତଥାପି ପଥେ ପଥେ ହିମାଳୟରୁ ହିମକାନ୍ତ ଦୃଶ୍ୟ ଦେଖି ସବୁ ଭୁଲିଯାଉଚି । ବର୍ଷା ଶେଷ ହୋଇଚି ତଥାପି ବାଦଲ ଛାଇହୋଇ ରହିଛି ଧବଳଧାରର ତୁଷାରଚୂଡ଼ାରେ । ମେଘ ଆଉ ତୁଷାର ଏକାକାର । ପୃଥିବୀ ବଡ଼ ଆଶ୍ଚର୍ଯ୍ୟ ମନେ ହେଉଛି । ରାତି ଅନିଦ୍ରା । ତୃତୀୟ ଶ୍ରେଣୀର ଯାତ୍ରୀ ମୁଁ । ଆଖିର ପତା ପଡ଼ିଆସୁଛି । କିନ୍ତୁ ମନ କହୁଛି, କିରେ ଶୋଇପଡ଼ିବୁ ? ଏତେ ଦୃଶ୍ୟ, ଏତେ ନଦନଦୀ, ପାହାଡ଼ ପର୍ବତ, ସମତଳ, ନାନା ଫଳର ଉଦ୍ୟାନ, ଚତୁର୍ଦ୍ଦିଗରେ ଉପତ୍ୟକା, ପରିପୂର୍ଣ୍ଣ ଶସ୍ୟକ୍ଷେତ୍ର । କେଉଁଠି ଅରଣ୍ୟର ଛାୟା ନଇଁ ଆସିଛି । କେଉଁଠି ସ୍ରୋତସ୍ୱତୀର ନିର୍ଜନ କୂଳଦେଶରେ ବଟ ବୃକ୍ଷର ବିଲମ୍ବିତ ଓହଳ । ସତେ କି ମହାପ୍ରାଚୀନ ମୁନି ନଇଁ ଆସିଚନ୍ତି ଜଳପାନ ପାଇଁ । ଦଳ ଦଳ ପକ୍ଷୀ, ନାନା ବର୍ଣ୍ଣର । ମଧୁର କାଳଳି । ଏମାନେ ହିମାଳୟ ଛାଡ଼ି କେଉଁଠିକି କେବେ ଯାଆନ୍ତି ନାହିଁ । ଦୀର୍ଘ ଋଜୁ ରେଳପଥ ଚାଲିଛି ବନବୀଥିକା ପରି ଦୂରଦୂରାନ୍ତର । ମନ କହୁଛି ଆଖିକି–‘‘ବୋକା ବୁଜି ହୋଇଯାଉଚୁ ?

 

ମ୍ଳାନ ଅପରାହ୍ନ । ଜନସମାଗମ ଖୁବ୍ କମ୍‌ । ମଝିରେ ମଝିରେ ଛୋଟ ଛୋଟ ଷ୍ଟେସନ-। ପ୍ରତି ଷ୍ଟେସନରେ ବୋଝ ବୋଝ ଫଳ । ତରୁଣୀ ଝିଅମାନେ ବିକନ୍ତି । ବଦନରେ ରକ୍ତିମାଭା-। ଗଣ୍ଡ, ଅଧର ସବୁଠି ରକ୍ତର ଛଟା । ବଙ୍କିମ ନୟନରେ ବନ୍ୟ ଅପରାଜିତାର କଟାକ୍ଷ-। କଣ୍ଠଦେଶରେ ପ୍ରବାଳମାଳା । ସର୍ବାଙ୍ଗରେ ଅଳଙ୍କାର । ମୁଣ୍ଡ ଉପରେ ରଙ୍ଗୀନ୍‌ ଓଢ଼ଣା । କେହି କେହି କହନ୍ତି, ଏମାନେ ମଙ୍ଗେଲିୟାନ୍ ରକ୍ତର ଧାରା । ଆଉ କେତେକ କହନ୍ତି, ଏମାନେ ଆଦିମ ଆର୍ଯ୍ୟର ଅବଶେଷ । ଛୋଟ ବଡ଼ ଝିଅ ପୁଅଙ୍କ ମୁଣ୍ଡରେ ରଙ୍ଗୀନ୍ ଟୋପି । ସର୍ବାଙ୍ଗରେ ସାଦା କମ୍ବଳର ଆବରଣ । କଟିଦେଶରେ ପଶୁଲୋମର ବେଲ୍‌ଟ । ଟିକିଏ ସାବୁନ ଦେଇ ଦେହକୁ ପରିଚ୍ଛନ୍ନ କରି ଦେଖ, ସମସ୍ତେ ରୂପବାନ୍ । ଅରଣ୍ୟରୁ ଏମାନେ ପାଇଛନ୍ତି ଶୋଭା ଓ ସ୍ୱଭାବ-। ଧବଳଧରର କଠିନତାରୁ ପାଇଛନ୍ତି ସ୍ୱାସ୍ଥ୍ୟ । ପାର୍ବତ୍ୟ ନଦୀର ଝଙ୍କାରରୁ ହସର କଲ୍ଲୋଳ ଏବଂ ସଭ୍ୟତାର ଚିହ୍ନ । ପାର୍ବତ୍ୟ ପ୍ରକୃତିରୁ ଚିତ୍ତସାରଲ୍ୟ । ଏମାନେ ଚିରକାଳ ଚିହ୍ନି ଆସିଛନ୍ତି ହିମାଳୟକୁ-। ରାଷ୍ଟ୍ରକୁ ଜାଣନ୍ତିନି । କେଉଁଆଡ଼ୁ କାହାର ଶାସନଦଣ୍ଡ ଆସି ଏମାନଙ୍କ ଉପରେ ପଡ଼େ, କେଉଁ ରାଷ୍ଟ୍ରର ସୀମା କେତେ, କେଉଁ ରାଜଶକ୍ତିର ପରିଚୟ କ’ଣ, ଏଥିଲାଗି ଏମାନେ ମୁଣ୍ଡ ଘୁରାନ୍ତି ନାହିଁ । ଏମାନେ ପାହାଡ଼କୁ ଚିହ୍ନନ୍ତି ପାହାଡ଼ ଏମାନଙ୍କୁ ଚିହ୍ନେ-। ଏମାନେ କରନ୍ତି କେବଳ ଦୁସ୍ତର ପଥର ସନ୍ଧାନ, ଯେଉଁଠି ସଭ୍ୟତାର ଜଞ୍ଜାଳ ନାହିଁ । ସୂର୍ଯ୍ୟର ଦକ୍ଷିଣାୟନ ସଙ୍ଗେ ସଙ୍ଗେ ଏମାନେ ବେଶ ବଦଳାନ୍ତି । ଘରର ଖୁଣ୍ଟି ଉପାଡ଼ି ନିଅନ୍ତି । ବୁଜୁଳିପତ୍ର ବାନ୍ଧନ୍ତି । ତୁଷାରପାତର ଗତି ଓ ପ୍ରଗତିକୁ ଲକ୍ଷ୍ୟକରି ଏମାନେ ଦଳ ବାନ୍ଧି ଚାଳନ୍ତି ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ । ଏଇମାନଙ୍କ ଏଇ ଯୁଗ-ଯୁଗାନ୍ତରର ପଦ ସଙ୍କେତ ଅନୁସରଣ କରି ଶିକ୍ଷିତ ଓ ସଭ୍ୟ ମଣିଷ ପାହାଡ଼ ଅଞ୍ଚଳର ମାନଚିତ୍ର ଅଙ୍କନ କରେ । ଏଇ ଲୋକେ ହିମାଳୟର ସଂଖ୍ୟାତୀତ ଶାଖା ପ୍ରଶାଖା ମଧ୍ୟରେ ଊର୍ଣ୍ଣନାଭ ଭଳି ଶତସହସ୍ର ବର୍ଷବ୍ୟାପୀ ଯେଉଁ ଜଟିଳପଥ ଚିହ୍ନିତ କରି ରଖିଛନ୍ତି, ତା’ରି ଉପର ଦେଇ ବହୁ ଅଭିଯାତ୍ରୀ ଯାଇଛନ୍ତି, ବହୁ ମୁନି ଋଷି ଯାଇଛନ୍ତି । ଦାର୍ଶନିକ, କବି ତୀର୍ଥ ପଥିକ ରାଜା ଓ ଭିକାରୀ ଦଳ ଚାଲିଛନ୍ତି ଯୁଗ ଯୁଗାନ୍ତର ଧରି । ଏମାନଙ୍କ ପାଦର ଚିହ୍ନ ଦେଖି ଦେଖି ଆସିଛନ୍ତି ତାତାର, ମଙ୍ଗୋଲ, ତୁର୍କୀ, ଇରାନୀ, ଶକ୍‌ ଓ ହୁନ୍‌ । ଆସିଛନ୍ତି ତିବ୍ଦତ ମରୁଲୋକ ତାକଲାମାକାନର କେତେ ଅଚିହ୍ନିତ କେତେ ଜାତିର ମଣିଷ ।

 

ଏମାନେ ଶୀତରେ କମ୍ପିଉଠନ୍ତି, ତୁଷାର ଝଞ୍ଜାର ଆଘାତରେ ବିପର୍ଯ୍ୟସ୍ତ ହୋଇପଡ଼ିନ୍ତି । ବରଫ ତଳେ ଏମାନଙ୍କ ଅନ୍ନ, ବାସ ଓ କୋଳର ଶିଶୁ ଚାପି ହୋଇପଡ଼େ । ପଶୁଲୋମ ଅଭାବରେ ଏମାନଙ୍କ ହାଡ଼ର ଚମଡ଼ା ବାହାରିଆସେ । ତୁଷାରକ୍ଷତ ଦେଖାଯାଏ ସର୍ବାଙ୍ଗରେ । ତଥାପି ଏମାନେ ଭାରତର ସୁଶ୍ୟାମ ସମତଳ ଦେଶର ନିରୁଦ୍‌ବେଗ ଜୀବନଯାତ୍ରାକୁ ଓହ୍ଲେଇ ଆସିବା ପାଇଁ ଇଚ୍ଛା କରନ୍ତି ନାହିଁ । କିନ୍ତୁ ଏହି ବରଫ ରାଜ୍ୟରେ ଶ୍ୱେତଛାୟାମୟ ମୃତ୍ୟୁଲୋକରେ ଯେତେବେଳେ ନବ ବସନ୍ତର ସମ୍ବାଦ ଭାସିଆସେ, ରଙ୍ଗୀନ ପକ୍ଷୀର କଳକଣ୍ଠ ଧ୍ୱନିରେ ଅରଣ୍ୟାନୀ ମୁଖରିତ ହୋଇଉଠେ, ନିସ୍ତବ୍‌ଧ ପର୍ବତକୋଳରେ ଚାଞ୍ଚଲ୍ୟ ଦେଖାଯାଏ, ହିମାଳୟର ଜଟା ଶିଥିଳ ହୋଇଆସେ, ଭାସିଆସେ ନିର୍ଝରିଣୀର କୁଳୁ କୁଳୁ ନାଦ, କୁସୁମିତ ହୋଇଉଠେ ବନଲତା, ଫୁଲକଢ଼ି ଯେତେବେଳେ ପାଖୁଡ଼ା ଲେଉଟାଇ ଚାହେଁ, ସେତେବେଳେ ଏହି ପାର୍ବତ୍ୟ ତାତିର ଜୀବନରେ ଆସେ ମିଥୁନଲଗ୍ନ । ସୁନୀଳନୟନା, ଫେନବର୍ଣ୍ଣା, କଟାକ୍ଷବତୀ ତରୁଣୀମାନେ କାନରେ ପିନ୍ଧନ୍ତି ଧାତବ ଅଳଙ୍କାର । କଟିବସନ ତୋଳିନିଅନ୍ତି ନିଜ ମେଖଳାକୁ । ଡାକ ପଡ଼େ ପୁରୁଷକୁ । ଆନନ୍ଦରେ ଅଧୀର ହୋଇ ଟାଣିନିଅନ୍ତି ନିଜ କୋଳକୁ, ସ୍ନିଗ୍‌ଧବକ୍ଷର ମରଣଶଯ୍ୟାକୁ । ତା’ ପରେ ଦଳ ବାନ୍ଧି ଚାଲନ୍ତି ଭିନ୍ନ ଭିନ୍ନ ପଥରେ । ସୀମା ନାଇଁ, ନିର୍ଦ୍ଦେଶ ନାଇଁ ।

 

ଚାହିଁ ରହିଚି ମୁଁ, ମନରେ ନାନା କଥା, ସ୍ୱପ୍ନ ଭଳି । ଏଠାରେ ଯଦି ମରନ୍ତି ମୃତ୍ୟୁ ହୁଅନ୍ତା ସାର୍ଥକ । ଆଦର୍ଶ ମୃତ୍ୟୁ । କେହି ଜାଣିବେନି, କେହି ବିଶ୍ୱାସ କରିବେନି । ତାହା ହିଁ ହେବ ମୃତ୍ୟୁ ପକ୍ଷରେ ମହିମାମୟ । ଏହି ଅପରିଚିତ ବିଶ୍ୱର ଏହି ପାଇନ ବନର ଗହଳରେ ଯେଉଁଠି ଦୈନନ୍ଦନ ଜୀବନରେ ଝୋଟିପଡ଼େ ବନ କୁସୁମର ବର୍ଣ୍ଣରେ, ସେଠି ଅପରିଚିତର ମୃତ୍ୟୁ ହୁଏତ ଗୌରବମୟ ହୋଇ ନ ପାରେ, କିନ୍ତୁ ଆନନ୍ଦମୟ । ଏହି ଗଛଲତା, ବନପୁଷ୍ପ ଆଖିରୁ ଝରିବ ଲୁହ, ଗଛର ପ୍ରଶାଖାରେ ଉଚ୍ଛ୍ୱସିତ ହୋଇ ଉଠିବ ଆତ୍ମୀୟତାର ବିଚ୍ଛେଦ–ବେଦନା । କେହି ଶୁଣିବେନି ତାହା ହିଁ ହେବ ମୃତ୍ୟୁର ଇତିହାସ । ଶୈଳ ପାରାବତ କଣ୍ଠରେ ଏହି ବାର୍ତ୍ତା ଧ୍ୱନିତ ହେବ । ଧବଳଧାରର ବିଚଳିତ ଶୀର୍ଣ୍ଣ ଅଶ୍ରୁଧାରା ବହନ କରି ଆଣିବ ବ୍ରହ୍ମପୁତ୍ର ତିସ୍ତା ଦେଇ । ସେ ଅଶ୍ରୁ ମିଶିଯିବ ଲବଣାକ୍ତ ବଙ୍ଗୋପସାଗରରେ । ଏହି ବଙ୍ଗୋପସାଗର କୂଳରେ ମୋର ଘର । ମୋର ମୃତ୍ୟୁର ସନ୍ଧାନହୀନତାରେ ବ୍ୟାକୁଳିତ ହୋଇଉଠିବ ମୋ ପ୍ରାଣପ୍ରିୟାର ହୃଦୟ । ମରିଚି କି ଜୀଇବ, ଏହି ଦ୍ୱିଧାର ସେ ରହିବ ଆମରଣ ସଧବା ।

 

ବହୁ ଦୂର ପଥ, ପ୍ରଥମ ଲକ୍ଷ୍ୟସ୍ଥଳ ଗୌହାଟୀ । ବହୁ କଥା ଦେଖେ । ମନେହୁଏ ବସ୍ତୁ ମାତ୍ରେ ଅଭିଜ୍ଞତା । ଜୀବନର ପରମ ଏହି ଅଭିଜ୍ଞତାରେ । ଅନେକ ବହି ପଢ଼ିଛନ୍ତି ଅନେକ ଲୋକ । ବହୁ ଶାସ୍ତ୍ର ପାଠ କରିଛନ୍ତି ବହୁ ପଣ୍ଡିତ; କିନ୍ତୁ ମନେ ହୁଏ ଏମାନେ ପୃଥିବୀକି ପଢ଼ି ନାହାନ୍ତି । ଜୀବନର ପୃଷ୍ଠା ସୁଦ୍ଧା ଲେଉଟାଇ ନାହାନ୍ତି । ଶାସ୍ତ୍ରରୁ ମିଳେ ଭାଷ୍ୟ ଓ ବ୍ୟାଖ୍ୟା କିନ୍ତୁ ଅଭିଜ୍ଞତା ମିଳେନା । ଅଭିଜ୍ଞତା ହିଁ ଜୀବନ । ତାର ବୈଚିତ୍ର୍ୟରୁ ଅପରିସୀମ କୌତୁକର ସୃଷ୍ଟି । ତାର ସଙ୍ଘାତରେ ହିଁ ଆଶ୍ଚର୍ଯ୍ୟ ନାଟକୀୟତା । ଗତି ଅଛି ବୋଲି ଗ୍ରହଣ କରିବା ସମ୍ଭବ, ଦେଖୁଛି ବୋଲି ଅଭିଜ୍ଞତା ଲାଭ କରୁଛି । ବୁଦ୍ଧିରେ, ଚେତନାରେ ଜ୍ଞାନରେ ଦୁଃଖ, ଆନନ୍ଦ, ଦୁର୍ଯ୍ୟୋଗ ବେଦନା ଓ ସ୍ନେହ ମମତା ସବୁଥିରେ ଏହା ମିଳିଥାଏ । ଶାସ୍ତ୍ର ପାଣ୍ଡିତ୍ୟରେ ଏହା ମିଳେନା ବୋଲି ପାଣ୍ଡତ୍ୟ ଶୂନ୍ୟ, କିନ୍ତୁ ଜ୍ଞାନ ସମୃଦ୍ଧ । ଜ୍ଞାନର ଜନ୍ମ ଅଭିଜ୍ଞତାରୁ, ଜ୍ଞାନର ପ୍ରକାଶ ଜୀବନର ସାଧନାରେ । ବିଶ୍ୱବିଦ୍ୟାଳୟ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇ ଡିଗ୍ରୀ ଲାଭ ସମୟରେ ସ୍ନାତକମାନେ ଆଶୀର୍ବାଦ ଲାଭ କରିଥାଆନ୍ତି–‘‘ବାହାରେ ଆସି ଦଣ୍ଡାୟମାନ ହୁଅ ଜୀବନର ବୃହତ୍ତର କ୍ଷେତ୍ରରେ, ଏହିଠାରୁ ହିଁ ତୁମର ସ୍ନାତକୋତ୍ତର ଶିକ୍ଷାର ପ୍ରଥମ ଆରମ୍ଭ । ତୁମେ ଗତିଲାଭ କର, ଅଭିଜ୍ଞାତା ଅର୍ଜ୍ଜନ କର–ତାହା ହିଁ ହେବ ତୁମର ଜ୍ଞାନର ପ୍ରଥମ ସୋପାନ ।’’

 

ସ୍ନାତକମାନେ ଏହି ମନ୍ତ୍ର ଗ୍ରହଣ କରି ନବଜୀବନ ଗଠନ ଦିଗରେ ଅଗ୍ରସର ହୋଇଥାଆନ୍ତି ।

 

ରେଳପଥ ଧାର ଧାର ଛୋଟ ଛୋଟ ବସ୍ତି ପାର ହୋଇଯାଉଛି । କେଉଁଟା ଉଚ୍ଚରେ, କେଉଁଟା ନୀଚରେ । ଜାଣିବାକୁ ବେଳ ନାଇଁ ଏମାନଙ୍କ ଇତିହାସ, ଘରସଂସାରର କାହାଣୀ ।

 

ପାଦରେ ଚାଲିଲେ ହିଁ ପ୍ରକୃତ ପର୍ଯ୍ୟଟନ, ନଚେତ୍ କେବଳ ଛବି ଦେଖିବା ସାର ହୁଏ, ଜୀବନ-ଦର୍ଶନ ଘଟେନା । ଯେଉଁମାନେ ବିମାନ ଚଢ଼ି ପୃଥିବୀ ପ୍ରଦକ୍ଷିଣ କରିଥାଆନ୍ତି, ସେମାନଙ୍କୁ ପ୍ରଶ୍ନ କର, କିଛି କହିପାରିବେନି । ପୃଥିବୀ ସେଇମାନଙ୍କ ପାଇଁ, ଯେଉଁମାନେ ପାଦରେ ହୋଇଚନ୍ତି, ମନ ସାଥିରେ ମନକୁ ମିଳେଇ ଦେଇଛନ୍ତି, ହସ-କାନ୍ଦ-ବିରହ ବେଦନାରେ ଅଂଶ ଗ୍ରହଣ କରିଚନ୍ତି ।

 

ପର୍ଯ୍ୟଟକ ହୁଏ ତୀର୍ଥପଥିକ ଯେତେବେଳେ ସେ କୌଣସି ନିର୍ଦ୍ଦଷ୍ଟ ଲକ୍ଷ୍ୟପଥରେ ଅଗ୍ରସର ହୁଏ । ଯେଉଁ ବ୍ୟକ୍ତି ତୀର୍ଥ ପରେ ପାଦରେ ଚାଲି ଚାଲି ପର୍ଯ୍ୟଟନ କରେ, ଆମେ ତାକୁ କହୁ ପୁଣ୍ୟାତ୍ମା । ସେମାନଙ୍କ ପାଦରେ କେବଳ ତୀର୍ଥଧୂଳି ଲାଗି ନ ଥାଏ, ସେଇ ଧୂଳିରେ ଲାଗି ରହିଥାଏ ମଣିଷର ଇତିହାସ ଦୁଃଖ ଦୁର୍ବିପାକ, ସଙ୍କଟର ଇତିବୃତ୍ତି । ସେଇ ଧୂଳି ମଧ୍ୟରେ ମିଳିଥାଏ ମାନବିକତା, ମହତ୍ତ୍ୱ, ହୃଦୟାନୁରାଗ ଏବଂ ଦିବ୍ୟଜ୍ଞାନର ବିସ୍ମୟାବିଷ୍କାର । ପୃଥିବୀ ପ୍ରଦକ୍ଷିଣ କରି ଯେଉଁ ପାଣ୍ଡିତ୍ୟ ଅର୍ଜନ କରାଯାଏ, ତାହା ହେଲା ମୁଷ୍ଟିଭିକ୍ଷାର ଝୁଲାମୁଣି, ଲେଉଟେଇ ଦେଲେ ସବୁ ବୁଣି ହୋଇଯାଏ । କିନ୍ତୁ ପାଦରେ ଚାଲି ଯାହା ଅନ୍ତର ଦେଇ ଦେଖୁ ତାହା ହିଁ ପରମଦର୍ଶନ । ଦୀନହୀନ ବିଦୁର ଘରେ ଅନ୍ମଗ୍ରହଣ ସମୟରେ, ଚତୁର୍ଦ୍ଦିଗର ନିଶ୍ୱାସ ପ୍ରଶ୍ୱାସ ଭିତରେ ଯାହା ଜାଣିଚି, ତାହା ହିଁ ପରମଜ୍ଞାନ । ବିନ୍ଦୁ ମଧ୍ୟରେ ଆମେ ପାଉ ସିନ୍ଧୁର ପରିଚୟ, ଜୀବ ଦେହରେ ଶିବ, ନର ମଧ୍ୟରେ ନାରାୟଣ । ଇଏ ଧର୍ମର କଥା ନୁହେଁ, ଉପଲବ୍‌ଧିର କଥା । ମାଟିର କଣ୍ଢେଇ ସରସ୍ୱତୀ, କିନ୍ତୁ ତାକୁ କେନ୍ଦ୍ର କରି ବିଦ୍ୟା ଏବଂ ଜ୍ଞାନର ଉପଲବ୍‌ଧି । ଧନସମ୍ପତ୍ତି ଲାଭ କରୁ, କାରଣ ଆମର କଳ୍ପନାରେ ଥାଆନ୍ତି ଲକ୍ଷ୍ମୀ । ମୁନି ଋଷିଙ୍କୁ ଦର୍ଶନ କରିବାମାତ୍ରେ ଅନୁଭବ କରୁ ଦର୍ଶନତତ୍ତ୍ୱ । ଦୈବସତ୍ତାର ସଂସ୍ପର୍ଶରେ ଆସି ଈଶ୍ୱରକୁ କଳ୍ପନା କରୁ । ବସ୍ତୁକୁ ଆମେ ଜାଣୁ ସତ୍ୟ । ବସ୍ତୁକୁ ଧାରଣ କରିବା ସଙ୍ଗେ ସଙ୍ଗେ ଧାରଣ କରୁ ତାର ଆକାରକୁ । ତାରି ଭିତରେ ଦେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚିବାକୁ ଚାହୁଁ । ତେଣୁ ଜାଣିବାଟାକୁ ଜ୍ଞାନ କୁହାଯାଏନା, ଉପଲବ୍‌ଧି ହିଁ ପ୍ରକୃତ ଜ୍ଞାନ ।

 

ସଭ୍ୟ ଜଗତର ଚେତନା ମଧ୍ୟରେ ଯେତେବେଳେ ମୁଁ ଆସି ପହଞ୍ଚିଲି, ସେତେବେଳକୁ ମଧ୍ୟାହ୍ନ ହୋଇଯାଇଥାଏ । ରେଳପଥର ପ୍ରାନ୍ତଦେଶରେ ପାହାଡ଼ ପର୍ବତରେ ଶରତ୍‌କାଳୀନ ରୌଦ୍ର ଲୁଚକାଳି ଖେଳରେ ବ୍ୟସ୍ତ ।

 

ଗୌହାଟୀ ବହୁତ ଦୂର, ବୋଧହୁଏ ଆହୁରି ଅଶୀ ମାଇଲ । ଗାଡ଼ି ଚାଲିଚି ହିମାଳୟର ପୂର୍ବଦ୍ୱାର ଅଭିମୁଖରେ । ଡାଏରୀ ଲେଖୁଚି ମନେ ମନେ । ଆଖିରେ ପଡ଼ୁଛି ଦୂରରେ ଗୋଟିଏ ଦୁଇଟି ଚାଷୀ ଗାଁ–ଧାନ କଟା ଶେଷ ହୋଇଯାଇଛି । ପଡ଼ିରହିଛି ଶୂନ୍ୟ ପ୍ରାନ୍ତର । ଭାରି ଭଲ ଲାଗୁଛି ଏହି ଜନଶୂନ୍ୟତା । ମଣିଷ ଦେଖାଯାଉ ନାହାନ୍ତି ବୋଲି ଏହି ଆନନ୍ଦ । ଏକ ଜନବହୁଳ ଅଞ୍ଚଳରେ ମୁଁ ରହି ଆସିଛି । ମଣିଷର ତରଙ୍ଗ କଥା କଥାରେ ଆମ ଦେହରେ ଢେଉ ଭାଙ୍ଗେ । ମଣିଷର ବନ୍ୟା ଆମ ସମାଜଜୀବନରେ ଦୁଇକୂଳ ଖାଇ ଚାଲିଛି ପ୍ରତିଦିନ । ପରିପ୍ଲାବିତ କରିଛି ଚୌଦିଗ । ନିତ୍ୟ ଦୁଇ ହାତରେ ପ୍ରାଣପଣେ ଠେଲି ପେଲି ଦେଉଛି ମଣିଷର ଏହି ସମାଗମକୁ ଜନତାର ଜଘନ୍ୟ ଚାପକୁ । ମଣିଷ ଗନ୍ଧରେ, ମଣିଷର ରାଜନୀତିରେ ମୋର କଣ୍ଠରୋଧ ହୋଇଛି-। ମଣିଷର ଧକ୍‌କାରେ ଆହତ, ପ୍ରତିହତ ମୁଁ । ଫୋପାଡ଼ି ହୋଇ ପଡ଼ିଛି ଏକ ଅବାଞ୍ଛିତ ସ୍ଥାନରେ । ରକ୍ଷା ପାଇବା ପାଇଁ ଶେଷରେ ଆଣ୍ଠେଇ ପଡ଼ିଛି ଏକ ଅବାଞ୍ଛିତ ସ୍ଥାନରେ । ରକ୍ଷା ପାଇବା ପାଇଁ ଶେଷରେ ଆଣ୍ଠେଇ ପଡ଼ିଛି । ଆମର ଘରଦ୍ୱାର, ଗଳି କନ୍ଦି, ନାଳ ନର୍ଦ୍ଦମା, ବନ୍ଧ ପୁଷ୍କରିଣୀ, ଉଦ୍ୟାନ ପ୍ରାନ୍ତର ମଣିଷର ଚାପରେ ଭରିଯାଇଛି, ବଞ୍ଚିବାର ଉପାୟ ନାହିଁ । ଆଶ୍ରୟ ନେବାର ସ୍ଥାନ ନାହିଁ, ନିଶ୍ୱାସ ନେବା ପାଇଁ ନିର୍ମଳ ବାୟୁ ନାହିଁ ।

 

ମଣିଷର ଉତ୍କଟ ଦୁର୍ଗନ୍ଧରେ ଦୂଷିତ ବାତାବରଣ ମଧ୍ୟରେ ଅନ୍ତିମ ନିଦ୍ରାରେ ଯକ୍ଷ୍ମାରୋଗୀ ଭଳି ଆନନ୍ଦୋଜ୍ଜ୍ୱଳ ମୁକ୍ତିମନ୍ତ୍ର ହୋଇଛି ମୋର ଜପ । ଆମେ ଓଡ଼ିଆ....

 

ଭାରି ଭଲ ଲାଗୁଛି ଉଦାରଶୂନ୍ୟ ପ୍ରାନ୍ତରର ସ୍ନିଗ୍‌ଧ ହାଓ୍ୱା ।

 

ମଣିଷକୁ ପଛରେ ପକେଇ ଚାଲିଛି ମୁଁ ତେଣୁ ପଦେ ପଦେ ବଞ୍ଚିତ ବୋଧ କରୁଛି । ଜାଣିବାକୁ ଆସିଛି ହିମାଳୟକୁ ଏବଂ ଅପରିଚିତ ଦୁଦ୍ଧର୍ଷ ନାଗାଜାତିକୁ–ପାହାଡ଼ କୋଳରେ ସନ୍ତାନ ରଣଚଣ୍ଡମାନଙ୍କୁ ।

 

ମାନସଖଣ୍ଡ ସୀମାରେ ଦଣ୍ଡାୟମାନ ହୋଇ ତିନିଜଣ ବ୍ରାହ୍ମଣ ଏକଦା କୈଳାସପତିଙ୍କ ଆଶୀର୍ବାଦ ଲାଭ କଲେ । ‘‘ତୁମର ଭାରତ ବିଜୟ ଯାତ୍ରା ସାର୍ଥକ ହେଉ । ତୁମେ ଦେବଭୂମିର ଉଦାର ନୀଳନଭ ତଳେ ସଭ୍ୟତା ଓ ସଂସ୍କୃତିର ବାର୍ତ୍ତା ବହନ କରିନିଅ । କାଳର ପ୍ରହରୀ ଭଳି ଭାରତକୁ ତୁମେମାନେ ଆବହମାନ କାଳ ବେଷ୍ଟନ କରି ରହ ।’’

 

ତରୁଣୀ ଭୈରବୀ ଆସି ଠିଆହେଲେ ହସ ହସ ମୁହଁରେ । ତାଙ୍କର ନିବେଦନ, ପ୍ରଭୁ । ମାନସର ନୀଳପଦ ପାତ୍ରରୁ ମୁଁ ବି ଅଞ୍ଜଳ ଭରି ଆସିଛି, ଆଦେଶ ହେଉ, ମୁଁ ମଧ୍ୟ ଯାତ୍ରା କରିବି ସେମାନଙ୍କ ସାଙ୍ଗରେ ।

 

କୈଳାସପତିଙ୍କ ନିର୍ଦ୍ଦେଶକ୍ରମେ ତିନିଜଣ ବ୍ରାହ୍ମଣ ଗଲେ ତିନି ଦିଗକୁ ଉତ୍ତର, ପୂର୍ବ ଓ ପଶ୍ଚିମ । ହାସ୍ୟୋଚ୍ଛଳା ଭୈରବୀ ଚାଲିଲେ ଦକ୍ଷିଣ ଦିଗରେ । ଯାତ୍ରାରମ୍ଭରେ ଏମାନେ ମନ୍ତ୍ରପାଠ କରି କରି କୈଳାସ ମାନସକୁ ପ୍ରଦକ୍ଷିଣ କଲେ ସାତଥର ।

 

ଶତ ସହସ୍ର ବର୍ଷ ପୂର୍ବର ଏ କାହାଣୀ । କଥା ଅଛି, ଏହି ଚାରି ଜଣ ଗତିପଥରେ କେଉଁଠି କେବେ ବାଧା ମାନି ନାହାନ୍ତି । ଏମାନେ ଅତିକ୍ରମ କରିଛନ୍ତି ତୁଷାରକେତନକୁ । ପରାଜିତ କରିଛନ୍ତି ଝାଞ୍ଜର ଗତିପ୍ରବାହକୁ । ବିଜନ ଭୀମ ଅରଣ୍ୟାନୀ, ଗଗନଚୁମ୍ବୀ ଗିରିଶୃଙ୍ଗମାଳା, ପ୍ରକୃତିର ରୁଦ୍ର ତାଣ୍ଡବ ସବୁ ତୁଚ୍ଛ ମଣିଛନ୍ତି । ଅନ୍ୟ କାହାର ମୁଖାପେକ୍ଷୀ ହୋଇନାହାନ୍ତି । ଭିକ୍ଷା କରି ନାହାନ୍ତି ପିପାସାର କଳ । ସ୍ଥିର ହୋଇ ରହି ନାହାନ୍ତି କେବେ । ନିଜ ଶକ୍ତିରେ ନିଜ ପଥ ସୃଷ୍ଟି କରିଛନ୍ତି । ଐଶ୍ୱର୍ଯ୍ୟ ଆହରଣ କରିଛନ୍ତି ପଥେ ପଥେ । ଫଳବାନ କରିଛନ୍ତି ଯାତ୍ରାପଥର ଦୁଇ କୁଳଦେଶ ଏବଂ ପ୍ରାଣପ୍ରାଚୁର୍ଯ୍ୟରେ ଲାଭ କରିଛନ୍ତି ଅସ୍ଥିର ଅଶ୍ରାନ୍ତ ଗତି । ସାର୍ଥକ ହୋଇଛି କୈଳାସପତିଙ୍କ ଆଶୀର୍ବାଦ ।

 

ଏହି ତିନିଜଣ ବ୍ରାହ୍ମଣଙ୍କର ନାମ ସିନ୍ଧୁ, ବ୍ରହ୍ମପୁତ୍ର ଓ ଶତଦ୍ରୁ । ପ୍ରମତ୍ତା ଭୈରବୀ ହେଲେ କର୍ଣ୍ଣାଳୀ । ଏହି ଚାରି ଜଣ ବିଚିତ୍ର ଐଶ୍ୱର୍ଯ୍ୟ ବହନ କରି ଆସିଚନ୍ତି ଚିରଦିନ । ଶତଦ୍ରୁ ତାର ଧାରାପଥରେ ନେଇଆସିଛି ସ୍ୱର୍ଣ୍ଣରେଣୁର ସମ୍ଭାର; ରୌପ୍ୟଚୂର୍ଣ୍ଣ ଝିଲିମିଲି ହୋଇଉଠିଛି କର୍ଣ୍ଣାଳୀରେ-। ଅଜସ୍ର ହୀରକଚୂର୍ଣ୍ଣ ଭସେଇ ନେଇଆସିଛି ସିନ୍ଧୁ ଏବଂ ବ୍ରହ୍ମପୁତ୍ର; ତାର ଧାରାପଥରେ ନେଇଚାଲିଛି ସ୍ଫଟିକରତ୍ନ ଉପହାର ।

 

କଥା ଅଛି, ଶତଦ୍ରୁର ଜଳପାନ କଲେ ମଣିଷ ହାତୀ ଭଳି ପୃଥୁଳକାୟ ହୋଇଉଠେ, କର୍ଣ୍ଣାଳୀର ଜଳପାନ କଲେ ମୟୁର ଭଳି ସୌନ୍ଦର୍ଯ୍ୟ ଓ ଶୋଭାମୟ ହୋଇଉଠେ, ସିନ୍ଧୁର ଜଳପାନରେ ମଣିଷ ସିଂହ ଭଳି ବିକ୍ରମଶାଳୀ ହୁଏ, ଆଉ ବ୍ରହ୍ମପୁତ୍ର ଜଳରେ ନିହିତ ଅଛି ଅଶ୍ୱର କଠିନ ଗତି ଓ ଅଧ୍ୟବସାୟ ।

 

କର୍ଣ୍ଣାଳୀର ଗତି ବଡ଼ ବିଚିତ୍ର । କୁମାୟୁନର କାଳିନଦୀ ଓ ସରଯୂନଦୀ ମିଳି ହୋଇଛି ଶାରଦା । ନେପାଳରେ ପ୍ରବେଶ କରି କର୍ଣ୍ଣାଳୀ ନାମ ପାଇଛି ଘାଘରା । ଘର୍ଘରାରୁ ଘାଘରା । ଏହି ଦୁଇ ଆଲୁଳାୟିତ ନଦୀର ବେଣୀ ଛନ୍ଦାଛନ୍ଦି ହୋଇଛି ଚୌକୀଘାଟରେ । ତା’ପରେ ଏମାନେ ଛାପରାଠାରୁ ନଇଁ ଆସି ମିଶିଚନ୍ତି ଗଙ୍ଗାରେ । ସରଯ ହେଉ ବା ଘର୍ଘରା ହେଉ, ପରିଣତି ଘଟିଛି ଗଙ୍ଗାରେ । ଗଙ୍ଗା ତ୍ରିଭୁବନତାରିଣୀ ତରଳତରଙ୍ଗିଣୀ ଗଙ୍ଗା । ଭୀମା, ଭୟଙ୍କରୀ, ରୁଦ୍ରାଣୀ କର୍ଣ୍ଣାଳୀ, ଜାହ୍ନବୀ ଧାରାରେ ମିଳି ହୋଇପଡ଼ିଛନ୍ତି ଶାନ୍ତ ଓ ଆତ୍ମସମାହିତ ।

 

ପୂର୍ବପଥରେ ବ୍ରହ୍ମପୁତ୍ରର ତପସ୍ୟା । ସବୁବେଳେ ଜପମଗ୍ନ, ଜପ ଚାଲିଛି ବୀଜମନ୍ତ୍ର । କେବେ ତାର ଧ୍ୟାନଭଙ୍ଗ ହୋଇନି । ହଜାର ହଜାର ମାଇଲ ପୂର୍ବପଥରେ ଈଶାନ କୋଣରେ ଏହାର ନାଁ ‘‘ଚାବାରୋୟାର’’ । ପର୍ବତଶିଖର ପ୍ରଦକ୍ଷିଣ କରି ପ୍ରବେଶ କରିଛି ଆସାମରେ । ହିମାଳୟର ଅନ୍ୟପାର୍ଶ୍ୱ ଦେଇ ଷୋଳ ହଜାର ଫୁଟ ଉଚ୍ଚ ମାଳଭୂମିର ସମତଳ ପ୍ରଦେଶ ଅତିକ୍ରମ କରି ସୁଦୀର୍ଘ ବିସ୍ତୁତ ଏକ ହଜାର ମାଇଲ ଧାରାପଥରେ ବ୍ରହ୍ମପୁତ୍ର ଚାଲିଆସିଛି । ବହୁଦୂର । ଭାରତର ଦୀର୍ଘତମ ନଦୀ ବ୍ରହ୍ମପତ୍ରର ଆଭିଜାତ୍ୟ–ସେ କୈଳାସମେରୁର ମାନସପୁତ୍ର । କିନ୍ତୁ ଏହି ନଦୀ ପ୍ରଥମେ ବାଧା ପାଇଛି ସେଇଠି, ଯେଉଁଠି ଦେବତାତ୍ମା ହିମାଳୟ ଖୋଲିଦେଇଛି ତାର ଜଟାଜୁଟିର ଗ୍ରନ୍ଥି–ଉତ୍ତର ଆସାମରୁ ଆରମ୍ଭ କରି ଦକ୍ଷିଣ ଆରାକାନ ପର୍ଯ୍ୟନ୍ତ ।

 

ଏହି ଉତ୍ତର-ପୂର୍ବ ଆସାମର ଉତ୍ତୁଙ୍ଗ ଗିରିଶିଖର ‘‘ଚାବାରୋୟାର’’ ପାର୍ବତ୍ୟ ଅଳିନ୍ଦରେ ସଭ୍ୟ ମଣିଷ ହୁଏତ ଆଜି ସୁଦ୍ଧା ପ୍ରବେଶ କରିପାରି ନାହିଁ ଇତିହାସ ଯୁଗରୁ ଏ ଅଞ୍ଚଳ ଅକଥିତ ହୋଇ ରହିଆସିଛି ।

 

ସମତଳ ଆସାମକୁ ଆମେ ପାଉ ଇତିହାସରେ । ପାର୍ବତ୍ୟ ବନ୍ୟ ଆସାମକୁ ପଠାଣ, ମୋଗଲ ଅଥବା ଇଂରେଜ ଅମଳରେ ଅପେକ୍ଷାକୃତ ସାମାନ୍ୟ ଭାବରେ ପାଉ । ବର୍ତ୍ତମାନ ଶତାବ୍ଦୀ ମଧ୍ୟଭାଗରେ ଶୁଣିବାକୁ ମିଳୁଛି ପାର୍ବତ୍ୟ ଆସାମରେ ପ୍ରାଣର ସ୍ପନ୍ଦନ । ପ୍ରାଣ ସ୍ଫୁରିତ ହେଉଛି ଗିରିଶ୍ରେଣୀର ଇତସ୍ତତଃ ପାହାଡ଼ର କୋଳେ କୋଳେ; ମିସମି ଓ ମିକିରମାନଙ୍କ ଗ୍ରାମେ ଗ୍ରାମେ । ଆଗ୍ନେୟଗିରିର ବିସ୍ଫୋରଣରେ ଅଗ୍ନିସ୍ରୋତ ନଇଁଆସିଛି ନାଗା ଜନପଦର ପଦେ ପଦେ । ଭୈରବର ଭୟାଳୁ ରକ୍ତଚକ୍ଷୁରେ ସଭ୍ୟତା ବିରୁଦ୍ଧରେ ଏମାନେ ଅସ୍ତ୍ରଧାରଣ କରିଆସିଛନ୍ତି ଏହି ଶତାବ୍ଦୀରେ । ଏଠାରେ ଏତେକାଳ ଧରି ସଭ୍ୟତାର ପଦଚିହ୍ନ ପଡ଼ିନି ଏବଂ ଆଧୁନିକ ବିଜ୍ଞାନ ଜୟଯାତ୍ରାରେ ଏମାନଙ୍କୁ କେବେହେଲେ ଆହ୍ୱାନ କରାଯାଇ ନାହିଁ । ଜନ୍ତୁ ଜାନୁଆର, କୀଟ ପତଙ୍ଗ, ପକ୍ଷୀ ସରୀସୃପ ସହିତ ପର୍ବତ ଆସାମ ଏତେକାଳ ଧରି ପଡ଼ିରହିଛି ।

 

ବ୍ରହ୍ମପୁତ୍ର ଦକ୍ଷିଣ ପଥରେ ଘୂରିଆସିଛି ପ୍ୟାସିଂଠାରୁ କ୍ୟାନିଂ ଉପତ୍ୟତାକୁ । କ୍ୟାନିଂ ଉପତ୍ୟକାରେ ଏହାର ନାମକରଣ ହୋଇଛି ଡ଼ିହଂ ।

 

ଭାରତରେ ପ୍ରବେଶ କରି ବ୍ରହ୍ମପୁତ୍ର ହିମାଳୟରୁ ପ୍ରବାହିତ ବହୁ ଛୋଟ ଛୋଟ ନଦୀର ସାହାଯ୍ୟ ନେଇଛି । ଏହି କ୍ୟାନିଂ ଉପତ୍ୟକାର ଦୁଇ ପାର୍ଶ୍ୱରେ ଯେଉଁ ବିଶାଳ ପାର୍ବତ୍ୟ ଭୂଭାଗ, ଏହାର ସୀମା ଆଜି ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ହୋଇନି । କେହି ଜାଣନ୍ତିନି ହିମାଳୟ ଅନ୍ତର୍ଗତ ମିସମି ପର୍ବତ ଶ୍ରେଣୀର ଶେଷ ସୀମା କେଉଁଠି ? କେଉଁଠିକି ଗଲେ ଭାରତର ସୀମା ପାଇବାକୁ ମିଳିବ, ତାର ଜବାବ ନାହିଁ । ସଭ୍ୟ ମଣିଷକୁ ଦେଖିଲେ ଏଠା ପାର୍ବତ୍ୟ ଜାତିର ଲୋକ ଭୟରେ ପଳେଇ ଯାଆନ୍ତି, ନଚେତ୍ ଦଳବଦ୍ଧ ହୋଇ ଆକ୍ରମଣ କରନ୍ତି । ନିତାନ୍ତ ଦୁଇ ଚାରି ଜଣଙ୍କୁ ଛାଡ଼ିଦେଲେ କେହି କୌଣସି ଦିନ ଏମାନଙ୍କର ଭାଷା ବୁଝିନି । କେହି ଏହି ବନ୍ୟଜୀବନକୁ ଚିହ୍ନନ୍ତି ନାହିଁ । ଏଠାରେ ବାସ କରନ୍ତି ନାମ ପରିଚୟବିହୀନ ମଣିଷ, ଘର ବାନ୍ଧନ୍ତି ବିଚିତ୍ର ଧରଣର-ଲତାପତ୍ର ଓ ଗଛର ଡାଳ ନେଇ । ଏମାନଙ୍କ ମଧ୍ୟରୁ ଗୋଟିଏ ଶ୍ରେଣୀ ଯାଯାବର; ଭାରତ, ବ୍ରହ୍ମ,ଚୀନ,ତିବ୍ଦତ ସବୁ ନିଜର ଘର । ଏମାନେ ସନ୍ଧାନ କରନ୍ତି କ୍ଷୁଧାର ଖାଦ୍ୟ, ତୃଷାର ଜଳ । ବର୍ଚ୍ଛା, ବଲ୍ଲମ, ଧନୁତୀର ଧରି ଗୋଡ଼ାନ୍ତି ବନ୍ୟଜନ୍ତୁ ପଛରେ । ତିରିଶ ହାତ ଲମ୍ବା ପାର୍ବତ୍ୟ ମରାଳ ସର୍ପ ଏମାନଙ୍କର ଲୋଭନୀୟ ଖାଦ୍ୟ । ବନ୍ୟ କୁକୁରର କଞ୍ଚା ମାଂସ ଏମାନଙ୍କ ପକ୍ଷରେ ଉପାଦେୟ ।

 

ଏମାନଙ୍କର କୌଣସି ଜାତି ପରିଚୟ ନାହିଁ, ପାହାଡ଼ି ନାମରେ ଏମାନେ ପରିଚିତ । ଅରଣ୍ୟ ପର୍ବତ, ତୁଷାର ବନ୍ୟାକୁ ଏମାନେ ଆଲିଙ୍ଗନ କରନ୍ତି ନିବିଡ଼ ଭାବରେ । ପିତା, ମାତା, ପୁତ୍ର, କନ୍ୟା ସମସ୍ତେ ଲଙ୍ଗଳା; ଲଜ୍ଜାର କୌଣସି ସଂସ୍କାର ନାହିଁ । ବର୍ଷା, ବସନ୍ତ, ଗ୍ରୀଷ୍ମ, ଝଡ଼ ସବୁ ସମୟରେ ଏମାନଙ୍କ କାମ ହେଲା ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଯିବା ଖାଦ୍ୟର ଅନ୍ୱେଷଣରେ । ଏମାନେ କୌଣସି କାଳରେ କୌଣସି ଶାସନ ମାନି ନାହାନ୍ତି, କୌଣସି ସଭ୍ୟତାର ଆଖି ଦେଖି ନାହାନ୍ତି, କୌଣସି ସମାଜକୁ କଳ୍ପନା କରି ନାହାନ୍ତି । ଏହିସବୁ କାରଣରୁ ଉତ୍ତରପୂର୍ବ ସୀମାନ୍ତ ଆମ ଆଗରେ ସବୁବେଳେ ରହସ୍ୟାବୃତ୍ତ । ବୋଧହୁଏ ହିମାଳୟର କୌଣସି ଅଞ୍ଚଳ ଏପରି ଅନ୍ଧକାରମୟ ନୁହେଁ ।

 

ହିମାଳୟର ଯେଉଁ ପ୍ରଧାନ ଶାଖା ଆସାମର ଶେଷ ପ୍ରାନ୍ତରେ ଉତ୍ତରରୁ ଦକ୍ଷିଣ ଆଡ଼କୁ ନଇଁଆସିଛି ତାର ନାମ ପାଟକାଇ ଗରିମାଳା । ଏହି ଗିରିମାଳା ଭାରତ ବର୍ମାର ମଧ୍ୟଦେଶରେ ଉତ୍ତର-ଦକ୍ଷିଣକୁ ପ୍ରସାରିତ । ଏହି ପାର୍ବତ୍ୟ ଭୁଭାଗ ଉପତ୍ୟକାର ଶେଷରେ ଝୁମୁକି ଜନପଦରୁ କିଛି ବାଟ ଗଲେ ଚୌକନ ଗିରିସଙ୍କଟ ପଡ଼େ । ବୋଧହୁଏ ଏଇଠି ଭାରତର ଶେଷ ସୀମାନ୍ତ ।

 

ହିମାଳୟରୁ ପ୍ରଥମେ ଯେତେବେଳେ ବ୍ରହ୍ମପୁତ୍ର ପ୍ୟାସିଂ ଉପତ୍ୟକା ପାର ହୋଇ ଭାରତରେ ପ୍ରବେଶ କରେ ସେତେବେଳେ ତାର ନାମ ହେଲା ଡ଼ିହଂ । ମିସମି ଗିରିଶ୍ରେଣୀର ପଶ୍ଚିମ ଉପତ୍ୟକା ଭିତର ଦେଇ ପୃଥିବୀର ସମସ୍ତ ପ୍ରକାରର ହିଂସ୍ର ଜାନୁଆର ଓ ସରୀସୃପର ଆବାସଭୂମି ପାର ହୋଇ ଡ଼ିହଂ ନଦୀ ଯେତେବେଳେ ପାସିଘାଟ ଓ ‘କୋବୋ’ ଅଞ୍ଚଳ ପାଖ ଦେଇ ଆସେ, ସେତେବେଳେ ତାର କଳେବର ଆହୁରି ଅଧିକ ବିସ୍ତୃତ ହୋଇଉଠେ–ଏଇଠି ତାର ନାମ ହେଲା ଡିବଂ ଡିହଂ ଓ ଡିବଂ ଏକାକାର ହେବା ପୂର୍ବରୁ ଆସି ପହଞ୍ଚିଛି ଲୋହିତ ନଦୀ । ତିନିଜଣଯାକ ହିମାଳୟର ସନ୍ତାନ । ଏହି ମିସମି ଭିତରେ ଦେଇ ତେର ହଜାରରୁ ପ୍ରାୟ ଉଣେଇଶ ହଜାର ଫୁଟ ଘାଟୀ ପଥରେ ଉତ୍ତର-ପୂର୍ବ ଅଞ୍ଚଳ ଭିତର ଦେଇ ଅଗ୍ରସର ହେଲେ ଯେଉଁ ସଂକଟ ଦେଖିବାକୁ ମିଳେ ସେଇଟି ଭାରତର ଅନ୍ୟତମ ତୋରଣ ଦ୍ୱାର ।

 

ଆଗରୁ କହିଚି, ସମତଳ ଆସାମକୁ ସମସ୍ତେ ଜାଣନ୍ତି; କିନ୍ତୁ ପାର୍ବତ୍ୟ ଆସାମର ସ୍ୱରୂପକୁ ଜାଣିବାର ଚେଷ୍ଟା ନ କରିଥିବା ହେତୁ ତାହା ଧୀରେ ଧୀରେ ହୋଇଉଠିଚି ଅନାତ୍ମୀୟ । ମିକିର, ଡାଫଲା, ମିରି, ଆବର, ବୋରି, ମିସ୍‌ମି ଇତ୍ୟାଦି ବିଭିନ୍ନ ଜାତି ବସା ବାନ୍ଧି ରହିଛନ୍ତି ହିମାଳୟର ନିମ୍ନ ଦେଶରେ ଆସାମ ଉପତ୍ୟକାର ଉତ୍ତରାଂଶରେ । ଖାଲି ନାଟ ତାମସାରେ ଏମାନେ ଉନ୍ମତ୍ତ । ନାଚ; ଗାନ ସବୁବେଳେ । ଅଦ୍ଭୁତ ଏମାନଙ୍କର ଜୀବନଯାତ୍ରା । ଏମାନଙ୍କ ନଗ୍ନ ଆଲୋକ-ଚିତ୍ର ଆଣି ଆମେ ଛାପୁ, ରସିକତା କରୁ । କିନ୍ତୁ କେବେ ଚେଷ୍ଟା କିରିନୁ ଏମାନଙ୍କୁ ନିଜର କରିବା ପାଇଁ । ଏମାନେ ଆମର ଲୋକ, ଏମାନଙ୍କ ସମାଜ ଏବଂ ଜୀବନଧାରା ଆମର ଏକ ଅଂଶ ମାତ୍ର; ଏମାନଙ୍କୁ ଅନ୍ନବସ୍ତ୍ର ଜୁଟେନା, ଆଶ୍ରୟହୀନ ଏମାନେ–ଏକଥା ଅନ୍ତରର ସହିତ କେବେ କ’ଣ ଭାବିଚୁ ? ଆମର ଇଏ ଏକ ବିରାଟ ଅପରାଧ । ଇଂରେଜମାନେ ଏକଥା ଜାଣନ୍ତି । ଆମେରିକା ମଧ୍ୟ ଏକଥା ବୁଝେ ବୋଲି ମିସନାରୀ ପଠେଇ ଲକ୍ଷ ଲକ୍ଷ ଆସାମୀୟଙ୍କୁ ଖ୍ରୀଷ୍ଟାନ୍‌ କରି ଭାରତୀୟ ସମାଜରେ ସୃଷ୍ଟି କରି ଆସିଛନ୍ତି ଏକ ବିରାଟ ପାର୍ଥକ୍ୟ । ଅନ୍ୟ ଦିଗରେ ଅନୁଚର ପଠେଇ ଆସାମର ପାର୍ବତ୍ୟ ଜାତିକୁ ଉସ୍‌କେଇ ଜାତୀୟବାଦୀ ଭାରତୀୟମାନଙ୍କ ସହିତ ବିବାଦ ସୃଷ୍ଟିକରି ଆସିଛନ୍ତି । ଆଝି ଆସାମ ଆସି କେଉଁଠି ଠିଆହୋଇଛି ଚିହ୍ନିବାର ଶକ୍ତି ନାହିଁ । ସଠିକ୍‍ ଭାବରେ ଯୁକ୍ତି କରିପାରିବୁନି ପ୍ରକୃତରେ ଏମାନେ ଭାରତୀୟ କି ନୁହନ୍ତି । ଏମାନଙ୍କ ସମାଜ, ଆଚାର ବ୍ୟବହାର, ଜୀବନଯାତ୍ରାର ପଦ୍ଧତି-ପ୍ରାୟ ସମସ୍ତ ଭାରତବିରୋଧୀ ।

 

୧୯୪୯ ଖ୍ରୀଷ୍ଟାବ୍ଦର ଘଟଣା କେହି ଭୁଲିଯାଇ ନ ପାରେ । ବ୍ରିଟିଶ କ୍ୟାବିନେଟ୍‌ ମିଶନ ଆସି ସମଗ୍ର ଆସାମକୁ ‘ସି’ ଷ୍ଟେଟ୍‌ରେ ପରିଣତ କରିବାକୁ ଚାହିଁଥିଲେ, ମୁସଲିମ ସଂଖ୍ୟାପ୍ରଧାନ ବଙ୍ଗଳା ସହିତ ଯୋଡ଼ିଦେବାକୁ । ପରବର୍ତ୍ତୀ କାଳରେ ଆସାମ କଂଗ୍ରେସର ଅମନୋଯୋଗ ଓ ଉଦାସୀନତା ଫଳରେ ଶୀହଟ୍ଟ ଭୂଭାଗ ହସ୍ତାନ୍ତରିତ ହେଲା । ଏହି ଚକ୍ରାନ୍ତ ଆଂଶିକ ଭାବରେ ସଫଳତା ଲାଭକଲା ।

 

ସମତଳ ଆସାମର ସ୍ନେହମମତା ପାଇନି ବୋଲି ପାର୍ବତ୍ୟ ଆସାମ କାନ୍ଦିଚି ବହୁଦିନ । ତାର ମିନତି କେହି କେବେ ଶୁଣିନି, ନିବେଦନକୁ କେହି କର୍ଣ୍ଣପାତ କରିନି । ସେଇ ଗୋଟିଏ ମାଙ୍ଗୋଲୀୟ ରକ୍ତ–ସେହି ରକ୍ତରେ ଆସାମୀୟମାନଙ୍କର ସୃଷ୍ଟି, ସେଇ ରକ୍ତରେ ଭୂଟାନ ଓ ସିକିମ, ସେଇ ରକ୍ତର ଛିଟିକା ପଡ଼ିଚି ତ୍ରିପୁରା, ମଣିପୁର ଆଉ ବ୍ରହ୍ମଦେଶରେ । ଅନେକ କହନ୍ତି–ଦ୍ରାବିଡ଼–ମୋଙ୍ଗୋଲିୟାନ ରକ୍ତରେ ସୃଷ୍ଟି ହୋଇଚି ବଙ୍ଗୋପସାଗରର ଉତ୍ତରପୂର୍ବ ଭୂଭାଗ । ଆର୍ଯ୍ୟଜତି ଏ ଦିଗକୁ ଆସିଛନ୍ତି ସେମାନଙ୍କ ଶେଷ ଅଭିଯାନ ବେଳକୁ । କିନ୍ତୁ ସେମାନେ ନିଜ ସଭ୍ୟତା ଓ ସଂସ୍କୃତିର କେତେ ପ୍ରଭାବ ହିମାଳୟର ଏହି ଭୂଭାଗରେ ରଖିଦେଇ ଯାଇଚନ୍ତି, କହିବା କଠିନ । ଆମର ଆଚମନ, ସଙ୍କଳ୍ପ ମନ୍ତ୍ରରେ ବ୍ରହ୍ମପୁତ୍ର ନାହିଁ । ପ୍ରାଚୀନ ଶାସ୍ତ୍ରାଦିରେ ଆସାମର ଉଲ୍ଲେଖ ମଧ୍ୟ ଖୁବ୍‌ କମ୍‌ । ମହାକାବ୍ୟ ଯୁଗରେ ଦେଖାଯାଏ ଦ୍ୱିତୀୟ ପାଣ୍ଡବ ଭୀମ ବିବାହ କରନ୍ତି ହିଡ଼ିମ୍ବାକୁ । ତୃତୀୟ ପାଣ୍ଡବ ଅର୍ଜ୍ଜୁନ ନାଗକନ୍ୟା ଉଲୁପୀକୁ ଆବିଷ୍କାର କରନ୍ତି ଏବଂ ମଣିପୁର ରାଜଦୁହିତା ଚିତ୍ରାଙ୍ଗଦା ଏବଂ ଉଲୁପୀଙ୍କ ସହିତ ତାଙ୍କରି ବିବାହ ହୁଏ । ଏହାପରେ ପାର୍ବତ୍ୟ ଆସାମ ସହିତ ଭାରତୀୟ ସଭ୍ୟତାର ଯେଉଁ ଯତ୍‌ସାମାନ୍ୟ ଯୋଗାଯୋଗ ରହିଆସିଛି, ସେସବୁ ଅନେକ କ୍ଷେତ୍ରରେ ଗଳ୍ପାକାରରେ ଶୁଣାଯାଏ ।

 

ଯେଉଁମାନେ ଏତେକାଳ ଧରି ବଞ୍ଚିତ ଉପେକ୍ଷିତ, ଯେଉଁମାନେ କେଉଁଦିନ ଭାରତୀୟ ସଭ୍ୟ ସମାଜର ସ୍ନେହସ୍ପର୍ଶ ପାଇ ନାହାନ୍ତି, ସେହି ନାଗା ଗିରିଶ୍ରେଣୀ ଆଜି ଆଗ୍ନେୟଗିରିରେ ପରିଣତ ହୋଇଛି । ଭାରତକୁ ସେମାନେ ଚିହ୍ନି ନାହାନ୍ତି କୌଣସି ଦିନ । ଭାରତ ମଧ୍ୟ ସମୟାନୁଯାୟୀ ତାକୁ ଆବିଷ୍କାର କରିପାରିନି । ସେମାନଙ୍କୁ ଆମେ ଅସଭ୍ୟ ଆଦିବାସୀ ବୋଲି ଘୃଣା କରିଆସିଚୁ–ମଣିଷ ବୋଲି କହିନୁ । ସେମାନେ ଚିରକାଳ ସ୍ୱାଧୀନ ଏବଂ ସ୍ୱଚ୍ଛନ୍ଦଚାରୀ, ବଶ୍ୟତା ସ୍ୱୀକାର କରି ନାହାନ୍ତି କେଉଁ କାଳରେ । ସେମାନଙ୍କ ପାଖାପାଖି ଯେଉଁମାନେ ଥିଲେ, ସେମାନେ ହେଉଚନ୍ତି ଇଂରେଜ ମିଶନାରୀ, ଚାହା ବିଗିଚାର ସାହେବ ଆଉ ମେମ୍‌ । ସେମାନେ ଚିହ୍ନନ୍ତ ନିଜସ୍ୱ ଜୀବନର ସ୍ୱାଧୀନତା । ପାତକାଇ ପର୍ବତମାଳାର ଏ ଧାରରେ ସେମାନେ ପାଇଥିଲେ ସାମନ୍ତବାଦୀ ସ୍ୱାଧୀନ ମଣିଷ ଏବଂ ଅନ୍ୟ ଦିଗରେ ବ୍ରହ୍ମ ଉପତ୍ୟକା-ଅବାଧ ବିଚରଣ କ୍ଷେତ୍ର । ସେମାନେ ବର୍ମା ମଣିପୁରକୁ ଚିହ୍ନନ୍ତି, କିନ୍ତୁ ଭାରତକୁ ଚିହ୍ନନ୍ତିନି । ଭାରତ ସହିତ ସେମାନଙ୍କର କୌଣସି ନାଡ଼ୀର ଯୋଗ ନ ଥିଲା କି ନାହିଁ ।

 

ଆଜି ଯେତେବେଳେ ସେମାନେ ମିଶନାରୀ ଓ ସାହେବ ଗୁପ୍ତଚରଙ୍କ ପ୍ରବର୍ତ୍ତନାରେ ଉତ୍ସାହିତ ହୋଇ ସମ୍ପୂର୍ଣ୍ଣ ଆଞ୍ଚଳିକ ସ୍ୱାଧୀନତା ଦାବୀ କରନ୍ତି, ସେତେବେଳେ ଯାଇ ଆମର ଆଖି ଫିଟୁଛି । ହୁରି ପଡ଼ିଛି ସେମାନଙ୍କ ହୃଦୟକୁ ଜୟ କର ସ୍ନେହ ମମତାଦ୍ୱାରା । ସେମାନଙ୍କ ପାଖକୁ ଯାଇ, ସେମାନଙ୍କ ପାଖରେ ଠିଆ ହୋଇ ସେମାନଙ୍କ ସୁଖ ଦୁଃଖରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ମିଳେଇଦେବାକୁ ପଡ଼ିବ । ବର୍ତ୍ତମାନ କାଳରେ ନାଗାପାହାଡ଼ ବ୍ୟତୀତ ସମଗ୍ର ହିମାଳୟର ଅନ୍ୟ କୌଣସି ଅଞ୍ଚଳରେ ଏଭଳି ବ୍ୟାପକ ଭାରତ-ବିଦ୍ୱେଷ ଭାବ ଦେଖାଦେଇନି । ଠିକ୍‌ ଏହି କାରଣରୁ କାଶ୍ମୀରର ଲଡ଼ାଖ ଅଞ୍ଚଳଟି ହାତରୁ ଖସିଯିବାର ସମ୍ଭାବନା ରହିଥିଲା–ଯଥା ସମୟରେ ହସ୍ତକ୍ଷେପ ଫଳରେ ରକ୍ଷା ମିଳିଲା । ନାଗା ଜାତି ସହିତ ବୁଝାମଣା ବ୍ୟାପାରରେ ଭାରତୀୟ ନେତୃତ୍ୱ ଆଝି ଖୁବ୍‌ କଠିନ ଓ ସଙ୍କଟ-ସଙ୍କୁଳ ପରୀକ୍ଷାରେ ଉପସ୍ଥିତ । ମଧ୍ୟବର୍ତ୍ତୀକାଳୀନ ଗୋଟାଏ କିଛି ସମାଧାନ ଅବଶ୍ୟ ହୋଇଛି; ତଥାପି ଅଗ୍ନି ନିର୍ବାପିତ ହୋଇନି, ବିଦ୍ରୋହ ଦମନ ହୋଇଯାଇଛି ବୋଲି କୁହାଯାଇ ନ ପାରେ ।

 

ସିଲଚରରୁ ରାସ୍ତା ପଡ଼ିଚି ପୂର୍ବ ଦିଗକୁ । ବରାକ ନଦୀ ପାର ହୋଇଆସିଛି । ଭାଦ୍ର ମାସ । ଲାଗିରହିଛି ବର୍ଷାର କାରୁଣ୍ୟ, ଦୁଇ ପାଖରେ ସଜଳତା । ଛୋଟ ଛୋଟ ଗ୍ରାମପଥ ପଡ଼ିଛି ଇତସ୍ତତଃ । ଉପତ୍ୟକାପଥ ଲମ୍ବିଚି ପାହଡ଼ ତଳକୁ । ଏଭଳି ଶାନ୍ତ ଏବଂ ଆତ୍ମସମାହିତ ବନମୟ ପଥ ଆଖିରେ ପଡ଼ିଛି ଖୁବ୍‌ କମ୍‌ । ପିଲାଦିନେ ବାଣପୁର ହାଇସ୍କୁଲରେ ପଢ଼ିଲାବେଳେ ଆମେ ଉଠୁ ଘଣ୍ଟଶିଳା ପାହାଡ଼ ଉପରକୁ କଣ୍ଟେଇକୋଳି ଖାଇବା ପାଇଁ । ବାଟ ଭୁଲିଯିବାର ଆଶଙ୍କା ନ ଥାଏ । ହୁଏତ ଘଣ୍ଟଶିଳା ନଚେତ୍‌ ଭାଲେରୀ ପର୍ବତଶ୍ରେଣୀ, ଏହି ଦୁଇଟି ମୋ ଆଖିରେ ଥିଲା ବନମୟ । ଏହାର ରାସ୍ତା ସହିତ ମୁ ସୁପରିଚିତ । ଘାଟା ପାରହୋଇ ଆସିଛି ଖଲ୍ଲିକୋଟରୁ ବାଣପୁରକୁ ଯାଇଚି ବାଣପୁରରୁ ଖଲ୍ଲିକୋଟ ।

 

ଆମର ଗନ୍ତବ୍ୟସ୍ଥଳ ଗୋଟିଏ କ୍ଷୁଦ୍ର ବନମୟ ପାହାଡ଼ର ଶିଖରଦେଶ । ନାଁ ତାର ଅରୁଣବନ୍ଧ । ଅରୁଣବନ୍ଧ ତଳ ଦେଇ ଗୋଟିଏ ପକ୍‌କା ରାସ୍ତା ପଡ଼ିଛି ମଣିପୁରକୁ । ବିଗତ ଯୁଦ୍ଧ ସମୟରେ ଇଙ୍ଗ୍-ମାର୍କିନ ଯୁଦ୍ଧପ୍ରଚେଷ୍ଟାର କ୍ରୀଡ଼ାସ୍ଥଳୀ ଥିଲା ଏହି ରାସ୍ତାଟି । ଏଠାରୁ ବିମାନରେ ଗଲେ ମଣିପୁରର ପହଞ୍ଚିବାକୁ ମାତ୍ର ପନ୍ଦର ମିନିଟ ଲାଗେ । ଆଖପାଖରେ ପାହାଡ଼ତଳିରେ ବିସ୍ତୃତ ଚାହାବିଗିଚା । ଆସାମର ସମଗ୍ର ପରିଚୟ ହେଉଛି ଜନସଂଖ୍ୟାର ସ୍ୱଳ୍ପତା । ମେଘାଚ୍ଛନ୍ନତା ଓ କୁହୁଡ଼ିର ଏତେ ପ୍ରାଚୁର୍ଯ୍ୟ ଅନ୍ୟ କୌଣସିଠାରେ ନାହିଁ । ସେଇଥିଲାଗି ଆସାମର ଉଦ୍ଭିଦଜୀବନ ବଡ଼ ବିଚିତ୍ର । ଭୀଷଣ ଗହନ ଅରଣ୍ୟାନୀ ଆସାମର ପ୍ରଥମ ପରିଚୟ । ନୀଳପଡ଼ା, ବାଲିପାଡ଼ା, କାଜିରଙ୍ଗ ଇତ୍ୟାଦି ପାର୍ବତ୍ୟ ଭୂମି ଗଣ୍ଡାର, ହରିଣ, ହାତୀ, ବାଇସନ ପ୍ରଭୃତି ବହୁବିଧ ଜାନୁଆରଙ୍କ ଆରାମସ୍ଥଳୀ ଏବଂ ଏଗୁଡ଼ିକ ‘‘ସଂରକ୍ଷିତ ଅରଣ୍ୟ’’ ଭାବରେ ଶାସିତ । ଏ ଅଞ୍ଚଳର ଗଣ୍ଡାର ଓ ବାଇସନ ପୃଥିବୀପ୍ରସିଦ୍ଧ । ଆସାମର ଅରୁଣବନ୍ଧ ପାହାଡ଼ ଉପରେ ଆମେ ଦିନେ ରହିଥିଲୁ । ରାତ୍ରିଭୋଜନ ସାରି ବାହାରକୁ ଆସି ବୁଲୁଚି, ହଠାତ୍‌ ଶୁଣାଗଲା ବଣ ଭିତରେ ଭୀଷଣ ପାଟିତୁଣ୍ଡ । କିଛିକ୍ଷଣ ପରେ ଦେଖାଗଲା ଗୁଡ଼ାଏ ଲୋକ ଧାଡ଼ି ବାନ୍ଧି କ’ଣ ଗୋଟାଏ ଟାଣୁଛନ୍ତି । ଯେଉଁ ଜୀବଟାକୁ ଟାଣୁଥିଲେ, ଦେଖିଲାମାତ୍ରେ ମୁଁ ହତବାକ୍‌ । ପଚିଶ ଫୁଟ ଲମ୍ବା ସ୍ଫୀତକାୟ ବହୁ ବିଚିତ୍ର ବର୍ଣ୍ଣର ଗୋଟାଏ ଅଜଗର ସାପ । ଏମାନେ ସାପଟିକୁ ମାରି ଆଣିଛନ୍ତି, କିନ୍ତୁ ସମ୍ପୂର୍ଣ୍ଣ ମରିନି । ଏହି ଅଜଗର କୁଆଡ଼େ ହରିଣ, ଠେକୁଆ ପ୍ରଭୃତି ପଶୁଙ୍କୁ ମୋହିନୀଦୃଷ୍ଟିରେ ବଶକରି ଟାଣିଆଣେ ପାଖକୁ, ତାପରେ ସହସା ଆଲିଙ୍ଗନ କରିନିଏ । ଯେଉଁ ଆସାମକୁ ଆମେ ଜାଣୁନା, କୌଣସି ଦିନ ଚିହ୍ନୁନା, ସେହି ଆସାମ ଏହି ରାତ୍ରିର ଅନ୍ଧକାର ଭିତରେ ଏହି ଭୟାବହ ବିଶାଳ ଅଜଗରର ସର୍ବାଙ୍ଗ ଦେଇ ନିଜକୁ ପ୍ରକାଶ କଲା । ଏହାର ଏହି ବର୍ଣ୍ଣାଢ଼୍ୟ ମଧ୍ୟରେ ହିମାଳୟ ଅନ୍ତର୍ଗତ ବିଭିନ୍ନ ଉପଜାତିର ପରିଚୟ ମିଳେ । ଏମାନଙ୍କ ନାମ ସେଲା, ଆବର, ମିସମି, ତିରାପ, ମିକିର, ନାଗା ଓ ସୁବନଶିରି । ନାଗା ଉପଜାତି ହେଉଛି ସର୍ବପ୍ରଧାନ । ସ୍ୱାଧୀନ ଏବଂ ଶାସନବିହୀନ ଜୀବନ ହେତୁ ଏମାନେ ପାଗଳ । ଏମାନଙ୍କ ସହିତ ଅରଣ୍ୟଚାରୀ ପଶୁପକ୍ଷୀମାନଙ୍କ ପ୍ରକୃତିର ମେଳ ବରଂ ଅଧିକ-। କିନ୍ତୁ ସଭ୍ୟ ମଣିଷ ସହିତ ମିଳନ ଏମାନଙ୍କ ପକ୍ଷରେ କଠିନ । ଏମାନେ ଜନ୍ତୁଙ୍କୁ ମାରି ଖାଆନ୍ତି, ଏମାନେ ମଧ୍ୟ ଜନ୍ତୁମାନଙ୍କର ଭୋଜ୍ୟ-। ଉଭୟେ ରହନ୍ତି ପରସ୍ପରର ଲଗାଲଗି ହୋଇ । ଜଣେ ଅପରର ଭାଷା ବୁଝେ ।

 

କ୍ଷୁଧିତ ଜାନୁଆର ଏମାନଙ୍କୁ ଡ଼ାକେ, ସେଇ ମଧୁର ଡ଼ାକରେ ଏମାନେ ଧାଇଁଯାଆନ୍ତି–ବେଶ୍‌ ମଲ୍ଲଯୁଦ୍ଧ ହୁଏ । ଯିଏ ଯାହାକୁ ଜିଣେ, ସିଏ ତାକୁ ଖାଏ । କ୍ଷୁଧିତ ଉପଜାତୀୟ ଲୋକେ ଜାନୁଆରସୁଲଭ କଣ୍ଠସ୍ୱରରେ ଜନ୍ତୁଙ୍କୁ ଡ଼ାକନ୍ତି, ଜନ୍ତୁମାନେ ଆଗ୍ରହରେ ଦୌଡ଼ିଆସନ୍ତି, ଶିକାର ହୁଅନ୍ତି । ଲଗାଲଗି ହୋଇ ଏମାନଙ୍କ ଜୀବନଯାତ୍ରା, ପରସ୍ପର ସହିତ ନିବିଡ଼ ପ୍ରାକୃତିକ ପରିଚୟ । ପଶୁ ଚମଡ଼ାରେ ଏମାନଙ୍କର ପୋଷାକ, ପକ୍ଷୀର ଡ଼େଣା ଏମାନଙ୍କ ମୁକୁଟର ପୁଚ୍ଛ, ହାଡ଼ର ମାଳା ଦେହର ଭୂଷଣ, ବାଘର ଦାନ୍ତ ଆଉ ନଖ ଏମାନଙ୍କର ମୂଲ୍ୟବାନ ଅଳଙ୍କାର । ନରମୁଣ୍ଡ ଦେଖେଇ ନ ପାରିଲେ ଝିଅମାନଙ୍କ ପାଖରେ ଏମାନଙ୍କର ସମାଦର ନାହିଁ । ପ୍ରକାଣ୍ଡ ପାହାଡ଼ୀ ପକ୍ଷୀ ଭଳି ନାଚି ନ ପାରିଲେ ଏମାନଙ୍କ ମନରେ ଆନନ୍ଦ ଆସେନା । ମନ୍‌, ଲାଡ଼ା, ଗାରୋ, ଖାସି, ଜୟନ୍ତିୟା, ଡାଫଲା, ଆବରା, ନାଗା, ମିସମିର ଯେଉଁଠିକି ଯାଅ ଏହି ଚେହେରା । ଲୌହି ନଦୀର କୂଳେ କୂଳେ ଯାଅ ପାଇବ ପରଶୁରାମ କୁଣ୍ଡ, ବ୍ରହ୍ମକୁଣ୍ଡ, ବଶିଷ୍ଠାଶ୍ରମ । ମିସମିର ଏଠି ସେଠି ସର୍ବତ୍ର ଏଇ ଗୋଟିଏ କଥା–ଏକମାତ୍ର ନାମ କିନ୍ତୁ ବିଭିନ୍ନ ଆକାରରେ । ପଦମ୍‌, ମିନୟଂ, ଗାଳଂ, ମିଜୁ, ଦିଗାରୁ, ଓରାଓନ୍‌, ଚଲିକାଟା, ହ୍ରୁସା, ବୁଗୁନ୍‌, ଦିଦାମାଇ–ଯାହା ଖୁସି ଏମାନଙ୍କୁ ଡ଼ାକ । ଏତେ ଗୁଡ଼ିଏ ମଧ୍ୟରୁ ଗୋଟିଏ ମାତ୍ର ଜାତିକୁ ବାଛି ନେଇ ଏକ ସମ୍ପୂର୍ଣ୍ଣ ଗ୍ରନ୍ଥ ରଚନା କରାଯାଇପାରେ ।

 

ସିଲଚରଠାରୁ ବରାକ୍‌ ଏବଂ ସୋନାଇ ନଦୀ ପାର ହେଲେ ଦକ୍ଷିଣକୁ ଚାଲିଆସିଛି ଆଇଜଲର ପଥ ଲୁସାଇ ପର୍ବତମାଳାର ଭିତର ଦେଇ । ଧବଳେଶ୍ୱରୀର ପ୍ରବଳ ପ୍ରବାହ ଉତ୍ତରରୁ ଦକ୍ଷିଣାଞ୍ଚଳରେ ବହୁ ଜନପଦ ଦେଇ ମାଡ଼ିଆସିଛି । ଲୁସାଇ ଗିରିଶ୍ରେଣୀର ପଶ୍ଚିମକୁ ନଦୀ ପାର ହେଲେ ପାର୍ବତ୍ୟ ଚଟ୍ଟଗ୍ରାମ–ଯେଉଁଠି ବସାବାନ୍ଧି ରହିଛି ବୌଦ୍ଧ ସଂସ୍କୃତି ଅନେକ କାଳରୁ। ପାର୍ବତ୍ୟ ଚଟ୍ଟଗ୍ରାମର ଉପରକୁ ଉଠିଆସିଲେ ଏକ ଦିଗରେ ଆସାମ, ପଶ୍ଚିମରେ ସମଗ୍ର ତ୍ରିପୁରା । ତ୍ରିପୁରାର ଦକ୍ଷିଣ ସୀମାରେ ଫେଣୀ ନଦୀ ପ୍ରବାହିତ ।

 

ବନ୍ଧୁ କହିଲେ–ଏହି ଯେ ଦୀର୍ଘ ପର୍ବତଶ୍ରେଣୀ ଠିକ୍‌ ତା’ରି ଆରପଟେ ତ୍ରିପୁରା ରାଜ୍ୟ ।

 

ପୁଷ୍ପା

 

ତ୍ରିପୁରା ସହିତ ମୋର ପରିଚୟ ଯେମିତି ତ୍ରିକାଳର । ପଚିଶ ବର୍ଷର ନାତିଦୀର୍ଘ ଜୀବନଟି ବର୍ଷ କଟିଥିଲା ତ୍ରିପୁରାବାସିନୀ ଦୁଇ ଜଣ ମହିଳାଙ୍କ ସହିତ–ଜଣେ ମା. ଜଣେ ଭଉଣୀ-। ଜୀବନରେ ଯାହାକୁ ସୁଖ କହନ୍ତି, ପାଇଥିଲି ସେଇ କେତୋଟି ଦିନ ।

 

ଆଜି ସୁଦ୍ଧା ସେଇ ଇତିହାସ, ସେଇ ସ୍ମୃତି ମୋ ମନରେ ପୁଲକ ଜଗାଏ । ଆଖିରୁ ଲୁହଧାର ଖସିଆସେ । ମନେପଡ଼େ ସେଇ ଦୁଇ ବର୍ଷର ବିଳାସ, ଆଡ଼ମ୍ୱର, ସୁଖସ୍ୱଚ୍ଛଳତା କଥା ।

 

ପୁରୀ ତୀର୍ଥ । ମାଟ୍ରିକ ପାଶ୍‌ ପରେ ମନ ବ୍ୟାକୁଳ ହୋଇପଡ଼େ କଲେଜରେ ପଢ଼ିବା ପାଇଁ । ନା ଲେଖେଇଲି ସମ୍ବଳହୀନ ଭାବରେ, ବହୁ ଦୁଃଖ ଦୁର୍ବିପାକ ମଧ୍ୟରେ । ଦିନକୁ ଓଳିଏ କରି ଦିନ ଦୁଇଟାରେ ଗଣ୍ଡିଏ ଖାଇବାକୁ ମିଳେ ଟ୍ୟୁସନରୁ । ଚାହାଳୀ କରି ପାଠ ପଢ଼ାଏ–ଗୁଡ଼ିଏ ପିଲା-। ଅ......ଆରୁ ପଣିକିଆ ପର୍ଯ୍ୟନ୍ତ । ପିଲା ଯଦି ପଣିକିଆ ନ କହିଲା ବାପା ଧାଇଁଆସନ୍ତି ମାଷ୍ଟ୍ରଙ୍କ ପାଖକୁ । ଭାଙ୍ଗଖିଆ ଲାଲଲାଲ ଦୁଇ ଦୁଇଟା ଆଖି ମୋରି ଉପରେ ପଡ଼େ । ପିଲା ଦୁଷ୍ଟ ହେଲେ ମାଷ୍ଟ୍ରର ଦୋଷ, ପିଲା ଚୋରିକଲେ ମାଷ୍ଟ୍ର ବି ଚୋରି । ପିଲା ଭାତ ନ ଖାଇଲେ ମାଷ୍ଟ୍ରକୁ ଧର । ବଡ଼ ଅଖାଡ଼ୁଆ ଦାୟିତ୍ୱ । କିନ୍ତୁ ମାସକୁ ଆଠଣା କରି ଦରମା । ପଣ୍ଡାଘର, ଜବାବ ଦେଲେ ମାଡ଼ ବାଜିବାର ଭୟ । କେବଳ ଜଣେ ଦୟାଳୁ ପଣ୍ଡା ନାରାୟଣ ଖୁଣ୍ଟିଆ ଥାଆନ୍ତି ମୋର ପ୍ରଧାନ ସହାୟକ । ବଡ଼ ଗରିବ ସେ । ଯାତ୍ରୀ ବ୍ୟବସାୟ କରି ଟଙ୍କେମସେ ଆଣିଲେ ଚୁଲୀ ଲାଗେ । ବଡ଼ ଉଦାର, ସହାନୁଭୂତିଶୀଳ ହୃଦୟ । ପଣ୍ଡା ମାତ୍ରକେ ଭାଙ୍ଗୁଆ; କିନ୍ତୁ ତାଙ୍କଠି ଏ ଅଭ୍ୟାସ ମୁଁ କେବେ ଦେଖିନି । ତାସ, ପଶା ଖେଳରୁ ସେ ବହୁ ଦୂରରେ । ପୁରୀର ସମଗ୍ର ସେବକ-ସମାଜରେ ଏକାନ୍ତ ବ୍ୟତିକ୍ରମ । ସେ ଥିଲେ ମୋର ଧରମ ବାପା । ମୋ ଦୁଃଖରେ ଦୁଃଖୀ, ସୁଖରେ ସୁଖୀ ।

 

ବାଶେଳୀସାହିର ‘‘କବିନିଳୟ’’ ବର୍ତ୍ତମାନ ଯାତ୍ରୀମାନଙ୍କ ଭଡ଼ାଘର । ଘରର କବାଟ ନ ଥାଏ, ଝରକାର ଖିଡ଼ିକି ନ ଥାଏ । ବାଡ଼ିଆଡ଼େ ପାଇଖାନା ନାହିଁ, ମୂଷାମାଟି ଗଦା ଗଦା । ନାଁକୁ ମାତ୍ର କୋଠାଘର, ଏକ ଅମସୃଣ ଚଟାଣ, ତାରି ଉପରେ ଖଣ୍ଡିଆ ଖଜୁରୀ ବିଛଣା ପାତି ଶୁଆ ପଢ଼ା ହୁଏ । କଲେଜ ପଢ଼ା । ପରିଧେୟ ବୋଇଲେ ଖଣ୍ଡିଏ ସାର୍ଟ, ଖଣ୍ଡିଏ ଫୁଲପ୍ୟାଣ୍ଟ ଗେଞ୍ଜି ନ ଥାଏ । ପକେଟରେ କିନ୍ତୁ ସବୁବେଳେ ସିଗାରେଟ୍‍ ପ୍ୟାକେଟ, ଦିଆସିଲି ପେଡ଼ି । ତାହା ହିଁ ମୋର ଥାଏ ପ୍ରଧାନ ସମ୍ବଳ ।

 

‘‘କବିନିଳୟ’’ରେ କବିଙ୍କ ସମାଗମ ହୁଏ–ଛୋଟ ଛୋଟ କବିମାନଙ୍କର, ସମସ୍ତେ ସ୍କୁଲ ବା କଲେଜ ଛାତ୍ର । କବିତା ଲେଖାହୁଏ କେଉଁ ଝିଅର ଆଖି କିମିତି, ମୃଗାକ୍ଷୀ କି ମୀନାକ୍ଷୀ । କେଉଁ ଝିଅର କେଶଗୁଚ୍ଛର ବର୍ଣ୍ଣନା, ବେଣୀ ବା କବରୀ ବନ୍ଧନର ମହିମା ଓ କାନ୍ତି ବର୍ଣ୍ଣନା । ଖାଲି ପ୍ରେମ । କୈଶୋରୋତ୍ତୀର୍ଣ୍ଣ ଯୌବନର ପ୍ରଥମ ସୋପାନରେ ପ୍ରେମୋଚ୍ଛଳ ମନ ଉଦ୍‌ବେଳ ହୋଇପଡ଼େ । କବିତା ଆକାରରେ ଅଭିବ୍ୟକ୍ତ ହୁଏ ।

 

ଦିନେ ପଡ଼ିଶାଘର ଉପର ମହଲାରେ ହଠାତ୍‌ ଫୁଟିଉଠିବାର ଦେଖାଗଲା ଏକ ସଦ୍ୟ ଯୌବନର ପଦ୍ମକୋରକ । ସମ୍ଭବତଃ ବଙ୍ଗୀୟା । ସେଦିନ କଲେଜ ଯିବା ବନ୍ଦ ! ଖବର ଚାଲିଗଲା ବିଦ୍ୟୁତ୍‌ବେଗରେ । ପୁରୀ ସହରର ବହୁ ଯୁବକଙ୍କର ମେଳା ହେଲା । କବିତାର ଧାଡ଼ି ଲମ୍ବିଲା । ଦୁଷ୍ଟାମିର ଚରମ ସୀମା ।

 

ଲଜ୍ଜା ଭୟ ଓ ରାଗରେ ଝିଅଟି ଛାତ ଉପରକୁ ଆସିପାରେନା । ଦିନବେଳେ ଘରୁ ବାହାରିବାକୁ ମଧ୍ୟ ଭୟ କରେ । ରାତିରେ ଜଗନ୍ନାଥ ଦର୍ଶନକୁ ଯାଏ । ଘରେ ଏକାକିନୀ ବୃଦ୍ଧା ମାଆ-। ଝିଅଟି ଭଡ଼ାଘର ଉପର ମହଲାରେ ବସେ । ବହୁଥର ଦେଖିଚି, ମନକୁ ମନ ପଚାରିଚି, ପଚାରିବି-? କିନ୍ତୁ କ’ଣ ବୋଲି ? ଏତେଦିନ ଧରି ଦୁଷ୍ଟାମି, ତାପରେ ବନ୍ଧୁତା ? ହୁଏତ କ’ଣ ଭାବିପାରେ-! ଆମମାନଙ୍କ ପ୍ରତି ତାର ହୁଏତ ରାଗ ଥିବ ।

 

ସେହି ଦି’ପହର । ସାଢ଼େ ଦୁଇ । କୋଠା ଉପରକୁ ଉଠିଲି । ଉପର ମହଲାର ଝରକା ଉନ୍ମୁକ୍ତ । ଏପର୍ଯ୍ୟନ୍ତ ଦେଖି ନ ଥିଲି ତାର ଶରୀରଟା । ବେଶ୍‌ ଗୋରା ଚେହେରା । ମୁଣ୍ଡରେ ଗୋଛାଏ ବାଳ, ହାତରେ ଖଣ୍ଡିଏ ବହି, କେବଳ ଆଖି ଦିଇଟା ତାର ସବୁ ଅଙ୍ଗଠାରୁ ଅଲଗା । ସେଇଠି ମନେହେଲା ପୂରି ରହିଛି ଭାବରେ ଗଭୀରତା ତନ୍ମୟତା, ଅତଳଦୃଷ୍ଟି । ଆଖି ଦୁଇଟାରେ ସେ ଯେତେବେଳେ ରାଗ ଭରି ଚାହେଁ, ମନେହୁଏ ସବୁ ଫାଙ୍କି ଧରା ପଡ଼ିଯିବ ଏହାରି ପାଖରେ । ଚେହେରାରୁ ଅନୁମାନ କରିହୁଏ ତାର । ବେଶ ସାବଲୀଳ, ସପ୍ରତିଭ, ଦୃପ୍ତ ଅଥଚ ଉଦାସୀନ । ଲଜ୍ଜାର ଅବକାଶ ଏହାଠି ନାହିଁ, ବିଲକୁଲ ନାହିଁ । ଏହି ସହଜଦୃଷ୍ଟିରେ ଚାହିଁ ସେ ସ୍ୱଚ୍ଛନ୍ଦଗତିରେ ଯେତେବେଳେ ଚାଲେ, ମନେହୁଏ ଭାରି ଅହଙ୍କାରୀ । ଏହି ହେଲା ମୋର ତା ପ୍ରତି ସମ୍ପୂର୍ଣ୍ଣ ଦେଖା ।

 

ଦ୍ୱିତୀୟ ବାର ସେଇମିତି ବହିପଢ଼ା । ଖୁବ୍‌ ବଡ଼ ବହିଟାଏ । ବଙ୍ଗଳା ନୁହେଁ, ଇଂରେଜୀ । ଆଖି ରହିଚି ବହି ଉପରେ । ବେଣା ଗୋଟାଏ ଆଡ଼େଇ ପଡ଼ିଚି ପିଠ ଉପରେ । ବାସିକୁନ୍ତଳ, ସଜଡ଼ା ନୁହେଁ, ଅସଜଡ଼ା । କାନ୍ଧ ପାଖରୁ ଅଞ୍ଚଳ ଖସିଆସିଚି । ଦେହରେ ନୀଳ ସିଲ୍‌କ ବ୍ଳାଉଜ । ଛୋଟ ରେଡ଼ିମେଡ଼ ବ୍ଳାଉଜଟିକୁ ପଛରୁ ଯେମିତି କିଏ ଟାଣିନେଇଚି । ନିଜେ ହୁଏତ ଉଠୁବସ କରି ଅଜାଣତରେ ବିଶୃଙ୍ଖଳ କରିଚି ନିଜକୁ ।

ବହୁଦିନ ଏଇମିତି କଟିଚି ଖାଲି ଟିକିଏ ପରିଚୟ ଲାଗି । ମୁଁ ଚାହିଁଚି ଝରକାର ଛୋଟ ରନ୍ଧ୍ର ଦେଇ । ଅପରିଚିତା ସେମିତି ବସିରହିଚି । ହାତରେ ବହି, ଅପଲକ ନିର୍ଲିପ୍ତ ଦୃଷ୍ଟିରେ ।

ରାତି ବାର । ଘରେ ଏକା ମୁଁ, ଦେହରେ ଜର ଖୁବ୍‌ ବେଶୀ । ବାନ୍ତି ଥରକୁ ଥର, ହୁଏତ ବାନ୍ତିର ଓଟାର ଶୁଭିଚି କୋଠା ଉପରକୁ । ବଙ୍ଗାଳୀ ବୃଦ୍ଧା ଜଣକ ଧାଇଁ ଆସିଚନ୍ତି । ଓଟାର ବାନ୍ତି ସରିବା ପରେ ଟିକିଏ ଦମ୍‌ ନେଇ ଦେଖିଲି, ପିଠି ଉପରେ ଜଣଙ୍କର ହାତ–ଅତି ଶୀତଳ, ଅତି କୋମଳ, ସ୍ନେହମୟ ।

ରୁଗ୍‌ଣ କୋଟରାଗତ ଆଖି ଦୁଇଟିକୁ ଓଲଟାଇ ଚାହେଁ ତ ସେଇ ବୁଢ଼ୀ ଜଣକ–କୋଠା ଉପରର ବଙ୍ଗୀୟା ତୀର୍ଥଙ୍କରୀ । ଆଖି ଦୁଇଟାରେ ତାଙ୍କର ଯେମିତି ଭରିରହଚି କରୁଣା, ସ୍ନେହ ଅନୁରାଗ । ହାତକୁ ପାଣି ଗ୍ଳାସଟା ବଢ଼େଇ କହିଲେ, ‘‘ବାବା, କୁଳି କରି ପକା ।’’

କୁଳି କଲି । ବୋଧହୁଏ ମୋ କୋଠରୀର ସୁଦୃଶ୍ୟ ଚେହେରା ପ୍ରତି ତାଙ୍କର ଆଗରୁ ଆଖି ପଡ଼ି ନ ଥିଲା । ଇଚ୍ଛା ହେଲା ନାହିଁ ତାଙ୍କର ସେ ଘରେ ବସିବା ପାଇଁ, ମତେ ରଖିବା ପାଇଁ ।

ଉପରକୁ ଉଠିଛି ବଡ଼ କଷ୍ଟରେ ବୁଢ଼ୀଙ୍କର ହାତରେ ଓ କାନ୍ଧରେ ଭରା ଦେଇ ।

ତା ଆରଦିନ ସକାଳ । କୋଠା ଉପରେ ଗୋଟାଏ ଖଟ ଉପରେ ମୋର ଶଯ୍ୟା, ଟେବୁଲ ଉପରେ ଡାକ୍ତରଖାନାର ଗୋଟାଏ ବିପୁଳ ଆୟୋଜନ । ଔଷଧ ଶିଶି, ନାଲି ପାଣି । କମଳା, ବେଦାନା, ଗ୍ଳୁକୋଜ ଇତ୍ୟାଦି ।

ଭୁଲି ଯାଇଥିଲି ସେ ଅପରିଚିତାର କଥା । ନିଦ ହୋଇ ଆସିଥାଏ । ଉଠିବାମାତ୍ରେ ଦେଖିଲି, ଜଣଙ୍କର ହାତ ମୋ ମଥା ଉପରେ । ବାଳ ଭିତରେ କେତୁଟା ଆଙ୍ଗୁଠି ବୁଲୁଚି ଅତି ଧୀରେ ଧୀରେ ।

କହିଲି, ମୋ ମୁଣ୍ଡ ବଥଉନି !

–ମୁଣ୍ଡ ବଥାଇବା ପାଇଁ ନୁହେଁ, ଆରାମ ଲାଗିବ ବୋଲି ।

ହଠାତ୍‌ ତୋ ମଥା ଉପରେ ଦେଖିଲି ଥୋପାଏ ସିନ୍ଦୁର । ସଧବାର ସଙ୍କେତ, ବିବାହିତା ସେ । ଭାବିଲି, ଜୀବନରେ ଗୋଟାଏ ବଡ଼ ଭୁଲକରି ପକାଇଚି । ନାନା କଥା ଭାବିଛି । ଅଶୋଭନୀୟ, ଅପ୍ରୀତିକର କଥାଗୁଡ଼ାଏ । ଯୌବନର ଏ ଏକ ପ୍ରଚଣ୍ଡ ଅଭିଶାପ ।

ଦ୍ୱିତୀୟ ଥର ଆଖି ଖୋଲି ଡାକିଲି–ପୁଷ୍ପା !

ଏହି ପ୍ରଥମ ସମ୍ବୋଧନରେ ଅପରିଚିତା ମୁହଁରେ ଯେଉଁ ଆନନ୍ଦୋଜ୍ଜ୍ୱଳ ଉଲ୍ଲସିତ ଶୋଭା ଦେଖିଲି, ସେଥିରେ ମୋ ହୃଦୟ ଭିତର ଯେଭଳି ଉଦ୍‌ଭାସିତ ହୋଇଉଠିଲା । ଗତ ରାତିର ସମସ୍ତ ବେଦନା ଅସୁସ୍ଥତା ଯେଭଳି ଏହି ଅମୋଘ ଔଷଧରେ ପ୍ରଶମିତ ହେଲା ।

ସେହିଦିନଠାରୁ ଆଉ ମୁଁ ତଳକୁ ଓହ୍ଲେଇନି । ଆଉ ସେଇ ଅମସୃଣ ଚଟାଣରେ ମୋର ପଦଚାରଣ ହୋଇନି । ଖଜୁରୀ ମଶିଣା ଉଇ ଲାଗି ନଷ୍ଟ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଇ ଅକ୍ଷରଗୁଡ଼ାକ ଅଲିଭା ରହିଛି କାନ୍ଥ ଉପରେ । ‘‘କବିନିଳୟ’’ ଜୀବନ୍ତ ରହିଛି ।

ଶରଣାର୍ଥିନୀ ବାସଚ୍ୟୁତା ପୁଷ୍ପା ଓ ଚାକୀମା । ଏମାନଙ୍କ ଜୀବନ ଗୋଟିଏ ଗୋଟିଏ ତୋଫାନ । ଏହି ତୋଫାନରେ ଉଡ଼ି ଆସିଥିଲେ ସେମାନେ ପୁରୀକି । ଭାରତ ବିଭାଜନର ପ୍ରଥମ ଧକ୍‌କା ବାଜିଛି ଏମାନଙ୍କ ଉପରେ । ଚାକୀମାର ଘର ତ୍ରିପୁରାରେ । ସ୍ୱାମୀ ପ୍ରଫୁଲ୍ଲକୁମାର ଚାକୀ । ବଡ଼ ଓକିଲ । ଚାରି ମହଲାର କୋଠା । ହତା ଭିତରେ ତିନି ତିନିଟା ପୋଖରୀ । ବିରାଟ ଫୁଲବଗିଚା । ଘରେ ବୋଲି ଦୁଇ ପ୍ରାଣୀ ।ସ୍ୱାମୀ ସ୍ତ୍ରୀ । ଖୁବ୍‌ ଆନନ୍ଦ ବିଳାସରେ ଦିନ କଟୁଥିଲା । ହଠାତ୍‌ ଦୁର୍ଦ୍ଦିନ ଆସି ପହଞ୍ଚିଲା ।

 

ଚାକୀମା କହେ, ମୁଁ ଶୁଣେ । ବଡ଼ ଭୟଙ୍କର, ରୋମାଞ୍ଚକ, ଲୋମହର୍ଷଣକାରୀ ସେ କାହାଣୀ । ଚାରିପଟେ ମୁସଲମାନ ବସ୍ତି । ମୃତ୍ୟୁ-ଆଶଙ୍କାରେ ଭିଟାମାଟିର ମମତା ଛାଡ଼ି ସେମାନେ ପ୍ରସ୍ତୁତ ହେଉଥିଲେ କଲିକତା ଚାଲିଆସିବା ପାଇଁ ।

 

ତା ଆରଦିନ ସକାଳ କିମିତି ହେବ, ଗାଡ଼ି ଧରିବେ କିମିତି ବସ୍ତିବାଲାଙ୍କୁ କ’ଣ କହିଲେ ସେମାନେ ବିଶ୍ୱାସ କରିବେ ଯେ ଏମାନେ ପୁଣି ପେରିଆସିବେ ଘରକୁ–ଏହା ହିଁ ଥିଲା ପ୍ରଧାନ ଚିନ୍ତା-। ସେଦିନ ରାତି ଦୁଇ । ଦୁହେଁ ଶୋଇଚନ୍ତି ନିଘୋଡ଼ ନିଦରେ । ତଳେ ବେଡ଼ିଂ ବନ୍ଧା ହୋଇ ରହିଛି । ଘଡ଼ିରେ ଆଲାରାମ ଚାବି ଦିଆହୋଇଛି, ଚାରିଟା ବାଜିଲେ ଉଠେଇଦେବ ସେ । ଏମାନେ ଚାଲିଯିବେ ପାହାନ୍ତିଆରେ । ହଠାତ୍‌ ଶୁଭିଲା ଦୁଆର ମୁହଁରେ ଖଟ୍‌ ଖଟ୍‌ ଶବ୍ଦ ।

 

କିଏ, ରହମନ୍‌ ? (ରହମନ୍‌ ଘରର ଅତି ବିଶ୍ୱସ୍ତ ଚାକର ।)

 

ଦୁଆର ଖୋଲ ।

 

କାହିଁ ଇଏତ ରହମନ ପାଟି ଭଳି ଶୁଭୁନି । ବସ୍ତିବାଲା ତ ଜାଣି ନାହାନ୍ତି ସେମାନଙ୍କ ଯିବା କଥା । ତେବେ କିଏ ? ହଠାତ୍‌ ଦୂରରୁ ଶୁଭିଲା–ଆଲ୍ଲା ହୋ ଆକ୍‌ବର । ଏମାନେ ଦୁଆର ନ ଖୋଲୁଣୁ ଖୋଲିଗଲା ସହସ୍ର ଧକ୍‌କାରେ । ଗୁଡ଼ାଏ ଦୁଦ୍ଧର୍ଷ ପଠାଣ ପଶିଆସିଲେ ଘର ଭିତରକୁ-। ଗୋଟିଏ ମିନିଟର ଘଟଣା । ଗଲେ, ଅଇଲେ, ସବୁ ଶେଷ ହୋଇଗଲା । ଦୀର୍ଘ ଓକିଲାତି ଚେହେରା ବିକ୍ଷିପ୍ତ ହୋଇପଡ଼ିଲା । ଚେଁ ନାହିଁ, ଚାଁ ନାହିଁ, ନିଃଶବ୍ଦ ମୃତ୍ୟୁ । ନୀରବ ସେ ବିଦାୟ । ପ୍ରଫୁଲ୍ଲକୁମାର ଚାକୀଙ୍କ ଶିରଛେଦ । ଗୋଟାଏ ଦିଗରେ ରକ୍ତର ସ୍ରୋତ, ଅନ୍ୟ ଦିଗରେ ଜୀବନ୍ତ ଶରୀର ଦୁଇଟା ଚକ୍ଷୁ ମଧ୍ୟରୁ ଅଶ୍ରୁର ବନ୍ୟା । ହାତରେ ଖଣ୍ଡିଏ କନାବ୍ୟାଗ । ଚାକୀମା ଚାଲିଚି ପୂର୍ବନିଦ୍ଧାରିତ ସମୟ ଅନୁଯାୟୀ ।

 

ତ୍ରିପୁରାରୁ ଢାକା, ଢାକାରୁ ମୁର୍ସିଦାବାଦ୍‌, ଶେଷରେ ବର୍ଦ୍ଧମାନ । ବ୍ୟାଗ ଭିତରେ କେତୋଟି ବ୍ୟାଙ୍କ ରସିଦ । ଇନ୍‌ସୁରାନ୍‌ସର ଗୋଟିଏ ପଲିସି । ଏହି ବର୍ଦ୍ଧମାନଠାରେ ତାର ପ୍ରଥମ ପରିଚୟ ହୁଏ ପୁଷ୍ପା ସହିତ । ଠିକ୍‌ ବର୍ଷକ ତଳେ ପୁଷ୍ପାବୟସର ପାଳିତା କନ୍ୟାକୁ ହରାଇଥିଲା ସେ ଦଙ୍ଗାହାଙ୍ଗମା ଭିତରେ । ପାଳିତା କନ୍ୟାର ସ୍ମୃତିକୁ ଜୀବନ୍ତ ରଖିବା ଲାଗି ସେ ଟାଣିଆଣିଲା ପୁଷ୍ପାକୁ ନିଜ କୋଳକୁ । ମଥାରେ ସିନ୍ଦୁର ତାର । ଷୋଳ ସତର ବର୍ଷର ଝିଅ । ସାମ୍ପ୍ରଦାୟିକ ତୋଫାନ ଭିତରେ ସେ ବି ବିପର୍ଯ୍ୟାସ୍ତା, ନିଃସହାୟା, ଦାଣ୍ଡର ଭିକାରୁଣୀ । ଏକାକିନୀ ଥିଲା ସେ । ବର୍ତ୍ତମାନ ଦୁଇ । ଦୁଇ ପାଦ ସହିତ ଆଉ ଦୁଇ ପାଦର ମିଳନ ।

 

ବର୍ଦ୍ଧମାନରୁ କଲିକତା, କଲିକତାକୁ ପୁରୀ । ୧୯୪୭ ଜୁନ ୭ ତାରିଖଠାରୁ ୧୯୪୮ ଏପ୍ରିଲ ୧୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଦଶମାସ ପରେ ଚାକୀମା ପହଞ୍ଚିଲା ପୁରୀରେ । ପାଖରେ ଥିଲା ପୁଷ୍ପା, ପାଳିତା କନ୍ୟା, ମୁଁ ହେଲି ପାଳିତ ପୁତ୍ର । କିଛିଦିନ ପରେ ବସାଘରର ପରିବର୍ତ୍ତନ ହେଲା । ସମସ୍ତେ ଆସି ରହିଲୁ ଲାବଣ୍ୟକୁଟୀରରେ । ବର୍ତ୍ତମାନ ପୁରୀର କମଳା ମାତୃମଙ୍ଗଳ କେନ୍ଦ୍ର ଯେଉଁଠି, ଠିକ୍‌ ତାର ପଡ଼ିଶା ।

 

ଭାଇ ଭଉଣୀ ଦୁହେଁ ଯାଉ କଲେଜକୁ । ସକାଳ ପାହିବାମାତ୍ରେ ତକିଆ ଉଠଉ ଉଠଉ ଦେଖୁ ପାଞ୍ଚଟଙ୍କିଆ ନୋଟ । ପୁଷ୍ପା ପାଇଁ ପାଞ୍ଚ, ମୋ ପାଇଁ ପାଞ୍ଚ । ଚାକୀମା କହେ, ତୁଇ ମୋର ସୁନାର ଗୌରାଙ୍ଗ । କି ସ୍ନେହ, କି ଆଦର ! ଆମେ ତିନିହେଁ ଯେତେବେଳେ ଖାଇବାକୁ ବସୁ ମୁଁ ଭୁଲିଯାଏ ମୋର ସମସ୍ତ ପରିବାରର କଥା । ମନେ ମନେ ଭାବେ; ଏଇ ତ ମୋର ଘର, ଏଇ ମୋର ମା, ଇଏ ମୋର ଭଉଣୀ । ପୁଷ୍ପା ଯେତେବେଳେ ଅଝଟ ଲଗେଇ ରୁଷେ, ମୁଁ ସେତେବେଳେ ହସେ । କିନ୍ତୁ ମୁଁ ଯେତେବେଳେ ମୁହଁକୁ ଶୁଖେଇ ବସେ, ସେ କାହିଁକି କେଜାଣି କାନ୍ଦେ । ମୁଁ କାନ୍ଦିଲେ ସେ ଭୋକରେ ରହେ, ମା’କୁ ଗାଳିଦିଏ । ମୁଁ ସିନେମା ନ ଗଲେ ସେ ଯାଏନା । ମୁଁ ନ ଶୁଣିଲେ ସେ ଗୀତ ଗାଏନା । ସେ ବେଶୀ ବାନ୍ଧେ, ଲୁଗା ପିନ୍ଧେ, କିମିତି ହୋଇଛି ବୋଲି ପଚାରେ । ଭଲ ହୋଇଛି ବୋଲି ନ କହିଲେ ସେ ଖୁସି ହୁଏନା । ସମୁଦ୍ରକୂଳ ବାଲିରେ ମୁଁ ନାଁ ଲେଖେ, ଟାଇଟଲ୍‌ ଦିଏ ମିଶ୍ର ବୋଲି । ସେ ଲିଭେଇଦିଏ, ଲେଖେ ଚାକୀ । ମୁଁ ପ୍ରତିବାଦ କରିପାରେନା, ସବୁ ସ୍ୱୀକାର କରିଯାଏ, ସବୁ ମାନିଯାଏ । ମନେ ଅଛି, ତାର ସେଇ ନିତିଦିନିଆ ଗୀତ ରବି ଠାକୁରଙ୍କର–

 

‘‘କ୍ଷମା କର ପ୍ରଭୁ !

ପିଛନପାନେ ତାକାଏ ଯବେ କଭୁ ।

ଏଇ ତ ହୃଦୟ କାମ୍ପେ ଏମନ୍‌ ତରୋ

କ୍ଷମା କରୋ, କ୍ଷମା କରୋ ।’’

 

ଏକାନ୍ତ ବସିବାର ସୁଯୋଗ ପାଇଛି ତିନି ବର୍ଷରେ ହୁଏତ ତିନି ଚାରିଥର । ଯେତେବେଳେ ଏକାକୀ ବସିଛି, ଭାବିଛି ତାରି କଥା । ଖୋଜିଚି ତାର ସାନ୍ନିଧ୍ୟ । ଅନେକ ଥର ସେ ମତେ କ’ଣ କହିବାକୁ ଚାହେଁ, ଅଟକିଯାଏ । କହ କହ ବୋଲି କହିଲେ ମଧ୍ୟ କହେ ନାହିଁ, ଗୋପନ ରଖେ ସବୁ କଥା । ତା ଆଖିରୁ, ଅଙ୍ଗଭଙ୍ଗୀରୁ ମୁଁ ଠଉରେଇନିଏ, ସେ ମୋଠୁ କ’ଣ କିଛି ଆଶା କରୁଛି । ହୁଏତ ଭାଷା ପାଉନି କହିବାକୁ ।

 

ଥରେ ଥରେ ଅତି ଜିଦ୍‌ ଧରି ବସିଲେ କହେ–‘‘ହଁ କହିବି, ଜୀବନରେ ଗୋଟାଏ ସୂର୍ଯ୍ୟର ଉଦୟ ହୋଇଥିଲା, ତାର ଯିମିତି ଅସ୍ତ ନାହିଁ, ମୁଁ କେବଳ ତାକୁ ଚାହିଁରହିଛି । ମୁଁ ଖୁସି ହୁଅନ୍ତି ସେ ଅସ୍ତରାଗର ପରାଗରେ, ସନ୍ଧ୍ୟାରାଗର ନବ ସୌରଭରେ ।’’

 

ଅଦ୍ଭୁତ ଗୁଡ଼ାଏ କଥା । ଏ କଥାର କିଛି କ’ଣ ମାନେ ଥାଏ ? ବାୟାଣୀଟାଏ ବୋଲି ମୁଁ ତାର ବେଣୀ ଦିଇଟା ଧରି ପିଟି ପକାଏ । ହସି ହସି ପଳାଏ ସେ ଘରର ନିଭୃତ କୋଣକୁ । ଚାକୀମା ଉପଭୋଗ କରେ ଆମ ସାହଚର୍ଯ୍ୟକୁ । ଆମେ ଯେତିକି ଘନିଷ୍ଠ ହୋଇଆସୁ, ସେ ସେତିକି ଖୁସି ହୁଏ । ଆନନ୍ଦର କଲ୍ଲୋଳ ଖେଳିଯାଏ ତା ମନରେ ।

 

ଦୁଇଟଇ ପକ୍ଷୀ ପକ୍ଷିଣୀ । ଜଣେ ଅବିବାହିତ, ଅବାଞ୍ଚିତ । ଆଉ ଜଣେ ବିବାହିତା, କିନ୍ତୁ କୁମାରୀ କନ୍ୟା ।

 

ଚେକ୍‌ କଟା ଚାଲେ । ଶୁକ୍ଳାମ୍ବରୀ ମା । ମା’ର ପ୍ରତିଦିନର ଲକ୍ଷ୍ୟସ୍ଥଳ ଇମ୍ପିରିୟାଲ ବ୍ୟାଙ୍କ୍‌-। ମୁଁ ତ ବ୍ୟାଙ୍କ ଫ୍ୟାଙ୍କ୍‌ କିଛି ଜାଣୁ ନ ଥିଲି । ମନେ ହେଉଥିଲା ବ୍ୟାଙ୍କ୍‌ ଗୋଟାକଯାକର ଟଙ୍କା ଯେପରି ତାର । ଯେତେ ଆଣିଲେ ବି ସରିବନି । ପ୍ରତ୍ୟେକ ଦିନ ଗୋଛାଏ ଗୋଛାଏ ନୋଟ-। କିନ୍ତୁ ଭାରି କୃପଣ । ପଣ୍ଡାଏ କହନ୍ତି, ଏମିତି ଯାତ୍ରୀ ମିଳିଲେ ଘରେ ଚୁଲି ଜଳେନା ।

 

ସତରେ ଭାରି କୃପଣ ! ମୁକ୍ତହସ୍ତା ବୋଇଲେ କେବଳ ଆମ ଦି’ଜଣଙ୍କ ପାଇଁ । ଆମ ପାଇଁ ସୁଟ୍‌ କୋଟ୍‌, ନେକ୍‌ଟାଇ ସ୍କର୍ଫ, ସ୍ୱେଟର, ନୂଆ ନୂଆ ସାଇକେଲ । କିନ୍ତୁ ବାହାରେ ପରିବାବାଲା ସହିତ ନିତ୍ୟକଳି । ବାଇଗଣ ସେର ଛଅ ଅଣ ହେଲେ ତାର ଦାବୀ ନେବା ପାଇଁ ତିନି ଅଣାରେ । ସମସ୍ତେ ତା ପ୍ରତି ବିରକ୍ତ, କିନ୍ତୁ ସମସ୍ତେ ଆସି ଯାଚନ୍ତି ନିଅ ନିଅ ବୋଲି ।

 

ସନ୍ଧ୍ୟା ହେଲେ ପୁଷ୍ପା ପୁଷ୍ପମଣ୍ଡିତା ହୁଏ । ପୁଷ୍ପାଭରଣରେ ତା କବରୀ ମହକି ଉଠେ । ମା ପଛେ ପଛେ ଆମ ଘର ଘର ବୁଲୁ । ବଙ୍ଗାଳୀଦାଦା ଦିଦିମାନଙ୍କ ସହ ପରିଚୟ ହୁଏ ।

 

ସମସ୍ତେ ଜାଣନ୍ତି, ଆମେ ମା’ର ଗର୍ଭଜାତ ଦୁଇ ସନ୍ତାନ ।

 

କଲେଜରେ ଦ୍ୱିତୀୟ ବର୍ଷ । ସାଙ୍ଗସାଥିଙ୍କ ଇର୍ଷାକାତର ସହସ୍ର ଚକ୍ଷୁ ଆମରି ଉପରେ । ସେମାନେ ଚାହୁଁ ନ ଥିଲେ ଦରିଦ୍ର ବ୍ରାହ୍ମଣ ଟୋକାଟାର ଏପରି ସ୍ୱଚ୍ଛଳତା । ମୋ ସାଙ୍ଗସାଥିଙ୍କ ମଧ୍ୟରୁ କିଏ ମଠବାଡ଼ି, କିଏ ଟ୍ୟୁସନର ଆଶ୍ରୟ ନେଇଥାଆନ୍ତି ।

 

ଯେଉଁଠି ଠିଆହେଲେ ଶୁଣୁ ଆମରି ଚର୍ଚ୍ଚା କାନ୍ଥ ବାଡ଼ରେ ବିଦ୍ୱେଷମୂଳକ ଲେଖା । ମୋରି କବିତାର ମୋ ପ୍ରତି ଧିକ୍‌କାର । ଏପରି କି କଲେଜ ବ୍ଳାକବୋର୍ଡ଼ରେ ଲେଖାଯାଇଥାଏ ଅନେକ କଥା ।

 

ମତେ ଦୁଃଖ ଲାଗେ । ବିବ୍ରତ ହୋଇପଡ଼େ । କିନ୍ତୁ ପୁଷ୍ପା ଖୁସି ହୁଏ । ସହପାଠିନୀମାନଙ୍କୁ ଉତ୍ତର ଦିଏ ନାନା ଭଙ୍ଗୀରେ ।

 

ମୁଁ ଚାହୁଁଥିଲି ଏସବୁର ଏକ ପରିସମାପ୍ତି । ଶୀଘ୍ର–ଯଥାଶ୍ରୀଘ୍ର ଏହାର ଏକ ପରିଣତି ।

 

କିନ୍ତୁ ପରିଣତି ଯେ ଏଡ଼େ କଠୋର, ଏତେ ନିର୍ମମ ହୋଇଉଠିବ, ଆଶା କରୁ ନ ଥିଲି !

 

ତା ପୂର୍ବଦିନ ରାତିରେ ଖଣ୍ଡିଏ କ’ଣ ଚିଠି ଆସି ପହଞ୍ଚିଥାଏ ମୋ ପାଖରେ । କେହି ଆମେ ପଢ଼ିନୁ–ଖାଲି ଜାଣିଥିଲୁ ଯେ ଖଣ୍ଡିଏ ଚିଠି ଆସିଛି । ଏପର୍ଯନ୍ତ କୌଣସି ଚିଠି ଆସି ନ ଥିଲା-। ବିଳାସବ୍ୟସନର ପ୍ରାଚୁର୍ଯ୍ୟ ଭିତରେ କୌଣସିଥିରେ ମୁଣ୍ତ ପୂରାଇବାକୁ ଚାହୁଁ ନ ଥିଲୁ । ଭାବିଥିଲୁ ଜୀବନଟା ଇମିତି ଚାଲିଯିବ ସୁଖରେ ସୁଖରେ । ମା’ଠୁ ଆମେ ଅବିଚ୍ଛିନ୍ନ ହୋଇ ରହିବୁ ଆମରଣ-

 

କିନ୍ତୁ ମା’ର ମୃତ୍ୟୁ ପୂର୍ବରୁ ଆମ ସୌଭାଗ୍ୟର ହେଲା ଅକାଳ ମୃତ୍ୟୁ । ସେଦିନ ମେଘାଚ୍ଛନ୍ନ ଆକାଶ । ଝିପି ଝିପି ବର୍ଷା । ଏକ୍‌ସପ୍ରେସ ପୁରୀ-ହାଓ୍ୱାଡ଼ା ଗାଡ଼ି ଛାଡ଼ିବାକୁ ଆଉ ତିରିଶ ମିନିଟ ବାକୀ । ଜଣେ ବନ୍ଧୁଙ୍କ ଘରୁ ଆମେ ଫେରୁଥାଉ ଦୁଇଜଣ । ଘରକୁ ଆସି ଦେଖୁ, ତାଲା ବନ୍ଦ-

 

ଚମକ୍‌ ପଶିଲା ମନରେ । ହଠାତ୍‌ ମନେ ପଡ଼ିଗଲା ଗତକାଲି ରାତିର ଚିଠି । ‘‘ପଡ଼ିଶା ଘରେ ଚାବି ରହିଛି’’–ଖଣ୍ଡିଏ ଛୋଟ ଚିଠିରେ କେତୋଟି ଧାଡ଼ି ମାତ୍ର । ‘‘ମୁଁ କଲିକତା ଯାଉଚି, ଦୁଇଦିନ ବାଦ୍‌ ଫେରିଆସିବି ।’’ ସଙ୍ଗେ ସଙ୍ଗେ ଷ୍ଟେସନ ଗଲୁ । ସେତେବେଳକୁ ଗାଡ଼ି ଛାଡ଼ି ଦେଇଥାଏ–ଠିକ୍‌ ଅଧମିନିଟ୍‌ ଆଗରୁ । ଗାଡ଼ିର ପଛକୁ ଚାହିଁ ଚାହିଁ ଫେରିଲୁ । ସେହିଦିନଠାରୁ ଆମେ ଅପେକ୍ଷା କରି ରହିଚୁ । ଦୁଇ ଦିନପରେ ତିନି ଦିନ, ମାସ ପରେ ମାସ । ସନ୍ଧାନ ନାହିଁ, ଠିକ୍‍ଣା ନାହିଁ । ମା’ର ପୁନରାଗମନରର ଆଭାସ ସୁଦ୍ଧା ନାହିଁ । ଯିଏ ଏତେ ଭଲ ପାଉଥିଲା, ସେ କ’ଣ ଭୁଲିଯାଇପାରେ ଦୁଇଟି ନିରାଶ୍ରିତ ଜୀବନକୁ ?

 

ଅପେକ୍ଷା ଅପେକ୍ଷାରେ ଆଖି ପାଣି ଆଖିରେ ମରିଲା । ସାହିପଡ଼ିଶାଙ୍କ ଅଟ୍ଟହାସ, ଉପହାସ, ସାଙ୍ଗସାଥିଙ୍କ ଚିଗୁଲି ସବୁ ସହି ଛାତିକୁ ପଥର କରିନେଲୁ ।

 

ମୁଁ ରାନ୍ଧେ, ପୁଷ୍ପା ଖାଏ; ସେ ରାନ୍ଧିଲେ ମୁଁ ଖାଏ । ତାର ଦେହ ଖରାପ ହେଲେ ମୁଁ ହୁଏ ଡାକ୍ତର । ମୁଁ ଅସୁସ୍ଥ ହେଲେ ସେ ହୁଏ ଲେଡ ଡକ୍ଟର ।

 

ବଦନାମି ଯେମିତି ପର୍ବତାକୃତି । ସ୍ତୂପ ପରେ ସ୍ତୂପ ।

 

ପୁଷ୍ପା ବଦନାମିକୁ ଭାରି ଭଲ ପାଏ । ଯେତେ ବଦନାମି ହେବ, ସେତିକି ମଙ୍ଗଳ । ଥରେ ଥରେ କହେ–‘‘ଦାଦା, ବୟସରେ ମୁଁ ଛୋଟ; କିନ୍ତୁ ବଦନାମିର ଢେଉ ଭାଙ୍ଗିଚି ମୋ ଦେହ ଉପରେ ବହୁତା । ଲହଡ଼ି ଭାଙ୍ଗି ଯେମିତି ମୁଁ ଗୋଟାଏ ପ୍ରଶାନ୍ତସାଗର ପାରହୋଇ ବଙ୍ଗୋପସାଗର କୂଳରେ ଆସି ଲାଖିଚି । ଇଏ ତ ଅତି ସାମାନ୍ୟ ।’’

 

ସାମନାରେ ଓ୍ୱେଷ୍ଟ ପେପର ବାସ୍‌କେଟରୁ ଖଣ୍ଡିଏ ଖଣ୍ଡିଏ କାଗଜ ଚିରି ଚିରି ସେ କହୁଥାଏ ବହୁତ କଥା । ହଠାତ୍‌ ଅଟକିଗଲା ସେ ।

 

‘‘କିଲୋ, ବନ୍ଦ ହୋଇଗଲୁ ଯେ.....’’

 

ଦେଖିଲି ଗୋଟାଏ କ’ଣ ପଢ଼ୁଚି । ଖଣ୍ଡିଏ ପତ୍ରର ଛିନ୍ନାଂଶ । ଚାକୀମା ପାଖକୁ ଚିଠି । ଏଇମିତି ମଝିରେ ମଝିରେ ଆସେ । ଉର୍ଦ୍ଦୁଲେଖା ।

 

–ତୁ କ’ଣ ଉର୍ଦ୍ଦୁ ପଢ଼ିପାରୁ ?

 

–ହଁ, ବଙ୍ଗଳା ଖାଲି କହିପାରେ; କିନ୍ତୁ ଉର୍ଦ୍ଦୁ କହିପାରେ, ପଢ଼ିପାରେ, ଲେଖିପାରେ ।

 

–କିମିତି !

 

ପୁଣି ସେଇ ଗମ୍ଭୀରତା । ନୀରବ, ନିଶ୍ଚଳ, ଅପଲକ, ଧ୍ୟାନମଗ୍ନା ।

 

ଗୋଟାଏ ଦୀର୍ଘଶ୍ୱାସ ଟାଣି ସେ କହିଚାଲିଲା ତାର ସମସ୍ତ ଗୋପନ କାହାଣୀ ।

 

ମା’ ଏତେଦିନ ଧରି ଜାଣିପାରି ନ ଥିଲା ତାର ପାଳିତା କନ୍ୟା । ପୁଷ୍ପା ପ୍ରକୃତରେ ଅପହୃତା କହିଲେ ଠିକ୍‌ ହେବନାହିଁ, ପ୍ରେମାବେଶରେ ସେ ଚାଲିଆସିଥିଲା ସ୍ୱଇଚ୍ଛାରେ ପ୍ରେମିକ ରହମନ୍‌ ସହିତ । ରହମନ୍‌ ସୁଶିକ୍ଷିତ । ସାମ୍ପ୍ରଦାୟିକ ଭେଦଭାବ ତା ମନରେ ତିଳେହେଲେ ନ ଥିଲା-

 

ପୁଷ୍ପାର ଡାକ ନାଁ ଝୁନୁ ! ଝୁନୁ କହେ, ମୁଁ ଶୁଣେ–ଛୋଟ ପିଲାଦିନୁ ରହମନ୍‌ ସହିତ ତାର ପରିଚୟ । ପଡ଼ୋଶୀ ସେ । ସହପାଠୀ । ସିଏ ବି ଏକ ବଡ଼ ଇତିହାସ ।

 

ଭାବିଲି କଥାଟାକୁ ଏଇଠି ବନ୍ଦ କରିଦେବି । ଆଗ କଥାଗୁଡ଼ାକ ବଡ଼ ମର୍ମନ୍ତୁଦ । ମୋ ଆଖି ଛଳ ଛଳ ହୋଇପଡ଼ୁଥାଏ । ହୃଦୟ ଭିତରେ ଦହନ । ମନେ ହେଉଥାଏ ଯେମିତି ତୁଣ୍ଡରୁ ଆଉ ପଦେ କଥା ବି ବାହାରିବ ନାହିଁ । ବିନୟବାବୁ ମତେ ଟିକିଏ ହଲେଇ ଦେଇ କହିଲେ–‘‘ତୁମେ ବି ଗୋପନ ରଖିବାକୁ ଇଚ୍ଛା କରୁଛ ?’’

 

–ନାଇଁ ତ, ଗୋପନ ବା କ’ଣ ? ତେବେ ଟିକକ ପରେ କହିବି ।

 

ପାହାଡ଼ ଉପରୁ କୁହୁଡ଼ି ସେତେବେଳେ ଲିଭି ଲିଭି ଆସୁଥାଏ । ସ୍ପଷ୍ଟ ଦେଖାଯାଉଥାଏ ତ୍ରିପୁରା ସୀମାବର୍ତ୍ତୀ ପର୍ବତମାଳା । ତ୍ରି ପୁରାର ସ୍ମୃତି ପ୍ରକୃତରେ ମୋ ମନରେ ବଡ଼ ଗହନ, ବଡ଼ କଠୋର ।

 

–ହେଉ ଶୁଣନ୍ତୁ ବିନୟବାବୁ । ତାପରେ...ରହମନ ଆସେ ପୁଷ୍ପା ଘରକୁ । ଅବାଧ ଗତି-। ଗୋପାଳକୃଷ୍ଣ ଚିତ୍ରପଟ ଆଗରେ ପୂଜା କରିବସେ ଚାକୀମା । ପୂଜା ଅର୍ଚ୍ଚନା ହୁଏ । ପୁଷ୍ପା ଆଖି ବୁଜିଲେ ରହମନ୍‌ ଆଖି ବୁଜେ । ପୁଷ୍ପା ମୁଣ୍ଡିଆ ମାରିଲେ ରହମନ୍‌ ବି ମୁଣ୍ଡ ନୁଆଏଁ । ରହମାନ୍‌କୁ ପୁଷ୍ପା ଡାକେ ରାହୁ ବୋଲି । ଝୁନୁଠାରୁ ରାହୁର ବୟସ ତିନି ବର୍ଷ ଅଧିକ । ଦୁଇ ଧର୍ମର ମିଳନ ଗୋଟିଏ ଘରେ । ବୁଢ଼ା ଅଜୁ ମିଆଁ ଦାଢ଼ିକୁ ଟାଣୁ ଟାଣୁ ଦିନେ ପଚାରିଥିଲା ଝୁନୁକୁ–କି ଲୋ ବୁଢ଼ୀ, ତୁ ବଡ଼ ହେଲେ କ’ଣ କରିବୁ ?

 

–କାହିଁକି ? ବାହା ହେବି ।

 

–କାହାକୁ ଲୋ ?

 

ଦେଖେଇ ଦିଏ ରାହୁକୁ । ହଁ, ବଡ଼ ହେଲା ଝୁନୁ । କଥା ଦେଇଥିଲା ଅଜୁ ମିଆଁକୁ । ଢାକାରୁ ଆସିଥାଏ ରହମନ୍‌ ।

 

ସେଦିନ ଜଳି ଉଠୁଥିଲା ସମଗ୍ର ତ୍ରିପୁରା ରାଜ୍ୟ । ଚାରିଆଡ଼େ ମୃତ୍ୟୁର ହାହାକାର, ଚିତ୍‌କାର । ଖଣ୍ଡା ଓ ମୁଣ୍ଡର ଖେଳ । ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସଘର୍ଷ, ବିଦ୍ରୋହ । ପାଶବିକ ଅତ୍ୟାଚାର ଦମନଲୀଳା । ପାଷାଣ୍ଡ, ଅତି ଜଘନ୍ୟ । ଘରେ ଘରେ ଆର୍ତ୍ତନାଦ । ଏହି ରକ୍ତାକ୍ତ ଲେଲିହାନ ବାତାବରଣ ଭିତରେ ସ୍ୱପ୍ନ ଦେଖୁଥିଲେ ରହମନ ଓ ପୁଷ୍ପା–ରାହୁ ଓ ଝୁନୁ । ଏହି ସ୍ୱପ୍ନ ଦୁଇ ଆତ୍ମାର ମିଳନର, ଦୁଇ ସମ୍ପ୍ରଦାୟର ସ୍ନେହବନ୍ଧନର । ଏହି ସ୍ୱପ୍ନ ପଳାୟନ, ମୁକ୍ତିର ସ୍ୱପ୍ନ । ହୁଏତ ଆଉ ଏକ ମୁହୂର୍ତ୍ତକ ଅପେକ୍ଷାରେ ସେମାନଙ୍କ ସ୍ୱପ୍ନ ଭାଙ୍ଗିଯିବ । ଗୋଟିଏ ଖଡ଼୍‌ଗର ଆଘାତରେ ଲୋଟିପଡ଼ିବ ଦୁଇଟି ମୁଣ୍ଡ । ମୃତ ଶରୀର ମିଳନ ବି ଘଟି ନ ପାରେ ଗୋଟିଏ ଚିତାରେ-। ସେମାନେ ଚାହାନ୍ତି ଜୀବନ୍ତମିଳନ । ହୁଏତ ନ ହୋଇପାରେ ଶାସ୍ତ୍ରନୁମୋଦିତ । ଗୋଟିଏ ନିଭୃତ କକ୍ଷରେ ଦୁଇଟି ମସ୍ତିଷ୍କର ଗୋଟିଏ ଚିନ୍ତା ।

 

ସେହି ମୁହୂର୍ତ୍ତକ ମଧ୍ୟରେ ଝୁନୁ ସଜାଇଲା ନିଜକୁ ନାନା ବେଶଭୂଷାରେ । ଆଖିରେ କଜ୍ଜଳ, ମଥାରେ ସିନ୍ଦୂର, ଗଳାରେ ସୁନାର ହାର, ପାଦରେ ଅଳତା, ବେଣୀରେ ଯୁଈ ଫୁଲ । ସତେ ଯେପରି ସଦ୍ୟ ବିବାହିତା । ଏଇଲାଗେ ଉଠିଆସିଛି ବିବାହ-ବେଦୀରୁ । ଚିହ୍ନି ପାରି ନ ଥିଲା ରହମନ୍‌ । ମନେହେଲା ପୁଷ୍ପା ସହିତ ଏହା ହିଁ ତାର ପ୍ରଥମ ଦର୍ଶନ, ପ୍ରଥମ ପରିଚୟ । ଇଚ୍ଛା ହେଉଥିଲା ଟାଣିଆଣନ୍ତା ଛାତି ଉପରକୁ । ଚୁମାଟିଏ ଦେଇ କହନ୍ତା–ସତେ ଝୁନୁ ତୁ ଭାରି ସୁନ୍ଦର । ଲାଜ ଲାଜ ହୋଇ ଝୁନୁ ଆଡ଼େଇ ନିଅନ୍ତା ମୁହଁକୁ ।

 

ଝୁନୁର ମଧ୍ୟ ଇଚ୍ଛା ହେଉଥିଲା ଠିକ୍‌ ସେଇଆ । ଦର୍ପଣରେ ନିଜକୁ ଦେଖି ସେ ଚିହ୍ନିପାରି ନ ଥିଲା ସେଦିନ ନିଜକୁ ।

 

ସ୍ୱପ୍ନ ଭାଙ୍ଗି ଯାଏ, ସକାଳ ହୁଏ । ଗଙ୍ଗଶିଉଳୀ ଝରି ପଡ଼େ, ଚନ୍ଦ୍ର ଫିକା ପଡ଼ିଯାଏ । ଠିକ୍‌ ସେଇଆ ହେଲା ତାଙ୍କ ଜୀବନରେ । ଶରୀର ଶରୀରର ମିଳନ ଘଟିନି । ମଧୁଶଯ୍ୟାର ଗନ୍ଧ ଛୁଟିନି-। ସବୁ ରହିଗଲା ପ୍ରତୀକ୍ଷାରେ, ଅପେକ୍ଷାରେ । କି ଏକ ଅଦ୍ଭୁତ ଆବେଗରେ, ସ୍ୱପ୍ନର ଶୀତ୍‌କାରରେ, ମିଳନବଂଶାର ଆକର୍ଷଣରେ ସେମାନେ ଚାଲିଲେ–ରାତାରାତି । ଅନ୍ଧକାର ଭିତରେ ହିଁ ମିଳନର ସନ୍ଧାନ । କିନ୍ତୁ ଏହି ଅନ୍ଧକାର ହେଲା ସେମାନଙ୍କ ଜୀବନର ଅଭିଶାପ ।

 

ଦୁଇ ରାସ୍ତାରେ ଦୁଇ ଜଣ । ପ୍ରସ୍ତାବ ଥିଲା ସେମାନେ ମିଶିବେ ଗୋଟିଏ ସ୍ଥାନରେ, ଯେଉଁଠି ଆଶଙ୍କା ନାହିଁ, ଭୟ ନାହିଁ । ଝୁନୁ ପହଞ୍ଚିଲା, କିନ୍ତୁ ରହମନ୍‌ ନିରୁଦ୍ଦିଷ୍ଟ ।

 

ସକାଳ ପାହି ଆସିଥାଏ । ଝୁନୁ ଦେଖିଲା ତା ମଥାର ସିନ୍ଦୂର ସେମିତି ରହିଛି । କାନ୍ତିରେ ବିଶ୍ରାନ୍ତ ନାହିଁ କେବଳ ଭାଗ୍ୟଟା ବଦଳିଯାଇଚି ।

 

ରହମନ୍‌ ହୁଏତ ବହୁତ ଦୂରରେ ନଚେତ୍‌ କିଛି ଘଟିଛି ଅଘଟଣ । ଜ୍ୱଳନ୍ତ ଅଗ୍ନି, ବାଷ୍ପାଚ୍ଛନ୍ନ ବିଦ୍ରୋହ ବ୍ୟୂହ ଭିତର ଦେଇ ଆସିବାଟା କ’ଣ ସହଜ ? କେବଳ ଆସିପାରିଲା ଝୁନୁ । ଭାବିଲେ ସମୟ ଯାଏ–ଆଶ୍ରୟକୁ ଫୋପାଡ଼ିଦେଇ ସେ ଆସିଚି–ଏକ ଦୁଃସାହସିକ ପଦକ୍ଷେପ ତାର-। ଝୁନୁ ସୁନ୍ଦୁରୀ ବୋଲି ମୁସଲମାନ ଜୁଆନଗୁଡ଼ାକର ଆଖି ପଡ଼େ । ଲୋଲୁପ ଆଖି । ଆଜି ସକାଳେ ହୁଏତ ଚହଳ ପଡ଼ିବଣି–ଝୁନୁ ନାହିଁ, ରହମନ୍‌ ନାହିଁ । ଚାକୀମା ଉପରେ ବଜ୍ରପାତ, ଝୁନୁ ଅବିଶ୍ୱାସ କଲା ରହମନକୁ । ହୁଏତ ଆସିଚି କିଛି ବାଟ, ପରେ ଫେରିଯାଇଚି ଘରକୁ-। ଯେତେହେଲେ ପଠାଣ ରକ୍ତ ତ । ସେ ରକ୍ତରେ ସ୍ନେହ ଜନ୍ମ ହେବାମାତ୍ରେ ମରିଯାଏ । ଅତି କ୍ଷଣସ୍ଥାୟୀ ।

 

ରହମନ୍‌ ପ୍ରତି ଅନାସ୍ଥାପ୍ରସ୍ତାବ ଆଣି ମନେ ମନେ ଭାବିଲା ଝୁନୁ–ନା, ଆଉ ଫେରିଯିବା ହେବନି । ଆଗେଇଯିବ ସେ–ସୀମା ପାରି ହେବ ଯେତେଦୂର ହେଉପଛେ ।

 

ଝୁନୁ ଚାଲି ଚାଲି ଆସିଲା ବର୍ଦ୍ଧମାନ । ରିପ୍ୟୁଜି ଧାଡ଼ିରେ ଠିଆହେଲା–ହାତ ପିତେଇଲା, ଭିକ୍ଷା ମାଗିଲା । ତାର ପୂର୍ବ ରୂପଲାବଣ୍ୟ ଆଉ ନାହିଁ । ହୃଦୟରେ ଗୋଟାଏ ନିଆଁ ଜଳୁଥିଲା କେତେ ଦିନ ଧରି, ଲିଭିଆସିବା ପରେ ଖାଲି ଗୁଡ଼ାଏ ଧୂଆଁ । ଏ ଧୂଆଁରେ ଇଞ୍ଜିନ ଚାଲେ, ତାର ଜୀବନଟା ଚାଲିଚି । ହୃତ୍‌ପିଣ୍ଡ ପଡ଼ୁଚି ଉଠୁଚି ।

 

ଏହି ରହମନ ହିଁ ତା ଜୀବନର ପ୍ରଥମ ସୂର୍ଯ୍ୟ । ସେ ଚାହୁଁଥିଲା ଏହି ସୂର୍ଯ୍ୟର ଅସ୍ତରାଗ, ଏହି ଅସ୍ତରାଗ ଭିତରେ ପୁନର୍ମିଳନ । ଠିକ୍‌ କୋକାନଦ ଚନ୍ଦ୍ର ପରି ।

 

‘‘କ’ଣ ସରିଗଲା ଏତିକିରେ ?’’ ବିନୟବାବୁ ପଚାରିଲେ ।

 

–ନା ସରିନି । ସେମାନେ ଅଛନ୍ତି । ଗୋଟିଏ ଜୀବନର ଗୋଟାଏ ପାଖୁଡ଼ା ମାତ୍ର ଆପଣ ଦେଖିଲେ ।

 

ତାପରେ ଘରେ ଯାହା ଥିଲା ତାକୁ ବିକି ପେଟ ପୋଷିଲୁ ଆମେ ଦୁହେଁ । ଜଠରାଗ୍ନିର ତାଡ଼ନାକୁ ସହ୍ୟକରି ହେଲାନି । ଗୋଟାଏ ଟାଇପ୍‌ ମେସିନ, ସିଙ୍ଗର ସିଲେଇକଳ, ଦୁଇଟି ଇଲେକ୍‍ଟ୍ରିକ୍‌ ପଙ୍ଖା, ଷ୍ଟୋଭ, ଦୁଇଟି ସାଇକେଲ ମଧ୍ୟରୁ ଗୋଟିଏ ପରେ ଗୋଟିଏ ସବୁ ବିକା ଚାଲିଲା । ଗୋଟିଏ ଦିଗରୁ ପେଟ ପାଇଁ, ଅନ୍ୟ ଦିଗରୁ ବଦନାମିରୁ ବଞ୍ଚିବା ପାଇଁ ।

 

ପାଠ ପଢ଼ା ବନ୍ଦ । ବନ୍ଦ ପ୍ରାୟ କଲେଜ ଯିବା । ଜୀବନର ସବୁ ଗନ୍ଧ ଯେପରି ଲୋଟିପଡ଼ିଲା ଧୂଳିରେ । ଚୁଲିରୁ ଆଞ୍ଚ ଲିଭିଗଲା । ପରିବାବାଲା କେହି ଆସିଲେ ନାହିଁ ପରିବା ଯାଚିବା ପାଇଁ । ରିକ୍‌ସାବାଲା ବି ଆସିଲା ନାହିଁ ମା ଯିବେ ବ୍ୟାଙ୍କକୁ, ଦି’ ପଇସା ପାଇବା ଆଶାରେ-। ନେକ୍‌ଟାଇ, ସୁଟ, ଝିଲମିଲି ଶାଢ଼ି ସବୁ ମଇଳା, ଅପରିଷ୍କାର । ପଇସା କାହିଁ ଯେ ଧୋବା ନେବ-। ବାଳଗୁଡ଼ାକ ଶୁଖି ଶୁଖି ଆସିଲାଣି । ନୁଖୁରା, ତେଲ ନାହିଁ, ଚିକ୍‌କଣ ହେବ କେମିତି ? ମୋର ମନେଅଛି, ମୁଁ ଖବର କାଗଜ ବିକେ, ରୋଜଗାର କରେ । ଏ ଓଳି ଚାରଣା, ସେ ଓଳି ଚାରଣା । ଦୁଇ ଅଣାର ଭାତ, ଚାରି ପଇସାର ଡାଲି ହୋଟେଲରୁ ଆଣେ, ଦୁହେଁ ଏକାଠି ବସୁ । ଗୋଟାଏ ବାସନରେ ଦୁଇଟା ହାତ । ଖାଉ । ଭୋକିଲା ପେଟର ବାକୀ ଅଂଶଟା ଭର୍ତ୍ତିକରୁ ପାଣି ପିଇ ।

 

ସ୍ୱଚ୍ଛଳତା, ପ୍ରାଚୁର୍ଯ୍ୟ ଭିତରେ ହୁଏତ କେବେ ଝୁନୁ ଭାବିଥିଲା ଭବିଷ୍ୟତରେ ମୁଁ ହେବି ତାର ସ୍ୱାମୀ । ସେଇଥିପାଇଁ ସେ ବୁଲେଇ ବୁଲେଇ କଥା କହୁଥିଲା ବହୁତ । ଦିନେ ମୁଁ ତାକୁ ପଚାରିଥିଲି–ଭାରି କଷ୍ଟ ହେଉଚି ଝୁନୁ, ନା ?

 

ଆଖିରେ ଲୁହ ନ ଥାଏ ପେଟ ଶୁଖିଲା ଓଠ ଦିଇଟା, ରକ୍ତହୀନ ଶରୀର । କିଛି ଉତ୍ତର ନ ଦେଇ ନଇଁଆସିଲା ଝୁନୁ ଠିକ୍‌ ଛୋଟ ପିଲାଟି ଭଳି । ଆତୁର କରୁଣ ଆଖି ଦିଇଟା ମେଲି ସେ ମତେ ଚାହିଁଥିଲା । ଶେଷରେ ଗୋଟାଏ ଶବ୍ଦ । ଏକମାତ୍ର ସମ୍ବୋଧନ–ଦାଦା ! ତାପରେ କିଛି କହିନି ସେ । ଶୋଇପଡ଼ିଥିଲା ନିଘୋଡ଼ ନିଦରେ । ସକାଳୁ ଉଠି ଦେଖେ ଝୁନୁ ନାହିଁ । ଘର ଗୋଟାକଯାକ କିମିତି ଖାଲି ଖାଲି, ନୀରବ, ନିଶୂନ ।

 

ଝୁନୁର ସନ୍ଧାନରେ ମୁଁ ଧାଇଁ ଯାଇଥିଲି ବହୁତ ଦୂର । ପାଗଳ, ମାତାଲ ଭଳି ଏହି ତ୍ରିପୁରା ପର୍ଯ୍ୟନ୍ତ । ଦୀର୍ଘ ନଅ ବର୍ଷ ପରେ ସନ୍ଧାନ ପାଇଲି, ଝୁନୁ କୋଏମ୍ବାଟୁରରେ । ସେଇ ରହମନ୍‌, ସେଇ ପୁଷ୍ପା–ସେହି ରାହୁ, ସେହି ଝୁନୁ । ବାକୀ ରହିଗଲା ଚାକୀମା ।

 

ଝୁନୁର ରହମନ୍‌ ସହିତ ପୁନର୍ମିଳନ ବଡ଼ ଆକସ୍ମିକ । ସେ ପୁଣି ଏକ ଅଦ୍ଭୁତ ଘଟଣା । ଝୁନୁ ବହୁତ ଥର ଚିଠି ଲେଖିଚି–ଦାଦା ! ଏଇଠିକି ଚାଲିଆସ ।

 

ମୁଁ ଯାଇନି । ଝୁନୁ ଉପରେ ମୋର କୌଣସି ରାଗ ନାହିଁ । କେବଳ ମନର ଜୋର । ମୁଁ ଆଉ କାହାର ଆଶ୍ରୟ ଚାହେଁନି । ନିରାଶ୍ରିତ ଜୀବନକୁ ଭଲ ପାଇଆସିଛି ଏତେ ଦିନ ଧରି । ଝୁନୁ ମନିଅର୍ଡ଼ର କରି ପଠାଏ ପଚାଶ, ଶହେ, ଦୁଇଶହ, ତିନିଶହ ପର୍ଯ୍ୟନ୍ତ । ଫେରେଇ ଦେଇଛି ବାରମ୍ବାର । ଚିଠି ଲେଖିଛି ଝୁନୁ ପାଖକୁ–ଖାଲି ତୋର ଫଟୋ ଖଣ୍ଡେ ଚାହେଁ । ପାଇଲି । ସାଇତି ରଖିଚି ଏହି ବୁକୁ ଉପରେ ।

 

ଫଟୋ ଖଣ୍ଡିକ ବାହାର କରି ଦେଖେଇଲି ବିନୟବାବୁଙ୍କୁ ।

 

ଚିନୟବାବୁ ଫଟୋକୁ ଦେଖି ଚମକି ଉଠିଲେ । ଏ ଚମକ ଯୁବକସୁଲଭ । ମୋ ମୁହଁକୁ ଚାହିଁଲେ, ଗାଲ ପଶିଯାଇଛି, ବିଲକୁଲ ଶୁଖିଲା ଶୁଖିଲା । ଜ୍ୟୋତି ନାହିଁ ଆଖିରେ, କିନ୍ତୁ କପାଳ ଉପରେ କିଛିଟା ବିଶେଷତ୍ୱ, କିଛିଟା ପାର୍ଥକ୍ୟ । ପ୍ରଶ୍ନ କଲେ, ‘‘ତୁମେ ରହମନ୍‌ ନୁହଁ ତ ?’’

 

–ମୁଁ ଡିଟେକ୍‌ଟିଭ ଉପନ୍ୟାସ କହୁନି ବିନୟବାବୁ ! କଳ୍ପନା ନୁହେଁ, ସବୁ ସତ ।

 

ବିଶ୍ୱାସ କରିପାରିଲେ ନାହିଁ ସେ ଗୋଟିଏ ଛୋଟ ଜୀବନର ଏତେ କଥା !

 

କୁହୁଡ଼ି ମାଡ଼ିଆସିଲା ତ୍ରିପୁରା ପର୍ବତଶ୍ରେଣୀ ଉପରେ । ମଧ୍ୟାହ୍ନଭୋଜନର ସମୟ । ଖାଇବା କଥା ।

 

ମଣିପୁର ରାଜ୍ୟ ରହିଗଲା ବରାକ ନଦୀର ପୂର୍ବ ପ୍ରାନ୍ତରେ । ବର୍ମାର ପଶ୍ଚିମ ସୀମାନ୍ତରେ ଇନ୍ଦୋଚୀନ ଉପତ୍ୟକା–ଠିକ୍‌ ନାଗା ପାହାଡ଼ର କୋଳରେ । ଏଠାର ବସିନ୍ଦାମାନେ ବବ୍ରୁବାହନଙ୍କ ବଂଶଧର । ସମସ୍ତେ ରାଜବଂଶୀୟ । ଏଠାର ସମାଜ ନାରୀପ୍ରଧାନ । ଐରାବତବଂଶୀୟା ନାଗରାଣୀ ଉଲୁପୀଗର୍ଭରୁ ଜନ୍ମଲାଭ କରିଥିଲେ ଇରାବତ–ଯେମିତି ଜନ୍ମିଥିଲେ ବବ୍ରୁବାହନ । ଇରାବତୀ ନଦୀ ଆଜିପର୍ଯ୍ୟନ୍ତ ସେଇ ପୌରାଣିକ କାହାଣୀର ସାକ୍ଷ୍ୟ ଦେଇଆସୁଚି । ସମଗ୍ର ମଣିପୁର ଏବଂ ରାଜଧାନୀ ଇମ୍ଫାଲ ହେଉଚି ନୃତ୍ୟ, ଗୀତ, କୀର୍ତ୍ତନ, ବୈଷ୍ଣବପ୍ରେମ ଓ ଅତିଥିପରାୟଣତା, ହିମାଳୟର ଉଦାର ଗମ୍ଭୀର ପବିତ୍ରତା ଅଥଚ ମୁଖର, ଭୟଙ୍କର ପ୍ରକୃତିର ପ୍ରତିବିମ୍ବ । ନାଗା ପାର୍ବତ୍ୟଭୂମି ଓ ମଣିପୁର–ଇରାବତ ଏବଂ ବବ୍ରୁବାହନଙ୍କ ସେଇ ଦୁଇ ପ୍ରାଚୀନ ରାଜ୍ୟ ଆଜି ଅଙ୍ଗାଙ୍ଗୀ ଭାବେ ଜଡ଼ିତ; କିନ୍ତୁ ଶିକ୍ଷା, ସଭ୍ୟତା, ସଂସ୍କୃତି ହେଉଚି ମଣିପୁରର ସ୍ୱଭାବ ସମ୍ପଦ । ଏହିମାନଙ୍କର ପ୍ରଭାବରେ ହିଁ ନାଗା ପାର୍ବତୀୟ ଜାତିର ଗୋଟିଏ ବୃହତ୍ତର ଅଂଶ ଆଜି ସର୍ବ ପ୍ରକାର ସାମାଜିକ ଏବଂ ସାଂସ୍କୃତିକ ଉନ୍ନତି ଲାଭ କରିଛି । ମଣିପୁରର ସର୍ବତ୍ର ମହାରାଜା ଚନ୍ଦ୍ରକୀର୍ତ୍ତି ଏବଂ ଯୁବରାଜ ଟେକେନ୍ଦ୍ରିଜିତଙ୍କ ନାମ ଶ୍ରଦ୍ଧା ଓ ସମ୍ମାନରେ ମୁଖରିତ । ଟେକେନ୍ଦ୍ରିଜିତଙ୍କ ଗୌରବରେ ଉଦ୍‌ଭାସିତ ମଣିପୁର । ଇଂରେଜ ଶାସନର କଳଙ୍କମୟ ଇତିହାସ ଯୁବରାଜ ଟିକେନ୍ଦ୍ରି ଜିତଙ୍କୁ ଫାଶି ଦେବାରେ ଯେଭଳି ନୂତନ ଭାବରେ ପୁନର୍ଜୀବନ ଲାଭ କରିଛି । ମଣିପୁରର ସର୍ବାଧିନିକ ଇତିହାସରେ ରାଜା ପ୍ରିୟବ୍ରତ ସିଂହଙ୍କ ଉଦ୍ଦୀପନା ଓ ଅଧ୍ୟବସାୟକ୍ରମେ ତାଙ୍କ ରାଜ୍ୟର ଶିଳ୍ପକଳା, ସାହିତ୍ୟ, ଶିକ୍ଷା ଏବଂ ନୃତ୍ୟ-ଗୀତାଦିର ଅଭିନବ ଉନ୍ନତି ଘଟିଛି ।

 

ମୁଷାଇ ଆଉ ମଣିପୁର ପାର ହୋଇ ହିମାଳୟ ଜଟା ଜଟିଳତା ଭିତର ଦେଇ ଲମ୍ବିଛ ଅନେକ ଦୂରକୁ ଇନ୍ଦୋଚୀନ, ଆରାକାନ ବ୍ରହ୍ମଦେଶ, ପାଲୋଲ, ଶ୍ୟାମ ଏବଂ କମ୍ବୋଜେ ଦିଗରେ ଏହାର ବିସ୍ତାର । ଏଠାରେ ଡିମାପୁର, କୋହିମା, ଇମ୍ଫାଲ, ପାଲେଲ ଆଉ ଟାମୁ । ଏଠାରୁ ଆରମ୍ଭ ହୋଇଛି ପର୍ବତଶ୍ରେଣୀ, ଅନ୍ୟ ଦିଗରେ ଲମ୍ବିଚି ବହୁ ଦୂରାନ୍ତକୁ କର୍କଟକ୍ରାନ୍ତି ପାର ହୋଇ । ଏମାନେ ନିଜ ସାଥିରେ ନେଇ ଯାଇଛନ୍ତି ପ୍ରାଣର ଅନନ୍ତ ପିପାସା, କ୍ଷୁଧା ଏବଂ ପୂଜାର ବୀଜମନ୍ତ୍ର । ମଙ୍କି ଏବଂ ମେକାର ତୀରେ ତୀରେ ଇରାବତୀ ଏବଂ ଶାଳୀବନର ବାଲୁକାବିତାନରେ, ଇନ୍ଦୋଚୀନର ଶାଖା ବିଶାଖାରେ, ମଣିପୁର ନଜର ଲଗଟଙ୍କା ହ୍ରଦର ଭିନ୍ନ ପ୍ରାନ୍ତରେ ବୁଦ୍ଧ ସନ୍ନ୍ୟାସୀ ଯେଭଳି ଦୂରକୁ ବାହୁ ବିସ୍ତାର ପୂର୍ବର ତାର ଆଶୀର୍ବାଦ ଢାଳି ଦେଇଯାଇଛି–ଯେମିତି ଦିନେ ଯାଇଥିଲେ ମହେନ୍ଦ୍ର ଆଉ ସଂଘମତ୍ରା, ଯେମିତି ଯାଇଥିଲେ ଶାନ୍ତ, ରକ୍ଷିତ ଆଉ କମଳା, ଯେଭଳି ଯାଇଥିଲେ ଶ୍ରୀଜ୍ଞାନଦୀପଙ୍କର । ଏମାନେ ରଖି ଦେଇଗଲେ ଦୁର୍ବିସହ କ୍ଷୁଧା ଆମମାନଙ୍କର ମର୍ମେ ମର୍ମେ, ଯାହାର ପ୍ରଭାବରେ ଆମେ ଜନ୍ମଜନ୍ମାନ୍ତର ଜପ କରି ଚାଲିଚୁ ଏହି ଲୋହିତ ନଦୀ ଏବଂ ବ୍ରହ୍ମପୁତ୍ରର ଜନହୀନ ବାଲୁକାବେଳାରେ । ନୀଳପଦ୍ମ ଆଉ ସ୍ୱର୍ଣ୍ଣରକ୍ତିମ ଉପଳଖଣ୍ଡ ଖୋଜିଚାଲିଚୁ ଡିବଂ ଆଉ ସୁବର୍ଣ୍ଣଶ୍ରୀର ତଟେ ତଟେ । ଦେଖି ଚାଲିଚୁ ଏହି ବ୍ରହ୍ମକୁଣ୍ଡରେ, ଯାହା କୌଣସିଠି ଦେଖାଯାଏନା । ରଖିଦେଇଗଲୁ ଆମର ପରମପ୍ରାଣର ପ୍ରଣାମ ଏଠା ପାର୍ବତ୍ୟ ପ୍ରକୃତିର ପ୍ରତି ପରିମାଣୁରେ । ଛାଡ଼ିଦେଇଯାଇଚୁ ଆମମାନଙ୍କ ପ୍ରାଣର ଲକ୍ଷ ଲକ୍ଷ ବିନ୍ଦୁ ଏଠାର ଅରଣ୍ୟାନୀରେ, ଗୁହୋଖୀ ଗହ୍ୱରର ପ୍ରତିମୁଖରେ, ଏଠା ଦୀର୍ଘ ଉଦାର ବନବୀଥିରେ, ମେହନାହି ଚାରା ଭିତରେ, ସହସ୍ର ଝରଣାରେ, ନୀଳନୟନା ଅଳକାରେ-ପୃଥିବୀର ଚିର ବିସ୍ମୟ ଅରଣ୍ୟ, ପର୍ବତ, ଉପତ୍ୟକା, ନଦନଦୀ ଓ ତପୋବନ ତଥା ଉପବନ, ସ୍ନେହ ଆଉ ସୌନ୍ଦର୍ଯ୍ୟର ପିପାସା ଭିତରେ । ଲକ୍ଷ ଲକ୍ଷ ଆସାମୀୟ ରହନ୍ତୁ ଆନନ୍ଦ ଉଲ୍ଲାସରେ ଆମେ ବିଦାୟ ନେଇଯାଉଚୁ ହିମାଳୟ ସଙ୍ଗେ ସଙ୍ଗେ ।

 

ଆମେ ଫେରୁଛୁ ଘରକୁ । ଅରୁଣ ବନ୍ଧଠାରୁ ନଇଁଆସୁଛି ଦାମଚଡ଼ାର ଜଟିଙ୍ଗା ନଦୀ କୂଳକୁ । ବାଲୁକାପଥର ‘ଡାଙ୍ଗୀ’ ପାରହୋଇ ଅଜଗରୀ ବଣ ଛାଡ଼ି ଆମେ ପହଞ୍ଚିଲୁ ନଦୀକୂଳରେ–ଏହାର ତିନି ଦିଗରେ ପାହାଡ଼ର ଅବରୋଧ । ମଧ୍ୟାହ୍ନର ରୌଦ୍ର, ପକ୍ଷୀର କରୁଣ ମଧୁର କାକଳି-। ଏପାଖେ ଛାୟାବୃତ୍ତ ରହସ୍ୟାଲୋକ । ଆମେ ଚାଲିଚୁ ଦାମଚଡ଼ାଠାରୁ ଲାମାଡ଼ିଙ୍ଗ, ଡିମାପୁରଠାରୁ ମାର୍ଗେଜଟା, ଶିଳଘାଟଠାରୁ ଶିବସାଗର । ବିଜନ ଭୀଷଣ ଅରଣ୍ୟ ଭିତରେ ରଖିଦେଇଯାଉଚୁ ଆତ୍ମାର ଆତ୍ମୀୟତା, ରଖିଯାଉଚୁ ବିଭୀଷିକାର ଆରୋଧନା, ରଖିଯାଉଚୁ ଉତ୍ତର-ପୂର୍ବ ସୀମାନ୍ତରେ ହିମାଳୟର ଶେଷ ଆଶୀର୍ବାଦ ।

 

ନରକାସୁର ଓ କାମଦେବୀ କଥା ଆଗରୁ କହିଛି । ପଥ ନିର୍ମାଣ ଅସମାପ୍ତ ରହିଲା, କାମଦେବୀ ନରକାସୁରର ଅଙ୍କଶାୟିନୀ ନ ହୋଇ ବିଦାୟ ନେଲେ ମର୍ତ୍ତ୍ୟଭୂମିରୁ ।

 

ସେହି ଅସମାପ୍ତ ପଥର ଶେଷାଂଶ ଏବେ ବି ସେମିତି ରହିଚି । ଗୌହାଟୀ ଯିବା ବାଟରୁ ପ୍ରାୟ ମାଇଲିଏ ଖଣ୍ଡେ ଉଠାଣି ଉଠିଆସିଲେ ପଡ଼େ ନୀଳାଚଳ । କାମାକ୍ଷାଙ୍କ ମନ୍ଦିର ସାଙ୍ଗକୁ ରହିଛି ଉମାନନ୍ଦ ଭୈରବଙ୍କ ଆଉ ଗୋଟିଏ ମନ୍ଦିର । ଅନେକଙ୍କ ଧାରଣା, କାମାକ୍ଷାଙ୍କ ପୀଠଟି ନିର୍ମିତ ହୋଇଛି ପ୍ରାୟ ତେଇଶି ଶହ ବର୍ଷ ଆଗେ । ମନ୍ଦିର ଭିତରେ ନରନାରାୟଣ ଓ ଚିଳାରାୟଙ୍କ ପ୍ରସ୍ତର ମୂର୍ତ୍ତି ଦେଖିବାକୁ ମିଳେ । ଏଠାରେ ଚାରି ଶହ ବର୍ଷ ପୂର୍ବର ଶିଳାଲିପି ମଧ୍ୟ ଖୋଦିତ ହୋଇ ରହିଛି-

 

ଗୋଟିଏ ଅନ୍ଧକାର ସୁଡ଼ଙ୍ଗ ପଥରେ ତଳକୁ ନଇଁ ଆସିବାକୁ ହୁଏ କେତେକ ପାଦ । ତଳକୁ ଗଲେ ଆଖିରେ ପଡ଼େ ଏକ ପଥର ଚଟାଣ, କେତେକ ସ୍ଥାନରେ ପ୍ରସ୍ତର ଏବଂ ନାଲି ଶାଢ଼ିର ବିପୁଳ ସମାରୋହ ଦେଖିବାକୁ ମିଳେ । ଏଠାରେ ଅତି ଭଦ୍ର ସାଧୁ ଓ ମଧୁର ପ୍ରକୃତିର ପଣ୍ଡା ସେବକମାନେ ତାଙ୍କ ଘର ଭିତରକୁ ଡ଼ାକିନେଇ ସାନନ୍ଦ ସାଦର ପରିଚର୍ଯ୍ୟା କରିଥାଆନ୍ତି । ଭାରତର ଅନ୍ୟ କୌଣସି ସ୍ଥାନରେ ଏଭଳି ଉଦାରଚରିତ୍ର ପଣ୍ଡା ଦେଖାଯାଆନ୍ତି କ୍ୱଚିତ୍‌ । ସମସ୍ତେ ସୁମିଷ୍ଟ ବଙ୍ଗଳା, ଆସାମୀ ଏପରି କି ଓଡ଼ିଆ ଭାଷାରେ ମଧ୍ୟ କଥାବାର୍ତ୍ତା କରିଥାଆନ୍ତି । ଏଠାକୁ ଓଡ଼ିଆ ଯାତ୍ରୀ ଆସନ୍ତି ଶୁଣି ମୁଁ ଅବାକ୍‌ ହେଲି । ଏଭଳି ଗୋଟିଏ ସ୍ଥାନର ନାଁ ସୁଦ୍ଧା ଶୁଣି ନ ଥିଲି; ତଥାପି ଏଭଳି ଓଡ଼ିଆ ତୀର୍ଥଙ୍କରୀ ଅଛନ୍ତି, ଯେଉଁମାନେ କି ଏତେଦୂର ଆସନ୍ତି । ଏମାନଙ୍କ ସ୍ୱତନ୍ତ୍ର ପଣ୍ଡା ଅଛନ୍ତି, ସ୍ପଷ୍ଟ ଓଡ଼ିଆ କହନ୍ତି ।

 

ପାହାଡ଼ର ମାଳଭୂମିରେ କାମାକ୍ଷା ନାମରେ ଗୋଟିଏ ଗାଁ । ଗାଁରେ କୂଅ, ପୋଖରୀ, ଦୋକାନ ବଜାର, ସାଧାରଣ ବାସଘର ସବୁ ରହିଛି । ଗୋଟିଏ ବୃହତ୍‌ ପରିବାରରେ ଆମେ ଅତିଥି ହୋଇଥିଲୁ କେତେ ଘଣ୍ଟା; କିନ୍ତୁ ନିଜକୁ ଅନାତ୍ମୀୟ କିମ୍ବା ପ୍ରବାସୀ ମନେକରିନୁ । ଦିନବେଳେ ସୂର୍ଯ୍ୟାଲୋକରେ ସଂସାରଯାତ୍ରା ଚାଲେ ନିଜ ନିୟମରେ; କିନ୍ତୁ ରାତିରେ ଏହି ଗ୍ରାମର କୌଣସି କୌଣସି ଅଞ୍ଚଳରେ କିଛି ନା କିଛି ରହସ୍ୟଛାୟା ନଇଁ ଆସିଥାଏ । ମୋ ମନ ସହଜରେ କୌତୂହଳୀ । ଏଠାର ନାନାବିଧ କ୍ରିୟାକଳାପର କାହାଣୀ ଅନେକଦିନୁ ଶୁଣିଆସୁଚି । ମାରଣ, ଉଚ୍ଚଟନ, ବଶୀକରଣ, ଯନ୍ତ୍ରମନ୍ତ୍ର, ଇତ୍ୟାଦି ରହସ୍ୟଭେଦ କରିବା ଲାଗି କେବେ କେବେ ନୈଶ ଅଭିଯାନ କରିଛି; କିନ୍ତୁ ସକାଳ ପୂର୍ବରୁ ଫେରିଆସିବାକୁ ପଡ଼େ । ସେସବୁ ଆଲୋଚନା ଏଠାରେ ଅପ୍ରାସଙ୍ଗିକ ।

 

ନୀଳାଚଳର ନିମ୍ନଦେଶରୁ ଅର୍ଥାତ୍‌ ପାଣ୍ଡୁଠାରୁ ଗୌହାଟୀ ଅଭିମୁଖେ ଏକ ଲମ୍ବା ରାସ୍ତା । ଆଜିକାଲି ଭଳି ସେତେବେଳେ ଗୌହାଟୀରେ ସୁବିସ୍ତୃତ ସହର ନ ଥିଲା । ଏତେ ଲୋକ, ଏତେ କର୍ମଚାଞ୍ଚଲ୍ୟ, ଏତେ ପ୍ରକାରର ଯାନବାହନ ସେଦିନ କେହି ଭାବି ନ ଥିଲେ । ପ୍ରଧାନ ରାଜଧାନୀ ଥିଲା ଶିଲଂରେ । ଗୌହାଟୀ ପଡ଼ିରହେ ପଛରେ । ବନମୟ ସୁନ୍ଦର ପାର୍ବତ୍ୟ ପଥ । ପଥର ଦୀର୍ଘତା ଯେତେଦୂର ମନେପଡ଼େ ପଞ୍ଚଷଠୀ ମାଇଲ । ସେତେବେଳେ ଗୋଟିଏ ବଙ୍ଗଳା ପ୍ରତିଷ୍ଠାନ ବର୍ତ୍ତମାନ ଅଛି କି ନା ଜାଣେନା; କିନ୍ତୁ ଗୌହାଟୀ-ଶିଲଂ ରାଜପଥ ସେଦିନ ଭାରି ଭଲ ଲାଗିଥିଲା । ମନେପଡ଼େ ସିଲଗୁଡ଼ି-ଦାର୍ଜିଲିଂ ରାସ୍ତା । ଏହା ଚିରକାଳ ମନେରହିଲା ଶ୍ରେଷ୍ଠ କବିତା ଭଳି । ବିରାଗୀ ମନରେ ନାନା ଅନର୍ଥକ ଭାବ ଜାଗ୍ରତ କରେ ଏହିସବୁ ପଥପ୍ରାନ୍ତର, ଶୈଳ, ଲତା । ହଠାତ୍‌ ଆଣେ ଅଶାନ୍ତି, ହଠାତ୍‌ ବାଜିଉଠେ ସୁଦୂର ବେଦନାକୁଳ ବଂଶୀ । ଏହି ବାଟରେ ଚାଲିଲେ ପ୍ରାଣ ଉଡ଼ିଯାଏ କୁଆଡ଼େ ଯେମିତି ପାନ୍ଥହରା ସ୍ୱରରେ–ହିମାଳୟର ଶାଖା ପ୍ରଶାଖାର କନ୍ଦରେ କନ୍ଦରେ-। ଦେଖିଚି ଭୁବନେଶ୍ୱରୀ ଶିଖର ଉପରୁ ବ୍ରହ୍ମପୁତ୍ରର ଶୋଭା ଅପରୂପ ।

 

ଗୌହାଟୀ ପାର ହେଲେ ଖାଲି ପ୍ରାନ୍ତର ଆଉ ଅରଣ୍ୟ । ବାଟରେ ଦେଖିବାକୁ ମିଳେ ଶିକାରକେନ୍ଦ୍ର ଗଛ ଗଛରେ ମଂଚା । ଶସ୍ୟ ଲୋଭରେ ଆଓୁଥିବା ଜନ୍ତୁମାନଙ୍କୁ ତଡ଼ିବା ଲାଗି ଏହି ମଂଚା । ଗୌହାଟୀ ଶିଲଂ ମଝିରେ ପଡ଼େ ପାହାଡ଼ୀ ସହର ନ୍ୟାପୋ । ଛବି ଭଳି ଦେଖାଯାଏ ସହରଟି । କାଠବିକ୍ରୟ କେନ୍ଦ୍ର ।

 

ବର୍ଷର ପ୍ରାୟ ଅନେକ ସମୟ ଆସାମରେ ମେଘ ଛାଇହୋଇ ରହିଥାଏ । ଆମ ଆଖିରେ ଯାହା ଅତିବୃଷ୍ଟି, ଆସାମର ଲୋକଙ୍କ ପକ୍ଷରେ ତାହା ଅତି ସାଧାରଣ । ଆସାମ ଉର୍ବର, କିନ୍ତୁ ସନ୍ତସନ୍ତିଆ । ମାଟି ସବୁବେଳେ ଓଦା ଓଦା । ତଳଦେଶରେ ଯେଉଁମାନେ ରହନ୍ତି, ସେମାନଙ୍କର ବଡ଼ କଷ୍ଟ । ଜନ୍ତୁ ପାହାଡ଼ ଉପରକୁ ଉଠିବାମାତ୍ରେ ଦେହରେ ପାଇନବଣର ହାଓ୍ୱା ଲାଗେ । ଇମିତି ଫୁଲ ଗନ୍ଧ ପାଇବେ ଯାହା କି ଜୀବନରେ କେହି କେବେ ଆଘ୍ରାଣ କରି ନ ଥିବେ । ଇମିତି ନୀରନାରୀ ଆଖିରେ ପଡ଼ିବେ, ଯାହାକୁ ଖୋଜିଲେ ବି ମିଳିବେନି ଅନ୍ୟ କେଉଁଠି ।

 

ଶିଲଂରେ ଆସି ପହଞ୍ଚିଲୁ । ଏହା ସମୁଦ୍ରପତ୍ତନର ପାଞ୍ଚ ହଜାର ଫୁଟ ଉଚ୍ଚରେ । ମସ୍ତ ଏକ ସହର, ପ୍ରାୟ ସମତଳ । ସହୁରଟି ଯେମିତି ହସିଉଠୁଚି ପ୍ରଫୁଲ୍ଲ ଚିତ୍ତରେ । ଦାର୍ଜିଲିଂ ଭଳି ନୁହେଁ-। ଏଠାରେ ବଡ଼ ବଡ଼ ରାଜପଥ ପଡ଼ିଚି ନାନା ଦିଗରୁ । ପ୍ରଶସ୍ତ ମାଳଭୂମି । ମନେହୁଏ ଯେମିତି କାଶ୍ମୀରର ଶ୍ରୀନଗର । ଏଭଳି ବଡ଼ ବଡ଼ ବାଡ଼ିବଗିଚା ସହସା କୌଣସି ପାର୍ବତ୍ୟ ସହରରେ ଆଖିରେ ପଡ଼େନା । ଚାରିଆଡ଼େ ପ୍ରଚୁର ଲୋକ, ନରନାରୀ, ଅନବଦ୍ୟ ଯୌବନ । ଧନୀ ଆସାମୀୟ, ସଂଭ୍ରାନ୍ତ ବଙ୍ଗାଳୀ ବିଶେଷ କରି ଲବାନ ଅଞ୍ଚଳରେ ଏମାନେ ରହିଆସିଚନ୍ତି ପୁରୁଷାନୁକ୍ରମେ । କେଉଁଠି କେଉଁଠି ସାହେବମାନଙ୍କ ବଙ୍ଗଳା । ସଭ୍ୟ ଅସଭ୍ୟ ନଗ୍ନ ଅର୍ଦ୍ଧନଗ୍ନ ଇତର ଓ ଭଦ୍ର ଲାଖି ରହିଚନ୍ତି ଗାତ୍ରେ ଗାତ୍ରେ । ଅସାମୀୟ, ମଣିପୁରୀ ନାଗା, ସିଲେଟୀ, ଆସିୟା ଏହିମାନଙ୍କୁ ଦେଖି ମୁଁ ମୁଗ୍‌ଧଚକିତ । ଆସାମୀୟମାନଙ୍କ ନିଜ ଭାଷା ହେଉଚି ‘‘ଅହୋମ’’–ଶୁଣିବାକୁ ଭାରି ଚମତ୍କାର । କିନ୍ତୁ କାନକୁ ଲାଗେ ଯେମିତି ଓଡ଼ିଆ ଭାଷାର ଅପଭ୍ରଂଶ । ଦୁଇ ଚାରୋଟି ଅକ୍ଷର ଇଆଡ଼ିକି ସିଆଡ଼ିକି, ନଚେତ୍‌ ଏକ ।

 

ସମଗ୍ର ଶିଲଂ ଯେମିତି ଗୋଟିଏ ପୁଷ୍ପପାତ୍ର । ପ୍ରତି ବୃକ୍ଷଲତାରେ, ଗଛର ଡାଳେ ଡାଳେ ଅଜସ୍ର ଫୁଲର ଆଶ୍ଚର୍ଯ୍ୟ ଶୋଭା, ସୌରଭ । ଫୁଲ ଆଉ ଫଳର ଉଦ୍ୟାନରେ ଯେପରି ପ୍ରକୃତିର କାରୁକାର୍ଯ୍ୟର ଅନିନ୍ଦ୍ୟ କମନୀୟତା । ଡାଳିମ୍ବ, ନାସ୍‌ପାତି ଆଖରୋଟ୍‌, ନାନା ରକମର ବହୁତ ଫଳ-। ବଜାରରେ ଯାଇ ଠିଆହେଲେ ଦେଖିବ ବିଚିତ୍ର ଦୃଶ୍ୟ । ଯେମିତି ମେଳା ବସିଚି ଆନନ୍ଦହାଟରେ-। ବଜାରରେ ଦେଖିବାକୁ ମିଳେ ବିକ୍ରୀ ହେବାକୁ ଆସିଛି ଡାଲି ଚାଉଳ ସାଙ୍ଗକୁ ଧନୁଶର, ପନିପରିବା ସାଙ୍ଗକୁ ନାନାବର୍ଣ୍ଣ ପକ୍ଷୀମାନଙ୍କ ପର, କାଠ, ଲୁଣ ସାଙ୍ଗକୁ ରୂପାର ଗହଣା, ଆଉ ହାଡ଼ର ମାଳା । କିଏ ବା ନାଚିଯାଉଚି, କିଏ ଗୋଡ଼କୁ ବାଡ଼େଇ ଘୁଙ୍ଗୁର ରୁଣଝୁଣ କରୁଚି । ବଜାରରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ । ସ୍କୁଲ ପାଠଶାଳାକୁ ଯାଇ ଦେଖ ବହୁ ଖ୍ରୀଷ୍ଟିୟାନ । ମିଶନାରୀ ଝିଅ ନେତ୍ରୀ–ପଛେ ପଛେ ଚାଲିଛନ୍ତି ଶହ ଶହ ଝିଅ । ନାନା ସମ୍ପ୍ରଦାୟ, ନାନା ଉପଜାତିର ମିଶ୍ରଣ; କିନ୍ତୁ ସମସ୍ତେ ଏକାକାର ଖ୍ରୀଷ୍ଟାନ ଧର୍ମରେ । ଆମେ ଯେଉଁ ହୋଟେଲରେ ଚଳୁଥିଲୁ, ତା ତଳେ ଗୋଟିଏ ପରିବାର ରହୁଥିଲେ–ବାପା ମୁସଲମାନ, ମା ହିନ୍ଦୁ, ଝିଅ ଖୀରସ୍ତାନ, ପୁଅ ତଥୈବ ଚ । ଖ୍ରୀଷ୍ଟାନ ହୋଇଗଲେ ଅନେକ କଥାରେ କୌଣସି ଭାବନା ରହେନା, ମିଶନାରୀମାନେ ସମସ୍ତ ସୁବ୍ୟବସ୍ଥା କରିଦେଇଥାଆନ୍ତି ।

 

କୁଆଡ଼େ କ’ଣ କହୁଥିଲି, କେଉଁଠି ଆସି ପହଞ୍ଚିଲିଣି । ଦକ୍ଷିଣ ଆସାମର ଅସଂଖ୍ୟ ଗିରିଶ୍ରେଣୀ ପ୍ରକୃତରେ ହିମାଳୟର ମୂଳ ମେରୁଦଣ୍ଡ ନୁହନ୍ତି; କିନ୍ତୁ ଏମାନେ ସମସ୍ତେ ହିମାଳୟର ଶିରା, ଉପଶିରା । ଗୋରା, ଖାସି, ଜୟନ୍ତିୟା, କାଛଡ଼, ଲାସାଇ, ମିକିରି, ନାଗା, ପଟକାଇ, ଆରବ, ମିସମି ଏମାନେ ସମସ୍ତେ ସେହି ଶିରା ଉପଶିରାର ଭଗ୍ନାଂଶ । ଅନେକ ସମୟ ପରସ୍ପରର ସଂଯୋଗ ବିଚ୍ଛିନ୍ନ, ଅନେକ ସମୟ ଧାରାବାହିକତା ଆଖିରେ ପଡ଼େନା । କିନ୍ତୁ ଚେର ରହିଛି ମାଟିର ତଳେ, ଉପତ୍ୟକାର ନଦୀଗର୍ଭରେ କିମ୍ବା ଅରଣ୍ୟଲୋକ ଭିତରେ । ହିମାଳୟ ଏକ, ଆଦି ଓ ଅନନ୍ୟ–ହଜାର ହଜାର ମାଇଲ ମଧ୍ୟରେ ତାର ଦୂରଦୂରାନ୍ତପ୍ରସାରୀ ଅସଂଖ୍ୟ ଶାଖା ପ୍ରଶାଖା ଚିରଶ୍ରେଣୀ ନାମରେ ପ୍ରକାଶିତ ।

 

ମୁଁ ଭାରତୀୟ–ଏହା ହଁ ମୋର ଏକମାତ୍ର ପରିଚୟ । ହୋଇପାରେ ମୁଁ ରାଜସ୍ଥାନୀ, ମରାଠୀ, ବଙ୍ଗାଳୀ,. ଓଡ଼ିଆ, ମାନ୍ଦ୍ରାଜୀ କିମ୍ବା ଆସାମୀୟ; କିନ୍ତୁ ମୁଁ ଭାରତୀୟ, ଅଭିନ୍ନ, ଅଚ୍ଛେଦ୍ୟ, ଅଖଣ୍ଡ, ଅକ୍ଷୁର୍ଣ୍ଣ । ଆମର ଅନ୍ୟ ପରିଚୟ ହେଲା ଆଞ୍ଚଳିକ; କିନ୍ତୁ ଏହା ପ୍ରଧାନ ନୁହେଁ, ଅପ୍ରଧାନ । ଆଗେ ମୁଁ ଭାରତୀୟ, ତାପରେ ଯାଇ ଓଡ଼ିଆ । ଆମର ଜନ୍ମଭୂମି ବଡ଼, ବାସସ୍ଥାନ ବଡ଼ ନୁହେଁ । ଆମର ସମସ୍ତ ସତ୍ତା ବ୍ୟାପ୍ତ ହୋଇରହିଛି କାଶ୍ମୀରଠାରୁ କୁମାରିକା, କାବେରୀର ଅବବାହିକା, ଗଙ୍ଗ ଆଉ ତୁଙ୍ଗଭଦ୍ରାରେ । ଆମେ ସ୍ୱୀକାର କରୁନା କୌଣସି ଶିକ୍ଷା ଆଉ ସଂସ୍କୃତିର ଆଞ୍ଚଳିକ ଶାସନ । ଆମେ ସର୍ବଭାରତୀୟ, ଭାରତୀୟ ପଥିକ । ସେଦିନ ଆସାମ ସହିତ ଆମେ ହୋଇଥିଲୁ ଏକାକାର-

 

ଚେରାପୁଞ୍ଜି । ଖଡ଼ିପଥର ପାହାଡ଼ ପାଖକୁ ଲାଗି ଲାଗି ଚାଲିଚୁ । ସୁଦୂର ସୁରମ୍ୟ ଉପତ୍ୟକା ଆଡ଼କୁ ଶ୍ରୀହଟ୍ଟ ପଥରେ । ଆକାଶରେ ମେଘ ଘନେଇ ଆସେ । ଏଇ ବର୍ଷା ଆସିଲା କହୁ କହୁ ଯେମିତି ବର୍ଷା ଝରିଆସେ । କେତେକ ମାଇଲ ଦୂରରେ ହସ୍ତୀ ପ୍ରପାତ । ନିଭୃତ ଅରଣ୍ୟଛାୟାରେ ନଇଁଆସିଛି ଜଳଧାରା । କୁଞ୍ଜବନର ନିର୍ଜନ ଅଞ୍ଚଳରେ ଗଦ୍‌ଗଦ୍‌ କଣ୍ଠର କାକଳୀ ଶୁଣାଯାଏ ସବୁବେଳେ ।

 

ଶିଲଂଠାରୁ ଚେରାପୁଞ୍ଜି ପ୍ରାୟ ଚଉତିରିଶ ମାଇଲ ଦୂର । କେଉଁଠି ସମତଳ, କେଉଁଠି ଗଭୀର ଖାଲ । କେଉଁଠି ଆରକ୍ତିମ ଗିରିମାତ୍ର, କେଉଁଠି ଅରଣ୍ୟର ଉଦାର ଗାର୍ମ୍ଭୀର୍ଯ୍ୟ । ମଝି ମଝିରେ ବଡ଼ ଦୁସ୍ତର ଓ ଦୁଃସାଧ୍ୟ ପୃଥିବୀ ଭିତରେ ସବୁଠାରୁ ଅଧିକ ବୃଷ୍ଟି ହୋଇଥାଏ ଏହି ଅଞ୍ଚଳରେ । ମେଘ-ସଜଳ ହାଓ୍ୱାରେ ସମଗ୍ର ବିଶ୍ୱ ପ୍ରକୃତି ଯେମିତି ବିମର୍ଷ ଓ ଧୂସର ।

 

ଆସି ପହଞ୍ଚିଲୁ ଚେରାପୁଞ୍ଜି ସହରରେ । ଶୈଳବାଳାଚ୍ଛନ୍ନ ସଂସାର-ଯାତ୍ରା ସହଜରେ ଏଠାରେ ଆଖିରେ ପଡ଼େ । ଦୁଇ ଚାରିଟା ସରକାରୀ ଆଉ ବେସରକାରୀ ଘରଦ୍ୱାର । ଜନହୀନ । ପ୍ରାଣୀଚିହ୍ନବର୍ଣ୍ଣ ହୀନ । ପର୍ବତ ଶାଖାର ଏହି ସ୍ଥାନଟା ଚୁପଚାପ । ନିମ୍ନଦେଶକୁ ନଇଁଆସିଚି ଅସଂଖ୍ୟ ଝରଣାର ଧାରା । ଦୂର ଦିଗନ୍ତରେ ଛାୟାଚ୍ଛନ୍ନ ସୁରମ୍ୟ ଉପତ୍ୟକା । ପାହାଡ଼ ମଧ୍ୟରେ ମୁଣ୍ଡ ଉପର ଦେଇ ଲୌହରଜ୍ଜୁପଥ ଚାଲିଚି ଭେଲାଙ୍ଗଜ ଆଡ଼କୁ ।

 

ଚେରାପୁଞ୍ଜି ଉପରେ ପୁଣି ଥରେ କଳାମେଘ ଘନେଇ ଆସିଥାଏ । ଆମେ ଫେରିଲୁ କ୍ୟାମ୍ପକୁ ।

 

ବିନୟବାବୁ ଇଞ୍ଜିନିୟର, ଟୁଟୁଦିର ବଡ଼ ଆତ୍ମୀୟ । ଜିପ ଧରି ବହୁତ ବୁଲିଚୁ । ପ୍ରତି ସ୍ଥାନର ଇତିହାସ ଶୁଣିଛି ବିନୟବାବୁଙ୍କଠାରୁ–ବଡ଼ ସୁନ୍ଦର ସରସ ଭାବରେ କହନ୍ତି । ଲୋକଟା ଇଞ୍ଜିନିୟର ହୋଇ, ନକ୍‌ସା ନ ଆଙ୍କି ଯଦି ସାହିତ୍ୟ ଲେଖୁଥାଆନ୍ତା....

 

ଆହୁରି ଦୁଇ ଦିନ ବୁଲା ପରେ ଦିବ୍ରୁଗଡ଼ ଫେରିଲା ବେଳକୁ କାଲେଣ୍ଡରର ଉପର ପୃଷ୍ଠାଟା ଚିରା ସରିଲାଣି । ଦେଖିଲି ସ୍ୱପ୍ନାର ଦୁଇଟା ଆଖିରେ ରୋଷ, ଅଭିମାନର ଏକ କରୁଣ ସଙ୍କେତ ! ବାଳ ଗୋଛାକରେ ତେଲ ଲାଗିନି । ପ୍ରସାଧନହୀନ ଚୁକ୍ଷ ଗୋଟାଏ ଦେହ ।

 

ପ୍ରଥମେ ତାକୁ ଦେଖିଥିଲି ଦୁଆର ମୁହଁରେ । ଭଲ କରି ଦେଖିଥିଲି; କିନ୍ତୁ ଜାଣି ଶୁଣି ତା ଦେହରେ ଘଷି ହୋଇ ମୁଁ ପଶି ଆସିଥିଲି ଘର ଭିତରକୁ । ବାବଲି, ରତ୍ନା ଧାଇ ଆସିଥିଲା । ତାଙ୍କୁ ଗେଲ କରୁ କରୁ ସତର୍କ ଭାବରେ ଚାହିଁ ରହିଥିଲି ଫାଟକକୁ ।

 

ଆଖିରେ ଆଖି ପଡ଼େ । ଗୋଟାଏ ଆଖିର କ୍ରୋଧ ଯିମିତି ଫିକା ପଡ଼ିଯାଏ ଆଉ ଗୋଟାଏ ଆଖିର ତାଚ୍ଛଲ୍ୟରେ । ସ୍ୱପ୍ନା ଶୁଣିଲା ଭଳି ଟୁଟୁଦିକି କହେ–ବୁଲା ସରିଲା, ଏଣିକି ଛାଡ଼ିବା ହେଉ ।

 

ଟୁଟୁଦି କ’ଣ ଉତ୍ତର ଦେଲେ କେଜାଣି, ମୁଁ ଶୁଣିବାକୁ ଆଗଭର ନଥାଏ । ମୁଁ ଲକ୍ଷ୍ୟ କରୁଥାଏ ଏ କଥାରେ ସ୍ୱପ୍ନାର ପ୍ରତିକ୍ରିୟା କ’ଣ ?

 

ପ୍ରତିକ୍ରିୟା ଯେ ଏତେ ମର୍ମନ୍ତୁଦ ହୋଇଉଠିବ, ମୁଁ ଜାଣି ନ ଥିଲି । ଦିନସାରା ଖିଆ ନାହିଁ, ପିଆ ନାହିଁ; ସ୍ୱପ୍ନା ବ୍ରତଚାରିଣୀ, ଉପବାସିନୀ । ନାରୀସୁଲଭ କଇଁ କଇଁ କାନ୍ଦରେ ସେ ଲୋଟି ନ ପଡ଼ିଲେ ମଧ୍ୟ ମୁଁ ଦୂରରୁ ଅନୁଭବ କରିଛି, ତା ଭିତରଟା ଦହକୁଚି, କାନ୍ଦି ଉଠୁଚି–ସୁଁ ସୁଁ ହୋଇ ବଡ଼ପାଟିରେ । ସେ କାନ୍ଦ ଛାତି ଫଟେଇ ପ୍ରତିଧ୍ୱନି ତୋଳୁଚି ମୋ ହୃଦୟରେ ।

 

ଟୁଟୁଦି କ’ଣ ଉତ୍ତର ଦେଇଥିଲା କେଜାଣି, ମୁଁ ପୁଣି କହିଲି–ହଁ ରହିବି ।

 

–ଶୁଣିଲୁ ସ୍ୱପ୍ନା ! ଗୋରାଟା ଗୋଟାଏ ପାଗଳ । କିଏ ତତେ କହୁଚି ରହ ?

 

ସ୍ୱପ୍ନାର ରାହା ଫିଟିଲା, ଯିମିତି ସୁଯୋଗ ଖୋଜୁଥିଲା ସେ । ସଙ୍ଗେ ସଙ୍ଗେ ଧାଇଆସି କହିଲା–ପାଗଳ ନୁହେଁ, ନିହାତି ପାଗଳ ।

Image

 

Unknown

ମେହଲୀ

 

୧୯୧୯ ଖ୍ରୀଷ୍ଟାବ୍ଦର କଥା । ନାଗା ପାହାଡ଼ ଅଞ୍ଚଳରେ ବହୁଦିନର ଧୂମାୟିତ ଅସନ୍ତୋଷ ସେଦିନ ଆତ୍ମପ୍ରକାଶ କଲା ବିଦ୍ରୋହରେ । କାମ୍ବିରନେ ଜାମୋଦାଙ୍ଗ ସେଦିନ ସ୍ୱାଧୀନ ସୀମାନ୍ତ ଉପଜାତି ମଧ୍ୟରେ ସୃଷ୍ଟି କଲେ ଏକ ନୂତନ ଜାଗରଣ । ଦୂର ଆସାମର ସମତଳ ଭୂମିରେ ସେତେବେଳେ ଆରମ୍ଭ ହୋଇଥାଏ ଆଇନଅମାନ୍ୟ ଆନ୍ଦୋଳନ । ଇଂରେଜ ସରକାରଙ୍କ ବିରୁଦ୍ଧରେ ମହାତ୍ମାଗାନ୍ଧୀଙ୍କ ଆଇନଅମାନ୍ୟ ଆନ୍ଦୋଳନ ସମ୍ବାଦ ପ୍ରକୃତି ଓ ମଣିଷର ବାଧା ଭେଦକରି ନାଗାପାହାଡ଼ ଭିତରକୁ ବିସ୍ତାର ଲାଭ କରିଥାଏ । ଜମୋଦାଙ୍ଗଙ୍କୁ ନରବଳି ଦେବା ଅପରାଧରେ ଫାଶି ଦିଆଗଲା । ନାଗା ବିଦ୍ରୋହର ନିଆଁ କିନ୍ତୁ ଲିଭିଲା ବର୍ଷର ବାଳିକା ଗାଇଦିଲିଓ-। ନାଗାମାନେ ସେତେବେଳେ ସମସ୍ତ ଅତ୍ୟାଚାର, ଉତ୍ପୀଡ଼ନକୁ ତୁଚ୍ଛ ମନେକରି ବିଦ୍ରୋହୀ ହୋଇଉଠିଥିଲେ । ନିବିଡ଼ ଘନ ଜଙ୍ଗଲ ଭିତରେ, ନିଘଞ୍ଚ ପାହାଡ଼କୋଳରେ, ନାଗା ପଲ୍ଲୀ ପଙ୍କାଳରେ ଆବାଳ-ବୃଦ୍ଧ-ବିନିତା ତେଜି ଉଠିଲେ, ଝାସ ଦେଲେ ବିଦ୍ରୋହ-ନିଆଁରେ-। ଗାଇଦିଲିଓଙ୍କୁ ଧରିବା ଲାଗି ବିଞ୍ଚି ହୋଇଗଲେ ସରକାରୀ ଗୁପ୍ତଚର ଦଳ, ଧରିବା ଲାଗି ସଙ୍ଗେ ସଙ୍ଗେ ଘୋଷଣା କରାଗଲା ମୋଟା ପୁରସ୍କାର । ସଶସ୍ତ୍ରବାହିନୀ ସମଗ୍ର ନାଗା ଅଞ୍ଚଳକୁ ଅସ୍ତବ୍ୟସ୍ତ କରି ପକାଇଲେ ।

 

କିନ୍ତୁ ଖୋଜଖବର ମିଳିଲା ନାହିଁ ଗାଇଦିଲିଓଙ୍କର । ବିପ୍ଳବିଣୀ ଗାଇଦିଲିଓ ସେତେବେଳେ ଗ୍ରାମେ ଗ୍ରାମେ ସଙ୍ଗଠନ କରି ଚାଲିଥାଆନ୍ତି । ପାହାଡ଼ର ଦୁର୍ଗମ ପଥରେ ତାଙ୍କର ଯାତାୟାତ । ଆଜି ହୁଏତ କୌଣସି ଗ୍ରାମରେ ସଭା କରୁଛନ୍ତି ତ, ଖବର ଆସିଲା, ପୁଲିସ ଦଳ ସଙ୍ଗେ ସଙ୍ଗେ ଚାଲିଲେ ସେଇ ଗାଁକୁ । ଗାଁ ସାରା ତଲାସ ହୁଏ, ପତ୍ତା ମିଳେନି ଗାଇଦିଲିଓଙ୍କର-। କେଉଁ ଅନ୍ଧାର ଗୁହାଗହ୍ୱର ଭିତରେ ତାଙ୍କର ଗୋପନ ସଞ୍ଚରଣ । ଗ୍ରାମବାସୀମାନେ ସେତେବେଳେ ନିଶ୍ଚିନ୍ତ ମନରେ ନାଚଗୀତରେ ମତ୍ତ । ପୁଲିସର ସମସ୍ତ ପ୍ରଶ୍ନର ଏକମାତ୍ର ଉତ୍ତର-ଆମେ କିଛି ଜାଣୁନା, ଏଠିକି କେହି ଆସିନି । କେହି କେହି କହନ୍ତି–ବିପ୍ଳବୀ ମାଶାଙ୍ଗର ଦ୍ୱୀପାନ୍ତର ଦଣ୍ତ ହୁକୁମ ପରେ ଗାଇଦିଲିଓ ନବମନ୍ତ୍ରରେ ଦୀକ୍ଷିତା ଭାରି ଭଲ ପାଉଥିଲେ ।

 

ଦକ୍ଷିଣ ପାହାଡ଼ ଉପରେ ଅଙ୍ଗାମୀମାନଙ୍କର ଜନପଦ–ସାଙ୍ଗୁବଟ । ମେହଲୀ ଏହି ଗାଁ ସର୍ଦ୍ଦାରଙ୍କ ଝିଅ । ସେଦିନ ରବିବାର । କି ଏକ ଖିଆଲରେ ମେହଲୀ ଆସିଥିଲା ଶୈଳଚୂଡ଼ାକୁ । ଦୁଇଟି ମୁଗ୍‌ଧ ଚକ୍ଷୁର ସମସ୍ତ ଶ୍ରଦ୍ଧା, ସମସ୍ତ ଆନନ୍ଦ ଦେଇ ଖଡ଼ିପଥର ଦେହରେ ଶିଳ୍ପଲିପି ଆଙ୍କୁଥିଲା ସେ–ସାଙ୍ଗୁବଟ ଗାଁ ସର୍ଦ୍ଦାରର ଝିଅ । ମେହଲୀ ନାଁଟି ଯେମିତି ରମଣୀୟ, ସେମିତି ରୂପ-ଲାବଣ୍ୟରେ ଫାଟି ପଡ଼ୁଥିଲା ତନୁଟି ।

 

ବିଶାଳ ଉପତ୍ୟକା ଉପରକୁ ଉଠୁ ଉଠୁ ପଲିଙ୍ଗାର ପିଙ୍ଗଳ ଚକ୍ଷୁ ଦୁଇଟି ମୋହାବିଷ୍ଟ ହୋଇଉଠିଥିଲା । ଦକ୍ଷିଣ ପାହାଡ଼ର ଚୁଡ଼ାରେ ସନ୍ଧ୍ୟାବେଳର ମୋହନ ଆଲୋକରେ ଉଜ୍ଜ୍ୱଳାଭ ଏକ ତରୁଣୀର ପାହାଡ଼ୀ ତନୁ ଶିଖାୟିତ ହୋଇଉଠିଥାଏ ସେଦିନର ସୁନେଲି ସନ୍ଧ୍ୟାରେ । ଏଭଳି ଏକ ଯୌବନର ବିସ୍ମୟ ତାରି ପାଇଁ ଯେ ଅପେକ୍ଷା କରି ରହିଥିଲା ସେ କ’ଣ ଜାଣିଥିଲା ? ନିର୍ବାକ୍‌, ନିସ୍ପନ୍ଦ । କିଛି ସମୟ ଠିଆ ହେଲା ପଲିଙ୍ଗା । ତାପରେ ଧୀରେ ଧୀରେ ସେହି ତରୁଣୀ ତନୁର ପାଖକୁ ଲାଗିଆସିଲା ସେ ।

 

ତୁ କିଏ ? ଆବିଷ୍ଟ ଗଳାରେ ଜିଜ୍ଞାସା ଫୁଟିଉଠିଲା ପଲିଙ୍ଗାର ।

 

ଚମକି ପଡ଼ିଲା ମେହଲୀ । ଚକିତ ବିଦ୍ୟୁତ୍‌ ଭଳି ଘୁରିପଡ଼ିଲା ସେ । ସାମନାରେ ଯୁବକ ପଲିଙ୍ଗା । ସନ୍ଧାନୀ ଦୃଷ୍ଟିର ଆଲୋକରେ ପଲିଙ୍ଗାର ସାରା ଦେହ, ଅସ୍ଥି, ମଜ୍ଜା, ସ୍ନାୟୁର ସକଳ ତନ୍ତ୍ରୀ ଏଭଳି କି ତାର ଭାବନା ଓ ଚେତନା ଗୁଡ଼ିକୁ ତନ୍ନ ତନ୍ନ କରି ବାରିନେଲା ସେ । ଆଓ ପକ୍ଷୀ ଭଳି ସୁଡ଼ଉଲ । ମୁହଁକୁ ବଙ୍କେଇ କର୍ଣ୍ଣଲତାରେ ପିତ୍ତଳ ନିୟୋଙ୍ଗ୍‌ ଗହଣାର ଦୋଳନ ଦେଇ ସୁଠାମ ତନୁଦେଶକୁ ବଙ୍କିମ ଛଳରେ ଘୂରେଇ ଝିଅଟି କହିଲା–ମୁଁ ମେହଲୀ, ଅଙ୍ଗମୀ ସର୍ଦ୍ଦାରର ଝିଅ । ହୁଇ ସାଙ୍ଗୁବଟ ବସ୍ତିଟା ଆମର ।

 

ପଲିଙ୍ଗା କହିଲା–ମୋର ହେଲା ସାଲୁୟାଲାଙ୍ଗ ବସ୍ତି । ମୁଁ ଜାତିରେ ରେଙ୍ଗମା । ଜାରାସୋରି ବଂଶର । ମୋ ନାଁ ପଲିଙ୍ଗା । ଏ ପଟେ ସାହୁଆମାଙ୍ଗ, ଅନ୍ୟ ପଟରେ ଭଁରାଇ ଅଙ୍ଗାମୀମାନଙ୍କର ଘର ସାଙ୍ଗୁବଟ । ମଝିରେ ବିଶାଳ ଏକ ବର୍ଚ୍ଛା ଭଳି ଉଠି ରହିଛି ଦକ୍ଷିଣ ପାହାଡ଼ର ଚୁଡ଼ା । ଦୁଇ ଗ୍ରାମର, ଦୁଇ ସମ୍ପ୍ରଦାୟର ଦୁଇଟି ମୁଗ୍‌ଧ ଯୌବନ ଆଜି ମୁହାଁମୁହିଁ ହୋଇଛନ୍ତି ଜନପଦର ମଧ୍ୟବିନ୍ଦୁରେ ।

 

ମେହଲୀ କହିଲା–ରୋଜ ତତେ ଦେଖୁଚି ଏହି ପାହାଡ଼ରେ । ମୁଁ ଦୁଇଆଖୁସି ଝରଣା, ଉହାଡ଼ରେ ଠିଆହୋଇ ତତେ ଦେଖେ । ପଥର ଦେହରେ ତୁ କି ଦାଗ କାଟୁ, ଖାଲି ଭାବେ, ଆସି ଦେଖିବି ତୁ କ’ଣ କରୁଚୁ ? କିନ୍ତୁ ସାହସ ପାଏନା ।

 

–କାହିଁକି ଲୋ ମେହଲୀ ! ସାହସ କାହିଁକି ହୁଏନା ?

 

–ଭାରି ଭୟ ଲାଗେ । ତୋ ହାତରେ ବର୍ଚ୍ଛ । ଥାଏନା ! ଥରେ ମାରିଦେଲେ ଆଉ କ’ଣ ଜୀବନ ରହିବ ? ସେଇଥିଲାଗି ଆସେନା ।

 

–ନା ଲୋ ନା, ମୁଁ ବର୍ଚ୍ଛାରେ କାହାକୁ କ’ଣ କେବେ ମାରେ ? ଏକା ଏକା ବସି ଏହି ବର୍ଚ୍ଛା ମୁନରେ, ପଥର ଦେହରେ ବଣ, ପାହାଡ଼, ନଦୀ, ଝରଣା ଆଙ୍କିବାକୁ ମତେ ଭାରି ଭଲ ଲାଗେ-

 

–ସତେ ନା ! ମୋର ମଧ୍ୟ ରକ୍ତ ଦେଖିଲେ ବଡ଼ ଭୟ । ପଥର ଦେହରେ ତୋର ଏ ଦାଗଗୁଡ଼ାକ କି ସୁନ୍ଦର ! ଏଇଟା ଠିକ୍‌ ମେନ୍‌ଜା (ବାଘ) ଭଳି ହୋଇଛି, ଆଉ ଏଇଟା ତ ସମ୍ବର ।

 

–ବଡ଼ ବୋକୀଟାଏ ତୁ । ଆଲୋ, ଏଇଟା କ’ଣ ସମ୍ବର ? ଏଇଟା ପରା ଟିଜୁ ନଦୀ !

 

–ହାଁ ହାଁ, ଠିକ୍‌ ତ ।

 

ପଥର ଦେହରେ ପଲିଙ୍ଗାର ଚିତ୍ରକଳା ଦେଖୁ ଦେଖୁ ପିଙ୍ଗଳ ଚକ୍ଷୁ ଦୁଇଟା ଏକାବେଳେ ମୁଗ୍‌ଧ ଚକିତ ବିଭୋର ହୋଇଉଠିଥିଲା ସର୍ଦ୍ଦାର ଝିଅର । ତାର ଆବିଷ୍ଟ କଣ୍ଠର ସସଂଭ୍ରମ ଭଙ୍ଗୀରେ ପୁଲକିତ ଅଭିନନ୍ଦନ ଜଣାଇ ସେ କହେ –ବଢ଼ିଆ ଚିତ୍ର; ମୁଁ ପ୍ରତିଦିନ ଆସିବି ଦେଖିବା ପାଇଁ ।

 

–ଆସିବୁ ? ସତ କହୁଚୁ ? ତତେ ମୋର ମନ ଧରିଛି । ତୁ ହାଣ ମାରକାଟକୁ ଭଲ ପାଉନା, ମୁଁ ବି ନୁହେଁ । ତୋର ମୋର ମନର ମେଳ । କ’ଣ କହୁଚୁ ମେହଲୀ ?

 

ଅପରୂପ ଚକ୍ଷୁରେ ଅନେଇ ରହିଥାଏ ପଲିଙ୍ଗା, ଖାଲି ଚାହିଁ ରହିଥାଏ ।

 

‘‘ହୁଁ ହୁଁ’’–ମହେଲୀ କଣ୍ଠରେ ତନ୍ମୟ ସ୍ୱୀକୃତି । ଖୁବ୍‌ ମେଳ !

 

ତା ପରେ ଦକ୍ଷିଣ ପାହାଡ଼ ଉପରେ ଶୋଭାଯାତ୍ରା ଭଳି ଝରିଗଲା କେତେକ ସମୟ ପ୍ରହର । ସୁନେଲି ପ୍ରପାତ ଭଳି ପାର ହୋଇଗଲା ସେନ୍ୟୁଙ୍ଗ (ଗ୍ରୀଷ୍ମ ଋତୁ) । ବୃଷ୍ଟି ଆସିଲା । ମୌସୁମୀ ପବନ, ତୁଷାର ଝରଣା ବହି ଚାଲିଲା ।

 

ଘନିଷ୍ଠ ହୋଇଉଠିଲା ମେହଲୀ ଓ ପଲିଙ୍ଗାର ସମ୍ପର୍କ । ଆଙ୍ଗାମି ଓ ରେଙ୍ଗମା ଗ୍ରାମର ଦୁଇ ମୁଗ୍‌ଧଚକିତ ପାହାଡ଼ୀ ଯୌବନ । ବାଦାମୀ ପାହାଡ଼ର ପାଚେରୀ ଦେହରେ ଅଙ୍କିତ ହେଲା କେତେ ବିଚିତ୍ର ଶିଳାଚିତ୍ର । ଆହୁରି ମୋହିତ ହୋଇ ଉଠିଲା ମେହଲୀ, ଆହୁରି ଆବିଷ୍ଟ ହୋଇଉଠିଲା ପଲିଙ୍ଗା । ମଧୁର ହୋଇଉଠିଲା ଦୁଇ ପାହାଡ଼ୀ ତରୁଣ ତରୁଣୀଙ୍କ ପ୍ରେମରେ, ସ୍ନେହ ଉତ୍ତାପରେ ପାହାଡ଼ର ବନମୟ ଚୂଡ଼ା ।

 

ବିଚିତ୍ର ଛବି ଆଙ୍କୁ ଆଙ୍କୁ ମେହଲୀର ମନ-ପର୍ଦ୍ଦାରେ ଅଦୃଶ୍ୟ ଆବେଗରେ ଗଭୀର ରେଖା ଭିତର ଦେଇ କେତେଗୁଡ଼ିଏ ଅକ୍ଷୟ ଛବି ଆଙ୍କି ଦେଇ ଗଲା ପଲିଙ୍ଗା-

 

ସାଙ୍ଗସୁ (ବସନ୍ତ ଋତୁ)ର ଏକ ହିମାକ୍ତ ଦି’ପହର । ବନଛାୟା ତଳେ ବସିଥାଏ ପଲିଙ୍ଗା-। ବିଶାଳ ଉପତ୍ୟକା ଦେଇ ଛୁଟି ଆସୁଥିଲା ମେହଲୀ ।

 

–କ’ଣ କିଲୋ ମେହଲୀ ! ଘଟଣା କ’ଣ ?

 

–ସର୍ବନାଶ ହୋଇଛି । ବିଳମ୍ବିତ ନିଶ୍ୱାସ ଟାଣି କହିଉଠିଲା ମେହଲୀ । ତୁଙ୍ଗ ବକ୍ଷ ଯେମିତି ତାର ଦୋହଲି ଉଠୁଛି । ନାଚିଉଠୁଛି ଶରୀରର ରାଶି ରାଶି ପେଶି । ଖପ୍‌କିନି ବସିପଡ଼ିଲା ସେ ପିଲିଙ୍ଗା ପାଖରେ ।

 

–ସର୍ବନାଶ କାହାର ? ସଂଶୟ ଦୃଷ୍ଟିରେ ମେହଲୀ ଆଡ଼କୁ ଚାହିଁଲା ପଲିଙ୍ଗା ।

 

–ସେମାନେ ସମସ୍ତେ ଜାଣିଦେଲେଣି । ଆମ ବସ୍ତିର ସଇତାନ ଦୁଷ୍ଟ ହାଲୁଂଟା ଆମ ଦୁହିଁକି ଦେଖି ବସ୍ତିରେ ଯାଇ କହିଦେଇଛି । ମୋ ବାବା ବସ୍ତିର ସର୍ଦ୍ଦାର । ଆମକୁ ଦେଖିଲେ ରକ୍ଷା ନାହିଁ ଖୋଜା ପଡ଼ିଛି । ସେଇଥିପାଇଁ ପରା ତୋ ପାଖକୁ ଧାଇଆସିଛି !

 

–ଠିକ୍‌ କରିଚୁ, ଆମ ବସ୍ତିର ସର୍ଦ୍ଦାର ମଧ୍ୟ ଜାଣିପାରିଛି । ତୋ ସହିତ ମୋର ପୀରତି ତା ଆଖିରେ ବଡ଼ ବିଷ । ତୁ, ମୁଁ ଭିନ୍ନ ଜାତିର । ତୁ ଆଙ୍ଗାମୀ, ମୁଁ ରେଙ୍ଗମା । ମୁଁ ଶିକାର କରେନା । ବସ୍ତିର ଯୁଆନ୍‌ ଟୋକାଙ୍କ ସାଥିରେ ମୁଁ ମିଶେନା । ଖୁନ୍‌ କରେନା । ରକ୍ତକୁ ଭଲ ପାଏନା । ସେଇଥିପାଇଁ ମୋ ଉପରେ ସମସ୍ତଙ୍କର ରାଗ । ଠିକ୍‌ କରିଛି, ଏଇଠୁ ଆଉ ଯିବିନି ।

 

–ମୁଁ ବି ଯିବିନି । ତୋଅରି ପାଖରେ ରହିବି । ତୁ ଶିକାର କରିପାରୁନା, କିନ୍ତୁ ମୁଁ ପାରେ-। ତୁ ପଥର ଉପରେ ବେଶ ଚିତ୍ର ଆଙ୍କିବୁ । ମୁଁ ବଣରୁ ମେନ୍‌ଜୋ (ହରିଣ) ମାରି ଆଣିବି । ଫଳ, ପନିପରିବା ସବୁ ନେଇଆସିବି, ଦୁଇଜଣଯାକ ଭାଗବାଣ୍ଟି ଖାଇବା । କିମିତି, ଭଲ ହେବନି-?

 

–ଖୁବ୍‌ ଭଲ ହେବ । ମେହଲୀ ପାଖେ ପାଖେ ଆହୁରି ଅନ୍ତରଙ୍ଗ ଭାବରେ ବସି ରହିଥିଲା ପଲିଙ୍ଗା ।

 

–କିନ୍ତୁ ଏ ଖୋଲା ପାହାଡ଼ ଉପରେ ଏହି ଶୀତ ଦିନରେ ଆମେ ରହିପାରିବା ତ ?

 

ଉଦ୍ଦାମ ଗୋଟାଏ ଜଳପ୍ରପାତ ଭଳି ଖିଲି ଖିଲି ହସି ଉଠିଥିଲା ମେହଲୀ–‘‘ତୁ ପାହାଡ଼ୀ ଜୋଆନ ଟିକି ? ନା ଟେପଙ୍ଗର (ମାଇଚିଆ) ପୁଅ ତୁ ?

 

–କାହିଁକି ? ପାହାଡ଼ୀ ପୃଥିବୀର ଶିଳ୍ପୀ ପଲିଙ୍ଗାର ଆଖି ଦିଇଟା ଅଙ୍ଗାର ଭଳି ଦକ୍‌ ଦକ୍‌ ହୋଇଉଠିଥିଲା ।

 

–ସାବଧାନ ମେହଲୀ ! ଖିସ୍ତି ଚେମାଉଡ଼ି (ଥଟ୍ଟା ମଜା) କରନା । ଦେଖୁଚୁନା ଏ ବର୍ଚ୍ଛା, ଏକବାରେ ଖତମ କରିଦେବି ।

 

–ଖିସ୍ତି କରିବିନି ତ ଆଉ କ’ଣ କରିବି ? ବେଶୀ ବକ୍‌ ବକ୍‌ କରନା କହୁଛି । ତୁମେ ରେଙ୍ଗାମାଗୁଡ଼ାକ ଭାରି ବୋକା । ଟିକିଏ ଯଦି ମଗଜ ଥାଆନ୍ତା ତୁମମାନଙ୍କର ! କ’ଣ ଆମେ ରହିବା ପାଇଁ ଜାଗା ନାହିଁ ? ପାହାଡ଼ ଭିତରେ କେତେ ସୁଡ଼ଙ୍ଗ । ତା ଭିତରେ ପଶି ଆତାମାରୀ (ପତର) ଶେଯ ପାରି କ’ଣ ଆମେ ଶୋଇପାରିବା ନି ?

 

–ଠିକ୍‌ କହିଚୁ ମେହଲୀ । ଦେଖିଲି, ତୋ ବୁଦ୍ଧିଟା ଭାରି ମୁନିଆଁ । ମୁଣ୍ଡ ହଲେଇ ହଲେଇ ମେହଲୀ ବୁଦ୍ଧିକୁ ତାରିଫ କରିଥିଲା ପଲିଙ୍ଗା । କ’ଣ କରିବି ମେହଲୀ । ଏ ପଥର ଦେହରେ ଗାର କଟିବା ଛଡ଼ା, ମୋ ବୁଦ୍ଧିରେ କିଛି ଆସେନା ।

 

ତା ପରେ ଦକ୍ଷିଣ ପାହାଡ଼ ଚୂଡ଼ାରେ ଦୁଇଟି ଆଦିମ ମାନବ ମାନବିଙ୍କର ନୀଡ଼ ରଚନା ହେଲା ସେହି ଦିନଠାରୁ । ବିଶାଳ ଗୋଟିଏ ସୁଡ଼ଙ୍ଗଗର୍ଭରେ ଗୋଟିଏ ଆଦିମ ଗୃହସ୍ଥଳୀ । ତା ଉପରେ ନିଚ୍ଛେଦ ପଥରର ଛାତ । ଦୁଇ ଦିଗରେ ପଥର କାନ୍ଥ । ତଳେ ଅମସୃଣ ଶିଳାଶଯ୍ୟା । ସମ୍ମୁଖରେ ସୁଡ଼ଙ୍ଗଦ୍ୱାର । ମ-ଗି କାଠରେ ଶିଝା ହେଲା ମାଂସ, ମଶାଲ ଜଳିଲା ପେନୁଂ କାଠରେ । ଖାଦ୍ୟ ହେଲା ହରିଣ, ସମ୍ବର ମାଂସ, ପାହାଡ଼ୀ ଆପେଲ ଫଳ, ବହୁତ ତେରୁଙ୍ଗା ଫଳ । ବାଘ ଛାଲ, ହରିଣ ଛାଲ ହେଲା ଆସନ । ତୁଷାରଝରା ରାତ୍ରିର ଅନ୍ଧକାର ଭିତରେ ଆଙ୍ଗାମୀମାନଙ୍କ ଗାର କିଛି ସୁଲେଡ଼ି ନଡ଼ା ଆଣିଥିଲା ମେହଲୀ । ତାକୁ ବିଛେଇ ଅସଦ୍ୟ ଶୀତରେ ଶଯ୍ୟା ହେଲା ଉତ୍ତପ୍ତ । ରେଂଗମା ସମାଜ କିମ୍ବା ଆଗାଂମୀ ସମାଜ କେହିହେଲେ ପଲିଂଗା ଓ ମେହଲୀ ସଂସାରକୁ ସ୍ୱୀକାର କଲେ ନାହିଁ, ସ୍ୱୀକୃତ ଦେଲେ ନାହିଁ ସାଂଗସୁ ଋତୁର ଏହି କବୋଷ୍ଣ ଶଯ୍ୟାକୁ । ତଥାପି ସମଗ୍ର ପାହାଡ଼ୀ ପୃଥିବୀର ଭ୍ରୁକୁଟି ଏବଂ ଉଦ୍ୟତ ବର୍ଚ୍ଛାମୁଖକୁ ଅଗ୍ରାହ୍ୟ କଲେ ଦୁଇଟି ବିମୁଗ୍‌ଧ ପାହାଡ଼ୀ ଯୌବନ । ଦକ୍ଷିଣ ପାହାଡ଼ ଚୂଡ଼ାରେ ରଚନା କରିଗଲେ ଏକ ନିବିଡ଼ ଅନ୍ତରଙ୍ଗ ଜଗତ ।

 

ସାଂଗସୁ ୠତୁର ଶେଷ । ଆକାଶରୁ ସମସ୍ତ ତୁଷାରଝରାକୁ ତୁଚ୍ଛ କରି ଅବତୀର୍ଣ୍ଣ ହେଲା ଉଜ୍ଜ୍ୱଳ ଗ୍ରୀଷ୍ମଦିନ । ପଲିଂଗାର ପିଂଗଳବର୍ଣ୍ଣ ବକ୍ଷ ଉପରେ ମୁହଁ ଘଷୁ ଘଷୁ ଗୋଟିଏ ସୁନ୍ଦର ପ୍ରଭାତରେ ଗୋଟିଏ ରମଣୀୟ କଥା କହିଲା ମେହଲୀ –ମୋର ପିଲା ହେବ ରେ ପଲିଂଗା, ତୁ ବାପ ହେବୁ, ମୁଁ ମାଆ ହେବି ।

 

–ଭଲ କହୁଚୁ ତ ? ଆରେ ତୁ କିମିତି ଜାଣିଲୁ ତୋର ଛନା (ପିଲା) ହେବ ବୋଲି । ଆଶ୍ଚର୍ଯ୍ୟ ନିର୍ବୋଧ ଦୃଷ୍ଟିରେ ଚାହିଁ ରହିଥିଲା ପଲିଂଗା ସେଦିନ ମେହଲୀକୁ ।

 

–ଖାଲି ଖାଲିରେ ତତେ କ’ଣ ଖିସ୍ତି କରୁଥିଲି ? କହୁଥିଲି ପରା ତୁ ଗୋଟାଏ ଟେଫଗଂ ପିଲା ! ଦେଖିପାରୁନୁ ମୋ ପେଟଟା କିମିତି ଫୁଲି ଉଠୁଚି ?

 

‘‘ହୁଁ, ହୁଁ’’ । ନିର୍ବୋଧ ଦୃଷ୍ଟିରେ ଚାହିଁରହିଲା ପଲିଂଗା ମେହଲୀର ପେଟଟାକୁ । ସ୍ଫୀତ ମଧ୍ୟଦେଶ, ଗୁରୁଭାର ନିତମ୍ବ ଲତପତ ସ୍ତନଚୁଡ଼ା । ତମାଭ ଦେହ ଯେମିତି କ୍ରମଶଃ ପୂରିଉଠିଛି । ଦେହଟାଯାକ ଝଲମଲ ହୋଇଉଠୁଚି ଉଜ୍ଜ୍ୱଳ ଚର୍ମରେ । ଢଳ ଢଳ ମୁଖ । ଲିଭିଆସିଚି ପିଂଗଳ ଦୃଷ୍ଟିରୁ ପାହାଡ଼ୀ ବିଦ୍ୟୁତ୍‌ । ମଧୁର ଆଳସ୍ୟରେ ଭରିଉଠିଚି ଆଖିପକ୍ଷୁ । ଅପଲକ ନେତ୍ରରେ ଚାହିଁରହିଥାଏ ପଲିଙ୍ଗା । ସେମିତି ଚାହିଁ ରହିଥାଏ, ଏକବାରେ ନିର୍ନିମେଷ ।

 

ମେହଲୀ କହିଲା, ଝିଅ ହେବ ।

 

କିମିତି ଜାଣିଲୁ ? ଘନିଷ୍ଠ ହୋଇ ଲାଗିଆସିଲା ପଲିଂଗା ।

 

–କାଲି ରାତିରେ ସ୍ୱପ୍ନ ଦେଖିଚି ଗୋଟାଏ ମୟାଲ (ବଡ଼ ବାଘ) ଗୋଟାଏ ସମ୍ବରର ମୁଣ୍ଡକୁ ଗିଳି ପକାଉଚି ହାଁକରି ।

 

‘‘ହୁଁ ହୁଁ’’-ମୁଣ୍ଡକୁ ହଲେଇ କହିଲା ପଲିଂଗା ।-ସବୁ ତ ବୁଝୁଚି, ହେଲା କ’ଣ, ଝିଅ ହେବ ବୋଲି ତୁ କିମିତି ଜାଣିଲୁ ?

 

–ମୋ ମା’ଠୁ ଶୁଣିଚି, ଇମିତି ସ୍ୱପ୍ନ ଦେଖିଲେ ଝିଅ ହୁଏ । ବଡ଼ ମଜା ଲାଗୁଚି ନା ? ଟେନେନ୍ୟୁ ମିଂଗଲୁ (କନ୍ୟାପଣ) ତୁ ବହୁତ ପାଇବୁ ରେ । (ନାଗା ଜାତିରେ ଝିଅର ବାପକୁ ଯୌତୁକ ମିଳେ) ତୁ ବାପ କିନା ! ଖୁସି ଗଳାରେ କଥାଗୁଡ଼ାକ ଉଚ୍ଚାରଣ କରୁ କରୁ ଯେମିତି କଣ୍ଠରୋଧ ହୋଇଆସୁଥାଏ ତାର ।

 

ଉଜ୍ଜ୍ୱଳ ମୁଖଟାରେ ଯେମିତି କଳା ମେଘ ଛାଇ ହୋଇଆସିଲା । ଏକବାରେ ସ୍ତବ୍‌ଧ ହୋଇପଡ଼ିଲା ସେ ।

 

–କିଲୋ, କଥା କହୁ କହୁ ରହିଗଲୁ ଯେ ! କ’ଣ ହେଲା ତୋର ? ସଂଶୟ ଦୃଷ୍ଟିରେ ଚାହିଁରହିଲା ପଲିଙ୍ଗା ।

 

–ଝିଅ ତ ହେବ, କିନ୍ତୁ ବାହା ଦେବା କିମିତି ? ଆମେ ଲୁଚିରହିବା ଏହି ପାହାଡ଼ ସୁଡ଼ଙ୍ଗରେ । ତୋ ବସ୍ତିକୁ ଯିବାର ତ ଉପାୟ ନାହିଁ । ଆମ ବସ୍ତିକୁ ଗଲେ ମୁଣ୍ଡଗଣ୍ଡି ଟିକି ଟିକି । ଝିଅ ବିବାହରେ ଯଉତୁକ ପାଇବୁ କିମିତି ?

 

–ଦରକାର ନାହିଁ ଟେନେନ୍ୟୁ ମିଙ୍ଗଲୁ । ବସ୍ତିକୁ ଆମେ ଯିବା ନାହିଁ । ପୀରତି କରିଛେ ବୋଲି ଯଦି ଶୟତାନମାନେ ଆମକୁ ମାରିଦେବେ ସେ ବସ୍ତିକୁ ଗୁଳି ମାର । ଆମ ଝିଅ ଏହି ସୁଡ଼ଙ୍ଗରେ ବଡ଼ ହେବ । କେହି ଯଦି ପ୍ରେମ କରି ତାକୁ ବିବାହ କରେ ତ ଭଲ, ନଚେତ ଅଭିଆଡ଼ୀ ରହିବ । ଭୁସ୍‌ ଭୁସ୍‌ କହିଚାଲିଥାଏ ପଲିଙ୍ଗା । ତା ପରେ ଦୀର୍ଘ ନିଶ୍ୱାସ । ଆଖି ଦୁଇଟା ଯେମିତି ତାର ଅଗ୍ନିପିଣ୍ଡୁଳା ପରି ଦପ୍‌ଦପ୍‌ ଜଳିଉଠୁଚି ।

 

କିଛି ସମୟ ବିରତି ପରେ ପୁଣି କହି ଉଠିଲା ପଲିଙ୍ଗା–ତୁ ମା ହେବୁ, ମୁଁ ବାପା ହେବି-। ଏହି ଆରପଟେ ବାଉଁଶ ଗଛ । ରାତିରେ ଯାଇ ଚୋରି କରି ଆଣିବି କେତେ ଗୋଛା ନଡ଼ା-। ଗୋଟାଏ ଘର କରିବା । ସୁଡ଼ଙ୍ଗ ଭିତରେ ସାତ ମାସ କାଳ ଲୁଚି ରହିଲେଣି । ଆଉ ଭଲ ଲାଗୁନି-। ଝିଅଟା ଜନ୍ମ ହେବ । ଆମେ କ’ଣ ସୁଡ଼ଙ୍ଗର ଅନ୍ଧାରରେ ରହିଥିବା ?

 

–ଇଜାହାଣ୍ଟସା ସାଲୋ (ଏକ ପ୍ରକାର ଗାଳି) । ପ୍ରଚଣ୍ଡ ହୁଙ୍କାର ଦେଇ ଗର୍ଜିଉଠିଲା ମେହଲୀ । ମୁଁ କଣ ମିଛରେ କହିଥିଲି–ଟେପଙ୍ଗା ବାଚ୍ଛା । ନଅ ମାସ କାଳ ଏହି ସୁଡ଼ଙ୍ଗ ଭିତରେ ଲୁଚି ରହି ନ ଥିଲେ, କ’ଣ ଆମେ ବଞ୍ଚି ରହିଥାଆନ୍ତେ କହିଲୁ ଭଲା ! କେତେଥର ଦୁଇ ବସ୍ତିର ଲୋକେ ଆମକୁ ଖୋଜି ଆସିଚନ୍ତି, ମନେ ନାହିଁ ? ଏହି ସୁଡ଼ଙ୍ଗଟା ସେମାନେ ଖୋଜି ବାହାର କରି ନାହାନ୍ତି, ନ ହେଲେ....

 

–ହୁଁ ହୁଁ ଠିକ୍‌ କହିଚୁ । ଟିକିଏ ଲଜ୍ଜିତ ବୋଧ କଲା ପଲିଙ୍ଗା । ତାର ତ୍ରସ୍ତ ଆଖିରେ ଭୟାର୍ତ୍ତ କେତେ ଛାୟାଚିତ୍ର ସଙ୍ଗେ ସଙ୍ଗେ ଭାସିଆସିଲା । ଯେଉଁଦିନଠାରୁ ମେହଲୀକୁ ଧରି ସେ ଏହି ଗୁହାଗହ୍ୱର ଅନ୍ଧକାର ଭିତରେ ଉଷ୍ଣପ୍ରେମର ନୀଡ଼ ରଚନା କରିଚି, ସେହି ଦିନଠୁ ଦୁଇ ବସ୍ତିର କେତେ ଯେ ଶଇତାନ ଖୋଜି ଆସି ନାହାନ୍ତି ସେମାନଙ୍କୁ ! ହାତ ମୁଠାରେ ସେମାନଙ୍କର ଭୟଙ୍କର ବର୍ଚ୍ଛା । ଶାଣିତ, ଜକ୍‌ ଜକ୍‌, ହିଂସ୍ର । ଗୋଟାଏ ପାହାଡ଼ୀ ଯୁବତୀ, ଆଉ ଗୋଟିଏ ବନ୍ୟ ଶିଳ୍ପୀ–ଏହି ଦୁଇଟି ମୁଗ୍‌ଧ ପ୍ରେମିକର ହୃତ୍‌ପିଣ୍ଡକୁ ଉପାଡ଼ିନେବା ଲାଗି, ଏହି ଦୁଇଟି ନିରୀହ, ଅନାଚାରୀ, ସ୍ନେହୋତ୍ସଳ ପ୍ରାଣର ଶିକାର ଲାଗି ସେମାନଙ୍କର କେତେ ସନ୍ଧାନ, କେତେ ଅନ୍ୱେଷଣ–କେତେ ଥର, କେତେ ବାର ! ବାରମ୍ବାର ! କିନ୍ତୁ ସତର୍କ ଦୃଷ୍ଟିରେ ନିଜକୁ ଜଗି ରଖିଛନ୍ତି ମେହଲୀ ଓ କଲିଙ୍ଗା-। ଖୁବ୍‌ ସାବଧାନରେ ସେମାନେ ଯାଆନ୍ତି ଉପତ୍ୟକାକୁ ଆହାର ସନ୍ଧାନରେ, ଜଳ ଆଣିବାକୁ ଯାଆନ୍ତି ଦୂର ଟେଜୁ ନଦୀ କୂଳକୁ । ସାତମାସ କାଳ ଇନ୍ଦ୍ରିୟଗୁଡ଼ିକୁ ଧନୁକର ଟଙ୍କାର ଭଳି ପ୍ରଖର କରି ଦୁଇଟି ପାହାଡ଼ୀ ଜୀବନ ନିଜକୁ ନିରାପଦ ରଖି ଆସିଛନ୍ତି; ଦୁଇଟି ବିଦ୍ରୋହୀ ଜୀବନ ନିଜକୁ ନିରାପଦ ରଖିଚନ୍ତି ଏତେଦିନ ଧରି । ଦୁଇ ଗ୍ରାମର ଜୁଆନଙ୍କ ବର୍ଚ୍ଛାଫଳକ କଥା ମନେପଡ଼ିଲେ ଦେହ ଶିହରି ଉଠେ ପଲିଙ୍ଗାର ।

 

ଅନ୍ଧକାର ମାଡ଼ି ଆସେ । ବାହାର ଅନ୍ଧାର ଓ ଭିତର ଅନ୍ଧାର ମିଶି ଗାଢ଼ରୁ ଗାଢ଼ତର । ପଲିଙ୍ଗା କୋଳରେ ମୁଣ୍ଡ ରଖି ଗୁଣୁ ଗୁଣୁ କରେ ମେହଲୀ । ଅନେକ ଦିନ ଧରି ପଥରରେ ଦାଗ କାଟି ଆସିଚୁ ନା ତୁ ? ତୋର ଦାଗଗୁଡ଼ାକ କି ସୁନ୍ଦର !

 

–ଦାଗ ଆଉ କିମିତି କାଟିବି ? ତୁ ତ ମତେ ଆଉ ବାହାରକୁ ଯିବାକୁ ଦେଉନୁ ।

 

–ବାହାରକୁ ଗଲେ ତୁ ଆଉ କ’ଣ ଜୀବନଧରି ଫେରିବୁ ? ଥାଉ ଥାଉ ସେସବୁ କଥା-। ଝିଅ ହେଲେ କ’ଣ ନାଁ ଦେବା କହିଲୁ ? ତା ନାଁଟି ଭଲ କରି ପଥର ଦେହରେ ଆଙ୍କିବୁ ତ-? ଯେମିତି କାଳ କାଳ ପାଇଁ ରହିବ ।

 

–‘‘ହୁଁ, ହୁଁ’’ ଆନନ୍ଦରେ ବିଭୋର ହୋଇଉଠିଲା ପଲିଙ୍ଗା । ମୋ ସାଥିରେ ବୁଲିବ, ଖେଳିବ, ବାପା ବାପା ବୋଲି ଡାକିକ । କେଡ଼େ ମଜା !

 

–ଭାରି ଭଲ ହେବ । ପାଖକୁ ନିବିଡ଼ତର ହୋଇ ଲାଗିଆସିଲା ମେହଲୀ ।

 

–ଜହହାଣ୍ଟାସ ସୋଲା–କହୁଚୁ କ’ଣ ନା ପିଲାକୁ ବୁଲେଇ ନେବ । ପୁଣି ସେଇ ବୋକାମି !

 

ହଠାତ୍‌ ଗୋଟାଏ ଭୟଙ୍କର ଶବ୍ଦ । ସୁଡ଼ଙ୍ଗ ପାଖରେ ଗୋଟାଏ କିଛି ବିସ୍ଫୋରଣ ଘଟିଲା ଯେମିତି । ଯିମିତି ଗୋଟାଏ ବଜ୍ରପାତ ।

 

ଗୁହା ଗର୍ଭରେ ଶିହରି ଉଠିଲା ମେହଲୀ । ଦୁଇଟି ବିଦ୍ରୋହୀ ପାହାଡ଼ୀ ପ୍ରେମର ହୃତ୍‌ପିଣ୍ଡ ଚମକି ଉଠିଲା । ସକ୍ରସ୍ତ ଦୃଷ୍ଟିରେ ଚାହିଁରହିଲା ମେହଲୀ । ଭୟବିହ୍ୱଳ କଣ୍ଠରେ ପଚାରିଲା ପଲିଙ୍ଗା–କ’ଣ କିଲୋ ମେହଲୀ, ଘଟଣା କ’ଣ ? କାହାର ଗଳାଶବ୍ଦ ଶୁଣାଯାଉଛି ନା ?

 

–ବେଶି ବକ୍‌ ବକ୍‌ କରନା କହୁଚି । ଚୁପ୍‌ ରହ ।

 

ସୁଡ଼ଙ୍ଗ ଦ୍ୱାରଦେଶରେ ବହୁ ଗଳାର କୋଳାହଳ–ପ୍ରଚଣ୍ଡ, ଉଦ୍ଦାମ, ବିଶୃଙ୍ଖଳ, ଭୟଙ୍କର-! ଆଗରେ ଏକ ବିଶାଳ ପ୍ରସ୍ତର ଫଳକର ଅବରୋଧ । ଗୁହା ଭିତରେ ଜଳୁଚି ପେନ୍ୟୁ କାଠର ମଶାଲ । ଭୌତିକ ଆଲୋକ, ଭୟାଳ ରହସ୍ୟ ଭଳି ଯେମିତି କମ୍ପି ଉଠୁଚି ଥର ଥର ହୋଇ-। ଆଉ ସେହି ଆଲୋକରେ ଦୁଇଟି ପାହାଡ଼ା ଯୌବନର ଛାୟା, ଗୁହା ଗହ୍ୱର କାନ୍ଥରେ ଏକାବେଳେ ନିଷ୍ପନ୍ଦ ହୋଇ ପଡ଼ିରହିଛି ଯେମିତି ।

 

କୋଳହଳ କ୍ରମଶଃ ମୁଖର ହୋଇଉଠୁଥାଏ । ହିଂସ୍ର କଣ୍ଠଧ୍ୱନି ।

 

–ହୁଁ ହୁଁ ସର୍ଦ୍ଦାର ! ଏହି ସୁଡ଼ଙ୍ଗ ଭିତରେ–ଏଇ ତ ଟିକକ ଆଗରୁ ବକର ବକର ହେବା ଶୁଣାଯାଉଥିଲା ।

 

‘‘ଇଜା ରାମ୍‌ଖୋ’’–ଗୋଟାଏ ପ୍ରଚଣ୍ଡ ଶବ୍ଦ ଶୁଣାଗଲା ପୁଣି । ଆତଙ୍କର ଆଘାତରେ ରକ୍ତକଣାଗୁଡ଼ାକ ଯେପରି ଥରି ଉଠିଲା ମେହଲୀର । ଏ କଣ୍ଠ କାହାରି ନୁହେଁ, ତା ବାପର, ଆଂଗାମୀ ସର୍ଦ୍ଦାରର । ସହସା ମେହଲୀର ଚେତନା ଉପରେ ଗୋଟାଏ ମଣିଷର ପ୍ରତିଚ୍ଛାୟା ଦେଖାଦେଲା ! ଅତିକାୟ ଶରୀର । ହାତରେ ଭୟଙ୍କର ମୃତ୍ୟୁମୁଖ କରାଳ ବର୍ଚ୍ଛା । ମୁଣ୍ଡରେ ମୁକୁଟ-। ମୁକୁଟ ଉପରେ ପକ୍ଷୀପକ୍ଷ । ଊର୍ଦ୍ଧ୍ୱ ଦେହ ଅନାବୃତ୍ତ । ଲାଲ ଲାଲ ଅସମାନ ଧାଡ଼ିଏ ଦାନ୍ତ-। ବେକରେ ବାଘନଖର ହାର । ଅଣ୍ଟାରେ ଝୁଲୁଚି ସୁଚେନ୍ୟୁ (ଟାଂଗିଆ) । ଏକ ସାଘାଂତିକ ଆଲିଜା (ମଣିଷ) ଗଳା ଭିତରେ ଏକ ଭୀଷଣ ଧ୍ୱନି, ଯେମିତି କି ବାଘର ଗର୍ଜ୍ଜନ । ଅଂଗାମୀ ସର୍ଦ୍ଦାରର ନିର୍ଦ୍ଦେଶ–ସୁଡ଼ଂଗ ଭିତରେ ଯିଏ ଅଛ, ବାହାରି ଆସ ।

 

–ମେହଲୀ ଓ ପଲିଂଗାର ଦେହ କମ୍ପି ଉଠୁଥାଏ ଭୟରେ ।

 

ପୁଣି ପାଟି ତୁଣ୍ଡ–ହୁଇ ହୁଇ, ହେଇ ତ’ ହେଇ ତ ଶଇତାନ ଦୁଇଟାଯାକ ଧରାଧରି ହୋଇ ବସିଛନ୍ତି ।

 

–ଦିଅ ଝିଙ୍କ ଆଣ । ଭୁଷିଦିଅ ବର୍ଚ୍ଛାରେ । ସର୍ଦ୍ଦାର ଗଳାରେ ବଜ୍ରପାତ ଭଳି କି ଭୀଷଣ ଗର୍ଜନ !

 

ଗୁହାଗର୍ତ୍ତର ସେଇ ଛାୟାଲୋକରେ ଗୋଟିଏ ଭୟାର୍ତ୍ତ ହରିଣୀ ଭଳି ସମଗ୍ର ଦେହଟିକୁ ପଲିଂଗାର ବୁକୁ ମଧ୍ୟରେ ଜଡ଼େଇ ଦେଇଥିଲା ମେହଲୀ । ସେ ଖୋଜୁଥିଲା ଆଶ୍ରୟ, ନିର୍ଭର ପ୍ରତିଶ୍ରୁତି । ଦୁଇଟି ବାହୁର ନିବିଡ଼ ବେଷ୍ଟନୀରେ ମେହଲୀର ସୁକୋମଳ ଶରୀରଟି ବର୍ଚ୍ଛାର ଜିଘାଂସାରୁ ଏଡ଼େଇ ନେବାପାଇଁ ନିଜର ବିଶାଳ ବକ୍ଷରେ ଏତିକି ଟିକିଏ କରି ମିଶେଇ ନେଇଥିଲା ପଲିଂଗା ।

 

ଚିତ୍କାର କରି ଉଠିଥିଲା ମେହଲୀ–ଆମକୁ ପ୍ରାଣରେ ମାରି ଦିଅନା ବାବା । ଆମେ ଦୁହେଁ ରୁଟାନା,ପୁଟନା (ପତି ପତ୍ନୀ) ।

 

ଅତିକାୟ ମଥାକୁ ଟେକି ବିକଟ ଅଟ୍ଟହାସରେ ହସି ଉଠିଥିଲା ଆଂଗାମୀ ସର୍ଦ୍ଦାର । ବାହାରେ ଉଜ୍ଜ୍ୱଳ ଦିବାଲୋକ । ସେହି ବଜ୍ରହସରେ ମନେ ହେଉଥିଲା ଯେମିତି ନୀଳ ଆକାଶଟା ଖଣ୍ଡ ଖଣ୍ଡ ହୋଇପଡ଼ୁଚି । ମୋଟା ମୋଟା ଓଠ ଦୁଇଟାକୁ ଦିଫାଳ କରି ଲାଲ ଲାଲ ଅମସୃଣ ଦିପାଟି ଦାନ୍ତ ଆତ୍ମପ୍ରକାଶ କଲା ତାର । ଆରେ, ଠିଆହୋଇ ଦେଖୁଚ କ’ଣ ? ନ ପାରୁଚ ଯଦି ମତେ ବର୍ଚ୍ଛାଟା ଦେ । କିମିତି ଭୁଷିବାକୁ ହୁଏ ଦେଖାଇଦେବି । ପାଖରେ ଠିଆ ହୋଇଥିବା ଜଣେ ଯୁବକର ମୁଠାରୁ ବର୍ଚ୍ଛାଟା ଛଡ଼ାଇନେଲା ଆଂଗାମୀ ସର୍ଦ୍ଦାର । ଆଖି ଦୁଇଟା ତାର କ୍ରୁରତର ହୋଇଉଠିଥାଏ । ବିକୃତ ହୋଇଉଠିଥାଏ ମୁଖର କୁଞ୍ଚନ । ଆଖି ପଲକରେ ସାଇଁକିନି ଫୋପାଡ଼ି ହୋଇଗଲା ବର୍ଚ୍ଛାଟା । ସାଙ୍ଗେ ସାଙ୍ଗେ ଏକ ଅମାନବିକ ଆର୍ତ୍ତନାଦ ଉଠିଲା । କି ଭୟଙ୍କର, କି କରୁଣ ସେ ଆର୍ତ୍ତନାଦ । ନିଚ୍ଛେଦ ଗୁହାଘରଟା ଯେମିତି ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡ଼ିଲା ଦୂରକୁ ଆଉ-ଉଁ-ଉଁ ।

 

ସ୍ମିଗ୍‌ଧ ପଥରଟାଣରେ ଲୋଟି ପଡ଼ିଥିଲା ପଲିଙ୍ଗା । ବହୁ ଭିତର ଦେଇ ଫୁଟି ଯାଇଥାଏ ତୀକ୍ଷ୍‌ଣ ବର୍ଚ୍ଛା । ଟିକିଏ ଉଁ ନାଇଁ କି ଚୁଁ ନାହିଁ । ଆଉ ମେହଲୀ –ତା ଦେହରୁ ପଲିଙ୍ଗାର ବାହୁବନ୍ଧନ ଶିଥିଳ ହୋଇଆସିଥିଲା । ସେଥିପ୍ରତି ତିଳେହେଲେ ଭ୍ରୁକ୍ଷେପ ନାହିଁ ତାର । ଆଖିଦୁଇଟା ଦାଉଦାଉ ହୋଇ ଯେମିତି ଜଳିଉଠିଲା । ଆଖି ପିଛୁଳାକେ ବିଶାଳ ଏକ ଟାଙ୍ଗିଆ ଉଠାଇନେଲା ସେ । ବଡ଼ ଧାରୁଆ ସେ ଟାଙ୍ଗିଆ । ତିଳେହେଲେ କ୍ଷମା ନାହିଁ; ଟିକିଏ ହେଲେ କରୁଣା ନାହିଁ । ତା ଦେହର ମଧୁମୟ କୋଷରୁ ଯିଏ ପ୍ରାଣକଣାକୁ ଆଲୋଡ଼ନ ସୃଷ୍ଟି କରିଚି, ସେ ପ୍ରାଣକୁ ସେ ଏଡ଼େ ସହଜରେ କ’ଣ ଉପହାର ଦେଇପାରେ ? ଏହି ଜୁଆନଗୁଡ଼ାକ ହାତରେ ? ଯିଏ ତାକୁ ମାତୃତ୍ୱ ଦେଇଚି, ସେଇ ସ୍ନେହମୟ ପ୍ରଣୟାକୁଳ ପ୍ରାଣପ୍ରିୟ ପଲିଙ୍ଗାକୁ ବାପା ତାର ବର୍ଚ୍ଛାରେ ଫୋଡ଼ି ଦେଇଛି ନା ? ନା, ତିଳେହେଲେ ମମତା ନାହିଁ ଏହି ସୁଚେନ୍ୟୁ ଫଳକରେ । ହେଉ ପଛେ ସେ ତାର ବାପ, ଜନକ; ତଥାପି ସେ ତାର ପ୍ରତିଶୋଧ ନେବ । ଏକ ନିଶ୍ଚିତ, ଅନିର୍ବାର୍ଯ୍ୟ ପ୍ରତିଶୋଧ । ଗୋଟିଏ ଆହତ ବାଘୁଣୀ ଭଳି ଜଳିଉଠିଲା ତାର ଆଖି ଦୁଇଟା ।

 

ସୁଚେନ୍ୟୁର ଫଳକ ସେମିତି ଧରା ହୋଇରହିଲା ତାର । ହଠାତ୍‌ ଆଉ ଗୋଟାଏ ବର୍ଚ୍ଛା ଛୁଟିଆସିଲା ଗୁହା ଭିତରକୁ । ଆର୍ତ୍ତନାଦ କରି କଚାଡ଼ି ହୋଇପଡ଼ିଲା ମେହଲୀ ପଲିଂଗାର ବୁକୁ ଉପରେ ।

 

‘‘ହା-ହା-ହା’’–ଆଂଗାମୀ ସର୍ଦ୍ଦାରର ଅଟ୍ଟହାସ ଆହୁରି ଭୟଙ୍କର ହୋଇଉଠିଲା । ‘‘ମୋ ସାଂଗରେ ମୋ ଝିଅର ଲଢ଼େଇ ! ଟାଂଗିଆରେ ମତେ ମାରିବାକୁ ଚାହେଁ ନା !’’

 

ଟାଣିନେଇ ଆସିଲେ ଦୁଇ ଜଣଙ୍କୁ । ପଲିଂଗାର ବାହୁ ଓ ମେହଲୀର ବାହୁ ଭିତରେ ବର୍ଚ୍ଛା ଦୁଇଟା ଫୁଟି ଗୁନ୍ଥି ହୋଇରହିଥିଲା ? ଠିକ୍‌ ବନ୍‌ଶୀ କଣ୍ଟା ଭଳି । ରକ୍ତାକ୍ତ ଦୁଇଟି ଶରୀର । ସଫଳ ଉଲ୍ଲାସରେ ଆନନ୍ଦୋତ୍‌ଫୁଲ୍ଲ ହୋଇଉଠୁଥିଲା ଆଂଗାମୀ ସର୍ଦ୍ଦାର ।

 

‘‘ନା, ନା ପ୍ରାଣରେ ମାରନାହିଁ–ସାଇବମାନେ ବାରଣ କରିଦେଇଚନ୍ତି । ଶଇତାନକୁ ଧରି ସାହେବମାନଙ୍କ ହାତରେ ଦେଇ ଦେବା ।’’ ଜଣେ କିଏ କହିଉଠିଲା ସର୍ଦ୍ଦାରକୁ ।

 

କିନ୍ତୁ ସର୍ଦ୍ଦାରର ରାଗ ବର୍ଣ୍ଣନାତୀତ । ହୁଙ୍କାର କରିଉଠିଲା ସେ । ‘‘ରେଂଗମା ଶଇତାନଟା ମୋ ଝିଅର ପେଟରେ ବଚ୍ଚା ବନେଇଚି–ପ୍ରାଣରେ ମାରିବିନି ଛାଡ଼ିଦେବି ?’’ ପ୍ରଚଣ୍ଡ ଉତ୍ତେଜନାରେ ବର୍ଚ୍ଛା ଦେହରେ ଦୁଇ ପ୍ରଣୟୀ ପ୍ରଣୟିନୀଙ୍କୁ ଉପରକୁ ଟେକି ଧରିବାକୁ ଉଦ୍ୟତ ହେଲା ସେ ।

 

ହଠାତ୍‌ କିଏ ଜାବୁଡ଼ି ଧରିଲା ସର୍ଦ୍ଦାରକୁ । କ’ଣ କରୁଚୁ ସର୍ଦ୍ଦାର ! ତୋର କ’ଣ ମନେ ନାଇଁ ମଣିଷକୁ ଖୁନ୍‌ କରିଥିବା ହେତୁ ଇମ୍ଫାଗ୍‌ ବସ୍ତିରୁ ଦଶଟା ପାହାଡ଼ୀ ଲୋକଙ୍କୁ ଧରି ନେଇଥିଲେ ସେଦିନ । ଖବର୍‌ଦାର, ମାରନାହିଁ କହୁଚି ! ଏ ଦୁଇଟାକୁ ଭିଡ଼ି ଭିଡ଼ି ନେଇଯିବା ବସ୍ତକି !

 

ଦୁଇଟି ଦେହ, ପାହାଡ଼ୀ ପ୍ରେମ–ମେହେଲୀ ଓ ପଲିଂଗା । ଦେହରେ ବିଦ୍ଧ ବର୍ଚ୍ଛାର ଫଳକ । ନିଷ୍ଠୁର ଭାବରେ ଭିଡ଼ି ଭିଡ଼ି ନେଇଗଲେ ସେଦିନ ବସ୍ତି ଆଡ଼କୁ ।

 

ପାହାଡ଼ୀ ପ୍ରେମ ଏହି ପାର୍ବତ୍ୟ ପୃଥିବୀ ଭଳି ଆରଣ୍ୟକ, ଭୟଙ୍କର, ଦୁର୍ବାର । ଏ ପ୍ରେମ ସମାଜର ଶାସନ ମାନେନା । ରେଂଗମା ଆଉ ଆଂଗାମୀ ବଂଶଧର ମେହଲୀ ଓ ପଲିଂଗା । ଦୁଇଟି ବନ୍ୟ ପ୍ରେମିକ ପ୍ରେମିକା । ସମାଜର ସକଳ ଅନୁଶାସନକୁ ଅଗ୍ରାହ୍ୟ କରି ରଚନା କରିଥିଲେ ଦକ୍ଷିଣ ପାହାଡ଼ର ଗୁହାଗର୍ତ୍ତରେ ଏକ ନିର୍ଭରତାର ନୀଡ଼ । ହୃଦୟର ଉତ୍ତାପରେ ସେ ନୀଡ଼ ହୋଇଉଠିଥିଲା ବଡ଼ ମଧୁମୟ । କିନ୍ତୁ ଏ ପାହାଡ଼ୀ ପୃଥିବୀ ବଡ଼ ନିର୍ମମ ବଡ଼ ନିଷ୍ଠୁର । ସେଠି ବିନ୍ଦୁଏ ହେଲେ କ୍ଷମା ନାହିଁ, କରୁଣା ନାହିଁ । ଏକ ଅସାମାନ୍ୟ ପ୍ରେମକୁ ହତ୍ୟାକରି ସୁଡ଼ଙ୍ଗଗର୍ଭର ଗୋଟିଏ ସୁଖୀ ଦମ୍ପତିର ନୀଡ଼କୁ ଛିନ୍ନ କରି ହିଂସ୍ର ଉଲ୍ଲାସରେ ସେଦିନ ମାତାଲ ହୋଇଉଠିଲା ଏହି ପାହାଡ଼, ଏହି ପାହାଡ଼ର ଜିଘାଂସା ।

 

ତା’ପରେ ଏକ ସଂକ୍ଷିପ୍ତ ଜୀବନର ବିରାଟ ଇତିହାସ । ସାହେବମାନଙ୍କ ଆଗରେ ହାଜର କରାଗଲା ଏହି ବିଦ୍ରୋହୀ ଦୁଇଟି ପ୍ରେମିକ-ପ୍ରେମିକାଙ୍କୁ । ସେ ଅଞ୍ଚଳର ପୋଲିସଥାନା ଅଫିସର ଥାଆନ୍ତି ମିଃ ଲୁଥର । ଦୁଇଟି ଆହତ ପକ୍ଷୀପକ୍ଷିଣୀଙ୍କି ଦେଖି ତାଙ୍କ ହୃଦୟ ତରଳି ଯାଇଥିଲେ ଖୁବ୍‌ କଠୋର ଭାବରେ । କିନ୍ତୁ ହୃଦୟରେ ଥିଲା ସହାନୁଭୂତି ଓ ସମର୍ଥନ । ଦୁହେଁ ରହିଲେ ହାଜତରେ । ତା ଆରଦିନ ଆଙ୍ଗାମୀ ସର୍ଦ୍ଦାର ମିଃ ଲୁଥରଙ୍କୁ ପଚାରିଲା–ଦଣ୍ଡ ?

 

–ଦଣ୍ଡ ଏମାନଙ୍କୁ ଦିଆସରିଲାଣି । ସେମାନଙ୍କୁ ଫାଶି ହୁକୁମ ଛଡ଼ା ଆଉ କ’ଣ ଦିଆଯାଇପାରେ ?

 

ଆଙ୍ଗାମୀ ସର୍ଦ୍ଦାର ମନରେ ଭାରି ଖୁସି । ସତେ କି ସେ ଘୋର ପାପରୁ ମୁକ୍ତି ପାଇଯାଇଛି । ‘‘ତୋ ଝିଅ ଇମିତି କଲା ?’’ –ଏ ଅପବାଦ ସେ ଯେମିତି କାହାରିଠୁ ଆଉ ଶୁଣିବାକୁ ନ ପାଏ । ଆଙ୍ଗାମା ବସ୍ତିରେ ସେଦିନ ଭାରି ଭୋଜିଭାତ, ନାଚ ଗୀତ, ଆନନ୍ଦ ଉଲ୍ଲାସ–ଏ ଉଲ୍ଲାସର ଏକମାତ୍ର ସ୍ୱର–‘‘ମେହେଲୀ ଫାଶି ଦଣ୍ଡ ପାଇଛି, ଭାରିଭଲ ହୋଇଛି–ଯାହାହେଉ ଏକ କଳଙ୍କ ଗଲା ।’’

 

ମିଃ ଲୁଥର ରାତାରାତି ଆହତ ଦମ୍ପତିଙ୍କୁ ପଠେଇଦେଲେ ଇମ୍ଫାଲକୁ । ମିଶନାରୀ ଡାକ୍ତରଖାନା, ଅନାଥଶଶ୍ରମ ସବୁ ସେଇଠି । ସେବା ଶୁଶ୍ରୁଷା ସବୁ ମିଳିଲା । ମାତ୍ର ତିନି ମାସ ପରେ ଏକ ଉଜ୍ଜ୍ୱଳ ପ୍ରଭାତରେ ଶୁଭିଲା ଏକ କୋମଳ କଣ୍ଠର ଧ୍ୱନି । ଗୁହାଗର୍ଭରୁ ଅଙ୍କୁରିତ ହୋଇଥିବା ଏକ ବୃକ୍ଷପତ୍ର ପାଖୁଡ଼ା ନେଇ ଦେଖାଗଲା ସେଦିନ । ମାତୃତ୍ୱ ସାର୍ଥକ ହେଲା । କୋଳରେ ନବୀନତମ ସନ୍ତାନ । ନର୍ସ, ଧାଇମାନଙ୍କ ସେବା ଓ ଯତ୍ନ । କିନ୍ତୁ ସେଦିନ ପାଖରେ ନଥିଲା ପଲିଙ୍ଗା-। ପୋଲିସମାନେ ନେଇ ତାକୁ ଛାଡ଼ିଦେଇ ଆସିଥିଲେ ନିଜ ବସ୍ତିରେ । ଦୀର୍ଘ ସାତମାସ ପରେ ପଲିଙ୍ଗା ଫେରିଆସିଲା ନିଜ ଘରକୁ । ତାର ବନ୍ଧୁମାନଙ୍କ ଆଗରେ କହିଚାଲିଲା ତାର ପ୍ରେମାଭିଯାନର କାହାଣୀ ।

 

ଜୁଆନଗୁଡ଼ାକ ଘେରି ବସିଛନ୍ତି, ମଝିରେ ପଲିଙ୍ଗା–ହଁ, ତାପରେ କ’ଣ ହେଲା ? ଆଂଗାମୀମାନେ ତତେ ସାବାଡ଼ କରିଦେଲେ ନା ? ଗୁଡ଼ାଏ ପ୍ରଶ୍ନ ଆଓି ତା ପାଖରେ ଗଦା ହୋଇଯାଉଛି । ଚତୁର୍ଦ୍ଦିଗରେ ସିଂଗଡ଼ି କ୍ଷେତ । ଶିକାରୀ କୁକୁର ମଧ୍ୟ ଗପ ଶୁଣୁଚି ପାଖରେ ବସି ।

 

କହୁଚି ପଲିଂଗା–କିରେ, ତୁମେ କ’ଣ ବୋକାଗୁଡ଼ାକ ? ସେମାନେ ତ ମତେ ମାରି ପକାଇଥିଲେ, ମୁଁ ଏଠିକି ଆସିଲି କିମିତି ?

 

–ସେ ଯାହାହେଉ ପଛକେ, ତାପରେ କ’ଣ ହେଲା ଶୀଘ୍ର ଶୀଘ୍ର କହ । ସାଲୁୟାଲଂଗ ବସ୍ତିର ସର୍ଦ୍ଦାର ଘନିଷ୍ଠ ହୋଇ ଲାଗିଆସିଲା ତା ପାଖକୁ ।

 

‘’ଗଳ୍ପଟା ତ ଭାରି ଜମିଉଠିଚିରେ ! ଆଂଗାମୀ ସର୍ଦ୍ଦାର ତତେ ଇମିତି ଫୋଡ଼ି ପକାଇଲା, କାହିଁ ଆମେ ତ ଜାଣିନୁ । ସତେ ତୋ ଉପରେ ବଡ଼ରାଗ ଥିଲା ଆମର । ଇଚ୍ଛା ହେଉଥିଲା ବର୍ଚ୍ଛାରେ ଫୋଡ଼ି ପକାଇବାକୁ । ଏଡ଼େ ଫଜିଲଟା ତୁ, ଆଙ୍ଗାମୀ ମାଗି (ଭୁଆସୁଣି) ଟାକୁ ନେଇ ଇମିତି ଲୁଚେଇ ରଖି ପକେଇଲୁ ? ସେ ଯାହାହେଉ, ତୁ ଆମ ବସ୍ତିର ଲୋକ । ତତେ ଯାହା ଖୁସି ଆମେ କରିପାରୁ–ତା ବୋଲି ସେ ଆଙ୍ଗାମୀ ସଇତାନଗୁଡ଼ାକ ତତେ ମାରିବେ ? ଆମେ ପ୍ରତିଶୋଧ ନେବୁ ।’’

 

ପ୍ରଖର ଉତ୍ତେଜନାରେ ଚଞ୍ଚଳ ହୋଇଉଠିଲା ବୁଢ଼ା ସର୍ଦ୍ଦାରର ଦେହଟା ।

 

‘‘ଗୋଟାଏ ନୁହେଁ, ତିନିଟା ମୁଣ୍ଡ ଚାହୁଁ । ତିନିଟା ମୁଣ୍ଡନ ଖାଇଲେ ଆମ ମନରେ ଶାନ୍ତି ନାହିଁ’’–ଚାରିଆଡ଼େ ଏଇ ଗୋଟିଏ ଧ୍ୱନି ।

 

‘‘ଶୁଣ ନା, ମୁଁ ଯାହା କହୁଚି ଶୁଣ ।’’ ପଲିଙ୍ଗା କହିବାକୁ ଆରମ୍ଭ କଲା–‘‘ବିଲକୁଲ ଜ୍ଞାନ ନ ଥିଲା । ଯେତେବେଳେ ଜ୍ଞାନ ଫେରିପାଇଲି, ମୁଁ ଅଛି ଯାଇ ମୋହିମାରେ । ଚାରିଆଡ଼େ ଗୋରା ଗୋରା ଗୁଡ଼ାଏ ମଣିଷ । ପରେ ଜାଣିଲି, ଏମାନେ ସବୁ ଶାସକ । କିଛିଦିନ ପରେ ମତେ ପଠାଇ ଦିଆଗଲା ଇମ୍ଫାଲକୁ । ସେଠି ଚାରି ମାସ କଟେଇବା ପରେ ଆଜି ବସ୍ତିକି ଫେରିଚି ।’’

 

ଇମ୍ଫାଲରେ କୁଉଠି ଥିଲୁ ରେ ?’’

 

‘‘ଜେଲଖାନାରେ, ଧାଡ଼ି ଧାଡ଼ି ଗୁଡ଼ାଏ ଘର, ସେଠି ଥିଲା ଗୋଟାଏ ମଣିପୁରୀ ଚୋର । ତାଠୁ ଛବି ଅଙ୍କିବା ଭଲକରି ଶିଖି ଆସିଛି ।’’

 

ବୁଢ଼ା ସର୍ଦ୍ଦାର ପଚାରିଲା, ‘‘ଜେଲଖାନାଟା କ’ଣ କି ରେ ? ସେଠି ମଣିଷ ରହେ କାହିଁକି-?’’

 

‘‘ଆରେ ସାହେବମାନେ ତାକୁ ବନେଇଛନ୍ତି । ଚୋରି କଲେ, ଖୁନ୍‌ କଲେ, ଝିଅପିଲାଙ୍କ ଇଜ୍ଜତ ନେଲେ ଏଇଠି ଅଟକ ରଖନ୍ତି । ଭାରି ମଜା ଲାଗେ ଏଇ ଜାଗାଟା । ସେ କଥା ଆଉ ଦିନେ କହିବି ।’’ ବ୍ୟସ୍ତଭାବରେ ଚାରିଦିଗକୁ ଚାହିଁରହିଲା ପଲିଙ୍ଗା ।

 

‘‘ମୁଁ ତେବେ ଯାଏ !’’

 

‘‘କୁଆଡ଼େ ?

 

‘‘ଏହି ଦକ୍ଷିଣ ପାହାଡ଼କୁ, ଦେଖେ ଯଦି ମେହେଲୀଟାକୁ ପାଏ–ବହୁଦିନ ହେଲା ଦେଖା ହୋଇନି । ତା ପେଟରେ ବଚ୍ଚା ଥିଲା । ଖୁବ୍‌ ବଡ଼ ହୋଇଯିବଣି ସେ । କହୁ କହୁ ଦକ୍ଷିଣ ପାହାଡ଼ଆଡ଼େ ପାଦ ବଢ଼େଇ ଚାଲିଲା ପଲିଙ୍ଗା । ସମସ୍ତଙ୍କ ଆଖିରେ ବିସ୍ମୟର ଛାୟା । ଚାରିମାସ ଆଗକାର ସେଇ ଜଣାଶୁଣା ପାହାଡ଼ା ପିଲାଟା । ଏହି କେତେଟା ମୁହୂର୍ତ୍ତରେ କି ଆଶ୍ଚର୍ଯ୍ୟ, କି ଅପରିଚିତ ନ ହୋଇଯାଇଚି ? ହୋଇଯାଇଚି କି ଅପରୂପ ରହସ୍ୟମୟ ।

 

ପ୍ରଣୟପାଗଳ ପଲିଙ୍ଗା ସେଇଦିନଠାରୁ ଖୋଜିଚାଲିଛି ମେହେଲୀକୁ–ଯାହାକୁ ଦେଖଇଚି କହିଚି–ମେହେଲୀ ପେଟରେ ବଚ୍ଚା ଅଛି ମୁଁ ନିଜେ ତାର ବାପ । ଭାରି ହସିଉଠେ ସେ ଯେତେବେଳେ ବାପା ହେବା କଥା କହେ ।

 

ମେହେଲୀ ଖ୍ରୀଷ୍ଟାନ ହୋଇଛି । ଥାନା ଅଫିସର ଲୁଥର ସାହେବ ଏବେ ମିସନାରୀ । ଝିଅ ହୋଇରହିଲା ସେ ତାଙ୍କରି ଘରେ । ଯେଉଁଦିନ ତା ଗର୍ଭରୁ ଗାଇ ଓ ଜନ୍ମ ଲାଭ କରେ, ସେଦିନ ପ୍ରକୃତରେ ମନେ ମନେ ମେହେଲୀ କେତେ ଯେ ନ ଖୋଜିଚି ପଲିଙ୍ଗାକୁ । ସେହି ଗୁହାଗର୍ଭର ଅନ୍ଧକାର ଭିତରେ ବସି ସେମାନେ ଦୁହେଁ କଳ୍ପନା କରୁଥିଲେ ଏହି ଭାବୀ ସନ୍ତାନଟିର କଥା–ସେ ବିବାହ କରିବ, ପଲିଙ୍ଗା କନ୍ୟାପଣ ପାଇବ ଅନେକ –ଆହା ! ସେ ପଲିଙ୍ଗା ଆଜି ତା ପାଖରେ ନାହିଁ–କେତେ ଖୁସି ହୋଇଥାଆନ୍ତା ସେ ! ଛାଡ଼ ସେ କଥା ।

 

ମେହେଲୀ ଠିକ୍‌ ନୀଡ଼ ବାନ୍ଧିଚି, ପଲିଙ୍ଗା କିନ୍ତୁ ହରିଯାଇଚି । ଅତି ବୋକାଟାଏ ଯେ....ଲିଭିଯାଇଛି ତାର ପଥରର ଦାଗଗୁଡ଼ାକ–ହରିଣ, ସମ୍ବର ଆଦିର ଚିତ୍ରାଙ୍କନ ।

 

ଗାଇଓ–ପୂରା ନାମକରଣ–ଗାଇଓଦିଲିଓ । ଫାଦର ଲୁଥର ସାହେବ ଏ ନାଁଟିକୁ ଭାରି ଭଲ ପାଉଥିଲେ । ଘର ନାହିଁ, ଦ୍ୱାର ନାହିଁ, ବିଲାତ ଦେଶର ଲୋକ ସେ । ଚିରକୁମାର ରହି ରହି ଶେଷରେ ବାଳ ପାଚିଲା, ଦାନ୍ତ ପଡ଼ିଲା । ତଥାପି ସେ ସ୍ଥାନକୁ ଛାଡ଼ିଦେବା ପାଇଁ ଇଚ୍ଛା କରିନାହାନ୍ତି ସେ । ନାଗାମାନଙ୍କ ପ୍ରଚଣ୍ଡ ଆକ୍ରମଣର ସମ୍ମୁଖୀନ ହେବା ପାଇଁ ସେ ଯେମିତି ପଣ କରିଛନ୍ତି । ଭାତୃତ୍ୱବନ୍ଧନରେ କୋଳାଗ୍ରତ କରିଆସିଚନ୍ତି ସେ ଏହି ମଣିଷଗୁଡ଼ାକୁ । ପାହାଡ଼ୀ ଜାତିଟା ପ୍ରତି ତାଙ୍କର ଭାରି ଦୟା । ବହୁ ଲୋକ ଆସିଚନ୍ତି, ବହୁ ସାହେବ ଆସିଯାଇଚନ୍ତି –କେହି କେବେ ଜାଣିବା ପାଇଁ ଚେଷ୍ଟା କରିନି ପାହାଡ଼ୀ ଜାତିର ଅନ୍ତରଟାକୁ । ଭାଷା ଶିଖି ନାହାନ୍ତି–ସେମାନଙ୍କ ସୁଖଦୁଃଖରେ ସମଭାଗୀ ହୋଇନାହାନ୍ତି । ଲୁଥର ସାହେବ ଏହି ସାହେବମାନଙ୍କ ମଧ୍ୟରେ ଏକ ବିଚିତ୍ର ବ୍ୟତିକ୍ରମ ।

 

ଅନେକ ବଙ୍ଗାଳୀ, ଆସାମୀ ଅଫିସରଙ୍କ ସନ୍ଦେହ ହୁଏ ଗାଇଓଦିଲିଓ ଏହି ଲୁଥରଙ୍କ ଔରସରୁ ଜାତ ।

 

ସବୁ ଶୁଣନ୍ତି ମିଃ ଲୁଥର । ମନେ ମନେ ହସନ୍ତି–କେତେବେଳେ ଏ ହସ ବୁକୁ ଫଟେଇ ବାହାରକୁ ବାହାରି ଆସେ ।

 

ସେ କହନ୍ତି–ଗାଇଓ ମୋର ନାତୁଣୀ, ମଝିର ଝିଅ । ତାକୁ ବଡ଼ କରେଇବା ମୋର କର୍ତ୍ତବ୍ୟ ।

 

ଗାଇଓ ବଡ଼ ହୁଏ ମିଃ ଲୁଥରଙ୍କ ଆଦର ଓ ସ୍ନେହବେଷ୍ଟନୀରେ । ପିଲାଦିନୁ ସେ ଶିଖିଲା ଇଂରେଜୀ ଭାଷା, ପାହାଡ଼ୀ ଭାଷା ଉଭୟ । ଚାଲିଚଳଣ, ପୋଷାକପତ୍ର ସବୁ ସାହେବୀ ଢଙ୍ଗର । ଘରେ ଗୃହଶିକ୍ଷୟତ୍ରୀ ବାହାରେ ମିଶନାରୀ ସ୍କୁଲରେ ଶିକ୍ଷା । କ୍ରମଶଃ ବୟସ ବଢ଼େ । ଦେହ ସାଙ୍ଗେ ସଙ୍ଗେ ମନ ବି ବଢ଼ିଚାଲେ ।

 

ସ୍କୁଲରେ ପଢ଼ିବାବେଳେ ସାଙ୍ଗ ହୁଏ ମାଶାଙ୍ଗ । ଏକ ପାହାଡ଼ୀ ସମ୍ଭ୍ରାନ୍ତ ଜାତିର ପିଲା । ଭାରି ଧନୀ । ପ୍ରଥମେ ସାଙ୍ଗ ସାଥି । ପରେ ଲୁଚକାଳି ଖେଳ । ପାହାଡ଼ ଲତାଗହଳରେ ଦୁହିଁଙ୍କର ଅବାଧ ବିଚରଣ, ପକ୍ଷୀ ଶିକାର, ଗୀତ-ନାଚ-ମହୋତ୍ସବ, ଆନନ୍ଦଉଲ୍ଲାସ । ଏହି ପ୍ରଣୟର ସାବଲୀଳ ଗତି ଭିତରୁ ହଠାତ୍‌ ସୃଷ୍ଟି ହେଲା ଏକ ଅଗ୍ନିର ସ୍ଫୁଲିଙ୍ଗ ।

 

ଏହି ବିଦ୍ରୋହ-ସ୍ଫୁଲିଂଗର ସ୍ଫୁରଣ ବଡ଼ ଆକସ୍ମିକ । ସାହେବମାନଙ୍କ ଘନିଷ୍ଠ ସମ୍ପର୍କରେ ଆସି ସେମାନେ ଜାଣିପାରୁଥିଲେ ସେମାନଙ୍କ ଅତ୍ୟାଚାର କେତେଦୂର ଜଘନ୍ୟ । ବିଦ୍ରୋହ କେବଳ ଇଂରେଜ ଜାତି ବିରୁଦ୍ଧରେ ନୁହେଁ, ସାରା ହିନ୍ଦୁସ୍ଥାନ ବିରୁଦ୍ଧରେ । ଏ ବିଦ୍ରୋହ ସମତଳ ଅଧିବାସୀଙ୍କ ବିରୁଦ୍ଧରେ ।

 

ମେହଲୀର ମୃତ୍ୟୁ ଘଟେ ପ୍ରଥମେ । ସେ କେବଳ ପଲିଂଗାକୁ ଝୁରି ଝୁରି ବିଦାୟ ନେଲା ସଂସାରରୁ । ମୃତ୍ୟୁର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଖୋଜିଚି, ସେ ଡାକିଛି ପଲିଂଗାକୁ । ପଲିଂଗାର ପତ୍ତା ନାହିଁ–ହୁଏତ ମେହେଲୀକି ଖୋଜି ଖୋଜି କେଉଁ ପାହାଡ଼ଗୁହା ଭିତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଚି ।

 

ଗାଇଓ ଓ ମଶାଂଗ ଉପରେ ପାହାଡ଼ୀ ଜାତିଟାର ଅଖଣ୍ଡ ବିଶ୍ୱାସ । କାରଣ ସେମାନେ ଜାଣନ୍ତି ଏ ଦୁଇ ଜଣ ହିଁ ସେମାନଙ୍କ ଭିତରେ ଦୁଇଟି ଶିକ୍ଷିତ ମଣିଷ ।

 

ଗାଇଓ ଚାଲିଚି ଗାଁ ଗାଁରେ ବିଦ୍ରୋହ ଦିହୁଡ଼ି ଜଳେଇ, ଅନ୍ୟ ଦିଗରେ ମାଶଂଗ । ଲୁଚାଛପା କାରବାର । ମିଶନାରୀମାନେ ନାଗାମାନଙ୍କୁ ଲୁଣ ଦିଅନ୍ତି, ଚାଉଳ ଯୋଗାନ୍ତି, ପ୍ରଚାର କରନ୍ତି ସମତଳ ଭାରତ ସମ୍ବନ୍ଧରେ, କ୍ରମଶଃ ସେମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାନ୍ତି ।

 

ପାହାଡ଼ୀ ଅଜଗର ପରି ଅଙ୍କାବଙ୍କା ପଥରେଖା । ମସୃଣ ପିଚୁରାସ୍ତା । ପାହାଡ଼ର ଚଢ଼ା ଉଠା ଦେହ ଓ ଘନବନ ଉପତ୍ୟକାର ମଧ୍ୟଦେଇ ଅତିକାୟ ଶିଳାସ୍ତୂପ ମଝିରେ ଯେମିତି ପଥଗୁଡ଼ାକ ଅଦୃଶ୍ୟ ହୋଇପଡ଼ିଚି । ପଥର ବିସ୍ତାର ଦୁଇ ଦିଗରେ । ମାଓଏଠାରୁ ଏକ ଦିଗରେ କେତେ ଶୈଳଚୂଡ଼ା । ପାରହୋଇ ପଥ ପ୍ରସାରିତ ହୋଇପଡ଼ିଚି ମଣିପୁର ଦିଗରେ । ଉତ୍ତର-ପଶ୍ଚିମ କୋଣରେ ସେହି ପଥର ଗୋଟିଏ ବାହୁ କୋହିମା ପ୍ରାନ୍ତ ସ୍ପର୍ଶ କରି ଡ଼ିମାପୁର ଆଡ଼େ ନଇଁଆସିଚି । ପଡ଼ିଚି ରାଂଗାପାହାଡ଼ ଆଉ ରାମଡ଼ିଂଗ ଆଡ଼କୁ ।

 

ମାଓଏର ପଥସନ୍ଧିରେ ଆସି ଠିଆହେଲେ ସେଙ୍ଗାଇ ଓ ସାରୁୟାମାରୁ ।

 

ଡାହାଣ ପାଖରେ ପାହାଡ଼ର ଅତଳ ଖାତ । ଦୋୟାଙ୍ଗ ନଦୀର କଳତାନ । ପଥର ଦୁଇପାର୍ଶ୍ୱରେ ନୀଳ ଜଳଧାରା । ଉପତ୍ୟକାର ଉଚ୍ଚ ପଥରଚୂଡ଼ରେ ଦୋକାନ ବଜାର । ଟିଣ ଛାତ, ପଥର ଚଟାଣ । ଲୁଣ, ବିଡ଼ି, କଇଁଚି ସିଗାରେଟ୍‍, କମଳାଲେମ୍ବୁ, ଚାଉଳ ଆଦି ବିକ୍ରି ହୁଏ । ଅତିକାୟ ସେସବୁ ଗୋଦାମ ଘର । ହରିଣ ଛାଲ, ସମ୍ବରଶିଙ୍ଗ, କସ୍ତୁରୀ, ବାଘଛାଲ, ହାତୀଦାନ୍ତର ଗୋଦାମ । ବାମଦିଗରେ ଟିକିଏ ଉପରେ କେତେଟା ମଣିପୁର ହୋଟେଲ । ଘର ଆଗରେ ମଣିପୁରୀ, ଇଂରେଜୀ ଆସାମୀ ଓ ବଙ୍ଗଳା ଅକ୍ଷରର ସାଇନବୋର୍ଡ଼ ।

 

ଲୁଣ, ତେଜରାତି ଦୋକାନମାନଙ୍କରେ ବିଚିତ୍ର ଗୁଡ଼ାଏ ମଣିଷର ସମାଗମ । ବିଚିତ୍ର ସବୁ ସେଙ୍ଗାଇର ଆଖିରେ । ବିସ୍ମୟକର ଗୁଡ଼ାଏ ହୋଟେଲ । ଇମ୍ଫାଲକୁ ପଡ଼ିଥିବା ରହସ୍ୟମୟ ପଥ ଆଡ଼ିକି ସଚକିତ ଦୃଷ୍ଟିରେ ଚାହିଁ ରହିଲା ସେଙ୍ଗାଇ । ଏହା ଆଗରୁ ସେଙ୍ଗାଇ କୌଣସିଦିନ ପିଚୁରାସ୍ତା ଦେଖି ନ ଥିଲା ସେ ପିଲାଦିନୁ । ଦୁର୍ବୋଧ୍ୟ ଏମାନଙ୍କର ଭାଷା–କୌଣସି ଦିନ ଏ ଭାଷା ତାର କର୍ଣ୍ଣଗୋଚର ହୋଇନି ।

 

ଫୁସ୍‌ଫୁସ୍‌ କରି ପଚାରିଲା ସେଂଗାଇ–ଇଏ ସବୁ କି ମଣିଷ ସାରୁୟା ! ଆମ ପାହାଡ଼ୀ ଲୋକ ତ ନୁହନ୍ତି ।

 

ଗଭୀର ଭାବରେ ହସି ଉଠିଥିଲା ସାରୁୟାମାରୁ–ହଁ ରେ ହଁ, ଏସବୁ ସମତଳିଆ ମଣିଷ-। କେବେ ଏମାନଙ୍କ ସାଂଗରେ ମିଶିବୁନିଟି !

 

କାହିଁକି ?

 

ଜାଣିନୁ ? ଫାଦରଙ୍କ ମନା, ଏମାନେ ଖୁବ୍‌ ଖରାପ ଲୋକ, ସଇତାନଗୁଡ଼ାକ ।

 

ସତେ ?

 

ଚାଲ କୋହିମାକୁ । ଫାଦରଠାରୁ ବହୁତ କଥା ଶିଖିବୁ, ପାଠ ବଢିବୁ –ବାଇବେଲ ।

 

ସତେ ନା କ’ଣ ? ଏଇଟା କ’ଣ କିରେ ସାପ ଭଳି ପାହାଡ଼ ଉପରକୁ ଉଠିଚି ।

 

ତାଟ ପରା-ରାସ୍ତା ! ରାସ୍ତା ! ! ଇମ୍ଫାଲକୁ ପଡ଼ିଚି ।

 

ଇମ୍ଫାଲ ? ସେ ପୁଣି କୁଆଡ଼େ ? କେତେ ଦୂର ?

 

ମୁଁ ଯିବି ଇମ୍ଫାଲକୁ ।

 

ହଁ, ଯିବା ଯିବା, ଆଗେ ତୁ କୋହିମାକୁ ଚାଲ । ଭୋକ ଲାଗୁଚି ସେଙ୍ଗାଇ ?

 

‘‘ହୁଁ ହୁଁ ହୁଁ ।’’

 

–ଚାଲ ଏ ମଣିପୁରୀ ହୋଟେଲରେ କିଛି ଖାଇନେବା । ଇମ୍ଫାଲରୁ ଫଙ୍କ୍‌ ପଙ୍କ୍‌ ଗାଡ଼ି ଆସିବାକୁ ଡ଼େରି ଅଛି । ଏଇମିତି ଜିନିଷ ତତେ ଖୁଆଇବି ଯାହା ତୁ ଜନ୍ମରେ କେବେ ଖାଇ ନଥିବୁ-

 

ଇମ୍ଫାଲର ବଙ୍କାଟଙ୍କା ରାସ୍ତା ସାମନାର ଦୋକାନ, ହୋଟେଲ । ସମତଳର ମଣିଷଗୁଡ଼ାକୁ ସେଙ୍ଗାଇ ଚାହିଁ ରହିଥାଏ ତନ୍ମୟ ଦୃଷ୍ଟିରେ । ଅପରୂପ ଏକ ପୃଥିବୀର ସଂହଦ୍ୱାରରେ ସେ ଠିଆହୋଇ ରହିଚି । ଟିଜୁ ନଦୀ କିନାରାରେ, ବନମୟ ଉପତ୍ୟକାରେ, କେଲୁରୀ ସାଲୁୟାଲାଙ୍ଗ, ନାନକୋୟା, ଜୁକୁମିଚା ଏହିସବୁ ପାହାଡ଼ୀ ଗାଁର ବାହାରେ ଇମ୍ଫାଲକୁ ଯିବା ଲାଗି ଇମିତି ଗୋଟିଏ ମସୃଣ ପଥ ଥିଲା, ଏଭଳି ସବୁ ବିଚିତ୍ର ମଣିଷର ମେଳା ଥିଲା, ସେସବୁ କ’ଣ ସ୍ୱପ୍ନରେ କଳ୍ପନା କରିଥିଲା ସେଙ୍ଗାଇ ? ସମତଳର ଲୋକଗୁଡ଼ାକ ଆଡ଼ିକି ଚାହିଁଲା ସେ–କିଭଳି ଗୋଟାଏ ଆକର୍ଷଣ ବୋଧହେଲା ତାର ଏ ମଣିଷଗୁଡ଼ାକ ସହିତ ମିଶିବା ଲାଗି, ଏମାନଙ୍କ କଥା ଶୁଣିବା ପାଇଁ । କିନ୍ତୁ ନା, ଟିକିଏ ଆଗରୁ ତାର ମୋହଭଙ୍ଗ କରି ଦେଇଚି ସାରୁୟାମାରୁ । ବିଚିତ୍ର ଏକ ଉତ୍ତେଜନାରେ ଦେହର ପେଶୀଗୁଡ଼ାକ ସହସା ଯେମିତି ପ୍ରଖର ହୋଇଉଠିଲା ତାର ।

 

ପଥରକଟା ସିଡ଼ିରେ ଉଠିଆସିଲା ଉପରକୁ ସେ । ପାଖରେ ଏକ ଝରଣା ଦେହରୁ ଲମ୍ବିଚି ଗୋଟାଏ ରବରପାଇପ । ବରଫ ତରଳା ଶୀତଳ ଜଳ । ସାରୁୟାମାରୁ ସେହି ପାଣିରେ ହାତ ଧୋଇନେଲା । କହିଲା, ସେଙ୍ଗାଇ ! ଏଇଟା ସହର, ଟିକିଏ ପରଜୁ (ସଭ୍ୟ) ହୋଇ ଚଳିବାକୁ ପଡ଼ିବ ।

 

ଅତିକାୟ ବର୍ଚ୍ଛାଟାକୁ ଏକପାଖିଆ କରି ହାତଗୋଡ଼ ଧୋଇ ନେଲା ସେଙ୍ଗାଇ । ଊର୍ଦ୍ଧ୍ୱାଙ୍ଗ ଅନାବୃତ୍ତ । ତଳେ ଜଘିଂଆ–ନୀଳ ରଙ୍ଗର ଖଣ୍ଡିଏ କନା ।

 

ସେଙ୍ଗାଇ ଦେଖିଲା ଘର ଭିତରେ ଗୁଡ଼ାଏ ଟେବୁଲ, ଚୌକୀ । ଯେତେ ଦେଖୁଚି, ସେତିକି ଆନନ୍ଦବିହ୍ୱଳ ହୋଇଉଠୁଚି ସେ । ନାନା ପ୍ରଶ୍ନରେ ତାର ସମସ୍ତ ଇନ୍ଦ୍ରିୟ ଆନ୍ଦୋଳିତ । ପିତ୍ତଳ ଥାଳୀ, କାଚ ଗ୍ଳାସ, ତା ଉପରେ ମଣିପୁରୀ ପୂଜାରୀର ଭାତ, ଏରୁଙ୍ଗୁ (ରୋହୀ) ମାଛର ତରକାରୀ, ଝୋଳ, ମାଗୁର ମାଛର ଭଜା ।

 

ପରମତୃପ୍ତିରେ ଖାଇଚାଲିଚି ସାରୁୟାମରୁ; କିନ୍ତୁ ସେଙ୍ଗାଇ ନିଷ୍କ୍ରିୟ । ଚାହିଁ ରହିଚି ଖାଲି–ତାକୁ ସବୁ ବଡ଼ ଅଦ୍ଭୁତ ବୋଧହେଉଚି ।

 

–କିରେ ଭାତ ଖାଉନୁ, ଏଇ ଏରଙ୍ଗୁ ତରକାରୀ ଖାଇ ଦେଖ । ଥାମର ସେଟସୁଙ୍ଗ (ଠେକୁଆ) ଅଧା ପୋଡ଼ା ମାଂସଠାରୁ ଇଏ ଭାରି ସୁଆଦ । ଚାଖି ଦେଖ ।

 

–କିନ୍ତୁ ପିତ୍ତଳର ଏଗୁଡ଼ାକ । ଏ ପିତ୍ତଳରେ ଆମେ ଅରୁଆ (ଅଳଙ୍କାର) ବନଉଁ, ୟାକୁ ଖାଇଲେ ପାପ ହେବ ନି ତ !

 

–ଆରେ ନାଁ ନାଁ, ତୁମ ବସ୍ତିରେ ସିନା ପିତ୍ତଳ ଦାମିକା, ସହରରେ ଭାର ଶସ୍ତା । ଖାଇନେ, ଏହିକ୍ଷଣି ପଙ୍କ୍‌ ପଙ୍କ୍‌ ଗାଡ଼ି ଆଓିଯିବ ।

 

ସାରା ରାତ୍ରି ଉପତ୍ୟକା ଆଉ ମାଳଭୂମି, ବନ ବନାନୀ, ଅସଂଖ୍ୟ ଶୈଳଚୂଡ଼ା ପାର ହୋଇ ଆସିଚନ୍ତି ଏ ଦୁଇଜଣ । ପାଦ ଦିଟା ହାତର ସନ୍ଧିରେ ଯେମିତି ଜଡ଼େଇ ହୋଇରହିଛି ଅବସାଦରେ, ଅଠା ଭଳି । ପେଟ ଭିତରେ ଭୀଷଣ କ୍ଷୁଧା । ସେଙ୍ଗାଇ ଯେମିତି ଝାମ୍ପି ପଡ଼ିଲା ଥାଳୀଟା ଉପରକୁ ନିମିଷକ ମଧ୍ୟରେ ଶୂନ୍ୟ ହୋଇଗଲା ଶୁଭ୍ର କେତୋଟି ଅନ୍ନକଣିକା । ମଣିପୁରୀ ପୂଝାରୀ ଆହୁରି ଭାତ କୁଢ଼େଇ ଚାଲିଚି ସେଙ୍ଗାଇ ଥାଳୀରେ । ପୁଣି ନିଃଶେଷ ।

 

ଖାଇବା ଶେଷ ହେଲା–ଏଉଡ଼ି ମାରିଲା ସେଙ୍ଗାଇ–ଭାରି ଭଲ ଭାତ ତ ସାରୁୟା ! ଆମର ଯାହା ଭାତନା, ଗିଳି ହୁଏନି । ବସ୍ତିକୁ ଗଲେ ମୁଁ ଏମିତି ଭାତ ରାନ୍ଧିବି, କିନ୍ତୁ ମାଂସ ତ ନାହିଁ-। ମାଂସ ନ ହେଲେ କ’ଣ ଭାତ ଖିଆଟାଏ ?

 

–ମଣିପୁରୀ ହୋଟେଲରେ ମାଂସ ମିଳେନା, ଖାଲି ମାଛ ।

 

ଗୋଟିଏ ଟଙ୍କା ମଣିପୁରୀ ହୋଟେଲ ମାଲିକ ହାତକୁ ବଢ଼େଇ ଦେଇ ବାହାରକୁ ବାହାରି ଆସିଲେ ଦୁଇଜଣଯାକ । ସେଙ୍ଗାଇ ପଚାରିଲା–ଟଙ୍କା ଦେଲୁ ଯେ !

 

–ବାପ୍‌ରେ, ଟଙ୍କା ଦେବିନି ? ଖାଇଲେ କ’ଣ ମାଗଣା ? ଏଥର ବୁଝିଲୁ, ଟଙ୍କା ଦେଲେ ସହରରେ ସବୁ ମିଳେ ।

 

–ବଡ଼ ହାଲିଆ ଲାଗୁଚି ସାରୁୟା–ନିଦ ଆସୁଚି । କାହିଁ ତୋର ଗାଡ଼ିଟା ଏତେବେଳେ ଯାଏ ଆସିଲା ନାହିଁ ।

 

ଆଗକୁ ଅଙ୍ଗୁଳି ଦେଖାଇ କହିଲା ସାରୁୟା–ଏଇ ଦେଖ ଆସୁଚି । ଅନେକ ଦୂର ପାହାଡ଼ କଟା ପିଚୁରାସ୍ତା । ଏ ରାସ୍ତା ଉପରେ ଗୋଟିଏ ବିନ୍ଦୁ ଭଳି ଦେଖାଯାଉଚି ବସ୍‌ଟା । ଗୋଟାଏ ପତଙ୍ଗ ଭଳି ଛୁଟିଆସୁଛି ସଁ ସଁ କରି ।

 

ନିବିଡ଼ ବିସ୍ମୟରେ ଚଳମାନ ବିନ୍ଦୁଟାକୁ ଚାହିଁ ରହିଲା ସେଙ୍ଗାଇ । ଲୁଚି ଯାଉଚି, ପୁଣି ଫୁଟି ବାହାରି ଆସୁଚି ।

 

ବସ୍‌ ଆସିଲା, ବସିଲେ ଦୁହେଁ । କ୍ରମାଗତ ବାଙ୍କ ଘୁରୁଚି ବସ୍‌ । ବାଁ ପଟେ ପଥର କଟା ପାଚିରୀ ଉଠିଚି ଦୂରତମ ଆକାଶକୁ । ପାହାଡ଼ ଦେହରେ ନିବିଡ଼ ଅରଣ୍ୟ, ଗଭୀର ଉପତ୍ୟକା । ସେଙ୍ଗାଇର ବଡ଼ ଡ଼ର, ଖାତରେ ଯଦି ଖସିପଡ଼େ ବସ୍‌ଟା ।

 

ସାରୁୟାମାରୁ କହେ–ବଡ଼ ବୋକାଟା ତୁ । ବସ କେବେ ଖସେନା, ଇମିତି ଚାଲିଚି ପ୍ରତିଦିନ ।

 

ହଠାତ୍‌ ଗୁଡ଼ାଏ ବାନ୍ତି କରି ପକାଇଲା ସେଙ୍ଗାଇ । ଦିପହରର ସୁନେଲି ରଙ୍ଗ ବିଛେଇ ହୋଇ ପଡ଼ିଛି ଚଉଦିଗରେ । ବସ୍‌ ଚାଲିଚି । ବଙ୍କା ବଙ୍କା ରାସ୍ତା । ଉଚ୍ଚନୀଚ, ପଡ଼ା ଉଠା । ଦୁଇ ପାଖରେ ଧାଡ଼ି ଧାଡ଼ି ପାଇନଗଛ ।

 

ସେଙ୍ଗାଇ କହିଉଠିଲା–କେସୁଂ (ଘର) ଗୁଡ଼ାକ କି ସୁନ୍ଦର ।

 

–ଏଇ କ’ଣ ତୋର କୁଲୁରୀ ବସ୍ତି ହୋଇଚି କିରେ ! ଇଏ ହେଲା ସହର କୋହିମା ।

 

ବସରୁ ଓହ୍ଲେଇ କୋହିମା ପଥରେ ନଇଁଆସିଲା ସେଙ୍ଗାଇ । ବସ ଭିତରେ ବାନ୍ତି କରି କରି କାଏଲ୍‌ ହୋଇପଡ଼ିଛି ସେ । ଉଜ୍ଜ୍ୱଲାଭ ମୁହଁଟା ତାର ଶୁଖିଯାଇଛି କିନ୍ତୁ ସମତଳରୁ ଅନେକ ଉଚ୍ଚରେ ଆକାଶଶ୍ଚମ୍ବୀ ଶୈଳନଗରୀକୁ ଦେଖି ଆଚମ୍ବିତ ହୋଇଉଠିଥିଲା ସେ ।

 

ଚାଲିଚି ଆଗକୁ ଆଗକୁ । ସାମନାରେ ଦେଖିଲା ଅପରୂପ ଏକ ସଦୃଶ୍ୟ ଘର । ଚାରିପାଖରେ ନାନା ରଙ୍ଗର ଫୁଲ । ଇନ୍ଦ୍ରଧନୁର ମାୟା । ଆଗରେ ନିରଳସ ଭାବରେ ସୁସଜ୍ଜିତ ତୃଣପ୍ରାନ୍ତର । ସବୁଜ ରେଶମ ସୂତା ଭଳି ଗୁଡ଼ାଏ ଘାସ । ଆସିଲା–ଆରେ ସାରୁଆମାରୁ ! ତୁ ଆସିଚୁ ? ବେଶ ଭଲ କରିଚୁ । ଆ ଆ ।

 

ମଣିଷଟା ଏକ୍‌ବାରେ ଆସି ସାମନାରେ ଠିଆହେଲା । ହୁଷ୍ଟସିଂ (ନାଗା) ପାହାଡ଼ର ଏକରକମ ଧଳା ପକ୍ଷୀ) ର ଡ଼େଣା ଭଳି ସଫେତ ରଙ୍ଗ ତାର ଚମଡ଼ା । ଏକବାରେ ତାଜୁବ ବନିଗଲା ସେଙ୍ଗାଇ ।

 

ସାରୁୟାମାରୁ କହିଲା–ଗୁଡ଼ନାଇଟ୍‌ ଫାଦର । ହାଁ ହାଁ କରି ହସିଉଠିଲେ ପାଦ୍ରୀ ସାହେବ–କିରେ ଏବେ ନାଇଟ ! ସନ୍ଧ୍ୟା ହେବାକୁ ତ ବହୁତ ଡ଼େରି !

 

ଅପ୍ରସ୍ତୁତ ହୋଇପଡ଼ିଲା ସାରୁୟାମାରୁ । ଯେଉଁ ଇଂରେଜୀ ଶବ୍ଦ ଦୁଇଟି ବହୁଦିନୁ ସଞ୍ଚୟ କରିରଖିଥିଲା ସେ, ଯେଉଁଥିଲାଗି ତାର ଗର୍ବ ଥିଲା ବହୁଦିନ ଧରି, ଶେଷରେ ସେ ଶବ୍ଦ ଦୁଇଟା ଯେ ତାକୁ ବିଶ୍ୱାସଘାତକତା କରିବେ ଜାଣି ନ ଥିଲା ସେ ।

 

–ଇଏ କିଏ ସାରୁୟାମାରୁ ! ପଚାରିଲେ ଫାଦର ।

 

–ଆମ ବସ୍ତି ସର୍ଦ୍ଦାରର ପୁଅ । ଭାରି ବୁଦ୍ଧିଆ, ଭାରି କର୍ମଠ । ପାଠ ପଢ଼ିବ, ସଭ୍ୟ ହେବ ସେ ।

 

–କିଛିକ୍ଷଣ ପରେ ଯାତ୍ରୀ ସାହେବ ଘରକୁ ଯାଇ ଆସିଲେ । ସାଙ୍ଗରେ ଚାକର । ହାତରେ ଗୁଡ଼ାଏ ସଫାସୁତୁରା ଲୁଗା ।

 

ବେଞ୍ଚ ଉପରେ ବସି ପଡ଼ିଥିଲା ସେଙ୍ଗାଇ । ବଡ଼ କ୍ଳାନ୍ତ ବୋଧ ହେଉଥିଲା ତାକୁ । ବେଞ୍ଚରେ ବସିବା ପାଇଁ ଇଚ୍ଛା ନ ଥିଲା ତାର । ଅଭ୍ୟାସ ବି ନ ଥିଲା ସାରୁୟାମରୁ ନିର୍ଦ୍ଦେଶ ଅନୁଯାୟୀ ସେ ବସିଚି । ପାହାଡ଼ୀ ମଣିଷ ସେଙ୍ଗାଇର ଚେତନାରେ ଏହି ମୁହୂର୍ତ୍ତରେ ଏହି ପାଦ୍ରୀ ସାହେବ ଯେମିତି ତାର ବଡ଼ ଅବିଶ୍ୱାସ୍ୟ ମନେ ହେଲା । ପାଦ୍ରୀ ସାହେବ କଅଁଳେଇ କହିଲେ–ନେ ସେଙ୍ଗାଇ, ଲାଜ କାହିଁକି ?

 

ଆଖି ଆଡ଼େଇ ଚାହିଁଲା ସେଙ୍ଗାଇ ସାରୁୟାକୁ । ସାରୁୟାକୁ କି ପ୍ରେରଣାଦେଲା କେଜାଣି, କୁଣ୍ଠିତ ମନରେ ହାତ ବଢ଼ାଇ ଦେଲା ସେ । ହାତରେ ଗୁଡ଼ାଏ ଖାଇବା ଜିନିଷ, ଲୁଗାପଟା ।

 

ଟେସଙ୍ଗର ଛାଲ ଆଣିବି, ମେନଜୋ (ହାତୀର ଦାନ୍ତ ଆଣିବି, ମି (ବର୍ଚ୍ଛା) ଆଣିବି–କିଛି ହେଲେ ଆଣିବାକୁ ଦେଲାନି ଏ ସାରୁୟାମାରୁ । ବଦଳ ବା କ’ଣ ଦେବି ?

 

‘‘କିଛି ହେଲେ ଦେବାକୁ ପଡ଼ିବିନି ମତେ’’–ପାଦ୍ରୀ ସାହେବଙ୍କ କଣ୍ଠରେ ବାତ୍ସଲ୍ୟସ୍ୱର । ମୁହଁ ଉପରେ ଅପୂର୍ବ ହସ ବିଛାଡ଼ି ହୋଇଗଲା ପାଦ୍ରୀ ସାହେବଙ୍କର ।

 

–ମୁଁ ତତେ ଏସବୁ ଖୁସିରେ ଦେଉଚି, ତୁ ଖାଲି ଥରେ ଫାଦର ଡାକିଲେ ହେଲା ।

 

ପାଦ୍ରୀ ସାହେବଙ୍କ ସାରା ଦେହ ଉପରେ ଏପର୍ଯ୍ୟନ୍ତ ଉଛୁଳି ଉଠୁଥିଲା ହସର ଆଲୋକ-। ଅଙ୍ଗପ୍ରତ୍ୟଙ୍ଗ ଭଳି ହସଟା ଯେମିତି ଜନ୍ମ ନେଇଚି ଏକା ସାଙ୍ଗରେ । ପୁଣି କହିଉଠଲେ, ‘‘ମୁଁ ତମ ବସ୍ତିକି ଥରେ ଯିବି, ସର୍ଦ୍ଦାରକୁ କହିଚୁ ତ ସାରୁୟା !’’

 

–ହଁ କହିଚି, କିନ୍ତୁ ସର୍ଦ୍ଦାର ତ ରାଜି ହେଉନି ।

 

–ଟଙ୍କା ଦେବି ଅନେକ ।

 

–କହିଥିଲି । ତେବେ ବି ସେ ରାଜି ନୁହେଁ । ଏଇ ସେଙ୍ଗାଇକୁ ପଚାର । ସେ ବି କହିବ-

 

ଏଥର ମନେହେଲା, ପାଦ୍ରୀ ସାହେବଙ୍କ ଶୁଭ୍ର ଉଜ୍ଜ୍ୱଳ ମୁହଁଟାରେ ବୁଢ଼ୀଆଣୀ ଜାଲ ଭଳି ଅଜସ୍ର ଗୁଡ଼ାଏ କଳା କଳା ରେଖା । ଯିମିତି ଗୁଡ଼ାଏ ସରୀସୃପ ଚାଲିଯାଉଚନ୍ତି ମୁହଁଟା ଉପରେ । ଟିକକ ଆଗର ଏହି ସ୍ନିଗ୍‌ଧ ମୁହଁଟା ସହିତ ବର୍ତ୍ତମାନର ଏହି ମୁହଁଟାର ଯିମିତି ତିଳେହେଲେ ସଙ୍ଗିତ ନାହିଁ, ମେଳ ନାହିଁ ।

 

ପାଦ୍ରୀ ସାହେବ କଟମଟ ଆଖିରେ ଚାହିଁରହିଲେ ସାରୁୟାକୁ–କାହିଁକିରେ ସର୍ଦ୍ଧାରର ଏଡ଼େ ରାଗ ? ବସ୍ତିକୁ ଯିବାକୁ ମନା ?

 

ସାରୁୟା ସେମିତି ଥରିଉଠିଲା, ମୁଁ କ’ଣ କରିବି ଫାଦର ? ମୁଁ ସବୁ ବୁଝେଇ ସୁଝେଇ କହିଲି, ଫାଦର ଟେବୋୟା (ମଣିଷମୁଣ୍ଡ) ବଳି ଦେବାକୁ ମନା କରିବେ, କ୍ରସ ଆଙ୍କିବାକୁ କହିବେ, ଯୀଶୁ, ମେରୀ ନାମ ଜପିବାକୁ ବତେଇବେ । ଏତିକି କହୁ କହୁ ତ ସର୍ଦ୍ଦାର ରାଗରେ ପ୍ରଚଣ୍ଡ । ମତେ ପରା ବର୍ଚ୍ଛା ଧରି ତେଢ଼େଇ ଉଠିଥିଲା ସେ । ଆହୁରି ଧମକାଇ କହିଲା କ’ଣ କ’ଣ ନା, ଫାଦର ଆସିଲେ ଜା’ନ ନେଇ ଫେରିବନି ।

 

ହଁ ହୁଁ କହି ଘନ ଘନ ମୁଣ୍ଡଟାକୁ ହଲେଇ ଲାଗିଯାଏ ସେଙ୍ଗାଇ–ଫାଦର, ଆମ ବସ୍ତିରେ ଏସବୁ ଚଳିବନି ।

 

ତାର୍ଯ୍ୟକ୍‌ ଦୃଷ୍ଟିରେ ଚାହିଁରହିଲେ ପାଦ୍ରୀ ସାହେବ । ମୁହଁରେ କୁଟୀଳ ହସ ଫୁଟେଇ କହିଲେ, ‘‘ହଉ ପରେ ଦେଖାଯିବ । ହାଲିଆ ହୋଇପଡ଼ିଚ ପ୍ରଥମେ କିଛି ଖାଇନେଇ ବିଶ୍ରାମ କର-।’’

 

ସେଙ୍ଗାଇକି ନେଇ ସାରୁୟା ଚାଲିଲା ଶୋଇବା ପାଇଁ ।

 

ବେତ ଚେୟାର ଉପରେ ବସିଛନ୍ତି ପାଦ୍ରୀ ସାହେବ । ଚିନ୍ତାମଗ୍ନ ଏହି ପାହାଡ଼ୀ ପୃଥିବୀ । ଇନଫିଡ଼େଲ, ଆଇଡ଼୍ରୋଲିଟିସ୍‌, ପିତୁଳା ପୂଜାର ଦେଶ । ଘନ ଅନ୍ଧକାର ଦେଇ ପଥ କାଟି କାଟି ଖ୍ରୀଷ୍ଟାନିଟିର ଆଲୋକମୟ ପଥରେ ଏମାନଙ୍କୁ ଚଳାଇ ନେବାକୁ ହେବ । ସେ ମିଶନାରୀ, ଏହି ସାମାନ୍ୟ କଥାରେ ବିଚଳିତ ହେଲେ ଗଳିବନି । ଏହି ପାଦ୍ରୀ-ଜୀବନର ନେପଥ୍ୟରେ ଯେ ଗୋଟାଏ ଭୟାନକ ଜୀବନ ଥିଲା, ସେଇ ଜୀବନର ଧ୍ୱଂସର ପଥେ ପଥେ ସବୁ ଅସଂଯମ, ସବୁ ବିଭ୍ରାନ୍ତ, ସବୁ ଉତ୍ତେଜନାକୁ ନିର୍ବାଚନ ଦେଇ ଆସିବାକୁ ହୋଇଚି ତାଙ୍କୁ । ସନ୍‌ସ ଅଫ୍‌ ସିନ୍‌ସ୍‌ (ପାପୀପୁତ୍ର) ମାନଙ୍କର ଏହି ପଙ୍କିଳ ପୃଥିବୀରେ ଗୋଟିଏ ଶ୍ୱେତପଦ୍ମ ଫୁଟେଇ ତୋଳିବେ ସେ । ଫୁଟେଇବେ,କ ଧ୍ରୁବଲୋକ । ସେଇ ଶ୍ୱେତପଦ୍ମ, ସେଇ ଧ୍ରୁବଲୋକର ନାମ ହେଉଚି ଯୀଶୁ । ନିଜ ରକ୍ତରେ ପୃଥିବୀର ସମସ୍ତ ଗ୍ଳାନି, ସବୁ ଅପରାଧ ସେ ଶୋଧନ କରି ନେଇଯାଇଚନ୍ତି । ଯେଉଁ ମଣିଷର ଏତେ ବଡ଼ ଦୀକ୍ଷା, ସେ ଅନ୍ତତଃ ଉତ୍ତେଜିତ ହେଲେ ଚଳିବନି । ଟିକକ ପୂର୍ବେ ଖୁବ୍‌ ଗାଳି ଦେଉଥିଲେ ସେ । ସେଇଥିଲାଗି ବୋଧହୁଏ ଏ ଅନୁତାପ । ସ୍ନାୟୁଗୁଡ଼ାକ ପୀଡ଼ିତ । ଗୋଟିଏ ମାତ୍ର କର୍ତ୍ତବ୍ୟର ପ୍ରେରଣାରେ ଆଟଲାଣ୍ଟିକ ପାର ହୋଇ ଇଣ୍ଡିଆର ଏହି ପାହାଡ଼ରେ ଆସି ଉଠିବାକୁ ପଡ଼ିଚି ତାଙ୍କୁ–ଏକ ଗୋଲାର୍ଦ୍ଧରୁ ଅନ୍ୟ ଏକ ଗୋଲାର୍ଦ୍ଧ, ବେଥଲହାମର ଏକ ଉଜ୍ଜ୍ୱଳ ନକ୍ଷତ୍ରକୁ ଏହି ଉପମହାଦେଶ ଆକାଶରେ ସ୍ଥିରକରି ରଖିଯିବେ ସେ । ମାନବପୁତ୍ରର କଲ୍ୟାଣମୟ ନାମକୁ ଏ ଦେଶର ମଣିଷ ଗୁଡ଼ାକର ରକ୍ତରେ ଶ୍ୱେତକଣା ଭଳି ଇଂଜେକ୍‌ଟ ନ କଲାପର୍ଯ୍ୟନ୍ତ ତାଙ୍କର ମୁକ୍ତି ନାହିଁ ଆଶସ୍ତି ନାହିଁ ବିଶ୍ରାମ ବି ନାହିଁ ।

 

ଭାବନଟା ବିଶ୍ରସ୍ତ ହୋଇପଡ଼ିଲା ପାଦ୍ରୀ ସାହେବଙ୍କର । ସାମନାରେ ଠିଆ ହୋଇଚି ସାରୁୟାମାରୁ ।

 

–ଆରାମରେ ଶୁଆଇ ଦେଇଚୁ ତ ସେଙ୍ଗାଇକୁ ?

 

–ହୁଁ ହୁଁ ।

 

ତାପରେ ତୁମ ବସ୍ତିର ଖବର ଆଉ କ’ଣ ? ବହୁତ ଦିନରୁ ତତେ କହିଚି, ଏଥର ବ୍ୟବସ୍ଥା କର ବସ୍ତିକି ଯିବା ପାଇଁ । କେବଳ ବୃଥାରେ ରକ୍ତପାତ ମୁଁ ଚାହେଁନା । ଅନେକ ଟଙ୍କା ଦିଆଯିବ ତୁମମାନଙ୍କୁ । ଯାହା ଚାହିଁବ ସବୁ ମିଳିବ । ଖାଲି ତୁମେମାନେ ଖ୍ରୀଷ୍ଟାନ ହେବାକୁ ପଡ଼ିବ-

 

ଟିକିଏ ରହିବା ପରେ ପୁଣି କହି ଉଠିଲେ–ଯାହାହେଉ ତୁ ସବୁ କରିଚୁ । ମଣିଷ ମୁଣ୍ଡ ବଳି ଦେଉନୁ, କ୍ରସ୍‌ ଆଙ୍କିଚୁ, ଯୀଶୁ ମେରୀଙ୍କ ନାମ ଜପିଚୁ ।

 

–ହୁଁ ହୁଁ, ସବୁ କରିଚି, ତେବେ ଲେ କେମ୍ପୁ (ବୈଶାଖ) ମାସରେ ସୂର୍ଯ୍ୟଙ୍କ ନାଁରେ ଗୋଟାଏ ମୁର୍ଗୀ ବଳି ଦେଇଥିଲି ।

 

ନାଃ–ସଂଯମକୁ ଚାପିରଖି ରହିବା ସମ୍ଭବ ନୁହେଁ । ବଡ଼ ବ୍ୟସ୍ତ ହୋଇପଡ଼ିଲେ ପାଦ୍ରୀ ସାହେବ । ଶୁଆପକ୍ଷୀ ଭଳି ଏଇଟାକୁ ଏତେ ବୁଝେଇଲି । ପାହାଡ଼ୀ ଲୋକଗୁଡ଼ାଙ୍କର ବୁଦ୍ଧି ବୋଇଲେ ଆଉନ୍‌ସେ ସୁଦ୍ଧା ନାହିଁ । ଖୁବ୍‌ ତର୍ଜନ କରି ଉଠିଲେ ଫାଦର–‘‘ଡ଼େଭିଡ଼୍ । ସନ୍‌ସ ଅଫ୍‌ ବିଚ ।’’

 

ଠିକ୍‌ ଏହି ସମୟରେ ଆସଲେ ଆଉ ଜଣେ ମିଶନାରୀ । ପିୟର୍ସନ । ମାଥ୍ୟୁସ ସାହେବଙ୍କର ଅନ୍ତରଙ୍ଗ ସେ । ପିୟର୍ସନଙ୍କୁ ଲକ୍ଷ୍ୟକରି ଫାଦର କହିଲେ–ଦେଖ ପିୟର୍ସନ । ଜଷ୍ଟ ସି-। ଏତେ କରି ବୁଝାଇଲି । ଠିକ୍‌ ଅନିଜା ନାଁରେ ପୁଣି ଗୋଟାଏ ମୁର୍ଗୀର ବଳି । ସବୁ ବୃଥା । ଏତେ ଦୂରରୁ ଆସି କ’ଣ ଲାଭ ? ଗୋଟାଏ ଲୋକ ଯଦି ବାପ୍‌ଟାଇଜ୍‌ଡ଼ ନ ହେଲା ତାହାହେଲେ......

 

ପିୟର୍ସନ ସାହେବ ଧୀରେ ଧୀରେ ହସୁଥିଲେ । ମାତ୍ର କେତେଦିନ ହେଲା ଆସିଚନ୍ତି ସେ ଏହି କୋହିମାକୁ । ବୟସ ଚବିଶ ଭିତରେ । ମୁଣ୍ଡରେ ଗୁଡ଼ାଏ ସୁନେଲୀ କେଶ । ଆଖିର ଘନ ନୀଳମଣିରେ ଆଟଲାଣ୍ଟିକର ଆଭାସ । ସାତ ଫୁଟ ଲମ୍ବା ଗୋଟାଏ ଋଜୁ ଦେହ । ମେରୁଦଣ୍ଡଟା ଉଠିଆସିଚି ମୁଣ୍ଡ ପାଖକୁ ଠିକ୍‌ ସରଳରେଖା ପରି । କୋହିମାର ପାହାଡ଼ କନ୍ଦରରେ ମିଶନାରୀର ନିରୁତ୍ତେଜ ଜୀବନର ଭୂମିକା ଯେପରି କୌତୁକର ଅଭିନୟ ମାତ୍ର । ଆଟଲାଣ୍ଟିକ ଏପାରରେ କୌଣସି ଏକ ଡିଉକ୍‍ ପରିବାରର ସନ୍ତାନ ସେ । କି ଏକ ଦୁର୍ବୋଧ୍ୟ ଖିଆଲରେ କି ଏକ ଦୁର୍ନିବାର କୌତୁକରେ ମସଗୁଲ ହୋଇ ଏହି ବୃତ୍ତି ଧରିବାକୁ ପଡ଼ିଚି ତାଙ୍କୁ । ଗ୍ଳାସଗୋ ୟୁନିଭରସିଟିରୁ ସିଧାସଳଖ ଚର୍ଚ୍ଚର ଆଲ୍‌ଟାର । ସେଇଠାରୁ ଆଟଲାଣ୍ଟିକାର ଗୋଟାଏ ଉଦ୍ଦାମ ତରଙ୍ଗ ଭଳି କଚାଡ଼ି ହୋଇପଡ଼ିଚନ୍ତି ସେ ଏହି କୋହିମାର ପାହାଡ଼ରେ । ମୁରୁକି ମୁରୁକି ହସ ହସି ଚାଲିଥାଆନ୍ତି । ବିରକ୍ତ ହୋଇ କହୁଥିଲେ ଫାଦର–ହ୍ୱାଟ୍‌ ଡ଼ୁ ୟୁ ମିନୁ ? ହସୁଚ ? ସରିୟସ ବ୍ୟାପରରେ ହସିବା ଠିକ୍‌ ନୁହେଁ ପିୟର୍ସନ !

 

–ଆଇ ଆଡ଼ମିଟ୍‌ ଫାଦର । ହସଗୁଡ଼ାକ ଯେମିତି ଅଠା ଭଳି ଲାଖିରହିଚି ପିୟର୍ସନଙ୍କ ଦୁଇଟି ରକ୍ତାଭ ଓଠ ଉପରେ ।

 

ମାକେଂଜିଂ ପିୟର୍ସଙ୍କ ପ୍ରତି କଟାକ୍ଷପାତ କରି କହିଉଠିଲେ–ଦେଖ ପିୟର୍ସନ । ତୁମେ କିଛି କାମ କରୁନ । ଗଭର୍ଣ୍ଣମେଣ୍ଟ ଏତେ ଟଙ୍କା ଖର୍ଚ୍ଚ କରି ଏଠିକି ପଠାଇଚି । ପ୍ରଚାର କରିବା ତୁମର କାମ, ଖାଲି ପାହାଡ଼ ପର୍ବତ ଦେଖି ମଉଜ ମଜଲିସ୍‌ କରିବା କାମ ନୁହେଁ ।

 

ମୁଗ୍‌ଧ ଗଳାରେ ପିୟର୍ସନ କହିଲେ–ୟୁ ମଷ୍ଟ ଆଡ଼୍‌ମିଟ ସାର–ଏ ପାହାଡ଼ଗୁଡ଼ାକ ଦେଖିବା ପାଇଁ ଭାରି ସୁନ୍ଦର ।

 

ଦେଖାଗଲା ମାକେଂଜି ସାହେବଙ୍କ ଆଖିରେ ଏକ ବିକଟ ଭ୍ରୁକୁଟି–ଭୁଲି ଯାଅନା ପିର୍ସନ, ତୁମେ କବି ନୁହଁ, ମିଶନାରୀ । କବିତା ଲେଖିବା ପାଇଁ ତୁମେ ଏଠିକି ଆସିନା । ଏତେଦିନ ହେଲା ଆମେ ଏଠିକି ଆସିଲୁଣି, ଜଣେ କାହାକୁ ବି ଖ୍ରୀଷ୍ଟାନ କରିପାରିଲୁ ନାହିଁ । ଗୋଟାଏ କିଛି ଭିଜନ (ଦୂରଦୃଷ୍ଟି) ରହିବା ଦରକାର ।

 

ଟିକିଏ ଅଟକି ଯାଇ ପୁଣି କହିଉଠିଲେ ମାକେଂଜି–ତମର ବା କ’ଣ ଯାଏ ଆସେ ? ବାପା ତମର ଡ଼ିଉକ୍‍ । ଗୋଟାଏ ଝୁଙ୍କରେ ଏ ଲାଇନରେ ପଡ଼ିଯାଇଚ, ହୁଏତ ଛାଡ଼ି ପଳାଇ ଯାଇପାର । କିନ୍ତୁ ଆମେ ଆସିଡ଼ୁ ଇନ୍‌ସପ୍ରେସନରେ ପଡ଼ିଯାଇଚ, ହୁଏତ ଛାଡ଼ି ପଳାଇ ଯାଇପାର-। କିନ୍ତୁ ଆମେ ଆସିଡ଼ୁ ଇନ୍‌ସପ୍ରେସନର ତାଡ଼ନାରେ, ଗୋଟାଏ ଭିଜନ୍‌ର ପ୍ରେରଣାରେ-। ଖ୍ରୀଷ୍ଟାନିଟ୍‌ର ଆଲୋକ ଦେଇ ପୃଥିବୀର ଆଇଡ଼ୋଲେଟ୍ରିକୁ ଲୋପ କରିବାକୁ ପଡ଼ିବ । ଗୋଟାଏ ଡ଼େଲ୍ୟୁଜ ଆସିବା ପୂର୍ବରୁ ଆମର କର୍ତ୍ତବ୍ୟ ପୃଥିବୀକୁ ଶୁଦ୍ଧ, ନିର୍ମଳ କରିବା । ଇଟ ଇଜ୍‌ ନାଇଦର ହୁଇମ୍‌ ନର୍‌ ଗେମ୍‌ ଅଫ ଏକ୍‌ସେଡ଼େଣ୍ଟସିଟି । (It is neither whim nor game of accident city) ଏହାର ନାମ ସାଧନା । ମନୁଷ୍ୟକୁ କୁସଂସ୍କାରରୁ ମୁକ୍ତି ଦେବାକୁ ପଡ଼ିବ-। To readom…….

 

ସହସା ଗମ୍ଭୀର ହୋଇଉଠିଲେ ପିୟର୍ସନ । କିନ୍ତୁ ମୋର ମନେହୁଏ, ଏ ପ୍ରଚାରର କୌଣସି ମୂଲ୍ୟ ନାହିଁ । କୌଣସି ପ୍ରୟୋଜନ ନାହିଁ । ନିଜର ଧର୍ମ ଭିତରେ ହିଁ ଏମାନଙ୍କୁ ବିକଶିତ ହେବା ପାଇଁ ସୁବିଧା ଦିଆଯିବା ଉଚିତ । ତାହାହେଲେ ଏମାନେ ଯଥେଷ୍ଟ ଉପକୃତ ହେବେ । ମୁଁ ତ ଏଇ କେତେଦିନ ହେଲା ପାହାଡ଼ରେ ବୁଲି ବୁଲି ଏଇ କଥା ଭାବୁଚି ।

 

–କ’ଣ କହୁଚ ପିୟର୍ସନ । ଆମେ ତ ଲୋକଙ୍କ ଉପକାର କରୁଚୁ, କିନ୍ତୁ ଏତେଟା ଫିଲାନ୍‌ଥ୍ରପି ବରଦାସ୍ତ କରାଯାଇ ନ ପାରେ । ତା ଛଡ଼ା ଏ ମଣିଷଗୁଡ଼ାକ ରହିବେ ସଇତାନମାନଙ୍କ ଶିକାର ହୋଇ । ଜାଣନ୍ତି ତ ବ୍ରିଟିଶ ଯେଉଁଠିକି ଯାଇଚି, ସେଠି ବାଇବଲ ଯାଇ ହାଜର ହୋଇଚି । ରାଇଫଳ, ବାଇବେଲର ମିଳନ ନ ହେଲେ ପୃଥିବୀବ୍ୟାପୀ ସାମ୍ରାଜ୍ୟ ସ୍ଥାପନ କରିବା କ’ଣ ସମ୍ଭବ ହୁଅନ୍ତା ଆମ ପକ୍ଷରେ ?

 

–କ’ଣ କହୁଚନ୍ତି ଫାଦର ଆପଣ ! ଆମେ ମିଶନାରୀ, ପ୍ରଚାରକ । ଆମ ସହିତ ରାଜ୍ୟଜୟର ସମ୍ପର୍କ ?

 

–ଠିକ୍‌ ତୁମେ ଯେଉଁ ଦୃଷ୍ଟିକୋଣରୁ ଦେଖୁଚ, ଭାବିବାକୁ ପଡ଼ିବ ତାର ବିପରୀତଟା କ’ଣ-। ପ୍ରଥମେ ଆମେ ବ୍ରିଟିଶ, ତାପରେ ମିଶନାରୀ ।

 

ବିବ୍ରତ ହୋଇପଡ଼ିଲେ ପିୟର୍ସନ । ଆଟଲାଣ୍ଟିକ ବେପାର ବାଣିଜ୍ୟରେ ଯେତେବେଳେ ଗ୍ଳାସ୍‌ଗୋ ୟୁନିଭରସିଟି କଲୋଲେଡ଼ କମ୍ପେଇ ତାଙ୍କର ସାତଫୁଟ ଲମ୍ବା ଋଜୁ ଦେହଟା ଚଳପ୍ରଚଳ କରୁଥିଲା ସେତେବେଳେ ମିଶନାରୀ ଜୀବନ ସମ୍ବନ୍ଧରେ ତାଙ୍କର ଧାରଣା ଥିଲା ଅନ୍ୟ ପ୍ରକାରର । ସିଦ୍ଧାଚାର ମାନବପ୍ରେମର ସେ ଜୀବନ ଅପରୂପ । ମିଶନାରୀର ମନ ଆଟଲାଣ୍ଟିକ ସାଗରଠାରୁ କି ଗଭୀର, ବିଶାଳ ଆକାଶଠାରୁ ମଧ୍ୟ ବ୍ୟାପକ । ମିଶନାରାର କୌଣସି ଜାତି ନାହିଁ, କୌଣସି କୁଳ ବା ଗୋତ୍ର ନାହିଁ । ମିଶନାରୀର ଏକମାତ୍ର ପରିଚୟ ମିଶନାରୀ । କିନ୍ତୁ କୋହିମାର ପାହାଡ଼କୁ ଆସି ମୋହଭଙ୍ଗ ହୋଇଚି ପିୟର୍ସନଙ୍କର । କାଚବାସନ ଭଳି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଚି ତାଙ୍କ ମନର ଲଳିତ ମିଶନାରୀର ସଂଜ୍ଞାଟା ।

 

କଠିନ ଗଳାରେ ପିୟର୍ସନ କହିଲେ–କିନ୍ତୁ ଅପର ଧର୍ମ ଉପରେ ହାତ ଦେବାଟା କ’ଣ ଠିକ୍‌ ? ସେ ତ ଏକରକମ ସାମ୍ରାଜ୍ୟବାଦ । ସେ ସାମ୍ରାଜ୍ୟ ମଣିଷର ମନରେ ।

 

ନାଁ’–ସଂଯମକୁ ଆଉ ବନ୍ଦୀ କରି ରଖିବା ସମ୍ଭବ ନୁହେଁ । ଛଅ ରିପୁ ମଧ୍ୟରୁ ଗୋଟିଏ ମନ ମଧ୍ୟରେ ଉବେଇ ଟୁବେଇ ହୋଇଉଠିଲା । ଗର୍ଜନ କରି ଉଠିଲେ ବୃଦ୍ଧ ପାଦ୍ରୀ ମାକେଞ୍ଜି । କହିଉଠିଲେ–ସେସବୁ କଥା ଚିନ୍ତା କରିବା ତୁମର ଦରକାର ନାହିଁ ପିୟର୍ସନ ! ନ ପୋଷଇଲେ ତମକୁ ଦେଶକୁ ପଠେଇ ଦିଆଯାଇପାରେ । ତୁମେ, ଜାଣୁଚି ଜଣେ ମହାବିପଜ୍ଜନକ ଲୋକ । ସାବଧାନ କରି ଦେଉଚି, ଏସବୁ ବ୍ୟାପାର ନେଇ ପାହାଡ଼ୀ ମଣିଷଗୁଡ଼ାକୁ ବିଷୋକ୍ତ କରନା । ଏହାର ପ୍ରତିକ୍ରିୟା ଖୁବ୍‌ ଖରାପ । ବ୍ରିଟିଶ ସରକାରଙ୍କ ପକ୍ଷରୁ ମଧ୍ୟ କ୍ଷତିକାରକ । ତୁମେ ପିଲାଲୋକ, ବୁଝିପାରୁନା ।

 

–ଧନ୍ୟବାଦ । ଚେଷ୍ଟା କରିବି ଆପଣଙ୍କ କଥା ଅନୁଯାୟୀ ଚଳିବା ପାଇଁ ।

 

ମନେ ହେଲା ମାକେଞ୍ଜିକୁ ଗୁଡ଼ାଏ ଶର ବିନ୍ଧି ଦେଇ ଚାଲିଗଲେ ପିୟର୍ସନ । ତାତ୍ସଲ୍ୟ–ବୁଲେଟ ଭଳି ଏଗୁଡ଼ାକ ଭାରି ମୁନିଆ, ତୀବ୍ର । ହଠାତ୍‌ କ’ଣ ଗୋଟାଏ ଶବ୍ଦ ଶୁଭିଲା । ହଳେ ବୁଟ୍‌ ଜୋତାର ସତର୍କ ଆବାଜ । କିଏ ଜଣେ ଯେମିତି ପଶି ଆସିଲା ଭିତରକୁ ।

 

ଓଃ ମିଃ ବସ୍‌ଓ୍ୱେଲ ।

 

ବସଓ୍ୱେଲଙ୍କ ମୁହଁରେ ଗମ୍ଭୀରତା । ଆଖି ଦୁଇଟାରେ କୁଟୀଳ ମେଘର ଛାୟାପାତ । ସାମନା ବେଞ୍ଚ ଉପରେ ବସିବା ପରେ କହିଲେ–ସାଘାଂତିକ ଖବର ଫାଦର ! ସାରା ଭାରତବର୍ଷରେ ଆନ୍ଦୋଳନ । ଦ୍ୟାଟ୍‌ ଗାନ୍ଧି । ହାଫ୍‌ ନେକେଡ଼୍‌ ମ୍ୟାନ୍‌ । ଲୋକଟା ଯାଦୁ ଜାଣେ । ଏକବାରେ ଭେଳିକି ଲଗେଇ ଦେଇଚି । ଭାରତ ମାଟିରୁ ବ୍ରିଟିଶ ରୁଲକୁ ଏକାବେଳକେ ଓଭରଥ୍ରୋ କରି ଛାଡ଼ିବ । ନେଟିବଗୁଡ଼ାକ ଭାରି କ୍ଷେପି ଉଠିଚନ୍ତି ।

 

–କି ସର୍ବନାଶ ! ବର୍ତ୍ତମାନ ଖବର କ’ଣ ? ଆପଣ ତ ପୁଲିସ ଅଫିସର । କ’ଣ କିଛି ଗଣ୍ଡଗୋଳ ହବ ନା କ’ଣ ?

 

ସ୍ମିତ ହସ ହସି ବସଓ୍ୱେଲ କହିଲେ–ସେଇଥିପାଇଁ ତ ଆସିବା କଥା । ଏ ଆନ୍ଦୋଳନକୁ କିପରି ମେସିନ୍‌ ଗନ୍‌ ମୁଖରେ ଉଡ଼େଇ ଦେବାକୁ ହୁଏ । ମୁଁ ଜାଣେ, ସାରା ଇଣ୍ଡିୟାର ଏଜିଟେସନ୍‌ ଦମନ କରିବାକୁ ଚାରି ଘଣ୍ଟାରୁ ବେଶି ସମୟ ଲାଗିବ ନାହିଁ । ଓନ୍‌ଲି ଇନ୍‌ ଡ଼ିସ୍‌କ୍ରି ମିନେଟ୍‌ ମେସିନଗନିଂ । ଯାଃ, ଯେଉଁ କଥା କହିବାକୁ ଆସିଥିଲି, ଭୁଲିଯାଇଚି । ଆପଣଙ୍କର କିଛିଟା ହେଲ୍‌ପ ଚାହେଁ ।

 

–ନିଶ୍ଚୟ, କ’ଣ ହେଲପ ?

 

ଯୁଦ୍ଧଫେରନ୍ତା ପୋଲିସ ସାହେବ ସେ । ମେସୋପାଟାମିଆ ଓ ପାନାମା କେନାଲ ଉପରେ ନିଜ ହାତରେ ସେ ବୁହାଇଛନ୍ତି ରକ୍ତର ନଦୀ । ମଣିଷର ଅପବାଦ ତାଙ୍କୁ କିଏ ଦେଇ ନ ପାରେ । ମଣିଷର ରକ୍ତରେ ପ୍ରଥମ ମହାଯୁଦ୍ଧ ତାଙ୍କ ମନରୁ ପୋଛିନେଇଛି ସମସ୍ତ ମମତାକୁ । ଠିକ୍‌ ବାଷ୍ପ ଭଳି । ମୁହଁଟା ଯେପରି ତାଙ୍କର ନଇଁଆସିଲା ମାକେଞ୍ଜିଙ୍କ କାନ ପାଖକୁ ।

 

ସ୍ୱୀକାର କରୁଛି ଫାଦର ଏଇ ହାଫ ନେକେଡ଼ ଗାନ୍ଧୀର କ୍ଷମତା ଅଛି ପ୍ରବଳ । ବଡ଼ ବଡ଼ ପାହାଡ଼ ଅତିକ୍ରମ କରି ଅସହଯୋଗର ଆନ୍ଦୋଳନ–ଢେଉ ଆସିପଡ଼ିଛି ଏଇ କୋହିମା ପାହାଡ଼ ଉପରେ । କିନ୍ତୁ ମୁଁ ବସଓ୍ୱେଲ ! ଫାଷ୍ଟଗ୍ରେଡ଼ ଉୟାର ଦେଖିଛି ମୁଁ । ମୋ ହୃଦୟରେ ଦୟାନାହିଁ, ମାୟା ନାହିଁ । ଦରକାର ହେଲେ....

 

କଥାଗୁଡ଼ାକୁ ଅସମାପ୍ତି ରଖି ଗର୍ଜନ କରିଉଠିଲେ ବସଓ୍ୱେୟଲ । ଗୋଟାଏ ପାଖରେ ପଥରମୂର୍ତ୍ତି ଭଳି ଠିଆ ହୋଇରହିଛନ୍ତି ପିୟର୍ସନ । ସେଦିଗ ପ୍ରତି ତିଳେହେଲେ ଭ୍ରୁକ୍ଷେପ ନାହିଁ । ଆଶଙ୍କାରେ ଥର ଥର । ଥରି ଉଠିଲା ମାକେଞ୍ଜିଙ୍କ ଗଳା ।

 

–ଇୟେସ୍‌, ଗାନ୍ଧାର ନାଁ ମୁଁ ଶୁଣିଛି, ଲୋକଟା ସତରେ ଯାଦୁଜାଣେ, କିନ୍ତୁ ଏଇଠି କଣ ହୋଇଛି କହିଲେନି ଯେ–

 

–ଯାହା ହେବାର ହୋଇଛି, ଏଇ ପାଗଳା ପାହାଡ଼ୀଗୁଡ଼ାକ ପର୍ଯ୍ୟନ୍ତ ସଚେତ ହୋଇଉଠିଛନ୍ତି । ଏଇ ଯେ ଛୋକରୀ ଗାଇଦିଲିଓ, ଦେଟ ମିନସ ଗାନ୍ଧୀ କଥାବା କହି, ସ୍ୱାଧୀନତା କଥା କହି ପାହାଡ଼ୀଗୁଡ଼ାଙ୍କୁ ଖୁବ୍‌ ମୁଠା ମୁଠା ହୋଇଉଠିଲା । ମନେ ହେଉଥିଲା ଯେମିତି ଗାଇଦିଲିଓର ମୁଣ୍ଡଟା ଗୁଣ୍ଡ ଗୁଣ୍ଡ ହୋଇଯାଉଛି ଏଇ ହାତମୁଠା ଦୁଇଟାରେ ।

 

ମୁଁ ଅବଶ୍ୟ ନଜର ରଖିଛି ଯେମିତି ସମତଳର କେହି ଲୋକ ଏ ଭିତରକୁ ଆସି ନ ପାରନ୍ତି । ଆପଣଙ୍କୁ କିନ୍ତୁ ଗୋଟିଏ କାମ କରିବାକୁ ପଡ଼ିବ ।

 

–କହନ୍ତୁ କାମ କଣ ?

 

–ଏଇ ଗାଇଦିଲିଓର ଅନେକ ଫଲୋୟର, ଅନେକ ଭକ୍ତ । ଶୁଣିଚି ସେ କୁଆଡ଼େ ଡାହାଣୀ ମନ୍ତ୍ର ଜାଣେ । ସେଇ ମନ୍ତ୍ର ବଶରେ ଲୋକଗୁଡ଼ାକ ଟାଣି ହୋଇଯାଉଛନ୍ତି ତାରି ପାଖକୁ । ଯେଭଳି ଗୋପନ ଭାବରେ ମନ୍ତ୍ରଦାନ କରାଯାଏ, ସେମିତି କଥାଗୁଡ଼ାକ ଉଚ୍ଚାରଣ କଲେ ମିଷ୍ଟର ବସଓ୍ୱେଲ୍ । ଆପଣଙ୍କର ତ ଅନେକ ବାପ୍‍ଟାଇଜ୍‌ଡ଼ ନାଗା ଅଛନ୍ତି ?

 

–ହଁ, ଅଛନ୍ତି ।

 

–ସେମାନଙ୍କ ଜରିଆରେ ଲୋକଙ୍କ ଭିତରେ ପ୍ରଚାର କରିଦିଅନ୍ତୁ ଗାଇଦିଲିଓ ମଣିଷ ନୁହେଁ, ଡାହାଣୀ । ଗାଁ ଗାଁରେ ସର୍ଦ୍ଦାରମାନଙ୍କୁ ହାତ କରିବାକୁ ପଡ଼ିବ । ଯେତେ ଟଙ୍କା ଲାଗୁ, ସରକାର ଦେବାକୁ ପ୍ରସ୍ତୁତ । ଏହି ଗଣ୍ଡଗୋଳକୁ ଛିନ୍‌ଛତ୍ର କରିଦେବାକୁ ପଡ଼ିବ । କେବେହେଲେ ଭୁଲିବ ନାହିଁ । ଆଜିଠାରୁ ଗାଇଦିଲିଓ ବିରୁଦ୍ଧରେ ପ୍ରଚାର କରିଦିଅନ୍ତୁ–ସେ ଗୋଟାଏ ଡାହାଣୀ ।

 

ଏପର୍ଯ୍ୟନ୍ତ ସେମିତି ପଥରମୂର୍ତ୍ତି ଭଳି ଠିଆହୋଇ ରହିଥିଲେ ପିଅର୍ସନ । ଏକାବେଳକେ ନିର୍ବାକ୍ । ଚଞ୍ଚଳ ହୋଇଉଠିଲେ ସେ । କହିୁଠିଲେ, ଗାଇଦିଲିଓ–ସି ଇଜ୍‌ ଏ ଗୁଡ଼୍ ଗାର୍ଲ, ମଇ ପ୍ରୋଟେଷ୍ଟ ! ଭାରି ଅନ୍ୟାୟ ।

 

–ଅନ୍ୟାୟ ?

 

–ମୁଁ କହୁଛି, ମିଛ ମିଛରେ ଜଣଙ୍କ ବିରୁଦ୍ଧରେ ଏପରି ଅପପ୍ରଚାର ଚଳାଇବା କଣ ଠିକ୍‌? ଶାନ୍ତ ହୋଇଉଠିଲା ପିଅରର୍ସନଙ୍କ କଣ୍ଠ ।

 

–ହସିଉଠିଲେ ବସଓ୍ୱେଲ, ତାପରେ ପିଅରର୍ସନଙ୍କ ପିଠିକୁ ଥାପୁଡ଼େଇ କହିଲେ, ତୁମେ ଯୁବକ ଲୋକ ପିଅର୍ସନ୍ । ଆମର ଧର୍ମ ସହିତ ରାଜ୍ୟବିସ୍ତାରର ସମ୍ପର୍କ ରହିଛି । ବର୍ତ୍ତମାନ ଜାଣିପାରୁନା, ଆଉ ଟିକିଏ ବଡ଼ ହେଲେ ଜାଣିବ । ତୁମ ରକ୍ତ ଗରମ ଅଛି । ଆଚ୍ଛା ଗୁଡ଼୍ ଡ଼େ । ମୁଁ ଯାଉଛି । ମତେ ପୁଣି ଗାଇଦିଲିଓ ପିଛା ଧରିବାପାଇଁ ପୋଲିସ ପଠାଇବାକୁ ପଡ଼ିବ ।

 

ତାଙ୍କ ପଛେ ପଛେ ପୌଢ଼ ପାଦ୍ରୀ ମେକଂଜି । କିଛିଦୂର ଆଗେଇଯିବା ପରେ ବସଓ୍ୱେଲ୍ କହିଲେ–ଫାଦର । ଏ ଲୋକଟାକୁ ଶୀଘ୍ର ତଡ଼ିଦିଅନ୍ତୁ । ନଚେତ୍ ବହୁତ କ୍ଷତି ହେବାର ଆଶଙ୍କା ରହିଛି ।

 

ଆପଣ କିଛି ଭାବନ୍ତୁ ନାହିଁ । ମୁଁ ତାର ସବୁ ବ୍ୟବସ୍ଥା କରିଦେଉଛି ।

 

ହଠାତ୍ ଗୋଟାଏ ଶବ୍ଦ ଶୁଭିଲା ଗେଟ୍ ଆଗରେ । ସବୁଜ ଘାସ ଉପରେ ବସିରହିଥିଲେ ପିଅର୍ସନ । ତୀର୍ଯ୍ୟକ୍ ଦୃଷ୍ଟିପାତ, ନିଷ୍ପଲକ ନିସ୍ପନ୍ଦ ।

 

ପଶ୍ଚିମା ପାହାଡ଼ଚୁଡ଼ାରେ ସଂଧ୍ୟାକାଳୀନ ବିଷର୍ଣ୍ଣ ସୂର୍ଯ୍ୟାଲୋକ । ବାଉଁଶର ଗୋଟାଏ ମଞ୍ଚା ଉପରେ ବସିରହିଛି ସେଙ୍ଗାଇ । ଇତି ମଧ୍ୟରେ ଖିଆପିଆ ସରିଚି ତା’ର । ସାରୁୟାମାରୁ କହିଲା–କିରେ ସେଙ୍ଗାଇ । ଖୁବ୍‌ ଖାଇଲୁ–ମୋ ପାଇଁ କିଛି ରଖିଲୁନି ଯେ ?

 

–ନା, ଆଉ ଟିକିଏ ହେଲେ ନାହିଁ, ଭାରି ଭୋକ ହେଉଥିଲା ।

 

–ହେଉ ଖା, ଫାଦର ପାଖରୁ ଆଉ ନେଇଆସିଚି ଯେ । ଚାଲ, କୋହିମା ସହର ତତେ ଘୂରେଇ ନେଇଆସିବି ।

 

ଭାରି ଉତ୍ସାହିତ ହୋଇଉଠିଲା ସେଙ୍ଗାଇ–ତୁ ଯେ କହୁଥିଲୁ ରାଣୀ ଗାଇଦିଲିଓ ବୋଲି ଜଣେ କିଏ ଅଛି, ସେ ଛୁଇଁଲାମାତ୍ରେ କୁଆଡ଼େ ସବୁ ରୋଗ ଭଲ ହୋଇଯାଏ । ତାମୁନ୍ୟୁ (ଚିକିତ୍ସକ) ଠାରୁ ମଧ୍ୟ ସେ ଖୁବ୍‌ ଭଲ । ସର୍ଦ୍ଦାର ତାକୁ ଦେଖି ଆସିବାକୁ କହିଚି ।

 

ହୁଁ ହୁଁ, ନିଶ୍ଚୟ ଦେଖେଇବି । ବାହାରିଲୁ ଆଗ ।

 

ରେଶମ ଘାସ ଜମିଟା ପାର ହେଉ ହେଉ ପଛରୁ ଗୋଟାଏ ଶବ୍ଦ ଶୁଭିଲା । ପୂରାପୂରି ପାଦ୍ରୀ ସାହେବ । ପଛରୁ ଚାହିଁଲେ ସାରୁୟାମାରୁ ଓ ସେଙ୍ଗାଇ ।

 

–ଏ ସାରୁୟାମାରୁ, ସେଙ୍ଗାଇ । କୁଆଡ଼େ ଯାଉଚ ଦୁହେଁଯାକ ?

 

–ସେଙ୍ଗାଇକୁ ସହର ବୁଲାଇ ଦେଖାଇବା ପାଇଁ । ଏହିକ୍ଷଣି ଫେରିଆସିବୁ ଯେ । ଯେଉଁଠୁ ମୁଁ ଲୁଣ ନିଏ, ସେ ଦୋକାନକୁ ଦେଖିବା ପାଇଁ ସେଙ୍ଗାଇର ବଡ଼ ଇଚ୍ଛା ।

 

–ଆଉ କୁଆଡ଼େ ଯିବ ?

 

–ସେହି ଯେ ରାଣୀ ଗାଇଦିଲିଓ, ଆଜି ତାକୁ ଟିକିଏ ଦେଖେଇ ଆଣିବ ।

 

ରାଣୀ ଗାଇଦିଲିଓ । ଚମକି ପଶିଲା ମାକେଂଜିଙ୍କ ମନରେ । ଖବରଦାର, ସିଆଡ଼େ ଯିବନି । ସେ ଗୋଟାଏ ଡାହାଣୀ । ସର୍ବନାଶ ହେବ ତୁମର ।

 

ଡାହାଣୀ । ଚମକି ପଡ଼ିଲା ସାରୁୟାମାରୁ ।

 

ହଁ ହଁ, ବଡ଼ ଡାହାଣୀଟାଏ । ଝୁମ୍ପୁରୁ ଝୁମ୍ପୁରୁ ଗୁଡ଼ାଏ ବାଳ । ସୁନେଲି ବର୍ଣ୍ଣର–

 

ଥର ଥର ଗଳାରେ ସେଙ୍ଗାଇ କହିଲା–ଡାହାଣୀ ଯେତେବେଳେ, ବଶୀକରଣ ମନ୍ତ୍ର ତ ନିଶ୍ଚୟ ଜାଣିଥିବ ।

 

–ହଁ ହଁ ଜାଣେ, ଖୁବ୍‌ ସାବଧାନ ।

 

–ତେବେ ତ ଭାରି ଭଲ ହେବ । ଆମ ପାଖ ବସ୍ତି ସାଲୁୟାଲାଂଗ ବସ୍ତିରେ ଜଣେ ଲାଗୁୟା ଲେନ୍ୟୁ (ପ୍ରେମିକା) ଅଛି । ତା ଲାଗି ଗାଇଦିଲିଓ ଡାହାଣୀଠାରୁ କିଛି ଔଷଧ ନେଇଯିବି । ଆମ ଘର ପାଖରେ ଡାହାଣୀ ନିକପୋଲିବା ଅଛି ସତ, କିନ୍ତୁ ତା ପାଖକୁ ଯିବାକୁ ବଡ଼ ଡ଼ର ଲାଗେ-

 

କ’ଣ ଉତ୍ତର ଦେବେ ମାକେଂଜି ସାହେବ ଠିକ୍‌ କରିପାରିଲେ ନାହିଁ । ପୁଣି କହିଉଠିଲେ–ସେ ଡାହାଣୀଠାରୁ ମଧ୍ୟ ଖୁବ୍ ସାଙ୍ଘାତିକ । ତା ପାଖକୁ ଯିବନି । ମୁଁ ତୋ ପାଇଁ ସାଲୁୟାଲାଙ୍ଗ ବସ୍ତିର ଲାଗୁୟା ଲେନ୍ୟୁକୁ ମଣିଦେବି ତା’ ହେଲେ ଖୁସି ହେବୁ ତ ?

 

–ଆଣି ଦେଇପାରିବୁ ? ଭାରି ଖୁସି ହୋଇଉଠିଲା ସେଙ୍ଗାଇ । ତୁ ଯଦି ଆଣି ଦେବୁ, ମୁଁ ଗାଇଦିଲିଓ ପାଖକୁ ଆଉ କାହିଁକି ଯିବି ? ଟିକିଏ ଅଟକିଗଲା କିନ୍ତୁ ସର୍ଦ୍ଦାର ଯେ ତାକୁ ଦେଖିଯିବାକୁ କହିଚି ।

 

–ସର୍ଦ୍ଦାର ଜାଣେନା ଏ ଡାହାଣୀ ଗାଇଦିଲିଓ ପାଖକୁ ଗଲେ ଏକବାରେ ଖତମ ।

 

ହଠାତ୍ ସାରୁୟାମାରୁ ଆସି ଠିଆହେଲା ସେଙ୍ଗାଇ ପଛରେ । କିରେ ସେଙ୍ଗାଇ, ସବୁ ଠିକ୍‌ ହେଲା ତ ?

 

–ନାଁରେ ଦେଖ (ଆଙ୍ଗୁଳି ନିର୍ଦ୍ଦେଶ କରି), ସାଲୁୟଲାଙ୍ଗ ବସ୍ତିରୁ ସର୍ଦ୍ଦାର ଆସିଚି । ତୁ ଠିଆ ହୋଇଥା, ମୁଁ ମୋର ବର୍ଚ୍ଛାଟା ନେଇଆସେ ।

 

–କାହିଁକି ରେ ?

 

–ଯଦି ଲଢ଼ାଇ ହୁଏ....

 

–ଆରେ ନା ନା, ଏଠି କଣ ଲଢ଼େଇ ହେବ ? ଫାଦର ଅଛନ୍ତି ପରା । ଏଠାରେ ସେସବୁ ଲଢ଼େଇ ଚଳିବନି ।

 

ସର୍ଦ୍ଦାରମାନଙ୍କ ପାଖରେ ମାକେଂଜିସାହେବ ।

 

ଏ ପାଖରେ ଠିଆ ହୋଇଛନ୍ତି ସେଙ୍ଗାଇ ଓ ସାରୁୟାମାରୁ । କିଛିକ୍ଷଣ ପରେ ସାରୁୟାମାରୁ କହିଲା–ପାହାଡ଼ ବସ୍ତିରୁ ସର୍ଦ୍ଦାରମାନେ ଆସିଛନ୍ତି । କଥାବାର୍ତ୍ତା ହେବେ ଫାଦରଙ୍କ ସହିତ । ଆମେ ଚାଲ ଚାଲିଯିବା ସହର ଦେଖି । ମଧୋଲାଲର ଦୋକାନ ଦେଖି ଫେରିଆସିବା ।

 

ହୁଁ ହୁଁ, ଶୀଘ୍ର ଚାଲ ।

 

ସମସ୍ତଙ୍କ ଅଗୋଚରରେ ଗେଟଟା ପାରିହୋଇ କୋହିମା ରାସ୍ତାରେ ଆସି ପହଞ୍ଚିଗଲେ ସାରୁୟାମାରୁ ଓ ସେଙ୍ଗାଇ ।

 

ପାହାଡ଼ୀ ସର୍ଦ୍ଦାରମାନଙ୍କ ମଧ୍ୟରେ ବିଶୃଙ୍ଖଳା କଳରବ । ଫାଦର ଆମ ବସ୍ତିରେ ଯୀଶୁ ଯୀଶୁ କରି କରସ (କ୍ରସ) ଆଙ୍କୁଛନ୍ତି ।

 

–ଆମ ବସ୍ତିରେ ମଧ୍ୟ ।

 

–ହଁ, ଆମ ବସ୍ତିରେ ବି । ଅନେକଗୁଡ଼ାଏ ଗଳା ଗୋଟିଏ କଥାରେ ସଶବ୍ଦ ହୋଇଉଠିଲା ।

 

–ଗୁଡ଼, ଭେରି ଗୁଡ଼୍, ପ୍ରସନ୍ନତାର ଏଇ ଚିକ୍‌କଣ ଆଭା ଚିକ୍ ଚିକ୍ କରିଉଠିଲା ମାକେଂଜିର ମୁହଁ ଓ ଆଖିରେ । ଖୁବ୍ ଖୁସି ହେଲି ।

 

ଟିକକ ପୂର୍ବରୁ ସାରୁୟାମାରଠୁ ନିରାଶବାଣୀ ଖୁଣି ମନଟା ଯେଉଁ ପରିମାଣରେ ବିଷାକ୍ତ ହୋଇଉଠିଥିଲା, ଏହି ମୁହୂର୍ତ୍ତରେ ଏତେଗୁଡ଼ିଏ ପାହାଡ଼ୀ ସର୍ଦ୍ଦାରଙ୍କ କଣ୍ଠରୁ ଯୀଶୁ ମେରୀର ଉଚ୍ଚାରଣ ଶୁଣୁ ଶୁଣୁ ମନ ମଧ୍ୟରେ କିଛିଟା ଆତ୍ମପ୍ରସାଦ ତରଙ୍ଗିତ ହେଲା ମାକେଂଜିଙ୍କର । ତେବେ ତାଙ୍କର ପ୍ରିଚିଂ ଏକବାରେ ଅସଫଳ ହୋଇପଡ଼ିନି । ବ୍ୟର୍ଥ ହୋଇ ଫେରିଯିବନି ତାଙ୍କର ମିଶନାରୀ ଜୀବନର ଉଜ୍ଜ୍ୱଳ ଶପଥ । ପାହାଡ଼ୀ ପ୍ରସ୍ତର ଶିଳା ଫଳକରେ ଯୀଶୁ ମେରୀର ଯେଉଁ ନାମ ଅବିରାମ ପ୍ରେରଣାରେ ଲେଖିବାକୁ ଚାହୁଁଥିଲେ ମାକେଂଜି, ଆଜି ସୁସ୍ପଷ୍ଟ ପ୍ରମାଣ ପାଇଲେ ସେ ।

 

ଏଥର ଆଶ୍ଚର୍ଯ୍ୟ ଶାନ୍ତ ଅପରୂପ ନିସ୍ତରଙ୍ଗ ସ୍ୱରରେ ମାକେଂଜି କହିଲେ–ତୁମର ଲୁଣ ଦରକାର ତ ?

 

–ହୁଁ ହୁଁ, ସେଇଥି ପାଇଁ ତ ଏଠିକି ଆସିଛୁ ।

 

–ଆଚ୍ଛା ଆଚ୍ଛା, ଏଥର ତୁମମାନଙ୍କୁ ବହୁତ ଲୁଣ ଦେବି । ଟଙ୍କା ବି ଦେବି । କିନ୍ତୁ ଗୋଟିଏ କାମ କରିବାକୁ ପଡ଼ିବ ।

 

–ହୋ ହୋ ହୋ ଆ ଆ ଆ ଫାଦର ଲୁଣ ଦବ, ଟଙ୍କା ଦବ ।

 

ସମତଳଠାରୁ ଅନେକ ଉଚ୍ଚରେ କୋହିମାର ଏଇ ପାହାଡ଼ ଚୂଡ଼ାରେ ଗୁଡ଼ାଏ ଆନନ୍ଦ କଳରୋଳ ପାହାଡ଼ ଝଡ଼ ଭଳି ଭାଙ୍ଗିପଡ଼ିଲା । ସେଇ ଚିତ୍କାରରେ ଆକାଶର କେଉଁ ନିଃସୀମ ଶୂନ୍ୟରେ ବେଥଲହମ ଭଳି ଗୋଟିଏ ଉଜ୍ଜ୍ୱଳ ଧ୍ରବତାରା ଯେମିତି ଚମକି ଉଠିଲା । ମାକେଂଜିଙ୍କ ଆଖିର ଦୁଇଧାରରେ ପାହାଡ଼ୀ ମଣିଷଗୁଡ଼ାକୁ ଯେମିତି ଚଳଚିତ୍ର ପରଦା ଭଳି ଯାଉଛନ୍ତି, ଆସୁଛନ୍ତି-। ହଠାତ୍ ଆଖିଦୁଇଟା ସ୍ଥିରହୋଇ ପଡ଼ିରହିଲା ଚର୍ଚ୍ଚାର ଗୋଟିଏ ଝରକା ପାଖରେ । ଦେଖିଲେ ସେ ଦେହର ପାଞ୍ଚଟି ଇନ୍ଦ୍ରିୟକୁ ଦୁଇଟି ନୀଳ ଚକ୍ଷୁର ମଣିରେ କେନ୍ଦ୍ରିତ କରି ସ୍ଥିର ହୋଇ ରହିଚନ୍ତି ପିୟର୍ସନ ।

 

ବାଘର ଘରେ ଛେଳିର ଆସ୍ଥାନ । ଆଚ୍ଛା, ନାଁ ସାର ମେକିଜିଂ ! ପାଦ୍ରୀ ଜୀବନର ପରପାରରେ ବ୍ରିଟେନ୍ ବ୍ୟବସାୟ ରଙ୍ଗାୟିତ ମାଟିରେ ସେ ରଖିଆସିଛନ୍ତି ତାଙ୍କର ଅତୀତକୁ । ସେ ଅତୀତର ଖବର ଜାଣେନା ପିୟର୍ସନ । ସେ ଅତୀତ ମଣିଷ ରକ୍ତରେ ଗଢ଼ା । ଅତି ଭୟଙ୍କର ।

 

ବ୍ୟାଣ୍ଡି ଟ୍‌ରୁ ମିଶନାରୀ ।

 

କି ଭୟାନକ ସେ ଜୀବନ । ମଣିଷର ନିରୀହ ରକ୍ତରେ, ନାରୀର ଇଜ୍ଜତ୍ ଅସ୍ୱୀକାରରେ ସେଦିନ କଣ ଅବ୍ୟର୍ଥ ଥିଲା ତା’ର ରାଇଫଲର ଲକ୍ଷ୍ୟ ? ରିଭଲଭରର ଟ୍ରିଗାର ଉପରେ ତାଙ୍କ ତର୍ଜନ ତିଳେହେଲେ କମ୍ପି ଉଠୁ ନଥିଲା ସେଦିନ । ଆଟଲରୁ ଚର୍ଚ୍ଚର ସେଣ୍ଟ କେତେ ଯୋଜନା ପାର୍ଥକ୍ୟ ! କେତେ ପଥ ଅତିକ୍ରମ କରି ଆସିବାକୁ ପଡ଼ିଛି ତାଙ୍କୁ । ସେ ଭୟଙ୍କର ଭବନ ବର୍ତ୍ତମାନ ସୁଦ୍ଧା ପ୍ରତି ରକ୍ତବିନ୍ଦୁରେ ବିଷାକ୍ତ ଶ୍ୱେତକଣିକା ଭଳି ମିଶି ରହିଛି । ସେଇ କଳୁଷିତ ଜୀବନକୁ ଫେରିଯିବାକୁ ଚାହାଁନ୍ତିନି ସେ । କିନ୍ତୁ ପିଅରସନ୍‌ଟା ଭାରି ଏକଜିଦିଆ । ଚର୍ଚ୍ଚର ଝରକା କଡ଼କୁ ଗୋଟାଏ ବିରକ୍ତ ଭୃକୁଟି ହାଣି କରି ଚାହିଁରହିଲେ ମାକେଂଜି । କ୍ଷଣିକ ପାଇଁ ପୁଣି ପରେ ଦୃଷ୍ଟି ଫେରାଇ କହିଉଠିଲେ ସେ ।

 

–ଗୋଟିଏ କାମ କରିବାକୁ ହେବ ବୁଝିଲ ସର୍ଦ୍ଦାର । ଯେତେ ଟଙ୍କା ଯେତେ ସୁନା ଚାହଁ ଦିଆଯିବ । ଗାଇଦିଲି ଓ ନାଁ ଶୁଣିଚ ତ ।

 

ହୁଁ ହୁଁ, ପାହାଡ଼ୀ ମଣିଷ ଗୁଡ଼ାକ ମୁଣ୍ଡ ହଲେଇ ହଁ ମାରିଲେ ।

 

ଏଇ ଗାଇଦିଲିଓ ଗୋଟାଏ ଡାହାଣୀ । ତୁମମାନଙ୍କ ବସ୍ତିରେ ଏଇ କଥାଟା ପ୍ରଚାର କରିଦେବାକୁ ପଡ଼ିବ ।

 

–ଡାହାଣୀ କିଏ, ଗାଇଦିଲିଓ ? କଣ କହିଲୁ ? ସେଦିନ ମୋ ପୁଅଟାକୁ ଆଙ୍ଗାମୀ ସର୍ଦ୍ଦାରମାନେ ସୁଚେନ୍ୟୁରେ ହାଣି ପକାଇଥିଲେ । ତାମୁନ୍ୟୁ କହିଲେ ଇଏ ଆଉ ବଞ୍ଚବନି । ଏଇ ଗାଇଦିଲିଓ ଛୁଇଁଦେଲା ମାତ୍ରେ ବଞ୍ଚିଉଠିଲା ସେ । ତାକୁ ତୁ ଡାହାଣୀ କହୁଛୁ ? ତୋ ପାଖକୁ ଆଉ କେବେ ଆସିବୁନି । କ୍ରସ ଆଙ୍କିବୁନି । ରଡ଼ି ଛାଡ଼ି ଚାଲିଗଲେ ସର୍ଦ୍ଦାରମାନେ ।

 

ମାକେଞ୍ଜିର ମସ୍ତ ମନଟା ଯେମିତି ଭାରସାମ୍ୟ ହରେଇ ବସିଲା । ନିରାକାର ଅନ୍ଧକାର ଭିତରେ ଲିଭିଯାଇଚି ତାଙ୍କର ଚେତନା । ଜୀବନରେ ଏଭଳି ନିରୁପାୟ ମନେ କରି ନ ଥିଲେ ସେ ନିଜକୁ ।

 

ସହସା ପାଦତଳ କିନାରାରୁ କେତୋଟି ଗଳା ଶବ୍ଦ ବୁଦ୍‌ ବୁଦ୍‌ ଭଳି ଫୁଟି ବାହାରି ଆସିଲା । ସେମାନଙ୍କ ମଧ୍ୟରେ ଅଛି କୁକୀ ସର୍ଦ୍ଦାର । ତା ଛାଡ଼ି ଦଳପତି ମଧ୍ୟ । ଆଉରି ଅଛି ସାଲୁୟାଲାଙ୍ଗ ଗ୍ରାମର ବୁଢ଼ା ସର୍ଦ୍ଦାର ।

 

ଫାଦର । ଆମେ ତୁମର ନିମକ ଖାଇଚୁ, ଆମେ ତୁମର ନିମକହାରାମି କରିପାରିବୁ ନାହିଁ । ଗାଇଦିଲିଓ ଡାହାଣୀ ବୋଲି ଆମେ ପ୍ରଚାର କରିବୁ, କିନ୍ତୁ ଆମକୁ ବହୁତ ଟଙ୍କା ଦେବାକୁ ପଡ଼ିବ ।

 

–ଦେବି, ନିଶ୍ଚୟ ଦେବି, ଗୋଟାଏ ଅବଲମ୍ବନ ପାଇଚନ୍ତି ମାକେଞ୍ଜି । ଗୋଟାଏ ଆଶ୍ରୟ । ଏହି ଆଶ୍ରୟ ଉପରେ ଠିଆହୋଇ ସେ ଗୋଟାଏ ଭେଲିକି ଦେଖାଇ ଦେବେ । ତୁମେମାନେ ଯାହା ଚାହିଁବ ସବୁ ଦେବି ।

 

ସାଲୁୟାଲାଙ୍ଗ ଗ୍ରାମର ସର୍ଦ୍ଦାର କହିଲା–ଫାଦର । ଆମ ବସ୍ତିର କେମଲୀକୁ କେଲୁରୀ ବସ୍ତିର ଲୋକେ ବାନ୍ଧି ରଖିଛନ୍ତି –ତାକୁ ଫେରିପାଇବାକୁ ଆମେ ଚାହୁଁ ।

 

–ଠିକ୍ ଅଛି, ସବୁ ବ୍ୟବସ୍ଥା କରିଦେବି । ଦରକାର ହେଲେ କୋହିମା ସହରରୁ ସବୁ ବନ୍ଧୁକ ନେଇ କେଲୁରୀ ବସ୍ତିରେ ଜମା କରିଦେବି ଏକାବେଳକେ ।

 

ବିଚିତ୍ର ଉଲ୍ଲାସରେ ସାଲୁୟାଲାଙ୍ଗ ଗ୍ରାମର ସର୍ଦ୍ଦାରର ଆଖି ଦୁଇଟା ଜଳି ଉଠିଲା ସେଦିନ-

 

କୋହିମା । ସମତଳଠାରୁ ବହୁ, ବହୁ ଉଚ୍ଚରେ ପାହାଡ଼ୀ ସହର । ପଥରର ସୋପାନେ ଚଢ଼ା ଉଠାର ଫାଙ୍କେ ଫାଙ୍କେ କେତୋଟି ବୋଲି ଘର । ପାହାଡ଼ୀ ମରାଳ ଭଳି ବଙ୍କାଟଙ୍କା ପଥଲେଖା ଉଠିଯାଇଚି ଉପରକୁ–ସମୁଦ୍ରର ନିଶ୍ଚଳ ଢେଉଭଳି ନଇଁଆସିଚି ତଳକୁ ଠିକ୍ ଗୋଟାଏ ଦୋଳା ଭଳି ।

 

ପାଇନ ଓ ଓକ୍‌ ଗଛ ଉପରେ ମୁକୁଟ ଭଳି ଛୋଟ ଛୋଟ ଘର ଦେଖି ଦେଖି ଚାଲିଛନ୍ତି ସାରୁୟାମାରୁ ଓ ସେଙ୍ଗାଇ । ସେଙ୍ଗାଇର ଦୁଇ ଆଖିରେ ମୁଗ୍‌ଧ ବିସ୍ମୟ ।

 

ଛୋଟ ପାହାଡ଼ୀ ସହର ଏହି କୋହିମା । ନାଗା ପାହାଡ଼ର କେନ୍ଦ୍ର ବିନ୍ଦୁ । ସମତଳ ପ୍ରଦେଶରୁ ବାଣିଜ୍ୟପ୍ରସାର ମେଲି ବସିଛନ୍ତି ବଙ୍ଗାଳୀ, ଆସାମୀ, ମାରୁଆଡ଼ି । ଆସିଛନ୍ତି ଗୁଜୁରାଟୀ ଆଉ ଭୁଟିୟା । ନାନା ସଂଭାର, ମନୋହରଣ ସାମଗ୍ରୀରେ ନାନା ରଙ୍ଗର ଆୟୋଜନ । ଆଖପାଖ ପାହାଡ଼ରୁ ଶୁଖିଲା ମରିଚ, ଅନାରସ ଏବଂ ପାହାଡ଼ୀ ଆପେଲ ନେଇ ବଜାର ଖୋଲା । ଆହୁରି ଦଳେ ଅସ୍ଥାୟୀ ବଜାର ମେଲେଇ ବସିଛନ୍ତି କୁକୀମାନେ । ଆସିଛନ୍ତି ମିକେରୀ, ମଣିପୁରୀମାନେ । ଏହି ବାଣିଜ୍ୟ ମେଳାରୁ କେହି ନିଜକୁ ବାଦ ଦେଇ ନାହାନ୍ତି ।

 

କାଚର କଙ୍କଣ, ଲବଣ, ଚାଉଳ ବୋଝେଇ ହୋଇ ମଣିପୁର ଷ୍ଟେସନଠାରୁ ଧାଡ଼ି ଲମ୍ବିଚି ଟ୍ରକ ଗୁଡ଼ିକ । ବାଘଛାଲ, ହରିଣଶିଙ୍ଗ, କସ୍ତୁରୀ, ଓକ ଓ ପାଇନ କାଠ, କମଳା ଓ ନାନା ପ୍ରକାର ବନଜ ଫଳ–ନାନା ପଣ୍ୟଭାରରେ ବୋଝେଇ ହୋଇ ରେଳଷ୍ଟେସନକୁ ଚାଲିଚି ଟ୍ରକ ଶୋଭାଯାତ୍ରା-

 

ଦୋକାନ ପସରାର ଜଟିଳତାକୁ ପଛରେ ପକାଇ ମାଧୋଲାଲର ଦୋକାନରେ ବସିଲେ ଆସି ସେଙ୍ଗାଇ ଓ ସାରୁୟାମାରୁ ।

 

ମାଧୋଲାଲ କହିଲା କିରେ ସାରୁୟାମାରୁ–ତୁ ତ ଆଜିକାଲି କାହିଁକି ଆସୁନୁ ଲୁଣ ନେବାକୁ ? ହେଲା କ’ଣ ? ତୋ ବାପା ଓ ଜେଜେବାପା ସମସ୍ତେ ଥିଲେ ମୋର ଖରିଦ୍‌ଦାର ।

 

କିଛି ନ କହି ଚୁପ୍ ରହିଲା ସାରୁୟାମାରୁ ।

 

କିରେ, କିଛି କହୁନୁ ଯେ । ଅନ୍ତରଙ୍ଗ ଭଙ୍ଗୀରେ ସାମନାରେ ଛିଡ଼ାହେଲା ମାଧୋଲାଲ ।

 

ଆଜିକାଲି ଏଇ ଫାଦର ଲୁଣ ଦେଉଚି, ସେଇଥିଲାଗି ଆଉ ଆସୁନି ।

 

ରାମ,ରାମ, ଫାଦର ! ସେ ପୁଣି ଲୁଣ ଦେଉଚି ? ଆଚ୍ଛା, ଲୁଣ ବଦଳରେ ତୁମେ କଣ ଦେଉଚ ?

 

କିଛି ନୁହେଁ–ଖାଲି କ୍ରସ୍ ଆଙ୍କୁଚୁ, ଯୀଶୁ ଯୀଶୁ ବୋଲି କହୁଚୁ ।

 

ହାୟ ! ରାମ, ରାମ ! ଆର୍ତ୍ତନାଦ କରିଉଠିଲା ମାଧୋଲାଲ । ଏ କାମ କଲେ ଅବିକା (ପାହାଡ଼ୀ ଦେବତା) ଖୁବ୍ ରାଗିବେ । ଏ ପାଦ୍ରୀଟା ଖୁବ୍‌ ସଇତାନ । ତୁମେ ତୁମର ଧର୍ମ ନଷ୍ଟ କରୁଚ-। ଏଇ ଖାସିୟା ପାହାଡ଼ରେ ଯେତେବେଳେ ଥିଲା, ଦେଖିଚି । ଖାସିୟାଗୁଡ଼ାଙ୍କୁ ସମସ୍ତଙ୍କୁ ଖ୍ରୀଷ୍ଟାନ କରିଦେଇଚି । ବର୍ତ୍ତମାନ ତୁମକୁ ଧରିଚି, ନା ?

 

ବୃଦ୍ଧ ମଧୋଲାଲଠୁ ହିଁ ମୁଁ ଏହିସବୁ କାହାଣୀ ଶୁଣିଚି ।

 

ଆଜି ସେ ପାହାଡ଼ୀ କି ମାରୁଆଡ଼ି ତାର କିଛି ମନେ ନାହିଁ । କୌଣସି ଏକ ମଫସଲରେ ମଧୋଲର ଜନ୍ମ । ଆଜି ସେସବୁ ବିଶେଷ ମନେ ପଡ଼େନା । ସୂର୍ପ୍ୟ ଉଦୟ ପୂର୍ବରୁ ଆକାଶର ଚନ୍ଦ୍ରରେଖାରେ ଯେଉଁଭଳି ଏକ ଅସ୍ତର ଛାୟାରଙ୍ଗ ଲାଗି ରହିଥାଏ, ଠିକ୍ ସେଭଳି ଗୋଟାଏ ଅସ୍ପଷ୍ଟ ମନର ନେପଥ୍ୟରେ ବିବର୍ଣ୍ଣ ହୋଇରହିଛି ଯଅ କ୍ଷେତ, ନାନା ରଙ୍ଗର ରୁକ୍ଷ ମାଟି, ମହିଷ ଚାରଣର ଜମି । ଆଉ କିଛି ନାହିଁ । ଦଶ ବର୍ଷ ବୟସରେ ବାପ କ୍ଷେତ୍ରୀଲାଲ ସହିତ ଏହି ଉତ୍ତର-ପୂର୍ବ ଭାରତକୁ ଆସିଚି ସେ । । ରେଳଚକା ତଳେ ଅଦୃଶ୍ୟ ହୋଇଚି ରାଜସ୍ଥାନ । ତାପରେ ସୁଶ୍ୟାମ ବଙ୍ଗଳା ମୁଲକ । ତା ପରେ ଆସାମର ନିଃସୀମ ସମତଳ ପାରହୋଇ ଖାସିଆ ପାହଡ଼ । ନାଂପୋ, ଶିଲଂ, ଚେରାପୁଞ୍ଜି, ତାପରେ ହାଫଲଙ୍ଗ । କିଛିଦିନ ରହିବା ପରେ ଏହି ନାଗା ପାହାଡ଼ । ଚାଳିଶ ବର୍ଷ ତଳର ଏ ସ୍ମୃତି ।

 

ଅନେକ କିଛି ଦେଖିଚି ମଧୋଲାଲ । ଏହି ଚାଳିଶ ବର୍ଷ ସ୍ମୃତି ଭିତରେ ବନ୍ଦୀ ହୋଇରହିଚି ଅନେକ କଥା–ଅନେକ ଘଟଣା ଓ ଅଜସ୍ର ଅଭିଜ୍ଞତା । ଜୀବନର ଏହି ଚାଳିଶି ବର୍ଷର ପ୍ରତ୍ୟେକ ଛତ୍ରରେ କେତେ ଇତିହାସ ଲେଖା ହୋଇରହିଚି ମଧୋଲାଲର । ତାର ଶୁଖିଲା ହାତର ଶିରା ପ୍ରଶିରାରେ ଅଙ୍କା ହୋଇରହିଚି କେତେ ପାଷାଣ ଲିପି । ତାର ହିସାବ ନାହିଁ, ସୀମା ପରିସୀମା ନାହିଁ ।

 

ବାପା କ୍ଷେତ୍ରୀଲାଲ ଏହି କୋହିମା ପାହାଡ଼ରେ ଏକ ତେଲ ଲୁଣ ଆଳୁ ଦୋକାନ ଦେଇଥିଲା । ବୁଢ଼ାଟା ଏହି ବାଉଁଶ ମଞ୍ଚା ଉପରେ ବସି ବସି ସବୁବେଳେ ତୁଳସୀ ରାମାୟଣ ପଢ଼େ-। ସେ ଆଜିକି ବହୁଦିନ ତଳର କଥା । ବାପ ମଲା । ତା ପରବର୍ଷ କଲିକତା ସହରରୁ ତାଙ୍କ ଦେଶର କିଶୋରୀ ଫୁଲ ପିଆରୀକୁ ବିବାହ କରି ଆଣିଲା ମଧୋଲାଲ । ବିବାହ ପରେ କେତେ ଦିନ ସେ ଥିଲା କଲିକତାରେ । ଶୁଣିଥିଲା ଇଂରେଜୀ ସରକାର ସହିତ ଗୁଡ଼ାଏ ଟୋକା ଲଢ଼େଇ କରୁଛନ୍ତି । ରାସ୍ତାରେ ଦେଖୁଥିଲା ବିରାଟ ଶୋଭାଯାତ୍ରା ।

 

ବିବାହ ପରେ ଫେରିଆସି ସେ ଘର ତୋଳିଲା । ବର୍ଷକ ପରେ ଫୁଲ ପିଆରୀ କୋଳରେ ସନ୍ତାନ । ବର୍ତ୍ତମାନ ପୁଅ ବୁଧିଲାଲ ପଚିଶ ବର୍ଷର ଯୁଆନ ଭେଣ୍ଡିଆ । ଫଟନ୍ତ ଚେହେରା-। ତାକୁ ବିବାହ ଦେବାକୁ ହେବ । ସବୁ ଠିକ୍‌ଠାକ୍ ହୋଇଯାଇଚି । ଗୌରାଙ୍ଗର ଝିଅ ବିରଜ ସଙ୍ଗରେ ବୁଧିଲାଲର ବିବାହ ହେବ । ଆସାମୀ ଝିଅ ତାର ହେବ ପୁତ୍ରବଧୂ । ସେଥିରେ ଆପତ୍ତି ନାହିଁ ମାଧୋଲାଲର । ଏତେବର୍ଷ ଧରି ଉତ୍ତର-ଭାରତକୁ ଆସିଚି ସେ । ଶିରା ପ୍ରଶିରାରେ ତାର ଆତ୍ମୀୟଭାବ ।

 

ଆଜିକୁ ବହୁ ବର୍ଷ ଧରି ଏହି କୋହିମା ପାହାଡ଼ରେ ପଡ଼ିରହିଚି ମଧୋଲାଲ । ମଝିରେ ମଝିରେ ମଣିପୁରରୁ ସେ ଯାଏ ପାଣ୍ଡୁକୁ ଦୁଇ ଚାରି ଦିନ କଟେଇ ପୁଣି ଫେରିଆସେ । ସମତଳଠାର ଅନେକ ଉଚ୍ଚରେ ଏହି ପାହାଡ଼ୀ ସହରଟା ତାକୁ ଯେମିତି ବନ୍ଦୀକରି ରଖିଚି । କୌଣସି ଅଭିଯୋଗ ନାହିଁ । ଆଉ କେତେଟା ଦିନ ତାର ବାକି ଅଛି । ପରପାରର ସାହାନାଇ ବାଜିଲେ ସେ ଚାଲିଲା । ହୁଏତ ମୁହୂର୍ତ୍ତକ ଭିତରେ ସେ ଡ଼ାକ ଆସିଯାଇପାରେ । ସବୁ ବୁଝୁଚି ମଧୋଲାଲ, କିନ୍ତୁ କୋହିମା ଯେମିତି ପାହାଡ଼ୀ ଡାହାଣୀ ଭଳି କବଳିତ କରିରଖିଚି ତାକୁ । ବିଚିତ୍ର ତାର ଇନ୍ଦ୍ରଜାଲ । ବହୁତ ବେଷ୍ଟନୀ ଭିତରେ ମୁକ୍ତିର ସମ୍ଭାବନା ଯେମିତି ତିଳେ ହେଲେ ନାହିଁ ।

 

ମାଧୋଲାଲ ମନ ମଜ୍ଜିଯାଇଚି ବ୍ୟବସାୟରେ । ପଣ୍ୟଭାର ଆମଦାନୀ କରେ ଆମିନ ଗାଁ, କରିମଗଞ୍ଜ, ତେନ ସୁବିୟା, ହାଫଲଙ୍ଗଠାରୁ । ଓ୍ୱାଗନ ଓ୍ୱାଗନ ଜିନିଷ ବୋହି ଆଣେ । ତା’ପରେ ଡ଼ିମାପୁରଠାରୁ ଲରୀରେ ଭର୍ତ୍ତିକରି ଆଣେ ଏହି କୋହିମା ସହରକୁ । ବୁଢ଼ା କ୍ଷେତ୍ରୀପାଳ ଯେଉଁଠି ବସି ତୁଳସୀଦାସ ରାମାୟଣ ପାଠ କରୁଥିଲେ, ଭକ୍ତିନମ୍ର ସ୍ୱରରେ ଏହି ପାହାଡ଼ୀ ପୃଥିବୀକୁ ଅମୃତମୟ କରି ଯାଉଥିଲେ ଠିକ୍ ସେହି ମଞ୍ଚାଟି ଉପରେ ବସି ବୁଢ଼ା ମଧେଲାଲ ପାହାଡ଼ୀ ମଣିଷ ସହିତ ଗଳ୍ପ କରେ । ସେ ଆଜମିରୀ କି ମାରୁଆଡ଼ି, ସେହି ମଫସଲର ବ୍ୟବସାୟ, ପାଣ୍ଡୁ ଓ ଆମିନ ଗାଁ, କାଟିହାରର ଗଳ୍ପ, ଖାସିୟା ଓ କାରୋ ପାହାଡ଼ର ଗଳ୍ପ, କଲିକତାର ଗଳ୍ପ, ସାହେବମନଙ୍କ ସହିତ ସମତଳିଆ ଯୁବକଗୁଡ଼ାକଙ୍କର ଲଢ଼େଇ ଆଦି ନାନା କଥା । ସେଇ ଲଢ଼େଇର ଇତିହାସ । ଶିଲଂ ସହରର ପାଦ୍ରୀ ସାହେବମାନଙ୍କର କୀର୍ତ୍ତିଗାଥା । ଆଉ ଯେ କେତେ କାହାଣୀ ତାର ଲେଖାଯୋଖା ନାହିଁ । ଷାଠିଏ ବର୍ଷର ଡ଼ାଳେ ଡ଼ାଳେ, ଦେହର ପ୍ରତି ଶିରା ପ୍ରଶିରାରେ କେତେ ନା କେତେ ଗଳ୍ପ, କାହାଣୀ ସବୁ ଯେମିତି ଘନୀଭୂତ ହୋଇରହିଚି । ସେସବୁ ଗଳ୍ପ କହେ ମଧୋଲାଲ ।

 

ସାମନାରେ ଓଟଙ୍କ ଭଳି ମୁହଁଟାକୁ ଟେକି ଶୁଣୁଚି ସେଙ୍ଗାଇ ଓ ପାଖରେ ସାରୁୟାମାରୁ ।

 

ଗଳ୍ପ ସରିବା ପରେ ପୁଣି ସେହି ରାମ ରାମ । କ’ଣ ନ ହେଲା । କୁଆଡ଼ୁ ଆସିଲେ ,ଏ ଧଳା ଧଳା ପାଦ୍ରୀଗୁଡ଼ାକ । ଲୁଣ ବଦଳରେ ଧରମ ନଷ୍ଟ–ହାୟ ହାୟ ।

 

–କଣ କହୁଚୁ ମଧୋଲାଲ । ଆମର ଧରମ ନେଉଚି ଏ ଫାଦର ?

 

–ହଁ ହଁ, ଏକଥା ତୁମେ ଯେମିତି କାହାକୁ କହିବି ନାହିଁ । ତୋର ଜେଜେବାପା ଥିଲା ମୋର ଅତି ଆପଣାର । ତୋର ତିନି ପୁରୁଷ ସହିତ ମୋର କାରବାର ସେଇଥିଲାଗି ସତକଥା କହିଲି ।

 

–ନା, କାହାକୁ କହିବିନି । ଆମେ କଣ ବୁଝିଚୁ ? ଆଉ ଥରେ କହିଲେ ଦେଖୁଚୁନା ଏ ବର୍ଚ୍ଛା, ଏକାବେଳକେ ଫୋଡ଼ି ଦେବୁ ।

 

ପୁଣି ଫୁସ୍‌ଫୁସ୍‌ କରି କହିଲା ମଧୋଲାଲ–ତୁମର ରାଣୀ ଗାଇଦିଲଓ–ତାକୁ ପଚାର, ସେ ସବୁକଥା କହିବ ।

 

ନା,ନା; ତା ପାଖକୁ ଯିବୁନି, ସେ ଗୋଟାଏ ଡାହାଣୀ ପରା ।

 

–ଡାହାଣୀ କିଏ ? ରାଣୀ ଗାଇଦିଲିଓ ? କିଏ କହିଲା ତୁମକୁ ?

 

–ଫାଦର ।

 

–ମିଛ କଥା । ଜାଣ ସାରୁୟାମାରୁ । ଆମ ଦେଶର ଜଣେ ମହାରାଜା ଅଛି । ତା ନାଁ ଗାନ୍ଧୀ । ଏହି ସାଇବମାନଙ୍କ ସାଙ୍ଗରେ ତାର ରୀତିମତ ଲଢ଼େଇ । ମୋ ପୁଅ ବୁଧିଲାଲ ଏଇ ତିନିଦିନ ହେଲା କଲିକତାରୁ ଫେରିଲା । ସବୁ ଦେଖିଆସିଚି ସେ ।

 

ସଙ୍ଗେ ସଙ୍ଗେ ସେଙ୍ଗାରି କହିଲା–ଏଇ ସାଇବଗୁଡ଼ା କେଉଁଠୁ ଆସିଲେ ?

 

–ଅନ୍ୟ ଦେଶରୁ ସାତ ସମୁଦ୍ର ତେର ନଈ ପାର ହୋଇ ଆସିଛନ୍ତି । ବହୁତ ଦୂର ଦେଶ ସେ । କୋହିମା ପାହାଡ଼ର ଗୋଟିଏ ଅନିର୍ଦ୍ଦିଷ୍ଟ ଚକ୍ରରେଖା ଆଡ଼କୁ ଆଙ୍ଗୁଠି ବଢ଼ାଇଦେଲା ମଧୋଲାଲ ।

 

–ଆମେ ତ ଅସାନ୍ୟୁ (ସମତଳ ଲୋକ) । ଆମ ଦେଶଠାରୁ ମଧ୍ୟ ବହୁତ ଦୂରରେ ସେ ସାହେବମାନଙ୍କର ଦେଶ ।

 

–ତୁ ସେ ଦେଶକୁ ଯାଇଥିଲୁ ?

 

–ନାଁ ।

 

ଆଶ୍ଚର୍ଯ୍ୟ ହୋଇ କହିଲା ସାରୁୟାମାରୁ–ଏଇ ଯେଉଁ ଲଢ଼ାଇ କଥା କହିଲ, ବର୍ଚ୍ଛା (ସୁଚେନ୍ୟୁ) ଦ୍ୱାରା ମାରନ୍ତି ତ ? ମୁଣ୍ଡ କଟାକଟି ହୁଅନ୍ତି ତ ? ବଡ଼ ମଜା । କିନ୍ତୁ ଆମ ପାହାଡ଼ରେ ଏମିତି ଲଢ଼ାଇ ବହୁତ ଦିନ ହେଲା ହୋଇନାହିଁ ।

 

–ସେମିତି ଲଢ଼ାଇ ନୁହେଁ । ଗାନ୍ଧିଜୀଙ୍କର ଲୋକମାନେ ସାଇବମାନଙ୍କୁ ମାରନ୍ତିନି । ସାଇବମାନେ ସେମାନଙ୍କୁ ମାରନ୍ତି । ଏ ଦେଶରୁ ସାଇବରମାନଙ୍କୁ ଚାଲିଯିବାକୁ କହିଛନ୍ତି ଗାନ୍ଧିଜୀ ।

 

–ଏ ପୁଣି କେମିତି ଲଢ଼ାଇ ? ମାଡ଼ ଖାଇବେ ଅଥଚ ମାରିବେନି । ଯାଃ, ଏକଥା କେବେ ହୁଏ ? ସବୁ ମିଛ କଥା । ଆମର ପାହାଡ଼ରେ ଏମିତି ଲଢ଼େଇ ହେଲେ ସମସ୍ତଙ୍କୁ ଏକାବେଳକେ ମାରିପକାନ୍ତୁ । ଉତ୍ତେଜନାରେ ଫୁଲି ଉଠୁଥିଲା ସେଙ୍ଗାଇ ।

 

–ଏ ଲଢ଼େଇ ତୁମେ ବୁଝିପାରିବ ନି । ଏ ଲଢ଼ାଇ ବଡ଼ ମଜା କଥା । ମୋ ପୁଅ କହିଲା, ଗାନ୍ଧିଜୀ ଲୋକଗୁଡ଼ା ମାଡ଼ ଖାଇ ଖାଇ ଜିଣୁଛନ୍ତି । କିଛି ସମୟ ନୀରବ ରହି ପୁଣି ଆରମ୍ଭ କଲା ମଧୋଲାଲ । ଦେଖ, ତମେ ଖାଲି ଗପ କଲେ ଚଳିବନି । ହଁ, ଏ କିଏ କହିଲୁନି ତ ସାରୁୟାମାରୁ । ସେଙ୍ଗାଇ ଆଡ଼କୁ ଚାହିଁ ପଚାରିଲା ମାଧୋଲାଲ ।

 

–ୟା ନାଁ ସେଙ୍ଗାଇ । ସିଜିଟାର ପିଲା ।

 

–ଓଃ । ତା ପରେ ଶୁଣ, ଆମ ଦେଶରେ ସେ ଯେମିତି ଗାନ୍ଧିଜୀ, ତୁମ ଦେଶରେ ଇଏ ସେମିତି ଗାଇଦିଲିଓ । ସାହେବମାନଙ୍କୁ ସେ ମଧ୍ୟ ଭଲ ପାଏନା । ତା କଥା ଶୁଣ । ଏହି କୋହିମା ପାହାଡ଼ର ଥାଏ ରାଣୀ ଗାଇଦିଲିଓ ।

 

ବିଚିତ୍ର ଦୃଷ୍ଟିରେ ଚାହିଁଲା ବୁଢ଼ା ମଧୋଲାଲ । । ତାର ଦୃଷ୍ଟିରେ ଗୋଟିଏ ବିଚିତ୍ର ପୃଥିବୀର ଛାୟା ଦେଖିଲେ ସେଙ୍ଗାଇ ଆଉ ସାରୁୟାମାରୁ । ଗାନ୍ଧୀ ସଙ୍ଗେ ସାଇବମାନଙ୍କ ଲଢ଼ାଇ । ରାଣୀ ଗାଇଦିଲିଓ । କି ଅଦ୍ଭୁତ ନାମଗୁଡ଼ାଏ ମାଧୋଲାଲର । ଏଇ ସୁନ୍ଦର ଗପ ଶୁଣି ତାଙ୍କର ପାହାଡ଼ୀ ମନରେ ବିସ୍ମୟର ଛାୟା ଘୋଟିଯାଇଛି ।

 

ସହସା ସେଙ୍ଗାର କହି ଉଠିଲା–ତୁମ ଦେଶରେ ସାଇବମାନଙ୍କ ସଙ୍ଗେ ଲଢ଼ାଇଟା ହେଲା କାହିଁକି ? ଘରର ବୋହୂମାନଙ୍କ ଇଜ୍ଜତ ଲୁଟ୍ କରିଥିଲେ ନା କଣ ?

 

–ସେମାନେ ବିଦେଶୀ । ଆମ ଦେଶକୁ ଆସି ଆମକୁ ମାରିବେ, ଖାଇବାକୁ ଦେବେନି-। ଏଇସବୁ ଅନ୍ୟାୟ ଆଉ କେତେଦିନ ସହିବୁ ? ଏଇ ଧର ତୁମ ବସ୍ତିରେ କେହି ଯଦି ଆସି ସର୍ଦ୍ଦାର ହେବାକୁ ଚାହିଁବ, ଆଉ ତୁମକୁ ମାରିବାକୁ ଚାହିଁବ, ତାହାହେଲେ ତୁମେ କଣ କରିବ ?

 

–ନାଁ ନାଁ ଏକବାରେ ମାରି ପକାଇବୁ । ଗର୍ଜିଉଠିଲା ସେଙ୍ଗାଇ । ସାଇବମାନେ ଆସିଲେ ବିଦେଶରୁ । ଆରେ ଆସିଲ ତ ଭଲ ଭାବରେ ରହ । ତା ନ କରି ସେମାନେ ସର୍ଦ୍ଦାର ହେବାକୁ ଚେଷ୍ଟା କଲେ । ଏଇ ଦେଖ ତୁମ ପାହାଡ଼କୁ ମଧ୍ୟ ଦଖଲ କଲେଣି ।

 

ସାରୁୟାମାର କହିଲା–ତୁମେ ବି ତ ଆସିଛ । ତୁମେ ବି ବିଦେଶୀ ଅସାନ୍ୟୁ ।

 

–ହାୟ ରାମ ରାମ । ହାତେ ଲମ୍ବ ଜିଭ କାଢ଼ି କହିଲା ମଧୋଲାଲ । ଆମେ ଅସାନ୍ୟୁ ସତ, କିନ୍ତୁ ଏ ଦେଶଟା ଆମର । ତୁମେ ଓ ଆମେ ଗୋଟିଏ ଦେଶର ଲୋକ । ଆମେ ଥାଉ ତଳେ, ତୁମେ ଥାଅ ପାହାଡ଼ ଉପରେ । ଦୁଇଟାଯାକ ମିଶି ଗୋଟିଏ ଭାରତବର୍ଷ । ଫାଦର କହନ୍ତି ଯେ ଅସାନ୍ୟୁମାନେ ସୟତାନ ଆଉ ବିଦେଶୀ । ସବୁ ମିଛ । ତୁମର ରାଣୀ ଗାଇଦିଲିଓକୁ ପଚାର ।

 

କୋହିମାର ଆକାଶରେ ସନ୍ଧ୍ୟା ଘୋଟିଆସିଲା । ସାମନାରେ ବନମୟ ପାହାଡ଼ଚୂଡ଼ା ଅନ୍ଧାରର ରହସ୍ୟରେ ଅଦୃଶ୍ୟ ହୋଇଗଲା ।

 

ଉଠି ଠିଆହେଲେ ସେଙ୍ଗାଇ ଓ ସାରୁୟାମାରୁ । ସାରୁୟାମାରୁ କହିଲା–ଆମେ ଯାଉଚୁ-। ସନ୍ଧ୍ୟା ଆସିଗଲା । ବଡ଼ ଶୀତ ହେଲାଣି ।

 

ଗ୍ୟାସବତୀ ଜାଳୁ ଜାଳୁ ମଧୋଲାଲ କହିଲା–ତୁମେ କେଉଁଠି ରହୁଚ ?

 

–ଫାଦର କ୍ୟାମ୍ପରେ ।

 

ଓ ! ଟୁପ୍‌ଟୁପ୍‌ କରି କଣ କହିଲା ମଧୋଲାଲ । କିଛି ବୁଝି ହେଲାନି । ତାପରେ ଭଲ ଭାବରେ କହିଲା–ଗାନ୍ଧିଜୀର କଥା, ରାଣୀ ଗାଇଦିଲିଓର କଥା ଫାଦରକୁ କହିବନି; କିନ୍ତୁ ଆଉ ଲୁଣ ଦରକାର ହେଲେ ଆସି ଆମ ଦୋକାନରୁ ନେଇଯିବ । ସବୁ ଦୋକାନ ଅପେକ୍ଷା ଏଠି ସୁବିଧାରେ ମିଳିବ ।

 

ଆଚ୍ଛା ।

 

କୋହିମା ଆଡ଼କୁ ଗୋଡ଼ ବଢ଼ାଇଲେ ସେଙ୍ଗାଇ ଓ ସାରୁୟାମାରୁ ।

 

ଯାଉ ଯାଉ ସାରୁୟାମାରୁ କହିଲା–ଖୁବ୍‌ ମଜା ଗଳ୍ପ କହିଲା ମଧୋଲାଲ । ଗାନ୍ଧିଜୀର ଲଢ଼ାଇ । ରାଣୀ ଗାଇଦିଲିଓ । କି ସୁନ୍ଦର ଗଳ୍ପ ଖୁବ୍‌ ଭଲ ।

 

–ହୁଁ ହୁଁ । ମୁଣ୍ଡ ହଲାଇଲା ସେଙ୍ଗାଇ । ପାହାଡ଼ୀ ମନର ଉତ୍ତେଜନା । ରାତିରେ ଶେଯଟା ଉପରେ ଘରେ ଶୋଇରହି ଆକାଶ ପାତାଳ ଭାବୁଛି ସେଙ୍ଗାଇ । ପାଖରେ ଶୋଇଚି ସାରୁୟାମାରୁ-। କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ଶୋଇପାରିଲା ନାହିଁ ସେଙ୍ଗାଇ ।

 

ନିର୍ଜନ ରାତି । ଟିଣ ଛାତିର ଫାଙ୍କ ଦେଇ ଆକାଶକୁ ଚାହିଁ ରହିଥିଲା ସେଙ୍ଗାଇ । ଘନନୀଳ ଆକାଶ । ସେ ଆକାଶରେ ନକ୍ଷତ୍ରମାନଙ୍କ ବାସର ଅତନ୍ଦ୍ର ହୋଇରହିଛି । ଅନିପୁଣ ହାତରେ ଗୋଟିଏ ଚିତ୍ରରେଖା ପରି ଫୁଟି ବାହାରିଛି ବିବର୍ଣ୍ଣ ରଙ୍ଗର ଛାୟାପଥ ।

 

ବହୁତ ଦିନ ଆଗେ ଗୋଟିଏ ଝରଣା ପାଖରେ କେମଲୀ (ତାର ପ୍ରେମିକା) କୁ ଦେଖିଥିଲା ସେଙ୍ଗାଇ । ପୋକରୀବଂଶର ଗୋଟିଏ ରମଣୀୟ ଯୌବନ । କୋହିମାର ଏହି ନିଃସଙ୍ଗ ଶର୍ଯ୍ୟାକୁ ଅନେକ ରାତି ପର୍ଯ୍ୟନ୍ତ ଉତ୍ତେଜିତ କରି ରଖିଚି ତାର ସ୍ମୃତି । ତାକୁ ଯେମିତି ହେଉ ଆଣିବାକୁ ପଡ଼ିବ ।

 

ଆକାଶ ଦେହରେ ରାତିର କିଛି କଳା ଅଂଶ ଏବେ ଲାଗିରହିଚି । ଗୋଟିଏ ଉଦାସ ସ୍ୱର ଭାସିଆସିଲା ଚର୍ଚ୍ଚଆଡ଼ୁ । ଗୋଟିଏ ଅପୂର୍ବ ସଙ୍ଗୀତ ପରି ସେ ସ୍ୱରର ମୂର୍ଚ୍ଛନା ସମସ୍ତ ଚେତନାକୁ ପ୍ଲାବିତ କରି ଦେଇଥିଲା ସେଙ୍ଗାଇର ।

 

ଛୋଟ ପାଦ୍ରୀ ଅର୍ଥାତ୍ ପିୟର୍ସନ ପରମ ପିତାଙ୍କ ପାଖରେ ପ୍ରଭାତର ପ୍ରାର୍ଥନା ଜଣାଉଛନ୍ତି । ତାର ଗୋଟିଏ ସୁଦ୍ଧା ଅର୍ଥ ବୁଝିପାରିଲାନି ସେଙ୍ଗାଇ । ତେବେ ପିୟର୍ସନର କଣ୍ଠରେ ଏମିତି ଗୋଟିଏ ଇନ୍ଦ୍ରଜାଲ ରହିଚି ଯେଉଁଥିରେ କି ତାର ପ୍ରତି ଲୋମକୂପରେ ଶିହରଣ ଖେଳିକୂପରେ ଶିହରଣ ଖେଳିଯାଉଛି । ଟିକକ ଆଗରେ କେମଲୀର ନଗ୍ନ ଅଙ୍ଗସୌଷ୍ଠବର କଥା ଭାବି ଭାବି ସବୁ ସ୍ନାୟୁଗୁଡ଼ାକ ଉତ୍ତେଜିତ ହୋଇଉଠିଥିଲା ତାର । ଏଇଲେ ଏଇ ଗୀତର ଛନ୍ଦେ ଛନ୍ଦେ ବିଚିତ୍ର ଅନୁଭୂତିରେ ସେଙ୍ଗାଇର ଅସ୍ପଷ୍ଟ ମନଟା ଭରିଉଠିଛି ଯେମିତି । କେମଲୀର ଭାବନାଠାରୁ ପିୟର୍ସନର ଏହି ଉଦାସ ସଙ୍ଗୀତ କେତେ ତଫାତ୍ । ଏଇ ସଙ୍ଗୀତ ସହିତ ମଧୋଲାଲର ସେଇ କେତେଟା ଗଳ୍ପର ଯେମିତି ଆଶ୍ଚର୍ଯ୍ୟ ସଙ୍ଗତି ରହିଚି । ଠିକ୍‌ ଧରିପାରୁନି ସେଙ୍ଗାଇ । ରେଶମ ସବୁଜ ଘାସ ପଡ଼ିଆ ସେପାଖେ ବସିଚନ୍ତି ବଡ଼ ପାଦ୍ରୀ ମାକେଞ୍ଜି । ତାଙ୍କ ଗୋଡ଼ ପାଖେ ବସିଛି ଜନକୟର ପାହାଡ଼ୀ ସର୍ଦ୍ଦାର ।

 

ତା ଦେହରେ ବିଚିତ୍ର ଧରଣର ପୋଷାକ । ମଝିରେ ମଧ୍ୟ ଶନି ପରି ସଭାକୁ ଆଲୋକିତ କରିରଖିଛି ସାଲୁଲାଲାଙ୍ଗ ଗ୍ରାମର ସର୍ଦ୍ଦାର ।

 

ବଡ଼ ପାଦ୍ରୀ ମାକେଞ୍ଜି ମୁଠା ମୁଠା ରୂପାଟଙ୍କା ପାହାଡ଼ୀ ସର୍ଦ୍ଦାରମନଙ୍କ ହାତରେ ଗୁଞ୍ଜି ଦେଉଛି, ଆଉ ଫୁସ୍‌ ଫୁସ୍‌ କରି କଣ ସବୁ କହିଚାଲିଚି । ବୋଧହୁଏ ଯିଶୁ-ମେରୀର ବନ୍ଦନା ମନ୍ତ୍ର । ଆଉ ପାହାଡ଼ୀ ସର୍ଦ୍ଦାରମାନଙ୍କ ମୁହଁରେ କେତେବେଳେ ସାମାନ୍ୟ ହସ, କେତେବେଳେ ନିଷ୍ଠୁରତାର ଝଲକ ଖେଳିଯାଉଛି ।

 

ଇତ୍ୟବସରରେ ସାମନାରେ ଆସି ଠିଆ ହୋଇଗଲେ ସେଙ୍ଗାଇ ଓ ସାରୁୟାମାର । ଦିନଯାକ କୋହିମାର ସଡ଼କେ ସଡ଼କେ ବୁଲି ବୁଲି ସେଙ୍ଗାଇ ଟିକକ ଆଗରୁ ସିଜିଟାର ଘରକୁ ଫେରି ଆସିଥିଲା ।

 

ମାକେଞ୍ଜିଙ୍କର ମୁହଁରେ ବିଜୟର ହସ ।

 

ଏଇ ତ ସେଙ୍ଗାଇ ! ଏଇ ତ ସାରୁୟାମାରୁ ? ତା ପରେ ସହର କେମିତି ଦେଖିଲ ସେଙ୍ଗାଇ ?

 

–ଗୟା ଗୟା (ଭଲ ଭଲ) ।

 

ଟିକିଏ ରହି କହିଲେ ମାକେଞ୍ଜି–ସେଙ୍ଗାଇ । କହ ଦେଖି ତୁମର କଣ ଦରକାର ? କେତେଟା ଲୁଗା, କେତେ ଟଙ୍କା ?

 

ପାଖରେ ଥିଲେ ପିୟର୍ସନ । ବାଘ ପରି ଝପଟି ଆସି କହିଲେ–ହ୍ୱାଟସ୍ ଦିସ ଫାଦର-?

 

–କଣ ହେଲା ପିୟର୍ସନ ? ତୀର୍ଯ୍ୟକ୍‌ ଦୃଷ୍ଟିପାତ କରି କହିଲେ ମାକେଞ୍ଜି । ଏତେ ଉତ୍ତେଜିତ କାହିଁକି ?

 

–ଭାରି ଅନ୍ୟାୟ । ଏମିତି ଲୋଭ ଦେଖାଇ ଖ୍ରୀସ୍ତିୟାନତି ସ୍ପ୍ରେଡ଼ କରି ଲାଭ କଣ ? ଲୋଭକୁ ଏପରି ପ୍ରଶ୍ରୟ ଦେବା ଉଚିତ ନୁହେଁ । ଉତ୍ତେଜନାରେ ଦେହଟା ଥରି ଉଠୁଥିଲା ପିୟର୍ସନଙ୍କର ।

 

ଗଜ ଉଠିଲେ ମାକେଞ୍ଜି-ଡ଼ୋଣ୍ଟ ଇଣ୍ଟରଫେୟାର । କେଉଁଥିରେ ଲାଭ ହେବ ନ ହେବ ମୁଁ ତୋ ପାଖରୁ ଜାଣିବାକୁ ଚାହେଁନା । ଲିଭ୍‌ ଦିସ୍‌ ପ୍ଲେସ ଆଟ୍‌ଉଆନ୍‌ସ । ଆଇ ବିଡ଼........ ।

 

‘‘ଥାଙ୍କସ–’’ ଉଦ୍ଧତ ପଦକ୍ଷେପରେ ସାମନା ରାସ୍ତାରେ ଚାଲିଗଲେ ପିୟର୍‌ସନ ।

 

ପିୟର୍‌ସନଙ୍କ ଯିବା ପଥକୁ ଚାହିଁ ରହିଥିଲେ ମାକେଞ୍ଜି । ଯେମିତି ତାଙ୍କ ଦେହଟା ଅଦୃଶ୍ୟ ହୋଇଗଲା । ଠିକ୍‌ ସେତିକି ବେଳେ ସେଙ୍ଗାଇର ମୁହଁକୁ ଚାହିଁଲେ ମାକେଞ୍ଜି । ନାଃ, ମଗଜଟାକୁ ଏକବାରେ ଭାରାକ୍ରାନ୍ତ କରି ଦେଇଗଲା ଲୋକଟା । ଗୋଟାଏ ଡ଼େଭିଲ୍ ସ୍କାଉଣ୍ଡ୍ରେଲ ।

 

ମାକେଞ୍ଜି କହିଲେ–ଯେଉଁ କଥା କହୁଥିଲି ବୁଝିଲୁ ସେଙ୍ଗାଇ । ଯାହା ଚାହିଁବ ତୁମକୁ ତାହା ଦେବି, କିନ୍ତୁ ଗୋଟିଏ କାମ କରିବାକୁ ହେବ ।

 

–କି କାମ ? ଭୟବିଜଡ଼ିତ ଚକ୍ଷୁରେ ଚାହିଁଲା ସେଂଗାଇ ।

 

–କିଛି ନୁହେଁ । ଏହି ଅସାନ୍ୟୁମାନଙ୍କ ସାଙ୍ଗରେ ମିଶିବ ନାହିଁ । ସେମାନେ ବଡ଼ ଖରାପ ଲୋକ । ଏଇ ସାରୁୟାମାରୁକୁ କହିଛି । ତୁମର ବାପା ସିଜିଟାକୁ କହିଛି ମଧ୍ୟ । କଣ ସାରୁୟାମାରୁକୁ କହିନି ?

 

ହୁଁ ହୁଁ–ମୁଣ୍ଡ ହଲାଇଲା ସାରୁୟାମାରୁ । ଏହି କଥାଟା ଠିକ୍‌ । ଏହି ଅସାନ୍ୟୁଗୁଡ଼ାକ ଭାରି ସୟତାନ ।

 

ଠିକ୍‌ କଥା, ଯାହା କହିଦେଇଛି ତୁମର ସବୁ ମନେଅଛି ଦେଖୁଛି । ଆତ୍ମ ପ୍ରସାଦର ଆଲୋକ ଫୁଟିଉଠିଲା ମାକେଞ୍ଜିଙ୍କ ମୁହଁରେ । ଛାଡ଼ ସେ କଥା । ଗାଇଦିଲିଓ ପାଖକୁ ଯାଉନ ତ ?

 

–ନାଁ ନାଁ ।

 

ଭଲ କରିଛି, ସେ ଡାହାଣୀ ଏକବାରେ ମାରି ପକାଇବ । ବିଚିତ୍ର କୌଶଳରେ ଆଖିରେ ଆତଙ୍କର ସବୁ କିଛି ରେଖା ଫୁଟାଇଲେ ମାକେଞ୍ଜି ।

 

–ଖବରଦାର, ତା’ ସାଂଗରେ ମିଶିବନି ତୁମେମାନେ ।

 

–ଡାହାଣୀ, କିଏ କହିଲା ଡାହାଣୀ ? ତୁ, ମିଛ କହୁଚୁ । ଏଇ ଯେ ମାଧୋଲାଲ କହିଲା ସେ ରାଣୀ । ଖୁବ୍‌ ଗୟା (ଭଲ) । ଗାଇଦିଲିଓ ରାଣୀ, ଡାହାଣୀ ନୁହେଁ । ଭ୍ରୁକୁଞ୍ଚିତ ଚକ୍ଷୁରେ ଚାହିଁଲା ସେଙ୍ଗାଇ । ତୁ ସବୁ ମିଛ କହୁଚୁ । ତୁ ବଡ଼ ସୟତାନ । ମଧୋଲାଲ କଣ ମିଛ କହିଲା ?

 

–ମଧୋଲାଲ । ଚମକି ଉଠିଲା ମାକେଞ୍ଜି । ମଧୋଲାଲ କିଏ ?

 

ସାରୁୟାମାରୁ କହିଲା–ଡ଼ିମାପୁର ଯିବା ରାସ୍ତାରେ ଗୋଟାଏ ଦୋକାନ ଅଛି । ସେଇ ଦୋକାନର ମାଲିକ ମଧୋଲାଲ । କେତେ କହିଲା ସେ । ସେ ତ ଅସାନ୍ୟୁ ଧୋତି ପିନ୍ଧେ, ଅଥଚ କେତେ ଭଲ । ସେ ଆମର ବନ୍ଧୁ, ଆମର ବାପା ଭଳି ।

 

ମଝିରେ ବାଧାଦେଲା ମାକାଞ୍ଜି । ରହ ରହ, ଆଉ କଣ କହିଲା ମଧୋଲାଲ ? ଉତ୍ତେଜନାରେ ଆଖି ଦୁଇଟା ଲାଲ ହୋଇଉଠିଥିଲା ମାକେଞ୍ଜିଙ୍କର ।

 

ସେଂଗାଇ କହିଲା–ହୁଁ ହୁଁ ସାହେବମାନଙ୍କ ସାଂଗରେ କୁଆଡ଼େ ଅସାନ୍ୟୁମାନଙ୍କର ଲଢ଼ାଇ ହେଉଛି । କାହାର ଗୋଟିଏ ନାମ କହିଲା ମଧୋଲାଲ, କଣ ରେ ସାରୁଆମାରୁ ? କହନା ଏଇ ଅସାନ୍ୟୁମାନଙ୍କର ସର୍ଦ୍ଦାରଟାର ନାଁ ? ମୋର ମନେ ପଡ଼ୁନି ।

 

ସାରୁୟାମରୁ କହିଲା–ଅସାନ୍ୟୁମାନଙ୍କ ସର୍ଦ୍ଦାର ନାମଟା ଗାନ୍ଧିଜୀ । ମଧୋଲାଲ କହିଲା, ଗାନ୍ଧୀ ଯେମିତି ସେମାନଙ୍କର ରାଜା, ଗାଇଦିଲିଓ ସେମିତି ଆମର ରାଣୀ ।

 

ଗାନ୍ଧିଜୀ । କି ଭୟଙ୍କର ଶବ୍ଦଟାଏ । ସମତଳ ଦେଶରୁ ସବୁ ବାଧା ବନ୍ଧନ ତୁଟାଇ ଏଇ ବନମୟ ଗିରିଚୂଡ଼ାରେ ଆସି ପହଞ୍ଚିଲାଣି ଗାନ୍ଧୀ । ନା ନୁହେଁ, ଗୋଟାଏ କିଛି ବିସ୍ଫୋରଣ । କଲିକତା, ସାବରମତୀ, ମହାରାଷ୍ଟ୍ର, ହିମାଳୟର ପାଦଦେଶଠାରୁ କୁମାରିକା ପର୍ଯ୍ୟନ୍ତ ବିଶାଳ ଭାରତବର୍ଷର ହୃତ୍‌ପିଣ୍ଡ ଏହି ଗୋଟିଏ ନାଁରେ ବିବର୍ଣ୍ଣ ହୋଇଉଠୁଚି । ଏହି ଗୋଟାକ ନାମ ଯୋଜନ ଯୋଜନ ପଥ ଅତିକ୍ରମ କରି ଏହି ବଣ ମଣିଷଗୁଡ଼ାକର ଅସ୍ପଷ୍ଟ ଚେତନାରେ ଗୋଟିଏ ଅକ୍ଷୟ ଶିଳାଲିପି ପରି ଅଙ୍କା ହୋଇଉଠିଚି । ଯେମିତି ହେଉ ଏହି ପାହାଡ଼ୀ ପୃଥିବୀରୁ ଏହି ନାମଟିକୁ ବଣମଣିଷଙ୍କ ଚେତନାରୁ ଚିରଦିନ ପାଇଁ ନିର୍ବାସିତ କରିବାକୁ ହେବ । ନହେଲେ ଉପାୟ ନାହିଁ । ଗୋଟିଏ ଦୁର୍ବଳ ରନ୍ଧ୍ର ପାଇଲେ ଏଇ ନାଁଟା ହୁ ହୁ ହୋଇ ସାରା ନାଗା ପାହାଡ଼ଟାକୁ ମାଡ଼ିଯିବ । ମାକେଞ୍ଜି ଭାବିଲେ, ଆଜି ଯାଇ ପୋଲିସ ସାହେବ ମିଃ ବସଉୟେଲଙ୍କ ସଂଗେ ଦେଖା କରିବାକୁ ହେବ ।

 

ସେଂଗାଇ ଆରମ୍ଭ କଲା–ତୁମ୍ଭେମାନେ ସାଇବ । ମଧୋଲାଲ କହିଲା, ତୁମମାନଙ୍କୁ ସେମାନେ ତାଙ୍କ ଦେଶରୁ ତଡ଼ିଦେବେ । ଆମର ରାଣୀ ଗାଇଦିଲି ଓ ତୁମ ସାଂଗରେ କୁଆଡ଼େ ଲଢ଼ାଇ କରିବ ।

 

ବିଷପାତ୍ର ଏଥର ଯେମିତି ଚହଲି ଉଠିଲା । ରାଣୀ ଗାଇଦିଲିଓର ଲଢ଼ାଇ କଣ କହୁଚ ସେଂଗାଇ ।

 

ବ୍ରିଟେନ୍ ବ୍ରୁକ୍‌ସାୟାରର ସେ ଦୁର୍ଦ୍ଦାନ୍ତ ଅଲ୍‌ଟାଇ ଆଉ ଆଜିକାଲିର ପାଦ୍ରୀ ମାକେଞ୍ଜି । ଜୀବନରେ ଯେମିତି ପ୍ରଥମ ଭୟ ପାଇଛି । କ୍ଷୀଣ ସ୍ୱରରେ ସେ କହିଲେ–ସବୁ ମିଛ । ଆମ ସାଂଗରେ ଲଢ଼ାଇ ନୁହେଁ । ଆମେ ତୁମର ବନ୍ଧୁ । ସେମାନେ ବିଦେଶୀ ଅସାନ୍ୟୁ ।

 

ସେଗାଂଇ କହିଲା–ତୁମେ କଣ କରିବାକୁ ଆସିଚ ଏଠାକୁ ?

 

ଏ ପ୍ରଶ୍ନର ଉତ୍ତର ଜଣାଅଛି ମାକେଞ୍ଜିଙ୍କୁ, କିନ୍ତୁ ସେ ଉତ୍ତରମାଳା ଏମାନଙ୍କ ପାଖରେ ସଜାଇଲେ ଚଳିବନି । ଗୋଟିଏ ଅର୍ଦ୍ଧନଗ୍ନ ପାହାଡ଼ୀ ମଣିଷର ପ୍ରଶ୍ନ ଯେ ଏତେ ମାରାତ୍ମକ, ତା କ’ଣ ଆଗରୁ ଜାଣିଥିଲେ ମାକେଞ୍ଜି ?

 

ମୁହଁରେ କୃତ୍ରିମ ହସ ଫୁଟିଉଠିଲା ମାକେଂଜିଙ୍କର । ଅଦ୍ଭୁତ ଉତ୍ସାହ । ଅଖଣ୍ଡ ପ୍ରେରଣା । ମାକେଂଜି କହିଲେ–ଆଚ୍ଛା ସେଂଗାଇ, ସାଲୁୟାଲଗ ବସ୍ତି ସହିତ ତୁମମାନଙ୍କର ଖୁବ୍‌ ଝଗଡ଼ା ନା-?

 

ସେଙ୍ଗାଇ ମୁଣ୍ଡ ହଲାଇ କହିଲା–ହୁଁ ହୁଁ, ସେମାନେ ଆମର ଶତ୍ରୁ । ଚିତ୍କାର କରିଉଠିଲା ସାରୁୟାମାରୁ–କଣ ରେ ସେଂଗାଇ । ମଧୋଲାଲ ପରା ଗାନ୍ଧିଜୀର ଲଢ଼ାଇ ଆଉ ରାଣୀ ଗାଇଦିଲିଓର କଥା କହିବାକୁ ମନା କରିଥିଲା ?

 

–ହୁଁ ହୁଁ । ମୁଣ୍ଡ ହଲାଇଲା ସେଂଗାଇ । ତାପରେ ଲାଲ ଆଖିରେ ଚାହିଁଲା ମାକେଞ୍ଜି ଆଡ଼ଂକୁ । ସେଇ ସୟତାନଟା ସବୁ ଜାଣି ପକାଇଲା । ୟାକୁ ଏକାବେଳକେ ମାରିପକାନ୍ତି କି ।

 

ଆମେ ବିଶ୍ୱାସଘାତୀ ହେଲୁ । ବେଇମାନୀ କଲୁ । କଣ ରେ ସେଂଗାଇ ?

 

ହୁଁ ହୁଁ । ଇଜାହ୍ରାଣ୍ଟୋସା ସାଲୋ । ଆମେ ପାହାଡ଼ୀ ମଣିଷ । ଆମକୁ କେହି ବିଶ୍ୱାସଘାତକତା କରିପାରିବନି । ହୁଁ ହୁଁ, ଅନିଜାର ରାଗ ଆସିଛି । ସବୁ ଏ ସୟତାନ ସାହେବଟା ଲାଗି । ଦୀର୍ଘକାୟ ବର୍ଚ୍ଛାଟା ଧରିଲା ସେଂଗାଇ । ଅବ୍ୟର୍ଥ ଲକ୍ଷ୍ୟ । ଉଲ୍‌କା ପରି ସାଇଁ କରି ବର୍ଚ୍ଛାଟା ମଣିବନ୍ଧରେ ଭୁଷି ହୋଇଗଲା ମାକେଞ୍ଜିଙ୍କର । ଦଲକାଏ ରକ୍ତ ବାହାରିଆସିଲା । ଚର୍ଚ୍ଚର ଶୁଭ ପ୍ରାଂଗଣରେ ମଣିଷର ପବିତ୍ର ନାମ ଉପରେ ଏହି ପାହାଡ଼ୀ ପୃଥିବୀର ରକ୍ତର କିଛି କଳଙ୍କ ରହିଗଲା-

 

ମର୍ଡ଼ର ! ମର୍ଡ଼ର !! ଆରେଷ୍ଟ । ଆରେଷ୍ଟ ! ସନ ଅଫ୍ ବିଚ୍ । ଆର୍ତ୍ତନାଦ କରିଉଠିଲେ ମାକେଞ୍ଜି । ଚର୍ଚ୍ଚରୁ ଦୁଇ ଘର ଛାଡ଼ି ଆଉଟ ପୋଷ୍ଟ ।

 

ହଠାତ୍ ନିଷ୍କ୍ରିୟତା ଝଡ଼ିଗଲା ସାରୁୟାମାରୁର । ମଣିପୁରୀ ପୁଲିସଙ୍କ କବଳରୁ ସେଂଗାଇବୁ ଛଡ଼ାଇନେଲା ସେ । ଇଜା ରାମଖୋ । ସେଂଗାଇକୁ ନେଇଯିବ ? ବର୍ଚ୍ଛାରେ ମାରି ପକାଇବି ।

 

ସେଙ୍ଗାଇକୁ ଘାସ ବଣ ଭିତରେ ଫିଙ୍ଗିଦେଇ ଫଁ ଫଁ ଗର୍ଜିଉଠିଲା ସାରୁୟାମାରୁ ।

 

ଜର୍ଜ୍ଜରିତ ହୋଇଉଠିଲେ ମାକେଞ୍ଜି । ଓଃ, ସନସ୍‌ ଅଫ ଡ଼େଭିଲ । ବ୍ୟାସ୍‌ଟାର୍ଡ଼ । ମଇ ମଷ୍ଟ ସି ।

 

ଉତ୍ତେଜିତ ହୋଇ ଧାଇଁଆସିଲେ ସାରୁମାୟାରୁ ଆଡ଼କୁ ମାକେଂଜି । ତା ଆଗରୁ ବର୍ଚ୍ଛାଟା ଧରି ସାରିଥିଲା ସାରୁୟାମାରୁ । ତା ଆଖିରେ ଶିକାରୀର ଛାୟା ବୁଲୁଛି ।

 

ଅବାକ୍‌ ହୋଇ ଠିଆହୋଇଗଲେ ମାକେଂଜି । ପାହାଡ଼ୀ ମଣିଷର ବର୍ଚ୍ଛା । ବଡ଼ ବନ୍ୟ ଆଦିମ ସେ ।

 

ଗୋଟାଏ କୌଣସି ଭୟାନକ କାଣ୍ଡ ଘଟିଯିବା ଏକାବେଳକେ ଅସମ୍ଭବ ନ ଥିଲା । କିନ୍ତୁ ତା ଆଗରୁ ଚାରିଆଡ଼ୁ ବିହାରୀ, ଆସାମୀ ଆଉ ବଙ୍ଗାଳୀ ପୁଲିସଗୁଡ଼ାକ ଘେରି ଯାଇଥିଲେ ସାରୁୟାମରୁର ଚାରିଦିଗରେ । ଟକ ଟକ ବେୟନେଟର ଫଳା ଗୁଡ଼ିକ ଛାତି, ପିଠି, ଦେହ ଗୋଟାକ ହିଂସ୍ର ଭାବରେ ଉଦ୍ୟତ ହୋଇରହିଛି । ଅସହାୟ ଚକ୍ଷୁରେ ଚାହିଁଲା ସାରୁୟାମାରୁ–ଗୋଡ଼ ପାଖରେ ପଡ଼ିରହିଛି ସେଙ୍ଗାଇ । ଅଚେତନ ପ୍ରାୟ । ସବୁଜ ଘାସ ଉପରେ ପାହାଡ଼ୀ ରକ୍ତ ଯେମିତି ଛିଟ୍‌କି ପଡ଼ଛି ।

 

ଗର୍ଜି ଉଠିଲେ ମାକେଂଜି । ସୟତାନଟାକୁ ନେଇଯାଅ ଆଉଟିପୋଷ୍ଟକୁ । ଏଇ ଡ଼େଭିଲ ପିଲାଟାକୁ ମଧ୍ୟ ଧରିନେଇ ଯାଅ । ସେଙ୍ଗାଇ ଆଡ଼କୁ ହାତ ଦେଖାଇ କହିଲେ ମାକେଂଜି–ମୁଁ ଟିକକ ପରେ ଯାଉଛି । ସୟତାନଟି ପାଇଁ ଭଲ କରି ଔଷଧ ବ୍ୟବସ୍ଥା କର । ମୁଁ ତା’ର ପାହାଡ଼ୀ ତେଜ ବାହାର କରିଦେବି, ତେବେ ଯାଇ ମୋ ନାଁ ମାକେଂଜି ।

 

ଟିକକ ପରେ ଆଉଟ ପୋଷ୍ଟକୁ ଆସିଲେ ମାକେଂଜି । ମଣିବନ୍ଧ ଉପରେ ଗୋଟାଏ ବ୍ୟାଣ୍ଡେଜ ।

 

ଆସନ୍ତୁ ଫାଦର । ପୋଲିସ ସାହେବ ବୟସୟେଲ ଏପର୍ଯ୍ୟନ୍ତ ତାଙ୍କ କ୍ୱାଟରକୁ ଫେରିଯାଇ ନାହାନ୍ତି । ମାକେଂଜିଙ୍କୁ ଦେଖି ଅଭ୍ୟର୍ଥନା ଜଣାଇ କହିଲେ ସେ–ଘଟଣା କ’ଣ ? ପୋଲିସମାନେ ସବୁ ରିପୋର୍ଟ ଦେଇଛନ୍ତି । ବ୍ଲଡ଼ସେଡ଼ ଇନ୍‌ ଚର୍ଚ୍ଚ ! ଇଏ ତ ବଡ଼ ସାଙ୍ଘାତିକ ବ୍ୟାପାର । ଏଇ ଜଙ୍ଗଲୀଗୁଡ଼ାକ ସୀମା ଲଙ୍ଘନ କଲେଣି ଦେଖୁଛି ।

 

ମଣିବନ୍ଧଟା ସାମନାରେ ଧରି କହିଲେ–ମାକେଂଜି–ଏଇ ଦେଖନ୍ତୁ ବର୍ଚ୍ଛାରେ ମୋତେ କେମିତି ଫୋଡ଼ି ପକେଇଛନ୍ତି ।

 

–ଚର୍ଚ୍ଚକୁ ଯାଇ ମିଶନାରୀ ଦେହରେ ହାତ ଦେବା ଏହା ତ ମୁଁ ବରଦାସ୍ତ କରିପାରିବିନି-। ଦରକାର ହେଲେ ନାଗା ପାହାଡ଼ରୁ ପାହାଡ଼ୀ ସୟତାନଗୁଡ଼ାକଙ୍କ ଚିହ୍ନ ପୋଛି ପକାଇବି । ହାଓ ଡ଼େଞ୍ଜରସ୍‌ । ଗୋଟାଏ ଅବ୍ୟକ୍ତ ଆର୍ତ୍ତନାଦ କରି ଉଠିଲେ ବସ୍‌ଉୟେଲ ।

 

ଡେଞ୍ଜରସ୍ । ସତରେ ବଡ଼ ଡ଼େଞ୍ଜରସ୍ । ତେବେ ମୁଁ ଭାବୁଛି ବଛା ବଛା ଯୁବକମାନଙ୍କୁ ଭଗର୍ଣ୍ଣମେଣ୍ଟ ପଠାଇଛନ୍ତି ଏଇ ନାଗା ପାହାଡ଼କୁ । ଏଇ ଦେଖନ୍ତୁ, ଆପଣ ଫାଷ୍ଟଗ୍ରେଟ ଓୟାରର ଲୋକ, ମୋର ଅତୀତ ଜୀବନଟା ବି ବିଡ଼୍‌ସ କାଉଣ୍ଟ (ମାଳାଜପ) କରି କଟିନି । ତେବେ ଦେଖନ୍ତୁ ଏଇ ଡ଼୍ରାଗନଗୁଡ଼ାକୁ ବାଟକୁ ଆଣି ହେଉନି ।

 

–ଦ୍ୟାଟସ୍ ରାଇଟ, କିଛି ସନ୍ଦେହ ନାହିଁ । ସମର୍ଥନ କଲେ ବସ୍ଉୟେଲ । ଏଇ ଦେଖନ୍ତୁ ନା ସମତଳିଆ ଲୋକଗୁଡ଼ାକଙ୍କ ସାଙ୍ଗରେ ମିଶିବାକୁ ଏମାନଙ୍କୁ ମନା କରିଛି । କେତେ ସତର୍କ ହୋଇ ଏମାନଙ୍କୁ ଓୟାଚ କରିଚି । କିନ୍ତୁ ଯାହା ହେବାର ତାହା ହୋଇଛି । ମୁହଁରେ ହତାଶ ଭାବ ଫୁଟିୁଠିଲା ମାକେଂଜିଙ୍କର ।

 

–କ’ଣ ହେଲା ? ଆଉ କିଛି ଜାଣନ୍ତି ? ଚେୟାରଟାକୁ ମାକେଂଜିଙ୍କ ପାଖକୁ ଟାଣିଆଣିଲେ ବସ୍‌ଉୟେଲ ।

 

ଡ଼ିମାପୁର ରାସ୍ତା ଉପରେ ଯେଉଁ ବଜାରଟା ଅଛି, ସେଠାରେ ଗାନ୍ଧୀର ଗୋଟାଏ ଚେଲା ଦୋକାନ କରିଛି । ଲୋକଟାର ନାଁ ମାଧୋଲାଲ ।

 

ସର୍ବନାଶ ଓ କ୍ରାଏଷ୍ଟ । ଚିକ୍ରାର କରିଉଠିଲେ ବସ୍‌ଉୟେଲ । ତାପରେ ?

 

ସେଇ ଲୋକଟା ପାହାଡ଼ୀମାନଙ୍କ ମଧ୍ୟରେ ଗାନ୍ଧୀର ନନ୍‌-କୋ–ଅପରେସନର କଥା ପ୍ରଚାର କରୁଛି । ଗାଇଦିଲିଓକୁ ରାଣୀ କହି ସମସ୍ତଙ୍କୁ ମନ୍ତ୍ର ଦେଇଛି । ସେ ପାହାଡ଼ୀ ଦି’ଟାଙ୍କୁ ଟିକକ ଆଗେ ଆଉଟ ପୋଷ୍ଟକୁ ନେଇ ଆସିଛନ୍ତି ପୋଲିସମାନେ ।

 

ସେଇ ସଇତାନ ଦୁଇଟା ଏଇସବୁ ଶୁଣି ମସିଥିଲେ । ଏହି ବିଷୟରେ କଥା ପଡ଼ୁ ପଡ଼ୁ ବର୍ଚ୍ଛାରେ ଫୋଡ଼ି ପକାଇଛି ସେଙ୍ଗାଇ ସୟତାନଟା ।

 

–ଇଜ୍‌ଇଟ୍‌ ! ମଧୋଲାଲ ! ଗାନ୍ଧୀ ଗାଇଦିଲିଓ । ଦାନ୍ତ ଚୋବେଇ ନାଁ ଗୁଡ଼ାକ ଉଚ୍ଚାରଣ କରିଉଠିଲେ ପୁଲିସ ସାହେବ ବସ୍‌ଉୟେଲ । ଆଚ୍ଛା, ମୁଁ ଜାଣେ କେମିତି ଗାନ୍ଧୀ ଆଉ ଗାଇଦିଲିଓକୁ ପାହାଡ଼ୀମାନଙ୍କ ମନରୁ ଦୂର କରିବାକୁ ହେବ । ତାପରେ ଚଢ଼ା ଗଳାରେ ଡାକିଲେ–

 

ନିତୁ ସିଂ ! ନିତୁ ସିଂ !

 

ଦାରୋଗା ନିତୁ ସିଂ ତୀରବେଗରେ ଧାଇଁ ଆସିଲା । ବୁଟ୍‌ର ପ୍ରଚଣ୍ଡ ଶବ୍ଦ ସଙ୍ଗେ ସଙ୍ଗେ ସାଲ୍ୟଟ୍ । .....ଇୟେସ ସାର୍ ।

 

ଚର୍ଚ୍ଚରୁ ଯେଉଁ ପାହାଡ଼ୀ ଦୁଇଟାଙ୍କୁ ଧରି ଅଣାଯାଇଛି, ସେମାନଙ୍କୁ ଟିକେ ଦଳାଚକଟାର ବ୍ୟବସ୍ଥା କର ।

 

ଦଳାଚକଟା ସାର୍ ?

 

–ଏମାନଙ୍କ ଦେହଟାଯାକ ଭାରି ଘୋଳାବିନ୍ଧା ହେଉଥିବ, ସେଇଥି ପାଇଁ ଟିକିଏ ମ୍ୟାସେଜ ଦରକାର । ବୁଝିଲୁ ? ବସ୍‌ଉୟେଲ ଆଖିରେ ଏକ ଅର୍ଥପୂର୍ଣ୍ଣ ଭ୍ରୂକୁଟି ।

 

ଘର ଭିତରେ ଗୋଟାଏ ମଣିପୁରୀ ପୁଲିସ ଗୋଟାଏ ଗ୍ୟାସ ଆଲୁଅ ଜଳାଇ ଦେଇ ଚାଲିଗଲା । ବସ୍‌ଉୟେଲ ମାକେଞ୍ଜିର କାନ ପାଖରେ ଚୁପ୍‌କରି କହିଲେ–ସାବଧାନ ଫାଦର । ଭୁଲରେ କେବେ ପାହାଡ଼ୀମାନଙ୍କ ଦେହରେ ବ୍ରିଟିଶମାନଙ୍କ ହାତ ଯେପରି ନ ବାଜେ । ମାଛ ତେଲରେ ହିଁ ମାଛ ଭାଜିବାକୁ ପଡ଼ିବ । ଯଦି ଦମନ କରିବାକୁ ପଡ଼ିବ, ତାହାହେଲେ ଏଇ ଭାରତୀୟମାନଙ୍କ ହାତରେ ହିଁ ଏ ଅପ୍ରିୟ କାମଟି କରିବାକୁ ପଡ଼ିବ ।

 

ନିର୍ବୋଧ ଦୃଷ୍ଟିରେ ଚାହିଁ ରହିଥିଲେ ମାକେଂଜି । ଏକ୍‌ବାର ନିରୁତ୍ତର । ବସ୍‌ୟେଲର ବିକଟାଳ ମୁହଁଟା ଉପରେ ନାଚି ଉଠିଥିଲା ନାନା ରଙ୍ଗର କୌତୁକ । ୟାର ନା ଡ଼ିପ୍ଲୋମାସି: ପଲିଟିକ୍‌ସ । ପ୍ଲେନ ମେନ୍‌ମାନଙ୍କ ସହିତ ହିଲ ହିନ୍ଦୁଗୁଡ଼ାଙ୍କର ୟୁନିୟନ ହେଲେ ହିଁ ମୁସ୍କିଲ ।

 

–ବ୍ରିଲୟେଣ୍ଟ । ସତେ ଏକଥା ତ ମୋ ମନରେ କେବେ ଷ୍ଟ୍ରାଇକ୍ କରିନି । ମାକେଞ୍ଜିଙ୍କ ଦୁଇ ଆଖିରୁ ବିନ୍ଦୁ ବିନ୍ଦୁ ହୋଇ ଶ୍ରଦ୍ଧା ଯେମିତି ଝରିପଡ଼ିଲା ।

 

ଆଇଭରି ପାଇପ୍‌ ଭିତରେ ସୁରଭିତ ତମାଖୁ ପୂରାଇବାରେ ବ୍ୟସ୍ତ ଥିଲେ ଉସ୍‌ଉୟେଲ-। ନିର୍ବାକ୍ ମନଯୋଗ । ନିର୍ବିକାର ଗାମ୍ଭୀର୍ଯ୍ୟ । କେବଳ ମନ ଭିତରେ ଆତ୍ମପ୍ରସାଦର ଏକ ଉଲ୍ଲସିତ ହସ ଫୁଟି ବାହାରି ଆସିଥିଲା ମୁହଁ ଉପରକୁ ।

 

ହଠାତ୍ ମାକେଂଜି କହିଉଠିଲା–ବଡ଼ ଅଡ଼ୁଆରେ ପଡ଼ିଯାଇଛି ପିୟର୍‌ସନକୁ ନେଇ । ପାହାଡ଼ୀଗୁଡ଼ାକଙ୍କ ପ୍ରତି ଲୋକଟାର ସହାନୁଭୂତି କ୍ରମଶଃ ବଢ଼ିଉଠୁଛି । ମୋ ପ୍ରଚାର ବିରୁଦ୍ଧରେ ସବୁବେଳେ ତାର ପ୍ରଚାର ଚାଲିଛି ।

 

ଆଉ ବା କିଛି କହିଥାଆନ୍ତେ ବସ୍‌ଉୟେଲ ହଠାତ୍ ଭିତରକୁ ଚାଲିଆସିଲେ କେତେଟା ନାଗା ସର୍ଦ୍ଦାର । ହାତମୁଠାରେ ବର୍ଚ୍ଛା, ମୁଣ୍ଡ ଉପରେ ଲାଣ୍ଟେସଙ୍ଗ ଶିଙ୍ଘରେ ମୁକୁଟ ଗଳାରେ ସାପର ମୁଣ୍ଡମାଳ । ବସ୍‌ଉୟେଲ ଗଦ୍‌ ଗଦ୍ ଗଳାରେ ଅଭ୍ୟର୍ଥନା ଜଣାଇଲେ–ଆସ, ଆସ ସର୍ଦ୍ଦାର । ତାପରେ ଖବର କଣ ?

 

ତିନିଜଣଙ୍କର କଣ୍ଠରୁ ବିଦୀର୍ଣ୍ଣ ହେଲା–ନା, ଆମେ ଆଉ ପାରିବୁନି । କାଲି ଯାଇଥିଲୁ ସିକୁୟାମାକ ବସ୍ତିକୁ, ଗାଇଦିଲିଓ ଡାହାଣୀ ବୋଲି ତୁଣ୍ଡରୁ ବାହାରୁ ନ ବାହାରୁଣୁ ଏଇ ଦେଖ ଆମର କି ଅବସ୍ଥା । ବର୍ଚ୍ଛାରେ ପୋଡ଼ି ପକାଇଲେ ଆମକୁ । ଜଣେ ପିଠି ଦେଖାଇଲା, ଆଉ ଜଣେ ବାହୁ ସନ୍ଧି, ଆଉ ଜଣେ ଗୋଡ଼ । ବର୍ଚ୍ଛାମାଡ଼ରେ ଫୁଟିୁଠିଛି ରକ୍ତରେଖା ତିନିଜଣଙ୍କର ଦେହରେ ।

 

ଏଇ ନେ ତୋର ଟଙ୍କା, ଗାଇଦିଲିଓକୁ ଡାହାଣୀ କହି ଜୀବନ ଦେବୁ ନା କ’ଣ ବସ୍ତିର ସମସ୍ତେ ରାଗି ଉଠିଛନ୍ତି ।

 

ହଠାତ୍ ଘରପାଖରୁ ଶୁଣାଗଲା ଏକ ମର୍ମନ୍ତୁଦ ଆର୍ତ୍ତନାଦର ଧ୍ୱନି । ଆଃ ଉ-ଉ-ଉ-। ଦଳନ ମନ୍ଥନ ଆରମ୍ଭ ହୋଇଛି ସାରୁୟାମାରୁ ଉପରେ । ଇଏ ହେଲା ଆଦି ପର୍ବ । ଚମକି ଉଠିଲେ ତିନିଜଣ ପାହାଡ଼ୀ ସର୍ଦ୍ଦାର । କି ହେଲା ରେ ସାହେବ ? କାହାକୁ ମାରି ପକାଉଛୁ ?

 

ସହସା ବସ୍‌ଉୟେଲ୍‌ଙ୍କ ଦୁଇ ଆଖିର ପିଙ୍ଗଳମଣି ଦୁଇଟାରେ ଗୋଟାଏ ଛାୟା ଖେଳିଉଠିଲା ଭଳି ମନେହେଲା । କପାଳ ଉପରେ କେତୁଟା ଜଟିଳ ରେଖା ଭାସିଉଠିଲା ।

 

ଅଭିନେତାଙ୍କ ଭଳି ମୁହଁଟାକୁ ନୁଆଇଁ ଆଣିଲେ ସେ । ସର୍ଦ୍ଦାରଙ୍କ କାନ ପାଖରେ ଫୁସ୍‌ଫୁସ୍ କରି କହିଲେ–ଆମର ସମତଳ ଲୋକଗୁଡ଼ାକ ପାହାଡ଼ୀମାନଙ୍କୁ ମାରୁଛନ୍ତି ପରା । ଏମାନଙ୍କ ହାତରେ ବନ୍ଧୁକ ଅଛି । ଗୁଳିରେ ଖତମ କରିଦେବେ ତୁମମାନଙ୍କୁ ।

 

ତୁ ଏହି ଅସାନ୍ୟୁଗୁଡ଼ାଙ୍କୁ ତଡ଼ିବେ । ଭାରି ସୟତାନ ଏମାନେ । ବନ୍ଧୁକରେ ଆମମାନଙ୍କୁ ମାରି ପକାଇବେ । ହଁ–ନିଶ୍ଚୟ ତଡ଼ିଦେବି, କିନ୍ତୁ ଗୋଟିଏ କାମ କରିବାକୁ ପଡ଼ିବ ।

 

କି କାମ ?

 

ଯାହା କହିଚି, କାଇଦେଲି ଓ ନାଁରେ ପ୍ରତ୍ୟେକ ବସ୍ତିରେ ପ୍ରଚାର କରିବ ସେ ଗୋଟାଏ ଡାହାଣୀ । ଗାଇଦିଲିଓକୁ ଡାହାଣୀ ବୋଲି ନ କହିବାରୁ ଅସାନ୍ୟୁମାନେ ପାହାଡ଼ୀମାନଙ୍କୁ ମାରୁଛନ୍ତି-। ଟଙ୍କା ନିଅ, ପ୍ରଚାର କର, ଆହୁରି ଟଙ୍କା ଦେବି । ଟଙ୍କାଗୁଡ଼ାକ ଝରିପଡ଼ିଲା ବସ୍‌ଉୟେଲଙ୍କ ହାତରୁ । ସର୍ଦ୍ଦାରମାନେ ଅତି ଗୋପନରେ ମୁଠେଇନେଲେ ଟଙ୍କାଗୁଡ଼ାକୁ ।

 

ବହୁ ସମୟ ବିତିଯାଇଛି । କୋହମାର ପାହାଡ଼ ଉପରେ ରାତ୍ରି ବର୍ତ୍ତମାନ ଖୁବ୍‌ ଗଭୀର-। ନିବିଡ଼ ହୋଇଆସୁଛି ଅନ୍ଧକାର । ଗ୍ୟାସର ଆଲୋକ ଜଳୁଛି ଶିଖାମୟ ହୋଇ । ତମାଖୁର ଦୁର୍ଗନ୍ଧ ଖୁବ୍‌ ପ୍ରଖର ହୋଇଉଠୁଛି ।

 

ପାହାଡ଼ୀ ସର୍ଦ୍ଦାର ତିନିହେଁ ବହୁତ ଆଗରୁ ବିଦାୟ ନେଲେଣି । ଘର ଭିତରେ ମଣିଷର ଚିହ୍ନନାହିଁ । ସାମନାରେ ପ୍ରସାରିତ ଚେୟାରଟା ଉପରେ ମୁଣ୍ଡ ରଖି ବସିରହିଛନ୍ତି ବସ୍‌ଉୟେଳା । ଏକବାରେ ନିଶ୍ଚଳ, ସମାଧିସ୍ଥ । ବର୍ତ୍ତମାନ ଅନ୍ୟ ପାଖ ଘରୁ ପ୍ଲାଷ୍ଟର ପାଚେରୀ ଭେଦ କରି କୌଣସି ଶବ୍ଦ ସୁଦ୍ଧା ଆସୁନି ! କେବଳ ଗ୍ୟାସ ଆଲୋକର ଚାରିପାଖରେ ଗୋଟିଏ ପତଙ୍ଗ ଘୂରିବୁଲୁଚି ଚକ୍ରାକାରରେ ।

 

–ସାର୍‌ ।

 

–ଘଟଣା କଣ ?

 

–ସାର୍‌ । ଯାହା କହିଥିଲେ ସବୁ ଠିକ୍‌ ମତେ କରିଛି ସାର୍‌ ! ନିଜର କୃତୀତ୍ୱର ଗୌରବରେ ଉଲ୍ଲସିତ ହୋଇଉଠିଲା ଦାରୋଗୋ ନିତୁ ସିଂ । ଲୋକଟାକୁ ଅଧାମରା କରିଦେଇଛି ସାର୍‌ !

 

–ଭେରି ଗୁଡ଼୍ ।

 

–ସାର୍‌ ମୋ ପ୍ରମୋଶନ ।

 

–ଡୋଣ୍ଟ ଓରି । ଠିକ୍‌ ସମୟରେ ହେବ । ଆଗକୁ ଗୋଟାଏ ପାଦ ବଢ଼ାଇ ଆବାଉଟର୍ଣ୍ଣ ଭଙ୍ଗୀରେ ଘୂରିପଡ଼ିଲା ।

 

–ସାର୍‌ । ଗୋଟାଏ କଥା ଥିଲା ନିତୁ ସିଂ କହିଲା ।

 

–ପୁଣି କ’ଣ ହେଲା ତୋର ?

 

ସାର୍‌ । ପାହାଡ଼ୀ ଦୁଇଟି ଏପର୍ଯ୍ୟନ୍ତ ପାଟି କରୁଥିଲେ । ଆଉ ପାଟିତୁଣ୍ଡ କିଛି ନାହିଁ ।

 

–ଇଡିଏଟ୍‌ । ଆଚ୍ଛା ସେ ଦୁଇଟାଙ୍କୁ ରାସ୍ତାରେ ଫୋପାଡ଼ି ଦେଇଆସ । ଭଲଭାବରେ ଶିକ୍ଷା ପାଆନ୍ତୁ ।

 

ପାଖ ଘରକୁ ପଶିଗଲା ନିତୁ ସିଂ ।

 

ବସ୍‌ଉୟେଲ ମୁହଁରେ ସ୍ୱଗତ ଉଚ୍ଚାରଣ । ଆଚ୍ଛା, ସବୁ ଦେଖାଯିବ । ଗାଇଦିଲିଓ ଓ ଗାନ୍ଧି ଏ ଦୁଇଟା ନାଁ ପାହାଡ଼ୀ ଲୋକଗୁଡ଼ାକଙ୍କ ମନରୁ ଲୋପ କରିବି ହିଁ କରିବି । ତେବେ ଯାଇ ମୋର ଖାଣ୍ଟି ବ୍ରିଟିଶ ବାର୍ଥ ।

Image

 

Unknown

ଗାଇଦିଲିଓ

 

ଦକ୍ଷିଣ ପଟର ରାସ୍ତାଟା ପାହାଡ଼ ଉପରେ ବଙ୍କେଇ ବଙ୍କେଇ ଚାଲିଯାଇଛି ମାଉଏ ଆଡ଼କୁ । ଅନେକ ପାହାଡ଼ ଚୂଡ଼ା, ନିବିଡ଼ ଜଙ୍ଗଲ ପାର ହେଲେ ପଡ଼େ ମଣିପୁର, ଇମ୍ଫାଲ ।

 

ରାସ୍ତା ପାଖରେ ନିବିଡ଼ ଜଙ୍ଗଲ ମଧ୍ୟରେ ଗୋଟିଏ ଛୋଟ ଘର, ବାଉଁଶର କାନ୍ଥ, ପତ୍ରର ଚାଳି ।

 

ବାଉଁଶର ଫାଙ୍ଗାରେ ଦେଖାଯାଉଛି ତିନିଟା ଖଣ୍ଡେ ମଶାଲ ଜଳିବା ଭଳି । ସ୍ନିଗ୍‌ଧ ଆଲୋକ । ସେହି ଆଲୋକ ବିଛାଡ଼ି ହୋଇପଡ଼ିଛି ଗୋଟିଏ ନାରୀମୂର୍ତ୍ତି ଉପରେ, ସ୍ଥିର ହୋଇ ବସିରହିଛି ସେହି ନାରୀ ମୂର୍ତ୍ତିଟି ।

 

ବିଚିତ୍ର ଏହି ନାରୀ ମୂର୍ତ୍ତି । ବିଶାଳ କପାଳ, ଆଖିର ଭ୍ରୁଲତା ଠିକ୍‌ ଇନ୍ଦ୍ରଧନୁ ପରି ସେ ଆଖିରୁ ଯେମିତି ନୀଳ ଆଲୋକ ଝରୁଛି । ଗଳାର ଚାରିପାଖରେ ବେଢ଼ାହୋଇଛି କପାର ବେଢ଼ଣ-। ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ମଣିପୁର ଝିଅମାନଙ୍କ ପରି ଆବରଣ । ଉଜ୍ଜ୍ୱଳ ମୁହଁ ଖଣ୍ଡକରୁ ଯେମିତି ଜ୍ୟୋତି ଫୁଟି ଉଠୁଛି । ଏ ମୁହଁ ସହିତ କୋହିମା ଆକାଶର ସନ୍ଧ୍ୟା ଆରତିର କୌଣସି ସାମଞ୍ଜସ୍ୟ ନାହିଁ । ସାମଞ୍ଜସ୍ୟ ଅଛି ଉଲକା ସଙ୍ଗରେ । ଇଏ ସେଇ ରାଣୀ ଗାଇଦିଲିଓ ।

 

ପାଖେ ପାଖେ ବେଢ଼ି ରହିଛନ୍ତି ଅର୍ଦ୍ଧ ବୃତ୍ତାକାରରେ କେତେକ ତରୁଣ ପାହାଡ଼ୀ ପଲା (ଯୁବକ) । ଦେହରେ ସାହେବୀ ପୋଷାକ ।

 

ଗାଇଦିଲିଓ କହିଲେ–ଆପଣ ତ କଲିକତାରୁ ଆସିଲେ, ସେଠାର ଅବସ୍ଥା କ’ଣ ?

 

ଯେଉଁ ଯୁବକଟି ସାମନାରେ ବସିଛି ତା ନାଁ ଲିକୋକ୍ୟୁଙ୍ଗବା । ଲିକୋକ୍ୟୁଙ୍ଗବା କହିଲା, ଅବସ୍ଥା ସାଂଘାତିକ । ଗାନ୍ଧିଜୀର ନାଁରେ ଦେଶଟାଯାକ ଲୋକ ଏକାବେଳକେ ମାତିଉଠୁଛନ୍ତି ।

 

ଆମ ମେଡିକାଲ କଲେଜ୍‌ ଆଉ ଅନ୍ୟାନ୍ୟ ସବୁ କଲେଜ୍‌ ସ୍କୁଲର ଛାତ୍ରମାନେ କେହି ଆଉ ବାଦ ଯାଇ ନାହାନ୍ତି । ଷ୍ଟ୍ରାଇକ୍‌ ହେଉଛି, ଆନ୍ଦୋଳନ ହେଉଛି । ଆଶ୍ଚର୍ଯ୍ୟ ଏହି କଲିକତା ସହର । ଆନ୍ଦୋଳନର ନିଶାରେ ଯେମିତି ମାତାଲ ହୋଇଉଠୁଛି ।

 

–ତା ପରେ ?

 

ମୁଁ ନିଜେ ଶୁଣିଛି ଗାନ୍ଧିଜୀଙ୍କର ବକ୍ତୃତା । ବ୍ରିଟିଶମାନେ ଭାରତବର୍ଷ ଛାଡ଼ି ନ ଯିବା ପର୍ଯ୍ୟନ୍ତ ଏମିତି ଆନ୍ଦୋଳନ ଚାଲିଥିବ । ଖାଲି କଲିକତା ନୁହେଁ, ବମ୍ବେ, ପଞ୍ଜାବ, ମହାରାଷ୍ଟ୍ର-ଭାରତର ସବୁ ପ୍ରଦେଶ ତାତି ଉଠିଛନ୍ତି ।

 

ଠିକ୍‍ ହୋଇଛି, ମୁଁ ଅନେକ ଦିନୁ ଭାବିଛି, ଏଇ ପାହାଡ଼ରୁ ସାହେବମାନଙ୍କୁ ତଡ଼ି ଦେବାକୁ ହେବ, ସେମାନେ ଆସି ଧର୍ମ କର୍ମ ନଷ୍ଟ କରୁଛନ୍ତି, ଆସାନ୍ୟୁମାନଙ୍କ ସାଙ୍ଗରେ ଆମର ମନୋମାଳିନ୍ୟ ଘଟାଉଛନ୍ତି । ଗମ୍ଭୀର ଭାବରେ କହିଲେ ଗାଇଦିଲିଓ ।

 

–ଠିକ୍‍ କଥା । ଆମର ଅନ୍ତତଃ ନାଗାପାହାଡ଼ରୁ ସାହେବମାନଙ୍କୁ ତଡ଼ି ଦେବାକୁ ପଡ଼ିବ, ଗର୍ଜି ଉଠିଲେ ସମସ୍ତେ ।

 

–ଏକା ଏକା ଏ କାମ କରିବା ସମ୍ଭବ ନୁହେଁ । ତା ଛଡ଼ା ଆମେ ତାଙ୍କୁ ମାରପିଟ କରିବା ନାହିଁ । ଆମର ଗୋଟିଏ ରାସ୍ତା–ଗାନ୍ଧିଜୀଙ୍କ ଅହିଂସା ନୀତି । ଏଥିପାଇଁ ପାହାଡ଼ରୁ ସବୁ ମଣିଷକୁ ବୁଝାଇ ଏହା କରିବାକୁ ହେବ ।

 

ଠିକ୍‍ କଥା ।

 

ଆପଣମାନେ ବି ତ ଶିଲଂ ଗୌହାଟିର ଛାତ୍ର । ସେଠାର ଖବର କଣ ? ବାଁ ପାଖ ଯୁବକମାନଙ୍କୁ ଚାହିଁଲେ ଗାଇଦିଲିଓ ।

 

–ଗୋପୀନାଥ ବଡ଼ଦଲୈ । ରୋହଣୀ ଚୌଧୁରୀର ଲିଡରସିପରେ ଆସାମୀମାନେ ନନ୍‌-କୋ-ଅପରେସନ୍‌ ଆରମ୍ଭ କରିଛନ୍ତି ।

 

–ଦେଖନ୍ତୁ ଆମକୁ ବି ପାହାଡ଼ୀ ମଣିଷମାନଙ୍କୁ ସଙ୍ଗଠିତ କରିବାକୁ ପଡ଼ିବ । ସାହେବମାନେ ଅନେକଲୋକଙ୍କୁ ଟଙ୍କା ପଇସା ଦେଇ ବଶ କରୁଛନ୍ତି । ସେ ଯାହା ହେଉ । ବହୁତ ଦୂରର ପାହାଡ଼ୀମାନେ, ଯେଉଁମାନେ କି ସହର ଦେଖି ନାହାନ୍ତି ସେମାନଙ୍କୁ ବୁଝ ବୁଝାଇବାକୁ ପଡ଼ିବ ।

 

ନିଶ୍ଚୟ ।

 

ଲିକୋକ୍ୟୁଙ୍ଗମ୍ବା କହିଲା–ମୁଁ ଲୋଦଟା ନାଗା । ଆମର ବସ୍ତିକି ଫେରିଯାଇ ସାହେବମାନଙ୍କର ମତଲବର କଥା କହିବି । ଗାନ୍ଧଜୀର କଥା କହିବି । ବସ୍ତିର ଲୋକମାନେ ବଡ଼ ସରଳ । ତାଙ୍କୁ ବୁଝାଇ ଦେଲେ ଠିକ୍‌ ବୁଝିଯିବେ ସେମାନେ ।

 

ଆଉ ଜଣେ କହିଲା–ମୁଁ ଅଙ୍ଗାମୀ ନାଗା । ଆମ ବସ୍ତୁ ମଧ୍ୟ ଏଥିରୁ ବାଦ୍‌ ଯିବନି । କାଲି ମୁଁ ଯାଇ ସବୁ ଠିକ୍‌ କରିଦେବି ।

 

–ଆମେ ବି–ଆମେ ବି–ମୁଖରିତ ହୋଇଉଠିଲା ଅନେକ ଗୁଡ଼ିଏ ଗଳାର ଶବ୍ଦ ଏକାବେଳକେ ।

 

ଆଓ, ସେଙ୍ଗୋଟାମ, କୋବିୟା, ଅଂଗାରେଗମା, ଲୋଟା, ଲେମା ପ୍ରଭୃତି ନାଗା ପାହାଡ଼ର ଦିଗ ଦିଗନ୍ତରୁ ପ୍ରଦୀପ୍ତ ତାରୁଣ୍ୟ ସମବେତ ହୋଇଛି ଏହି ପର୍ଣ୍ଣକୁଟୀର ତଳେ । କିଏ ଆସିଛି କଲିକତାର, କିଏ ବା ଶିଲିଂ, ଗୌହାଟିରୁ; ସମସ୍ତଙ୍କ ବୁକୁ ତଳେ ଅପୂର୍ବ ପ୍ରତିଜ୍ଞାର ଅଗ୍ନିକଣା-। ବୀର୍ଯ୍ୟବାନ ଶପଥ । ଏ ଶପଥର ଅନ୍ୟ ନାମ ଗାନ୍ଧିଜୀ । ପ୍ରତିଜ୍ଞାର ନାମ ଅସହଯୋଗ-। ଏହି ଶବଥକୁ ନାଗାପାହାଡ଼ର ପ୍ରତିକନ୍ଦରରେ ମାଳଭୂମି ଏବଂ ଉପତ୍ୟକାରେ ବନାଗ୍ନି ଭଳି ଏମାନେ ଛାଇ ଦେବେ ।

 

ହଠାତ୍‌ ଉପସ୍ଥିତ ହେଲା କେତେଟା କିମ୍ଭୁତ ମୂର୍ତ୍ତି । କାର୍ପାସ ଦଉଡ଼ିରେ ସାରା ଦେହରେ ବନ୍ଧନ । ମୁଣ୍ଡରେ ଓଢ଼ଣା ଭଳି ଟୋପି । ପାହାଡ଼ୀ ଗ୍ରାମର ସର୍ଦ୍ଦାର ଏମାନେ । ହାତରେ ଅତିକାୟ ବର୍ଚ୍ଛା, ଜାଜ୍ଜଲ୍ୟମାନ ମଶାଲ । କହିଉଠିଲେ ସମସ୍ତେ–ବୁଝିଲୁ ରାଣୀ, ଏ ସୟତାନ ଫାଦର ଗୁଡ଼ାକ ଆଉ ପୋଲିସ୍‌ ଆମକୁ ଟଙ୍କା ଯାଚୁଛନ୍ତି । ବସ୍ତି ବସ୍ତିରେ ତୋ ନା ଡାହାଣୀ ବୋଲି ପ୍ରଚାର କରିବା ପାଇଁ ଏମାନେ କହୁଛନ୍ତି । ଆମେ ବେଇମାନି କରିବୁନୁ ? ତୁ ଆମର ଦେବି ! ବୈଦ୍ୟ । ଛୁଇ ଦେଲା ମାତ୍ରେ ସବୁ ବେରାମ ଭଲ ।

 

ମଝିରୁ ଜଣେ କିଏ କହିଉଠିଲା–ଫାଦର ଡାହାଣୀ ବୋଲି ଯେତେବେଳେ କହୁଛି ନା, ମୋର ଇଚ୍ଛା ହେଉଛି ଫୋଡ଼ି ପକାନ୍ତି ବର୍ଚ୍ଛାରେ ।

 

–ନା, ନା, କେବେ ମାରିବନି । ସେମାନେ ମାରିଲେ ବି ତୁମେ ମାରିବନି । ମାରନ୍ତୁ କେତେ ମାରିବେ !

 

–କ’ଣ କହୁଚୁ ତୁ ? ମାରିଲେ ତାର ପ୍ରତିଶୋଧ ନେବୁନି ? ତାଜୁବ୍‌ ଲାଗୁଚି ତୋ କଥା ଶୁଣି !

 

–‘‘ନା ।’’ ସୁକୁମାର ଗୋଟିଏ ମୁହଁ । ସେ ମୁହଁର ଚାରି ପାଖରେ ଅପରୂପ ଏକ ଜ୍ୟୋତିଲେଖା । ସୁଠାମ ମୁଖଟିର ଅନ୍ତରାଳରେ କେଉଁଠି ଯେମିତି ଲୁଚିରହିଚି ଗୋଟିଏ ବଜ୍ର । ଲୁଚିରହିଚି ଗୋଟିଏ ଘୁମନ୍ତ ଆଗ୍ନେୟଗିରି । ମଣିପୁରୀ ଆବରଣର ନେପଥ୍ୟରେ ଛୋଟ ଗୋଟିଏ ପ୍ରାଣପାତ୍ର ଟକମକ ହୋଇ ଯେମିତି ଫୁଟିଉଠୁଚି ଗାଇଦିଲିଓର ।

 

–ମୁଁ ସବୁ ଜାଣେ, ସବୁ ବୁଝିଛି ରେ ସବୁ ବୁଝିଛି । ତଥାପି ଏମାନଙ୍କ ଦେହରେ କେହି ଯେମିତି ହାତ ନ ଦିଅନ୍ତି । ଆଉ ଶୁଣ, ବସ୍ତିର ଲୋକମାନଙ୍କୁ କହିଦେବ ଫାଦର ଯେତେ କହିଲେ ବି କେହି ଯେମିତି କ୍ରସ୍‌ ଆଙ୍କିବେନି । ଆଙ୍କିଲେ ଆମର ଅନିଜା ଘୋଷା ହେବେ । ସାହେବମାନଙ୍କଠାରୁ କେବେ କୋଟ କମିଜ କେହି ଯେମିତି ମାଗଣା ନ ନିଅନ୍ତି ।

 

–କାହିଁକି ?

 

–ଏମାନେ ଭିକ୍ଷା ଦିଅନ୍ତି । ତାପରେ ଛଡ଼ାଇ ନିଅନ୍ତି ଆମମାନଙ୍କଠାରୁ ସେହି ଭିକ୍ଷାକୁ-। ଆମମାନଙ୍କୁ ଭିକାରୀ ବନାଇ ତା ପରେ ଟିକେ ଟିକେ କରି ଧୀରେ ଧୀରେ ଆମକୁ ଖ୍ରୀଷ୍ଟିଆନ୍‌ କରି ଏମାନଙ୍କ ରାଜାକୁ ବଡ଼ କରନ୍ତି ।

 

ଶାଣିତ ବଲମ ଭଳି ଗଳାଟା ଟକମକ ହୋଇଉଠିଲା ଗାଇଦିଲିଓର । ତ୍ୟାଗ, ସିନା, ମିକିରି, ଗୋରାମାନଙ୍କୁ ଏମାନେ ବେଶ୍‌ ଫାଶରେ ପକାଇଛନ୍ତି । ତା ପରେ ଆସିଛନ୍ତି ନାଗା ପାହାଡ଼କୁ ।

 

ପେନ୍ୟୁ କାଠର ମଶାଲ ଭିତରୁ ବିଛାଡ଼ି ହୋଇପଡ଼ିଛି ସ୍ନିଗ୍‌ଧ ଆଲୋକ ଦୁଇଟି ଆଖିର ପକ୍ଷ୍ମ ଉପରେ । ମୁହଁ ଗୋଟାକଯାକରେ ମନେ ହେଉଛି ପାହାଡ଼ୀ ନଦୀ ଭଳି; ଉଦ୍‌ବେଳ ହୋଇରହିଛି ଦୁର୍ବାର କୌମାର୍ଯ୍ୟ । ବୟସ ବୋଇଲେ ମୋଟେ ଅଠର କି ଉଣେଇଶ । ଦେହ ଓ ମନରେ କିଶୋରର କମନୀୟତା, ନବନୀତ ସାରଲ୍ୟର ସୂକ୍ଷ୍ମ ଆଭାସ । ଉଦ୍‌ଭିନ୍ନ କୋରକ ଯୌବନ । ଅପାର ଆକର୍ଷଣ । ଏକ ଲୋଭନୀୟ ମୂର୍ତ୍ତି । ତଥାପି ଚାହିଁ ହୁଏନା ସେ ମୁହଁକୁ । ଆଖିର ମଣି ଦୁଇଟିରେ ଜ୍ୱଳନ୍ତ ଅଗ୍ନିକଣା । ମଣିଷର ଦୃଷ୍ଟି ଫେରିଆସେ । ଆଖି ଝଲସିଉଠେ । ତରୁଣ ମନ ବିଦଗ୍‌ଧ ହୋଇଉଠେ । ନିର୍ବୋଧ ସର୍ଦ୍ଦାରଗୁଡ଼ାଙ୍କର ଗୁଡ଼ାଏ ଆଖି ଚାହିଁ ରହିଛି ଏଇ ଗାଇଦିଲିଓକୁ । ଏଇ ଟିକକ ଆଗର କଥାଗୁଡ଼ାକୁ ଏମାନେ ସଠିକ୍‌ ଭାବରେ ଧରିପାରି ନାହାନ୍ତି ।

 

–ବୁଝିପାରୁ ନାହିଁ ? ଆଚ୍ଛା, ବୁଝାଇ ଦେଉଛି । ତୁମେମାନେ ଫାଦର ପାଖରୁ ଲୁଣ ନିଅ ଆଉ ତା ବଦଳରେ ଦିଅ ଟେସଙ୍ଗର ଛାଲ, ମେନୋଜରଦାନ୍ତ, ସେଟସୁଙ୍ଗର ଶିଙ୍ଗ ।

 

–ନା, ନା; ତା ବଦଳରେ କିଛି ନିଏନା ଫାଦର ।

 

–ତେବେ ମାଗଣା ଲୁଣ ନିଅ କାହିଁକି ?

 

–ମାଗଣା । ନାହିଁ ତ, ଲୁଣ ନେଇ ଏମାନେ ଯାହା କହନ୍ତି ତାହା କରୁ । କ୍ରସ୍‌ ଆଙ୍କୁ । ଯୀଶୁ, ମେରୀର ନାଁ ଜପୁ ।

 

–ଏସବୁ କେବେ କରିବନିଟି ! ଏସବୁ ଏମାନଙ୍କର ଧର୍ମ, ବଡ଼ ଫିସାଦି ।

 

–କ’ଣ କହୁଚୁ ଫିସାଦି । ଏକବାରେ ମାରି ସାବାଡ଼ କରିଦେବୁ ଯେ ।

 

–କହିଛି, ରୋଗରେ କେବେ ମାରିବନି । ଗୋଟିଏ କାମ କର । ଏଇଠି ଶପଥ ନିଅ କ୍ରସ୍‌ ଆଙ୍କିବନି । ଯିଶୁ, ମେରୀର ନାଁ ଜପିବନି କି ନିମକ ନେବନି । ଏମାନେ ବହୁତ ଦୂରର ଲୋକ-। ଆମ ଦେଶକୁ ଆସିଛନ୍ତି, ଆମ ଉପରେ ବସି ସର୍ଦ୍ଦାର ହେବାକୁ ଚାହାନ୍ତି ।

 

–ନା, ନା, ଆଉ କେବେ କରିବୁନି ।

 

କିଛି ସମୟ ପରେ କହିଉଠିଲେ ଗାଇଦିଲିଓ–ଦରକାର ହେଲେ ମୁଁ ଯିବି ତୁମମାନଙ୍କ ବସ୍ତିକି ।

 

–ତୁ ଯିବି । ତୁ ଗଲେ ତୋ ଲାଗି ନୂଆ କରି ଘର କରିଦେବୁ । ନାଚ ଦେଖେଇବୁ, ଗୀତ ଶୁଣେଇବୁ । ଆଉ ବସ୍ତିର ଯେତେ ବେରାମି ଲୋକ ତୁ ଖାଲି ଛୁଇଁଦେଲେ ସମସ୍ତେ ଆରାମ । ତୁ ଯିବୁ ତ ?

 

–ଯିବନି ? ନିଶ୍ଚୟ ଯିବି । ଗାଇଦିଲିଓର ମୁହଁରେ ମଧୁର ହସର ଆଭାସ ।

 

ଆଗ ସାମନା ମଞ୍ଚା ଉପରୁ କହିଉଠିଲା ଲିକୋକ୍ୟୁଙ୍ଗବା–ସତରେ ତୁ ଯିବୁ ?

 

–କେତେବେଳେ ମୁଁ କାହା ବସ୍ତିକ ଯାଉଛି ତାର କ’ଣ ଠିକ୍‌ ଠିକ୍‍ଣା ଅଛି ? ବ୍ରିଟିଶମାନଙ୍କୁ ତଡ଼ିବାପାଇଁ ଆନ୍ଦୋଳନ ହେବ, ପାହାଡ଼ ପାହାଡ଼ ବୁଲି ଲୋକଙ୍କୁ ଯଦି ବୁଝେଇ ଦେଇପାରିବ, ତେବେ ଯାଇ କାମ ହେବ । ମୁଁ, ତୁମେ ଆଉ ପାଞ୍ଚଜଣ ଯଦି ବା ଧରା ପଡ଼ୁ ତେବେ କ’ଣ ସ୍ୱାଧୀନତା ଆନ୍ଦୋଳନ କରି ଯିବ ? ଆମ ପଛକୁ ଆହୁରି-ଲୋକ ବାହାରିବେ । ସ୍ୱାଧୀନତା ଲାଗି ସମସ୍ତେ ଯେତେବେଳେ ଲଢ଼େଇ କରୁଛନ୍ତି, ଆମର ଏଇ ନାଗା ପାହାଡ଼ କ’ଣ ପଛେଇଯିବ ।

 

–ଠିକ୍‌ ଠିକ୍‌ ! ସମସ୍ତେ ମୁଣ୍ଡ ହଲେଇଲେ ।

 

ଟଘୁ ଟୁ ଘୋଟାଙ୍ଗ ପତର ଛାଉଣି ଛୋଟ ଏହି ଘରର ଆୟତନ ଭିତରେ ଗାଇଦିଲିଓର କଥାଗୁଡ଼ାକ ଯେମିତି ବାଜି ଉଠୁଛି ଟଣ ଟଣ ହୋଇ । ଯେମିତି ବାଉଁଶ ବାଡ଼ ଭେଦି କଥାଗୁଡ଼ାକ ଧନୁଭଳି ଟଙ୍କାରି ଉଠୁଥିଲା ସେଦିନ ।

 

ହଠାତ୍‌ ଗୋଟାଏ ଘଟଣା ଘଟିଲା । ଛଅ ଜଣ ପାହାଡ଼ୀ ମଣିଷ ଦୁଇଟି ନିଶ୍ଚେତନ ନରଦେହକୁ ବାରଣ୍ଡା ଉପରେ ଶୁଆଇ ଦେଇଗଲେ । ନିବିଡ଼ ରାତି । ଚାରିଆଡ଼ ନିଥର ନିଶଃବ୍ଦ । ଆକାଶର ନକ୍ଷତ୍ର ଭିତରେ ଫୁଟି ବାହାରିଛି ସପ୍ତର୍ଷି । ଗାଇଦିଲିଓର ଦୃଷ୍ଟି ପଡ଼ିଲା ପାହାଡ଼ୀ ମଣିଷଙ୍କ ଭିତରୁ ଜଣଙ୍କ ଉପରେ । ଘଟଣା କ’ଣ ଜନ୍ଦୋନାଂଗ ଆଟସା (ଭାଇ), ଏମାନେ କିଏ ?

 

–କହିପାରିବିନି । କୋହିମାର ରାସ୍ତାରେ ପଡ଼ିଥିଲେ, ନେଇ ଆସିଛି । ମଣିଷ ଦି’ଟାରେ ଦେହ ବରଫ ପାଲଟି ଯାଇଛି, ଜ୍ଞାନ ନାହିଁ । ବାଉଁଶ ମଞ୍ଚା ଉପରୁ ତୀରବେଗରେ ନଇଁଆସିଲେ ଗାଇଦିଲିଓ । ଏ ତଳଟାରେ କାହିଁକି ? ମଞ୍ଚା ଉପରକୁ ନିଅ, ବିଛଣା ପାରିଦିଅ । ଶୁଆଇ ଦିଅ କି ମୁଁ ସେକାସେକିର ବ୍ୟବସ୍ଥା କରୁଛି ।

 

ପେନ୍ୟୁ କାଠର ମଶାଲ ଆଲୁଅ ପଡ଼ୁଛି ନରଦେହ ଦୁଇଟି ଉପରେ । ଦେହରେ ପ୍ରତି ସ୍ତବକରେ ରକ୍ତଲେଖା ନାନା ଆକୃତିର ନିର୍ମମ କ୍ଷତରେଖା । ନାରକୀୟ ଉଲ୍ଲାସ ରେ ଦୁଇଟି ଶରୀର ଉପରେ ବୀଭତ୍ସ ଶିଳ୍ପକଳା ଫୁଟେଇ ତୋଳିବା ପାଇଁ ତିଳେହେଲେ କୁଣ୍ଠା ନାହିଁ । ଚାହିଁ ରହିଛନ୍ତି ଗାଇଦିଲିଓ ଅପଲକ ଆଖିରେ । ଏତେ ସମୟ ଧରି ଯେଉଁ ଆଖି ଦୁଇଟିରେ ଅଗ୍ନିକଣା ଫୁଟି ଉଠୁଥିଲା, ଏବେ ସେଇ ଚକ୍ଷୁ ଦୁଇଟିରେ ପ୍ଳାବତ ହୋଇ ଝରିଆସିଲା ଏକ କରୁଣ ବନ୍ୟା । ବିଗଳିତ କଣ୍ଠରେ ପଚାରିଲେ–କିଏ ମାରିଛି ଏମାନଙ୍କୁ ।

 

ଜନ୍ଦୋନାଂଗ ମୁଣ୍ଡ ହଲାଇ କହିଲା–ମୁଁ ମଧ୍ୟ ସେଇ କଥା ଭାବୁଛି । ମଣିଷ ଦୁଇଟା କୋହିମା ଥାନାରେ ଖୁବ୍‌ ନିକଟରେ ପଡ଼ିଥିଲେ ।

 

ନେସୁ କେହଂଗ (ଫସଲ ଆମଦାନୀ) ମାସ । ସିଂଡ଼ିକ୍ଷେତ, ଜୁଆର ବୁଣାର ଆଡ୍‌ଡା ଚାଲିଛି ଚାରିଆଡ଼େ, ପୀତାଭ ଅଙ୍କୁରରେ ଭରିଉଠିଛି । ପାହାଡ଼ୀ ଉପତ୍ୟକା ଅଙ୍କୁରରେ ପତ୍ର ଲାଗିଛି, ଶ୍ୟାମଳ ଲାବଣ୍ୟରେ ହସିଉଠୁଛି ପାହାଡ଼ିଆ ଶିମିକି କ୍ଷେତ । ସେହି କ୍ଷେତରେ ଜୁଆର ଚୋରାଗୁଡ଼ିକ ଋୁତୁମତୀ ହେବେ । ତା ପରେ ସାରା ଦେହରେ ଶିଶୁଶସ୍ୟର ଭ୍ରୁଣ ଜନ୍ମାଇବେ । ତାର ବହୁତ ପୂର୍ବରୁ ପାହାଡ଼ୀ ମଣିଷମାନ ଯିବେ ଅରଣ୍ୟ ସଂହାର କରିବା ପାଇଁ । ସେହି ଅରଣ୍ୟର ଶବଦେହ ପୋଡ଼ି ହେବ ପଥୁରିଆ ମାଟିର ସାର । ତା ଉପରେ ଧାନ ବିହନ ବୁଣାଯିବ । ସେଇଥିପାଇଁ କେଲୁହ ଗ୍ରାମରେ ଜଙ୍ଗଲ ବଧର ଲୀଳା ଚାଲିଛି, ଚାଲିଛି ଧାନ ବୁଣାର ପ୍ରସ୍ତୁତି । କିଛିଦିନ ପରେ ଗେନ୍ନା (ଅମଳ) ଆରମ୍ଭ ହେବ–ଧାରାବାହିକ ଅବିଚ୍ଛନ୍ନ ଭାବରେ ।

 

ଶେଥି ଗିନ୍‌ଡ଼ା କେଇ କେନ୍ୟୁଗେନ୍ନା

 

ଟସି କି କେଂକେ ସ୍ନାନ୍ୟୁ ଗେନ୍ୟା ।

 

ଏମିତି ଅନେକ ଗୀତ ବୋଲା ଚାଲିବ ଗ୍ରାମେ ଗ୍ରାମେ ।

 

ବୁଢ଼ୀ ବେଙ୍ଗସାନ୍ୟୁ ସିଂଡ କ୍ଷେତପାର ହୋଇ ଘନ ବନ ମାଳଭୂମିକୁ ଯାଇଥିଲା ସେଇ ପ୍ରଥମ ସକାଳେ । ବେଙ୍ଗସାନ୍ୟୁର ନାତି ସେଙ୍ଗାଇ । ହଠାତ୍‌ ଛୋରିକେସୁଙ୍ଗ (ଝାଡ଼ଜଙ୍ଗଲ) ଭିତରେ ଝପଟି ଆସିଲା, ପାହାଡ଼ୀ ଝଡ଼ ଭଳି ମାଡ଼ି ଆସିଲେ ଫାସା ଓ ନଜରି । ଦୁଇ ଜଣଯାକ ଦୁଇ ଦିଗରୁ ଆକ୍ରମଣ କଲେ ବୁଢ଼ୀକୁ ।

 

–ଆସି (ବୁଢ଼ୀମା), ବଡ଼ ଭୋକ ଲାଗୁଚି, ଖାଇବାକୁ ଦେ ।

 

–କାହିଁକି ରେ ଭୋକ ଲାଗୁଛି ? ତୋର ବୋପା ଅଛି, ମା ଅଛି, ଭାଇ ଭଉଣୀ ସମସ୍ତେ ଅଛନ୍ତି । ଯାଉନୁ ସେମାନଙ୍କ ପାଖକୁ ! ସେଙ୍ଗାଇ କୋହିମା ଗଲା ଯେ ଆଉ ଫେରିବାର ନାଁ ଧରିଲା ନାହିଁ । ସିଜିଟୋ (ବୁଢ଼ୀର ପୁଅ) ଯାଇଛି ତ ଯାଇଚି । ଟେପଙ୍ଗ ଗଲା ଯେ ଫେରିଲା ନାହିଁ-। ଏବର୍ଷ ଜୁଆର ବୁଣାଗଲା ନାହିଁ । ଆଉ କ’ଣ ଖାଇବାକୁ ଦେବି ?

 

–ଏଥିରେ ଆମର ଯାଏ ଆସେ କେତେ ? ଭୋକ ଲାଗୁଚି, ଖାଇବାକୁ ଦେ, ତୁ ନ ଦେଲେ ତୋ ନାତୁଣୀବୋହୁ ଦେବ ।

 

–ମୋ ନାତୁଣୀବୋହୂ ? ସେ କିଏ ସେ ? ସେଙ୍ଗାଇ କ’ଣ ବିଭା ହେଲାଣି ?

 

–ହୋଇନି ଯେ ହବ । ପୋକିରୀ ବଂଶର ଝିଅ । ନାଁଟି ବଡ଼ ସୁନ୍ଦର କେମେଲୀ । କୋହିମାରୁ ସେଙ୍ଗାଇ ଫେରିଲେ କହିଛି ଭୋଜି ଦେବ ।

 

–ହେଲା, ସେଙ୍ଗାଇ ଆସୁ ତାର ବୋହ ଆସିବ, ସେ ଖୁଆଇବ ।

 

କ’ଣ ଗୁଡ଼ାଏ ଗୁଣୁ ଗୁଣୁ ହୋଇ ଚାଲିଆସିଲା ବୁଢ଼ୀ ବେଙ୍ଗସାନ୍ୟୁ ।

 

ଘଟଣା କ’ଣ ? ବାଟରେ ଦେଖାଗଲା କେମେଲୀ ବସିଚ । ଏକ ଅପରୂପ ରୂପସୀ, ସୁନେଲି ସ୍ତନଚୂଡ଼ା, ସୁଠାମ ଊରୁ । ସାମନା ଘାସ ଉପରେ ବସିରହିଚି ଝିଅଟି । ଦୁଇ ପାଖେ ଘେରି ରହିଛନ୍ତି ଫାସା ଆଉ ନଜଲି । ଜଳପ୍ରପାତ ଭଳି କଳକଳ ହସ । ବେଶ୍‌ ଖୁସି କଥାରେ ମାତି ରହିଚନ୍ତି ତିନି ଜଣ ।

 

ଅଟକିଗଲା ବୁଢ଼ୀ ବେଙ୍ଗସାନ୍ୟୁ । କିଏ ଝିଅଟି ? କେବେ ତ ଦେଖି ନ ଥିଲା ୟାକୁ ? କେଉଁଠୁ କେଜାଣି, କେଉଁ ଉପତ୍ୟକା କି ଅରଣ୍ୟ ବନାନୀ ଭିତରୁ, କି ଆକାଶ କି ରୂପକଥାର ରାଜ୍ୟରୁ ଗୋଟିଏ ରମଣୀୟ ସୋନୁ (ଗୋଲାପ) ଫୁଲ ସତେ କି ଫୁଟି ଉଠିଛି ବେସୁଆଁ ସେ (ସେଇ ଜାଗାଟାରେ) ଶାନ୍ତ ଦିପହରେ ଗୈରିକ ରୌଦ୍ର ଭିତରେ ୟାର ଆଗମନ ? କିନ୍ତୁ ସମୟ ପାଇବାରିଲା ନାହିଁ । ବୁଢ଼ୀ ବେଙ୍ଗସାନ୍ୟୁ ।

 

ଏଇ ଯେ ଆସି ! ଚାଉଳ ଆଉ ମାଂସ ଆଣିଛୁ, ଖାଇବୁ । ଲାଲ ଲାଲ ଗୁଡ଼ାଏ ଚାଉଳ, ଗୁଡ଼ିଏ ମାଂସ ଦେଖାଇଦେଲା ଝିଅଟି ।

 

କିଏ ତୁ ? ବୁଢ଼ୀ ପଚାରିଲା ।

 

ମୁଁ କେମେଲୀ । ଟିକିଏ ଅଟକିଗଲା କେମେଲୀ । ମୁଁ ଏଥର ଯାଉଚି ଏଇ ତ ମାଂସ ଦେଇଗଲି ଭୋଜି କରିବ ।

 

ଅସୀମ କୃତଜ୍ଞତାରେ ମନଟା ବିଚଳିତ ହୋଇଉଠିଲା ବୁଢ଼ୀର । କେମେଲୀ ନାଟଁ ଶୁଣିଲା ମାତ୍ରେ ଦେହର ସ୍ନାୟୁଗୁଡ଼ାକ ଯେମିତି ଝଂକାର ଉଠିଲାଂ । କେମେଲୀ ପୋକରୀ ବଂଶର ଝିଅ । ପୋକରୀ ବଂଶ, ଯେଉଁ ବଂଶ ତାର ଅଠର ବର୍ଷର ପାହାଡ଼ୀ ଯୌବନକୁ ଟିକିନିଖି କରି ହତ୍ୟା କରିଚି, ତାର କବୋର୍ଣ୍ଣ ଶଯ୍ୟାକୁ ନିସଃଙ୍ଗ ନିଃସଙ୍ଗ କରିଦେଇଚି ଚିରକାଳ ଲାଗି । ତାର ସ୍ୱାମୀ ଜୋଶେଫାଙ୍ଗ ଏଇ ପୋକରୀ ବଂଶର ଝିଅ ଜୀତୁସୁ ଲୋଭରେ ହାତ ବଢାଇ ଖତମ ହୋଇଯାଇଚି । ସେଇ ବଂଶର ଅଂଶ କେମେଲୀ । ତା ବଂଶ ଭିତରେ ପୁଣି ସେତୁବନ୍ଧ ହେବ ? ନା, ନୂତନ ଯୁଦ୍ଧର ସୂଚନା । କିନ୍ତୁ ଝିଅଟି ମୁହଁରେ କି ଅପରୂପ ଲାବଣ୍ୟଛଟା ! କି ଆଶ୍ଚର୍ଯ୍ୟ ନିର୍ଦ୍ଦେଶ ! ସ୍ନିଗ୍‌ଧ ମମତାର ଲାବଣ୍ୟରେ ଝଲମଲ ହୋଇଉଠୁଚି ସାରା କଳେବର । ସଙ୍ଗାଇର ଯୌବନ ପାଇଁ କେମେଲୀ ହିଁ ଏକମାତ୍ରେ ରୂପକନ୍ୟା । ୟାକୁ ପ୍ରେମ ନ କରିବାଟା ଯେମିତି ଗୋଟାଏ ଅପରାଧ । ସବୁ ସନ୍ଦେହ ସଂଶୟ ଲିଭି ଲିଲି ଆସିଲା ବୁଢ଼ୀ ବେଙ୍ଗସାନ୍ୟୁ ମନରୁ । ପ୍ରଶାନ୍ତ ଉଦାରତାରେ ଭରିଉଠିଲା ତା ମନ ।

 

କେମେଲୀ ପୋକରୀ ବଂଶର ରାଜକନ୍ୟା । ସାଲୁଆସଙ୍ଗ ଗ୍ରାମର ଝିଅ । ବିଚିତ୍ର ରହସ୍ୟ ମୟୀ-ସେ କେମିତି ଆସିଲା ଏଇ କେଲୁରୀ ବସ୍ତିକି । ଏତେକ୍ଷଣ ପଯ୍ୟେନ୍ତ ଆଶ୍ଚର୍ଯ୍ୟ ହୋଇ ଚାହିଁରହିଥିଲା । ବେଙ୍ଗସାନ୍ୟୁ । ହଠାତ୍‌ ସଚେତନ ହୋଇଉଠିଲା ସେ । ଦେଖିଲା ଦୃଷ୍ଟିର ସୀମାରୁ ଯେମିତି ଅଦୃଶ ହୋଇଯାଉଚି କେମେଲୀ ।

 

କି ଆବେଗ ଆକର୍ଷଣରେ ବୁଢ଼ୀ ଧାଇଁଚି ପଛେ ପଛେ । ହଠାତ୍‌ ପଛକୁ ଚାହିଁ ଦେଖିଲା କେମେଲୀ । ବେଂଗସାନ୍ୟୁ । ତା ପ୍ରେମିକର ବୁଢ଼ୀମା । ନମ୍ର ସ୍ୱରରେ କହିଲା, ଯାଉଚି ମା ।

 

–କାହିଁକି ଚାଲିଯାଉଚୁ ମା ?

 

–ଯିବୁନି । ତୁ ତ ମୋତେ ସେଂଗାଇର ବୋହୂ କରିବୁନି, ତାହେଲେ ରହିବି କାହିଁକି ।

 

କୌତୁକରେ ଭାସିଉଠିଲା ବେଂଗସାନ୍ୟୁର ହୃଦୟ । ରାଗିଚୁ ମା । ତୁ କିମିତି ଜାଣିଲୁ ତତେ ମୁଁ ବୋହୂ କରିବିନି ।

 

–ମୁଁ ସର୍ଦ୍ଦାର ଆଜେଲା (ଦରବାର)ରୁ ସବୁ ଶୁଣିଚି ।

 

–ସତେ ! ଜୀର୍ଣ୍ଣ ହାତରେ ପରମ ମମତାରେ ଅଣ୍ଡାଳିବାରେ ଲାଗିଲା ଆଗରୁ ଦେଖି ନଥିଲି । ଦେଖିଥିଲେ କ’ଣ ମନା କରିଥାଆନ୍ତି ।

 

ଖୁସିର ଶିହରଣରେ ତରଙ୍ଗିତ ହୋଇଉଠିଲା କେମେଲୀର ଶରୀର । ବ୍ରାଡ଼ାବତୀ ଭଳି ଚାହିଁ ରହିଲା ସେ । ନିର୍ବାକ୍‌, ନିବୃତ୍ତିର ।

 

ହଠାତ୍‌ କହିଉଠିଲା ବୁଢ଼ୀ–ତୁ ଏଠିକି ଆସିଲୁ କାହିଁକି ? ଜାଣୁନି ଆମେ ପରା ତୋର ଶତ୍ରୁ ।

 

ରହସ୍ୟମୟ ଗଳାରେ କହିଉଠିଲା କେମେଲୀ–ତୋ ନାତିକି ଦେଖି ମନଟା ମଜ୍ଜି ଯାଇଚି ଲୋ । ଶତ୍ରୁଙ୍କ କଥା ଭୁଲିଯାଇଚି । ମୋ ବାପା କୋୟାନୁ ସାଥିରେ ବିବାହ ଦେବାକୁ ଚାହେଁ ମତେ । ସେଂଗାଇ ଛଡ଼ା କିନ୍ତୁ ମୁଁ କାହାକୁ ବିବାହ କରିବିନି । ସେଇଥିଲାଗି ନଦୀ ପାର ହୋଇ ଚାଲିଆସିଚି । ତୋର ସର୍ଦ୍ଦାରକୁ ବାପା କାଲି ଡ଼ାକି ତାରି ଘରେ ରଖିଚି ।

 

ଅକପଟ କଣ୍ଠ ସ୍ୱର । ମନୋରମ ଗୋଟିଏ ମୁହଁ । ମୁଗଧ ଦୃଷ୍ଟିରେ କେମେଲୀ ଆଡ଼କୁ ଚାହିଁ ରହିଥାଏ ବୁଢ଼ୀ ବେଙ୍ଗସାନ୍ୟୁ ।

 

କେମେଲୀ ପଚାରିଲା–ସେଙ୍ଗାଇ କୋହିମାରୁଚ କେବେ ଫେରିବ ଜାଣିବୁ ?

 

–କେଜାଣି ? ଦୀର୍ଘ ନିଶ୍ୱାସ ଟାଣି କହିଲା ବୁଢ଼ୀମା–ହଁ, ବୁଝିଚି ।

 

–କ’ଣ ବୁଝିଚୁ ?

 

ସେଙ୍ଗାଇ ଛଡ଼ା ରାତିରେ ନିଦ ହୁଏନା ! ଲାଜ କ’ଣ ? ବୟସ ଥିଲାବେଳେ ଆମର କ’ଣ ହେଉ ନଥିଲା ? ବୁଢ଼ୀ ବେଙ୍ଗସାନ୍ୟୁ କେମେଲୀକି ଚାହିଁ ଚାହିଁ ନିଜର ଯୌବନ କାଳକୁ ଆସ୍ୱାଦିନ କରୁଥିଲା ଯେମିତି । ଭୟ ନାହିଁ । ସେଙ୍ଗାଇ ଫେରୁ, ଡ଼ୋରି ବାନ୍ଧିଦେବି ଯେ ଆଉ କେବେ ଫୁଟିବନି ।

 

ଦୁଇ ଦିନ ପରେ ଆଖି ଖୋଲିଲା ସେଙ୍ଗାଇ । ରକ୍ତ ଭଳି ଲାଲ ଆଖି । ସେଇ ଆଖିର ମୁକୁର ଦେହରେ ଜଣଙ୍କର ଛାୟା । ଏକ ଅପରୂପ ନାରୀମୁଖରେ ଛାୟା ।

 

ବହୁ ସମୟ ଧରି ନିଷ୍ପଲିକ ନେତ୍ରରେ ଚାହିଁ ରହିଲା ସେଙ୍ଗାଇ । ଏକାବେଳକେ ଆବିଷ୍ଟ ହୋଇପଡ଼ିବ ସେ । କଥା କହିବାକୁ ମଧ୍ୟ ସେ ଭୁଲିଯାଇଚି ।

 

ଅପରିଚିତ ନାରୀମୁଖ, ପରମ ମମତାରେ ଭରି ରହିଚି ମୋହ, ଆନନ୍ଦ ।

 

–ଏବେ କେମିତି ଲାଗୁଚି ?

 

ଦୁଇଦିନ କାଳ ବେହୋସ ହୋଇପଡ଼ି ରହିଥିଲା ସେଙ୍ଗାଇ । ତାର ଚେତନା ବାହାରେ ଏଇ ପାହାଡ଼ୀ ପୃଥିବୀରେ କେତେବେଳେ କ’ଣ ଘଟୁଛି ସେ ଜାଣେନା । ସବୁ ଯେମିତି ଅସତ୍ୟ ସ୍ୱପ୍ନ ଭଳି ମନେ ହେଉଚି । ମନେ ହେଉଛି ଗୋଟାଏ ଅବାସ୍ତବ ବିଭ୍ରମ । ଅଶାନ୍ତ ଚେତନା ଉପର ଦେଇ ଛାୟାଛବିର ଶୋଭାଯାତ୍ରା ଭାସି ଭାସି ଗଲା ତା ମନରେ । ମଧୋଲାଲ । ଗାନ୍ଧିଜୀର ଲଢ଼େଇ । ପାଦ୍ରୀ ସାହେବ । ସେହି ଚର୍ଚ୍ଚା, ବାୟୋନେଟ ନେଇ ମଣିପୁର ପୁଲିସର ନିଷ୍ଠୁର ପ୍ରହାର । ତା ପରେ କିଛିଟା ହୋସ ଥିଲା ତାର । ସାରୁମାୟାରୁ ସହିତ କାହାର କେତେ ସମୟ ଲଢ଼େଇ, ବର୍ଚ୍ଛା ଯୁଦ୍ଧ । କେତୁଟା ମଣିଷଙ୍କ ନିଷ୍ଠୁର ଗର୍ଜନ ।

 

ନାରୀ ମୁଖଟା ନଇଁ ଆସିଲା ତା ମୁହଁ ପାଖକୁ ।

 

–ତୁମର ନା ?

 

–ନାଁ ନାହିଁ ।

 

ସହସା ବ୍ୟସ୍ତ ହୋଇଉଠିଲା ସେଙ୍ଗାଇ । ସିଁ କରି ଉଠିବସିଲା ସେଙ୍ଗାଇ । ସାରୁୟାମାରୁ କାହିଁ ? ସେ ତ ମୋ ସାଙ୍ଗରେ ଥିଲା ।

 

–ଏଇ ତ । ପାଖ ମଞ୍ଚା ଉପରୁ ଗୋଟିଏ ଆର୍ତ୍ତନାଦ ଶୁଣାଗଲା.....ଶୋଇ ପାରୁନି ରେ ସେଙ୍ଗାଇ । ସେ ସୟତାନଗୁଡ଼ାକ କ’ଣ ଆଉ ରଖିଛନ୍ତି ? ମାରି ମାରି ପିଞ୍ଜରା ଚୁରମାର କରି ପକାଇଛନ୍ତି ପରା !

 

ସେଙ୍ଗାଇ କହିଲା, ହଁ ରେ ସାରୁୟାମାରୁ ! ସୟତାନଗୁଡ଼ାକ ବଡ଼ ମାରାତ୍ମକ । ଇଜା ରାମ ଖୋ ! ଆମେ ଏଠିକି ଆସିଲେ କମିତି ରେ ?

–ଏଇ ଗାଇଦିଲିଓର ଲୋକ ନେଇ ଆସିଛନ୍ତି ।

–ରାଣୀ ଗାଇଦିଲିଓ ! କାହିଁ ସେ ?

–‘‘ଏଇ ଯେ’’ ଆଗକୁ ତର୍ଜନୀ ପ୍ରସାରିତ କରି ଦେଖାଇ ରଦେଲା ସାରୁୟାମାରୁ ।

ସେଇ ନାରୀମୁଖ, ଦୁଇଦିନ ପରେ ଆଖି ମେଲି ଯାହାକୁ ଦେଖିଚି ସେଙ୍ଗାଇ । ଏକ ଅପରୂପ ଜ୍ୟୋତିଃରେଖା । ରାଣୀ ଗାଇଦିଲିଓ ! ତାରି ସମ୍ୱନ୍ଧରେ ଏତେ ରୂପକଥାର ଗଳ୍ପ କହୁଥିଲା ମଧୋଲାଲ । ୟାକୁଇ ନେଇ ପାଦ୍ରୀ ମ୍ୟାକେଞ୍ଜ ସାଥିରେ ତାର ବଚସା ହୋଇଥିଲା । ଯାହାର ପୁଣ୍ୟ ସ୍ପର୍ଶରେ ରିପୁମୟ ଦେହରୁ ମୃତ୍ୟୁ ପଳାତକ ହୁଏ, ଏଇ ସେ ଗାଇଦିଲିଓ ! ଅତି ପାଖରେ । ସେଙ୍ଗାଇର ଆଖି ଦୁଇଟାରେ ପ୍ରବଳ ବିସ୍ମୟ ।

ଅତି ସ୍ନେହାଶ୍ଳେଷ କଣ୍ଠରେ ଆନନ୍ଦରେ ଗଦ୍‌ଗଦ୍‌ ହୋଇଉଠିଲା ସେଙ୍ଗାଇ । –ତୁଇ ଗାଇଦିଲିଓ ।

ଗାଇଦିଲିଓ ନିରୁତ୍ତର । କେବଳ ଏକ ପ୍ରସନ୍ନ ହସ ।

ସାରୁୟାମାରୁ ତତ୍ପର ହୋଇ କହିଉଠିଲା–ହୁଇ ଯେ ତୋତେ କହୁଥିଲି ଗାଇଦିଲିଓ ଛୁଇଁ ଦେଲାମାତ୍ରେ ସବୁ ଭଲ ହୋଇଯାଏ, ହେଲା କି ନାହିଁ ଦେଖ ।

ଅସୀମ କୃତଜ୍ଞତାରେ ପାହାଡ଼ୀ ଯୁବକ ସେଙ୍ଗାଇର ଦେହ ଓ ମନ ଭରି ଉଠିଲା । ପୁଣି ଥରେ ଅନେଇଲା ଗାଇଦିଲିଓ ମୁହଁକୁ । ସେଇ ମୁହଁ ଉପରେ ସେ ଦେଖିଲା ଆଉ ଜଣଙ୍କର ଛାୟା, କେମେଲୀ । କେମେଲୀ ହିଁ ଦିନେ ତାକୁ ସେଇ ସାଲୁଆଲାଙ୍ଗ ବସ୍ତିର ଅତଳ ଉପତ୍ୟକା ଭିତରୁ ଉଦ୍ଧାର କରିଥିଲା । ସେହି ନିଶ୍ଚିତ ଅପମୃତ୍ୟୁର ବ୍ୟୁହ ଭିତରୁ ଉଦ୍ଧାର କରିଥିଲା ସେ । କେମେଲୀ ଆଉ ଗାଇଦିଲିଓ ଯେପରି ମିଳନ ଅଛି ଗୋଟିଏ ବିନ୍ଦୁରେ । ଏଇ ବିନ୍ଦୁଟି ହେଉଚି ସେବା । ସେବା ଓ ମମତାରେ ଦୁଇ ଜଣଯାକ ତାକୁ ବଞ୍ଚେଇଛନ୍ତି । ଏହା ଛଡ଼ା ଅନ୍ୟ କୌଣସି ସଙ୍ଗତି ନାହିଁ ।

କେମେଲୀର ସେଇ ନଗ୍ନ ଅଙ୍ଗଶୀ ସାରା ଦେହକୁ ଭଳି ଜଳେଇଯିଏ । କିନ୍ତୁ ଗାଇଦିଲିଓର ମୁହଁଟା ଦେଖିଲେ କାମନା ଧ୍ୱସଂହୁଏ । ସ୍ତମିତ ହୋଇପଡ଼େ ରିପୁର ଫଣା । ପାହାଡ଼ୀ ମଣିଷର ଅସ୍ପଷ୍ଟ ଚେତନା ସଂଭ୍ରମରେ, ଏକ ଆହ୍ଲାଦିତ ଅନୁଭୁତିରା ଯେମିତି ପରିପୂର୍ଣ୍ଣ ହୋଇଉଠିଲା ।

କେମେଲୀ ଆଉ ଗାଇଦିଲିଓ । କେମେଲୀ ଦୁଇଟି ବାହୁର ସୀମା ଭିତରେ ଗୋଟିଏ ହରିଣ–ଆଉ ଗାଇଦିଲିଓ ଅନିକା, ଦେବୀ !

ହଠାତ୍‌ କହି ଉଠିଲା ସେଙ୍ଗାଇ–ତୁ କ’ଣ ସାହେବମାନଙ୍କ ସହିତ ଲଢ଼େଇ କରୁଚୁ ?

ଚମକି ଉଠିଲା ଗାଇଦିଲିଓ । –କିଏ କହିଲା ତୁମକୁ ?

ମାଧୋଲାଲ । ହୁଁ ହୁଁ ଯେ କୋହିମାରେ ତାର ଦୋକାନ ଦେଇଚି । ସେଙ୍ଗାଇ କହିଚାଲିଲା–ମୋଧୋଲାଲ ପାଖରୁ ତୋର ଆଉ ଗାନ୍ଧୀ କଥା ଶୁଣି ଆସିଲୁ । ଫାଦର ଆମମାନଙ୍କ ପାଖରୁ ସବୁ ଶୁଣିନେଲା । ମାଧୋଲାଲ ବାରଣ କରିଥିଲା କହିବାକୁ । ସେଇ ଫାଦର ଆମମାନଙ୍କ ବେଇମାନ ବନେଇଲା, ବିଶ୍ୱାସଘାତକ କରେଇଲା । ଉତ୍ତେଜନାରେ ତାତିଉଠିଲା ସେଙ୍ଗାଇର ଦେହଟା ।

 

ସ୍ମିତ ହସ ହସି ଗାଇଦିଲିଓ କହିଲା–ମୁଁ ଶୁଣିଚି, ସବୁ ଶୁଣିଚି । ଏମାନେ ବଡ଼ ସୟତାନ-ମନୁଷ୍ୟର ବିଶ୍ୱାସକୁ ସେମାନେ କେତୁଟା ଟଙ୍କାରେ କିଣିନେବାକୁ ତିଳେ ହେଲେ କୁଣ୍ଠିତ ନୁହଁନ୍ତି ।

 

ଅର୍ଦ୍ଧସ୍ଫୁଟ ବୁଦ୍ଧି । ରାଣୀ ଗାଇଦିଲିଓଙ୍କ ଭାଷାର ଜଟିଳତାକୁ ବୁଝିପାରିଲେ ନାହିଁ ସେଙ୍ଗାଇ ଓ ସାରୁୟାମାରୁ । କିନ୍ତୁ ଓ ଗ୍ରନ୍ଥିବଦ୍ଧ ଶବ୍ଦଗୁଡ଼ିକ ଭିତରେ ଗୋଟାଏ ପ୍ରଖର ଘୃଣା ଏବଂ ବିଦ୍ୱେଷର ଗନ୍ଧକୁ ଆଘ୍ରାଣ କରିପାରିଥିଲା ସେଙ୍ଗାଇ ।

 

ଗାଇଦିଲିଓ ବୁଝାଇଥିଲେ-ଆମେ ପାହାଡ଼ୀ ମଣିଷ, ଏମାନେ ଆମର ଧର୍ମନଷ୍ଟ କରୁଛନ୍ତି । ଟଙ୍କା ପଇସା ପୀ (ଲୋଭ) ଦେଇ ଆମକୁ ପାପ ପଥରେ ନେଇ ଯାଉଛନ୍ତି । ଏମାନଙ୍କ କଥା ନ ମାନି ଚଳିଲେ ମାରୁଛନ୍ତି ।

 

ଗାଇଦିଲିଓ କଥାଗୁଡ଼ାକ ବିଷକ୍ରିୟା ଭଳି ସ୍ନାୟୁର ପ୍ରତି କୋଷରେ ସଞ୍ଚରିଗଲା । ମୁଣ୍ଡ ହଲେଇ ସେ କହିଲା–

 

ହୁଁ ହୁଁ, ତୁ ଠିକ୍‌ କହିଚୁ । ତୁ ଲଢ଼େଇ କର । ଆମ ବସ୍ତିରୁ ମୀ (ବର୍ଚ୍ଛା) ନେଇ ଆସିବୁ, ଯୋଅନମାନଙ୍କୁ ଡ଼ାକି ଆଣିବୁ । ସୟତାନ ଆମ ଘରକୁ ଆସି ଆମକୁ ମାରିବ ? ଏହି ଦେଖ ।

 

ତଡ଼ିତ୍‌ ବେଗରେ କଟିବନ୍ଧୁ ଅନାଇ ଦେଖେଇ ଦେଲା ସେଙ୍ଗାଇ ଦେହରେ ଠିକ୍‌ ମଧ୍ୟଭାଗରେ ଗୋଟାଏ ବିଶାଳ କ୍ଷତ ଚିହ୍ନ । ସାଇବ ଆଉ ସମତଳ ଲୋକେ ଏକାଠି ମିଶି ମାରୁଛନ୍ତି ଆମକୁ ଆଉ ସେଇ ମଣିପୁରୀ ପୁଲିସଟା ! କି ଭୟଙ୍କର ତାର ରଡ଼ି ।

 

ଚମକି ପଡ଼ିଥିଲେ ଗାଇଦିଲିଓ । ସବୁ ଦୋଷ ସାହେବମାନଙ୍କର । ଏମାନେ କହୁଛନ୍ତି ସେଇ ଆସାନ୍ୟୁ (ସମତଳ ଲୋକ) ତୁମମାନଙ୍କୁ ମାରୁଛନ୍ତି । ଭୁଲ । ବିଲକୁଲ ମିଛ । ସାଇବମାନେ ହିଁ ଆମର ଶତ୍ରୁ । ଆମର ଲଢ଼େଇ ସେଇମାନଙ୍କ ସାଙ୍ଗରେ ।

 

–କେବେ ? କେବେ ? ରୀତିମତି ଉତ୍ସାହିତ ହୋଇଉଠିଥିଲା ସେଙ୍ଗାଇ । କେବେ ଲଢ଼େଇ ଆରମ୍ଭ ହେବ ?

 

–ଆରମ୍ଭ ତ ହୋଇଗଲାଣି । ଗାନ୍ଧିଜୀ ଆରମ୍ଭ କରି ଦେଇଛନ୍ତି । ଆମ ପାହାଡ଼ ଅଞ୍ଚଳରେ ବୋଧହୁଏ କାଲିଠୁ ଆରମ୍ଭ ହେଇଚି ।

 

–ଲଢ଼େଇ ହେଲାଣି ? କେତେ ମଲେଣି ?

 

ଜଣେ କିଏ ମରିନି । ଏ ଲଢ଼େଇରେ ମରାମରି ହୁଏନା । ଆମେ ମାରୁନା, ମାରିବୁନି କେବେହେଲେ । କିନ୍ତୁ ସାହେବମାନେ ଆମକୁ ଧରିନେଇ ଅଟକି କରି ରଖିବେ । ରଖିଲେଣି ବହୁତ ।

 

ରାଣୀ ଗାଇଦିଲିଓ ଦେହରେ ଏକ ଦୈବୀ ଜ୍ୟୋତିବିଳୟ ଆଲୋକରେଖା ବିଚ୍ଛୁରିତ ହୋଇ ପଡ଼ିଛି । କହିଲେ, ଏଇ ଲଢ଼େଇରେ ତୁମକୁ ଆସିବାକୁ ପଡ଼ିବ ସେଙ୍ଗାଇ ।

 

ମଧୋଲାଲ କହୁଥିଲା–ଗାନ୍ଧିଜୀର ଲୋକେ କୁଆଡ଼େ ମାଡ଼ ଖାଉଛନ୍ତି, କିନ୍ତୁ ମାଡ଼ ଦେଉନାହାନ୍ତି । ଇଏ କି ଲଢ଼େଇ । ତୁ ଇ ବି ସେଇକଥା କହୁଚୁ । ଆମେ ତ ପାହାଡ଼ୀ ମଣିଷ । ଲଢ଼େଇ ହେବ, ଅଥଚ ମଣିଷ ମରିବେନି–ଇଏ କିମିତିକା ? ଇମିତି କଥା ତ ସର୍ଦ୍ଦାର କହିନି ଆମକୁ କେବେହେଲେ । ତେବେ ତୁ ସେହି ଗାନ୍ଧିର ଲୋକ ?

 

–ହଁ, ଆମେ ସବୁ ଗାନ୍ଧିଜୀର ଲୋକ । ଟିକିଏ ଅଟକିଗଲେ ଗାଇଦିଲିଓ । ଲକ୍ଷ୍ୟ କରୁଥିଲେ, ତାଙ୍କର କଥାଗୁଡ଼ାକ ପାହାଡ଼ୀ, ଲୋକ ଦୁଇଟିର ମୁହଁରେ କି ପ୍ରତିକ୍ରିୟା ସୃଷ୍ଟି କରୁଚି । ତା’ ପରେ ସେ କହିଉଠିଲେ, ଗାନ୍ଧିଜୀ ହିଁ କହିଛନ୍ତି ଏ ଲଢ଼େଇରେ ସାହେବମାନଙ୍କୁ ଆଉ ମାରିବୁନି-। ମାଡ଼ ଖାଇବୁ, ମାଡ଼ ଖାଇ ଖାଇ ଆମେ ଜିତିବୁ ।

 

–ଏଇ କଥା ତ ମାଧୋଲାଲ ଆମକୁ କହୁଥିଲା ।

 

ବିଚିତ୍ର ଏଇ ସଂଗ୍ରାମ । ବର୍ଚ୍ଛା ନାହିଁ, ଧନୁଶର ନାହିଁ । ନିରୀହ ଛାତିଟାକୁ ସାହେବମାନଙ୍କ ହତିଆର ଆଗରେ ଅସହାୟ ଭାବେ ଦେଖେଇ ରହିବାକୁ ପଡ଼ିବ । ବଣୁଆ ମନ କିନ୍ତୁ ବୁଝେନା ଏସବୁ ଲଢ଼େଇ କଥା । ବିନା ରକ୍ତପାତରେ କ’ଣ ପାହାଡ଼ୀ ଚେତନା ପ୍ରେରଣା ପାଇପାରେ ? ତଥାପି ଗାଇଲିଦିଓ ଯେ କହୁଚି । ପ୍ରତିବାଦ ଜଣାଇବାକୁ ସାହସ ନାହିଁ ସେଙ୍ଗାଇର । ମାଧୋଲାଲଠୁ ଗାଇଦିଲିଓର କଥା ଶୁଣି ବଡ଼ ଅବିଶ୍ୱାସ ହେଉଥିଲା ତାର ! କିନ୍ତୁ ଗାଇଲିଦିଓ ଯେ ସେଇ କଥା କହୁଚି । ଅବିଶ୍ୱାସ କିମିତି କରିବି ସେଙ୍ଗାଇ ।

 

–ଆଚ୍ଛା, ତୁମେସବୁ ଆସିବ ତ ସେଙ୍ଗାଇ ।

 

ସାରୁୟାମାରୁ କୁଣ୍ଠିତ ଗଳାରେ କହିଲା–ସର୍ଦ୍ଦାରୁ ଥରେ ପଚାରିଦେବୁ ବଞ୍ଚେଇଲା । କହିଲା ସେଙ୍ଗାଇ ।

 

–ନା, ନା; ଏହି ଆମକୁ ବଞ୍ଚେଇଚି । ଇୟେ ସାହା କହିବ ତା କରିବୁ । ମରିବାକୁ କହିଲେ ମଧ୍ୟ ମରିବୁ ।

 

ସ୍ନିଗ୍‌ଧ ମମତାରେ ମୁହଁ ଉଜ୍ଜ୍ୱଳ ହୋଉଠିଥିଲା ଗାଇଦିଲିଓଙ୍କର । ଏଇ ଦେଖ ଏତେ କଥା କହିଲି, କିନ୍ତୁ ପଚାରିନି ତ ତୁମେ କେଉଁ ବସ୍ତିର ଲୋକ ।

 

–କେଲୁରୀ ବସ୍ତିର ।

 

–ଦରକାର ହେଲେ ତୁମମାନଙ୍କ ବସ୍ତିକୁ ଯିବି । ରହିବାକୁ ଦେବ ତ ।

 

–‘‘ହୁଁ ହୁଁ’’ । ପ୍ରଚଣ୍ଡ ଉଲ୍ଲାସରେ ଚେଇଁଉଠି କହିଲା ସେଙ୍ଗାଇ । ଗଲେ ତୋ ପାଇଁ ନୂଆ ଘର ବନେଇବୁ ।

 

–ନା, ନା, ଯିବି ବୋଲି ବେଶି ପ୍ରଚାର କରିବେନି ।

 

–ହୁଁ, ହୁଁ, ସବୁ ଯେତେବେଳେ କହୁଚୁ......

 

ବାହାର ଆକାଶଶରେ ଧୂପଛାୟା ଲିଭି ଲିଭି ଯାଇଚି । ଟୁଘୁଟୁ ଘୋଟାଙ୍ଗ ପତ୍ର ଛାଇ ଭଳି ନଇଁଆସୁଚି ଅନ୍ଧକାର । ଭୟାଳୁ ସନ୍ଧ୍ୟା ଭୟଙ୍କର ପାହାଡ଼ୀ ରାତ୍ରୀ । ଚାରିଆଡ଼େ ଗହନ ବନ । ପ୍ରେତକଣ୍ଠର ଚିତ୍କାର କରିଚାଲିଛନ୍ତି କାମୁ (କୁଆ) ପକ୍ଷୀର ଦଳ । ଶୁଖିଲା ପତର ଉପର ଦେଇ ସର୍‌ ସର୍‌ କରି ଚାଲିଚି ପାହାଡ଼ୀ ଅଜଗର । ଖାଟସାଙ୍ଗ ଗଛର ଡାଳେ ଡାଳେ ବାନରର ହୁଙ୍କାର । ପକ୍ଷୀ, ପତଙ୍ଗ, ସରୀସୃପ ସମସ୍ତେ ନୀଡ଼ମୁଖୀ । ବିଶୃଙ୍ଖଳ ପାହାଡ଼ୀ ଅରଣ୍ୟସଂସାରେ ମଧ୍ୟ ସମସ୍ତେ ନିୟମର ରେଖାରେ ବନ୍ଦୀ । ସେ ନିୟମ ଗୁହା ଆଉ ନୀଡ଼, ଗଛର କୋରଡ, ଶାଖାର ନିୟମ । ଆକାଶର ଉତ୍ତାପକୁ ଫେରିଯିବାର ଏକ ଚିରନ୍ତନ ନିୟମ ।

 

ନାଗା ପାହାଡ଼ର ଅନ୍ଧକାର ଅତଳକୁ ନଇଁଆସୁଚି । ସାମନାରେ ମାଓଗାମୀ ପଥର ସରୀସୃପ ରେଖା । ଚାରିପାଖେ ଆଦିମ ବିଭୀଷିକା । ତା’ରି ମଝିରେ ଟୁଘୁଟୁ ଘୋଟାଙ୍ଗ ପତ୍ର ଛାୟା-। ତଳେ ଛୋଟ ଗୋଟିଏ ଘର । ତା’ରି ଭିତରେ ପେନ୍ୟୁ କାଠର ମଶାଲିର ଏକ କ୍ଷୀଶ ଆଲୋକ-। ଆଲୋକ ନୁହେଁ, ଇଏ ଯେମିତି ନାଗା ପାହାଡ଼ର ହୃତ୍‌ପିଣ୍ଡ । ସମସ୍ତ ଅନ୍ଧକାରରୁ ସେ ଆଲୋକକୁ ପ୍ରହରା ଦେଇ ରଖିଚି ଗୋଟିଏ ପ୍ରାଣ । ଏଇ ପ୍ରାଣର ନାମ ଗାଇଦିଲିଓ । ଏଇ ମଶାଲର ଶିଖାଟିକୁ ନାଗା ପାହାଡ଼ର ଉପତ୍ୟକା ମାଳଭୂମିରେ ଦାବାନଳ ଭଳି ପ୍ରସାରିତ କରିବାକୁ ପଡ଼ିବ-। ଏହି ପର୍ଣ୍ଣକୁଟୀର ଭିତରେ ତା’ର ଏଇ ନିଭୃତି ଦୀକ୍ଷା ।

 

ଦୁଆର ଉପରେ ଯେମିତି କିଏ ଆଘାତ କଲା । ମଞ୍ଚାଉପରେ ଚମକି ଉଠିଲେ ଗାଇଦିଲିଓ । ତୀକ୍ଷଣ ସ୍ୱରରେ ପଚାରିଲେ, କିଏ ?

 

ମୁଁ ଲୁକୋକ୍ୟୁଙ୍ଗବା । ଶୀଘ୍ର ଦୁଆର ଖୋଲା ।

 

ସଙ୍ଗେ ସଙ୍ଗେ ଓହ୍ଲାଇ ଆସିଲେ ଗାଇଦିଲିଓ ମଞ୍ଚା ଉପରୁ । ଧଇଁ ସଇଁ ଅବସ୍ଥାରେ କରିଚାଲିଚି ଲୁକ୍ୟୋବଙ୍ଗବା । ସର୍ବନାଶ ହୋଇଚି । ପୁଲିସ୍‍ ଜାଣିପାରିଚନ୍ତି ଏଇଠି ଅଛୁ ବୋଲି ।

 

ଗାଇଦିଲିଓ ଚକିତ ଦୃଷ୍ଟିରେ ଚାହିଁଲା ଲୁକୋକ୍ୟୁଙ୍ଗବା ଉପରକୁ । ମୁହଁ ଗୋଟାକ ଲାଲ ହୋଇଉଠିବ ତାର । ଦେହ ସାରା କ୍ଷତ ରକ୍ତର ଧାର । ଆର୍ତ୍ତନାଦ କରିଉଠିଲା ଗାଇଦିଲିଓ । ଏ କ’ଣ, କ’ଣ ହେଇଚି ? ଏକାବାରେ ଗୁଳିକରି ପକେଇଚି । କିଏ ସେ ପାଷାଣ ?

 

ଲୁକୋକ୍ୟୁଙ୍ଗବା ହସିଲା । ଦୁଇ ପାଖର ଦାନ୍ତଗୁଡ଼ାକ ପେନ୍ୟୁ କାଠର ସ୍ନଗ୍‌ଧ ଆଲୋକରେ ଜକ ଜକ ହୋଇ ଉଠୁଥାଏ । କୋହିମା ଥାନାର ସାମନାରେ ଆଜି ଜାତୀୟ ଉତ୍ତୋଳନ ହେଉଥିଲା । ବାଓନଟ ଚଳାଇଲା ପୋଲିସ । ତାର ଏହି ଚିହ୍ନ । ଥାଉ ସେ କଥା । ଏଇକ୍ଷଣି ଏ ଘର ଛାଡ଼ି ତତେ ଯିବାକୁ ପଡ଼ିବ । ଅଙ୍ଗାମିମାନଙ୍କ ବସ୍ତିରେ ଲୁଚିରହିବାକୁ ବ୍ୟବସ୍ଥା ହୋଇଚି ।

 

–କିନ୍ତୁ ତୁମେ ମୁଣ୍ଡ ଉପରେ ଏତେବଡ଼ ଆଘାତ ! ଟିକିଏ ଇତସ୍ତତଃ ହେଲା ପରି ବୋଧହେଲା ଗାଇଦିଲିଓ ।

 

–ଅଙ୍ଗାମିମାନଙ୍କ ବସ୍ତିକୁ ଯାଇ ସବୁ ବ୍ୟବସ୍ଥା କରିବାକୁ ପଡ଼ିବ । ଥାନା ଆଗରେ ବହୁ ଲୋକ ଆରେଷ୍ଟ ହୋଇଛନ୍ତି । ପାଦ୍ରୀ ଫାଦର ମାକେଞ୍ଜିଙ୍କୁ ପିସ୍ତଲରେ ଗୁଳି କରି ମାରି ପକେଇଚି ମାଶାଙ୍ଗ । ପୁଲିସ ଏଇ ଆଡ଼କୁ ଆସୁଚି । ଆଉ ଡ଼େରି କଲେ ଚଳିବ ନାହିଁ ।

 

–ଏଇ ଆସ୍ଥାନର ଖବର ପୁଲିସ ପାଇଲେ କିମିତି ?

 

–ଯେଉଁସବୁ ସର୍ଦ୍ଦାରମାନେ ଏଠାକୁ ଆସନ୍ତି, ସେହିମାନେ କହି ଦେଇଥିବେ ।

 

ସମସ୍ତେ ଚାଲିଗଲେ । ଏକାକିନୀ ଗାଇଦିଲିଓ । ମାଶାଙ୍ଗ ଗୁଳି କରିଚି ! ହିଂସା ଠିକ୍‌ ଅହିଂସା ଠିକ୍‌ ସେ ମନେ ମନେ ଠିକ୍‌ କରିପାରେନା । ମାଶାଙ୍ଗ ଭଳି ଜଣେ ସରଳ ନମ୍ର ହୃଦୟରେ ହିଂସା ! ବଡ଼ ଆଚମ୍ୱିତ ବୋଧ କରୁଥିଲା ସେ । ହୁଏତ ଆଉ କେତେଟା ଦିନ ଭିତରେ ସବୁ ଧାରା ପଡ଼ିଯିବ, ନିଃଶେଷ ହୋଇଯିବ । ସେମାନଙ୍କ ପରିକଳ୍ପନା ।

 

ବ୍ରିଟିଶ-ସାମ୍ରାଜ୍ୟରେ ସୂର୍ଯ୍ୟ ଅସ୍ତ ହୁଏନା ଅବଶ୍ୟ; କିନ୍ତୁ କୋହିମାରେ ଘୋର ଅନ୍ଧକାର-। ଅଣ୍ଟାକୁ ଜୋରରେ ଭିଡ଼ି ନେଲେ ଗାଇଦିଲିଓ ! ବାସବଦତ୍ତାର ଅଭିସାର ଏ ନୁହେଁ । ଏ ହେଉଚି ଏକ ନାଗା ରମଣୀର ବିପ୍ଳବ ସାଧନା । ରାଜା ଦୁଷନ୍ତ ଲାଗି ଏମାନେ କେବେ ବ୍ରତ ପାଳନ କରିନ୍ତିନି । ଫେରାର ଆସାମୀ ମାଶାଙ୍ଗ ଲାଗି ଏ ଅଭିସାର । ମାଶାଙ୍ଗ ବିପ୍ଳବୀ ।

 

ଏକ ଅଚିହ୍ନା ନିଭୃତି ଗୁମ୍ପା । ତାରି ଭିତରେ ମାଶାଙ୍ଗର ଆତ୍ମଗୋପନ । ଗାଇଦିଲିଓ ଭିତରକୁ ପ୍ରବେଶ କରି ଦେଖିଲା ଗୋଟିଏ ଦୀପ ମିଞ୍ଜି ମିଞ୍ଜି ହୋଇ ଜଳୁଚି । ଭିତରେ ମାଶାଙ୍ଗରୀ ଯୋଗସାଧନା । ପଦ୍ମାସନ ।

 

–ମାଶାଂଗ ! ତୁମର ଏ କି ଚେହେରା ? ଚମକି ପଡ଼ିଲା ଗାଇଦିଲିଓ ।

 

ବାଇଇ ତେଇଶ ବର୍ଷ ଯୁବକଟିଏ । ଆଗ ପଛର କୌଣସି ଭାବନା ନାହିଁ । ସୁଖ ଦୁଃଖର ସାଂସାରିକ ସଂଘାତ ଆଗ୍ରାହ୍ୟ କରିଲା ମୀଶାଂଶ ଅବଲୀଳାକ୍ରମେ । ଭାରତବର୍ଷ ଭବିଷ୍ୟତ ସେ ତାର ନିଜର ଭବିଷ୍ୟତକୁ ଅଲଗା କରି କେବେ ଭାବିନି । ସ୍ୱଦେଶପ୍ରେମ ହିଁ ତାର ଏକମାତ୍ର ପ୍ରେମ । ତା ଜୀବନର ସବୁଟିକ ଉତ୍ତାପ ଉନ୍ନାଦିତ ମାଶାଂଗରେ ଭବିଷ୍ୟତ ଅଙ୍ଗ ଛଡ଼ା ଆଉ କିଛି ନୁହେଁ ।

 

–ତୁମର କ’ଣ ଦେହ ଖରାପ ହେଇଛି ମାଶଂଶ !

 

–ଦେହ ଖରାପ ବା କ’ଣ ? ଫେରାର ଆସାମୀର ଜୀବନ ତ କେବେ ସ୍ୱାଭାବିକ ନୁହେଁ-

 

–ତୁମେ ଫେରାର ହୋଇପାର କିନ୍ତୁ ଆସାମୀ ନୁହଁ ।

 

–ରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛି ତେବେ ?

 

ବାଧା ଦେଇ ଗାଇଦିଲିଓ ଓ କହେ, ତେବେ ବି ତୁମେ ବିପ୍ଳବୀ !

 

କିନ୍ତୁ ଏମାନେ ଆମକୁ ଆସାମୀ ଛଡ଼ା ଆଉ କିଛି କହିବେନି ଗାଇଓ ! ରାଷ୍ଟ୍ର ଆଇନ ସେ ମାନେନା ସେ ଆସାମୀ ।

 

ଗାଇଓ କୌଣସି ଜବାବ ଦେଲାନି । ମାଶାଂଗର ମୁଣ୍ଡର ବାଳଗୁଡ଼ାକ ଭିତରେ ହାତ ବୁଲାଉ ଟିକେ ପରେ ସେ କହିଲା, କୌଣସି ଆଇନ ମଧ୍ୟ ଶେଷ ପର୍ଯ୍ୟନ୍ତ କାହାରି ଉପକାରରେ ଆସେନା । ସାତ ଜଣକୁ ନେଇ ବି ଶୋଷଣ କରିହୁଏ, ସାତ କୋଟିକୁ ମଧ୍ୟ ନେଇ ହୋଇପାରେ ।

 

–ଏ କଥା କାହିଁକି କହୁଛୁ ଗାଇଓ ?

 

–ମାଶାଂଗ ! ଇତିହାସ ପଢ଼ି ମୁଁ ବୁଝିପାରିଛି, କ୍ଷମତାର ବିଷ ସଭ୍ୟତାର ରକ୍ତକୁ ବାରମ୍ୱାର ବିଷାକ୍ତ କରିଚି । ମୃଷ୍ଟିମେୟଙ୍କ କ୍ଷମତାର ବିଷ କ୍ରମେ କ୍ରମେ ମଣିଷକୁ ପଙ୍ଗୁ କରିପକାଏ-। ପଙ୍ଗୁତା ଯେତେବେଳେ ନିର୍ମମ ହୋଇଉଠେ, ସେତେବେଳେ ଆସେ ବିପ୍ଳବର ମୁହୂର୍ତ୍ତ । ମଣିଷ ତାର ବ୍ୟକ୍ତିଗତ ସ୍ୱାଧୀନତାକୁ ଭିକ୍ଷା କରିବା ଲାଗି ଘଟାଏ ରକ୍ତପାତ । କିନ୍ତୁ ତୁମର ବିପ୍ଳବ ତ ଖାଲି ମଣିଷର ନୁହଁ, ରାଷ୍ଟ୍ର ପାଇଁ ।

 

ସିଧା ସଳଖ ହୋଇ ବସିଲା ମାଶଂଗ । ଗାଇଓ ଆଡ଼କୁ ଚାହିଁ ପଚାରିଲା–କ୍ଷମତାକୁ ବିଷାକ୍ତ କରିବା ଯୋଗୁଁ ହିଁ କ’ଣ ଆମେ ଆଜି ଏତେଗୁଡ଼ିଏ ଲୋକ ଜୀବନ ଦେବାକୁ ବସିବୁ ? କ୍ଷମତା ଲୋଭରେ କି ଆମେ ସଂଗ୍ରାମ କରିବୁ ?

 

–ସେଇଥିଲାଗି ତ ମୁଁ ତୁମମାନଙ୍କୁ ଏତେ ଭଲପାଏ । ତୁମରି ଭବିଷ୍ୟତର ବାହାରେ ସେଇଥିଲାଗି ମୁଁ ମୋର ନିଜର କୌଣସି ଅଲଗା ଭବିଷ୍ୟତ ଦେଖିବାକୁ ପାଉନି ସ୍ୱାଧୀନତାର ମୁକ୍ତା ଆମେ ସଂଗ୍ରହ କରି ଆଣିବା, କାଳମକ୍ରମେ ସେଇଟା ହିଁ ଅନ୍ୟ ହାତରେ ହୋଇଉଠିବ କ୍ଷମତା ବିଷ-। ସାଧାରଣ ଲୋକଗୁଡ଼ାକ ସେଇଥିପାଇଁ ଚିରଦିନ ଧରି ଦୁଃଖ ଭୋଗ କରି ଆସୁଛନ୍ତି । ସଭ୍ୟତାର ଇତିହାସରେ ମୁଁ ଏହାଠୁ ବଳି ବଡ଼ ଅସଭ୍ୟତା ଆଉ କିଛି ଦେଖିବାକୁ ପାଉନି ।

 

–ଗାଇଓ ! ତୋର କଥା ମଧ୍ୟରେ ଯେଭଳି ବ୍ୟାପକ ବିପ୍ଳବର ସ୍ୱପ୍ନ ଅଛି ବୋଲି ମନେ ହେଉଛି ।

 

–ଇତରଜନଙ୍କ ପ୍ରଭୃତ୍ୱ ଲୋପ ପାଇବ ନିଶ୍ଚୟ । ସେଥିରେ ସୁକୁମାରୀର ଗିଲାସରେ ଏକ ବିନ୍ଦୁ ଦୁଧର ସଞ୍ଚୟ ରହିବିନି । ରହିବିନି ଏଇ କାରଣରୁ ଯେ ନୂତନ କ୍ଷମତାର ଚାବୁକ ପୁଣି ଆସି ପଡ଼ିବ ରାସ୍ତାର ଏ ସାଧାରଣ ମଣିଷ ପିଠିରେ । ବ୍ରାହ୍ମଣର ଚାବୁକରୁ ଆରମ୍ଭ କରି ଜମିଦାରମାନଙ୍କ ଚାବୁକରୁ ଆଘାତ ଆସି ପଡ଼ୁଛି ରାସ୍ତାର ଏଇ ସାଧାରଣ ମଣିଷ ଚମଡ଼ା ଉପରେ-। ଇଂରେଜ ବିତାଡ଼ନରେ କ’ଣ ଏସବୁ ଦାଗ ନିଭିଯିବ ?

 

ବିବ୍ରତ ହୋଇଉଠିଲା ବିପ୍ଳବୀ ମାଶାଂଗ । ଗୁଳି ଖାଇ କେତୁଟା ଆଗେ ନିହତ ହୋଇଛି ବ୍ରିଟିଶ ମାଜିଷ୍ଟ୍ରେଟ ଓ ପାଦ୍ରୀ ମାକେଂଜି । ଅନ୍ୟ ଜଣେ ମାଜିଷ୍ଟ୍ରେଟ ସେହି ଶୂନ୍ୟ ଚେୟାରଟାରେ ବସିବାକୁ ହୁଏତ ସାତ ଦିନରୁ ବେଶି ସମୟ ଲାଗିବନି । ମନେ ହେଉଛି ଯେପରି କୌଣସିଠି କିଛିହେଲେ ଦାଗ ଲାଗିନି । କ୍ଷତି ହୋଇନି ଶାସନକ୍ଷେତ୍ରରେ । ସ୍ୱାଭାବିକ ନଷ୍ଟ ହୋଇନି ବିନ୍ଦୁଏ ହେଲେ । ସବୁତକ ଆଲୋଡ଼ନ କେବଳ ମାଶଂଗର ଦେହ ଲାଗି ଥିଲା ? ଅଂଶ ଗ୍ରହଣ କରିଥିଲା ରାଣୀ ଗାଇଦିଲିଓ । ବିପ୍ଳବୀ ମାଶାଂଗରେ ଆଖିରେ ବର୍ତ୍ତମାନ ମାଜିଷ୍ଟ୍ରେଟ ସାହେବର ଚିତ୍ର କୁଆଡ଼େ ଉଭେଇ ଗଲାଣି । ଉଭେଇଗଲା ଏଇଥିଲାଗି ଯେ ମାଜିଷ୍ଟ୍ରେଟ ସାହେବଙ୍କ ପଛରେ ସେ ଏକ ବୃହତ୍ତର ଅସ୍ତିତ୍ୱ ଦେଖିବାକୁ ପାଉଛି । କ୍ଷମତାଲୋଭୀ ମଣିଷ ଓ ଦୁଇଟା ବଡ଼ ବଡ଼ ଆଖି । ସେ ଦେଖିବାକୁ ପାଉଛି ଇତିହାସ; ସେ ଇତିହାସର ପୃଷ୍ଠା ଗୁଡ଼ିକରେ ଲେପ୍‍ଟି ରହିଛି ବର୍ଣ୍ଣାଶ୍ରମ ଧର୍ମର କ୍ଲୋଦାନ୍ତମସୀ ସମ୍ରାଟ ବାଦଶାହମାନଙ୍କର କୀର୍ତ୍ତିକାଳିର କ୍ରମ କଳଙ୍କ । ସିଧାହୋଇ ବସି ମଶାଂଗ ଇତିହାସର ପୃଷ୍ଠା ଓଲଟାଇ ଚାଲିଛି । ରାଜନୀତି ସାମୟିକତା ପାର ହେବାକୁ ଲାଗିଲା ଅତି ଦ୍ରୁତଗତିରେ । ରାଜନୀତି ବଦଳୁଛି, ବଦଳୁଛି ସମାଜତନ୍ତ୍ର । ଜମିଦାର ଆସିଲା, ଆସିଲା ମଧ୍ୟବତ୍ତ । ଜମିର କୃଷ୍ଟି ଧରି ବସିରହିଲା ଚାଷୀ । ଜମିଦାର ଅକ୍ଷର ଚାରିଦିଗରେ ଘୂରିବାକୁ ଲାଗିଲା ଭାରତର କୃଷ୍ଟ ଜଗତ୍‌ । ବେଶୀଦିନ ଲାଗିଲାନି, ଦୁଇ ଶହ ବର୍ଷ ପାର ନ ହେଉଣୁ କ୍ଷମତାର ବିଷ ଫୁଟି ବାହାରିବାକୁ ଲାଗିଲା । ପ୍ରତି ଲୋମକୂପ ଦେଇ ସେସବୁ ଫୁଲି ଫୁଲି ଉଠିଛି । ପକ୍ଷାଘାତରେ ଅବଶ ମୁହୂର୍ତ୍ତରେ ପ୍ରାୟ ସମାଗତ । କାହିଁକି ଇମିତି ହେଲା ? ମାଜିଷ୍ଟ୍ରେଟ ସାହେବ କେଉଁଠି ? କେଉଁଠି ସେ ଛୋଟଲାଟ ଆଉ ବାଟଲାଟମାନେ ? ଗୁଳି ଖାଇ ମୃତ ମାଜିଷ୍ଟ୍ରେଟର ବା ଦୋଷ କେତେ ? କାହାକୁ ହେଲେ ଦେଖିବାକୁ ପାଉନି ମାଶାଙ୍ଗ । ସେ ଦେଖିବାକୁ ଢେଉ ଆସି ଇତିହାସ-ବକ୍ଷରେ କେତେ ଯେ କଲ୍ଲୋଳ ସୃଷ୍ଟି ନ କରିଚି । ଭାଙ୍ଗିଦେଇଛି ସମାଜର ଦୁଇ କୂଳ ! କିନ୍ତୁ ରାସ୍ତାର ଏହି ମଣିଷଟାଏ କୌଣସି ପରିବର୍ତ୍ତଜନ ହେଲାନି–ଦୁଃଖୀ ଜନତାର ବକ୍ଷରେ ଜମାଟ ବାନ୍ଧି ରହିଲା ବ୍ୟଥାର ବନ୍ୟା । ସର୍ବସ୍ୱ ଖାଇ ଯେଭଳି ତାର ସର୍ବୋଚ୍ଚ ସ୍ତରରେ ମଥା ଆସି ବାଡ଼େଇ ହୋଇଛି । ନଚେତ୍‌ ସେଇ ଭଙ୍ଗା ଭଙ୍ଗା ଉପଳଖଣ୍ଡର ଫାଙ୍କ ଦେଇ ସେ ଆଜି ବିଛଣା ଉପରେ ବସି ସେଇ ସର୍ବୋଚ୍ଚ ଚୂଡ଼ାର ନିଃଶବ୍ଦ ବିପ୍ଳବ ଦେଖନ୍ତାନି । ଗାଇଦିଲିଓ ବିପ୍ଳବରେ ରକ୍ତପାତ ନାଇଁ । ନ ଥାଉ, ଭଲ ।

 

କିନ୍ତୁ ମାଶାଙ୍ଗର ଆଉ ଫେରିବାର କୌଣସି ବାଟ ନାହିଁ । ମଧ୍ୟବତ୍ତିର ରକ୍ତରେ ହିଁ ମଧ୍ୟବତ୍ତର ପାପ ପୋଛିଦେବାକୁ ପଡ଼ିବ । ତା’ପରେ କ’ଣ ହେବ ମାଶାଙ୍ଗ ଜାଣେନା । କ୍ଷମତାର ବିଷ ଏକ ହାତରୁ କିମ୍ବା କୋଟି ହାତରୁ ଉବୁକି ପଡ଼ିବ କି ନାହଁ, ତା’ର ଜ୍ୟୋତିଷଗଣନା ମାଶାଙ୍ଗ ଜ୍ଞାନର ସେତେବେଳେ ଏ କ୍ଷମତା ତାକୁ ବହନ କରିବାକୁ ହିଁ ପଡ଼ିବ ।

 

ବିପ୍ଳବୀ ମାଶାଙ୍ଗ ଶୋଇପଡ଼ିଲା । ବଡ଼ କ୍ଳାନ୍ତ ବୋଧ କରୁଛି ସେ । ରାଜନୀତିର ପତାକା ବୋଲି ବଡ଼ ଭାରୀ ବୋଧ ହେଉଛି । ମୁଣ୍ଡର ଗୌରବ-ମୁକୁଟ ବୋଝ ହୋଇପଡ଼ିଛି ତାକୁ । ଧୀରେ ଧୀରେ କହିଉଠିଲା–ଗାଇଓ, ମୁଣ୍ଡଟା ଭାରୀ ଭାରୀ ଲାଗୁଛି ।

 

ମୁଁ ଚିପି ଦେଉଛି ଲୁଚି ଲୁଚି ଏଠି ସେଠି ଘୂରିବାକୁ ପଡ଼ୁଛି ନା ! ତୁମର କଷ୍ଟ ମତେ ବଡ଼ ବାଧୁଛି ମାଶାଂଗ ! ତୁମ କଥା ମତେ ପ୍ରତି ମୁହୂର୍ତ୍ତରେ ଭାବିବାକୁ ପଡ଼ୁଛି ।

 

ଶନିବାର ରାତିରେ ମୁଁ କୋହିମା ଛାଡ଼ି ମଣିପୁର ପାରହୋଇ ଚାଲିଯିବ ଭାବିଛି ଗାଇଓ-!

 

ଗାଇଓ ବୋଲୁଚି–ରାଣୀ କୁହ, ମୁଁ ପରା ରାଣୀ, ତୁମର ରାଣୀ !

 

ଗାଇଓର ହାତଟାକୁ ଟାଣିଆସିଲା ମାଶାଂଗ । ଭାରତ ମାତାର ବିଦ୍ରୋହୀ ସନ୍ତାନ କ୍ରମେ କ୍ରମେ ଭୁଲିବାକୁ ଲାଗିଲା ରକ୍ତର ସ୍ୱାଦ । ମନେହେଲା, ମାଜିଷ୍ଟ୍ରେଟ ସାହେବଙ୍କ ବୁକୁରେ ଗୁଳି ଦୁଇଟା ଯେମିତି ତା ବୁକୁ ଗୋଟାଏ ଗାତ ଖୋଳି ପକାଇଛି । ଇଂରେଜର ଉପନିବେଶ ଖ୍ରୀଷ୍ଟାନିଟି ଭାଙ୍ଗିପଡ଼ିଲେ ମଧ୍ୟ ଏ ଗାତ ବୁଜି ହେବନି । ଏ ଗାତ ବୁଜି ଦେଇପାରେ ଗାଇଦିଲିଓ, ପାରିବ ତାର ପ୍ରେମ ଜାହ୍ନବୀ-। ବିଦ୍ରୋହୀ ବୁକୁରେ ଭାସିଉଠିଲା ଏକ ନୂତନ ମନ୍ତ୍ର । ଗାଇଦିଲିଓର ହାତଟା ନିଜ ବୁକୁ ଉପରେ ରଖି ମାଶାଂଗ କହିଲା, ‘‘କୋହିମାର ବାହାରକୁ ଯାଉଛି–ଏତିକିମାତ୍ର ଜାଣେ । କେଉଁଠିକି ଯାଉଛି, ବାଟ ନ ଧରିଲେ କହି ପାରିବେନି ।’’

 

–ତା’ ହେଲେ ମୋ ସାଙ୍ଗରେ କ’ଣ ତୁମର ଆଉ ଦେଖାହେବନି !

 

ଏ କଥାରେ ଉତ୍ତର ମାଶାଂଗ କ’ଣ ବା ଦେବ ? ଦେଖା ହେବା ନ ହେବା ଭାଗ୍ୟର ଆଇନଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ହାତର ଭୁଲ ଥାଇପାରେ, କିନ୍ତୁ ଭାଗ୍ୟର ଭୁଲ କିଛି ରହି ନ ପାରେ ।

 

ଗାଇଓ ପଚାରିଲା–ଯଦି ଆଉ ଦେଖା ନ ହୁଏ, ତାହାହେଲେ ସମଗ୍ର ଜୀବନ କ’ଣ ନେଇ ରହିବି ମାଶାଂଗ ?

 

ଚାଳିଶ କୋଟି ଜନତା କିଭଳି ରହିଛନ୍ତି, ଗାଇଓ କ’ଣ ଜାଣନା ? ଆଜି ସେ ବ୍ୟସ୍ତ ହୋଉଠୁଚି ନିଜର ଭବିଷ୍ୟତ ଲାଗି । ଗୋଷ୍ଠୀର ଗୌରବରେ ସେ ଗୌରବାନ୍ୱିତ ନୁହେଁ । ବ୍ୟକ୍ତି ଜୀବନ ସ୍ତରଠାରୁ ଗାଇଓ ତାର ସୁଖ ଦୁଃଖର ସଂଖ୍ୟାଗୁଡ଼ିକ ଗଣି ଗଣି ଦେଖିଯାରିଛି ।

 

–ଗୋଟିଏ ସାମାନ୍ୟ ଅନୁରୋଧ କରିବି, ରଖିପାରିବ ମାଶାଂଗ ?

 

–କୁହ ।

 

–ମୁଁ ତୁମକୁ ନିୟନ୍ତ୍ରଣ କରିବାକୁ ଚାହେଁ । ବାବାଙ୍କ ଥିବା ଅବସ୍ଥାରେ ଯାଇ ନ ପାର, କିନ୍ତୁ ଆମଘରକୁ ଯିବାକୁ ହିଁ ପଡ଼ିବ–ମୁଁ ତାର ବ୍ୟବସ୍ଥା କରିଦେବି ।

 

–କିନ୍ତୁ......

 

–କିନ୍ତୁ ଫିନ୍ତୁ କିଛି ନାହିଁ ମାଶାଂଗ । ଭାରତବର୍ଷ ଏକ ତୁଚ୍ଛତମ ଘର, ସେଠି ନାହିଁ ରାଜନୀତି, ନାହିଁ ବିପ୍ଳବର ସଙ୍କେତ । ତଥାପି ଏ ଘରଟା ଭିତରେ ଆମର ଜୀବନ କଟେଇବାକୁ ପଡ଼ିବ । ତୁମେ ନ ଆସିଲେ ଆମର ଏ ଘର ସାମ୍ରାଜ୍ୟରେ ଆଲୁଅ ଜଳିବନି ।

 

–ତା’ ହେଲେ ଶୁକ୍ରବାର ରାତି ସାଢ଼େସାତଟା ବେଳେ ମୁଁ ଯିବି । ଝଲକାର ରେଲିଂ ତିନି ଚାରିଟା ଭାଙ୍ଗି ଦେଇଥିବୁ ।

 

–କାହିଁକି ? ସିଧା ଗେଟ ଦୁଆର ଦେଇ ଆସିବ । ମୁଁ ତୁମ ଲାଗି ଅପେକ୍ଷା କରି ବସି ରହିଥିବି ।

 

ପେନ୍‌ସନ ହୋଲ୍‌ଡ଼ର ଲୁଥର ସାହେବ । ହଠାତ୍‌ ପଶିଆସିଲେ ଘର ଭିତରକୁ । ଆଖିରେ ଦେଖାଗଲା ଚାରିଆଡ଼େ ନୂତନତା, ଭଙ୍ଗ ରଙ୍ଗିମା । ଗାଇଓର ଶୋଇବା ଘରେ ଶେଯ ପଡ଼ିଛି, ମୋଲାୟମ ଶଯ୍ୟା । ବେଶ ସଫା ସୁତୁରା । ବହୁଦିନରୁ ସେ ଝିଅକୁ ଦେଖିବାକୁ ପାଇ ନଥିଲେ । ମନରେ ଖୁସି ଝିଅ ଫେରିଛି ।

 

ଖଟର ପାଖକୁ ଘଷିହୋଇ ଠିଆ ହେଲେ ସେ ଠିକ୍‌ ଦୁଆର ପାଖରେ । ବଗିଚା ଗୋଟାକ ବେଶ୍‌ ପରିଷ୍କାର । ରଜନୀଗନ୍ଧାର ଶିରଦେଶ ବେଶ ପବନରେ ଦୋହୁଲୁଚି । ଯୁଇ ଓ ମଲ୍ଲୀର ସୌରଭ ଛୁଟିଚି ଏକା ସାଙ୍ଗରେ । ଗାଇଓ ଚଡ଼ା ଆଉ ଇିମିତି ଘର କିଏ ବା ସକେଇବ ? ହୋଟରେଲର କକ୍‌ଟେଲରେ ମଧ୍ୟ ଏଭଳି ଗନ୍ଧ ମିଳେନା । ମିଳେନା ସମାଜର କୌଣସି ସ୍ତରରେ ମଧ୍ୟ । ଶିକ୍ଷା ଓ ସଭ୍ୟତାର ସର୍ବୋଚ୍ଚ ସ୍ତରରେ ମଧ୍ୟ ଯୁଇ ଓ ମଲ୍ଲୀର ସମ୍ମିଶ୍ରଣ ଖୋଜି ସୁଦ୍ଧା ସମ୍ଭବ ହୋଇପାରିଲା ନାହିଁ ।

 

ଝରକାର ଫାଙ୍କ ଦେଇ ହାତଟାକୁ ଲମ୍ୱେଇ ଦେଲାମାତ୍ରେ ଲାଗିଲା ଗୋଟାଏ ମାଧବୀଲତାର ଡ଼ାଳ । ଟାଣି ଧରିଥିଲେ ଲୁଥର ସାହେବ । ହୁଏତ ଆଉ ମାଧବୀଲତାର ଆସି ଲୋଟିପଡ଼ିବ ଗାଇଦିଲିଓ ପାଦ ପାଖରେ । ମାଧବୀଲତା ଭଳି ଗାଇଓ ବଢ଼ି ଚାଲିଚି ଉପରକୁ ଉପରକୁ । ବଢ଼ୁ ବଢ଼ୁ; ଆଉରି ବଢ଼ୁ । ଶୁକ୍ଳ ଶୁଭ୍ର ବିଛଣାରେ ଚାଦରଟା ଉପରେ ହାତକୁ ପ୍ରସାରିଦେଇ ଲୁଥର ସାହେବ ମନେ ମନେ ଝିଅକୁ ପ୍ରତିଶ୍ରୁତି ଦେଲେ–ଯେ କୌଣସି ଦିନ ଗାଇଓର ପ୍ରଗତିପୁଷ୍ଟ ସ୍ରୋତରେ ବାଧା ସୃଷ୍ଟି କରିବେନି । ଏଇ ମାଧବୀଲତା ଛଡ଼ା ନିରୁକ୍ତ ପ୍ରତିଶ୍ରୁତିର ସାକ୍ଷୀ ରହିଲେ ନାଇଁ କେହି ହେଲେ । ମାନବ ସଭ୍ୟତାର ସବୁଠାରୁ ବଡ଼ ପ୍ରତିଶ୍ରୁତି ମର୍ମ ଉଦ୍‌ଘାଟନ କଲେ ଲୁଥର ସାହେବ ମାଧବୀଲତାର କାନେ କାନେ ।

 

ଘରର ଗୋଟିଏ କୋଣରେ ଖଣ୍ଡିଏ ସଉପପଟି ଗୁଡ଼ା ହୋଇ ରଖାହୋଇଚି । ଶୀତଳପଟଟି ବି ନୁହେଁ–ଅତି ରୁକ୍ଷ ଓ ଶସ୍ତା ଦରର ଏ ପଟି । ସେ ବୁଝିପାରିଲେ–ଗାଇଓ ଖଟ ତାହାହେଲେ ବ୍ୟବହାର କରେନା । ବର୍ମାସାଗୁଆନ ଓ ପଣସ କାଠର ଖଟ ପରିତ୍ୟକ୍ତ ହୋଇଚି ଓ ଅବହେଳାରେ । କିନ୍ତୁ ଏ ଅବହେଳା କାହିଁକି ?

 

ଟେବୁଲ ଉପରେ ଶେଯ ପାରି ହୋଇପଡ଼େ ଗାଇଓ । କୃଚ୍ଛ୍ର ସାଧନାର ଚରମ ସ୍ତର । ମାଧବୀଲତାର ସଭ୍ୟତା ଗତ ହୋଇଚି । ବର୍ତ୍ତମାନ ସେ ନୂତନ ସଭ୍ୟତା ଗଢ଼ି ଚାଲିଛନ୍ତି । ଏ ସଭ୍ୟତାର ଗତି ନିମ୍ନଗାମୀ । ସାମାଜିକ ସ୍ତରଗୁହାରେ ଏହା ଆବଦ୍ଧ । ପଦଚାଳିତ କରି ମାନବ ପ୍ରେମର ମୁକ୍ତ ମୁହୂର୍ତ୍ତଗୁଡ଼ାକ ହିଁ ମାନବତାକୁ ଟେକିରଖେ ଆଇନର ଶିରସ୍ତ୍ରାଣ ଦେଇ । ଏହି ବାଣୀରେ ରହିଛି ଅସଂଖ୍ୟ ମାରଣାସ୍ତ୍ର ଶବ୍ଦକୋଷ । ଅପରିପକ୍ୱ, କଷି ପୃଥିବୀଟାକୁ କାଟି ଟିକି ନିଖି କରିବାର ପ୍ରୟୋଗ କୌଶଳ ରହିଚି ଏହାର ପ୍ରତ୍ୟେକ ଶବ୍ଦରେ । ସେଇଥିଲାଗି ବୋଧହୁଏ ପୃଥିବୀଟା ଜୁଆନ ହୋଇପାରିଲା ନାହିଁ–ମୋଡ଼ି ମୋଡ଼ି ପଡ଼ିରହିଲା କୋଟି କୋଟି ଲୁଥରଙ୍କ ପାଦତଳେ ।

 

ସେ ଏଥର ଟେବୁଲ ଉପରୁ ଦୃଷ୍ଟି ଉଠେଇ ଆଣିଲେ ଗାଇଓର ଲେଖାପଢ଼ା ଛୋଟ ଟେବୁଲଟା ଆଡ଼କୁ । ଗାଇଓର ଗୋପନ ଜୀବନ ସ୍ପଷ୍ଟତର ହୋଇଉଠିଲା । ମାଶାଙ୍ଗର ଆଲୋକ ଚିତ୍ରକୁ ଦେଖି ସେ ଅବାକ୍‌ । କେଉଁଠି ଏ ଲୋକଟାକୁ ତାଙ୍କର ଦେଖିଲା ଭଳି ମନେହେଲା । ଓଃ, ହଁ ମନେପଡ଼ୁଛ–ଖବର କାଗଜ–ଦେଶୀ ବିଦେଶୀ ଖବର କାଗଜମାନଙ୍କରେ । ମାଶାଙ୍ଗ–ହଁ ତ, ଏହି ସେଇ ମାଶାଙ୍ଗ–ଫେରାଇ ଆସାମୀ । ଗାଇଓ ତାକୁ ଭଲପାଏ ବୋଧେ ?

 

ଶୁକ୍ରବାର ରାତିରେ ମାଶାଂସ ଗାଇଓ ସହିତ ଦେଖା କରିବାକୁ ଆସିବ ବୋଲି କଥା ଦେଇଛି । ସେଇଥିଲାଗି ସକାଳୁ ରନ୍ଧାରନ୍ଧି ଲାଗି ବଡ଼ ବ୍ୟସ୍ତ ହୋଇପଡ଼ିଥିଲା ଗାଇଓ । ସେ ନିଜେ ହାତରେ ରୋଷେଇ କରିବ । ଆଗରେ ବସି ଖୁଆଇବ ମାଶାଂଗକୁ । ସକାଳେ ବାପାଙ୍କ ପାଖରୁ ଦଶଟା ଟଙ୍କା ମାଗିବାକୁ ଗଲାବେଳେ ସାହେବ ପଚାରିଲେ–ଟଙ୍କା କଅଣ ହେବ ମା ?

 

–ବଜାରରେ ଆଜି ଟିକିଏ ବେଶୀ ଟଙ୍କା ଲାଗିବ ।

 

–କାହିଁକି ?

 

–ମୋର ଜଣେ ବନ୍ଧୁ ଆସିବେ, ନିୟନ୍ତ୍ରଣ କରିଛି ।

 

–ବନ୍ଧୁ ଜଣକ କିଏ ?

 

–ତୁମେ ଚିହ୍ନିବନି ବାବା ।

 

–ବେଶ୍‌, କେତେବେଳେ ସେ ଖାଇବାକୁ ଆସିବ ?

 

–ରାତିରେ ।

 

–ବେଶ୍‌ ଭଲ, ତେବେ ଦଶ ଟଙ୍କାରେ କ’ଣ ଚଳିଯିବ ? ଏଇ ନେ ପଚାଶ ଟଙ୍କା ।

 

ସେଦିନ ଗାଡ଼ି ଚଳେଇ ସାହେବ ଘର ବାହାରକୁ ଗଲାବେଳେ ଘର ସାମନାରେ ଡାକ ପକାଇଲେ–ଦରଓ୍ୟାନ୍‌ !!

 

–ହଜୁର ।

 

–ରାତମେ ଦୋ ଚାର୍‌ ଡ଼ାକୁ ଚଲ୍‌ତା ହୈ ଫାଟକ୍‌କା ଇଧର ଉଧର ।

 

–ଚଲତା ହୈ ହଜୁର ।

 

–ତୁମ୍‌ କ୍ୟା କର୍‌ତା ହୈ ?

 

–କୋଇ ଡାକୁକୋ ହାମ୍‌ ଫାଟକ୍‌ ମୋ ଘୁଷାତା ଦେଗା ନେଇଁ ।

 

–କାହେ ?

 

–ଡାକୁ ତୋ ଡାକୁ ହାୟ ହଜୁର ।

 

–ଠିକ୍‌ ବାତ୍‌ ହୈ, କିସ୍‌କେ ଘୁଷ୍‍ନେ ମତ ଦୋ ।

 

–ନେଇଁ ହଜୁର ! ମଗର୍‌–

 

ଚନ୍ଦନ ସିଂ ଆଗେଇ ଆସିଲା ସାହେବଙ୍କ ପାଖକୁ । ମଗର୍‌ ଗାଇଓ ବହେନ୍‌ ବୋଲାହୈ ରାତ୍‌ମେ ଏକ୍‌ ବାବୁ ଆୟୋଗା ।

 

–କିତ୍‌ନା ରାତ୍‌ମେ ?

 

–ବୋଲା ହୈ–ସାଢ଼େ ସାତ୍‌ ବାଜେ ।

 

ନିଶଃବ୍ଦରେ ସାହେବ ଆସି ଗାଡ଼ିରେ ବସିଲେ । ଚନ୍ଦନ ସିଂ ମନରେ ଅନୁତାପ । ଗାଇଓକୁ କଥା ଦେଇଥିଲା–ମାଶାଂଗ ଆସିବାର ଖବର ସେ କାହାରିକି କହିବିନି । କଥାର ଇଜ୍ଜତ ସେ ରଖିପାରିଲା ନାହିଁ । କଥା ଦେଇ ଯେ କଥା ରଖିପାରେ ନା, ସେ ଡାକୁଠାରୁ ବଳି ଡାକୁ ।

 

ରାତି ୧୦ଟା ପୂର୍ବରୁ ସାହେବ ଘରକୁ ଫେରନ୍ତିନି । ଗାଇଓ ଏ କଥା ଭଲ ଭାବରେ ଜାଣେ । ଆଉ ସେ ତ କେବେହେଲେ ଆସନ୍ତିନ ଗାଇଓର ଶୋଇବା ଘରକୁ । ଦରକାର ଥିଲେ ଡକେଇ ପଠାନ୍ତି । ସନ୍ଧ୍ୟା ପୂର୍ବରୁ ଗାଇଓର ରନ୍ଧା ଶେଷ । ପ୍ରତ୍ୟେକ ଆଇଟମ୍‌ ଭିତରେ ପ୍ରୀତି ଓ ପ୍ରେମର ପରିମାଣ ଆଜି ଯେମିତି ଉବୁରି ପଡ଼ୁଚି । ଏମିତି ମନପ୍ରାଣ ଦେଇ କେବେ କୌଣସି ଦିନ ରାନ୍ଧି ନ ଥିଲା ସେ । ମାଶାଂସ ଲାଗି ସେ ପାରିବିନି ଏଭଳି କୌଣସି କାମ ସଂସାରରେ ନାହିଁ ଯିମିତି । ଖାନ୍‌ସମାକୁ ସେ ଆଜି ଛୁଟି ଦେଇଚି । ଗାଇଓର ହୁକୁମ–ତୁମ ସମସ୍ତଙ୍କୁ ଆଜି ମୁଁ ମୋର ହାତର ରନ୍ଧା ଖୁଆଇବି ।

 

ସନ୍ଧ୍ୟା ପରେ ମାଶାଂଗ ଲାଗି ପ୍ରସ୍ତୁତ ଖାଦ୍ୟଗୁଡ଼ାକୁ ଅଲଗା କରି ବାସନରେ ରଖି ଆସନ ଆଗରୁ ପକେଇ ଦେଇଥିଲା ସେ ନିଜେ ।

 

ବାରଣ୍ଡାର ୱାଲ-କ୍ଳକ୍‌ରେ ପ୍ରାୟ ସାଢ଼େ ସାତଟା ବାଜିବା ଉପରେ । ବାରଣ୍ଡାରୁ ଫାଟକଟା ପରିଷ୍କାର ଦେଖାଯାଏ । ଗାଇଓ ମାଶାଂଗକୁ ଅନୁରୋଧ କରି କହିଛି ସାମନା ଫାଟକ ଦେଇ ଆସିବାକୁ । ତା ଜୀବନରେ ସର୍ବଶ୍ରେଷ୍ଠ ‘‘ହୀରୋ’’ ଆସିବ ମଥାକୁ ଉଚ୍ଚ କରି–ଏଇ ପ୍ରଶସ୍ତ ରାସ୍ତା ଦେଇ । ଗାଇଓ ଦେଖିବ ବାରଣ୍ଡାରେ ଠିଆହୋଇ ସେଇ ଉଚ୍ଚ ମଥାକୁ ।

 

ଘନ ଜଙ୍ଗଲ–ତା ସାଙ୍ଗକୁ ରାତି । ଘନ ଅନ୍ଧକାର ଦେଇ ବାଟକାଟି ଚାଲିଚି ମାଶାଂଗ । ପକେଟରେ ଗୋପନ ପିସ୍ତଲ ଉପରେ ହାତ ରଖିଲା ସେ । ମନେହେଲା ପିସ୍ତଲର ମୁହଁ ଓଦା ଓଦା ଲାଗୁଚି । ମାନବପ୍ରେମର ନୂତନ ମନ୍ତ୍ର ଉତ୍ତାପ ବୋଧହୁଏ ପିସ୍ତଲଟା ଆଉ ସହ୍ୟ କରିପାରୁନି । ଦୁଇ ଜଣ ଇଂରେଜ ବୁକୁର ରକ୍ତ ଗଳି ପଡ଼ୁଛି ଯେମିତି ପିସ୍ତଲ ମୁହଁ ଦେଇ ।

 

ଗାଇଓ ସହିତ ସାକ୍ଷାତ କରିବା ଲାଗି ତ’ ପ୍ରାଣ ବ୍ୟସ୍ତ ହୋଇଉଠୁଥାଏ । ଛୋଟ ସରୁ ସରୁ ରାସ୍ତା ପାରହୋଇ ଆସିଲ ପ୍ରଧାନ ରାସ୍ତା ଉପରକୁ । ପିସ୍ତଲର ପ୍ରୟୋଜନ ଆଉ ନାହିଁ ବୋଲି ସେ ମନେ ମନେ ଭାବି ନେଇଥିଲା ଆଗରୁ । ଗାଇଓ ସାଙ୍ଗରେ ଥିଲେ ସେ କାହାରିକି ହେଲେ କେବେ ଭୟ କରେନା । ପ୍ରେମ ଯେଉଁଠି ଶୁଦ୍ଧ, ନିର୍ମଳ, ସେଠି ପରାଜୟର ବା ସ୍ଥାନ କାହିଁ ? କଟିଦେଶରୁ ଝିଙ୍କିନେଇ ଫୋପାଡ଼ିଦେଲା ପିସ୍ତଲଟା ଗଭୀର ଉପତ୍ୟକା ଭିତରକୁ । ଭୟଶୂନ୍ୟ ମନ ନେଇ ସେ ମଥା ଉଚ୍ଚ କରି ସାମନା ଫାଟକ ଦେଇଯିବ ତାର ପ୍ରିୟତମା ସହିତ ଦେଖା କରିବାକୁ । ଏ ଉଚ୍ଚ ମଥାରେ ନ ଥିବ ବିନ୍ଦୁଏ ବୋଲି କ୍ଷମତାର ଗର୍ବ । ବିନୟାବତନ ଶିରରେ ମାଶାଂଗ ଉଡ଼େଇ ଦେଲା ନୂତନ ମନ୍ତ୍ରର ଜୟପତାକା ।

 

ଟିକିଏ ଦୂରରୁ ସେ ଗାଇଓ ଘରର ଫାଟକଟା ପାଖରେ ଦେଖିବାକୁ ପାଇଲା ଦରଓ୍ୟାନ ଚନ୍ଦନସିଂଙ୍କୁ । ଅଟକିଗଲା ମାଶାଙ୍ଗ । ରାସ୍ତା ଉପରୁ ଦୁଇଟା ଲୋକ ସନ୍ଦେହଜନକ ଭାବରେ ଚାଲିଗଲା ନା କ’ଣ ? ଏମାନେ ବୋଧହୁଏ ଫାଟକ ଆଡ଼କୁ ଚାଲିଛନ୍ତି । ହୁଏତ ଏମାନେ ଶିକାର ଖୋଜି ବୁଲୁଛନ୍ତି । ସହସା ମାଶାଙ୍ଗ ରକ୍ତରେ ଝଡ଼ ଉଠିଲା । ସାମ୍ରାଜ୍ୟବାଦୀ ଇଂରେଜ ଜାତି ବୁକୁରେ ଚାଳି ଛାଡ଼ିବା ଲାଗି ପାଗଳ ହୋଇଉଠିଲା ସେ । କିନ୍ତୁ ପିସ୍ତଲ ? ସିଏତ ଆଉ ନାହିଁ–ଫୋପାଡ଼ି ଦେଇ ଆସିଚି ସେ ଉପତ୍ୟକା ଭିତରେ । ପୃଥିବୀର ଏହି ପ୍ରପଞ୍ଚ ଆବିଷ୍କାରଟାକୁ ସେ ଫୋପାଡ଼ି ଦେଇ ଆସଚି–ଭଲ କରିଚି ।

 

ଦୂରରୁ ଦେଖିଲା ଫାଟକ ଆଗରେ ଦୁଇଟା ଆଲୋକପିଣ୍ଡୁଳା । ଦୂରରୁ ମନେହୁଏ ଲୁଥର ସାହେବଙ୍କ ପରେ ଗୋଟାଏ ମସ୍ତ ଉତ୍ସବର ଆୟୋଜନ । ବିଶିଷ୍ଟ କୌଣସି ଅତିଥି କରି ରହିଚି ସମଗ୍ର ଘରଟା । ଏପରି ନିରୁବେଦଗ୍‌ ନିର୍ଭାବନାରେ କେବେ ଜୀବନରେ ବାଟ ଚାଲି ନଥିଲା ମାଶାଙ୍ଗ ।

 

ଫାଟକ ଭିତରକୁ ଆଉ ପ୍ରବେଶ କରିପାରିବିନି ମାଶାଙ୍ଗ । କୁଆଡ଼ୁ କେଜାଣି ପାଞ୍ଚ ସାତ ଜଣ ପୁଲିସ୍‌ ମାଡ଼ି ଆସିଲେ–ଆରେଷ୍ଟ କଲେ ମାଶାଙ୍ଗକୁ । ଚନ୍ଦନସିଂ ଦେଖିବାକୁ ପାଇଲା ମାଶାଙ୍ଗ ଖସି ଚାଲିଯିବାର କୌଣସି ଚେଷ୍ଟା ସୁଦ୍ଧା କଲାନି–ଯେମିତି ଧରାପଡ଼ିବା ଲାଗି ଆଗରୁ ସେ ପ୍ରସ୍ତୁତ ହୋଇ ଆସିଥିଲା । ଉଚ୍ଚ ଶିରରେ ସେ ଦଣ୍ଡାୟମାନ ହୋଇ ରହିଲା ଠିକ୍‌ ହାରୋ ଭଳି । ତିଳେ ହେଲେ ଚଞ୍ଚଳତା ପ୍ରକାଶ ପାଇଲାନି ତାର ଅଙ୍ଗପ୍ରତ୍ୟଙ୍ଗରେ । ପୁଲିସର ବଡ଼ କର୍ମଚାରୀମାନେ ପିସ୍ତଲ ଟେକି ଧରିଥାଆନ୍ତେ ତା ବକ୍ଷଉପରକୁ ଲକ୍ଷ୍ୟ କରି । ମାଶାଙ୍ଗ କିନ୍ତୁ ସେସବୁ କିଛି ଦେଖିବାକୁ ପାଉନି । ସେ ଖାଲି ଚାହିଁଚି ବାରଣ୍ଡା ଆଡ଼କୁ–ଠିଆହୋଇ ରହିଛି ଗାଇଦିଲିଓ ।

 

ମୁହୂର୍ତ୍ତକ ଭିତରେ ପୁଲିସ ଗାଡ଼ି ଆସି ପହଞ୍ଚଥିଲା । ହାତକଡ଼ା ପିନ୍ଧା ଦିଆଗଲା । ଅଣ୍ଟାରେ ଦଉଡ଼ି । ଯେ ଯିମିତି ତା ଦେହର ସବୁତକ ଛାଡ଼ି ଦେଇଚି ପୁଲିସ ହାତରେ । ଯାହା ଇଚ୍ଛା ସେମାନେ କରନ୍ତୁ ପଛକେ–ମାଶଙ୍ଗ ଖାଲି ଚାହିଁବାକୁ ଦିଅନ୍ତୁ ବାରଣ୍ଡାକୁ । ଗୋଟାଏ ଦୀର୍ଘ ନିଶ୍ୱାସ ଛାଡ଼ି ମାଶାଙ୍ଗ ଉଠିଆସିଲା ପୁଲିସ ଗାଡ଼ି ଭିତରକୁ ।

 

ଗାଇଓକୁ ଉପର ବାରଣ୍ଡା ଉପରୁ ଖସିଆସିଲା ତଳକୁ । କ’ଣ ଗୁଡ଼ାଏ କହୁ କହୁ ହାତ ଗୋଡ଼ ଯିମିତି ତାର ଅବଶ ହୋଇଉଠିଲା ଏକାବେଳକେ ।

 

କେହି ଯିମିତି ତା’ କାନରେ ଆସି କହିଗଲା–ମାଶାଙ୍ଗକୁ ଧରେଦେଲୁ ଆମେମାନେ ।

 

ଚମକି ଉଠିଲା ଗାଇଓ–କ’ଣ ହେଲା ? ଧରେଇଦେଲୁ ଆମେମାନେ ?

 

କ’ଣ କେଜାଣି ମନେକରି ଗାଇଓ ପୁଣି ଉଠିଆସିଲା ଦୋତାଲାକୁ । ନିଜ ଘର ଭିତରକୁ ପଶି ଆସି ପ୍ଳେଟ ଦେହରୁ ଉଠେଇନେଲା ଗୋଟାଏ ସନ୍ଦେଶ–ଟେବୁଲ ଉପରୁ ଟାଣି ଆଣିଲା ମଲ୍ଲୀଫୁଲର ମାଳା, ପୁଣି ଫେରିଆସିଲା ତଳକୁ । ଠିଆ ହେଲା ଆସି ଫାଟକ ଆଗରେ–କେହି ତ କାହିଁ ନାହାନ୍ତି..... ।

 

କେବଳ ଠିଆ ହୋଇ ରହିଛି ଦରଓ୍ୟାନ ଚନ୍ଦନସିଂ । ଡାହାଣ ହାତଟା ମୁଣ୍ଡ ଉଠେଇ ସେ ରାସ୍ତାକୁ ଆଡ଼କୁ ସଲାମ ଜଣାଉଛି–ବୋଧହୁଏ ଗାଡ଼ିଟାକୁ । ଗାଡ଼ିଟାରେ ସେଦିନ ବସିଥିଲା ମାଶାଙ୍ଗ । ନୂତନ ଏକ ବିପ୍ଳବର ମନ୍ତ୍ର ନେଇ ବିଦ୍ରୋହୀ ମାଶାଙ୍ଗ ଆସି ପ୍ରବେଶ କଲା ଇଂରେଜ କାରାଗାର ଭିତରେ । ତାର ବିଚାର ହେବ–ବିଚାର ଫଳ ଉପରେ ଆଉ ବୋଧହୁଏ କିଛି ନିର୍ଭର କରେନା । ଗାଇଓ ତାର ନିଜର ଭବିଷ୍ୟତ ଦେଖିବାକୁ ପାଇଛି ।

 

ଲୁଥର ସାହେବ ଫେରିଲେ ରାତି ଏଗାରାଟାରେ । ଦେଖିଲେ ତଳେ ଲୋଟିପଡ଼ିଛି ଅଳିଅଳ କନ୍ୟା ଗାଇଓ । ପଡ଼ୁ ଲୋଟି ପଡ଼ୁ । କେତେ ଦିନ ବା ସେ ପଡ଼ିରହିବ ? ଆଜି ନୁହେଁ କାଲି, କାଲି ନୁହେଁ ପଅରଦିନ ତାକୁ ଉଠିବାକୁ ହିଁ ପଡ଼ିବ । ଲୋଟି ପଡ଼ି ରହିବା ମଣିଷର ସ୍ୱଭାବିରୁଦ୍ଧ କାର୍ଯ୍ୟ–ଇଏ ଗୋଟାଏ ବିଶେଷ ମୁହୂର୍ତ୍ତର ଭଙ୍ଗୀ–ଜୀବନ ଦ୍ୱନ୍ଦରେ ସ୍ଥାୟିତ୍ୱ ଏଥିରେ ନାହିଁ ।

 

ନିଜ ଘର ଭିତରକୁ ଆସି କୋଟର ବୋତାମ ଖୋଲୁ ଖୋଲୁ ସ୍ୱତଃସିଦ୍ଧ ଭାବରେ ସେ ସ୍ଥିର କଲେ–ରାଷ୍ଟ୍ର ଓ ସମାଜ କୌଣସି ଗୋଟିଏ ହେଲେ ନାରୀର ବ୍ୟକ୍ତିଗତ ଅନିୟମକୁ ନିୟମ ବୋଲି ମାନି ନେଇ ପାରେନା । ଖୁଣୀକୁ କ୍ଷମା କରାଯାଇପାରେନା ବିଚାର ଅଦାଲତାରେ ଅନୁମତି ବ୍ୟତୀତ । ଯାହା ହୋଇଛି ଭଲ ହୋଇଛି । ସାରାଜୀବନ ଆସାମୀ ହୋଇ ରହୁଥାନ୍ତା ମାଶାଙ୍ଗ । କୌଣସି ଦିନ ସୁଖର ସଂସାର ଗଢ଼ି ତୋଳି ପାରି ନ ଥାଆନ୍ତା । ବିଚାରର ସୁଯୋଗ ପାଇଚି ସେ । ବିଚାରର ସମସ୍ତ କିଛି ବ୍ୟୟଭାର ସେ ନିଜେ ବହନ କରିବେ । ଫୌଜଦାରୀ ଆଇନର ସବୁଠାରୁ ବଡ଼ ବିଶେଷଜ୍ଞମାନଙ୍କୁ ଅର୍ଥ ଦେଇ ସେ ନିଯୁକ୍ତ କରିବେ । ଏହାଠୁ ବଳି ବେଶି ସୁବିଧା କେଉଁ ସ୍ନେହାନ୍ଧ ପିତା ଦେଇପାରନ୍ତା ?

 

ମାଶାଙ୍ଗର ଫାଶି ହୁକୁମ ହେଲା । ବୋଧହୁଏ ବୟସ ବେଶି ହୋଇନି ବୋଲି ଲାଟସାହେବ ଫାଶି ହୁକୁମ ମଞ୍ଜୁର କଲେ ନାହିଁ । ଦେଲେ ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡ ।

 

ସେଦିନ ସନ୍ଧ୍ୟାବେଳେ ମିଃ ଲୁଥର ପଚାରିଲେ–ଆଜିର କାଗଜ ପଢ଼ିବୁ ମା ?

 

–କାଗଜ, କି କାଗଜ ବାବା ?

 

–ଦୈନିକ ଖବର କାଗଜ ।

 

–ନା, ମୁଁ ଖବର କାଗଜ ପଢ଼ା ବନ୍ଦ କରିଦେଇଛି ।

 

–କାହିଁକି ମା ?

 

–କାହିଁକି ଯେ ଛାଡ଼ି ଦେଇଛି ଠିକ୍‌ ମନେ ପଡ଼ୁନି ।

 

–କାରଣ ତ ନିଶ୍ଚୟ ଗୋଟାଏ କିଛି ଥିବ !

 

–ଗୋଟାଏ କାହିଁକି ବହୁତ । କିନ୍ତୁ ଆଜିକାର କାଗଜ ପଢ଼ିବା କଥା କାହିଁକି ପଚାରିଲେ ବାବା ।

 

ସାହେବ ଟିକିଏ ଚୁପ୍‍ ରହିଲେ; ତାପରେ କହିଲେ–ମାଶାଙ୍ଗର ବିଚାର ହେବ ଏକ ସ୍ପେଶାଲ ଟ୍ରିବ୍ୟୁନାଲରେ । ଭଗବାନଙ୍କର ଦୟା ନାହିଁ, ଥିଲେ ବିଚାରର ଭାର ପଡ଼ିନ୍ତାନି ସେଇ ଫାଶି ଜଳଟା ଉପରେ ।

 

‘‘ଫାଶିର ଜଜ?’’ ବଡ଼ ବ୍ୟତିବ୍ୟସ୍ତ ହୋଇପଡ଼ିଲା ଗାଇଓ ।

 

ଛଅ ମାସ ପରେ ଗାଇଓ ଶୁଣିବାକୁ ପାଇଲା–ମାଶାଙ୍ଗ ଆନ୍ଦାମାନ ଯାଉଛି । ନୂତନ ଦେଶ, ନୂତନ ଆବହାୱା, ନୂତନ ପରିବେଶ, ତାକୁ କେତେ ଭଲ ଲାଗିବ ଗାଇଓ ଜାଣେନା । ସମ୍ଭବ ବି ନୁହେଁ ।

 

ମାଶାଙ୍ଗ ଯିବାର କିଛିଦିନ ପରେ ଗାଇଓ ଯାଇଥିଲା ବ୍ରହ୍ମପୁର କୂଳକୁ ବୁଲି । ଏକା ଏକା-। ବୁଢ଼ା ଡ୍ରାଇଭରଟା ଗାଡ଼ିରେ ବସିଥିଲା । ବ୍ରହ୍ମପୁର ଜଳ ଅତି ଶାନ୍ତ ମନେହେଲା ତାକୁ । ସ୍ରୋତ ଅଛି, ତରଙ୍ଗ ନାହିଁ । ଜଳ ତାକୁ ଟାଣେ, ଟାଣେ ତାକୁ ମାଶାଙ୍ଗର ଅଣ୍ଟାରେ ବନ୍ଧା ହୋଇଥିବା ଦଉଡ଼ିଟା ।

 

ସିଂହ ଭଳି ସରୁ ଅଣ୍ଟାଟିଏ ମାଶାଙ୍ଗର । ବୁକୁର ଚଉଡ଼ା ଛାତିଟା ଥିଲା ଲୁହା ଭଳି ଅତି ଟାଣ । ଲମ୍ୱା ଲମ୍ୱା ଆଙ୍ଗୁଠିଗୁଡ଼ାକ ଦେଖିଲେ ତାର ମନେ ହେଉଥିଲା ମାଶାଙ୍ଗ ଗୋଟିଏ ଶିଳ୍ପୀ । ଭଗବାନଙ୍କ ଇଚ୍ଛା ନ ଥିଲା ଏ ଆଙ୍ଗୁଠିଗୁଡ଼ାକ ପିସ୍ତଲ ସ୍ପର୍ଶ କରୁ ବୋଲି । ତଥାପି ତା ହେଲା । ଭାଗ୍ୟର ନେଇ ଲୁଥର ସାହେବଙ୍କର ସବୁବେଳେ ଚିନ୍ତା; କିନ୍ତୁ ଗାଇଓ ପାଖରେ କୌଣସି ରହସ୍ୟ ନାହିଁ । ଶକ୍ତିଶାଳୀ ମୁଠା ମଧ୍ୟରେ ଦୁର୍ବଳମାନେ ଚିରଦିନ ରହସ୍ୟର ସନ୍ଧାନ ପାଇଥାଆନ୍ତି । କ୍ଷମତା କାରବାରରେ ଆବଦ୍ଧ ମଣିଷର ଭାଗ୍ୟରେଖାରେ ଦେଖିବାକୁ ମିଳେ ରହସ୍ୟର ଅଙ୍କ । ଭୁଲ ଅଙ୍କ ପଛରେ ଗାଇଓ ଛୁଟିବନି, ସମୟସ୍ରୋତରେ ସେ ନିଜ ଦେହକୁ ଭସେଇ ଦେବନି ବିନା ପ୍ରତିବାଦରେ । ସେ ବିପ୍ଳବ କରିବ । ମାଶାଙ୍ଗର ବିଦ୍ରୋହାଗ୍ନିକୁ ତେଜୀୟାନ ରଖିବ ଜୀବନ ସାରା–ଘର ଛାଡ଼ିବ, ବିଳାସ ଛାଡ଼ିବ, ଜୀବନର ସବୁ କିଛି ଛାଡ଼ିଦେଇ ସେ ପଶିଯିବ ସେି ବଣ ଜଙ୍ଗଲ ଭିତରେ । ଗୁହା ଗହ୍ୱରର ମଣିଷଗୁଡ଼ାକ ଦେହରେ ଦେହକୁ ଘଷି ସେ ବରଫ ଭିତରେ ତ ଅଗ୍ନିକୁ ସ୍ଫୁଲିଙ୍ଗ ଦେଖିବ–ଦରକାର ହେଲେ ସେ ବି ଫାଶିଖୁଣ୍ଟରେ ଝୁଲିବା ପାଇଁ ନିଜକୁ ପ୍ରସ୍ତୁତ କରିବ-

 

ସେଇଦିନଠାରୁ ଗାଇଓ ଚାଲିଚି ଗାଁରେ ବିଦ୍ରୋହ ଦିହୁଡ଼ି ଜଳେଇ । ଲୁଚା ଛପା କାରବାର । ଲାକେମା ସରକାରୀ ଗେଷ୍ଟହାଉସ ପାଖରେ କ୍ୟାମ୍ପ ପଡ଼ିଥାଏ । କୁକୀ ଚୌକୀଦାରର ବିଶ୍ୱାସଘାତକତା ହେତୁ ସେଦିନ ଗାଇଓ ଶୃଙ୍ଖଳିତା ହେଲା ଅର୍ଦ୍ଧରାତ୍ରି । ଗାଇଦିଲିଓ ଗିରଫଦାରୀରେ ଚାଞ୍ଚଲ୍ୟ ଖେଳିଉଠିଲା ସେଦିନ ନାଗା ପାହାଡ଼ରେ । ଗିରଫ କରି ପୁଲିସ ପଠେଇ ଦେଲେ କୋହିମାକୁ । ବିଚାରରେ ବିପ୍ଳବିନୀର ଦଣ୍ଡାଦେଶ ହୁଏ ଚଉଦ ବର୍ଷ କାଳ । ସଶ୍ରମ କାରାଦଣ୍ଡ । ଏପରି ଜଣେ ତରୁଣୀର ଅପୂର୍ବ ବୀରତ୍ୱ କାହାଣୀ କୌଣସି ସମ୍ୱାଦପତ୍ରରେ ପ୍ରକାଶିତ ହୋଇ ନଥିଲା । କାରଣ ନାଗା ଅଞ୍ଚଳରେ ପ୍ରବେଶାଧିକାର ଥିଲା ସମ୍ପୂର୍ଣ୍ଣ ନିଷିଦ୍ଧ ଓ ସରକାରୀ ନିୟନ୍ତ୍ରିତ । ବିଦେଶୀ ରିପୋର୍ଟ ଏବଂ କାହାଣୀରେ ଡାହାଣୀ ଏବଂ ଯାଦୁକାରିଣୀ ଭାବରେ ଗାଇଦିଲିଓ ଅଭିହିତ କରାଯାଇଚି । ଦେଶର ଲୋକେ ଏଇ ନାଗା କୁମାରୀର ସ୍ୱାଧୀନତା-ସଂଗ୍ରାମର ଅସୀମ ସାହସିକ ବିବରଣୀ ପ୍ରଥମେ ଶୁଣିବାକୁ ପାଇଲେ ଜବାହଲାଲ ନେହେରୁଙ୍କଠାରୁ-। ୧୯୪୭ ସ୍ୱାଧୀନତା ଦିବସରେ ସେ ନାଗାମାନଙ୍କର ସ୍ୱାଧୀନତାପ୍ରିୟତାର ପ୍ରଶଂସା କରିଥିଲେ ଅକୁଣ୍ଠିତ ଚିତ୍ତରେ । ପରେ ଘଟଣାଚକ୍ରରେ ସ୍ୱାଧୀନତା ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ଶେଷରେ ନାଗା ଉପଜାତି ବିରୁଦ୍ଧରେ ସାମରିକ ଅଭିଯାନ ଚଳାଇବାକୁ ପଡ଼ିଲା ।

 

ଏଭଳି କାହିଁକି ହେଲା, ବୁଝିବାକୁ ହେଲେ ନାଗାମାନଙ୍କର ଇତିହାସ ସମ୍ପର୍କରେ ଅନୁଧ୍ୟାନ ଆବଶ୍ୟକ । ଭାରତବର୍ଷର ଅନ୍ୟ ବହୁ ଜାତିର ଉତ୍ପତ୍ତି ସମ୍ପର୍କରେ ଯେଭଳି ନିଶ୍ଚିତ ଭାବରେ କିଛି କହିବା ସମ୍ଭବ ନୁହେଁ, ନାଗାମାନଙ୍କର ଅତୀତ ଇତିହାସ ମଧ୍ୟ ସେଭଳି ସମ୍ପୂର୍ଣ୍ଣ ଅନୁମାନର ବିଷୟ । ଶଙ୍ଖ, କଉଡ଼ି ଏବଂ ସାମୁଦ୍ରିକ ଆଭରଣ ପ୍ରତି ସେମାନଙ୍କ ଅନୁରାଗକୁ ଲକ୍ଷ୍ୟକରି କେହି କହିଥାଆନ୍ତି ଯେ ନାଗାମାନେ ପ୍ରଥମେ ବା କରୁଥିଲେ ସମୁଦ୍ର ତୀରଦେଶରେ । ସେମାନଙ୍କ ମତରେ ବୋର୍ଣ୍ଣିଓ, ମାଳୟ ଆଦିମ ଆଦିବାସୀମାନଙ୍କ ସହିତ ନାଗାମାନଙ୍କର ସାଦୃଶ୍ୟ ସମ୍ପୂର୍ଣ୍ଣ ଆକସ୍ମିକ ନୁହେଁ । ନାଗା ଭାଷାର ପର୍ଯ୍ୟାଲୋଚନା କରି ସୁପଣ୍ଡିତ ଭାଷାବିତ୍‌ ସାର ଜି. ଜିୟାର୍ସନ ମନ୍ତବ୍ୟ ଦେଇଛନ୍ତି ଯେ ଉତ୍ତର-ପୂର୍ବ ଚୀନ୍‌ର ଇୟାଂଗ୍‌, ସିକିୟାଂଗ ଓ ହୋୟାଂଗ ହୋ ଦୋୟାବଠାରୁ ତିବ୍‌ବତୀ ଓ ବର୍ମାମାନଙ୍କ ଦ୍ୱିତୀୟ ଅଭିଯାନ ସମୟରୁ ହିଁ ନାଗାମାନଙ୍କ ଆଗମନ । ଅଙ୍ଗାସି, କୋରିମା, ଲୋମା ଓ ବେଙ୍ଗମା ନାଗାମାନଙ୍କ ଭାଷା ମଧ୍ୟରେ ଯଥେଷ୍ଟ ସାମଞ୍ଜସ୍ୟ ରହିଚି-। ସେମି ନାଗାମନଙ୍କ ଭାଷା ନାଗାବୁକି ଉପଶାଖାରେ ଅନ୍ତର୍ଭୁକ୍ତ ।

 

ଆଦି ଜନ୍ମ ସମ୍ୱନ୍ଧରେ ନାଗା ଉପଜାତିମାନଙ୍କ ମଧ୍ୟ ବହୁ କିମ୍ୱଦନ୍ତୀ ପ୍ରଚଳିତ । ଆଙ୍ଗାମି ନାଗାମାନଙ୍କ ମତରେ ସେମାନଙ୍କ ବାସଭୂମି ଥିଲା ଦକ୍ଷିଣର କୌଣସି ବିସ୍ତୃତ ଅଞ୍ଚଳରେ । ପ୍ରଥମ ପୂର୍ବ ଯମଜଙ୍କର ଜନ୍ମ ହୋଇଥିଲା ଧରିତ୍ରୀ ଗର୍ଭରୁ । କାଗ ନାଗାଲୋକଙ୍କ କଥାରୁ ଜଣାଯାଏ, ସେମାନଙ୍କର ଆଗମନ ପଥ ଜାପେସ ପର୍ବତ ଶ୍ରେଣୀ । ଲୋଟା ନାଗାମାନଙ୍କ ଜନ-ପ୍ରବାଦରୁ ଜଣାଯାଏ, ପ୍ରଥମେ ଆଙ୍ଗାମି ଦେଶରେ ହିଁ ତାଙ୍କର ବାସଭୂମି ଥିଲା । ସେମାନଙ୍କର ଗୋତ୍ରନ ‘‘ଆଉ’’ ଉପଶାଖା ଲୋଟାମାନଙ୍କ ସଂସ୍ରବ ଛାଡ଼ି ଉତ୍ତର ଦିଗକୁ ଚାଲିଆସିଲେ । ଆଙ୍ଗାମି ଆକ୍ରମଣ ବିରୁଦ୍ଧରେ ମଧ୍ୟ ଆତ୍ମରକ୍ଷା କରିବାକୁ ପଡ଼ିଥିଲା ଲୋଟାମାନଙ୍କୁ । ପାନୋଭା ନାମକ ଜଣେ ଶକ୍ତିମାନ ବ୍ୟକ୍ତିର ନେତୃତ୍ୱରେ ଲୋଟାମନଙ୍କ ଯୁଦ୍ଧବିଗ୍ରହ ଚାଲିଲା । ସେମା ଶାଖାର ଲୋକେ କହନ୍ତି, ସେମାନଙ୍କ ଆଦିଭୂମି କେଜୋକୋମା ନିକଟରେ ସୁଇଏମି ଗାଁ । ସୁଇଏମି ଗାଁର ବିଶେଷତ୍ୱ ଏପର୍ଯ୍ୟନ୍ତ ରହିଚି । ଚାରି ଦିଗରେ ଆଙ୍ଗାମି ନାଗାମାନଙ୍କ ମଧ୍ୟରେ ଲାମା ଭାଷାରେ କଥାବାର୍ତ୍ତା ହୋଇଥାଏ । ଅବଶ୍ୟ ପ୍ରତିଯୋଗୀ ଆଙ୍ଗାମିମାନଙ୍କ ସାଙ୍ଗରେ ଆଙ୍ଗାମି ଭାଷାରେ କଥାବାର୍ତ୍ତା ଓ ଆଳାପ ଆଲୋଚନା ଚଳେ । ଲୋଜେମି ଲୋପଭାମା ଓ ମାଓର ଲୋମୀନାଗାମାନଙ୍କ ମଧ୍ୟରେ ଯେଉଁ ସବୁ କାହାଣୀ ପ୍ରଚଳିତ ସେଥିରୁ ଜଣାଯାଏ, ଅତୀତରେ କେବେ ମାଳଭୂମି ଭିତରୁ ସେମାନେ ନାଗା ପାହାଡ଼ରୁ ଚାଲି ଆସିଥିଲେ । ଆଙ୍ଗାମି ଶାଖା ନାଗା ଉପଜାତିଙ୍କ ଭିତରେ ସଂଖ୍ୟାଧିକ । ସେମାନଙ୍କ ମଧ୍ୟରେ ବହୁ ରକମର ବିଚିତ୍ର କାହାଣୀ ସୁଦୂର ଅତୀତ ସମ୍ୱନ୍ଧରେ ପ୍ରଚଳିତ ।

 

କେଜାମି ଗାଁରେ ବହୁଦିନ ପୂର୍ବେ ଜଣେ ବୃଦ୍ଧ ବାସ କରୁଥିଲେ । ତାଙ୍କର ତିନି ପୁଅ । ପ୍ରତିଦିନ ଘର ଆଗରେ ପରିବାରର ସମସ୍ତେ ଏକ ପଥର ଉପରେ ଧାନ ଶୁଖେଇ ଦିଅନ୍ତି । ସନ୍ଧ୍ୟା ବେଳକୁ ଦେଖାଯାଏ, ଧାନର ଓଜନ ଦୁଇଗୁଣ ହୋଇଯାଇଚି । ପଥରର ଅଧିଷ୍ଠାତା ମଙ୍ଗଳମୟଙ୍କ ଏକ ଶକ୍ତିର କରୁଣାରେ ଏଭଳି ବୃଦ୍ଧର ଧରନ ବଢ଼ି ଉଠେ । ଦିନେ ଆରମ୍ଭ ହେଲା ତିନି ଭାଇଙ୍କ ମଧ୍ୟରେ ବିବାଦ । ଏପରି ମାରାତ୍ମକ ଧାରଣ କଲା ଯେ ବାପକୁ ପଥର ଦେହରେ ଅଗ୍ନ ସଞ୍ଜୋଗ କରିବାକୁ ପଡ଼ିଲା । ଭାଇମାନଙ୍କ ମଧ୍ୟ ମନୋମାଳିନ୍ୟ ଘଟିଥିଲା ପଥର ଦେହରେ ଧାନ ଶୁଖେଇବା ନେଇ । ଅଗ୍ନି ତେଜରେ ପଥର ଫାଟିଗଲା । ଅଧିଷ୍ଠାତା ଦେବତା ସଙ୍ଗେ ସଙ୍ଗେ ପଥର ଛାଡ଼ି ଚାଲିଗଲେ । ଭାଇମାନେ ଏହାପରେ ଅଲଗା ହୋଇ କିଏ କୁଆଡ଼େ ଚାଲିଗଲେ । ତିନି ଭାଇଙ୍କର ସନ୍ତାନ ସନ୍ତତି ହେଲେ । ଏହିଥିରୁ ଗୋଟିଏ ଉପଜାତି ପ୍ରସାର ଲାଭ କଲା । ଆଙ୍ଗାମି, ଲୋଟା ଓ ଲାମାନାଗା । ଏବେ ମଧ୍ୟ ଆଙ୍ଗାମି ଗାଁରେ କୌଣସି ପୂଜା ପାର୍ବଣ ହେଲେ ମାଓ ପୁରୋହିତମାନଙ୍କଠାରୁ ଅନୁମତି ନେଇଥାଆନ୍ତି ।

 

ଏକ ସମୟରେ କାଛାଡ଼ିମାନେ ହିଁ ଏ ଅଞ୍ଚଳର ଥିଲେ ସବୁଠାରୁ ଶକ୍ତିମାନ । ଡ଼ିପାପୁର ଛାଡ଼ି ରାଜ୍ୟର ପ୍ରଥମ ରାଜଧାନୀ । ଆହମ ଅଭିଯାନ ଆରମ୍ଭ ହେବା ପରେ କାଛାଡ଼ିମାନେ ଡିମାପୁର ଛାଡ଼ି ମାଉବେଙ୍ଗକୁ ସେମାନଙ୍କ ରାଜଧାନୀ ସ୍ଥାନାନ୍ତରିତ କରିଥିଲେ । ଜେମି ନାଗାମାନେ ବସାଇଡଲ ପର୍ବତଶ୍ରେଣୀଠାରୁ ଉତ୍ତର-ପୂର୍ବ ଗିରିପଥ ଦେଇ ଆସି କାଛାଡ଼ି ରାଜତ୍ୱରେ ବାସବାସ କଲେ ଏବଂ ରାଜାଙ୍କୁ ଅନ୍ୟ ପ୍ରଜାଙ୍କ ଭଳି ମଧ୍ୟ କର ଦେଲେ । ଦକ୍ଷିଣଅଞ୍ଚଳରୁ କୁକି ଉପଜାତି ମଧ୍ୟ ନାଗା ଓ କାଛାଡ଼ି ଅଧିଷ୍ଠିତ ଇଲାକାରେ ଆସି ବାସ କରିବାର ଦେଖାଗଲା। କୁକି ଓ ଜେମି ନାଗାମାନଙ୍କ ମଧ୍ୟରେ ସୁତ୍ରପାତ ହେଲା ବିରୋଧଭାବ । ଜେମିମାନଙ୍କର ଚାଷବାସ ଝୁମ ପ୍ରଥାରେ ଜଙ୍ଗଳ କଟାହୋଇଥାଏ । ତେଣୁ ତିନିବର୍ଷ ଚାଷ କରାଯିବା ପରେ ସେମାନେ ସେ ଜମି ଛାଡ଼ିଦେଇ ଅନ୍ୟ କୌଣସି ଜଙ୍ଗଳ କାଟି ଫୋଡ଼ି ଆବାଦ କରିବା ବ୍ୟବସ୍ଥା କରିଥାଆନ୍ତା ।

 

କେତେକ ବର୍ଷ ଯିବାପରେ ପୁଣି ପୁରୁଣା ଜାଗାରେ ଝୁମ କରିବା ସମ୍ଭବ ହୁଏ । ଏତେଦିନରେ ଜମିର ଉର୍ବରତା କିଛିଟା ଫେରି ଆସିଥାଏ । ଧୀରେ ଧୀରେ ଜେମି ନାଗାମାନଙ୍କର ଲୋକସଂଖ୍ୟା ମଧ୍ୟରେ ବଢ଼ିବାକୁ ଲାଗିଲେ । କିନ୍ତୁ ଗ୍ରାମକୁ ବିଭକ୍ତି କରି ନୂତନ ଗ୍ରାମ ଗଢ଼ିବ ସେତେବେଳେ ପ୍ରତିବେଶୀ ଓ ଅନ୍ୟ ନାଗାମାନଙ୍କ ସହିତ ଯୁଦ୍ଧ ଲାଗିଥାଏ । ଗାଁ ପକ୍ଷରେ ଆତ୍ମରକ୍ଷା କରିବା ବଡ଼ କଠିନ । ତେଣୁ କେତେକ ବର୍ଷପରେ ସମସ୍ତ ଗ୍ରାମ ଉଠିଯାଇ ନୂତନଜାଗାରେ ବସତି ଆରମ୍ଭ ହେଲା । ପିତୃପିତାମହ ଭିଟାମାଟି ଛାଡ଼ିଯିବା ସମୟରେ ପ୍ରତ୍ୟେକ ପରିବାର ତାଙ୍କର କୌଣସି ସନ୍ତକ ରଖି ଦେଇଥାଆନ୍ତି ସେମାନଙ୍କ ଯୁବକ ସନ୍ତାନମାନଙ୍କୁ । ଚାଳିଶବର୍ଷପରେ ଯଦି ସେମାନଙ୍କୁ ନିଜ ଗାଁକୁ ଫେରିଆସିବାକୁ ପଡ଼େ ତାହାହେଲେ ଯେପରି କୌଣସି କଷ୍ଟ ଭୋଗିବାକୁ ନପଡ଼େ । ଫେରିଆସି ସେମାନେ ପୁରୁଣା ମାଟି ଉପରେ ଘର କରନ୍ତି । ଏହି ଭାବରେ କୌଣସି କୌଣସି ଜେମି ନାଗାଗ୍ରାମର ଆଦି କାଡ଼େପି ଛଡ଼ା ଆଉ ତିନି ଚାରୋଟିସ୍ଥାନରେ ଝୁମଚା ଓ ବସତି ଥିଲା । ତାପରେ ଦଳେ ଦଳେ କୁକି ଆସିବାକୁ ଆରମ୍ଭ କଲେ-। କୁକିମାନଙ୍କର ଆଗମନ ଓ ଇଂରେଜଶାନ ପ୍ରତିଷ୍ଠା ହେଲାଣି ପ୍ରାୟ ଏକା ସଙ୍ଗରେ ।

 

ଇଂରେଜ ରାଜକର୍ମଚାରୀମାନେ ଉପଜାତିଙ୍କ କୃଷି ବ୍ୟବସ୍ଥା ପ୍ରୟୋଜନ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ଏତେ ଅନାବାଦି ଜମି ନାଗାମାନଙ୍କର କାହିଁକି ରହିବ ବୁଝିପାରି ନଥିଲେ। ସରକାରୀ ହୁକୁମରେ ଜେମିମାନଙ୍କର ଜମି କୁକିମାନଙ୍କର ଲାଗି ବ୍ୟବସ୍ଥା କରିଦିଆଗଲା । ଫଳରେ ଦେଖାଗଲା ଅହେତୁକ ବିପର୍ଯ୍ୟୟ ଓ ଅଶାନ୍ତି । ତୀବ୍ର-ଜୀବନ ସଂଗ୍ରାମ ତାଗିଦ୍‍ରେ ଘନ ଘନ ଗୋଟିଏ ରକମର ଜମିରେ ଝୁମ କରିବା ଆରମ୍ଭ ହେଲା । ବଣଜଙ୍ଗଲ କାଟି ଜମିର ଉର୍ବରତା ନଷ୍ଟ ହେଲା । ବର୍ଷାର ପ୍ଲାବନରେ କ୍ଷେତ୍ରସବୁ ଭାସିଗଲା ଏବଂ ପାହାଡ଼ ଦେହରେ ମୂଲ୍ୟବାନ ମାଟି ମଧ୍ୟ ଜଳଧାରା ସାଙ୍ଗରେ ଧୋଇ ହୋଇଗଲା । ପରବର୍ତ୍ତୀ ଯୁଗରେ ନାଗା ଅଞ୍ଚଳରେ ବିଦ୍ରୋହ ଏବଂ ଅଶାନ୍ତିର ଏକ ବଡ଼ କାରଣ ହେଲା ଏହି ଅସ୍ୱଚ୍ଛଳତା ।

 

ନାଗା ଅଞ୍ଚଳ ଉପରେ କର୍ତ୍ତୃତ୍ୱ ନେଇ କାଛଡ଼ା ଓ ମଣିପୁରୀ ରାଜାମାନଙ୍କ ମଧ୍ୟରେ ବିବାଦ ବିସ୍ୱାଦ ହୋଇଥାଆନ୍ତି । କିନ୍ତୁ ଉପଜାତିମାନେ କାହାର ବଶ୍ୟତା ସ୍ୱୀକାର କରନ୍ତି ନାହିଁ । ଆଲାମ ରାଜବାହିନୀରେ ନାଗା ସୈନ୍ୟଥିଲେ । ଆହମ ଓ ମଣିପୁର ସାମନ୍ତ ରାଜାମାନଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଥିଲା, ସେଥିରୁ ମନେହୁଏ ଯେ ଜୁର ରାଜବଂଶ ସଙ୍ଗରେ ହିଁ ନାଗା ଅଞ୍ଚଳରେ ଯୋଗାଯୋଗ ଥିଲା। କାରଣ ମଣିପୁରଡାରୁ ବ୍ରହ୍ମପୁତ୍ର ଉପତ୍ୟକାକୁ ଯିବାକୁ ହେଲେ ନାଗା ଅଞ୍ଚଳ ଦେଇଯିବାକୁ ଛଡ଼ା ଗତାନ୍ତର ନାହିଁ । ଲୋଟା ନାଗାମାନଙ୍କ ବାସଭୂମିରେ ଚୀନ ରାଜାଙ୍କ ଏକ ଲୁହା ତିଆରି କମାରଶାଳ ଥିଲା ବୋଲି କିମ୍ୱଦନ୍ତୀ ପ୍ରଚଳିତ ରହିଚି । ଏହି କମାରଶାଳ ବର୍ମା ରାଜାଙ୍କର ବୋଲି ମନେହୁଏ । ଏ ଅଞ୍ଚଳରେ କେବେ କେଉଁଠି ଚୀନ ସାମ୍ରାଜ୍ୟର ବିସ୍ତାର ହୋଇଥିଲା ବୋଲି ଆମେ କୌଣସିଠି ପ୍ରମାଣ ପାଉନା । କୌଣସି କୌଣସି ଲୋଟା ଏବଂ ଆଓ ଗ୍ରାମ ଆସାମ ରାଜାଙ୍କର ସନନ୍ଦ ନେଇ ପାହାଡ଼ର ସାନୁ ଦେଶରେ ପ୍ରତିଷ୍ଠିତ ହୋଇଥିଲା ।

 

ଇଂରେଜ ଅଧିକାର ସମୟଠାରୁ ନାଗା ଇତିହାସ ସହଜଲଭ୍ୟ। ୧୮୩୨ ଖ୍ରୀଷ୍ଟାବ୍ଦରେ ଜେନ ବିମ୍‍ଦ ଓ ପେମ ପାରଟନ ନାଗା ଉପଜାତି ସମ୍ପର୍କରେ ସଠିକ ବିବରଣୀ ସଂଗ୍ରହ କରିଥିଲେ-। ବ୍ରିଟିଶ ଅଧିକାର ଡରରେ ସୀମା ସେତେବେଳେ ଅତି ଦ୍ରୁତ ପରିବର୍ତ୍ତିତ ହୋଇଚାଲିଛି-। ଆସାମ ଓ ବର୍ମା ମଝିରେ ଦୁର୍ଗମ ଅଞ୍ଚଳକୁ ମଧ୍ୟ ଅଭିଯାନକାରୀ ବାହିନୀ ଓ ଟ୍ରଇଲ୍‍ଦାର୍‍ ସୈନ୍ୟବାହିନୀ ପଠାହେଲା; କିନ୍ତୁ ପରାକ୍ରମଶାଳୀ ବ୍ରିଟିଶ ଜାତି ପାଖରେ ନାଗାମାନେ ବିନାଯୁଦ୍ଧରେ ବଶ୍ୟତା ସ୍ୱୀକାର କରିନଥିଲେ। ସମାଗୁଟିଙ୍କଠାରେ ବହୁ ଚେଷ୍ଟା କରି ଜବରଦସ୍ତି ଭୋଗଚାନ୍ଦ ଦାରୋଗା ନେତୃତ୍ୱରେ ବସିଲା ଏକ ସରକାରୀ ଘାଟୀ । କିଛିଦିନ ପରେ ନାଗାମାନଙ୍କୁ ସମୁଚିତ ଶିକ୍ଷା ଦେବା ଲାଗି ପ୍ରେରଣ କଲେ ସୁସଜ୍ଜିତ ସୈନ୍ୟବାହିନୀ । ଖେନାମା’ ଦୁର୍ଗରେ ନାଗାମାନେ ଏମାନଙ୍କ ସହିତ ପ୍ରାଣପାତ ସଂଗ୍ରାମ କଲେ । ଶେଷରେ ସରକାର କୌଶଳ କରି ଘୋଷଣା କଲେ ଯେ ଆଉ ଏଣିକି ସରକାର ନାଗାମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ହସ୍ତକ୍ଷେପ କରିବେନି । କିନ୍ତୁ ସଂଯମ କାହିଁ ? କ୍ରମବର୍ଦ୍ଧମାନ ବ୍ରିଟିଶ ସାମ୍ରାଜ୍ୟର କ୍ରମଶଃ ଲାଳସା ବଢ଼ିଲା-। ୧୮୬୬ ଖ୍ରୀଷ୍ଟାବ୍ଦରେ ନାଗାରାଜ୍ୟ ଅଧିକାର ଲାଗି ବ୍ରିଟିଶର ଅଭିଯାନ ଚାଲିଲା-। ୧୯୯୮ ଖ୍ରୀଷ୍ଟାବ୍ଦରେ ଆଙ୍ଗାମିନାଗାମାନଙ୍କ ପ୍ରଧାନ କେନ୍ଦ୍ର କୋହିମା ପତନପରେ ନାଗା ଅଞ୍ଚଳର ଶାସନକେନ୍ଦ୍ର ସ୍ଥାନାନ୍ତରିତ ହୋଇଆସିଲା ଏହି ସ୍ଥାନକୁ । ୧୯୧୮ ଖ୍ରୀଷ୍ଟାବ୍ଦରେ କୁକି ବିଦ୍ରୋହୀ ସାମ୍ପ୍ରତିକ ଇତିହାସର ସୁବିଦିତ ଘଟଣା ।

 

ତେଣୁ ବ୍ରିଟିଶ ଶାସନକୁ ପର୍ବତବାସୀ ସ୍ୱାଧୀନତାପ୍ରିୟ ନାଗାମାନେ କୌଣସିଦିନ ମାନି ନେଇ ନାହାନ୍ତି। ସେମାନଙ୍କ ଉପରେ ସବୁବେଳେ ମାଡ଼ି ଚାଲିଛି ଅନାଦି ଜମିର ଅପ୍ରାଚୁର୍ଯ୍ୟ, କରଭାର ଓ ଶାସନକ୍ଷେତ୍ରରେ ଅବ୍ୟବସ୍ଥା ।

 

ନାଗାମାନଙ୍କ ମଧ୍ୟରେ ମହାଭାରତ ବର୍ଣ୍ଣିତ ମହାବୀର ବହୁଆହାରୀ ଭୀମଙ୍କ କାହାଣୀ ବହୁଯୁଗରୁ ପ୍ରଚଳିତ। ନାଗାମାନଙ୍କ ବିଶ୍ୱାସ–ସେମାନେ ସମସ୍ତେ ଭୀମଙ୍କର ବଂଶଧର । ଭୀମଥିଲେ ସ୍ୱାଧୀନତାର ପ୍ରତୀକ । ଭୀମ ଆମର ଏବଂ ‘‘ଜାପଭୋର’’ ନାମକ ଦକ୍ଷିଣ ପର୍ବତକନ୍ଦରରେ ସେ ନିଦ୍ରାମଗ୍ନ । ଦିନେ ତାଙ୍କର ନିଦ ଭାଙ୍ଗିବ, ପରାଧୀନ ନାଗାଜାତିର ସେନାପତି ଭାବରେ ସ୍ୱାଧୀନତା ସଂଗ୍ରାମର ଭାର ନେବେ ସେ ।

 

ଗାଇଦିଲିଓ ଓ ମାଶାଙ୍ଗ ଭିତରେ ନାଗାମାନଙ୍କ ଏହି ନେତୃତ୍ୱର ବିକାଶ ଦେଖିଥିଲେ ।

 

ବ୍ରହ୍ମପୁତ୍ର ନଦୀ ଉପତ୍ୟକାରେ ଭାରତବର୍ଷ ବହୁ ବିଚିତ୍ର ଉପଜାତିର ବସବାସ । ତିବ୍ଦତଠାରୁ ବ୍ରହ୍ମପୁତ୍ର, ହିମାଳୟ ପୂର୍ବସୀମାନ୍ତର ଅନୁଚ୍ଚ ଶୈଳମାଳା ଭେଦକରି ସାଗର ସଙ୍ଗମ ପଥରେ ଆସାମର ସମତଳ ଭୂମିରେ ପ୍ରବେଶ କରିଚି । ସେଇଠାରେ ଆବର, ଦଫଲା, ମିରି, ମିଶିମ ପ୍ରଭୃତି ଆଦିବାସୀମାନେ ସେମାନଙ୍କ ବସତି ଗଢ଼ି ତୋଳିଛନ୍ତି। ବ୍ରହ୍ମପୁତ୍ର ପ୍ରବେଶଦ୍ୱାରର ଦକ୍ଷିଣରେ ଆଉ ଏକ ପର୍ବତମାଳା ଭାରତ ବର୍ମାର ସୀମାରେଖା ଚିହ୍ନିତ କରି ରହିଚି । ଏହି ପର୍ବତମାଳର ଧାରରେ ଆସାମ ସ୍ୱାୟତ୍ତଶାସିତ ନାଗାଜିଲ୍ଲା । ଭାରତ-ବର୍ମା ସୀମା ଏବଂ ଉତ୍ତର–ପୂର୍ବ ସୀମାନ୍ତ ଅଞ୍ଚଳରେ (ନର୍ଥଇଷ୍ଟ ଫ୍ରିଣ୍ଟୟର୍‍–ନେଫା) ବିଭିନ୍ନ ନାଗା ଉପଜାତିର ବସବାସ । ଏସବୁ ଅଞ୍ଚଳରେ ନାଗାମାନଙ୍କର ଅବସ୍ଥାନ ।

 

ନାଗା ଅଞ୍ଚଳ ପର୍ବତସଙ୍କୁଳ। ୧୩୮ ମାଇଲ ଦୀର୍ଘ ପାହାଡ଼ । ପାହାଡ଼ ମଝିରେ ସଂକୀର୍ଣ୍ଣ ଉପତ୍ୟକା । ପ୍ରସ୍ଥ ହିତ୍ୟ

 

-ସତେ ! ଜୀର୍ଣ୍ଣ ହାତରେ ପରମ ମମତାରେ ଅଣ୍ଡାଳିବାରେ ଲାଗିଲା ଆଗରୁ ଦେଖି ନଥିଲି । ଦେଖିଥିଲେ କ’ଣ ମନା କରିଥାଆନ୍ତି ।

 

ଖୁସିର ଶିହରଣରେ ତରଙ୍ଗିତ ହୋଇଉଠିଲା କେମେଲୀର ଶରୀର । ବ୍ରାଡ଼ାବତୀ ଭଳି ଚାହିଁ ରହିଲା ସେ । ନିର୍ବାକ୍‌, ନିବୃତ୍ତିର ।

 

ହଠାତ୍‌ କହିଉଠିଲା ବୁଢ଼ୀ-ତୁ ଏଠିକି ଆସିଲୁ କାହିଁକି ? ଜାଣୁନି ଆମେ ପରା ତୋର ଶତ୍ରୁ ।

 

ରହସ୍ୟମୟ ଗଳାରେ କହିଉଠିଲା କେମେଲୀ-ତୋ ନାତିକି ଦେଖି ମନଟା ମଜ୍ଜି ଯାଇଚି ଲୋ । ଶତ୍ରୁଙ୍କ କଥା ଭୁଲିଯାଇଚି । ମୋ ବାପା କୋୟାନୁ ସାଥିରେ ବିବାହ ଦେବାକୁ ଚାହେଁ ମତେ-। ସେଂଗାଇ ଛଡ଼ା କିନ୍ତୁ ମୁଁ କାହାକୁ ବିବାହ କରିବିନି । ସେଇଥିଲାଗି ନଦୀ ପାର ହୋଇ ଚାଳିଆସିଚି । ତୋର ସର୍ଦ୍ଦାରକୁ ବାପା କାଲି ଡ଼ାକି ତାରି ଘରେ ରଖିଚି ।

 

ଅକପଟ କଣ୍ଠ ସ୍ୱର । ମନୋରମ ଗୋଟିଏ ମୁହଁ । ମୁଗଧ ଦୃଷ୍ଟିରେ କେମେଲୀ ଆଡ଼କୁ ଚାହିଁ ରହିଥାଏ ବୁଢ଼ୀ ବେଙ୍ଗସାନ୍ୟୁ ।

 

କେମେଲୀ ପଚାରିଲା–ସେଙ୍ଗାର କୋହିମାରୁଚ କେବେ ଫେରିବ ଜାଣିବୁ ?

 

–କେଜାଣି ? ଦୀର୍ଘ ନିଶ୍ୱାସ ଟାଣି କହିଲା ବୁଢ଼ୀମା-ହଁ, ବୁଝିଚି ।

 

–କ’ଣ ବୁଝିଚୁ ?

 

ସେଙ୍ଗାଇ ଛଡ଼ା ରାତିରେ ନିଦ ହୁଏନା ! ଲାଜ କ’ଣ ? ବୟସ ଥିଲାବେଳେ ଆମର କ’ଣ ହେଉ ନଥିଲା ? ବୁଢ଼ୀ ବେଙ୍ଗସାନ୍ୟୁ କେମେଲୀକି ଚାହିଁ ଚାହିଁ ନିଜର ଯୌବନ କାଳକୁ ଆସ୍ୱାଦିନ କରୁଥିଲା ଯେମିତି । ଭୟ ନାହିଁ । ସେଙ୍ଗାଇ ଫେରୁ, ଡ଼ୋରି ବାନ୍ଧିଦେବି ଯେ ଆଉ କେବେ ଫୁଟିବନି ।

 

ଦୁଇ ଦିନ ପରେ ଆଖି ଖୋଲିଲା ସେଙ୍ଗାଇ । ରକ୍ତ ଭଳି ଲାଲ ଆଖି । ସେଇ ଆଖିର ମୁକୁର ଦେହରେ ଜଣଙ୍କର ଛାୟା । ଏକ ଅପରୂପ ନାରୀମୁଖରେ ଛାୟା ।

 

ବହୁ ସମୟ ଧରି ନିଷ୍ପଲିକ ନେତ୍ରରେ ଚାହିଁ ରହିଲା ସେଙ୍ଗାଇ । ଏକାବେଳକେ ଆବିଷ୍ଟ ହୋଇପଡ଼ିବ ସେ । କଥା କହିବାକୁ ମଧ୍ୟ ସେ ଭୁଲିଯାଇଚି ।

 

ଅପରିଚିତ ନାରୀମୁଖ, ପରମ ମମତାରେ ଭରି ରହିଚି ମୋହ, ଆନନ୍ଦ ।

 

–ଏବେ କେମିତି ଲାଗୁଚି ?

 

ଦୁଇଦିନ କାଳ ବେହୋସ ହୋଇପଡ଼ି ରହିଥିଲା ସେଙ୍ଗାଇ । ତାର ଚେତନା ବାହାରେ ଏଇ ପାହାଡ଼ୀ ପୃଥିବୀରେ କେତେବେଳେ କ’ଣ ଘଟୁଛି ସେ ଜାଣେନା । ସବୁ ଯେମିତି ଅସତ୍ୟ ସ୍ୱପ୍ନ ଭଳି ମନେ ହେଉଚି । ମନେ ହେଉଛି ଗୋଟାଏ ଅବାସ୍ତବ ବିଭ୍ରମ । ଅଶାନ୍ତ ଚେତନା ଉପର ଦେଇ ଛାୟାଛବିର ଶୋଭାଯାତ୍ରା ଭାସି ଭାସି ଗଲା ତା ମନରେ । ମଧୋଲାଲ । ଗାନ୍ଧିଜୀର ଲଢ଼େଇ । ପାଦ୍ରୀ ସାହେବ । ସେହି ଚର୍ଚ୍ଚା, ବାୟୋନେଟ ନେଇ ମଣିପୁର ପୁଲିସର ନିଷ୍ଠୁର ପ୍ରହାର । ତା ପରେ କିଛିଟା ହୋସ ଥିଲା ତାର । ସାରୁମାୟାରୁ ସହିତ କାହାର କେତେ ସମୟ ଲଢ଼େଇ, ବର୍ଚ୍ଛା ଯୁଦ୍ଧ । କେତୁଟା ମଣିଷଙ୍କ ନିଷ୍ଠୁର ଗର୍ଜନ ।

 

ନାରୀ ମୁଖଟା ନଇଁ ଆସିଲା ତା ମୁହଁ ପାଖକୁ ।

 

–ତୁମର ନା ?

 

–ନାଁ ନାହିଁ ।

 

ସହସା ବ୍ୟସ୍ତ ହୋଇଉଠିଲା ସେଙ୍ଗାଇ । ସିଁ କରି ଉଠିବସିଲା ସେଙ୍ଗାଇ । ସାରୁୟାମାରୁ କାହିଁ ? ସେ ତ ମୋ ସାଙ୍ଗରେ ଥିଲା ।

 

–ଏଇ ତ । ପାଖ ମଞ୍ଚା ଉପରୁ ଗୋଟିଏ ଆର୍ତ୍ତନାଦ ଶୁଣାଗଲା.....ଶୋଇ ପାରୁନି ରେ ସେଙ୍ଗାଇ । ସେ ସୟତାନଗୁଡ଼ାକ କ’ଣ ଆଉ ରଖିଛନ୍ତି ? ମାରି ମାରି ପିଞ୍ଜରା ଚୁମରମାର କରି ପକାଇଛନ୍ତି ପରା !

 

ସେଙ୍ଗାଇ କହିଲା, ହଁ ରେ ସାରୁୟାମାରୁ ! ସୟତାନଗୁଡ଼ାକ ବଡ଼ ମାରାତ୍ମକ । ଇଜା ରାମ ଖୋ ! ଆମେ ଏଠିକି ଆସିଲେ କମିତି ରେ ?

 

–ଏଇ ଗାଇଦିଲିଓର ଲୋକ ନେଇ ଆସିଛନ୍ତି ।

 

–ରାଣୀ ଗାଇଦିଲିଓ ! କାହିଁ ସେ ?

 

–‘‘ଏଇ ଯେ’’ ଆଗକୁ ତର୍ଜନୀ ପ୍ରସାରିତ କରି ଦେଖାଇ ରଦେଲା ସାରୁୟାମାରୁ ।

 

ସେଇ ନାରୀମୁଖ, ଦୁଇଦିନ ପରେ ଆଖି ମେଲି ଯାହାକୁ ଦେଖିଚି ସେଙ୍ଗାଇ । ଏକ ଅପରୂପ ଜ୍ୟୋତିଃରେଖା । ରାଣୀ ଗାଇଦିଲିଓ ! ତାରି ସମ୍ୱନ୍ଧରେ ଏତେ ରୂପକଥାର ଗଳ୍ପ କହୁଥିଲା ମଧୋଲାଲ । ୟାକୁଇ ନେଇ ପାଦ୍ରୀ ମ୍ୟାକେଞ୍ଜ ସାଥିରେ ତାର ବଚସା ହୋଇଥିଲା । ଯାହାର ପୁଣ୍ୟ ସ୍ପର୍ଶରେ ରିପୁମୟ ଦେହରୁ ମୃତ୍ୟୁ ପଳାତକ ହୁଏ, ଏଇ ସେ ଗାଇଦିଲିଓ ! ଅତି ପାଖରେ । ସେଙ୍ଗାଇର ଆଖି ଦୁଇଟାରେ ପ୍ରବଳ ବିସ୍ମୟ ।

 

ଅତି ସ୍ନେହାଶ୍ଳେଷ କଣ୍ଠରେ ଆନନ୍ଦରେ ଗଦ୍‌ଗଦ୍‌ ହୋଇଉଠିଲା ସେଙ୍ଗାଇ । -ତୁଇ ଗାଇଦିଲିଓ ।

 

ଗାଇଦିଲିଓ ନିରୁତ୍ତର । କେବଳ ଏକ ପ୍ରସନ୍ନ ହସ ।

 

ସାରୁୟାମାରୁ ତତ୍ପର ହୋଇ କହିଉଠିଲା-ହୁଇ ଯେ ତୋତେ କହୁଥିଲି ଗାଇଦିଲିଓ ଛୁଇଁ ଦେଲାମାତ୍ରେ ସବୁ ଭଲ ହୋଇଯାଏ, ହେଲା କି ନାହିଁ ଦେଖ ।

 

ଅସୀମ କୃତଜ୍ଞତାରେ ପାହାଡ଼ୀ ଯୁବକ ସେଙ୍ଗାଇର ଦେହ ଓ ମନ ଭରି ଉଠିଲା । ପୁଣି ଥରେ ଅନେଇଲା ଗାଇଦିଲିଓ ମୁହଁକୁ । ସେଇ ମୁହଁ ଉପରେ ସେ ଦେଖିଲା ଆଉ ଜଣଙ୍କର ଛାୟା, କେମେଲୀ । କେମେଲୀ ହିଁ ଦିନେ ତାକୁ ସେଇ ସାଲୁଆଲାଙ୍ଗ ବସ୍ତିର ଅତଳ ଉପତ୍ୟକା ଭିତରୁ ଉଦ୍ଧାର କରିଥିଲା । ସେହି ନିଶ୍ଚିତ ଅପମୃତ୍ୟୁର ବ୍ୟୁହ ଭିତରୁ ଉଦ୍ଧାର କରିଥିଲା ସେ । କେମେଲୀ ଆଉ ଗାଇଦିଲିଓ ଯେପରି ମିଳନ ଅଛି ଗୋଟିଏ ବିନ୍ଦୁରେ । ଏଇ ବିନ୍ଦୁଟି ହେଉଚି ସେବା । ସେବା ଓ ମମତାରେ ଦୁଇ ଜଣଯାକ ତାକୁ ବଞ୍ଚେଇଛନ୍ତି । ଏହା ଛଡ଼ା ଅନ୍ୟ କୌଣସି ସଙ୍ଗତି ନାହିଁ ।

 

କେମେଲୀର ସେଇ ନଗ୍ନ ଅଙ୍ଗଶୀ ସାରା ଦେହକୁ ଭଳି ଜଳେଇଯିଏ । କିନ୍ତୁ ଗାଇଦିଲିଓର ମୁହଁଟା ଦେଖିଲେ କାମନା ଧ୍ୱସଂହୁଏ । ସ୍ତମିତ ହୋଇପଡ଼େ ରିପୁର ଫଣା । ପାହାଡ଼ୀ ମଣିଷର ଅସ୍ପଷ୍ଟ ଚେତନା ସଂଭ୍ରମରେ, ଏକ ଆହ୍ଲାଦିତ ଅନୁଭୁତିରା ଯେମିତି ପରିପୂର୍ଣ୍ଣ ହୋଇଉଠିଲା ।

 

କେମେଲୀ ଆଉ ଗାଇଦିଲିଓ । କେମେଲୀ ଦୁଇଟି ବାହୁର ସୀମା ଭିତରେ ଗୋଟିଏ ହରିଣ–ଆଉ ଗାଇଦିଲିଓ ଅନିକା, ଦେବୀ !

 

ହଠାତ୍‌ କହିଉଠିଲା ସେଙ୍ଗାଇ–ତୁ କ’ଣ ସାହେବମାନଙ୍କ ସହିତ ଲଢ଼େଇ କରୁଚୁ ?

 

ଚମକି ଉଠିଲା ଗାଇଦିଲିଓ । –କିଏ କହିଲା ତୁମକୁ ?

 

ମାଧୋଲାଲ । ହୁଁ ହୁଁ ଯେ କୋହିମାରେ ତାର ଦୋକାନ ଦେଇଚି । ସେଙ୍ଗାଇ କହିଚାଲିଲା-ମୋଧୋଲାଲ ପାଖରୁ ତୋର ଆଉ ଗାନ୍ଧୀ କଥା ଶୁଣି ଆସିଲୁ । ଫାଦର ଆମମାନଙ୍କ ପାଖରୁ ସବୁ ଶୁଣିନେଲା । ମାଧୋଲାଲ ବାରଣ କରିଥିଲା କହିବାକୁ । ସେଇ ଫାଦର ଆମମାନଙ୍କ ବେଇମାନ ବନେଇଲା, ବିଶ୍ୱାସଘାତକ କରେଇଲା । ଉତ୍ତେଜନାରେ ତାତିଉଠିଲା ସେଙ୍ଗାଇର ଦେହଟା ।

 

ସ୍ମିତ ହସ ହସି ଗାଇଦିଲିଓ କହିଲା–ମୁଁ ଶୁଣିଚି, ସବୁ ଶୁଣିଚି । ଏମାନେ ବଡ଼ ସୟତାନ-ମନୁଷ୍ୟର ବିଶ୍ୱାସକୁ ସେମାନେ କେତୁଟା ଟଙ୍କାରେ କିଣିନେବାକୁ ତିଳେ ହେଲେ କୁଣ୍ଠିତ ନୁହଁନ୍ତି ।

 

ଅର୍ଦ୍ଧସ୍ଫୁଟ ବୁଦ୍ଧି । ରାଣୀ ଗାଇଦିଲିଓଙ୍କ ଭାଷାର ଜଟିଳତାକୁ ବୁଝିପାରିଲେ ନାହିଁ ସେଙ୍ଗାଇ ଓ ସାରୁୟାମାରୁ । କିନ୍ତୁ ଓ ଗ୍ରନ୍ଥିବଦ୍ଧ ଶବ୍ଦଗୁଡ଼ିକ ଭିତରେ ଗୋଟାଏ ପ୍ରଖର ଘୃଣା ଏବଂ ବିଦ୍ୱେଷର ଗନ୍ଧକୁ ଆଘ୍ରାଣ କରିପାରିଥିଲା ସେଙ୍ଗାଇ ।

 

ଗାଇଦିଲିଓ ବୁଝାଇଥିଲେ-ଆମେ ପାହାଡ଼ୀ ମଣିଷ, ଏମାନେ ଆମର ଧର୍ମନଷ୍ଟ କରୁଛନ୍ତି । ଟଙ୍କା ପଇସା ପୀ (ଲୋଭ) ଦେଇ ଆମକୁ ପାପ ପଥରେ ନେଇ ଯାଉଛନ୍ତି । ଏମାନଙ୍କ କଥା ନ ମାନି ଚଳିଲେ ମାରୁଛନ୍ତି ।

 

ଗାଇଦିଲିଓ କଥାଗୁଡ଼ାକ ବିଷକ୍ରିୟା ଭଳି ସ୍ନାୟୁର ପ୍ରତି କୋଷରେ ସଞ୍ଚରିଗଲା । ମୁଣ୍ଡ ହଲେଇ ସେ କହିଲା–ହୁଁ ହୁଁ, ତୁ ଠିକ୍‌ କହିଚୁ । ତୁ ଲଢ଼େଇ କର । ଆମ ବସ୍ତିରୁ ମୀ (ବର୍ଚ୍ଛା) ନେଇ ଆସିବୁ, ଯୋଅନମାନଙ୍କୁ ଡ଼ାକି ଆଣିବୁ । ସୟତାନ ଆମ ଘରକୁ ଆସି ଆମକୁ ମାରିବ ? ଏହି ଦେଖ ।

 

ତଡ଼ିତ୍‌ ବେଗରେ କଟିବନ୍ଧୁ ଅନାଇ ଦେଖେଇ ଦେଲା ସେଙ୍ଗାଇ ଦେହରେ ଠିକ୍‌ ମଧ୍ୟଭାଗରେ ଗୋଟାଏ ବିଶାଳ କ୍ଷତ ଚିହ୍ନ । ସାଇବ ଆଉ ସମତଳ ଲୋକେ ଏକାଠି ମିଶି ମାରୁଛନ୍ତି ଆମକୁ ଆଉ ସେଇ ମଣିପୁରୀ ପୁଲିସଟା ! କି ଭୟଙ୍କର ତାର ରଡ଼ି ।

 

ଚମକି ପଡ଼ିଥିଲେ ଗାଇଦିଲିଓ । ସବୁ ଦୋଷ ସାହେବମାନଙ୍କର । ଏମାନେ କହୁଛନ୍ତି ସେଇ ଆସାନ୍ୟୁ (ସମତଳ ଲୋକ) ତୁମମାନଙ୍କୁ ମାରୁଛନ୍ତି । ଭୁଲ । ବିଲକୁଲ ମିଛ । ସାଇବମାନେ ହିଁ ଆମର ଶତ୍ରୁ । ଆମର ଲଢ଼େଇ ସେଇମାନଙ୍କ ସାଙ୍ଗରେ ।

 

-କେବେ ? କେବେ ? ରୀତିମତି ଉତ୍ସାହିତ ହୋଇଉଠିଥିଲା ସେଙ୍ଗାଇ । କେବେ ଲଢ଼େଇ ଆରମ୍ଭ ହେବ ?

 

–ଆରମ୍ଭ ତ ହୋଇଗଲାଣି । ଗାନ୍ଧିଜୀ ଆରମ୍ଭ କରି ଦେଇଛନ୍ତି । ଆମ ପାହାଡ଼ ଅଞ୍ଚଳରେ ବୋଧହୁଏ କାଲିଠୁ ଆରମ୍ଭ ହେଇଚି ।

 

–ଲଢ଼େଇ ହେଲାଣି ? କେତେ ମଲେଣି ?

 

ଜଣେ କିଏ ମରିନି । ଏ ଲଢ଼େଇରେ ମରାମରି ହୁଏନା । ଆମେ ମାରୁନା, ମାରିବୁନି କେବେହେଲେ । କିନ୍ତୁ ସାହେବମାନେ ଆମକୁ ଧରିନେଇ ଅଟକି କରି ରଖିବେ । ରଖିଲେଣି ବହୁତ ।

 

ରାଣୀ ଗାଇଦିଲିଓ ଦେହରେ ଏକ ଦୈବୀ ଜ୍ୟୋତିବିଳୟ ଆଲୋକରେଖା ବିଚ୍ଛୁରିତ ହୋଇ ପଡ଼ିଛି । କହିଲେ, ଏଇ ଲଢ଼େଇରେ ତୁମକୁ ଆସିବାକୁ ପଡ଼ିବ ସେଙ୍ଗାଇ ।

 

ମଧୋଲାଲ କହୁଥିଲା–ଗାନ୍ଧିଜୀର ଲୋକେ କୁଆଡ଼େ ମାଡ଼ ଖାଉଛନ୍ତି, କିନ୍ତୁ ମାଡ଼ ଦେଉନାହାନ୍ତି । ଇଏ କି ଲଢ଼େଇ । ତୁ ଇ ବି ସେଇକଥା କହୁଚୁ । ଆମେ ତ ପାହାଡ଼ୀ ମଣିଷ । ଲଢ଼େଇ ହେବ, ଅଥଚ ମଣିଷ ମରିବେନି–ଇଏ କିମିତିକା ? ଇମିତି କଥା ତ ସର୍ଦ୍ଦାର କହିନି ଆମକୁ କେବେହେଲେ । ତେବେ ତୁ ସେହି ଗାନ୍ଧିର ଲୋକ ?

 

–ହଁ, ଆମେ ସବୁ ଗାନ୍ଧିଜୀର ଲୋକ । ଟିକିଏ ଅଟକିଗଲେ ଗାଇଦିଲିଓ । ଲକ୍ଷ୍ୟ କରୁଥିଲେ, ତାଙ୍କର କଥାଗୁଡ଼ାକ ପାହାଡ଼ୀ, ଲୋକ ଦୁଇଟିର ମୁହଁରେ କି ପ୍ରତିକ୍ରିୟା ସୃଷ୍ଟି କରୁଚି । ତା’ ପରେ ସେ କହିଉଠିଲେ, ଗାନ୍ଧିଜୀ ହିଁ କହିଛନ୍ତି ଏ ଲଢ଼େଇରେ ସାହେବମାନଙ୍କୁ ଆଉ ମାରିବୁନି-। ମାଡ଼ ଖାଇବୁ, ମାଡ଼ ଖାଇ ଖାଇ ଆମେ ଜିତିବୁ ।

 

–ଏଇ କଥା ତ ମାଧୋଲାଲ ଆମକୁ କହୁଥିଲା ।

 

ବିଚିତ୍ର ଏଇ ସଂଗ୍ରାମ । ବର୍ଚ୍ଛା ନାହିଁ, ଧନୁଶର ନାହିଁ । ନିରୀହ ଛାତିଟାକୁ ସାହେବମାନଙ୍କ ହତିଆର ଆଗରେ ଅସହାୟ ଭାବେ ଦେଖେଇ ରହିବାକୁ ପଡ଼ିବ । ବଣୁଆ ମନ କିନ୍ତୁ ବୁଝେନା ଏସବୁ ଲଢ଼େଇ କଥା । ବିନା ରକ୍ତପାତରେ କ’ଣ ପାହାଡ଼ୀ ଚେତନା ପ୍ରେରଣା ପାଇପାରେ ? ତଥାପି ଗାଇଲିଦିଓ ଯେ କହୁଚି । ପ୍ରତିବାଦ ଜଣାଇବାକୁ ସାହସ ନାହିଁ ସେଙ୍ଗାଇର । ମାଧୋଲାଲଠୁ ଗାଇଦିଲିଓର କଥା ଶୁଣି ବଡ଼ ଅବିଶ୍ୱାସ ହେଉଥିଲା ତାର ! କିନ୍ତୁ ଗାଇଲିଦିଓ ଯେ ସେଇ କଥା କହୁଚି । ଅବିଶ୍ୱାସ କିମିତି କରିବି ସେଙ୍ଗାଇ ।

 

–ଆଚ୍ଛା, ତୁମେସବୁ ଆସିବ ତ ସେଙ୍ଗାଇ ।

 

ସାରୁୟାମାରୁ କୁଣ୍ଠିତ ଗଳାରେ କହିଲା-ସର୍ଦ୍ଦାରୁ ଥରେ ପଚାରିଦେବୁ ବଞ୍ଚେଇଲା । କହିଲା ସେଙ୍ଗାଇ ।

 

–ନା, ନା; ଏହି ଆମକୁ ବଞ୍ଚେଇଚି । ଇୟେ ସାହା କହିବ ତା କରିବୁ । ମରିବାକୁ କହିଲେ ମଧ୍ୟ ମରିବୁ ।

 

ସ୍ନିଗ୍‌ଧ ମମତାରେ ମୁହଁ ଉଜ୍ଜ୍ୱଳ ହୋଉଠିଥିଲା ଗାଇଦିଲିଓଙ୍କର । ଏଇ ଦେଖ ଏତେ କଥା କହିଲି, କିନ୍ତୁ ପଚାରିନି ତ ତୁମେ କେଉଁ ବସ୍ତିର ଲୋକ ।

 

–କେଲୁରୀ ବସ୍ତିର ।

 

–ଦରକାର ହେଲେ ତୁମମାନଙ୍କ ବସ୍ତିକୁ ଯିବି । ରହିବାକୁ ଦେବ ତ ।

 

–‘‘ହୁଁ ହୁଁ’’ । ପ୍ରଚଣ୍ଡ ଉଲ୍ଲାସରେ ଚେଇଁଉଠି କହିଲା ସେଙ୍ଗାଇ । ଗଲେ ତୋ ପାଇଁ ନୂଆ ଘର ବନେଇବୁ ।

 

–ନା, ନା, ଯିବି ବୋଲି ବେଶି ପ୍ରଚାର କରିବେନି ।

 

–ହୁଁ, ହୁଁ, ସବୁ ଯେତେବେଳେ କହୁଚୁ......

 

ବାହାର ଆକାଶଶରେ ଧୂପଛାୟା ଲିଭି ଲିଭି ଯାଇଚି । ଟୁଘୁଟୁ ଘୋଟାଙ୍ଗ ପତ୍ର ଛାଇ ଭଳି ନୁଇଁଆସୁଚି ଅନ୍ଧକାର । ଭୟାଳୁ ସନ୍ଧ୍ୟା ଭୟଙ୍କର ପାହାଡ଼ୀ ରାତ୍ରୀ । ଚାରିଆଡ଼େ ଗହନ ବନ । ପ୍ରେତକଣ୍ଠର ଚିତ୍କାର କରିଚାଲିଛନ୍ତି କାମୁ (କୁଆ) ପକ୍ଷୀର ଦଳ । ଶୁଖିଲା ପତର ଉପର ଦେଇ ସର୍‌ ସର୍‌ କରି ଚାଲିଚି ପାହାଡ଼ୀ ଅଜଗର । ଖାଟସାଙ୍ଗ ଗ ଛର ଡ଼ାଳେ ଡ଼ାଳେ ବାନରର ହୁଙ୍କାର । ପକ୍ଷୀ, ପତଙ୍ଗ, ସରୀସୃପ ସମସ୍ତେ ନୀଡ଼ମୁଖୀ । ବିଶୃଙ୍ଖଳ ପାହାଡ଼ୀ ଅରଣ୍ୟସଂସାରେ ମଧ୍ୟ ସମସ୍ତେ ନିୟମର ରେଖାରେ ବନ୍ଦୀ । ସେ ନିୟମ ଗୁହା ଆଉ ନୀଡ଼, ଗଛର କୋରତ, ଶାଖାର ନିୟମ । ଆକାଶର ଉତ୍ତାପକୁ ଫେରିଯିବାର ଏକ ଚିରନ୍ତନ ନିୟମ ।

 

ନାଗା ପାହାଡ଼ର ଅନ୍ଧକାର ଅତଳକୁ ନଇଁଆସୁଚି । ସାମନାରେ ମାଓଗାମୀ ପଥର ସରୀସୃପ ରେଖା । ଚାରିପାଖେ ଆଦିମ ବିଭୀଷିକା । ତା’ରି ମଝିରେ ଟୁଘୁଟୁ ଘୋଟାଙ୍ଗ ପତ୍ର ଛାୟା-। ତଳେ ଛୋଟ ଗୋଟିଏ ଘର । ତା’ରି ଭିତରେ ପେନ୍ୟୁ କାଠର ମଶାଲିର ଏକ କ୍ଷୀଶ ଆଲୋକ-। ଆଲୋକ ନୁହେଁ, ଇଏ ଯେମିତି ନାଗା ପାହାଡ଼ର ହୃତ୍‌ପିଣ୍ଡ । ସମସ୍ତ ଅନ୍ଧକାରରୁ ସେ ଆଲୋକକୁ ପ୍ରହରା ଦେଇ ରଖିଚି ଗୋଟିଏ ପ୍ରାଣ । ଏଇ ପ୍ରାଣର ନାମ ଗାଇଦିଲିଓ । ଏଇ ମଶାଲର ଶିଖାଟିକୁ ନାଗା ପାହାଡ଼ର ଉପତ୍ୟକା ମାଳଭୂମିରେ ଦାବାନଳ ଭଳି ପ୍ରସାରିତ କରିବାକୁ ପଡ଼ିବ । ଏହି ପର୍ଣ୍ଣକୁଟୀର ଭିତରେ ତା’ର ଏଇ ନିଭୃତି ଦୀକ୍ଷା ।

 

ଦୁଆର ଉପରେ ଯେମିତି କିଏ ଆଘାତ କଲା । ମଞ୍ଚାଉପରେ ଚମକି ଉଠିଲେ ଗାଇଦିଲିଓ । ତୀକ୍ଷଣ ସ୍ୱରରେ ପଚାରିଲେ, କିଏ ?

 

ମୁଁ ଲୁକୋକ୍ୟୁଙ୍ଗବା । ଶୀଘ୍ର ଦୁଆର ଖୋଲା ।

 

ସଙ୍ଗେ ସଙ୍ଗେ ଓହ୍ଲାଇ ଆସିଲେ ଗାଇଦିଲିଓ ମଞ୍ଚା ଉପରୁ । ଧଇଁ ସଇଁ ଅବସ୍ଥାରେ କରିଚାଲିଚି ଲୁକ୍ୟୋବଙ୍ଗବା । ସର୍ବନାଶ ହୋଇଚି । ପୁଣି ସଜାଈିପାରିଚନ୍ତି ଏଇଠି ଅଛି ବୋଲି ।

 

ଗାଇଦିଲିଓ ମଚକିତ ଦୃଷ୍ଟିରେ ଚାହିଁଲା ଲଚକୋକ୍ୟୁଙ୍ଗବା ଉପରକୁ । ମୁହଁ ଗୋଟାକ ଲାଲ ହୋଇଉଠିବ ତାର । ଦେହ ସାରା କ୍ଷତ ରକ୍ତର ଧାର । ଆର୍ତ୍ତନାଦ କରିଉଠିଲା ଗାଇଦିଲିଓ । ଏ କ’ଣ, କ’ଣ ହେଇଚି ? ଏକାବାରେ ଗୁଳିକରି ପକେଇଚି । କିଏ ସେ ପାଷାଣ ?

 

ଲୁକୋକ୍ୟୁଙ୍ଗବା ହସିଲା । ଦୁଇ ପାଖର ଦାନ୍ତଗୁଡ଼ାକ ପେନ୍ୟୁ କାଠର ସ୍ନଗ୍‌ଧ ଆଲୋକରେ ଜକ ଜକ ହୋଇ ଉଠୁଥାଏ । କୋହିମା ଥାନାର ସାମନାରେ ଆଜି ଜାତୀୟ ଉତ୍ତୋଳନ ହେଉଥିଲା । ବାଓନଟ ଚଳାଇଲା ପୋଲିସ । ତାର ଏହି ଚିହ୍ନ । ଥାଉ ସେ କଥା । ଏଇକ୍ଷଣି ଏ ଘର ଛାଡ଼ି ତତେ ଯିବାକୁ ପଡ଼ିବ । ଅଙ୍ଗାମିମାନଙ୍କ ବସ୍ତିରେ ଲୁଚିରହିବାକୁ ବ୍ୟବସ୍ଥା ହୋଇଚି ।

 

–କିନ୍ତୁ ତୁମେ ମୁଣ୍ଡ ଉପରେ ଏତେବଧ ଆଘାତ ! ଟିକିଏ ଇତସ୍ତତଃ ହେଲା ପରି ବୋଧହେଲା ଗାଇଦିଲିଓ ।

 

–ଅଙ୍ଗାମିମାନଙ୍କ ବସ୍ତିକୁ ଯାଇ ସବୁ ବ୍ୟବସ୍ଥା କରିବାକୁ ପଡ଼ିବ । ଥାନା ଆଗରେ ବହୁ ଲୋକ ଆରେଷ୍ଟ ହୋଇଛନ୍ତି । ପାଦ୍ରୀ ଫାଦର ମାକେଞ୍ଜିଙ୍କୁ ପିସ୍ତଲରେ ଗୁଳି କରି ମାରି ପକେଇଚି ମାଶାଙ୍ଗ । ପୁଲିସ ଏଇ ଆଡ଼କୁ ଆସୁଚି । ଆଉ ଡ଼େରି କଲେ ଚଳିବ ନାହିଁ ।

 

–ଏଇ ଆସ୍ଥାନର ଖବର ପୁଲିସ ପାଇଲେ କିମିତି ?

 

–ଯେଉଁସବୁ ସର୍ଦ୍ଦାରମାନେ ଏଠାକୁ ଆସନ୍ତି, ସେହିମାନେ କହି ଦେଇଥିବେ ।

 

ସମସ୍ତେ ଚାଲିଗଲେ । ଏକାକିମନୀ ଗାଇଦିଲିଓ । ମାଶାଙ୍ଗ ଗୁଳି କରିଚି ! ହିଂସା ଠିକ୍‌ ଅହିଂସା ଠିକ୍‌ ସେ ମନେ ମନେ ଠିକ୍‌ କରିପାରେନା । ମାଶାଙ୍ଗ ଭଳି ଜଣେ ସରଳ ନମ୍ର ହୃଦୟରେ ହିଂସା ! ବଡ଼ ଆଚମ୍ୱିତ ବୋଧ କରୁଥିଲା ସେ । ହୁଏତ ଆଉ କେତେଟା ଦିନ ଭିତରେ ସବୁ ଧାରା ପଡ଼ିଯିବ, ନିଃଶେଷ ହୋଇଯିବ । ସେମାନଙ୍କ ପରିକଳ୍ପନା ।

 

ବ୍ରିଟିଶ-ସାମାଜ୍ର୍ୟରେ ସୂର୍ଯ୍ୟ ଅସ୍ତ ହୁଏନା ଅବଶ୍ୟ; କିନ୍ତୁ କୋହିମାରେ ଘୋର ଅନ୍ଧକାର-। ଅଣ୍ଟାକୁ ଜୋରରେ ଭିଡ଼ି ନେଲେ ଗାଇଦିଲିଓ ! ବାସବଦତ୍ତାର ଅଭିସାର ଏ ନୁହେଁ । ଏ ହେଉଚି ଏକ ନାଗା ରମଣୀର ବିପ୍ଳବ ସାଧନା । ରାଜା ଦୁଷନ୍ତ ଲାଗି ଏମାନେ କେବେ ବ୍ରତ ପାଳନ କରିନ୍ତିନି । ଫେରାର ଆସାମୀ ମାଶାଙ୍ଗ ଲାଗି ଏ ଅଭିସାର । ମାଶାଙ୍ଗ ବିପ୍ଳବୀ ।

 

ଏକ ଅଚିହ୍ନା ନିଭୃତି ଗୁମ୍ପା । ତାରି ଭିତରେ ମାଶାଙ୍ଗର ଆତ୍ମଗୋପନ । ଗାଇଦିଲିଓ ଭିତରକୁ ପ୍ରବେଶ କରି ଦେଖିଲା ଗୋଟିଏ ଦୀପ ମିଞ୍ଜି ମିଞ୍ଜି ହୋଇ ଜଳୁଚି । ଭିତରେ ମାଶାଙ୍ଗରୀ ଯୋଗସାଧନା । ପଦ୍ମାସନ ।

 

–ମାଶାଂଗ ! ତୁମର ଏ କି ଚେହେରା ? ଚମକି ପଡ଼ିଲା ଗାଇଦିଲିଓ ।

 

ବାଇଇ ତେଇଶ ବର୍ଷ ଯୁବକଟିଏ । ଆଗ ପଛର କୌଣସି ଭାବନା ନାହିଁ । ସୁଖ ଦୁଃଖର ସାଂସାରିକ ସଂଘାତ ଆଗ୍ରାହ୍ୟ କରିଲା ମୀଶାଂଶ ଅବଲୀଳାକ୍ରମେ । ଭାରତବର୍ଷ ଭବିଷ୍ୟତ ସେ ତାର ନିଜର ଭବିଷ୍ୟତକୁ ଅଲଗା କରି କେବେ ଭାବିନି । ସ୍ୱଦେଶପ୍ରେମ ହିଁ ତାର ଏକମାତ୍ର ପ୍ରେମ । ତା ଜୀବନର ସବୁଟିକ ଉତ୍ତାପ ଉନ୍ନାଦିତ ମାଶଂଶରେ ଭବିଷ୍ୟତ ଅଙ୍ଗ ଛଡ଼ା ଆଉ କିଛି ନୁହେଁ ।

 

–ତୁମର କ’ଣ ଦେହ ଖରାପ ହେଇଛି ମାଶଂଶ !

 

–ଦେହ ଖରାପ ବା କ’ଣ ? ଫେରାର ଆସାମୀର ଜୀବନ ତ କେବେ ସ୍ୱାଭାବିକ ନୁହେଁ-

 

–ତୁମେ ଫେରାର ହୋଇପାର କିନ୍ତୁ ଆସାମୀ ନୁହଁ ।

 

–ରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛି ତେବେ ?

 

ବାଧା ଦେଇ ଗାଇଦିଲିଓ ଓ କହେ, ତେବେ ବି ତୁମେ ବିପ୍ଳବୀ !

 

କିନ୍ତୁ ଏମାନେ ଆମକୁ ଆସାମୀ ଛଡ଼ା ଆଉ କିଛି କହିବେନି ଗାଇଓ ! ରାଷ୍ଟ୍ର ଆଇନ ସେ ମାନେନା ସେ ଆସାମୀ ।

 

ଗାଇଓ କୌଣସି ଜବାବ ଦେଲାନି । ମାଶାଂଗର ମୁଣ୍ଡର ବାଳଗୁଡ଼ାକ ଭିତରେ ହାତ ବୁଲାଉ ଟିକେ ପରେ ସେ କହିଲା, କୌଣସି ଆଇନ ମଧ୍ୟ ଶେଷ ପର୍ଯ୍ୟନ୍ତ କାହାରି ଉପକାରରେ ଆସେନା । ସାତ ଜଣକୁ ନେଇ ବି ଶୋଷଣ କରିହୁଏ, ସାତ କୋଟିକୁ ମଧ୍ୟ ନେଇ ହୋଇପାରେ ।

 

–ଏ କଥା କାହିଁକି କହୁଛୁ ଗାଇଓ ?

 

-ମୋଶାଂଗ ! ଇତିହାସ ପଢି ମୁଁ ବୁଝିପାରିଛି, କ୍ଷମତାର ବିଷ ସଭ୍ୟତାର ରକ୍ତକୁ ବାରମ୍ୱାର ବିଷାକ୍ତ କରିଚି । ମୃଷ୍ଟମେୟଙ୍କ କ୍ଷମତାର ବିଷ କ୍ରମେ କ୍ରମେ ମଣିଷକୁ ପଙ୍ଗୁ କରିପକାଏ-। ପଙ୍ଗୁତା ଯେତେବେଳେ ନିର୍ମମ ହୋଇଉଠେ, ସେତେବେଳେ ଆସେ ବିପ୍ଳବର ମୁହୂର୍ତ୍ତ । ମଣିଷ ତାର ବ୍ୟକ୍ତିଗତ ସ୍ୱାଧୀନତାକୁ ଭିକ୍ଷା କରିବା ଲାଗି ଘଟାଏ ରକ୍ତପାତ । କିନ୍ତୁ ତୁମର ବିପ୍ଳବ ତ ଖାଲି ମଣିଷର ନୁହଁ, ରାଷ୍ଟ୍ର ପାଇଁ ।

 

ସିଧା ସଳଖ ହୋଇ ବସିଲା ମାଶଂଗ । ଗାଇଓ ଆଡ଼କୁ ଚାହିଁ ପଚାରିଲା-କ୍ଷମତାକୁ ବିଷାକ୍ତ କରିବା ଯୋଗୁଁ ହିଁ କ’ଣ ଆମେ ଆଜି ଏତେଗୁଡ଼ିଏ ଲୋକ ଜୀବନ ଦେବାକୁ ବସିବୁ ? କ୍ଷମତା ଲୋଭରେ କି ଆମେ ସଂଗ୍ରାମ କରିବୁ ?

 

–ସେଇଥିଲାଗି ତ ମୁଁ ତୁମମାନଙ୍କୁ ଏତେ ଭଲ ପାଏ । ତୁମରି ଭବିଷ୍ୟତର ବାହାରେ ସେଇଥିଲାଗି ମୁଁ ମୋର ନିଜର କୌଣସି ଅଲଗା ଭବିଷ୍ୟତ ଦେଖିବାକୁ ପାଉନି ସ୍ୱାଧୀନତାର ମୁକ୍ତା ଆମେ ସଂଗ୍ରହ କରି ଆଣିବା, କାଳମକ୍ରମେ ସେଇଟା ହିଁ ଅନ୍ୟ ହାତରେ ହୋଇଉଠିବ କ୍ଷମତା ବିଷ-। ସାଧାରଣ ଲୋକଗୁଡ଼ାକ ସେଇଥିପାଇଁ ଚିରଦିନ ଧରି ଦୁଃଖ ଭୋଗ କରି ଆସୁଛନ୍ତି । ସଭ୍ୟତାର ଇତିହାସରେ ମୁଁ ଏହାଠୁ ବଳି ବଡ଼ ଅସଭ୍ୟତା ଆଉ କିଛି ଦେଖିବାକୁ ପାଉନି ।

 

–ଗାଇଓ ! ତୋର କଥା ମଧ୍ୟରେ ଯେଭଳି ବ୍ୟାପକ ବିପ୍ଳବର ସ୍ୱପ୍ନ ଅଛି ବୋଲି ମନେ ହେଉଛି ।

 

–ଇତରଜନଙ୍କ ପ୍ରଭୃତ୍ୱ ଲୋପ ପାଇବ ନିଶ୍ଚୟ । ସେଥିରେ ସୁକୁମାରୀର ଗିଲାସରେ ଏକ ବିନ୍ଦୁ ଦୁଧର ସଞ୍ଚୟ ରହିବିନି । ରହିବିନି ଏଇ କାରଣରୁ ଯେ ନୂତନ କ୍ଷମତାର ଚାବୁକ ପୁଣି ଆସି ପଡ଼ିବ ରାସ୍ତାର ଏ ସାଧାରଣ ମଣିଷ ପିଠିରେ । ବ୍ରାହ୍ମଣର ଚାବୁକରୁ ଆରମ୍ଭ କରି ଜମିଦାରମାନଙ୍କ ଚାବୁକରୁ ଆଘାତ ଆସି ପଡ଼ୁଛି ରାସ୍ତାର ଏଇ ସାଧାରଣ ମଣିଷ ଚମଡ଼ା ଉପରେ-। ଇଂରେଜ ବିତାଡ଼ନରେ କ’ଣ ଏସବୁ ଦାଗ ନିଭିଯିବ ?

 

ବିବ୍ରତ ହୋଇ ଉଠିଲା ବିପ୍ଳବଳୀ ମାଶାଂଗ । ଗୁଳି ଖାଇ କେତୁଟା ଆଗେ ନିହତ ହୋଇଛି ବ୍ରିଟିଶ ମାଜିଷ୍ଟ୍ରେଟ ଓ ପାଦ୍ରୀ ମାକେଂକି । ଅନ୍ୟ ଜଣେ ମାଜିଷ୍ଟ୍ରେଟ ସେହି ଶୂନ୍ୟ ଚେୟାରଟାରେ ବସିବାକୁ ହୁଏତ ସାତ ଦିନରୁ ବେଶି ସମୟ ଲାଗିବନି । ମନେ ହେଉଛି ଯେପରି କୌଣସିଠି କିଛିହେଲେ ଦାଗ ଲାଗିନି । କ୍ଷତି ହୋଇନି ଶାସନକ୍ଷେତ୍ରରେ । ସ୍ୱାଭାବିକ ନଷ୍ଟ ହୋଇନି ବିନ୍ଦୁଏ ହେଲେ । ସବୁତକ ଆଲୋଡ଼ନ କେବଳ ମାଶଂଗର ଦେହ ଲାଗି ଥିଲା ? ଅଂଶ ଗ୍ରହଣ କରିଥିଲା ରାଣୀ ଗାଇଦିଲିଓ । ବିପ୍ଳବୀ ମାଶାଂରେ ଆଖିରେ ବର୍ତ୍ତମାନ ମାଜିଷ୍ଟ୍ରେଟ ସାହେବର ଚିତ୍ର କୁଆଡ଼େ ଉଭେଇ ଗଲାଣି । ଉଭେଇଗଲା ଏଇଥିଲାଗି ଯେ ମାଜିଷ୍ଟ୍ରେଟ ସାହେବଙ୍କ ପଛରେ ସେ ଏକ ବୃହତ୍ତର ଅସ୍ତିତ୍ୱ ଦେଖିବାକୁ ପାଉଛି । କ୍ଷମତାଲୋଭୀ ମଣିଷ ଓ ଦୁଇଟା ବଡ଼ ବଡ଼ ମଖି । ସେ ଦେଖିବାକୁ ପାଉଛି ଇତିହାସ; ସେ ଇତିହାସର ପୃଷ୍ଠାର ଲେପ୍‌ଟି ରହିଛି ବର୍ଣ୍ଣଗ୍ରାମ ଧର୍ମର କେଦାନ୍ତମସୀ, ସମ୍ରାଟ ବାଦଶାହମାନଙ୍କର କୀର୍ତ୍ତିକାଳିର କ୍ରମ କଳଙ୍କ । ସିଧାହୋଇ ବସି ମଶାଂଗ ଇତିହାସର ପୃଷ୍ଠା ଓଲଟାଇ ଚାଲିଛି । ରାଜନୀତି ସାମୟିକତା ପାର ହେବାକୁ ଲାଗିଲା ଅତି ଦ୍ରୁତଗତିରେ । ରାଜନୀତି ବଦଳୁଛି, ବଦଳୁଛି ସମାଜତନ୍ତ୍ର । ଜମିଦାର ଆସିଲା, ଆସିଲା ମଧ୍ୟବତ୍ତ । ଜମିର କୃଷ୍ଟି ଧରି ବସିରହିଲା ଚାଷୀ । ଜମିଦାର ଅକ୍ଷର ଚାରିଦିଗରେ ଘୂରିବାକୁ ଲାଗିଲା ଭାରତର କୃଷ୍ଟ ଜଗତ୍‌ । ବେଶୀଦିନ ଲାଗିଲାନି, ଦୁଇ ଶହ ବର୍ଷ ପାର ନ ହେଉଣୁ କ୍ଷମତାର ବିଷ ଫୁଟି ବାହାରିବାକୁ ଲାଗିଲା । ପ୍ରତି ଲୋମକୂପ ଦେଇ ସେସବୁ ଫୁଲି ଫୁଲି ଉଠିଛି । ପକ୍ଷାଘାତରେ ଅବଶ ମୁହୂର୍ତ୍ତରେ ପ୍ରାୟ ସମାଗତ । କାହିଁକି ଇମିତି ହେଲା ? ମାଜିଷ୍ଟ୍ରେଟ ସାହେବ କେଉଁଠି ? କେଉଁଠି ସେ ଛୋଟଲାଟ ଆଉ ବାଟଲାଟମାନେ ? ଗୁଳି ଖାଇ ମୃତ ମାଜିଷ୍ଟ୍ରେଟର ବା ଦୋଷ କେତେ ? କାହାକୁ ହେଲେ ଦେଖିବାକୁ ପାଉନି ମାଶାଙ୍ଗ । ସେ ଦେଖିବାକୁ ଢେଉ ଆସି ଇତିହାସ-ବକ୍ଷରେ କେତେ ଯେ କଲ୍ଲୋଳ ସୃଷ୍ଟି ନ କରିଚି । ଭାଙ୍ଗିଦେଇଛି ସମାଜର ଦୁଇ କୂଳ ! କିନ୍ତୁ ରାସ୍ତାର ଏହି ମଣିଷଟାଏ କୌଣସି ପରିବର୍ତ୍ତଜନ ହେଲାନି-ଦୁଃଖୀ ଜନତାର ବକ୍ଷରେ ଜମାଟ ବାନ୍ଧି ରହିଲା ବ୍ୟଥାର ବନ୍ୟା । ସର୍ବସ୍ୱ ଖାଇ ଯେଭଳି ତାର ସର୍ବୋଚ୍ଚ ସ୍ତରରେ ମଥା ଆସି ବାଡ଼େଇ ହୋଇଛି । ନଚେତ୍‌ ସେଇ ଭଙ୍ଗା ଭଙ୍ଗା ଉପଳଖଣ୍ଡର ଫାଙ୍କ ଦେଇ ସେ ଆଜି ବିଛଣା ଉପରେ ବସି ସେଇ ସର୍ବୋଚ୍ଚ ଚୁଡ଼ାର ନିଃଶବ୍ଦ ବିପ୍ଳବ ଦେଖନ୍ତାନି । ଗାଇଦିଲିଓ ବିପ୍ଳବରେ ରକ୍ତପାତ ନାଇଁ । ନ ଥାଉ, ଭଲ ।

 

କିନ୍ତୁ ମାଶାଙ୍ଗର ଆଉ ଫେରିବାର କୌଣସି ବାଟ ନାହିଁ । ମଧ୍ୟବତ୍ତିର ରକ୍ତରେ ହିଁ ମଧ୍ୟବତ୍ତର ପାପ ପୋଛିଦେବାକୁ ପଡ଼ିବ । ତା’ପରେ କ’ଣ ହେବ ମାଶାଙ୍ଗ ଜାଣେନା । କ୍ଷମତାର ବିଷ ଏକ ହାତରୁ କିମ୍ବା କୋଟି ହାତରୁ ଉବୁକି ପଡ଼ିବ କି ନାହଁ, ତା’ର ଜ୍ୟୋତିଷଗଣନା ମାଶାଙ୍ଗ ଜ୍ଞାନର ସେତେବେଳେ ଏ କ୍ଷମତା ତାକୁ ବହନ କରିବାକୁ ହିଁ ପଡ଼ିବ ।

 

ବିପ୍ଳବୀ ମାଶାଙ୍ଗ ଶୋଇପଡ଼ିଲା । ବଡ଼ କ୍ଳାନ୍ତ ବୋଧ କରୁଛି ସେ । ରାଜନୀତିର ପତାକା ବୋଲି ବଡ଼ ଭାରୀ ବୋଧ ହେଉଛି । ମୁଣ୍ଡର ଗୌରବ-ମୁକୁଟ ବୋଝ ହୋଇପଡ଼ିଛି ତାକୁ । ଧୀରେ ଧୀରେ କହିଉଠିଲା-ଗାଇଓ, ମୁଣ୍ଡଟା ଭାରୀ ଭାରୀ ଲାଗୁଛି ।

 

ମୁଁ ଚିପି ଦେଉଛି ଲୁଚି ଲୁଚି ଏଠି ସେଠି ଘୂରିବାକୁ ପଡ଼ୁଛି ନା ! ତୁମର କଷ୍ଟ ମତେ ବଡ଼ ବାଧୁଛି ମାଶଂଗ ! ତୁମ କଥା ମତେ ପ୍ରତି ମୁହୂର୍ତ୍ତରା ଭାବିବାକୁ ପଡ଼ୁଛି ।

 

ଶନିବାର ରାତିରେ ମୁଁ କୋହିମା ଛାଡ଼ି ମଣିପୁର ପାରହୋଇ ଚାଲିଯିବ ଭାବିଛି ଗାଇଓ-!

 

ଗାଇଓ ବୋଲୁଚି-ରାଣୀ କୁହ, ମୁଁ ପରା ରାଣୀ, ତୁମର ରାଣୀ !

 

ଗାଇଓର ହାତଟାକୁ ଟାଣିଆସିଲା ମାଶଂଗ । ଭାରତ ମାତାର ବିଦ୍ରୋହୀ ସନ୍ତାନ କ୍ରମେ କ୍ରମେ ଭୁଲିବାକୁ ଲାଗିଲା ରକ୍ତର ସ୍ୱାଦ । ମନେହେଲା, ସାହେବଙ୍କ ବୁକୁରେ ଗୁଳି ଦୁଇଟା ଯେମିତି ତା ବୁକୁ ଗୋଟାଏ ଗାତ ଖୋଳି ପକାଇଛି । ଇଂରେଜର ଉପନିବେଶ ଖ୍ରୀଷ୍ଟନିଟି ଭାଙ୍ଗପଡ଼ିଲେ ମଧ୍ୟ ଏ ଗାତ ବୁଜି ହେବନି । ଏ ଗାତ ବୁଜି ଦେଇପାରେ ଗାଇଦିଲିଓ, ପାରିବ ତାର ପ୍ରେମ ଜାହ୍ନବୀ-। ବିଦ୍ରୋହୀ ବୁକୁରେ ଭାସିଉଠିଲା ଏକ ନୂତନ ମନ୍ତ୍ର । ଗାଇଦିଲିଓର ହାତଟା ନିଜ ବୁକୁ ଉପରେ ରଖି ମାଶାଂଗ କହିଲା, ‘‘କୋହିମାର ବାହାରକୁ ଯାଉଛି-ଏତିକିମାତ୍ର ଜାଣେ । କେଉଁଠିକି ଯାଉଛି, ବାଟ ନ ଧରିଲେ କହି ପାରିବେନି ।’’

 

–ତା’ ହେଲେ ମୋ ସାଙ୍ଗରେ କ’ଣ ତୁମର ଆଉ ଦେଖାହେବନି !

 

ଏ କଥାରେ ଉତ୍ତର ମାଶାଂଗ କ’ଣ ବା ଦେବ ? ଦେଖା ହେବା ନ ହେବା ଭାଗ୍ୟର ଆଇନଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ହାତର ଭୁଲ ଥାଇପାରେ, କିନ୍ତୁ ଭାଗ୍ୟର ଭୁଲ କିଛି ରହି ନ ପାରେ ।

 

ଗାଇଓ ପଚାରିଲା-ଯଦି ଆଉ ଦେଖା ନ ହୁଏ, ତାହାହେଲେ ସମଗ୍ର ଜୀବନ କ’ଣ ନେଇ ରହିବି ମାଶାଂଗ ?

 

ଚାଳିଶ କୋଟି ଜନତା କିଭଳି ରହିଛନ୍ତି, ଗାଇଓ କ’ଣ ଜାଣନା ? ଆଜି ସେ ବ୍ୟସ୍ତ ହୋଉଠୁଚି ନିଜର ଭବିଷ୍ୟତ ଲାଗି । ଗୋଷ୍ଠୀର ଗୌରବରେ ସେ ଗୌରବାନ୍ୱିତ ନୁହେଁ । ବ୍ୟକ୍ତି ଜୀବନ ଠାରୁ ସ୍ତରଠାରୁ ଗାଇଓ ତାର ସୁଖ ଦୁଃଖର ସଂଖ୍ୟାଗୁଡ଼ିକ ଗଣି ଗଣି ଦେଖିଯାରିଛି ।

 

–ଗୋଟିଏ ସାମାନ୍ୟ ଅନୁରୋଧ କରିବି, ରଖିପାରିବ ମାଶାଂଗ ?

 

–କୁହ ।

 

–ମୁଁ ତୁମକୁ ନିୟନ୍ତ୍ରଣ କରିବାକୁ ଚାହେଁ । ବାବାଜୀଙ୍କ ଥିବା ଅବସ୍ଥାରେ ଯାଇ ନ ପାର, କିନ୍ତୁ ଆମଘରକୁ ଯିବାକୁ ହିଁ ପଡ଼ିବ-ମୁଁ ତାର ବ୍ୟବସ୍ଥା କରିଦେବି ।

 

–କିନ୍ତୁ......

 

–କିନ୍ତୁ ଫିନ୍ତୁ କିଛି ନାହିଁ ମାଶାଂଗ । ଭାରତବର୍ଷ ଏକ ତୁଚ୍ଛତମ ଘର, ସେଠି ନାହିଁ ରାଜନୀତି, ନାହିଁ ବିପ୍ଳବର ସଙ୍କେତ । ତଥାପି ଏ ଘରଟା ଭିତରେ ଆମର ଜୀବନ କଟେଇବାକୁ ପଡ଼ିବ । ତୁମେ ନ ଆସିଲେ ଆମର ଏ ଘର ସାମ୍ରାଜ୍ୟରେ ଆଲୁଅ ଜଳିବନି ।

 

–ତା’ ହେଲେ ଶକ୍ରବାର ରାତି ସାଢ଼େସାତଟା ବେଳେ ମୁଁ ଯିବି । ଝଲକାର ରେଲିଂ ତିନି ଚାରିଟା ଭାଙ୍ଗି ଦେଇଥିବୁ ।

 

–କାହିଁକି ? ସିଧା ଗେଟ ଦୁଆର ଦେଇ ଆସିବ । ମୁଁ ତୁମ ଲାଗି ଅପେକ୍ଷା କରି ବସି ରହିଥିବି ।

 

ପେନ୍‌ସନ ହୋଲ୍‌ଡ଼ର ଲୁଥର ସାହେବ । ହଠାତ୍‌ ପଶିଆସିଲେ ଘର ଭିତରକୁ । ଆଖିରେ ଦେଖାଗଲା ଚାରିଆଡ଼େ ନୂତନତା, ଭଙ୍ଗ ରଙ୍ଗିମା । ଗାଇଓଳ ଶୋଇବା ଘରେ ଶେଯ ପଡ଼ିଛି, ମୋଲାୟମ ଶଯ୍ୟା । ବେଶ ସଫା ସୁତୁରା । ବହୁଦିନରୁ ସେ ଝିଅକୁ ଦେଖିବାକୁ ପାଇ ନଥିଲେ । ମନରେ ଖୁସି ଝିଅ ଫେରିଛି ।

 

ଖଟର ପାଖକୁ ଘଷିହୋଇ ଠିଆ ହେଲେ ସେ ଠିକ୍‌ ଦୁଆର ପାଖରେ । ବଗିଚା ଗୋଟାକ ବେଶ୍‌ ପରିଷ୍କାର । ରଜନୀଗନ୍ଧାର ଶିରଦେଶ ବେଶ ପବନରେ ଦୋହୁଲୁଚି । ଯୁଇ ଓ ମଲ୍ଲୀର ସୌରଭ ଛୁଟିଚି ଏକା ସାଙ୍ଗରେ । ଗାଇଓ ଚଡ଼ା ଆଉ ଇିମିତି ଘର କିଏ ବା ସକେଇବ ? ହୋଟରେଲର କକ୍‌ଟେଲରେ ମଧ୍ୟ ଏଭଳି ଗନ୍ଧ ମିଳେନା । ମିଳେନା ସମାଜର କୌଣସି ସ୍ତରରେ ମଧ୍ୟ । ଶିକ୍ଷା ଓ ସଭ୍ୟତାର ସର୍ବୋଚ୍ଚ ସ୍ତରରେ ମଧ୍ୟ ଯୁଇ ଓ ମଲ୍ଲୀର ସମ୍ମିଶ୍ରଣ ଖୋଜି ସୁଦ୍ଧା ସମ୍ଭବ ହୋଇପାରିଲା ନାହିଁ ।

 

ଝରକାର ଫାଙ୍କ ଦେଇ ହାତଟାକୁ ଲମ୍ୱେଇ ଦେଲାମାତ୍ରେ ଲାଗିଲା ଗୋଟାଏ ମାଧବୀଲତାର ଡ଼ାଳ । ଟାଣି ଧରିଥିଲେ ଲୁଥର ସାହେବ । ହୁଏତ ଆଉ ମାଧବୀଲତାର ଆସି ଲୋଟିପଡ଼ିବ ଗାଇଦିଲିଓ ପାଦ ପାଖରେ । ମାଧବୀଲତା ଭଳି ଗାଇଓ ବଢି ଚାଲିଚି ଉପରକୁ ଉପରକୁ । ବଢୁ ବଢୁ; ଆଉରି ବଢୁ । ଶୁକ୍ଳ ଶୁଭ୍ର ବିଛଣାରେ ଛାଦରଟା ଉପରେ ହାତକୁ ପ୍ରସାରିଦେଇ ଲୁଥର ସାହେବ ମନେ ମନେ ଝିଅକୁ ପ୍ରତିଶ୍ରୁତି ଦେଲେ-ଯେ କୌଣସି ଦିନ ଗାଇଓର ପ୍ରଗତିପୁଷ୍ଟ ସ୍ରୋତରେ ବାଧା ସଅଷ୍ଟି କରିବେନି । ଏଇ ମାଧବୀଲତା ଚଡ଼ା ନିରୁକ୍ତ ପ୍ରତିଶ୍ରୁତିର ସାକ୍ଷୀ ରହିଲେ ନାଇଁ କେହି ହେଲେ । ମାନବ ସଭ୍ୟତାର ସବୁଠାରୁ ବଡ଼ ପ୍ରତିଶ୍ରୁତି ମର୍ମ ଉଦ୍‌ଘାଟନ କଲେ ଲୁଥର ସାହେବ ମାଧବୀଲତାର କାନେ କାନେ ।

 

ଘରର ଗୋଟିଏ କୋଣରେ ଖଣ୍ଡିଏ ସଉପପଟି ଗୁଡ଼ା ହୋଇ ରଖାହୋଇଚି । ଶୀ ତଳପଟଟି ବି ନୁହେଁ-ଅତି ରୁକ୍ଷ ଓ ଶସ୍ତା ଦରର ଏ ପଟି । ସେ ବୁଝିପାରିଲେ-ଗାଇଓ ଖଟ ତାହାହେଲେ ବ୍ୟବହାର କରେନା । ବର୍ମସାଗୁଆନ ଓ ପଣସ କାଠର ଖଟ ପରିତ୍ୟକ୍ତ ହୋଇଚି ଓ ଅବହେଳାରେ । କିନ୍ତୁ ଏ ଅବହେଳା କାହିଁକି ?

 

ଟେବୁଲ ଉପରେ ଶେଯ ପାରି ହୋଇପଡ଼େ ଗାଇଓ । କୃଚ୍ଛ୍ର ସାଧନାର ଚରମ ସ୍ତର । ମାଧବୀଲତାର ସଭ୍ୟତା ଗତ ହୋଇଚି । ବର୍ତ୍ତମାନ ସେ ନୂତନ ସଭ୍ୟତା ଗଢି ଚାଲିଛନ୍ତି । ଏ ସଭ୍ୟତାର ଗତି ନିମ୍ନଗାମୀ । ସାମାଜିକ ସ୍ତରଗୁହାରେ ଏହା ଆବଦ୍ଧ । ପଦଚାଳିତ କରି ମାନବ ପ୍ରେମର ମୁକ୍ତ ମୁହୂର୍ତ୍ତଗୁଡ଼ାକ ହିଁ ମାନବତାକୁ ଟେକିରଖେ ଆଇନର ଶିବସ୍ତ୍ରାଣ ଦେଇ । ଏହି ବାଣୀରେ ରହିଛି ଅସଂଖ୍ୟ ମାରଣାସ୍ତ୍ର ଶବ୍ଦକୋଷ । ଅପରିକ୍ୱେ, କଷି ପୃଥିବୀଟାକୁ କାଟି ଟିକି ନିଖି କରିବାର ପ୍ରୟୋଗ କୌଶଳ ରହିଚି ଏହାର ପ୍ରତ୍ୟେକ ଶବ୍ଦରେ । ସେଇଥିଲାଗି ବୋଧହୁଏ ପୃଥିବୀଟା ଜୁଆନ ହୋଇପାରିଲା ନାହିଁ-ମୋଡ଼ି ମୋଡ଼ି ପଡ଼ିରହିଲା କୋଟି କୋଟି ଲୁଥରଙ୍କ ପାଦତଳେ ।

 

ସେ ଏଥର ଟେବୁଲ ଉପରୁ ଦୃଷ୍ଟି ଉଠେଇ ଆଣିଲେ ଗାଇଓର ଲେଖାପଢା ଛୋଟ ଟେବୁଲଟା ଆଡ଼କୁ । ଗାଇଓର ଗୋପନ ଜୀବନ ସ୍ପଷ୍ଟତର ହୋଇଉଠିଲା । ମାଶାଙ୍ଗର ଆଲୋକ ଚିତ୍ରକୁ ଦେଖି ସେ ଅବାକ୍‌ । କେଉଁଠି ଏ ଲୋକଟାକୁ ତାଙ୍କର ଦେଖିଲା ଭଳି ମନେହେଲା । ଓଃ, ହଁ ମନେପଡ଼ୁଛ-ଖବର କାଗଜ-ଦେଶୀ ବିଦେଶୀ ଖବର କାଗଜମାନଙ୍କରେ । ମାଶାଙ୍ଗ-ହଁ ତ, ଏହି ସେଇ ମାଶାଙ୍ଗ-ଫେରାଇ ଆସାମୀ । ଗାଇଓ ତାକୁ ଭଲପାଏ ବୋଧେ ?

 

ଶୁକ୍ରବାର ରାତିରେ ମାଶାଂସ ଗାଇଓ ସହିତ ଦେଖା କରିବାକୁ ଆସିବ ବୋଲି କଥା ଦେଇଛି । ସେଇଥିଲାଗି ସକାଳୁ ରନ୍ଧାରନ୍ଧ ଲାଗି ବଡ଼ ବ୍ୟସ୍ତ ହୋଇପଡ଼ିଥିଲା ଗାଇଓ । ସେ ନିଜେ ହାତରେ ରୋଷେଇ କରିବ । ଆଗରେ ବସି ଖୁଆଇବ ମାଶାଂଗକୁ । ସକାଳେ ବାପାଙ୍କ ପାଖରୁ ଦଶଟା ଟଙ୍କା ମାଗିବାକୁ ଗଲାବେଳେ ସାହେବ ପଚାରିଲେ-ଟଙ୍କା କଅଣ ହେବ ମା ?

 

–ବଜାରରେ ଆଜି ଟିକିଏ ବେଶୀ ଟଙ୍କା ଲାଗିବ ।

 

–କାହିଁକି ?

 

–ମୋର ଜଣେ ବନ୍ଧୁ ଆସିବେ, ନିୟନ୍ତ୍ରଣ କରିଛି ।

 

–ବନ୍ଧୁ ଜଣକ କିଏ ?

 

–ତୁମେ ଚିହ୍ନିବନି ବାବା ।

 

–ବେଶ୍‌, କେତେବେଳେ ସେ ଖାଇବାକୁ ଆସିବ ?

 

–ରାତିରେ ।

 

–ବେଶ୍‌ ଭଲ, ତେବେ ଦଶ ଟଙ୍କାରେ କ’ଣ ଚଳିଯିବ ? ଏଇ ନେ ପଚାଶ ଟଙ୍କା ।

 

ସେଦିନ ଗାଡ଼ି ଚଳେଇ ସାହେବ ଘର ବାହାରକୁ ଗଲାବେଳେ ଘର ସାମନାରେ ଡ଼ାକ ପକାଇଲେ-ଦଇଓ୍ୟାନ୍‌ !!

 

–ହଜୁର ।

 

–ରାତମେ ଦୋ ଚାର୍‌ ଡ଼ାକୁ ଚଲ୍‌ତା ହୈ ଫାଟକ୍‌କା ଇଧର ଉଧର ।

 

–ଚଲତା ହୈ ହଜୁର ।

 

–ତୁମ୍‌ କ୍ୟା କର୍‌ତା ହୈ ?

 

–କୋଇ ଡ଼ାକୁକୋ ହାମ୍‌ ଫାଟକ୍‌ ମୋ ଘୁଷତା ଦେଖା ନେଇଁ ।

 

–କାହେ ?

 

–ଡ଼ାକୁ ତୋ ଡ଼ାକୁ ହାୟ ହଜୁର ।

 

–ଠିକ୍‌ ବାତ୍‌ ହୈ, କିସ୍‌କେ ଘୁଷନେ ମତ ଦୋ ।

 

–ନେଇଁ ହଜୁର ! ମଗର୍‌–

 

ଚନ୍ଦନ ସିଂ ଆଗେଇ ଆସିଲା ସାହେବଙ୍କ ପାଖକୁ । ମଗର୍‌ ଗାଇଓ ବହେନ୍‌ ବୋଲାହୈ ରାତ୍‌ମେ ଏକ୍‌ ବାବୁ ଆୟୋଗା ।

 

–କିତ୍‌ନା ରାତ୍‌ମେ ?

 

–ବୋଲା ହୈ–ସାଢ଼େ ସାତ୍‌ ବାତେ ।

 

ନିଶଃବ୍ଦରେ ସାହେବ ଆସି ଗାଡ଼ିରେ ବସିଲେ । ଚନ୍ଦନ ସିଂ ମନରେ ଅନୁତାପ । ଗାଇଓକୁ କଥା ଦେଇଥିଲା-ମାଶଂଗ ଆସିବାର ଖବର ସେ କାହାରିକି କହିବିନି । କଥାର ଇଜ୍ଜତ ସେ ରଖିପାରିଲା ନାହିଁ । କଥା ଦେଇ ଯେ କଥା ରଖିପାରେ ନା, ସେ ଡ଼ାକୁଠାରୁ ବଳି ଡ଼ାକୁ ।

 

ରାତି ୧୦ଟା ପୂର୍ବରୁ ସାହେବ ଘରକୁ ଫେରନ୍ତିନି । ଗାଇଓ ଏ କଥା ଭଲ ଭାବରେ ଜାଣେ । ଆଉ ସେ ତ କେବେହେଲେ ଆସନ୍ତିନ ଗାଇଓର ଶୋଇବା ଘରକୁ । ଦରକାର ଥିଲେ ଡକେଇ ପଠାନ୍ତି ।

 

ସନ୍ଧ୍ୟା ପୂର୍ବରୁ ଗାଇଓର ରନ୍ଧା ଶେଷ । ପ୍ରତ୍ୟେକ ଆଇଟମ୍‌ ଭିତରେ ପ୍ରୀତି ଓ ପ୍ରେମର ପରିମାଣ ଆଜି ଯେମିତି ଉବୁରି ପଡ଼ୁଚି । ଏମିତି ମନପ୍ରାଣ ଦେଇ କେବେ କୌଣସି ଦିନ ରାନ୍ଧି ନ ଥିଲା ସେ । ମାଶାଂସ ଲାଗି ସେ ପାରିବିନି ଏଭଳି କୌଣସି କାମ ସଂସାରରେ ନାହିଁ ଯିମିତି । ଖାନ୍‌ସମାକୁ ସେ ଆଜି ଛୁଟି ଦେଇଚି । ଗାଇଓର ହୁକୁମ-ତୁମ ସମସ୍ତଙ୍କୁ ଆଜି ମୁଁ ମୋର ହାତର ରନ୍ଧା ଖୁଆଇବି ।

 

ସନ୍ଧ୍ୟା ପରେ ମାଶାଂଗ ଲାଗି ପ୍ରସ୍ତୁତ ଖାଦ୍ୟଗୁଡ଼ାକୁ ଅଲଗା କରି ବାସନରେ ରଖି ଆସନ ଆଗରୁ ପକେଇ ଦେଇଥିଲା ସେ ନିଜେ ।

 

ବାରଣ୍ଡାର ୱାଲ-କ୍ଳକ୍‌ରେ ପ୍ରାୟ ସାଢ଼େ ସାତଟା ବାଜିବା ଉପରେ । ବାରଣ୍ଡାରୁ ଫାଟକଟା ପରିଷ୍କାର ଦେଖାଯାଏ । ଗାଇଓ ମାଶାଂଗକୁ ଅନୁରୋଧ କରି କହିଛି ସାମନା ଫାଟକ ଦେଇ ଆସିବାକୁ । ତା ଜୀବନରେ ସର୍ବଶ୍ରେଷ୍ଠ ‘‘ହରୋ’’ ଆସିବ ମଥାକୁ ଉଚ୍ଚ କରି-ଏଇ ପ୍ରଶସ୍ତ ରାସ୍ତା ଦେଇ । ଗାଇଓ ଦେଖିବ ବାରଣ୍ଡାରେ ଠିଆହୋଇ ସେଇ ଉଚ୍ଚ ମଥାକୁ ।

 

ଘନ ଜଙ୍ଗଲ-ତା ସାଙ୍ଗକୁ ରାତି । ଘନ ଅନ୍ଧକାର ଦେଇ ବାଟକାଟି ଚାଲିଚି ମାଶାଂଗ । ପକେଟରେ ଗୋପନ ପିସ୍ତଲ ଉପରେ ହାତ ରଖିଲା ସେ । ମନେହେଲା ପିସ୍ତଲର ମୁହଁ ଓାଦା ଲାଗୁଚି । ମନବପ୍ରେମର ନୂତନ ମନ୍ତ୍ର ଉତ୍ତାପ ବୋଧହୁଏ ପିସ୍ତଲଟା ଆଉ ସହ୍ୟ କରିପାରୁନି । ଦୁଇ ଜଣ ଇଂରେଜ ବୁକୁର ରକ୍ତ ଗଳି ପଡ଼ୁଛି ଯେମିତି ପିସ୍ତଲ ମୁହଁ ଦେଇ । ଗାଇଓ ସହିତ ସାକ୍ଷାତ କରିବା ଲାଗି ତ’ ପ୍ରାଣ ବ୍ୟସ୍ତ ହୋଇଉଠୁଥାଏ । ଛୋଟ ସରୁ ସରୁ ରାସ୍ତା ପାରହୋଇ ଆସିଲ ପ୍ରଧାନ ରାସ୍ତା ଉପରକୁ । ପିସ୍ତଲର ପ୍ରୟୋଜନ ଆଉ ନାହିଁ ବୋଲି ସେ ମନେ ମନେ ଭାବି ନେଇଥିଲା ଆଗରୁ । ଗାଇଓ ସାଙ୍ଗରେ ଥିଲେ ସେ କାହାରିକି ହେଲେ କେବେ ଭୟ କରେନା । ପ୍ରେମ ଯେଉଁଠି ଶୁଦ୍ଧ, ନିର୍ମଳ, ସେଠି ପରାଜୟର ବା ସ୍ଥାନ କାହିଁ ? କଟିଦେଶରୁ ଝିଙ୍କିନେଇ ଫୋପାଡ଼ିଦେଲା ପିସ୍ତଲାଟା ଗଭୀର ଉପତ୍ୟକା ଭିତରକୁ । ଭୟଶୂନ୍ୟ ମନ ନେଇ ସେ ମଥା ଉଚ୍ଚ କରି ସାମନା ଫାଟକ ଦେଇଯିବ ତାର ପ୍ରିୟତମା ସହିତ ଦେଖା କରିବାକୁ । ଏ ଉଚ୍ଚ ମଥାରେ ନ ଥିବ ବିନ୍ଦଚଏ ବୋଲି କ୍ଷମତାର ଗର୍ବ । ବିନୟାବତନ ଶିରରେ ମାଶାଂଗ ଉଡ଼େଇ ଦେଲା ନୂତନ ମନ୍ତ୍ର ଜୟପତାକା ।

 

ଟିକିଏ ଦୂରରୁ ସେ ଗାଇଓ ଘରର ଫାଟକଟା ପାଖରେ ଦେଖିବାକୁ ପାଇଲା ଦରଓ୍ୟାନ ଚନ୍ଦନସିଂଙ୍କୁ । ଅଟକିଗଲା ମାଶାଙ୍ଗ । ରାସ୍ତା ଉପରୁ ଦୁଇଟା ଲୋକ ସନ୍ଦେହଜନକ ଭାବରେ ଚାଲିଗଲା ନା କ’ଣ ? ଏମାନେ ବୋଧହୁଏ ଫାଟକ ଆଡ଼କୁ ଚାଲିଛନ୍ତି । ହୁଏତ ଏମାନେ ଶିକାର ଖୋଜି ବୁଲୁଛନ୍ତି । ସହସା ମାଶାଙ୍ଗ ରକ୍ତରେ ଝଡ଼ ଉଠିଲା । ସାମ୍ରାଜ୍ୟବାଦୀ ଇଂରେଜ ଜାତି ବୁକୁରେ ଚାଳି ଛାଡ଼ିବା ଲାଗି ପାଗଳ ହୋଇଉଠିଲା ସେ । କିନ୍ତୁ ପିସ୍ତଲ ? ସିଏତ ଆଉ ନାହିଁ-ଫୋପାଡ଼ି ଦେଇ ଆସିଚି ସେ ଉପତ୍ୟକା ଭିତରେ । ପୃଥିବୀର ଏହି ପ୍ରପଞ୍ଚ ଆବିଷ୍କାରଟାକୁ ସେ ଫୋପାଡ଼ି ଦେଇ ଆସଚି-ଭଲ କରିଚି ।

 

ଦୂରରୁ ଦେଖିଳା ଫାଟକ ଆଗରେ ଦୁଇଟା ଆଲୋକପିଣ୍ଡୁଳା । ଦୂରରୁ ମନେହୁଏ ଲୁଥର ସାହେବଙ୍କ ପରେ ଗୋଟାଏ ମସ୍ତ ଉତ୍ସବର ଆୟୋଜନ । ବିଶିଷ୍ଟ କୌଣସି ଅତିଥି କରି ରହିଚି ସମଗ୍ର ଘରଟା । ଏପରି ନିରୁବେଦଗ୍‌ ନିର୍ଭାବନାରେ କେବେ ଜୀବନରେ ବାଟ ଚାଲି ନଥିଲା ମାଶାଙ୍ଗ । ତିଳେ ହେଲେ ଚଞ୍ଚଳତା ପ୍ରକାଶ ପାଇଲାନି ତାର ଅଙ୍ଗପ୍ରତ୍ୟଙ୍ଗରେ । ପୁଲିସର ବଡ଼ କର୍ମଚାରୀମାନେ ପିସ୍ତଲ ଟେକି ଧରିଥାଆନ୍ତେ ତା ବକ୍ଷଉପରକୁ ଲକ୍ଷ୍ୟ କରି । ମାଶାଙ୍ଗ କିନ୍ତୁ ସେସବୁ କିଛି ଦେଖିବାକୁ ପାଉନି । ସେ ଖାଲି ଚାହିଁଚି ବାରଣ୍ଡା ଆଡ଼କୁ-ଠିଆହୋଇ ରହିଛି ଗାଇଦିଲିଓ ।

 

ମୁହୂର୍ତ୍ତକ ଭିତରେ ପୁଲିସ ଗାଡ଼ି ଆସି ପହଞ୍ଚଥିଲା । ହାତକଡ଼ା ପିନ୍ଧାଇ ଦିଆଗଲା ।

 

ଫାଟକ ଭିତରକୁ ଆଉ ପ୍ରବେଶ କରିପାରିବିନି ମାଶାଙ୍ଗ । କୁଆଡ଼ୁ କେଜାଣି ପାଞ୍ଚ ସାତ ଜଣ ପୁଲିସ୍‌ ମାଡ଼ି ଆସିଲେ-ଆରେଷ୍ଟ କଲେ ମାଶାଙ୍ଗକୁ । ଚନ୍ଦନସିଂ ଦେଖିବାକୁ ପାଇଲା ମାଶାଙ୍ଗ ଖସି ଚାଲିଯିବାର କୌଣସି ଚେଷ୍ଟା ସୁଦ୍ଧା କଲାନି-ଯେମିତି ଧରାପଡ଼ିବା ଲାଗି ଆଗରୁ ସେ ପ୍ରସ୍ତୁତ ହୋଇ ଆସିଥିଲା । ଉଚ୍ଚ ଶିରରେ ସେ ଦଣ୍ଡାୟମାନ ହୋଇ ରହିଲା ଠିକ୍‌ ହାରୋ ଭଳି । ତିଳେ ହେଲେ ଚଞ୍ଚଳତା ପ୍ରକାଶ ପାଇଲାନି ତାର ଅଙ୍ଗପ୍ରତ୍ୟଙ୍ଗରେ । ପୁଲିସର ବଡ଼ କର୍ମଚାରୀମାନେ ପିସ୍ତଲ ଟେକି ଧରିଥାଆନ୍ତେ ତା ବକ୍ଷଉପରକୁ ଲକ୍ଷ୍ୟ କରି । ମାଶାଙ୍ଗ କିନ୍ତୁ ସେସବୁ କିଛି ଦେଖିବାକୁ ପାଉନି । ସେ ଖାଲି ଚାହିଁଚି ବାରଣ୍ଡା ଆଡ଼କୁ-ଠିଆହୋଇ ରହିଛି ଗାଇଦିଲିଓ ।

 

ମୁହୂର୍ତ୍ତକ ଭିତରେ ପୁଲିସ ଗାଡ଼ି ଆସି ପହଞ୍ଚଥିଲା । ହାତକଡ଼ା ପିନ୍ଧା ଦିଆଗଲା । ଅଣ୍ଟାରେ ଦଉଡ଼ି । ଯେ ଯିମିତି ତା ଦେହର ସବୁତକ ଛାଡ଼ି ଦେଇଚି ପୁଲିସ ହାତରେ । ଯାହା ଇଚ୍ଛା ସେମାନେ କରନ୍ତୁ ପଛକେ-ମାଶଙ୍ଗ ଖାଲି ଚାହିଁବାକୁ ଦିଅନ୍ତୁ ବାରଣ୍ଡାକୁ । ଗୋଟାଏ ଦୀର୍ଘଚ ନିଶ୍ୱାସ ଛାଡ଼ି ମାଶାଙ୍ଗ ଉଠିଆସିଲା ପୁଲିସ ଗାଡ଼ି ଭିତରକୁ ।

 

ଗାଇଓକୁ ଉପର ବାରଣ୍ଡା ଉପରୁ ଖସିଆସିଲା ତଳକୁ । କ’ଣ ଗୁଡ଼ାଏ କହୁ କହୁ ହାତ ଗୋଡ଼ ଯିମିତି ତାର ଅବଶ ହୋଇଉଠିଲା ଏକାବେଳକେ ।

 

କେହି ଯିମିତି ତା’ କାନରେ ଆସି କହିଗଲା-ମାଶାଙ୍ଗକୁ ଧରେଦେଲୁ ଆମେମାନେ ।

 

ଚମକି ଉଠିଲା ଗାଇଓ-କ’ଣ ହେଲା ? ଧରେଇଦେଲୁ ଆମେମାନେ ?

 

କ’ଣ କେଜାଣି ମନେକରି ଗାଇଓ ପୁଣି ଉଠିଆସିଲା ଦୋତାଲକୁ । ନିଜ ଘର ଭିତରକୁ ପଶି ଆସି ପ୍ଳେଟ ଦେହରୁ ଉଠେଇନେଲା ଗୋଟାଏ ସନ୍ଦେଶଟେବୁଲ ଉପରୁ ଟାଣି ଆଣିଲା ମଲ୍ଲୀଫୁର ମାଳା, ପୁଣି ଫେରିଆସିଲା ତଳକୁ । ଠିଆହେଲା ଆସି ଫାଟକ ଆଗରେ-କେହି ତ କାହିଁ ନାହାନ୍ତି..... ।

 

କେବଳ ଠିଆ ହୋଇ ରହିଛି ଦରଓ୍ୟାନ ଚନ୍ଦନସିଂ । ଡ଼ାହାଣ ହାତଟା ମୁଣ୍ଡ ଉଠେଇ ସେ ରାସ୍ତାକୁ ଆଡ଼କୁ ସଲାମ ଜଣାଉଛି–ବୋଧହୁଏ ଗାଡ଼ିଟାକୁ । ଗାଡ଼ିଟାରେ ସେଦିନ ବସିଥିଲା ମାଶାଙ୍ଗ । ନୂତନ ଏକ ବିପ୍ଳବର ମନ୍ତ୍ର ନେଇ ବିଦ୍ରୋହୀ ମାଶାଙ୍ଗ ଆସି ପ୍ରବେଶ କଲା ଇଂରେଜ କାରାଗାର ଭିତରେ । ତାର ବିଚାର ହେବ–ବିଚାର ଫଳ ଉପରେ ଆଉ ବୋଧହୁଏ କିଛି ନିର୍ଭର କରେନା । ଗାଇଓ ତାର ନିଜର ଭବିଷ୍ୟତ ଦେଖିବାକୁ ପାଇଛି ।

 

ଲୁଥର ସାହେବ ଫେରିଲେ ରାତି ଏଗାରାଟାରେ । ଦେଖିଲେ ତଳେ ଲୋଟିପଡ଼ିଛି ଅଳିଅଳ କନ୍ୟା ଗାଇଓ । ପଡ଼ୁ ଲୋଟି ପଡ଼ୁ । କେତେ ଦିନ ବା ସେ ପଡ଼ିରହିବ ? ଆଜି ନୁହେଁ କାଲି, କାଲି ନୁହେଁ ପଅରଦିନ ତାକୁ ଉଠିବାକୁ ହିଁ ପଡ଼ିବ । ଲୋଟି ପଡ଼ି ରହିବା ମଣିଷର ସ୍ୱଭାବିରୁଦ୍ଧ କାର୍ଯ୍ୟ–ଇଏ ଗୋଟାଏ ବିଶେଷ ମୁହୂର୍ତ୍ତର ଭଙ୍ଗୀ-ଜୀବନ ଦ୍ୱନ୍ଦରେ ସ୍ଥାୟିତ୍ୱ ଏଥିରେ ନାହିଁ-

 

ନିଜ ଘର ଭିତରକୁ ଆସି କୋଟର ବୋତାମ ଖୋଲୁ ଖୋଲୁ ସ୍ୱତଃସିଦ୍ଧ ଭାବରେ ସେ ସ୍ଥିର କଲେ-ରାଷ୍ଟ୍ର ଓ ସମାଜ କୌଣସି ଗୋଟିଏ ହେଲେ ନାରୀର ବ୍ୟକ୍ତିଗତ ଅନିୟମକଚ ବୋଲି ମାନି ନେଇ ପାରେନା । ଖୁଣ୍ଡୀକୁ କ୍ଷମା କରାଯାଇପାରେନା ବିଚାର ଅଦାଲତାରେ ଅନୁମତି ବ୍ୟତୀତ । ଯାହା ହୋଇଛି ଭଲ ହୋଇଛି । ସାରାଜୀବନ ଆସାମୀ ହୋଇ ରହୁଥାନ୍ତା ମାଶାଙ୍ଗ । କୌଣସି ଦିନ ସୁଖର ସଂସାର ଗଢି ତୋଳି ପାରି ନ ଥାଆନ୍ତା । ବିଚାରର ସୁଯୋଗ ପାଇଚି ସେ । ବିଚାରର ସମସ୍ତ କିଛି ବ୍ୟୟଭାର ସେ ନିଜେ ବହନ କରିବେ । ଫୌଜଦାରୀ ଆଇନର ସବୁଠାରୁ ବଡ଼ ବିଶେଷଜ୍ଞମାନଙ୍କୁ ଅର୍ଥ ଦେଇ ସେ ନିଯୁକ୍ତ କରିବେ । ଏହାଠୁ ବଳି ବେଶି ସୁବିଡ଼ା କେଉଁ ସ୍ନେହାନ୍ଧ ପିତା ଦେଇପାରନ୍ତା ?

 

ମାଶାଙ୍ଗର ଫାଶି ହୁକୁମ ହେଲା । ବୋଧହୁଏ ବୟସ ବେଶି ହୋଇନି ବୋଲି ଲାଟସାହେବ ଫାଶି ହୁକୁମ ମଞ୍ଜର କଲେ ନାହିଁ । ଦେଲେ ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡ ।

 

ସେଦିନ ସନ୍ଧ୍ୟାବେଳେ ମିଃ ଲୁଥର ପଚାରିଲେ-ଆଜିର କାଗଜ ପଢିବୁ ମା ?

 

–କାଗଜ, କି କାଗଜ ବାବା ?

 

–ଦୈନିକ ଖବର କାଗଜ ।

 

–ନା, ମୁଁ ଖବର କାଗଜ ପଢା ବନ୍ଦ କରିଦେଇଛି ।

 

–କାହିଁକି ମା ?

 

–କାହିଁକି ଯେ ଛାଡ଼ି ଦେଇଛି ଠିକ୍‌ ମନେ ପଡ଼ୁନି ।

 

–କାରଣ ତ ନିଶ୍ଚୟ ଗୋଟାଏ କିଛି ଥିବ !

 

–ଗୋଟାଏ କାହିଁକି ବହୁତ । କିନ୍ତୁ ଆଜିକାର କାଗଜ ପଢ଼ିବା କଥା କାହିଁକି ପଚାରିଲେ ବାବା ।

 

ସାହେବ ଟିକିଏ ଚୁପ ରହିଲେ; ତାପରେ କହିଲେ-ମାଶାଙ୍ଗରୀ ବିଚାର ହେବ ଏକ ସ୍ପେଶାଲ ଟ୍ରିବ୍ୟୁନାଲରେ । ଭଗବାନଙ୍କର ଦୟା ନାହିଁ, ଥିଲେ ବିଚାରର ଭାର ପଡ଼ିନ୍ତାନି ସେଇ ଫାଶି ଜଳଟା ଉପରେ ।

 

‘‘ଫାଶିର ଜକ ?’’ ବଡ଼ ବ୍ୟତିବ୍ୟସ୍ତ ହୋଇପଡ଼ିଲା ଗାଇଓ ।

 

ଛଅ ମାସ ପରେ ଗାଇଓ ଶୁଣିବାକୁ ପାଇଲା–ମାଶାଙ୍ଗ ଆନ୍ଦାମାନ ଯାଉଛି । ନୂତନ ଦେଶ, ନୂତନ ଆବହାୱା, ନୂତନ ପରିବେଶ, ତାକୁ କେତେ ଭଲ ଲାଗିବ ଗାଇଓ ଜାଣେନା । ସମ୍ଭବ ବି ନୁହେଁ ।

 

ମାଶଙ୍ଗ ଯିବାର କିଛିଦିନ ପରେ ଗାଇଓ ଯାଇଥିଲା ବ୍ରହ୍ମପୁର କୂଳକୁ ବୁଲି । ଏକା ଏକା-। ବୁଢା ଡ଼୍ରାଇଭରଟା ଗାଡ଼ିରେ ବସିଥିଲା । ବ୍ରହ୍ମପୁର ଜଳ ଅତି ଶାନ୍ତ ମନେହେଲା ତାକୁ । ସ୍ରୋତ ଅଛି, ତରଙ୍ଗ ନାହିଁ । ଜଳ ତାକୁ ଟାଣେ, ଟାଣେ ତାକୁ ମାଶାଙ୍ଗର ଅଣ୍ଟାରେ ବନ୍ଧା ହୋଇଥିବା ଦଉଡ଼ିଟା ।

 

ସିଂହ ଭଳି ସରୁ ଅଣ୍ଟାଟିଏ ମାଶାଙ୍ଗର । ବୁକୁର ଚଉଟା ଛାତିଟା ଥିଲା ଲୁହା ଭଳି ଅତି ଟାଣ । ଲମ୍ୱା ଲମ୍ୱା ଆଙ୍ଗୁଠିଘୁଡ଼ାକ ଦେଖିଲେ ତାର ମନେ ହେଉଥିଲା ମାଶାଙ୍ଗ ଗୋଟିଏ ଶିଳ୍ପୀ । ଭଗବାନଙ୍କ ଇଚ୍ଛା ନ ଥିଲା ଏ ଆଙ୍ଗୁଠିଗୁଡ଼ାକ ପିସ୍ତଲ ସ୍ପର୍ଶ କରୁ ବୋଲି । ତଥାପି ତା ହେଲା । ଭାଗ୍ୟର ନେଇ ଲୁଥର ସାହେବଙ୍କର ସବୁବେଳେ ଚିନ୍ତା; କିନ୍ତୁ ଗାଇଓ ପାଖରେ କୌଣସି ରହସ୍ୟ ନାହିଁ । ଶକ୍ତିଶାଳୀ ମୁଠା ମଧ୍ୟରେ ଦୁର୍ବଳମାନେ ଚିରଦିନ ରହସ୍ୟର ସନ୍ଧାନ ପାଇଥାଆନ୍ତି । କ୍ଷମତା କାରବାରରେ ଆବଦ୍ଧ ମଣିଷର ଭାଗ୍ୟରେଖାରେ ଦେଖିବାକୁ ମିଳେ ରହସ୍ୟର ଅଙ୍କ । ଭୁଲ ଅଙ୍କ ପଛରେ ଗାଇଓ ଛୁଟିବନି, ସମୟୀ ସ୍ରୋତରେ ସେ ନିଜ ଦେହକୁ ଭସେଇ ଦେବିନି ଚିନ୍ତା ପ୍ରତିବାଦରେ । ସେ ବିପ୍ଳବ କରିବ । ମାଶାଙ୍ଗର ବିଦ୍ରୋହାଗ୍ନିକୁ ତେଜୀୟାନ ରଖିବ ଜୀବନ ସାର-ଘର ଛାଡ଼ିବ, ବିଳାସ ଛାଡ଼ିବ, ଜୀବନର ସବୁ କିଛି ଛାଡ଼ିଦେଇ ସେ ପଶିଯିବ ସେି ବଣ ଜଙ୍ଗଲ ଭିତରେ । ଗୁହା ଗହ୍ୱରର ମଣିଷଗୁଡ଼ାକ ଦେହରେ ଦେହକୁ ଘଷି ସେ ବରଫ ଭିତରେ ତ ଅଗ୍ନିକୁ ସ୍ଫୁଲିଙ୍ଗ ଦେଖିବ-ଦରକାର ହେଲେ ସେ ବି ଫାଶିଖୁଣ୍ଟରେ ଝୁଲିବା ପାଇଁ ନିଜକୁ ପ୍ରସ୍ତୁତ କରିବ ।

 

ସେଇଦିନଠାରୁ ଗାଇଓ ଚାଲିଚି ଗାଁରେ ବିଦ୍ରୋହ ଦିହୁଡ଼ ଜଳେଇ । ଲୁଚା ଛପା କାରବାର । ଲାକେମା ସରକାରୀ ଗେଷ୍ଟହାଉସ ପାଖରେ କ୍ୟାମ୍ପ ପଡ଼ିଥାଏ । କୁକୀ ଚୌକୀଦାରର ବିଶ୍ୱାସଘାତକତା ହେତୁ ସେଦିନ ଗାଇଓ ଶୃଙ୍ଖଳିତା ହେଲା ଅର୍ଦ୍ଧରାତ୍ରି । ଗାଇଦିଲିଓ ଗିରଫଦାରିରେ ଚାଞ୍ଚଲ୍ୟ ଖେଳିଉଠିଲା ସେଦିନ ନାଗା ପାହାଡ଼ରେ । ଗିରଫ କରି ପୁଲିସ ପଠେଇ ଦେଲେ କୋହିମାକୁ । ବିଚାରରେ ବିପ୍ଳବିନୀର ଦଣ୍ଡାଦେଶ ହୁଏ ଚଉଦ ବର୍ଷ କାଳ । ସଶ୍ରମ କାରାଦଣ୍ଡ । ଏପରି ଜଣେ ତରୁଣୀର ଅପୂର୍ବ ବୀରତ୍ୱ କାହାଣୀ କୌଣସି ସମ୍ୱାଦପତ୍ରରେ ପ୍ରକାଶିତ ହୋଇ ନଥିଲା । କାରଣ ନାଜା ଅଞ୍ଚଳରେ ପ୍ରବେଶାଧିକାର ଥିଲା ସମ୍ପୂର୍ଣ୍ଣ ନିଷିଦ୍ଧ ଓ ସରକାରୀ ନିୟନ୍ତ୍ରିତ । ବିଦେଶୀ ରିପୋର୍ଟ ଏବଂ କାହାଣୀରେ ଡାହାଣୀ ଏବଂ ଯାଦୁକାରିଣୀ ଭାବରେ ଗାଇଦିଲିଓ ଅଭିହିତ କରାଯାଇଚି । ଦେଶର ଲୋକେ ଏଇ ନାଗା କୁମାରୀର ସ୍ୱାଧୀନତା-ସଂଗ୍ରାମର ଅସୀମ ସାହସିକ ବିବରଣୀ ପ୍ରଥମେ ଶୁଣିବାକୁ ପାଇଲେ ଜବାହଲାଲ ନେହେରୁଙ୍କଠାରୁ । ୧୯୪୭ ସ୍ୱାଧୀନତା ଦିବସରେ ସେ ନାଗାମାନଙ୍କର ସ୍ୱାଧୀନତାପ୍ରିୟତାର ପ୍ରଶଂସା କରିଥିଲେ ଅକୁଣ୍ଠିତ ଚିତ୍ତରେ । ପରେ ଘଟଣାକ୍ରମରେ ସ୍ୱାଧୀନତା ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ଶେଷରେ ନାଜା ଉପଜାତି ବିରୁଦ୍ଧରେ ସାମରିକ ଅଭିଯାନ ଚଳାଇବାକୁ ପଡ଼ିଲା ।

 

ଏଭଳି କାହିଁକି ହେଲା, ବୁଝିବାକୁ ହେଲେ ନାଗାମାନଙ୍କର ଇତିହାସ ସମ୍ପର୍କରେ ଅନୁଧ୍ୟାନ ଆବଶ୍ୟକ । ଭାରତବର୍ଷର ଅନ୍ୟ ବହୁ ଜାତିର ଉତ୍ପତ୍ତି ସମ୍ପର୍କରେ ଯେଭଳି ନିଶ୍ଚିତ ଭାବରେ କିଛି କହିବା ସମ୍ଭବ ନୁହେଁ, ନାଗାମାନଙ୍କର ଅତୀତ ଇତିହାସ ମଧ୍ୟ ସେଭଳି ସମ୍ପୂର୍ଣ୍ଣ ଅନୁମାନର ବିଷୟ । ଶଙ୍ଖ, କଉଡ଼ି ଏବଂ ସାମୁଦ୍ରିକ ଆଭରଣ ପ୍ରତି ସେମାନଙ୍କ ଅନୁରାଗକୁ ଲକ୍ଷ୍ୟକରି କେହି କହିଥାଆନ୍ତି ଯେ ନାଗାମାନେ ପ୍ରଥମେ ବା କରୁଥିଲେ ସମୁଦ୍ର ତୀରଦେଶରେ । ସେମାନଙ୍କ ମତରେ ଳବୋର୍ଣ୍ଣିତ, ମାଳୟ ଆଦିମ ଆଦିବାସୀମାନଙ୍କ ସହିତ ନାଗାମାନଙ୍କର ସାଦୃଶ୍ୟ ସମ୍ପୂର୍ଣ୍ଣ ଆକସ୍ମିକ ନୁହେଁ । ନାଗା ଭାଷାର ପର୍ଯ୍ୟାଲୋଚନା କରି ସୁପଣ୍ଡିତ ଭାଷାବିତ୍‌ ସାର ଜି. ଜି. ଜିୟାର୍ସନ ମନ୍ତବ୍ୟ ଦେଇଛନ୍ତି ଯେ ଉତ୍ତର-ପୂର୍ବ ଚୀନ୍‌ର ଇୟାଂଗ୍‌, ସିକିୟାଂଗ ଓ ହୋୟାଂଗ ହୋ ଦୋୟାବଠାରୁ ତିବ୍‌ବତୀ ଓ ବର୍ମାମାନଙ୍କ ଦ୍ୱିତୀୟ ଅଭିଯାନ ସମୟରୁ ହିଁ ନାଗାମାନଙ୍କ ଆଗମନ । ଅଙ୍ଗାସି, କୋରିମା, ଲୋମା ଓ ବେଙ୍ଗମା ନାଗାମାନଙ୍କ ଭାଷା ମଧ୍ୟରେ ଯଥେଷ୍ଟ ସାମଞ୍ଜସ୍ୟ ରହିଚି । ସେମି ନାଗାମନଙ୍କ ଭାଷା ନାଗାବୁନି ଉପଶାଖାରେ ଅନ୍ତର୍ଭୁକ୍ତ ।

 

ଆଦି ଜନ୍ମ ସମ୍ୱନ୍ଧରେ ନାଗା ଉପଜାତିମାନଙ୍କ ମଧ୍ୟ ବହୁ କିମ୍ୱଦନ୍ତୀ ପ୍ରଚଳିତ । ଆଙ୍ଗାମି ନାଗାମାନଙ୍କ ମତରେ ସେମାନଙ୍କ ବାସଭୂମି ଥିଲା ଦକ୍ଷିଣର କୌଣସି ବିସ୍ତୃତ ଅଞ୍ଚଳରେ । ପ୍ରଥମ ପୂର୍ବ ଯମଜଙ୍କର ଜନ୍ମ ହୋଇଥିଲା ଧରିତ୍ରୀ ଗର୍ଭରୁ । କାଗ ନାଗାଲୋକଙ୍କ କଥାରୁ ଜଣାଯାଏ, ସେମାନଙ୍କର ଆଗମନ ପଥ ଜାପେସ ପର୍ବତ ଶ୍ରେଣୀ । ଲୋକଟା ନାଗାମନଙ୍କ ଜନ-ପ୍ରବାଦରୁ ଜଣାଯାଏ, ପ୍ରଥମେ ଆଙ୍ଗାମି ଦେଶରେ ହିଁ ତାଙ୍କର ବାସଭୂମି ଥିଲା । ସେମାନଙ୍କର ଗୋତ୍ରନ ‘‘ଆଉ’’ ଉପଶାଖା ଲୋଟାମାନଙ୍କ ସଂସ୍ରବ ଛାଡ଼ି ଉତ୍ତର ଦିଗକୁ ଚାଲିଆସିଲେ । ଆଙ୍ଗାମି ଆକ୍ରମଣ ବିରୁଦ୍ଧରେ ମଧ୍ୟ ଆତ୍ମରକ୍ଷା କରିବାକୁ ପଡ଼ିଥିଲା ଲୋଟାମାନଙ୍କୁ । ପାନୋଭା ନାମକ ଜଣେ ଶକ୍ତିମାନ ବ୍ୟକ୍ତିର ନେତୃତ୍ୱରେ ଲୋଟାମନଙ୍କ ଯୁଦ୍ଧବିଗ୍ରହ ଚାଲିଲା । ସେମା ଶାଖାର ଲୋକେ କହନ୍ତି, ସେମାନଙ୍କ ଆଦିଭୂମି କେଜୋକମା ନିକଟରେ ସୁଇଏମି ଗାଁ । ସୁଇଏମି ଗାଁର ବିଶେଷତ୍ୱ ଏପର୍ଯ୍ୟନ୍ତ ରହିଚି । ଚାରି ଦିଗରେ ଆଙ୍ଗାମି ନାଗାମାନଙ୍କ ମଧ୍ୟରେ ଲାମା ଭାଷାରେ କଥାବାର୍ତ୍ତା ହୋଇଥାଏ । ଅବଶ୍ୟ ପ୍ରତିଯୋଗୀ ଆଙ୍ଗାମିମାନଙ୍କ ସାଙ୍ଗରେ ଆଙ୍ଗାମି ଭାଷାରେ କଥାବାର୍ତ୍ତା ଓ ଆଲାପ ଆଲୋଚନା ଚଳେ । ଲୋଜେମି ଲୋପଭାମା ଓ ମାଓର ଲୋମୀମାନଙ୍କ ମଧ୍ୟରେ ଯେଉଁ ସବୁ କାହାଣୀ ପ୍ରଚଳିତ ସେଥିରୁ ଜଣାଯାଏ, ଅତୀତରେ କେବେ ମାଳଭୂମି ଭିତରୁ ସେମାନେ ନାଗା ପାହାଡ଼ରୁ ଚାଲି ଆସିଥିଲେ । ଆଙ୍ଗାମି ଶାଖା ନାଗା ଉପଜାତିଙ୍କ ଭିତରେ ସଂଖ୍ୟାଧିକ । ସେମାନଙ୍କ ମଧ୍ୟରେ ବହୁ ରକମର ବିଚିତ୍ର କାହାଣୀ ସୁଦୂର ଅତୀତ ସମ୍ୱନ୍ଧରେ ପ୍ରଚଳିତ ।

 

କେଜାମି ଗାଁରେ ବହୁଦିନ ପୂର୍ବେ ଜଣେ ବୃଦ୍ଧ ବାସ କରୁଥିଲେ । ତାଙ୍କର ତିନି ପୁଅ । ପ୍ରତିଦିନ ଘର ଆଗରେ ପରିବାରର ସମସ୍ତେ ଏକ ପଥର ଉପରେ ଧାନି ଶୁଖେଇ ଦିଅନ୍ତି । ସନ୍ଧ୍ୟା ବେଳକୁ ଦେଖାଯାଏ, ଧାନର ଓଜନ ଦୁଇଗୁଣ ହୋଇଯାଇଚି । ପଥରର ଅଧିଷ୍ଠାତା ମଙ୍ଗଳମୟଙ୍କ ଏକ ଶକ୍ତିର କରୁଣାରେ ଏଭଳି ବୃଦ୍ଧର ଧରନ ବଢିଉଠେ । ଦିନେ ଆରମ୍ଭ ହେଲା ତିନି ଭାଇଙ୍କ ମଧ୍ୟରେ ବିବାଦ । ଏପରି ମାରାତ୍ମକ ଧାରଣ କଲା ଯେ ବାପକୁ ପଥର ଦେହରେ ଅଗ୍ନ ସଞ୍ଜୋଗ କରିବାକୁ ପଡ଼ିଲା । ଭାଇମାନଙ୍କ ମଧ୍ୟ ମନୋମାଳିନ୍ୟ ଘଟିଥିଲା ପଥର ଦେହରେ ଧାନ ଶୁଖେଇବା ନେଇ । ଅଗ୍ନି ତେଜରେ ପଥର ଫାଟିଗଲା । ଅଧିଷ୍ଠାତା ଦେବତା ସଙ୍ଗେ ସଙ୍ଗେ ପଥର ଛାଡ଼ି ଚାଲିଗଲେ । ଭାଇମାନେ ଏହାପରେ ଅଲଗା ହୋଇ କିଏ କୁଆଡ଼େ ଚାଲିଗଲେ । ତିନି ଭାଇଙ୍କର ସନ୍ତାନ ସନ୍ତତି ହେଲେ । ଏହିଥିରୁ ଗୋଟିଏ ଉପଜାତି ପ୍ରସାର ଲାଭ କଲା । ଆଙ୍ଗାମି, ଲୋଟା ଓ ଲାମାନାଗା । ଏବେ ମଧ୍ୟ ଆଙ୍ଗାମି ଗାଁରେ କୌଣସି ପୂଜା ପାର୍ବଣ ହେଲେ ମାଓ ପୁରୋହିତମାନଙ୍କଠାରୁ ଅନୁମତି ନେଇଥାଆନ୍ତି ।

 

ଏକ ସମୟରେ କାଛାଡ଼ିମାନେ ହିଁ ଏ ଅଞ୍ଚଳର ଥିଲେ ସବୁଠାରୁ ଶକ୍ତିମାନ । ଡ଼ିପାପୁର ଛାଡ଼ି ରାଜ୍ୟର ପ୍ରଥମ ରାଜଧାନୀ । ଆହିମ ଅଭିଯାନ ଆରମ୍ଭ ହେବା ପରେ କାଛାଡ଼ିମାନେ ଡ଼ିମାପୁର ଛାଡ଼ି ମାଉବେଙ୍ଗକୁ ସେମାନଙ୍କ ରାଜଧାନୀ ସ୍ଥାନାନ୍ତରିତ କରିଥିଲେ । ଜେମି ନାଗାମାନେ ବସାଇଡ଼ଲ ପର୍ବତଶ୍ରେଣୀଠାରୁ ଉତ୍ତର-ପୂର୍ବ ଗିରିପଥ ଦେଇ ଆସି କାଛାଡ଼ି ରାଜତ୍ୱରେ ବାସବାସ କଲେ ଏବଂ କିନ୍ତୁ ମଣିପୁରୀ ସମାନ ସେମାନଙ୍କର ଧର୍ମର ଅଙ୍ଗ ହିସାବରେ ୟାକୁ ଦେଖି ଦେଖି ଲେଶମାତ୍ର କ୍ଲାନ୍ତବୋଧ କରି ନ ଥାଆନ୍ତି । ଦେଖିଚି ଗିତ ଶୁଣୁ ଶୁଣୁ ଭାବାବେଶରେ କେତେଜଣ ଗଳା ଫଟେଇ କାନ୍ଦି ଉଠିଛନ୍ତି, କେତେ ଜଣଙ୍କର ଆଖିରେ ଜଳ ଭରିଆସିଚି କେତେ ଜଣ ଆବେଗ ସହକାରେ ଶିକ୍ଷକଙ୍କ ପାଖରେ ସାଷ୍ଟଙ୍ଗ ପ୍ରଣାମ କରି ସେମାନେ ଯେ ମୁଗ୍‌ଧ ହୋଇପଡ଼ିଚନ୍ତି, ସେ କଥା ଜଣାଇଚନ୍ତି । କେତେବେଳେ ଦର୍ଶକମଣ୍ଡଳୀ ଭିତରୁ କେହି ଉଠି ନିଜ ଦେହର ଭଲ ଚାଦରଟି ଶିକ୍ଷକଙ୍କୁ ଉପହାର ଦେଇଛନ୍ତି ।

 

ମଣିପୁରୀ ଝିଅମାନଙ୍କ କଣ୍ଠସ୍ୱର ଭାରି ମଧୁର । ଗଳା ଯେପରି ଉଚ୍ଚକୁ ଉଠେ, ସେହିଭଳି ମିଠା ଓ ବଳିଷ୍ଠ । ସାବଲୀଳ ତାନରେ ଗୀତ ଗାଆନ୍ତି ଘଣ୍ଟା ଘଣ୍ଟା ଧରି, ତା ସାଙ୍ଗାକୁ ନାଚ–କିନ୍ତୁ ତିଳେହେଲେ କ୍ଲାନ୍ତି ପ୍ରକାଶ ପାଏନା । ମଣିପୁରୀ ନିୟମ ଅନୁସାରେ ମହାରାସର ଅଭିନୟରେ କ୍ଲାନ୍ତି ପ୍ରକାଶ ପାଏନା । ମଣିପୁରୀ ନିୟମ ଅନୁସାରେ ମହାରାସର ଅଭିନୟରେ କେବଳ ଅବିବାହିତା ଝିଅ ମାନଙ୍କୁ ହିଁ ଗ୍ରହଣ କରାହୋଇଥାଏ । ଏମାନଙ୍କୁ କୁହାଯାଏ ‘‘ଲୈସବୀ’’ । ଆଗେ ଝିଅମାନେ ହିଁ କୃଷ୍ଣ ଭୂମିକାରେ ଅଭିନୟ କରୁଥିଲେ, କିନ୍ତୁ ବର୍ତ୍ତମାନ ବ୍ୟତିକ୍ରମ ଘଟିଚି । ଝିଅମାନେ ପୁଅ ବେଶର ନାଚିବାକୁ ବେଶ୍ ଆଗଭର । କାରଣ ଏଠାର ସମାଜରେ ମହିଳାମାନେ ପ୍ରଧାନ ।

 

ଆଜିକାଲି ଭାରତରେ ଯେଉଁ କେତୋଟି ପ୍ରାଚୀନ ନୃତ୍ୟ ପ୍ରସିଦ୍ଧିଲାଭ କରିଚି, ସେଥିମଧ୍ୟରୁ ଉତ୍ତର-ଭାରତର କଥକ, ମଣିପୁରୀ ଓ ଦକ୍ଷିଣ–ଭାରତର କଥାକଳି, ଭାରତନାଟ୍ୟମ୍ ନାଁ ସମସ୍ତେ ପ୍ରାୟ ଶୁଣିଚନ୍ତି । ଏମାନଙ୍କ ମଧ୍ୟରେ ତାଳ, ମାନ, ଭଙ୍ଗୀ, ମୁଦ୍ରା ବ୍ୟବହାରରେ ଯଥେଷ୍ଟ ପାର୍ଥକ୍ୟ ରହିଛି । କଥାକଳି ଓ ଭାରତ ନାଟ୍ୟମ୍‌ ଗୋଟିଏ ଆଦର୍ଶରେ ପରିଚାଳିତ ହେଲେ ମଧ୍ୟ ଭାରତନାଟ୍ୟମ୍ ଭଳି ବିଚିତ୍ର ଛନ୍ଦବହୁଳ ପଦଚାଳନା କଥାକଳିରେ ନାହିଁ । କଥାକଳି ଯାତ୍ରାରେ କରିବା ଭଳି ବହୁଜନସମାବେଶ ଅଭିନୟର ନୃତ୍ୟ ।

 

ଉତ୍ତର–ଭାରତର କଥକରେ ଅଭିନୟ ଥିଲେ ମଧ୍ୟ ମୁଦ୍ରାର ଆତିଶଯ୍ୟ ନାହିଁ । ଏଥିରେ ଅଛି ନିଜସ୍ୱ ପଦକର୍ମ । ଛନ୍ଦ ବୈଚିତ୍ର୍ୟ ହିସାବରେ କଥକକୁ ନୃତ୍ୟର ଅଗ୍ରଣୀ କୁହାଯାଇପାରେ । କିନ୍ତୁ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ନୃତ୍ୟ ଭାବରେ ବର୍ତ୍ତମାନ ସ୍ୱୀକୃତି ନ ପାଇଥିଲେ ମଧ୍ୟ ସବୁ ବୈଚିତ୍ର୍ୟ ଏଥିରେ ଠୁଳ ହୋଇ ରହିଚି । ମହାରାସର ଅଭିନୟରେ ନାନାପ୍ରକାର ଗୀତ ସହିତ ସଖୀମାନେ ଯେତେବେଳେ ନାଚି ଥାଆନ୍ତି, ଗୀତର ରସ ସହିତ ଏମାନଙ୍କ ବିଭିନ୍ନ ଭଙ୍ଗି ଫୁଟିଉଠେ ।

 

ଯେଉଁମାନେ ଆସାମର ବୈଷ୍ଣବମାନଙ୍କର ଅଥବା ଶଙ୍କରଦେବ ପ୍ରଚାରିତ ବୈଷ୍ଣବ ଧର୍ମର କେନ୍ଦ୍ର ସ୍ୱରୂପ ‘ମଠ’ ବା ‘ସୂତ୍ର’ରେ ନୃତ୍ୟାଭିନୟ ଦେଖିଚନ୍ତି, ସେମାନେ ମଣିପୁରୀ ନୃତ୍ୟ ସହିତ ଏହି ନୃତ୍ୟର ମିଳନ ଦେଖିବାକୁ ପାଇଥିବ । ଅନୁମାନ କରାଯାଏ, ମହାରାଜା ଭାଗ୍ୟଚନ୍ଦ୍ର ଯେତେବେଳେ ଆସାମ ରାଜାଙ୍କ ଅତିଥି ଭାବରେ ଆତ୍ମଗୋପନ କରିଥିଲେ, ସେତେବେଳେ ସେ ସେଠାରେ ଏହି ନୃତ୍ୟ ପ୍ରଦର୍ଶନ କରିଥିଲେ । ପରେ ବୈବାହିକ ସୂତ୍ରରେ ଆସାମ ରାଜାଙ୍କ ସହିତ ତାଙ୍କର ସମ୍ପର୍କ ଯେତେବେଳେ ଅଧିକ ଘନିଷ୍ଠ ହୋଇ ଉଠିଲା, ସେତେବେଳେ ସେଠାର ନୃତ୍ୟକାରମାନେ ଅଧିକ ଘନିଷ୍ଠ ହୋଇ ଉଠିଲା, ସେତେବେଳେ ସେଠାର ନୃତ୍ୟକାରମାନେ ମଣିପୁରରେ ବୈଷ୍ଣବମାନଙ୍କର ନୃତ୍ୟ ସହିତ ମଣିପୁରୀ ନୃତ୍ୟକୁ ମିଶାଇ ଭାଗ୍ୟଚନ୍ଦ୍ର ବର୍ତ୍ତମାନ ପ୍ରଚଳିତ ନୃତ ସହିତ ମଣିପୁରୀ ନୃତ୍ୟକୁ ମିଶାଇ ଭାଗ୍ୟଚନ୍ଦ୍ର ବର୍ତ୍ତମାନ ପ୍ରଚଳିତ ନୃତ୍ୟର ମୂଳଦୁଆ ପକାଇଥିଲେ ।

 

ମଣିପୁରୀ ନୃତ୍ୟର ପ୍ରଧାନ ବୈଶିଷ୍ଟ୍ୟ ହେଉଚି, ଜଳବାନ୍ଧି ଗୋଲ ହୋଇ ଏମାନେ ବୃତ୍ତାକାରରେ ନାଚିବା । ଏଭଳି କି ଶ୍ରୀକୃଷ୍ଣ ଯେତେବେଳେ ଏକୁଟିଆ ନାଚନ୍ତି, ସେତେବେଳେ ମଧ୍ୟ ଦଳବଦ୍ଧ ନାଚର ରୀତି ଅନୁଯାୟୀ ସେ ମଣ୍ଡଳରେ ଘୂରିବାକୁ ପଡ଼େ । ବୃତ୍ତାକାରରେ ଦଳବାନ୍ଧ ନାଚ ହେଉଚି ପ୍ରାୟ ସବୁ ଦେଶର ଦେଶୀୟ ନୃତ୍ୟ, ଯାହାକୁ ଆମେ କହୁ ‘ଲୋଚନୃତ୍ୟ’ । ଭାରତନାଟ୍ୟମ୍, କଥା କଳି ବା କଥକରେ ଯେଭଳି ସାମନାକୁ ଆଗେଇ ଆସି, ପୁଣି ପଛକୁ ଯାଇ ନର୍ତ୍ତକୀ ବା ନର୍ତ୍ତକ ନାଚେ, ଏହି ପଦ୍ଧତି ମଣିପୁରୀ ନୃତ୍ୟରେ ଦେଖାଯାଏନା । ହାତର ଭଙ୍ଗୀରେ ମଣିପୁରୀମାନେ ଶବ୍ଦର୍ଥର କିଞ୍ଚିତ ଇଙ୍ଗିତ୍ ଦେଇଥାନ୍ତି ମାତ୍ର । ଏମାନଙ୍କ ନାଚକୁ ଲିରିକ କବିତା ସହିତ ତୁଳନା କରାଯାଇପାରେ । କେବଳ ଆଭାସ ଓ ଇଙ୍ଗିତ ଦେଇ ଗୀତର ମୂଳଭାବଟି ପ୍ରକାଶ ଯେଭଳି ଏହି ନୃତ୍ୟର ପ୍ରଧାନ କାମ ।

 

ଆଜିକାଲି ଅନେକ ମଣିପୁରୀ ନର୍ତ୍ତକ କଥାକଳି, ଭାରତନାଟ୍ୟମ୍, କଥକ ଇତ୍ୟାଦି ନାଚର ଅନୁକରଣରେ ମୁଦ୍ରା ବ୍ୟବହାରର ଉଦ୍ୟମ କରୁଥିବା ଦେଖାଯାଏ । ପ୍ରଧାନ କଥା ହେଲା–କଥାକଳି, ଭାରତନାଟ୍ୟମ୍ ଓ କଥକ ନୃତ୍ୟଶିଳ୍ପୀମାନେ ତାଳର ପ୍ରତ୍ୟେକ ଛନ୍ଦୋବଦ୍ଧ ଶବ୍ଦକୁ ପାଦର ଆଘାତରେ ପ୍ରକାଶ କରନ୍ତି–କଣିପୁରୀମାନେ ପ୍ରକାଶ କରନ୍ତି ସର୍ବାଙ୍ଗ ଦେଇ । ପବିତ୍ର, ଯୌବନ ଭଳି ଉନ୍ମତ୍ତ । କେତେ କବିତା ଲେଖିଚି, କେତେ ଗଳ୍ପ, କେତେ ଉପନ୍ୟାସ । କିନ୍ତୁ ତୋର ଏ ଯେଉଁ କବିତା, ତା ପ୍ରଭାବରେ ମୋର ସମଗ୍ର ଚିନ୍ତାରାଜ୍ୟ ଯେପରି ତନ୍ଦ୍ରାଜଡ଼ିତ । ନିଜକୁ ଜୀବନ୍ତ, ଶାଶ୍ୱତ ବୋଲି ଭାବିବାର ସ୍ପୃହା ସବୁ ମଣିଷ ମନରେ ଗୋପନ ଭାବରେ ହେଲେ ମଧ୍ୟ ରହିଥାଏ । କବିତା ଭିତରେ ଦେଇ ଆମେ ସେଇ ସ୍ପୃହା ମେଣ୍ଟାଉ । ବୁଦ୍ଧି କହେ, ଏଇଟା ବିଲକୁଲ କୋକାମି ଛଡ଼ା କିଛି ନୁହେଁ । କିନ୍ତୁ କବିତା ଦ୍ୱାରା ବୁଦ୍ଧି ଗ୍ଲାନିରେ ବିପର୍ଯ୍ୟସ୍ତ । ବୁଦ୍ଧି ଆମକୁ ବିପଦ ତଥା କଷ୍ଟ ମଡ଼କୁ ଟାଣି ନେଇଯାଏ । ବୁଦ୍ଧି ଆମକୁ ଧୋକ୍‌କା ଦେଇପାରେ । କିନ୍ତୁ କବିତା । କବିତା ନିଶାରେ ପଡ଼ି ଆମେ ନିଶାଗ୍ରସ୍ତ ହୋଇପଡ଼ୁ ଏହି ନିଶା, ଏଇ ପାଗଳାମି, ନିର୍ବୁଦ୍ଧିତା କେତେବେଳେ ଆନନ୍ଦ ଓ ଦୁଃଖର ମହାସମୁଦ୍ରକୁ ଠେଲି ଦେଇପାରେ ।

 

ତୋରି କବିତାରେ ଆଜି ମୁଁ ନିଶାଗ୍ରସ୍ତ । ଛାଡ଼ିଯିବାକୁ ଇଚ୍ଛା ହେଉନି ତୋର ବନବୀଥିକା, ଘନ କୁଞ୍ଜବନର ମଧୁମୟ ଶୋଭାସୁଷମାକୁ, ଇଚ୍ଛା ହେଉଚି ଏଇ ପାହାଡ଼, ଏଇ ନଦନଦୀସବୁକପୁ ଗଣ୍ଠିଲିରେ ବାନ୍ଧିବୁନ୍ଧି ଧରି ଚାଲିଯିବି । ଆମେ ଉର୍ବର ହୋଇ ମଧ୍ୟ ଅନୁର୍ବର, ସମତଳ ହୋଇ ମଧ୍ୟ ବନ୍ଧୁର, ଅସମତଳ । ହୁଏତ ବହୁ ଯୁଗ ପରେ ସଭ୍ୟତାର ପ୍ରଗତି ଆମକୁ ନେଇଆସିବ ଠିକ୍‌ ତୋରି ପାଖକୁ । ତୁ ଅସଭ୍ୟ, ଉଲଗ୍ନ ବୋଲି ଆମେ ଆଖି ବୁଜୁ, ଥଟ୍ଟା କରୁ; କିନ୍ତୁ ନିଜ ସ୍ତ୍ରୀ, ଝିଅ, ଭଉଣୀଙ୍କୁ ଯୁଗ ସଭ୍ୟତାର ମହାଦାନ ବୋଲି ପ୍ଲାଷ୍ଟିକ ଶାଢୀ ପିନ୍ଧାଇ ଦାଣ୍ଡରେ ବୁଲାଇନେଉ । ରୂପ ଯୌବନକୁ ଉପଭୋଗ କର ବୋଲି ଅନ୍ୟକୁ ପ୍ରଚ୍ଛନ୍ନ ଇଙ୍ଗିତ ଦେଉ । ତୁ ଧନୁଶର ଧରି ରହିଥା ଯୁଗ ଯୁଗ ଧରି, ବଳ୍ କଳ ରହିଥାଉ ତୋର ପରିଧାନ, ତୁ ଆଦିମ ରୂପକାରର ଅଙ୍କିତ ଜୀବନ୍ତ ମୂର୍ତ୍ତି ।

 

ଆମେ ସଭ୍ୟ ନୋହୁଁ, ଅବାସ୍ତବ ସଭ୍ୟତାର ଦାସାନୁଦାସ ।

 

ଦୀର୍ଘ ଦୁଇ ମାସ ପରେ ମୁଁ ଫେରିଲି । ମୁଁ ନୁହେଁ ଆମେ । ବହୁବଚନ ନ ହେଲେ ମଧ୍ୟ ଦ୍ୱିବଚନ । ସ୍ୱପ୍ନା ଓ ମୁଁ । ମା ଫେରିଲନି, ରତ୍ନା ବି ଫେରିଲାନି । ସମସ୍ତେ ରହିଲେ ଟୁ ଟୁ ଦି ପାଖରେ । କି ଷଡ଼ଯନ୍ତ୍ର, କି କୂଟନୀତି କିଛି ବୁଝିପାରିଲି ନାହିଁ ।

 

ସେଦିନ ରାତି ପାହିଲେ ଗାଡ଼ି ଧରିବା କଥା । ରାତି ବାର ପର୍ଯ୍ୟନ୍ତ ଆମର ଆଲୋଚନା ହେଉଥିଲା, ସମସ୍ତେ ଫେରିବୁ । ମୁଁ ଓହ୍ଲେଇବି ସିଲଗୁଡ଼ିରେ–ଜଲ–ପାଇଗୁଡ଼ି ଯିବା ପାଇଁ ମାମୁଁଘରକୁ (ମାମୁଁ ଏଠି ଇଂଜିନିୟର ଚାକିରୀ କରନ୍ତି), କିନ୍ତୁ ହଠାତ୍ ସକାଳୁ ଦେଖିଲି କେହି ଆସିଲେନି, କେବଳ ସ୍ୱପ୍ନା ।

 

ଗେଟରୁ ବାହାରି ଜିପ୍‌ରେ ବସିଲା ପର୍ଯ୍ୟନ୍ତ ମୁଁ ଖାଲି ଭାବି ଭାବି ଚାଲିଚି ।ଆଗରେ ସ୍ୱପ୍ନା । ସେଇ ଦୁଇଟା ସର୍ପିଳ ଲମ୍ବା ବେଣୀ । ସେଇ ସୁଠାମ ଅଙ୍ଗ । ସେଇ ବାହୁଲତା ।

 

ମଝିରେ ମଝିରେ ପଛକୁ ଅନାଏଁ ସେ, ମୁଁ ଆସୁଚି କି ନାହିଁ ଦେଖିବା ପାଇଁ । ପଛକୁ ଅନାଇବା ମାତ୍ରେ ମୁଁ ଅଟକିଯାଏ । ମୋ ପାଦ ଥକିଯାଏ ।

 

ଅନୁଭବ କରେ, ସତେ କି ମୁଁ ସାକ୍ଷୀଗୋପାଳଙ୍କ ପରି ଚାଲିଚି ଜୀବନରେ ଏକ ସାକ୍ଷ୍ୟ ଦେବା ପାଇଁ । ସ୍ୱପ୍ନା ସହିତ ଯେମିତି ମୁଁ ଗୋଟାଏ ଆନ୍ତରିକ ପ୍ରତିଶ୍ରୁତିରେ ନିବଦ୍ଧ ।

 

ମତେ ଟାଣି ନେଉନି ସ୍ୱପ୍ନା, ଟାଣି ନେଉଚି ଏହି ପ୍ରତିଶ୍ରୁତି ।

 

ପାଖକୁ ଲାଗିଆସେ । ମୋର ପଦଧ୍ୱନି ଶୁଣିବା ମାତ୍ରେ ତାର ପାଦ ଥକିଯାଏ । ପଛକୁ ଚାହିଁ ଥରେ ଥରେ ସେ ମଧ୍ୟ ଅଟକି ଯାଏ ଠିକ୍‌ ବିସ୍ତୃତ କବିତାର ଧାଡ଼ି ଭଳି ।

 

କଥା ଛନ୍ଦରେ ପଚାରେ–ସ୍ୱପ୍ନା ! ମା ଆଉ ରତ୍ନାର ଆକସ୍ମିତ ଆଗମନୀ ସଙ୍ଗୀତର ବିରତି କାହିଁକି ?

 

–ସେମାନେ ଆସିଥିଲେ ସ୍ୱର ବେସୁରା ହୋଇ ପଡ଼ିଥାନ୍ତା ବୋଲି ।

 

–କେଉଁ ସ୍ୱର ?

 

–ଚାଲ, ବାଟରେ ମୋ ଦିବଗ୍‌ଧ ପ୍ରାଣକନ୍ଦର ଭିତରୁ ଏକ ମୂର୍ଚ୍ଛାନା ଶୁଣିବ ।

 

–ସେ ଗୀତର ମୂର୍ଚ୍ଛନାର ଗ୍ରାହକ କ’ଣ ମୁଁ ଏକାକୀ ?

 

–ଯଦି କହେ, ହଁ ।

 

–ମୁଁ ଚୁପ୍‌ ।

 

ପୁଣି ଚାଲୁ । ମନେ ହୁଏ, ଆମେ ଯେମିତି ଆଗକୁ ଚାଲିନୁ କି ପଛକୁ ଚାଲିନୁ । ଆମେ ଚାଲିଚୁ ଏକ ଅନର୍ଦ୍ଦିଷ୍ଟ ପଥରେ–ଯେଉଁ ପଥରେ ବିଲକଚଲ କଣ୍ଟା ନାହିଁ, ଖାଲି ଫୁଲ ।

 

ବିନୟବାବୁଙ୍କ ଜିପ୍‌ର ହର୍ଣ୍ଣ ଶୁଭେ । ଆମେ ଛୁଟିଗଲୁ । ଜିପ୍‌ରେ ବସି ବିନୟବାବୁଙ୍କ ମଖିୀର ଭଙ୍ଗୀ, କଥାବାର୍ତ୍ତାରୁ ଜାଣିପାରିଲି ଯେମିତି ବିନୟବାବୁ ହିଁ ଗତକାଲି ରାତିର ଏହି ଷଡ଼ଯନ୍ତ୍ର ପ୍ରାଣକେନ୍ଦ୍ର ।

 

ଷ୍ଟିୟରିଂ ଉପରେ ହାତ ଘୂରେଇ କହନ୍ତି ସେ–କିଛି ଅସୁବିଧା ହେବନି । ଉଆନ୍‌ କୁପେ ଇଜ୍ ରିଜର୍ଭଡ଼ ଫର୍ ବୋଥ୍ ଅଫ୍ ୟୁ । ମଣିହାର ଘାଟ ପର୍ଯ୍ୟନ୍ତ ବେଶ୍ ଆରାମରେ ଚାଲିଯାଇପାର-। ଶକ୍ରୀକାଲି ଘାଟଠାରୁ ମଧ୍ୟ କିଛି ଅସୁବିଧା ହେବନି । ଇଉ କ୍ୟାନ୍ ରିଜର୍ଭ ଆନାଦର୍ କୁପେ । ମଝିରେ କେବଳ ଗୋଟିଏ ରାତି.....

 

ମୁଁ ଅତି ନମ୍ର ସ୍ୱରରେ କହେ–କିନ୍ତୁ ମୁଁ ସିଲଗୁଡ଼ିରେ ଓହ୍ଲେଇବା କଥା, ସିଧା ସିଆଲଦା ଯିବିନି ।

 

–ନୋ, ନୋ, ତୁମକୁ ଯିବାକୁ ହିଁ ପଡ଼ିବ । ସି ଦି ଟିକେଟସ୍ ।

 

ଟିକେଟ୍ ଦେଖିଲି–ଡାଇରେକ୍ଟ ଟିକଟ । ମୋ ମନ ଭିତରେ ଭରିଆସିଲା ଘୋର ବିଷର୍ଣ୍ଣତା । ମୋ ମନରେ ଆଉ ସ୍ୱପ୍ନାର ମାଦକଭରା ଆଖି ଦୁଇଟିର ପ୍ରଲୋଭନ ନାହିଁ । ନିଜକୁ ମନେକଲି ଯେପରି ଏକ ଜଟିଳ ଆପର୍ତ୍ତ ଭିତରେ ଗୁଡ଼ିଏ ନିରୁତ୍ତର ପ୍ରଶ୍ନ ମତେ ଘେରିରହିଛି କୁଣ୍ଡଳୀ ଭଳି ।

 

ଗାଡ଼ି ଚାଲେ । ଆସିଲାବେଳେ ଯେଉଁ ପ୍ରକୃତିର ଅପାର ଶୋଭାସମ୍ଭାର ଦେଖି ମୁଁ ଉଲ୍ଲସିତ ହୋଇଉଠୁଥିଲି ଆଉ ସେ ଉଲ୍ଲାସ ନାହିଁ । ମନ ଓ ହୃଦୟରେ ଏକ ବିଷର୍ଣ୍ଣ ଗମ୍ଭୀରତା । କିନ୍ତୁ ବାହ୍ୟିକ ଭାବରେ ମୁଁ ସ୍ୱପ୍ନା ସହିତ ଗପ କରେ ।

 

କୁପେର ନିର୍ଜନତା ଭିତରେ ସେ ମତେ ଘନିଷ୍ଠ ହୋଇଆସିବାକୁ ଇଙ୍ଗିତ ଦିଏ । ନିଘଞ୍ଚ ପ୍ରଣୟର ପୁଲକରେ ତାର ବୁକୁତଳେ ଆଲୋଡ଼ନ ସୃଷ୍ଟି ହୁଏ–ତା ଆଖି, ଅଧର ଓ କପୋଳ ଦେଖିଲେ ଏକ ଅପୂରଣୀୟ ଆହ୍ୱାନର ବିଦ୍ୟୁତ୍‌ଲତା ଝଟକି ଉଠେ ।

 

ମୁଁ ସିଠର ଗୋଟିଏ କଣରେ ବସି ପକେଟରୁ ବାହାରକରେ ଖଣ୍ଡିଏ ଚିଠି–ଗତ ଦୁଇ ଦିନ ତଳେ ଆସି ପହଞ୍ଚିଚି କଟକରୁ । ଚିଠିଟି ପଢ଼ି ବିରହୀ ଯକ୍ଷ ମୋ ଆଖି ଓଦା ଓଦା ହୋଇଆସେ । ମନେପଡ଼େ ଗୋଟିଏ ମୁହଁ । ସେହି ମୁହଁ ସହିତ ମୁଁ ତୁଳନା କରେ ସ୍ୱପ୍ନାର ମୁହଁକୁ ଠିକ୍‌ ଏହିଭଳି ମୁହଁଟିଏ, ଏମିତି ସ୍ନିଗ୍‌ଧ, ଗୌରବର୍ଣ୍ଣ । ଏହି ନାସିକା, ଏହି ଆଖି, ଏଇ ଭ୍ରୁଲତା, ଏହି କେଶ ।

 

ସ୍ୱପ୍ନା କଥା ଛଳରେ କ୍ରମଶଃ ଘୁଞ୍ଚି ଘୁଞ୍ଚି ପାଖକୁ ଲାଗି ଆସେ, ଚିଠିଟି ଝିଙ୍କିନିଏ । ଗୁଡ଼ିଏ ଓଡ଼ିଆ ଅକ୍ଷର । ଚେଷ୍ଟାକରେ ପଢ଼ିବା ପାଇଁ, କିନ୍ତୁ ପାରେନା; କହେ–ପଢି ଶୁଣାଅ, ଚିଠି ନା କୌଣସି ଗଳ୍ପ, କାହାଣୀ ?

 

–ଗଳ୍ପ କହିପାରୁ, କବିତା ବି କହିପାରୁ । କିନ୍ତୁ ଏ ଚିଠି ଅନ୍ୟ କାହାର ପାଖରୁ ଆସିନି, ଏଇ ତୋର ଚିଠି ।

 

ସ୍ୱପ୍ନା ହସେ ।

 

ମୁଁ ଚିଠି ପଢ଼େ–

 

ଗୋରାବାବୁ,

 

ମାସକ ପାଇଁ ପଚାଶ ଟଙ୍କା ଦେଇଯାଇଥିଲେ, ଆସି ହେଲାଣି ଦୁଇ ମାସ । ଭ୍ରମର ଦୋକାନ ଆଉ ଧାର ଦେଉନି–ଚାଉଳ, ତେଲ, ଲୁଣ ସବୁ ସରିଲାଣି । ଛୋଟ ଭାଇ ଭଉଣୀଙ୍କ ସ୍କୁଲ କଲେଜ ଦରମା ଆଗଦୁଆରୀ ଚୌଧୁରୀ ଘରୁ ଧାର କରି ଦେଇଚି । ଘରୁ ବୋଉ ଲେଖିଚନ୍ତି କୋଡ଼ିଏ ଟଙ୍କା ପଠାଇଲେ ଚାଉଳ କିଣିବେ ।

 

। ଇତି ।

‘‘ତୁମର’’

 

ସ୍ୱପ୍ନା ପଚାରେ, ଏ ‘ତୁମର’ କିଏ ?

 

–ଏଭଳି କଥା କିଏ ଲେଖିପାରେ ?

 

କୁମାରୀ ସ୍ୱପ୍ନା । ଅବିବାହିତ ଜୀବନରେ ଏକ ଦୀର୍ଘ ନିଶ୍ୱାସ ଟାଣେ, ବୁଝିପାରେନା ଇଏ କିଏ ? ସାଂସାରିକ ଜୀବନର ଝଞ୍ଜା ତା ଦେହରେ ବହିନି । ସ୍ୱପ୍ନା ଖାଲି ସ୍ୱପ୍ନର କୁହେଳି ଭିତରେ ବୁଡ଼ିରହେ । ସେ ବୁଝିଚି, ମୁଁ ଏକ ଅବିବାହିତ ଯୁବକ । ଅକାତର ଭାବରେ ଟଙ୍କା ଖର୍ଚ୍ଚ କରିବା ଦେଖି ସେ ଭାବିଚି ମୁଁ ଧନବାନ । ଅଭାବ–ଅନାଟନ,ଦୁଃଖ ଦୁର୍ବିପାକ ଭିତରେ ଯେ ମୁଁ ଜଣେ ପର୍ଯ୍ୟଟକ, ରସକ, ପ୍ରକୃତିର ପୂଜାରୀ, ସେ କଳ୍ପନା ସୁଦ୍ଧା କରିପାରେନା ।

 

ରାତି ଆଠରୁ ରାତି ବାର ପର୍ଯ୍ୟନ୍ତ ନାନା କଥାର ଅନ୍ତରାଳରେ ସେ ଚାହିଁଚି ମୋ ମନ ଭିତରୁ ବହୁତ କିଛି ସଂଗ୍ରହ କରିବା ପାଇଁ । ଏତେ ଦିନ ଧରି ପରିଚୟ, ତଥାପି ସେ ଜାଣିପାରିଲାନି ସଠିକ୍‌ ଭାବରେ ମୁଁ ଜଣକ କିଏ ?

 

କୁପେର ଦୁଇଟି ସିଟରେ ଆମେ ଦୁଇ ଜଣ ଶୋଇପଡ଼ୁ । କାଲି ଦିନ ନଅଟାରେ ଯାଇ ପହଞ୍ଚିବା କଥା ମଣିହାରୀ ଘାଟରେ ।

 

ଡ଼ାଇରେକ୍ଟ ଟିକେଟ ଗୌହାଟୀଠାରୁ ସିଆଲ୍‌ଦା ।

 

ସିଲଗୁଡ଼ିରେ ଟ୍ରେନ ପହଞ୍ଚିବା ବେଳକୁ ସକାଳ ହୋଇ ଆସିଥାଏ । ପାହାନ୍ତିଆ ସମୟ । ବିଶେଷ ଶୀତ ନାହିଁ ।

 

ସ୍ୱପ୍ନା ଶୋଇପଡ଼ିଚି–ଶୋଇଥାଉ ।

 

ଖଣ୍ଡିଏ ଛୋଟ କାଗଜରେ ତରତରରେ ଚିଠି ଲେଖିଲି–

 

ସ୍ୱପ୍ନା,

 

ମୁଁ ଏଇଠି ଓହ୍ଲେଇ ଯାଉଚି, ଜଳପାଇଗୁଡ଼ି ଯିବି ମାମୁଁ ଘରକୁ । ଆଠ ଦିନ ପରେ ଫେରିବି କଟକ । ହୁଏତ ଆଉ ଦେଖା ହୋଇ ନ ପାରେ । ଏହି ତୋର ଟିକେଟ ।

 

ଗାଡ଼ି ହର୍ଣ୍ଣ ଦେଲା ।

 

ସ୍ୱପ୍ନା ଶୋଇଚି–ତକିଆ ତଳେ ରଖିଦେଇ ଆସିଲି ଚିଠିଟି, ଦେହରେ ଘୋଡ଼େଇ ଦେଲି ଟୁଟୁଦି ଦେଇଥିବା ଉପହାର ଗୋଟିଏ ଦାମିକା ଶାଲ୍ ।

 

ଗାଡ଼ି ଛାଡ଼ିବା ଆରମ୍ଭ ହୁଏ–ଏ ପାଖରେ କାନରେ ପଡ଼େ ବାଉଲର ଗୀତ-

 

ଆମର ମନ ବଲେଚାଇ ଚାଇ ଗୋ

ଯାରେ ନାଇଁ ପାଇ ଗୋ

ସକଳ ପଓ୍ୟାର ମାଝେ

ଆମର ମନେ ବେଦନ ବାଜେ

ନାଇଁ ନାଇଁ ଗୋ

ଭୋରେର ତାରାୟ ଜାଗ୍‌ବେବଲେ

ବଲେ ସେ ଯାଇ ଯାଇ ଗୋ ।

 

ଆଠ ଦିନ ପରେ ଘରକୁ ଫେରି ଶୁଣିଲି, ମୁଁ ଆସିବା ପୂର୍ବରୁ ସ୍ୱପ୍ନା ଗରକୁ ପଠେଇ ଦେଇଚି ଶହେ ଟଙ୍କାର ମନିଅର୍ଡ଼ର ।

 

ବାବୁଭାଇ, ରତ୍ନାର ଗପ କହୁ କହୁ କୁଆଡ଼େ ଆସି କୁଆଡ଼େ ପହଞ୍ଚିଲେଣି । ଥାଉ ଏତିକି ।

 

। ଇତି ।

ଗୋରା

 

ବହୁବର୍ଷ ପରେ

 

ଏ ବହିର ଅନ୍ୟତମ ନାୟିକା ରାଣୀ ଗାଇଦିଲିଓ । ବର୍ତ୍ତମାନ ବୟସ ପ୍ରାୟ ସତାଅଶୀ । ଅନେକଙ୍କ ଧାରଣା ଥିଲା, ସେ ମଉ ଜୀବନରେ ନାହାନ୍ତି ।

 

ହଠାତ୍ ୧୯୬୬ ଜାନୁୟାରୀ ୨୩ ତାରିଖରେ ଭାରତର ସମ୍ବାଦ ପତ୍ର ମାନଙ୍କର ପ୍ରକାଶ ପାଇଲା ରହସ୍ୟମୟୀ ଗାଇଦିଲିଓ ଲୋକଲୋଚନକୁ ଆସିଛନ୍ତ । ନାଗାଭୂମିର ମୁଖ୍ୟମନ୍ତ୍ରୀ ଶ୍ରୀ ସିଲୁ ଆୟୋଙ୍କ ସହିତ କୋହିମାରେ ସେ ଆଲୋଚନା ଚଳାଇଛନ୍ତି । ସମଗ୍ର ଆସାମରେ ଚହଳ ପଡ଼ିଗଲା । ଗତ ଛଅବର୍ଷ ଧରି ଏହି ଭୂଖଣ୍ଡରେ ରାଣୀ ଗାଇଦିଲିଓ ଥିଲେ କେଉଁଠି ?

 

ପ୍ରକୃତରେ ରହସ୍ୟମୟୀ ସେ । କିମ୍ବଦନ୍ତୀର ସେ ଗୋଟାଏ କାହାଣୀ ଭଳି । ବେଶୀ ଦୂରରେ ତ ନ ଥିଲେ । ଥଲେ କୋହିମାଠାରୁ ଅଠର ମାଇଲ ଦୂରବର୍ତ୍ତୀ ଗୋଟିଏ ଗୁମ୍ପା ଭିତରେ । ସେ ବାଟରେ ଏହା ଭିତରେ ବହୁ ଲୋକ ଯାଇଥିବେ, ହୁଏତ ସେ ଗୁମ୍ପାର ପଥର ଉପରେ ବସିଥିବେ କିନ୍ତୁ କାହାର ଧାରଣା ସୁଦ୍ଧା ନ ଥିଲା ଯେ ରହସ୍ୟମୟୀ ଗାଇଦିଲିଓ ତାଙ୍କ ଅନୁଚରଙ୍କୁ ଦରି ଏହା ଭିତରେ ଏତେଦିନ ଧରି ରହିପାରନ୍ତି ।

 

ସମ୍ବାଦପତ୍ର ବିବରଣୀ ପ୍ରକାଶ–ଗାଇଦିଲିଓ, ଯିଏ କି ଆତ୍ମଗୋପନକାରୀ ନାଗାମାନଙ୍କ ସ୍ୱଧୀନ ନାଗାଭୂମି ଦାବୀର ବିରୋଧୀ, ସେ କୋହିମାରେ ଆତ୍ମପ୍ରକାଶ କରିଛନ୍ତି । ଗତ ଛଅ ବର୍ଷ ଧରି ସେ ଆତ୍ମଗୋପନ କରି ରହିଥିଲେ ।

 

ତାଙ୍କର ମୁଖ୍ୟ ଦାବୀ ହେଉଚି, ନାଗାଭୂମି, ମଣିପୁରୁ ଓ ଉତ୍ତର କାଚାର ଜିଲ୍ଲାରେ ରହୁଥିବା ଜେଲାଙ୍ଗ ନାଗାମାନଙ୍କୁ ଗୋଟିଏ ସ୍ୱତନ୍ତ୍ର ଜିଲ୍ଲା ଦିଆଯାଉ ।

 

୧୯୨୯ରେ ଗାଇଦିଲିଓ ନିଜକୁ ଜଣେ ‘ଦେବୀ’ ଭାବରେ ଘୋଷଣା କଲେ । ପରେ ତାଙ୍କୁ ଗିରଫ କରାଗଲା । ହତ୍ୟକାଣ୍ଡ ଅଭିଯୋଗରେ ତାଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଗଲା ।

 

ମଝି ମଝିରେ ଆତ୍ମଗୋପନକାରୀ ନାରୀମାନଙ୍କ ସହିତ ଗାଇଦିଲିଓ ଅନୁଚରମାନଙ୍କ ସଂଘର୍ଷ ଘଟେ ଏବଂ ଅନୁଚରମାନେ ମଣିପୁରରେ ଥିବା ଖ୍ରୀଷ୍ଟାନ ଗାଁ ଗଣ୍ଡାରେ ନିଆଁ ଲଗେଇ ଦେଇଥାଆନ୍ତି । ଗାଇଦିଲିଓ ନିପଟ ଖ୍ରୀଷ୍ଟାନ ବିରୋଧୀ । ଗୋରା ପାଦ୍ରୀମାନେ ଆସି ନାଗାମାନଙ୍କୁ ନାନା ଭାବରେ ପ୍ରଭାବିତ କରି ଖ୍ରୀଷ୍ଟାନ କରି ଦେଉଥିବା ଯୋଗୁଁ ସେ ଜୀବନବ୍ୟାପୀ ତାର ବିରୋଧୀ କରି ଆସିଛନ୍ତି । ଏହି ଗାଇଦିଲିଓଙ୍କ ଅନୁଚରମାନେ ସମୟେ ସମୟେ ଆତ୍ମଗୋପନକାରୀ ନାଗାମାନଙ୍କୁ ଧରି ଆଣି ସରକାରୀ କର୍ମକର୍ତ୍ତାଙ୍କ ଆଗରେ ହାଜର କରାଇ ଥାମନ୍ତି, କିନ୍ତୁ କର୍ମକର୍ତ୍ତାମାନେ ଏହି ନାଗାମାନଙ୍କୁ କଠୋର ଭାବରେ ଦଣ୍ଡିତ ନ କରିବାରେ, ସେମାନେ ହତାଶ ହୋଇ ପଡ଼ିଥାଆନ୍ତି ।

 

ବନ୍ଦୀ ହେବା ପୂର୍ବରୁ ନରବଳି ଦେବା ପ୍ରଥା ସହିତ ସେ କୁଆଡ଼େ ସଂଶ୍ଲିଷ୍ଟ ଥିଲେ ଏବଂ ଲୁଚି ରହୁଥିବା ବେଳେ ମଧ୍ୟ ଲୋକମୁଖରେ ପ୍ରଚାର ହେଉଥିଲା ଯେ, ତାଙ୍କ ଅନୁଚରମାନେ ନରବଳି କାର୍ଯ୍ୟରେ ଏ ପର୍ଯ୍ୟନ୍ତ ଲିପ୍ତ ରହିଛନ୍ତି । କିନ୍ତୁ ଏହି ପ୍ରଚାର ପଛରେ ନିଦ୍ଧିଷ୍ଟ କୌଣସି ପ୍ରମାଣ ମିଳୁ ନ ଥିଲା ।

 

ଏହି ମହିଳା ଜଣକ ୧୯୬୬ ଜାନୁଆରୀ ୨୦ ତାରିଖରେ କୋହିମାରେ ପହଞ୍ଚି ସେ ନିଜେ ରାଣୀ ଗାଇଦିଲିଓ ବୋଲି ପରିଚୟ ଦେଇଥିଲେ । ପାଞ୍ଚଫୁଟ ତିନିଇଞ୍ଚ ଲମ୍ବା ଦେହ, ଗୋରା ତୋଫା ଚମଡ଼ା କିନ୍ତୁ ମୁହଁରେ ବାର୍ଦ୍ଧକ୍ୟର ଚିହ୍ନ । ତାଙ୍କ ପାଖରେ ରହିଥିବା ଲୋକେ କହନ୍ତି ଯେ ତାଙ୍କର ବୟସ ବର୍ତ୍ତମାନ ବାଆସ୍ତରୀ । କିନ୍ତୁ ଉସୁଲା ଗ୍ରାହାମ ବାଓ୍ୱରଙ୍କ ‘ନାଗାପଥ’ ବହିରେ ଲେଖା ଅଛି, ୧୯୩୧ରେ ଯେତେବେଳେ କୋହିମାର ତତ୍‌କଳିନ ଫେପୁଟି କମିଶନର ମିଃ ଜେ. ଫିଲପସ୍ ମିଲସ୍ ଗାଇଦିଲିଓଙ୍କୁ ଗିରଫ କଲେ ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ଷୋହନ ବର୍ଷ । ତଦନୁଯାୟୀ ହିସାବ କଲେ ତାଙ୍କ ବୟସ ବର୍ତ୍ତମାନ ସତଷଠି ହେବା କଥା ।

 

ଶକ୍ତିରୂପିଣୀ ଗାଇଦିଲିଓଙ୍କ ପୂଜା ଏବଂ ଗାଇଦିଲିଓଙ୍କ ନେତୃତ୍ୱରେ ନୂତନ ଆନ୍ଦୋଳନ ଆରମ୍ଭ ହେଉଚି ୧ ୯୨୧ରୁ । ପ୍ରଥମ ମହାଯୁଦ୍ଧ ବେଳେ ଜୋଦନାଙ୍ଗ ନାମକ ଜଣେ ବ୍ୟକ୍ତି ସୈନ୍ୟବାହିନୀରେ ପ୍ରବେଶ କରି ବହୁଦେଶ ପରିଭ୍ରମଣ କରି ଫେରିଆସିଲେ । ସେ କେତେକ ଯାଦୁବିଦ୍ୟା ଜାଣିଥିଲେ । ନାଗାମାନଙ୍କ ମଧ୍ୟରେ ଏକ ନୂତନ ଧର୍ମର ପ୍ରଚାର କଲେ ସେ । ହିନ୍ଦୁ ଧର୍ମ ଭଳି ଅଥଚ ଖ୍ରୀଷ୍ଟାନ ନୁହଁ ତାର ମଝି ମଝିକିଆ ଏକ ନୂତନ ଧର୍ମ । ପରେ ପରେ ଜଣାଗଲା ଯେ ମଣିପୁରରୁ ସିଲାଚର ଯାଉଥିବା ବାଟରେ କେତେଜଣ ମଣିପୁରୀ ବ୍ୟବସାୟଙ୍କ ପତ୍ତା ମଳୁନାହିଁ-। କିଛିଦିନ ପରେ କୋଦନାଙ୍ଗଙ୍କ ନାମରେ ନିର୍ମିତ ମନ୍ଦିର ଭିତରୁ ସେମାନଙ୍କ ଅବଶେଷ ମିଳିଲା-। ‘ନରବଳି’ ଦେଉଥିବା ଅଭିଯୋଗରେ ଜୋଦନାଙ୍ଗଙ୍କୁ ଫାଶୀ ଦିଆଗଲା । ତାଙ୍କର ପବିତ୍ର ଅଜଗର ସର୍ପକୁ ଗୁଳି କରି ମାରି ଦିଆଗଲା ।

 

ସରକାର ଜୋଦନାଙ୍ଗଙ୍କ ଅନୁଚରମାନଙ୍କୁ କମ୍‌ବୟସ ହୋଇଥିବାରୁ ଗାଇଦିଲିଓଙ୍କୁ ମଧ୍ୟ ଜେଲ ନ ଦେଇ ଛାଡ଼ିଦେଲେ । କିଛି ଦିନ ପରେ ତାଙ୍କୁ ଯେଉଁଦିନ ଦେବୀ ଭାବରେ ପୂଜା କରୁଥିଲେ ସେମାନଙ୍କ ସହିତ ଯୋଗଦେଇ ଚାରିଆଡ଼େ ପ୍ରଚାର କରିଦେଲେ ଯେ ସେ ଦିନେ ନା ଦିନେ ବ୍ରିଟିଶମାନଙ୍କୁ ନିକାଲି ଦେବେ ଏବଂ ନାଗାଭୂମିରେ କେବଳ ନାଗାମାନେ ହିଁ ରାଜତ୍ୱ କରିବେ ।

 

ନାଗା ପାର୍ବତ୍ୟ ପ୍ରଦେଶର ସମସ୍ତ ସୀମାନ୍ତ ଅଞ୍ଚଳର ଲୋକେ ଗାଇଦିଲିଓଙ୍କ ଏହି ଆନ୍ଦୋଳନରେ ଉଦ୍‌ବୁଦ୍ଧ ହୋଇଉଠିଳେ । ଶେଷରେ ଏହି ତରୁଣୀଙ୍କୁ ଖୋଜି ବାହାର କରିବା ପାଇଁ ସୈନ୍ୟବାହିନୀଙ୍କୁ ପଠାଗଲା । ସେ ସେତେବେଳେ ହାଙ୍ଗରମଠାରେ ଏକ ପୁଲିସ ଫାଣ୍ଡି ପାଖରେ ତିନିମାସ କାଳ ରହିଥିଲେ ସୁଦ୍ଧା ସୈନ୍ୟମାନେ ତାଙ୍କୁ ଖୋଜି ପାଇଲେ ନାହିଁ । ସେ ଯେଉଁଠିକି ଯାଉଥିଲେ ସେଠାରେ ତାଙ୍କ ହାତରୁ ପବିତ୍ର ଜଳ ପାଇବା ଲାଗି ଲୋକେ ବ୍ୟାକୁଳ ହୋଇ ଧାଉଁଥିଲେ । ଏହି ପବିତ୍ର ଜଳ ବୋତଲ ଲାଗି ଦଶ ଟଙ୍କା ମୂଲ୍ୟରେ ବିକ୍ରୀ ହେବା ମଧ୍ୟ ଲକ୍ଷ୍ୟ କରାଯାଉଥିଲା । ଯିଏ ଏଇ ଜଳରୁ ବିନ୍ଦୁ ଏ ପାଇବ ସେ ସମସ୍ତ ରୋଗରୁ ମୁକ୍ତ ହେବ ବୋଲି କୁହାଯାଉଥିଲା ।

 

ପରେ ତାଙ୍କୁ ଗିରଫ କରାଗଲା ଏବଂ ଜେଲ ଦିଆଗଲା । ବନ୍ଦୀ ହେବା ପୂର୍ବରୁ ସେ କହୁଥିଲେ ଯେ ତାଙ୍କୁ ଜେଲ ଦେଇ କିଛି ଲାଭ ହେବ ନାହିଁ । ସେ ଜେଲକୁ ଡ଼ରନ୍ତି ନାହିଁ । କାରଣ ସରକାର ତାଙ୍କ ଦେହଟାକୁ ଗିରଫ କରିବେ ସିନା ତାଙ୍କ ଆତ୍ମା ନିରାପଦ ରହିବ । ସେ ଏପରି ଆକାର ପ୍ରକାର ନେଇ ଫେରି ଆସିବେ ଯାହାକୁ କି ତାଙ୍କ ଶତ୍ରୁମାନେ (ଅଙ୍ଗାମି ନାଗାମାନେ) ମଦୌ ଜାଣିପାରିବେ ନାହିଁ, କେବଳ ତାଙ୍କର ବିଶ୍ୱସ୍ତ ଲୋକେ ହିଁ ତାଙ୍କୁ ଚିହ୍ନି ପାରିବେ ।

 

ତାଙ୍କର ବଡ଼ ସମର୍ଥକ ଜୋଦନାଙ୍ଗଙ୍କୁ ଫାଶୀ ଦିଆଗଲେ ସୁଦ୍ଧା ଆଉ ତିନି ଜଣ ସମର୍ଥକ ବହୁଦିନ ଧରି ମୁକ୍ତ ରହିଥିଲେ । ସେମାନେ ହେଉଛନ୍ତି ଦିଖେଓ, ଘୁମେଓ ଓ ମାସାଙ୍ଗ । ସେମାନଙ୍କ ଦଶା କ’ଣ ହେଲା, ୧୦୪୬ରେ ଗାଇଦିଲି ଓ ଜେଲରୁ ଖଲାସ ହେବା ପରେ ସେମାନେ ବଞ୍ଚିଥିଲେ କି ନା, କେହି ଖବର ଅନ୍ତର ରଖି ନାହାନ୍ତି । ବର୍ତ୍ତମାନ ତାଙ୍କର କିଏ କିଏ ଅନୁତର ଅଛନ୍ତି, ସେ ସମ୍ପର୍କରେ ମଧ୍ୟ ଖୁବ୍‌ କମ୍‌ ସମ୍ବାଦ ମିଳେ । ଗତ ଦୁଇ ବର୍ଷ ହେଲା, ସମ୍ବାଦ ମିଳୁଥିଲା ଯେ ଉପର କାଚାର ପାର୍ବତ୍ୟ ଅଞ୍ଚଳରେ ଗାଇଦିଲିଓପନ୍ଥୀମାନେ ପଶୁବଳି ଦେବାରେ ଲିପ୍ତ ।

 

ଗତ ଛଅ ବର୍ଷ ହେଲା ଗାଇଦିଲିଓ ଆତ୍ମଗୋପନ କରି ରହିଥିଲେ । ସେ ଉପର କାଚାର କିମ୍ବା ଉତ୍ତର ମଣିପୁରରେ ରହୁଥିଲେ ବୋଲି କେହି କେହି ବିଶ୍ୱାସ ଥିଲେ । ଆଉ କେହି କେହି ବିଶ୍ୱାସ କରୁଥିଲେ ଯେ ସେ ଆଉ ନାହାନ୍ତି, ତାଙ୍କର ମୃତ୍ୟୁ ହୋଇଯାଇଛି କିନ୍ତୁ ସେ ବର୍ତ୍ତମାନ କହିଲେ ଯେ କୋହିମାଠାରୁ ମାତ୍ର ୧୮ ମାଇଲ ଦୂରବର୍ତ୍ତୀ ଏକ ଗାଁରୁ ଆସିଲେ । ସମ୍ଭବତଃ ସେ ଗୋଟିଏ ଗୁମ୍ଫା ଭିତରେ ରହୁଥିଲେ ।

 

ସେ ୧୯୬୬ ଜାନୁଆରୀ ୨୦ ତାରିଖରେ ଆସି ନାଗାଭୂମିର ମୁଖ୍ୟମନ୍ତ୍ରୀ ସିଲୁଆଓଙ୍କୁ କହିଲେ ଯେ, ସେ ନାଗାମାନଙ୍କ ଭଳି ବିଦ୍ରୋହୀ ନୁହନ୍ତି, ସେ ସମ୍ପୂର୍ଣ୍ଣ ଭାବେ ଜଣେ ଭାରତୀୟ । ନାଗାଭୂମିକୁ ଭାରତ ଭୂମିରୁ ଅଲଗା କରି ତାକୁ ସ୍ୱାଧୀନତା ଦିଆଯାଉ ବୋଲି ସେ ଚାହାନ୍ତି ନାହିଁ । ତାଙ୍କର ଏକମାତ୍ର କାମନା ଜେମି କାବୁଲ ଓ ଲିଏଙ୍ଗମୀ ନାଗାମାନଙ୍କ ପାଇଁ ଗୋଟିଏ ଜିଲ୍ଲା ଦିଆଯାଉ ଯାହା ଫଳରେ କି ସେମାନେ ଆତ୍ମଗୋପନକାରୀ ବିଦ୍ରୋହୀ ଆଙ୍ଗାମୀ ନାଗାମାନଙ୍କ ଦାଉରୁ ରକ୍ଷାପାଇ ପାରିବେ ।

 

ଆଙ୍ଗାମୀ ନାଗାମାନଙ୍କ ସହିତ ଏହି ତିନି ସଂପ୍ରଦାୟର ନାଗାମାନଙ୍କର ବହୁଦିନରୁ କଳହ ଲାଗି ରହି ଆସିଛି । ଆଙ୍ଗାମୀ ନାଗାମାନେ ହେଉଚନ୍ତି ଖ୍ରୀଷ୍ଟାବ୍ଦ କିନ୍ତୁ ଗାଇଦିଲିଓଙ୍କ ନାଗାମାନେ ହେଉଛନ୍ତି ଖ୍ରୀଷ୍ଟାନ ବିରୋଧୀ । ଗତ କେତେବର୍ଷ ତଳେ କଟକ ଶହୀଦ ଭବନଠାରେ ଅନୁଷ୍ଠିତ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ସମ୍ମିଳନୀ ରାଣୀ ଗାଇଦିଲିଓ ଯୋଗ ଦେଇଥିଲେ ।

Image